ପାଞ୍ଚ ହଜାରକୁ ସମାନ ପାଞ୍ଚ ଭାଗରେ ବାଣ୍ଟିଦେଲେ, ଜଣେକ ପଡିଲା ଏକ ହଜାର । ଗୌରହରିର ଝିଅକୁ ପଚିଶ ସରି ଛବିଶ ଚାଲିଲାଣି ବାହା ହୋଇ ପାରୁନି । ଏ ବର୍ଷ ତାର ଧାନ ବି ଭଲ ହୋଇନି । ସହଜେ କିଡ଼ନୀ ଖରାପ ହୋଇ ଆସିଲାଣି ବୋଲି ଡାକ୍ତର କହୁଥିଲେ । ଭଲ ଭଜନ ଗାଏ । ତା’ର ଗୀତ ଶୁଣିଲେ ଭକ୍ତ ଭଗବାନ ଏକାକାର । ପାଲା ମଞ୍ଚ ମନ୍ଦିର ପରି ଲାଗେ । ସେ ନିଏ ଦୁଇ ହଜାର । ଯେ ଗିନି ବଜାଇ ଭଲ ପାଳି ଧରେ ସେ ବ୍ରଜ ଭାଇ । ମୁଁ ଗାଉଥିବା ସଂସ୍କୃତ ଶ୍ଳୋକ ଗୁଡିକ ସେ ମୁଖସ୍ତ କରି ରଖିଛି । ତା’ ସହଯୋଗରେ ମୋର ବାରଣା ପରିଶ୍ରମ ଚାରଣା ହୋଇଯାଏ । ସେ ନେଉ ଆଉ ହଜାରେ । ହରି ଏବେ ନୂଆ ଆସିଛି ଥଟ୍ଟା କରିବାରେ କିଏ ତାକୁ ସରି । ତାର ତାମସା ଦେଖିଲେ କିଏ କହିବ ଭଲା ଘରେ ସେ ଜରରେ ସଢ଼ୁଥିବା ରୋଗୀଣା ମା’ ଟାକୁ ଘରେ ଛାଡି ଆସିଛି ବୋଲି । ସେ ନେଉ ହଜାରେ । ଯାହାର କେଶ କୃଷ୍ଣଙ୍କ ପରି, ପାନ ଜାକି ଓଠ ଦାନ୍ତ ସବୁ ନାଲି ସେ ଅନନ୍ଦାଖୋଳ ବଜାଏ । ଅନନ୍ତ ନେଉ ଆଉ ହଜାରେ । ସରିଲା ପାଞ୍ଚ ହଜାରେ । ଯଜମାନ ଯଦି ଆଉ ହଜାରେ ଦେଇଥାନ୍ତେ କିଛି ଅସୁବିଧା ନଥିଲା, ହେଲେ ମାନିଲେ ହେଲା, ମନେଇବାକୁ ନା ମୋ ଠାରେ ଅଛି ଗୁଣ ନା ମୁଁ ଜାଣେ ସ୍ଵାଭିମାନ ହରେଇବାର କୌଶଳ, ଖାଲି କଳାଟା ବଞ୍ଚିଥାଉ ।
ଭଞ୍ଜ ବଳଦେବ ଚାଲିଗଲେ । ସେମାନେ ବଞ୍ଚିଛନ୍ତି । ହରିନାଥ, ପରମାନନ୍ଦ ଚାଲିଗଲେଣି ସେମାନେ ବଞ୍ଚିଛନ୍ତି । ମୋର ଗୁରୁ ଚାଲିଗଲେ । ସେ ବି ବଞ୍ଚିଛନ୍ତି । କେତେ କିଏ ଗଲେଣି ମୁଁ ବଞ୍ଚିଛି । ଅବଶ୍ୟ ମୋର ବଞ୍ଚିବା ଓ ମରିବା ଅତି ସାଧାରଣ ଏଇ ପୃଥିବୀରେ ଯେ ଚାଲିଯାଏ ସେ କଣ ଜାଣେ ସେ ଆଉ କେତେଦିନ ବଞ୍ଚିବ ? ବେଳେ ବେଳେ ବଞ୍ଚିବା କାହାପାଇଁ ବିଡମ୍ବନା ହୁଏ ଆଉ ସେ ବିଡମ୍ବନା ଭାଗ୍ୟକୁ ଜନ୍ମ ଦିଏ ।
ଓଡ଼ିଆ ଭାଷା ବଞ୍ଚିଛି ପାଲା ପାଇଁ, ଏହା ମୋର ବ୍ୟକ୍ତିଗତ ମତ । ରୀତି ସାହିତ୍ୟରୁ ଛାନ୍ଦ ଚୌପଦୀ ଆଣି ଶ୍ରୋତାଙ୍କୁ ବାଣ୍ଟି ଦେବା ବେଳେ କିଛି ବିଲୁପ୍ତ ମୌଳିକ ଓଡ଼ିଆ ଶବ୍ଦ ଆଉ ଥରେ ଜୀବନ ପାଆନ୍ତି । ତେଣୁ ମୌଳିକ ଶବ୍ଦ ଗୁଡିକ ବଞ୍ଚିରୁହନ୍ତି ପରପିଢ଼ିକୁ, ଆଜି ଯେବେ ପାଲା ତାର ନିଜ ପରିଚୟ ହଜେଇ ଦେବାକୁ ବସିଛି ସେ କଣ ଆଉ ତୁମ ଭାଷା କଥା ବୁଝିବ । ଭାଷା ଯେତେବେଳେ କେଉଁ ବିଶ୍ଵବିଦ୍ୟାଳୟ ବହି ଥାକରେ ତା’ର ଶେଷ ନିଶ୍ଵାସ ନେଉଥିବ, ଯେତେବେଳେ ଇଂରାଜୀ ମାଧ୍ୟ୍ୟମିକ ସ୍କୁଲ ରେ ଅଷ୍ଟମ ଶ୍ରେଣୀ ଛାତ୍ରଟିଏ ଅ, ଆ ପଢୁଥିବ, ଯେତେବେଳେ ଇଂରାଜୀ କହି ଜାଣିଲେ ଚାକିରୀ ମିଳୁଥିବ ସେତେବେଳେ କିଏ ତୁମ ଭାଷାକୁ ବଂଚେଇବ । ଶ୍ରୋତା କିଏ ହେବ ? ମୁଁ ଆଜି କାଲି ଆଉ ଶ୍ରୋତା ମାନଙ୍କୁ ଅପେକ୍ଷା କରୁନି । ଜନ୍ମଦିନ ହେଉ କି ଗଣେଶ ପୂଜା ବାଛ ବିଚାର କରୁନି, ଯେ ଡାକିଲା ସେଇଠି ହାଜର । ଚାମର ବୁଲୁଥାଉ ଜୀବନ ଚାଲୁଥାଉ ।
ମୋର ଚାମରରୁ ସବୁ ବାଳ ଉଡ଼ିଗଲାଣି, ତଥାପି ମୁଁ ଧରୁଛି ତାହା ମୋତେ ମୋ ଗୁରୁ ଦେଇଛନ୍ତି । କଣ ହେବ ଟଙ୍କା ? ଚାମର ମୋର ସମ୍ପଦ, ଚାମର ମୋର ଜୀବନ, ଚାମର ହିଁ ମୋର ଭାଗ୍ୟ, ଚାମର ମୋର ପାପ ପୁଣ୍ୟ ଫଳ, ଚାମର ମୋର କଳା କୌଶଳ ର ପ୍ରତୀକ । ଏ ଚାମର କଥା କୁହେ, ଶ୍ଳୋକ ଗାଏ, ତ୍ରିପଟା ଝମ୍ପାରେ ଝୁଲେ ଝୁଲାଏ । ତାର ବି ପ୍ରାଣ ଅଛି । ଚାମର ବେଳେବେଳେ ଉନ୍ନାଦ ହୁଏ । ନାଚେ ତ ନାଚେ, ନଚାଏ ମତୁଆଲା କରି, ମୃଦଙ୍ଗ ବାଜେ । ଝାଞ୍ଜର ଝଙ୍କାର ବ୍ୟାପିଯାଏ ଅନ୍ତରୀକ୍ଷକୁ । ସେ କି ଅନୁଭବ ଆହା । ଯେ ଜାଣିଛି ସେ ଜାଣିଛି ।
ମନେପଡେ ସେଦିନର କଥା, ଚାଲିଚାଲି ଗାଁ ଗହୀର ଡେଇଁ ପାଲା କରି ଯାଇଛି । ଲଣ୍ଠନ ବନ୍ଧା ହୋଇଥାଏ ଚାରି ଖୁଣ୍ଟରେ, ପୁରାଣ ଚର୍ଚ୍ଚା ହୁଏ । କେତେବେଳେ ରାତି ପାହି ସକାଳ ହୁଏ ଜଣାପଡ଼େନି । ଆଗରେ ବସିଥିବା ଲୋକଟିର ପ୍ରଶ୍ନ ଗୋଲକ ଧନ୍ଦାରେ ପକେଇଦିଏ । ସେ ଲୋକଟି କୁ ମୁଁ ଏବେ ବି ଖୋଜେ, ହେଲେ ପାଏନି । ସେ ଚାଲିଗଲାଣି ଅନେକ ଦୂର ହେଲେ ଏବେ ସବୁ ଚିକମିକ୍ ମୋତେ ନେବାକୁ କାର୍ ଆସି ଦାଣ୍ତରେ ଲାଗେ । ଦୁଇଘଣ୍ଟା ପାଲା ହୋଇଗଲେ ଢେର ବେଶି ମାତ୍ର ଚାରି ପାଞ୍ଚଟି ପାଚିଲା ବାଳିଆ ଆଗରେ ବସି ଢ଼ୁଳାଉଥିବେ ।
ଖାଲି ମଞ୍ଚରେ ନୁହଁ ମୁଁ ଯେଉଁଠି ବସେ ସେଠି ଚର୍ଚ୍ଚା ଆରମ୍ଭ ହୋଇଯାଏ । ଛକ ବଜାର, ପୋଖରୀ ତୁଠ ସବୁ ସ୍ଥାନ ସଭା ପାଲଟି ଯାଏ । କାନରେ ବିଡି ଯାକିଥିବା ଲୋକଟେ ପଚାରେ ବାଇଶି ପାବଛ କେମିତି ହେଲା ଗଣିଲା ବେଳକୁ ତ କୋଡିଏ । ଆଉ ଗୋଟେ ଲୋକ ପିଠିରେ ଗାମୁଛା ବାଡେଇ ଉତ୍ତର ରଖେ । ସାଧାରଣ ତର୍କଟିଏ ଝଗଡାର ରୂପ ନିଏ । ପରେ ଜଣା ପଡେ ଦୁଇଜଣଙ୍କର ଆଗରୁ ଜମିବାଡ଼ି ବିବାଦ ରହିଛି । ମୁଁ ସବୁଠି ମଝିରେ ଥାଏ । ଏମିତି କିଛି କହିବାକୁ ଚେଷ୍ଟାକରେ ଯେପରି ଦୁଇଜଣଙ୍କର ମନ ବୁଝିଯିବ । କେବଳ ସାହିତ୍ୟ ସଂସ୍କୃତ ପଢ଼ିଦେଇ ମଞ୍ଚ ଉପରକୁ ଚଢିଗଲେ ଭଲ ଗାୟକ ଟିଏ ହେବା ସମ୍ଭବ ନୁହେଁ । ଗାୟକ ଟିଏ ହେବାକୁ ହେଲେ ମଣିଷ ମାନଙ୍କୁ ପ୍ରଥମେ ଚିହ୍ନି ବାକୁ ପଡେ । ନଛୋଡ ବନ୍ଧା ଗୁଣ ଗାୟକ ପାଇଁ ଠିକ ନୁହେଁ । ଅନେକ ମନକୁ ବୁଝି ଗୋଟିଏ କଥା କହିବା କୁଶଳୀ ଗାୟକର ଲକ୍ଷଣ ।
ଜଣେ କେହି କବାଟ ବାଡେଇଲାଣି..
-କଣ ହେଲା କି ବ୍ରଜଭାଇ ଏତେ ରାତିରେ?
-ଗୌରହରି ଆଉ ନାହାନ୍ତି
-କିପରି ?
-କିଡନୀ ରୋଗରେ ଚାଲିଗଲେ….
