ପ୍ରେମ ଗୀତ ଗାଇ ଗାଇ
ଖୁସିରେ ମସଗୁଲ ହୋଇ
ତୋଳୁଥିଲି କ୍ଷେତର କୋଣାର୍କ,
ପତ୍ନୀର ହସ ଓ ତା ହାତର ପଖାଳ କଂସାରେ
ଆତ୍ମତୃପ୍ତ ହୋଇ ପାଉଥିଲି ସ୍ଵର୍ଗ ।
ସେଇ ଚଉଡା ହିଡ଼ରେ ବସି
ସ୍ଵପ୍ନ ଦେଖୁଥିଲୁ ଦୁହେଁ
ମସିଆ ମାଟିରୁ ଧୂସର ଆକାଶ ଯାଏଁ..
କଂସାର କେଇ ମୁଠା ପଖାଳରୁ ସୁନେଲି ଆଞ୍ଜୁଳେ ଧାନ ଯାଏଁ… ।
ତା ସୀମନ୍ତର ନାଲି ଗାର ଓ ମଥାର ଲାଲ୍ ବିନ୍ଦି ଦେଖି ହସୁଥିଲା
ମୋ କ୍ଷେତର ସବୁଜତା ।
ତା’ ମୁଠାଏ ପାଣିଚୁଡିକୁ ଦେଖି ଖତେଇ ହଉଥିଲା
ମୋର ଶକ୍ତ କୋଡ଼ି ଆଉ ତିକ୍ଷ୍ଣ କୋଦାଳ…।
ହସି ହସି ନୟାନ୍ତ ହେଉଥିବା ମୋର କ୍ଷେତ
କେବେ ପୁଣି ସହିଲା
ବାତ୍ୟା ଦାନାର ତାଡନା
ସହୁଥିଲା ଯାବତୀୟ ପ୍ରହାର ପରେ ପ୍ରହାର,
ଝରୁଥିଲା ମୋ ଛାତିରୁ ରକ୍ତ
ବହୁଥିଲା ଲୁହ ଧାର ଧାର !
ହେଲେ, ଆଜି…!
ଆଜି ସେ କ୍ଷେତରେ
ଦାନା ଖୋଜୁଛନ୍ତି କେଇଟା ବଗ,
ନିଜ ପେଟ ପାଇଁ
କୋଉଠି ମାଛ ଅବା ପୋକ ସନ୍ଧାନରେ ଏବେ ସେମାନେ!
ମୋ କ୍ଷେତ କାନ୍ଦୁଛି ରହି ରହି
ଅଦିନିଆ ଘନ ବର୍ଷାରେ
ତା’ର ତନୁ ଥରି ଉଠୁଛି
ବଡ଼ ଛୋଟ କେତେ କେତେ ମେଘ ଟୋପାରେ !
ମୋ ହାତର ଦା’ଛୁଆଁ ପାଇବାକୁ
ସେ ଚାହିଁଚି କେବେଠୁ,
ନିଜ ସୁନେଲି ରୂପକୁ ଭାବି
ନିଜ ଉଜୁଡା ସୌନ୍ଦର୍ଯ୍ୟକୁ
ଅଜାଡି ଦେଇ ସିଗ୍ଧ ମାଟି କୋଳରେ.. ଗୋଟେ ସ୍ଵପ୍ନ ସନ୍ଧାନରେ ।