କବିତା

ଯାଯାବର କୁଡିଆରେ ଶୀତ

Dr Anukampa Naik's odia poem Jajabara Kudiaare Shita

ଜୀବନ ଜୀବିକକୁ ପିଠିରେ ବୋହି
ମରଣ କୂଅରେ ଝୁଲି ଝୁଲି ସର୍କସ ଦେଖେଉଥିବା ମଣିଷଟି ବୁଝି ସାରିଥାଏ
ଏ ଖବରଟା କେତେ ହେମାଳ
କୁଡିଆରେ ପହଞ୍ଚିସାରିଥିବ ।

ଲହଡି ଭାଙ୍ଗିବାର କୂଳ ନ ଥିଲା
ଯୁଆଡେ ସେ ଦଉଡୁଥିଲା
ସେଠି ମଣିଷ ଗୁଡାକ ରେଶମ ଚାଦରରେ ଲୁଚି ଲୁଚି
ଲଢ଼ିବାକୁ ମାଡିଆସି
ଆମେ ଏକା ପରି କହୁଥିବା ବେଳେ
ଆଉ କେତେ ଦର୍ଜ୍ଜା ଆଗରେ ଆତସବାଜି ,ବାଜା , ରୋଷଣୀ , ନାଚରେ
ସ୍ଵାଗତ କରୁଥିଲେ ମସିଆ ନାଁ ନେଇ ଆସୁଥିବା ଋତୁ ଗୁଡିକୁ
ଆଉ ଭାବୁଥିଲେ
ଏ ବର୍ଷ ଫିକା ନ ପଡୁ ମେଘ, କାଶତଣ୍ଡି, ଶରତ ସନ୍ଧ୍ୟାର ଜ୍ୟୋତ୍ସ୍ନା, ଶୀତର ପାଉଣା
ଆଉ ଖରାରେ ନଈ ଯେମିତି ଅଟକି ନ ଯାଉ ଅଧ ବାଟରେ ।

କୂଳ ଖାଇ କାହାକୁ ଠେଲି କାହାର କୁଡିଆକୁ ଧସେଇ ପସିବାର ଇଚ୍ଛା ଥିଲା କି ନାହିଁ
କେଜାଣେ ?
ସେ କାଲି ସନ୍ଧ୍ୟାରୁ ରୂପ ବଦଳାଇ
ଠିକଣା ନ ଥିବା ପଲିଥିନ କୁଡିଆରେ
ଓଜନ ହେଇ ପଡିଛି ।

କୋଉ ଖବର ନେଇ ଆସିଥିଲା ଯେ
ବୋହି ଯାଇଥିଲା ପାଣି , ପବନରେ
କେହି କିଛି ଶୁଣିବା ଆଗରୁ
ପେଡି ଭରା ତମ୍ଫ ହେଇ ଛାଡିଲା ଶୀତଳ ଜହର
ସବୁ ସୁନ୍ଦରକକୁ ଧୂସର କରି
ଜୀବନ ବେଲାରେ ଭରିଦେଲା ଧୂମାବତୀର କୋହ ।

ନୂଆ ନଥିପତ୍ର ଭିତରେ ଖୋଳପା ଛାଡି
ବାରୁଦର ଗନ୍ଧ ଭିତରେ ସରି ସରି ଆସୁଥାଏ ମସିହାର ଆଯୂଷ
ସେ ଆଉ କେହି ନୁହେଁ ଶେଷ ସମୟ ର ଡାକ, ଫିକା କରିଦେଲା ରଙ୍ଗ
ଗଛରୁ ଝଡେଇ ଦେଇ ସବୁ ପତ୍ର ।

ଜୀବନ ଜୀବିକକୁ ପିଠିରେ ବୋହି
ମରଣ କୂଅରେ ଝୁଲି ଝୁଲି ସର୍କସ ଦେଖେଉଥିବା ମଣିଷଟି ବୁଝି ସାରିଥାଏ
ଏ ଖବରଟା କେତେ ହେମାଳ
କୁଡିଆରେ ପହଞ୍ଚିସାରିଥିବ ।

ତା ଆଖିର ଥକା, ଦେହର ଦରଜ
ସତେଜ ହେଇ ହେଇ ଯାଉଥାଏ
ଆଉ ସେ ମାଗୁଥାଏ ନିବିଡ ଆଲିଙ୍ଗନ
ତା ଝୁଲା ଭରିଦେବାକୁ
ଭୁଲି ଯିବାକୁ ମେଘରେ ଭାସିଯାଇଥିବା ନୀଡକୁ
ଖରାରେ ଶୁଭୁଥିବା ଭୋକର ବିକଳ ଆବାଜକୁ।

କିନ୍ତୁ ମଣିଷଟି ଅଟକି ରହିଥିବା ଆଲୁଅକୁ ଡାକୁଥାଏ
ତା କୁଡିଆ ଭିତରେ ଶୋଇରହିଥିବା ମଣିଷ ମାନଙ୍କର ସପନରେ
ବିଛେଇ ଦେବାକୁ
ଫୁଲ ,ଫଗୁଣ , ଆମ୍ବ ବଉଳର ବାସ୍ନାରେ କୋଇଲି ଗାଉଥିବା ସକାଳ।

ସେ ରାଗି ଯାଇ ପାସୋରିଯାଇଥିବା ଅତୀତରୁ ଆପଣାର ଖୋଜି
ଭୁତ ହେଇ ଝୁଲିବାକୁ ଲାଗିଲା
ତା କୁଡିଆ ଉପରେ ଲମ୍ବିଥିବା ବରଗଛ ଓହଳରେ।

ଧୁଳି ଝାଡି, ନୀରବରେ ତା ଓଠରେ ଗଭୀର ଦାଗ ଦେଇ
ଡେଇଁ ପଡିଲା ସୋରିଷ କ୍ଷେତକୁ
ସେଠି ଚୂନା ଚୂନା ହସ ବୁଣିଲା ବେଳକୁ
ତା ପଲିଥିନ କୁଡିଆ ଉପରେ ପଡିଥିବା କାକର ଟୋପା
ଶିହରୀ ଉଠିଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top