ଖଇଫୁଟା ତାତି ମଧ୍ୟାହ୍ନରେ ସମାହିତ ହେଲା ପରେ
ନିଶବ୍ଦରେ ଦୀର୍ଘଶ୍ଵାସ ମାରି
ମୁଁ ଗଡି ଯାଇଥିଲି ମୃତ ନଇ ଉପରେ
ଯେଉଁଠି ମିଛର ଚକା ଭଉଁରୀ ଭିତରେ
ଶୁଖିଲା ଗଳାରେ ମୃଗଟିଏ ଚିକ୍କାର କରେ ।
ଗ୍ରୀଷ୍ମରେ ତମେମାନେ ଠିକ୍ ଦେଖିଥିବ ଆଉ କୁହା କୁହି ହେଉଥିବ
ଇଏ କାହାରୀକୁ ବି ଛାଡିବନି
ଏପରିକି ସିମେଣ୍ଟ ଚଟାଣ, କଳା ମଚ୍ ମଚ୍ ପିଚୁ ରାସ୍ତା ଉପରେ
ପାଣିପରି ବୋହିଯିବ ଦିଗନ୍ତକୁ ।
ସତରେ ମୁଁ କଣ ବୋହୁଥୁଲି ??
ନାଁ ଦହନ ହେଉଥୁଲି ?
ବୋହିଥିଲେ କାହିଁ ନିରୀହ ପକ୍ଷୀଟିଏ ମୋ ଉପରେ ଝାସ ଦେଇ
ତୃଷ୍ଣା ତୃଷ୍ଣା କହି ମରିଥାନ୍ତା ।
ହଁ ଢେର ସମୟ ପରେ
ତମେମାନେ ଆଜି ବୁଝି ଯାଇଛ
ଜୀବନ, ମୃତ୍ୟୁ ଓ ତୃଷ୍ଣାର ଗୋଟେ ପ୍ରତିବିମ୍ବ କହି
ମୋର ବାସ୍ତବତାକୁ ଖୋଜି ବୁଲୁଛ ଏଠି ସେଠି ।
ସତ ଜୀବନକୁ ବାରମ୍ବାର ଚିପୁଡିଲା ପରେ
ମୁଁ ଛଳନାରେ ବଞ୍ଚେ
ହସେ, ହସାଏ
କୌଣସି ରାଗରୁ ତାଳ ନ ପାଇ ବି
ଛନ୍ଦ ତୋଳି ତାଳ ତରଙ୍ଗରେ ମିସିବାକୁ ପଡେ ।
ତମେମାନେ ମୋର ସେଇ ପ୍ରତିବିମ୍ବକୁ ଚିତ୍ରିତ କଲ
ଲୁହ ଗୋଡାଉନଥିବା ଅଥଚ ଆଖିରେ ମୁକ୍ତି ଚାହୁଁଥିବା
ଗୋଟେ ଦେବଦାସୀର ରୂପ ଦେଇ ।
ବେସ୍ ବାହାବା ନେଲ
କିନ୍ତୁ ପାଉଣା ବଦଳେ
ଭରି ଦେଲ
ମୋ ଆଞ୍ଜୁଳାରେ ଆଞ୍ଜୁଳାଏ ତୃଷ୍ଣା ।
ଏବେ ଭାରକ୍ରାନ୍ତ ଅପରାହ୍ମ ନଇଁଗଲା ପରେ
ପୃଥ୍ଵବୀରୁ ଅନେକ ଆଖି ମତେ ନିଖୋଜ କହୁଛନ୍ତି ।