ଚନ୍ଦନପାଟଣା ଗ୍ରାମରେ ମଧୁମତି ଘର । ଝିଅଟି ଖୁବ ସରଳ ଓ ନୀରିହା । ଅବଶ୍ୟ ଅପୂର୍ବ ରୂପ ଲାବଣ୍ୟର ଅଧିକାରୀ ନହେଲେ ମଧ୍ୟ ତା’ର ସରଳ ନିଷ୍ପାପ ହୃଦୟଟି ଖୁବ ସୁନ୍ଦର । ପିଲାଟି ବେଳରୁ ମଧୁମତିର ତା’ ପରିବାର ପ୍ରତି ଖୁବ ସ୍ନେହ ଆଦର ଥିବା ସହ ଦୁର୍ବଳତା ମଧ୍ୟ ରହିଥିଲା । ତାକୁ ତା’ର ବାପା ମା ଓ ପରିବାରର ଅନ୍ୟମାନେ ଯାହା କହୁଥିଲେ, ସେ ବିନା ପ୍ରତିବାଦରେ ତାକୁ ଗ୍ରହଣ କରିନେଉଥିଲା । ମଧୁମତି ଏକ ଯୌଥ ପରିବାରରେ ରହୁଥିଲା । ଯେଉଁଥିରେ ତା’ ବାପା, ମା, ସାନ ଭାଇ , ଭଉଣୀ ସହ ତା’ର ବଡ଼ବାପା ଓ ବଡ଼ାମାଆ ମଧ୍ୟ ରହୁଥିଲେ । ମଧୁମତି ବାପାଙ୍କର କିଛି ରୋଜଗାର ନଥିଲା । କିନ୍ତୁ ତା’ର ବଡ଼ବାପା ଜଣେ ଶିକ୍ଷକ ଥିଲେ । ତେଣୁ ପରିବାରର ସମ୍ପୂର୍ଣ୍ଣ ଭରଣ ପୋଷଣର ଦାୟିତ୍ୱ ତା’ ବଡବାପାଙ୍କ ଉପରେ ନ୍ୟସ୍ତ ଥିଲା । ଯେହେତୁ ଘର ତା’ ବଡ଼ବାପା ଚଳାଉ ଥିଲେ, ତେଣୁ ଘରର ଛୋଟ ବଡ ନିଷ୍ପତି ତା’ର ବଡ଼ପାପ ନେଉଥିଲେ । ଧୀରେ ଧୀରେ ସମୟ ଅତିବାହିତ ହେବା ସହ ମଧୁମତିର ବିବାହ ବୟସ ଉପସ୍ଥିତ ହେଲା । ତା’ର ପରିବାର ଲୋକେ ତା’ ପାଇଁ ବିବାହ ପ୍ରସ୍ତାବ ଖୋଜିବା ଆରମ୍ଭ କରିଦେଲେ ।
ଏମିତି ଖୋଜୁ ଖୋଜୁ ଗୋଟିଏ ପୁଅ ସହ ତା’ର ବିବାହ ସ୍ଥିର ହୋଇଗଲା । ତା’ର ପରିବାର ଲୋକେ ଅତି ଆଡ଼ମ୍ବର ସହକାରେ ତା’ର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଅନ୍ୟପଟେ ପରିବାରକୁ ଛାଡି ଯିବାର ହୃଦୟ ବିଦାରକ ଦୁଃଖ ଆଉ ଲୁହ କାହାକୁ ଦୃଷ୍ଟିଗୋଚର ହେଉନଥାଏ । ଧୀରେ ଧୀରେ ବିବାହର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହେଲା । ମଧୁମତିର ବିବାହରେ ତା’ର ବଡ଼ବାପା ତାକୁ ଢେର ସୁନାଗହଣା ଦେଇଥିଲେ । ଯେଉଁ ସୁନାଗହଣା ପ୍ରତି ମଧୁମତି ର ସ୍ୱାମୀ ମନୋଜର ଲୋଭ ଥିଲା । ଧୀରେ ଧୀରେ ସମୟ ଅତିବାହିତ ହେବା ସହ ମଧୁ ଅନ୍ତଃସତ୍ଵା ହେଲା ଓ ଗୋଟିଏ ପୁତ୍ର ସନ୍ତାନ କୁ ଜନ୍ମ ଦେଲା ଓ ତା’ର ସଂସାର ସୁଖରେ ଚାଲିଥିଲା ।
ଏହିସବୁ ଭିତରେ ମଧୁମତି ଭାଇର କିଛି ଟଙ୍କା ଆବଶ୍ୟକ ହୋଇଛି । ସେ ଘରେ କାହାକୁ କିଛି ନଜଣେଇ ମଧୁମତିକୁ ସାହାଯ୍ୟ ମାଗିଲା । ମଧୁମତି ମଧ୍ୟ ମନା କରିପାରିଲା ନାହିଁ । ମଧୁମତି ମଧ୍ୟ ତା’ର ସ୍ୱାମୀ ମନୋଜଙ୍କୁ କିଛି ନ ଜଣେଇ ତା’ର ସମସ୍ତ ସୁନା ଗହଣା ତା’ ଭାଇକୁ ଦେଇଦେଲା । ମଧୁମତିର ଭାଇ ସେ ସୁନା ଗହଣା ସବୁକୁ ନେଇ ବିକ୍ରି କରି ତା’ ଆବଶ୍ୟକତା କୁ ପୁରାଣ କଲା । ପରମୁହୂର୍ତ୍ତ ରେ ଯେତେବେଳେ ମଧୁର ସ୍ୱାମୀ, ମନୋଜ ଏକଥା ସବୁ ଜାଣିପାରିଲା, ସେ ରାଗି ଯାଇ ମଧୁମତିର ସମ୍ପୂର୍ଣ ଶରୀର ରେ ଏସିଡ ଢାଳି ଦେଲା ଯାହା ଫଳରେ ମଧୁରର ଶରୀର ଓ ଚେହେରା ବିକୃତ ହୋଇଗଲା । ଏସବୁ ବିଷୟ ରେ ମଧୁମତି ର ବଡବାପା ଜାଣିପାରି ତା’ କୁ ତା ଶାଶୁ ଘରୁ ନେଇ ଆସିଲେ ଓ ଗୋଟିଏ ଭଲ ଡାକ୍ତର ଖାନାରେ ଚିକିତ୍ସିତ କରାଇଲେ । ମଧୁ ର ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିବା ପରେ ତା’ର ବଡ଼ବାପା , ମଧୁକୁ ନ୍ୟାୟ ଦେବା ପାଇଁ ଆଇନ୍ ର ଆଶ୍ରୟ ନେଲେ ହେଲେ ମଧୁ ତା’ର ସ୍ୱାମୀକୁ ବଞ୍ଚାଇ ବାକୁ ଯାଇ କୋର୍ଟ କାଠଗଡ଼ାରେ ମିଛ ସାକ୍ଷୀ ଦେଲା କି ଏସବୁ କାମ ପାଇଁ ତା’ର ସ୍ୱାମୀ ଦାୟୀ ନୁହେଁ ବୋଲି । ସେ ତା’ ପୁଅ ପାଇଁ କ୍ଷୀର ଗରମ କରିବା ସମୟରେ ଗ୍ୟାସ ଲିକ ହୋଇ ଏହି ଅଗ୍ନି କାଣ୍ଡ ହୋଇଥିଲା ବୋଲି ସର୍ବ ସମ୍ମୁଖରେ ମନ୍ତବ୍ୟ ଦେଲା ।
ଏସବୁ ଭିତରେ ବହୁତ ବର୍ଷ ବିତି ଯାଇଛି । ସମୟ ଚକ୍ରରେ ସେ ଦୁର୍ଘଟଣା ର ଭୟାବହତା ମଧ୍ୟ ଆଜି ପ୍ରଶମିତ ହୋଇ ଯାଇଛି । ମଧୁମତିର ପୁଅ ଏବେ ବଡ ହୋଇଗଲାଣି , ସ୍କୁଲ ମଧ୍ୟ ଯାଉଛି । ମଧୁମତି ତା’ ପୁଅ ର କୁନିକୁନି ଆଖିରେ ସାରା ଦୁନିଆ ଦେଖିବାର ସ୍ୱପ୍ନ ଦେଖୁଛି । ଆଜିର ଶିକ୍ଷିତ ସମାଜ ଏତେ ବିକଶିତ ହେଲାପରେ ବି ନାରୀ ଏଠାରେ ସୁରକ୍ଷିତ ନୁହେଁ ।
କୁହନ୍ତୁ ତ, ମଧୁମତି ର କ’ଣ ଇଚ୍ଛା ନଥିବ କି , ସେ ଯାହାକୁ ବିବାହ କରିବା , ସେ ତା’ର ହାତ ଧରି ଆଜୀବନ ବାଟ ଚାଲିବ ବୋଲି , ଆଉ ଏକ ବିସ୍ତୃତ ଆକାଶ ତଳେ, ଏଇ ସବୁଜିମା ଧାରା ରେ ଗୋଟେ ସୁଖର ସଂସାର ଗଢିବା ବୋଲି । ହେଲେ ତା’ର ସ୍ୱପ୍ନ ଏ କଣ ପୁରା ହେଲା ? ତା’ର ଅପରାଧ କ’ଣ ? ସେ କଣ ପାଇଁ ଏତେ ଅବହେଳାର ଶିକାର ହେଲା ?
ମଧୁମତିର ଜୀବନ କାହାଣୀରୁ ଆମେ ଏହା ଶିକ୍ଷା ଲାଭ କଲୁ ଯେ, ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ ।
ବିଶେଷ ଦ୍ରଷ୍ଟବ୍ୟ:- ଏହି ଗଳ୍ପ କୈାଣସି କଳ୍ପନା ଆଧାରିତ ନୁହେଁ ସମ୍ପୂର୍ଣ୍ଣ ସତ୍ୟ ଘଟଣାବଳୀ ଉପରେ ଆଧାରିତ ।