ଅଣୁଗଳ୍ପ

ଅନ୍ଧଲଉଡ଼ି

Debadatta Mishra's odia short story Andhalaudi

ଭଜନ ଗାଇ ଗାଇ ଆଗକୁ ବଢ଼େ । ଅନ୍ଧଯୁବକ ଦେଖି ଦୟାକରି ଟଙ୍କାଏ ଦୁଇଟଙ୍କା ତା ହାତକୁ ବଢ଼େଇ ଦିଅନ୍ତି ଲୋକେ ।

ଅନ୍ଧଲଉଡ଼ି

ଅପେକ୍ଷାକୃତ ଛୋଟ ସହରଟିରେ ରାତି ପ୍ରାୟ ୮ଟା ୩୦ବେଳକୁ ଢଂ ଢଂ ବାଜି ଉଠେ ମନ୍ଦିରର ଘଣ୍ଟା । ଆଳତୀ ଓ ଭୋଗ ଲାଗି ପରେ ଦିଅଁଙ୍କ ପହଡ଼ ପଡ଼ିବାର ସମୟ ସେଇଟା । କପିଳା ଜାଣିପାରେ ଘରକୁ ଫେରିବାର ସମୟ ହେଲା । ଥିରି ଥିରି କରି ଘିଅ ଡବା, ସଳିତା ଓ ମାଟିଦୀପ ବ୍ୟାଗରେ ସଜେଇ ରଖେ । ବ୍ୟାଗ୍‌ଟିକୁ ଗୋଟିଏ କଡ଼ରେ ରଖି ଯଦି କିଛି ଫୁଲମାଳ ବଳି ପଡ଼ିଥାଏ ହାତରେ ଧରେ । ମନ୍ଦିରର ମୁଖ୍ୟ ଫାଟକ ଯାଏଁ ବାଟ ଅଣ୍ଡାଳି ଯାଇ ଫାଟକରେ ଦିଅଁଙ୍କ ଉଦ୍ଦେଶ୍ୟରେ ଟଙ୍ଗେଇଦିଏ ମାଳ କେତୋଟି । ଯଦିଓ ସେତେବେଳକୁ ମାଳ ଲୋଡ଼ନ୍ତିନି ଠାକୁର । ତଥାପି ଆଜିର ଫୁଲମାଳ ତ କାଲିକି ରହିଲେ ବାସି । ତାକୁ ଆଉ କ’ଣ ବା କରନ୍ତା । ସେଥିପାଇଁ ଅବେଳରେ ହେଉ ପଛେ ସମର୍ପି ଦିଏ ଠାକୁରଙ୍କୁ । ଫାଟକରେ ମୁଣ୍ଡ ଲଗେଇ ମୁଣ୍ଡିଆ ମାରେ । ନିଜ ପୁଅର ଶୁଭ ମନାସେ । ପୁଣି ଥରେ ଫେରେ ନିଜେ ବସିଥିବା ଜାଗାକୁ । ବସୁଥିବା ଅଖା ଖଣ୍ଡିକୁ ଚଉଭାଙ୍ଗ କରି କାଖରେ ଜାକେ । ବାସ୍ ଘରକୁ ଚାଲେ । ପରଦିନ ସକାଳ ହେଲେ ଘିଅ ଦୀପ ବିକ୍ରୟ ସାମଗ୍ରୀ ଓ ତରାଟ, ଚମ୍ପା, କନିଅର ଗୁନ୍ଥା ସଜ ଫୁଲମାଳ ଧରି ପୁଣି ପହଞ୍ଚିଯାଏ ମନ୍ଦିର ପାଖରେ । ସାଢ଼େ ଏଗାର ବାର ଯାଏଁ ଭକ୍ତମାନଙ୍କର ଭିଡ଼ କମିବା ଯାଏଁ କିଛି ଦୀପ ଓ ଫୁଲମାଳ ବିକ୍ରି ହୋଇଯାଏ । ତା ପରେ ଘରକୁ ଫେରେ । ଏଇଟା ବିଗତ ୩ବର୍ଷ ଧରି କପିଳାର ନିତିଦିନିଆ କାମ

ଜନ୍ମରୁ ଅନ୍ଧ କପିଳା ୨୫ବର୍ଷ ବୟସ ହେଲାବେଳକୁ ପେଟ ପୋଷିବା ପାଇଁ ବାପା ମାଆ ଓ ଗାଁ ଛାଡ଼ି ଛୁଟି ଆସିଥିଲା ଏଇ ସହରକୁ । ସେ ଘଟଣା ଆଜିକୁ ୬ବର୍ଷ ତଳର । ସହରର ବସ୍ତି ଅଞ୍ଚଳରେ କେଇଜଣ ଦିନ ମଜୁରିଆଙ୍କ ସହିତ ନିଜ ରହିବା ପାଇଁ ଜାଗା ଖଣ୍ଡିଏ ଖୋଜିନେଲା । ସକାଳ ହଉ ହଉ ବାଁ ହାତରେ ଠେଙ୍ଗା ଖଣ୍ଡିଏ ଠକ୍ ଠକ୍ କରି ଡାହାଣ ହାତ ବଢ଼େଇ ବୁଲିଆସେ ସହରଟା ଯାକ । ଭଜନ ଗାଇ ଗାଇ ଆଗକୁ ବଢ଼େ । ଅନ୍ଧଯୁବକ ଦେଖି ଦୟାକରି ଟଙ୍କାଏ ଦୁଇଟଙ୍କା ତା ହାତକୁ ବଢ଼େଇ ଦିଅନ୍ତି ଲୋକେ । ବଜାରର ଝୁମ୍ପୁଡ଼ି ହୋଟେଲରେ ଦିନକୁ ଦୁଇବେଳା ହୋଇଗଲେ ଜୀବନଟା ପୁରିଲା ପୁରିଲା ଲାଗେ ତାକୁ । ଏଇମିତି କରି ସହରରେ ତିନି ବର୍ଷର ଜୀବନ ବିତିଲା ପରେ ଘରେ ତା’ର ବାପମାଆ ବହୁତ ଦେଖାଦେଖି ପରେ ପାଖ ଅଞ୍ଚଳର ଅନ୍ଧୁଣୀ ଝିଅଟିଏ ଦେଖି ବିଭା କରେଇଦେଲେ । ବାହାଘରର କେଇଦିନ ପରେ ସ୍ତ୍ରୀ’କୁ ଧରି ପୁଣିଥରେ ସହରକୁ ଫେରିଆସିଲା କପିଳା । ଏଥର କିନ୍ତୁ ସହରରେ ବଦଳି ଯାଇଥିଲା ତା’ର ଠିକଣା । ପୂର୍ବରୁ ରହୁଥିବା ବସ୍ତିର ସେ ଜାଗାଠାରୁ ଟିକିଏ ଦୂରରେ ଖଣ୍ଡେ ବଖୁରିଆ ଆଜବେଷ୍ଟସ୍ ଘର ଭଡ଼ା ନେଲା । ସେ ଭଡ଼ା ନେଇଥିବା ଘର ପାଖରେ ବଡ଼ ବଡ଼ କୋଠା କାମ ସବୁବେଳେ ଚାଲିଥାଏ । ଦିନସାରା ଗାଡ଼ିଗୁଡ଼ାଙ୍କର ଘଁ ଘାଁ ଶବ୍ଦ ସାଙ୍ଗକୁ ଶ୍ରମିକମାନଙ୍କର କୋଳାହଳ ।

ବାହାହୋଇ ଆସିବା ପରେ ନିଜର ଠିକଣା ସହିତ ବଦଳିଗଲା କପିଳାର ଜୀବନଶୈଳୀ ଓ ରୋଜଗାରର ପନ୍ଥା । ଆଗଭଳି ଆଉ ସେ ହୋଟେଲରେ ଖାଏ ନାହିଁ । ଭିକ ମାଗିବା ବଦଳରେ ମନ୍ଦିର ସାମ୍ନାରେ ଘିଅ ଦୀପ ବିକେ । ସକାଳୁ ବଜାରରୁ କିଛି ଚୁନାଫୁଲ କିଣି ସ୍ତ୍ରୀ ତାର ମାଳ କରିଦିଏ । ଦୀପ ସହିତ ମାଳ ବି ବିକେ କପିଳା । ବେଶ୍ ଦି ପଇସା ଭଲ ରୋଜଗାର ହୋଇଯାଏ । ସୁରୁଖୁରୁରେ ଚାଲୁଥାଏ ଉଭୟଙ୍କ ସଂସାର ।

ବାହାଘରର ଦେଢ଼ବର୍ଷ ପରେ କପିଳାର ହେଲା ପୁଅଟିଏ । ସ୍ୱାମୀ ସ୍ତ୍ରୀ ଦିହିଁଙ୍କର ଖୁସି କହିଲେ ନ ସରେ । ଭଗବାନ ସିନା ନିଜ ପୁଅକୁ ଦେଖିବାକୁ ସେ ଦୁଇଜଣଙ୍କୁ ଆଖି ଦେଇ ନ ଥିଲେ । କିନ୍ତୁ ପୁଅ ପ୍ରତି ଥିଲେ ଦୟାବାନ । ଅନ୍ଧ ଅନ୍ଧୁଣୀଙ୍କର ପୁଅ ଯେ ଦୁନିଆ ଦେଖିପାରିବ ଏହା ହିଁ କପିଳା ପାଇଁ ସବୁଠାରୁ ବଡ଼ ଖୁସି ଓ ଆଶ୍ୱାସନାର ବିଷୟ । ପରଦିନ ସକାଳୁ ଯେବେ ମନ୍ଦିରକୁ ଦୀପ ବିକିବାକୁ ଗଲା ପ୍ରଥମେ ଗୋଟିଏ ଦୀପ ଜାଳି ଭଗବାନଙ୍କୁ ଧନ୍ୟବାଦ ଦେଲା ।

ସତେ ଯେମିତି ଦୁହିଁଙ୍କର ଅନ୍ଧକାରମୟ ଜୀବନ ପରିଧିକୁ ଆଲୋକ ବର୍ତ୍ତିକା ହୋଇ ଆସିଥିଲା ପୁଅଟି । ଏଣିକି ଦିନରାତି କପିଳା ତା’ ପୁଅକୁ ନେଇ ସ୍ୱପ୍ନ ଦେଖେ । ପୁଅ ବଡ଼ ହେଲେ ତା’ର ଅନ୍ଧ ଲଉଡ଼ି ହେବ । ତା’ ଆଖିରେ ଦୁନିଆ ଦେଖିବେ ସେ ଓ ତା’ ସ୍ତ୍ରୀ ।

ଚାହୁଁ ଚାହୁଁ ପୁଅ ଦେଢ଼ ବର୍ଷର ହେଲାଣି । ହସଖୁସିରେ ଚାଲିଥାଏ କପିଳାର ସଂସାର । ମନ୍ଦିର ପାଖରୁ ବିକ୍ରିସାରି ଘରକୁ ଫେରିଲେ କପିଳା ଖୋଜିବସେ ପୁଅକୁ । ପୁଅ କ’ଣ କରୁଛି, ଖାଇଛି କି ନାହିଁ । ପୁଅ ବି ଆ…ପା , ଆ… ପା କହି ଖନେଇଲାଣି । ଆପା ଆପା କହି ଧାଇଁ ଆସେ ବାପା ପାଖକୁ । କପିଳା ତାକୁ କୋଳେଇନେଇ ଗାଲରେ ଗାଲ ଘଷିଦିଏ । କୁଣ୍ଢେଇ ଧରେ । ଖାଇବା ଥାଳି ପାଖରେ କପିଳା ବସିଥିଲେ ଠୁକୁ ଠୁକୁ କରି ପୁଅ ଚାଲିଆସି ପାଖରେ ବସିଯାଏ । କପିଳା ଆଁ ଆଁ କହି ମୁଣ୍ଡ ଟେକି ପାଟି ମେଲିଦିଏ । କୁନି କୁନି ହାତରେ ଖାଇବା ଉଠେଇ ତା ପାଟିକୁ ଦେଲାବେଳେ ଗାଲରେ ଓଠରେ ଆଙ୍ଗୁଳି ସ୍ପର୍ଶ ପାଇ ଆମୋଦିତ ହୁଏ । ଦିନସାରା ମା’ ପାଖରେ ଗେଲ ହୋଇ ବାପା ଥିବା ସମୟରେ ବାପା ପାଖରେ ଖୁବ୍ ଗେଲବସର ହୁଏ । କପିଳା ଏବେ କେବଳ ଗୋଟିଏ କଥା ଚିନ୍ତା କରେ ପୁଅ କେମିତି ଭଲରେ ରହିବ । ଆଉ କେଇଟା ବର୍ଷ ପରେ ବଡ଼ ହୋଇଗଲେ ତା’ ହାତଧରି ମନ୍ଦିର ନେଇକି ଯିବ । ତା’କୁ କାମରେ ସାହାଯ୍ୟ କରିବ । ପୁଣି ଭାବେ, ନା ନା । ନିଜେ ମୂର୍ଖ ହେଲା ହେଲା , ତା’ ପୁଅକୁ ସେ ପାଠ ପଢ଼େଇ ମଣିଷ କରିବ । ଏଇମିତି ପୁଅ କଥା ଭାବି ତା ସ୍ୱପ୍ନ ଦେଖି ଦେଖି ଦିନ ଯାଏ । ଆଖି ନ ଥାଇ ବି ଯେମିତି ପୁଅ ପାଲଟିଯାଇଥିଲା ଦିହିଁଙ୍କର ନୟନପିତୁଳା ।

ସବୁଦିନ ସକାଳେ ମନ୍ଦିର ପାଖକୁ ଯିବା ପୂର୍ବରୁ ସ୍ତ୍ରୀ’କୁ ତାଗିଦ୍ କରିଯାଏ କପିଳା । ପୁଅକୁ ଠିକ୍ ସମୟରେ ଖାଇବାକୁ ଦେବୁ । ଆଉ ଶୁଣ୍ , ପୁଅ ଏଣିକି ଚଲାବୁଲା କଲାଣି କେତେବେଳେ ଘର ବାହାରକୁ ପଳେଇବ । ଜମାରୁ ବି ଛାଡ଼ିବୁନି । ପାଖରେ ବିଲ୍ଡିଙ୍ଗ୍ କାମ ସବୁ ହଉଛି । ଗାଡ଼ିଘୋଡ଼ା ଯିବା ଆସିବା କରୁଛି । ହୁସିଆର ହେଇ ରହୁଥିବ ଦୁହେଁ । ଏମିତି ପ୍ରାୟ ସତର୍କ କରେଇ କାମକୁ ବାହାରିଯାଏ ସେ । ଗଲା ପୂର୍ବରୁ ପୁଅକୁ ଟିକିଏ ଗେଲ କରିଦିଏ ।

-ତୋ ପାଇଁ କ’ଣ ଆଣିବି ବାପା ?

ଚୁଚୁ….ଚୁଚୁ ? ପୁଅକୁ ପଚାରେ ।

ଅଁ ବୋଲି କହି ମୁଣ୍ଡ ଟୁଙ୍ଗାରିଦିଏ ପୁଅ ।

ଏମିତି ବେଶ୍ ହସଖୁସିରେ ଚାଲିଥାଏ କପିଳାର ଛୋଟିଆ ସଂସାର । ନିହାତି ଭଲ ଚଳିବା ନ ହେଲେ ମଧ୍ୟ ଅଭାବ ସେମିତି ବି କିଛି ନ ଥାଏ । ସବୁଠାରୁ ବଡ଼ ଆତ୍ମ ସନ୍ତୁଷ୍ଟି ହେଉଛି ତା’ର ପୁଅ । ତା’ର ନୟନପିତୁଳା ଓ ତା’ର ଅନ୍ଧଲଉଡ଼ି । ସେଥିପାଇଁ ସବୁଦିନ ରାତିରେ ଫେରିଲାବେଳେ ମନ୍ଦିର ଫାଟକ ପାଖରେ ଠାକୁରଙ୍କୁ ଡାକି ପୁଅର ମଙ୍ଗଳ କାମନା କରି ଘରକୁ ଫେରେ । ଥରେ ଘରକୁ ଫେରିଲା ପରେ ପାଖରେ ପୁଅକୁ ପାଇ କୋଟିନିଧି ପାଇଲା ପରି ମନେକରେ ।

ଦିନେ ସକାଳେ ସାଢ଼େ ଦଶ ଏଗାର ହେବ । କପିଳାର ଘରପାଖର କେହି ଜଣେ ଦୌଡ଼ି ଦୌଡ଼ି ଧଇଁସଇଁ ହୋଇ ପହଞ୍ଚିଲା ମନ୍ଦିର ପାଖରେ ।

-କପିଳାଇ, କପିଳାଇ କୁଆଡ଼େ ଗଲା ?

ଖୋଜିକି ପାଇଲା କପିଳାକୁ ।

ତୋ ପୁଅ କାମ ହଉଥିବା ଗୋଟିଏ ଅଧାକାନ୍ଥିରୁ ତଳକୁ ଖସିପଡ଼ିଛିରେ । ମୁଣ୍ଡଟା ମାଡ଼ ହୋଇଛି ।

ଆଁ….ଆଁ । କ’ଣ କହିଲୁ !

ଯେମିତି ପାଟି ପଡ଼ିଗଲା କପିଳାର ।

କ’ଣ କେମିତି ବୋଲି ପଚାରିବାକୁ ଆଉ ବେଳ ନ ଥିଲା । ଜଲଦି ଆସି ସେ ଲୋକ ସହିତ ପହଞ୍ଚିଲା ଘରେ । ସେତେବେଳକୁ ପାଖାପାଖି କିଛି ଲୋକଙ୍କ ସାହାଯ୍ୟରେ କପିଳାର ସ୍ତ୍ରୀ ତା’ ପୁଅକୁ ନେଇ ସରକାରୀ ଡାକ୍ତରଖାନା ଯାଇସାରିଥିଲେ । କିଛି ସମୟ ଭିତରେ କପିଳା ପହଞ୍ଚିଲା ସେଠି । ଡାକ୍ତର କହିଲେ ବେଶି କିଛି ହୋଇନାହିଁ । ମୁଣ୍ଡଟା ମାଡ଼ଯୋଗୁଁ ଆଖିକୁ ସାମାନ୍ୟ ଆଘାତ ଲାଗିଛି । ସପ୍ତାହ ପାଇଁ ଆଖିରେ ପକେଇବାକୁ ଡ୍ରପ୍ ଦେଲେ । ସପ୍ତାହ ପରେ ଦେଖା କରିବାକୁ କହିଲେ । ସେତେବେଳକୁ କାନ୍ଦି କାନ୍ଦି ମୁହଁଟା ଝାଉଁଳି ପଡ଼ିଥିଲା ତା’ ପୁଅର । ଆଖି ଦିଓଟି ଲାଲ୍ ଲାଲ୍ ହୋଇଯାଇଥିଲା । ତୁ ଘରେ ଥାଉ ଥାଉ ପୁଅ କେମିତି ବାହାରକୁ ଗଲା କହି ସ୍ତ୍ରୀ’କୁ ବହେ ଗାଳି ଦେଲା ।

ଠିକ୍ ସପ୍ତାହେ ପରେ ପୁଅକୁ ଧରି ପୁଣି ଡାକ୍ତରଖାନାରେ ପହଞ୍ଚିଲା ସେ । ଡାକ୍ତର ପରୀକ୍ଷା କରି ଯାହା କହିଲେ ଆକାଶରୁ ଖସି ପଡ଼ିଲା ପରି ଲାଗିଲା କପିଳାକୁ ।

-ପୁଅର ବାମ ପଟ ଆଖିରେ ଟ୍ୟୁମର ହୋଇଛି । ବାମପଟ ଡୋଳା ଅପରେସନ କରି କାଢ଼ିବାକୁ ପଡ଼ିବ । ନଚେତ୍ ଆଗକୁ ତାହା ବେଶି କ୍ଷତି କରିବ । ବାଁ ପଟ ଆଖିରେ ଅପରେସନ ହେଲେ ସେଇ ପ୍ରଭାବ ଡାହାଣ ପଟ ଆଖିକୁ ପଡ଼ିପାରେ । ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରେଇ ପାରେ ପୁଅ । ମେଜର ଅପରେସନ ଦ୍ୱାରା କିଛି କରାଯାଇପାରେ । ବହୁତ ଗୁଡ଼ିଏ ଟଙ୍କା ଖର୍ଚ୍ଚ ହେବ । ଆଉ ଶୁଣିବାକୁ ଧୈର୍ଯ୍ୟ ନ ଥିଲା ତା’ର । ହଠାତ ଭୋ ଭୋ କରି କାନ୍ଦି ଡ଼ଡାକ୍ତରବାବୁଙ୍କ ଗୋଡ଼ ଧରି ପଡ଼ିଗଲା । ଯେମିତି ହେଲେ ବି ମୋ ପୁଅକୁ ଭଲ କରିଦିଅନ୍ତୁ । ଯେତେ ଟଙ୍କା ଲାଗିବ ଯୋଗାଡ଼ କରିବି ।

କିଛି ଦିନ ଭିତରେ ହିଁ ଯାହା କିଛି ପଇସା ରଖିଥିଲା ଆଉ କିଛି ଚିହ୍ନା ପରିଚିତଙ୍କୁ ମାଗି କରି କଷ୍ଟେମଷ୍ଟେ ବାଁ ଡୋଳାର ଅପରେସନ କାମ ସାରିଦେଲା । କିନ୍ତୁ ମେଜର ଅପରେସନ ପାଇଁ ଟଙ୍କା ଯୋଗାଡ଼ କରିପାରିଲାନି ସେ । ବହୁ ଚେଷ୍ଟା କରି ଧାଁ ଧଉଡ଼ କରି ବିଫଳ ହେବାରୁ ଆଶା ଛାଡ଼ିଦେଲା ।

ଏଣିକି ତାଙ୍କ ଦୁହିଁଙ୍କ ପରି ପୁଅ ବି ଆଉ ଦୁନିଆ ଦେଖିପାରିଲାନି । କେଇଦିନ ତଳର ହସଖୁସିର ଜୀବନଟା ଯେମିତି ଟାଣି ହୋଇଗଲା ଏକ ଦୁଃଖର କାଳିମାମୟ ଅନ୍ଧାର ଭିତରକୁ । ନିଜ ପୁଅ ପାଇଁ ଯେଉଁ ଟିକିଏ ହସଧାର ମୁହଁରେ ଥିଲା ସବୁଦିନ ପାଇଁ ହଜିଗଲା ସେତକ ।

ଏବେ ବି ପ୍ରତିଦିନ ମନ୍ଦିର ଯାଏ କପିଳା କିନ୍ତୁ ଆଉ ଠାକୁରଙ୍କୁ ଦଣ୍ଡବତ କରିବାକୁ ଯାଏନି । ଏକ ଶୁନଶାନ୍ ଉଦାସପଣ ତାକୁ ଆବୋରି ନେଇଥିଲା । ଭଗବାନଙ୍କ ପାଇଁ ହୃଦୟରେ ଭରିଗଲା କ୍ରୋଧମିଶା ଅବ୍ୟକ୍ତ ଅଭିମାନ । ମନ୍ଦିର ପାଖରୁ ଘରକୁ ଫେରିଲେ ବି ଘରଟା ସାରା ସେଇ ଉଦାସପଣ ଯେମିତି ଏକ ମୃତ୍ୟୁ ସିକ୍ତ ନିରବତା । ପୁଅର କୋଳାହଳ ଆଉ ନ ଥିଲା । ବେଳେବେଳେ ମନ୍ଦିର ସାମ୍ନାରେ ବସି ଦୀପ ଓ ଫୁଲମାଳ ବିକୁଥିବା ବେଳେ ସେ ମନେ ମନେ ଠାକୁରଙ୍କୁ ପଚାରେ , ଆମକୁ ତ ଜନ୍ମରୁ ଅନ୍ଧ କରିଥିଲ ପ୍ରଭୁ । ହେଲେ ଯୋଉ ସନ୍ତାନକୁ ଆମର ଲଉଡ଼ି ସଜାଇ ଏଇ ସଂସାରକୁ ପଠାଇଲ, ତାକୁ ବି ଆମ ପରି ଅନ୍ଧ କରିଦେଲ । ଅନ୍ଧର ଲଉଡ଼ି ସାଜିଥିବା ଆଶା ଟିକକକୁ ଚିର ଅନ୍ଧକାରକୁ ଠେଲିଦେଲ କାହିଁକି ପ୍ରଭୁ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top