ହାତ ପାହାନ୍ତାରେ
ଐଶ୍ଵର୍ଯ୍ୟ ସାରା ଦୁନିଆର ।
ହୃଦୟରେ କାହିଁପାଇଁ
ଶୂନ୍ୟତାର ଘର ?
ମନଖୋଲା ହସ ହସିବା ପାଇଁ
ଅବସର ନାହିଁ କାହିଁ
ଲାଫିଙ୍ଗ ବୁଦ୍ଧ ବି ହସ ବାଣ୍ଟି ବାଣ୍ଟି
ଋଣରେ ବୁଡି ଗଲେଣି ।
ଫେସବୁକ, ଇନ୍ସଟା ରେ ଶହ ଶହ ବନ୍ଧୁ
ଜଣେ କେହି ନାହିଁ ବାସ୍ତବରେ
କେଜାଣି କେମିତି ମିଠାମିଠା ମିଛ
ରଙ୍ଗ ଭରେ ମନ ଆକାଶରେ।
ପ୍ରେମ ନିସର୍ତ୍ତ ନୁହେଁ ,
ଅନ୍ୟ ଏକ ବ୍ୟବସାୟ ପରି ।
ନିଜର ଘଡ଼ିଏ ଖୁସି ପାଇଁ
ପରର ଦୀଘଡ଼ି ବାହାବା
କଣ ନିହାତି ଜରୁରୀ?
ବେଦ ସବୁ କହି କହି ଥକିଗଲେ
ମଣିଷ ହିଁ ସଚ୍ଚିଦାନନ୍ଦ ।
ହେଲେ ଆମେ କାହିଁକି ଆଜି
ନିଜ କାରାଗୃହେ ବନ୍ଦ ?
ଜୀବନ ଚାଲିଛି ଯନ୍ତ୍ରଟିଏ ପରି
ନାହିଁ ହସର ଠିକଣା
ସତେକି ମଣିଷ ଆଜି ଦିଗହରା
ହଜାଇ ଖୁସିର କୂଳ କିନାରା ?
ପଚାର ନିଜକୁ ପ୍ରତି ମୁହୁର୍ତରେ
କାହିଁ ନାହିଁ ଖୁସି ସବୁ ଥାଇ ବି
ଦିନା କେତେ ପରେ ହୃଦୟ ଜାଣିବ
କେବେଠୁ ହସ ଖୋଜୁଛି
ତୁମ (ଓଠର) ଠିକଣା ଆଜି ବି ।
ହସଠାରୁ ବଳି ଅମୁଲ୍ୟ ସମ୍ପଦ
ଅଛି କି ଜଗତେ କିଛି?
ଆସ ଆମେ ଆଜି ହସି ହସେଇବା
ହସ ହିଁ ଅମୋଘ ଜୀବନୀ ଶକ୍ତି ।