ସ୍ମରଣ ହୁଏ କେବେ କେଉଁ କାଳେ
ମୃତ୍ୟୁ ପରେ ଦୁଇ ଦଶନ୍ଧି ଧରି
ଖୋଜି ପାଉ ନଥାଏ ମୋ ପ୍ରକୃତ ଠିକଣା ।
ଲାଲବର୍ଣ୍ଣ ପ୍ରସ୍ତରଙ୍କ ସହରରେ
ମୁ ଖୋଜି ପାଇଲି ଜଣଙ୍କୁ ଦୂରଦିଗବଳୟରେ ।
ମୁ ଦେଖେ ଲାଲ ପଥର ତୁକୁଡ଼ା ହୋଇ ଖସିପଡେ
ବେଠି ଭୋଗିଥିବା ଦାରୁଣ କଷ୍ଟର ଶର୍ଯ୍ୟାରେ,
ଅବା ଗୁଳି ଖାଇଥିବା ଅଜଣା ବ୍ୟକ୍ତିଙ୍କ ଆଶାରେ ।
ଥାଏ ଆଖି ଆଗରେ ତମ ଶେଷ ଯୌବନର ଦୃଶ୍ୟ ତା’ସହ
ଓଠର ତରଳତା ଓ କପୋଳରେ ସ୍ୱେଦ ନଈର ଧାରେ ଧାରେ ନିଛାଟିଆ ହାତର ସ୍ପର୍ଶ ।
କେତେ ବର୍ଷର ବାଷ୍ପିତ ନୟନ କୂପର ଜଳ,
ଏହି ଏକାନ୍ତ ମଖମଲି ସନ୍ଧ୍ୟାରେ ଆଗମନ ।
ଡାଏରୀର ସମସ୍ତ ଚରିତ୍ର ମୋତେ ଭୁଲିଯିବେ,
ପ୍ରଦୀପ୍ତ ସକାଳର ଅଗ୍ନିସ୍ନାତ ସୂର୍ଯ୍ୟର ଲୋଳିତ ଚେହେରାରେ
ମୁ ଶୁଣେ ଆକାଶରୁ ଆସୁଥିବା ପକ୍ଷୀମାନଙ୍କ ବିକଟ ହାସ୍ୟରସ ବ୍ୟାପିଯାଏ ଚଉଦଭୁବନ ।
ଆକାଶରେ ଦେଖାଯାଏ ଗତକାଲିର ଜହ୍ନ ମରିନାହିଁ
କିନ୍ତୁ ହସୁଚି ବାଦଲ ଉପରେ ବସି,
ଭଅଁର ମାନେ ଘୁରି ବୁଲୁଥିଲେ
ଶୁଖି ଯାଇଥିବା ଗଛଙ୍କ ଚାରିପଟେ ।
ମରଣ କଣ ବାରମ୍ବାର ଆସେ ଗୋଟିଏ ଶରୀରରେ,
ସେ ଜୀବନକୁ ଫୋପାଡ଼ି ଦିଏ ଧରି ଆଣିଥିବା ହାତରେ ।
ଇତିହାସ ଯେ ପ୍ରମାଣହୀନ
ଯେହେତୁ ମୋ ଆଖିରେ ନାହିଁ ନିଦ ,
ଓ ଶବ୍ଦରେ ନାହିଁ ସତେଜ ।
ଏବେବି ମୁ ଖୋଜୁଅଛି ସଖୀର ନୟନ ଯୁଗଳ,
କେଉଁଠି ତାହା ମିଳିବ ।
ମୋ ଆଖି ଆଉ ବୋଲ ମାନେ ନାହିଁ,
ଅଙ୍ଗପ୍ରତ୍ୟଙ୍ଗ ଚଳନଶୂନ୍ୟ,
ମନ ଓ ବଚନ ଅକାରଣେ ହଜିଯାଏ
କେବେ ଭେଟି ପାରିନଥିବା
ତାରା ଫୁଟି ଖସିଥିବା ଚଉତରା ପାଖେ ।
ଅନ୍ୟ କେହି ଖୋଜିଦେଇ ପାରିବେ ନାହିଁ,
ସେତ ନିଜେ ନିଜକୁ ଅପେକ୍ଷା କରି ଭସାଇଛନ୍ତି
ନଦୀର ଅସ୍ୱଚ୍ଛ ଜଳମଧ୍ୟେ ଏବଂ
ଯାହା ଭାସି ଚାଲିଯାଉଥାଏ ବନ୍ଧନ ମୁକ୍ତ ସମୁଦ୍ର ଆଡେ ।
ଆକାଶର ଲକ୍ଷ ଲକ୍ଷ ତାରା ଗତିଶୀଳ କିନ୍ତୁ
ପୃଥିବୀ ପୃଷ୍ଠରେ ପଡିରହିଥିବା ଦୁଇଟି ପୃଥକ ତାରା ଆଜି ସ୍ଥିର ।
କେବେ ଡାକେ ସ୍ୱର୍ଗ କେବେ ଟାଣିଆଣେ ନର୍କ
କେବଳ ଖାଲି ପଡିରହେ ମର୍ତ୍ୟ ମଣ୍ଡଳେ ।
କ୍ଷୀଣ ହେଇ ଆସୁଥିବା କୋକିଳଙ୍କ କାକଳିରେ ମିଳେ ଅନୁକମ୍ପା
ଅବା କେବେକା ଇଚ୍ଛା ଦହନ କରେ ନଖ ସନ୍ଧିରେ ।
ମନେ ପକାଅ ବସ ଷ୍ଟପରୁ ଚାଲିଯିବା ପରେ
ବାକି ରହିଯାଇଥିବା ବାକ୍ୟ ଗୁଡାକ ପରିଷ୍କାର ଭାବେ ବାୟୁରେ ମିଳେଇ ଯାଏ ।
ମୁ ଜାଣେ କୌଣସି ମୁହୂର୍ତ୍ତରେ
ଜୀବନସାରା ତମ ସହ ସାକ୍ଷାତ ହୋଇ ନ ପାରେ,
ତୁମେ ଭାବ ଏହା ଏକ କେଉଁ ପ୍ରକାର ଦୁର।ରୋଗ
ମୃତ୍ୟୁ ପରେ ବି ନାମରୁ ଯାଏନାହିଁ ।
ତଥାପି ତମେ ଭାବ କିପରି କହି ପାରିବ କାହାକୁ
ଏ ରୋଗ ସମ୍ପର୍କରେ ।
ସାଧାରଣେ ଦେଖ ପକ୍ଷୀଟିଏ ଉଡ଼ିଗଲା ପରେ,
ବାୟୁର ଆଘାତରେ ପତ୍ର କେତୋଟି ଦୋହଲି ଯାଏ,
ତାହା ମଧ୍ୟରେ ଘନିଭୂତ ହୋଇଯାଏ ତମ ବୃଦ୍ଧା ଅବସ୍ଥା ।
ଏଥି ଯୋଗୁଁ ନାନା ଭାବନା ଓ ଲକ୍ଷଣ ଆତ୍ମସଂଯତ ରୁ ବାହାରି ଆସେ ।
ପରେ ବାସ୍ତବତା ବୋଧ କରି ସାରିଥିବ ପ୍ରାଣଧାରଣ ପ୍ରକୃତ ଅବସ୍ଥା ଯାହା ତମେ ଦେଖି ସାରିଛ
ଏହା ଉତ୍ତାରୁ ହାତେ ତୋଳି ଧରିଥିବା ଯେତକ ସୁଖ ସମୃଦ୍ଧି, ତମେ ନିଶ୍ଚିନ୍ତରେ ପ୍ରତ୍ୟର୍ପଣ କର ।
କଥା କହିଜାଣିଲେ ସରେ ନାହିଁ, ବାକ୍ୟ ଶିଶୁ ଆଖିପରି
ବଲବଲ କରି ଚାହିଁ ରହିଥାନ୍ତି ଅବା ଦୃଷ୍ଟିହୀନ ବ୍ୟକ୍ତିପରି ବର୍ଣ୍ଣର ଜଗତକୁ ଆବିଷ୍କାର କରୁଥାଏ ।
ବାକ୍ୟ ଦିନେ ଘୁରି ବୁଲୁଥିଲେ ତମ ଚାରିପାଖେ ସେଥିରୁ ଗଢି ହୋଇଥିଲା ଆମର କ୍ଷୁଦ୍ର ସମ୍ବନ୍ଧ ।
ଯେଉଁଦିନ ଦୂରେଇ ଗଲା ସମ୍ପର୍କ ଲହଡି,
ସେହି ଦିନଠୁଁ ତମ ହସ ଯେବେ ମନର କଥା କୁହେ
ସେଠି ଶବ୍ଦର ଆବଶ୍ୟକ ନଥାଏ କିନ୍ତୁ
ଯେଉଁଦିନ ଚନ୍ଦ୍ରକୁ ରାହୁ ଗିଳିଦିଏ ତାହା ସହ
ହସ ମୋର ଡରି ଲୁଚିଯାଏ ।
ବିଷାକ୍ତ ଅନ୍ଧାର ମଧ୍ୟରେ ଶେଷ ଘଟଣା
ଅନେକ ରୂପ ଧରି ଚାଲିଯାଏ ଶିଶୁର ଝଗଡା, ଯୌବନର ରୋମଞ୍ଚ ଓ ବାର୍ଦ୍ଧକ୍ୟ ଫଳାଫଳ ରୂପେ ।
ଅବା ଆଉ କେବେ ଟପଟାପ ଝାଳ ବୋହୁଥିବା ଶାର୍ଟ ପିନ୍ଧି ଫେରିଯାଏ ସର୍ବତ ପିଇବା ଆଶାରେ ।
ମୁ ଚାହିଁ ବସିଥାଏ କେବେ ଦେଖୁ ଦେଖୁ ତା କୁଣ୍ଠା ବୋଧର ପାତ୍ର ଵନିଯାଏ ।
ଦ୍ୱାର ସମ୍ମୁଖରେ ବସି ଈର୍ଷା କରେ
ଏଇ ଚୁଲବୁଲି ଦ୍ୟୋତକ ମାନଙ୍କୁ ଦେଖି
ସେ କଣ ଅନ୍ଧାରକୁ ଦୂରୀଭୂତ କରିପାରିବେ
ତାଙ୍କ କ୍ଷୀଣ ଆଲୋକରେ ଏକତ୍ରିତ ହୋଇ ବା
ଆକାଶର ବିକ୍ଷିପ୍ତ ତାରାମାନଙ୍କ ପ୍ରତିବିମ୍ବ ହେବେ
ଧରଣୀ ଗାଲିଚାର ତାରା ସାଜି ।
ସାହସ କରି ପଦେ କଥା କାହାକୁ କହିପାରେ ନାହିଁ
କିମ୍ବା ଘଡିଏ ରହିବା ପାଇଁ ଜହ୍ନକୁ
ଆଦେଶ ଦେଇପାରେ ନାହିଁ ।
ମୋତେ ଆଉ ଡର ଲାଗେ ନାହିଁ
ଆଲୋକ ଯିବା ପରେ ପୃଥିବୀରୁ,
ଶହେଥର ମୃତ୍ୟୁବରଣ କରେ ଓ ଶହେଥର ମୁ ଜୀବନ୍ତ ଜଗତକୁ ଲେଉଟିଆସି ପଦ୍ମ ପାଖୁଡା ତୁଲ୍ୟ ତମ ଅଧରକୁ ଚୁମ୍ବନ କରେ ।
କ୍ରୀଡା କରେ ଘରଚଟିଆଙ୍କ ସଙ୍ଗରେ ଏବଂ ଅଳି କରେ ଭଗବାନଙ୍କ ନିକଟରେ ମରଣ ପରେ କାଇଁ ପ୍ରତ୍ୟାବର୍ତ୍ତନ କରେ ବୋଲି ,
ମରଣ କେବଳ କଣ ହୃଦୟ ପାଇଁ ଉଦ୍ଦିଷ୍ଟ
ଯାହା ଅନ୍ତରିକ୍ଷ ଅନ୍ଧକାର ଠାରୁ ଆହୁରି ଅନ୍ଧକାର
କିଛି ପାଇବାର ବ୍ୟାକୁଳତାରେ ।
ଏବେ ଆବଶ୍ୟକ ଅଛି
ସାକ୍ଷୀ ଗୋଟେ ଖୋଜିବା ପାଇଁ
କାରଣ ଯାହା ମୁ ଦେଖିଛି
ତାହା ସତ୍ୟ ବୋଲି ପ୍ରମାଣ ଦେବ,
ଆଜି ଯଦି ଆକାଶରେ ପକ୍ଷୀ ଉଡେ
ତେବେ ବାଦଲ ରହିବ ସାକ୍ଷୀ ।
କିଏ ବୋଲେ ଦେଖିଛି ତମେ ହସୁଥିବା ବେଳେ,
ଫୁଲକୁ ସେ ହସର ଗଳ୍ପ କୁହ ଅବା ଜହ୍ନକୁ ଗୀତ ଭାବେ ଶୁଣାଅ ।
ରାତିର ତିମିରତାରେ ଆମଦୁହିଁଙ୍କର ଭଗବାନଙ୍କୁ ପ୍ରଶ୍ନ,
ସାମାନ୍ୟ ଦୟା ଓ କ୍ଷମା ଲୁହ ନଈରେ ବଶୀଭୂତ କରିବ କି ଦୁଃସମୟର ଶିଳା ଶରୀରକୁ ।