ଅଣୁଗଳ୍ପ

ଶେଷ ଠିକଣା

Ashok Kumar Barik's odia short story Shesha Thikana

ଶୁଣୁଚ ପିଲାଙ୍କର ହାତ ସବୁ ମୁଣ୍ଡ କୁ ପାଇଗଲଣି ! “ମୋ କଥା ଶୁଣେ କିଏ ?” ଗୋଟି ଗୋଟି କରି ସବୁ ଗଛ କାଟି ଦେଲେ , ପନିପରିବା ବି ଆଉ ନାଇଁ , “ତମକୁ ବି କାଟି ଦେବେ କହୁଥିଲେ ହେଲେ ମୁଁ ନେହୁରା ହେବାରୁ ଛାଡ଼ିଦେଲେ

ଓଭର୍ ବ୍ରିଜ ତଳକୁ ପାଖ ପାଖି ୨୦୦ମିଟର ଗଲେ , ଏକ ଦୁଇ ମହଲା ଘର । ଘର ଆଗରେ ଜୁଇ ସଜଡ଼ା ଚାଲିଛି । ଧୀରେ ଧୀରେ ଗହଳି ବଢ଼ିବାକୁ ଲାଗିଛି । ଦୁଇ ପୁଅ ଆଉ ବୋହୂ ତା ସାଙ୍ଗକୁ ଚାରିରୁ ପାଞ୍ଚ ଜଣ ଚିହ୍ନା ଲୋକ ବିକଟାଳ ଚିତ୍କାର ସ୍ୱର ରେ ଫାଟି ପଡୁଛି ଘର ର ପରିସର । ଲୁହ ବାସ୍ତବ କି ଛଳନା ପୂର୍ଣ୍ଣ ବାରି ହେଉ ନାହିଁ । କାଉ ,କୋଇଲି , ବାଇ ଚଢ଼େଇ ଆଦି ପକ୍ଷୀ ନିଶବ୍ଦ ହୋଇ ଘର ଚାରିପଟେ ବେଢ଼ି ଯାଇଛନ୍ତି । ଭିଡ଼ ଭିତରୁ କେହି ଜଣେ ପଚାରିଲା, ” ଆଜ୍ଞା କଣ ହେଇଛି , ଏତେ ପକ୍ଷୀ କାହିଁକି ? ” । ବୁଢ଼ା ଟିଏ ଉତ୍ତର ଦେଲା – “କାଞ୍ଚି ଟା ମରିଗଲା !” ଶ୍ରଦ୍ଧାଞ୍ଜଳି ପାଇଁ ଏ ପକ୍ଷୀ ଗୁଡ଼ା ପଲ ପଲ ହୋଇ ଆସିଛନ୍ତି । କୌତୁହଳ ସହ ବ୍ୟକ୍ତି ଜଣଙ୍କ ପଚାରିଲେ , ” କେମିତି ? । ଦଇବ ଜାଣିଥିବ ରାତି ରେ ଚିତ୍କାର ଶୁଣା ଯାଉଥିଲା , ଏମିତି କାଞ୍ଚି ବେଳେ ବେଳେ ଚିତ୍କାର କରେ । ସକାଳୁ ଦେଖିଲା ବେଳକୁ ବର କୋଳି ଗଛ ମୂଳେ ପଡିଛି, ତା ଚାରି ପାଖରେ ଫୁଲ ଗୁଡ଼ା ବିଛେଇ ହେଇ ପଡ଼ିଛି ।

କାଞ୍ଚି କୁ ସମସ୍ତେ କଞ୍ଜୁସି ବୋଲି ଡାକନ୍ତି । କାହାକୁ ଟଙ୍କା ଟିଏ ଦବନି କି ନବନି । ଯାହା ଘରେ ଅଛି ଚଳି ଯାଏ , ସେ ଲୁଣ ଟିକ କ ମଧ୍ୟ କହାକୁ ହାତ ପତେଇ ମାଗିବ ନାହିଁ । ଉଚ୍ଚ ଶିକ୍ଷିତା ନ ହୋଇ ମଧ୍ୟ ସ୍ଵାମୀ ଚାଲି ଗଲା ପରେ , ଦୁଇ ପୁଅକୁ ଉଚ୍ଚ ଶିକ୍ଷିତ କରିଛି । ଦୁଇ ପୁଅ ଗାଁ ଛାଡ଼ି ବାହାରେ ରହି ରୋଜଗାର କରନ୍ତି । ଯାହା ପଇସା ପଠାନ୍ତି , ସେଇ ପଇସାରେ ଏ ଦୋ ମହଲା ଘର ତୋଳିଛି । ସେ ପରିବା ଟାଏ ବି ବାହାରୁ କିଣେ ନି । ଘରକୁ ଲାଗି ବଗିଚା ଟିଏ, ସେଥିରେ ପନିପରିବା ସାଙ୍ଗ କୁ ଆମ୍ବ, ପଣସ, କଦଳୀ , ସଜନା କେତେ ରକମ ର ଗଛ ଲଗେଇଛି । ଗଛ ଗୁଡା଼କରେ କାଉ, କୋଇଲି, ହଳଦୀ ବସନ୍ତ ସାଙ୍ଗକୁ ବାଇ ଚଢ଼େଇ ବସା ଭାରି ମନୋହର । କାଞ୍ଚି ଘରେ ରହେ ନାହିଁ, ସଦାବେଳେ ସେଇ ବଗିଚାରେ ବସେ । କେତେବେଳେ ବାଇ ଚଢ଼େଇ ସହ କଥା ହୁଏତ, କେତେବେଳେ କୋଇଲି ସହ ଗୀତ ଗାଏ । କାହା ଉପରେ ବେଳେ ବେଳେ ରାଗିଯାଏ । ଦିନେ ସେ କୋଇଲି ସହ ଦୁଇ ଦିନ କଥା ମଧ୍ୟ ହୋଇ ନଥିଲା, ଯାହା ଲୋକ କୁହନ୍ତି । ପକ୍ଷୀ ମାନେ ବି କମ ନୁହଁନ୍ତି, “କିଏ ସକାଳୁ କାଞ୍ଚି କି ଉଠେଇ ଦିଏ ତ, କିଏ ବସନ୍ତ ର ଶୀତଳ ମଳୟ ତାଳ ରେ ଗୀତ ଗାଏ ଆଉ କିଏ ତା ସହ ଥଟା ମଜା ବି କରନ୍ତି ” । ବୁଢ଼ୀ ବେଶ୍ ଖୁସି ।

ଏମାନେ ତାର ସୁଖ ଦୁଃଖର ସାଥି । କାହାକୁ ଝିଅ ଡାକେ ତ କହାକୁ ପୁଅ । ଗଛ ମଧ୍ୟ ରେ ଜାମୁ କୋଳି ଗଛ ଟାଏ, ବୁଢ଼ୀ ତାକୁ ସରଧା ରେ ” ହଇକିଏ ଡାକେ ” । ଦିନ ର ଅଧା ରୁ ଅଧିକ ସମୟ ସେ ଏଇ ଗଛ ପାଖରେ କାଟି ଦିଏ । ଲୋକ କୁହନ୍ତି , ଏ ଗଛ କୁଆଡେ ତା ଗେରସ୍ତ ଲଗେଇଛି । କାଞ୍ଚି ଗଛ ପାଖରେ ଗୋଟେ ବରକୋଳି ଗଛ ଟାଏ ଲଗେଇଛି । ପଚାରିଲେ କହେ ଏଇଟା ମୁଁ ।

ପିଲା ମାନେ କେତେ ବୁଝେଇଲେ ସହରକୁ ଚାଲେ , ହେଲେ ଭିଟାମାଟି ଛାଡ଼ି ଯିବାକୁ ମନ ବଳେଇନି । କେମିତି ବା ଯିବ, ଏଇ ଠି ତା ପିଲା ଆଉ ଗେରସ୍ତ ଅଛନ୍ତି । ବୟସ ବଢି ୮୦ ଛୁଇଁଲାଣି, ନିରୋଗୀ ମଣିଷ ଟାଏ । ଦେହ ଖରାପ ତ ଛାଡ଼ ଥଣ୍ଡା କାଶ ବି ହୁଏନି । ସକାଳୁ ଉଠିଲେ ପୂଜା ସାରି ତୁଳସୀ ଆଉ ବେଲ ପତ୍ର ଟିଏ ଚୋବେଇ , ରୋଷେଇ କରି ତା ପିଲାଙ୍କ ସେବାରେ ଲାଗିଯାଏ । ନିଜ ପିଲା ସିନା ବାହାରେ ରହିଲେ ହେଲେ ସେ ଗଢି ଥିବା ଛୋଟ ପରିବାର ଟି ପାଇଁ ଆଜି ତା ନିଶ୍ୱାସ । ସନ୍ଧ୍ୟା ହେଲେ କେଇ ଜଣ ପିଲାଙ୍କୁ ଡାକି ପାଠ ଦି ଅକ୍ଷର ପଢ଼ାଏ । ଟଙ୍କା ଟିଏ ତା ବାବଦକୁ ନିଏ ନାହିଁ ।

ଏଇ କେଇ ଦିନ ହେଲା , ବୁଢ଼ୀ ଚିଡି ଚିଡ଼ା ହଉଛି । କାହା ସହ ଭଲ ରେ କଥା ବାର୍ତ୍ତା ନାଇ, ପୁଅ ମାନେ ପାଳି କରି ରହୁଛନ୍ତି । ନାନା ପ୍ରକାରର ଫଳ ସାଙ୍ଗ କୁ ମାଛ, ମାଂସ , ବୁଢ଼ୀ ର ଟିକେ ଆଗ୍ରହ ନାହିଁ ଖାଇବାକୁ , ଖାଲି ଚାହିଁ ରହି ଥାଏ ସେଇ ଶୂନ୍ୟ ବାଡି ବଗିଚାକୁ । ବାଡିରେ ଗଛ କହିଲେ ଅଛି ଜାମୁକୋଳି ଆଉ ବର କୋଳି ଗଛ ଟାଏ । ଅନ୍ୟ ଗଛ ଗୁଡ଼ା କଟା ହୋଇ ଗଲାଣି । ଗଛ କଟା ହବା ଦିନ ଠାରୁ ବୁଢ଼ୀ ର ଦେହ ଟା ଭଲ ରହୁନି । ବୁଢ଼ୀ ବେଳେ ବେଳେ ଯାଇ ଜାମୁ କୋଳି ଗଛ ପାଖରେ ବସି କାନ୍ଦେ । କହେ, ହଇ କିଏ ! ଶୁଣୁଚ ପିଲା ଙ୍କର ହାତ ସବୁ ମୁଣ୍ଡ କୁ ପାଇଗଲଣି ! “ମୋ କଥା ଶୁଣେ କିଏ ?” ଗୋଟି ଗୋଟି କରି ସବୁ ଗଛ କାଟି ଦେଲେ , ପନିପରିବା ବି ଆଉ ନାଇଁ , “ତମକୁ ବି କାଟି ଦେବେ କହୁଥିଲେ ହେଲେ ମୁଁ ନେହୁରା ହେବାରୁ ଛାଡ଼ିଦେଲେ” । ଏଇଠି କମ୍ପ୍ଲେକ୍ସ ହବ, ବଜାର ହବ, ଭିଡ଼ ଜମିବ । ଏମିତି କାନ୍ଦି କାନ୍ଦି ସେଇ ଗଛ ମୂଳେ ଶୋଇପଡିବ, ବୋହୂ ମାନେ ଉଠେଇକି ଘର କୁ ନିଅନ୍ତି । ବେଳେବେଳେ ପକ୍ଷୀ ମାନେ ଆସନ୍ତି, ତା ଉପରେ ବସନ୍ତି । ସେଇ ମୁହୂର୍ତ୍ତ ଟିକ, ସେ ଖୁସି ଥାଏ ।

ଏଇ ଓଭର ବ୍ରିଜ ଆଉ ରାଜ ରାସ୍ତା ହେଲା ଦିନ ଠୁ ଆଖ ପାଖ ଅଞ୍ଚଳ ର ଜମି ଦାମ ବଢ଼ିଛି । କେତେ ଦୋକାନ ଖୋଲା ହେଇଛି । ଦୁଇ ଭାଇଙ୍କ ଯୋଜନା ଗଛ କାଟି ଗୋଟେ ବ୍ୟବସାୟ କରିବେ, ଆର୍ଥିକ ସ୍ଥିତି ବଢିବ । ସେମାନେ କାଇଁ ଜାଣିବେ କାଞ୍ଚିର ମାନସିକତା , ଏଇ ଗଛ ରୁ ଫଳୁ ଥିବା ଫଳକୁ ବିକ୍ରି କରି ତାଙ୍କୁ ବଡ଼ ମଣିଷ କରିଛି । ଏମାନେ ଥିଲେ ବୋଲି ଆଜି ଏ ଘର, ଘୋଡ଼ା ଗାଡ଼ି । କାଞ୍ଚିର ଦେହ ଦିନ କୁ ଦିନ ଖରାପ କେତେ ଧରଣ ର ରୋଗ ମାଡ଼ି ବସିଛି । ପେନ୍ କିଲର୍ ନ ଖାଇଲେ ଉଠି ପାରୁନି । କାଞ୍ଚି ତ ଖାଲି ଝୁରେ ସେଇ ବଗିଚା ଟିକକ, ସେଇ ତ ଥିଲା ତାର କଷ୍ଟ ଆଉ ଯନ୍ତ୍ରଣା ଇଏ ଆନନ୍ଦର ମୂକ ସାକ୍ଷୀ ।

ପୁଅ ବୋହୂ ସହର କୁ ଯାଇଥିଲେ , ଆସିଲେ କମ୍ପ୍ଲେକ୍ସ ହବ । ଜାମୁକୋଳି ଆଉ ବରକୋଳି ଗଛ ଦୁଇ ଟି କଟାଯିବ । ବୁଢ଼ୀ ଏକୁଟିଆ, ଖାଲି ଝରକା ରୁ ଚାହିଁ ଥାଏ ସେଇ ଜାମୁକୋଳିକୁ, ଆଖିରୁ ଲୋତକ ଧାର ଧାର । ରାତି ରେ କବାଟ ଟି ଖୋଲି ଗଛ ମୂଳେ ପହଞ୍ଚିଲା, “କହୁ ଥାଏ ତମେ ବି ମତେ ଛାଡ଼ି ଚାଲିଯିବ” । ନୂଆଁ କମ୍ପ୍ଲେକ୍ସର ଗେଟ ଟି ଏଠି ହବ । ଏମିତି ଚିନ୍ତା କରି କରି କେତେବେଳେ ପେନ୍ କିଲର୍ ସାଙ୍ଗ କୁ ଅନ୍ୟ ବଟିକା ଗୁଡ଼ା ଖାଇ ଚିତ୍କାର କରି ପ୍ରାଣ ବାୟୁ ଚାଲିଯାଇଛି ।

କାଞ୍ଚିର ସାଂସାରିକ ମାୟାଠୁ ବେଶ୍ ଭଲ ଥିଲା ତା ପ୍ରାକୃତିକ ମାୟା । ଶବ ଉଠିଲା , “ରାମ ନାମ ସତ୍ୟ ହେ , ହରି ନାମ ସତ୍ୟ ହେ” । ପକ୍ଷୀ ମାନେ ଶବ ସହ ଉଡ଼ି ଉଡ଼ି ଚାଲିଲେ, ଖଇ କଉଡ଼ି ବିଞ୍ଚା ହଉ ଥାଏ । ପକ୍ଷୀ ମାନେ ଗୋଟେ ବି ସ୍ପର୍ଶ କରୁ ନଥାନ୍ତି । ଶ୍ମଶାନରେ ଶବ ଦାହ ହେଲା , ପକ୍ଷୀ ଗୁଡାକ ନୀରବ ହୋଇ ସେଇ ଦିପ୍ତିମୟୀ ଅଗ୍ନିର ଶେଷ ବିଦାୟ କୁ ଚାହିଁ ଥାଆନ୍ତି । ଲୋକ ଗୁଡ଼ା ଶବ ଦାହ କରି ଘରକୁ ଆସିଲେ । ପକ୍ଷୀ ଗୁଡ଼ା ବଗିଚା ଥିବା ସ୍ଥାନ ରେ ଏପଟ ସେପଟ ହେଉଥାନ୍ତି । ବଡ଼ ବୋହୂ ବାସି ରୁଟି ଗୁଡ଼ା ଟିକି ଟିକି କରି ପକ୍ଷୀ ଗୁଡ଼ିକୁ ଦେଲା , କେହି ମଧ୍ୟ ଛୁଇଁଲେ ନାହିଁ ।

ଦୁଇ ଦିନ ପରେ ଶ୍ରମିକ ଜଣେ ଆସି ପଚାରିଲା, ” ବାବୁ କେଉଁ ଗଛ ଦୁଇଟି କଟା ଯିବ” । ସାନ ବୋହୂ ଅଙ୍ଗୁଳି ନିର୍ଦ୍ଦେଶ ଦେଇ କହିଲେ , “ସେଇ ଜାମୁ ଆଉ ବର କୋଳି ଗଛ” । ଲୋକ ଟି ଦେଖିଲା ଗଛ ଉପରେ ପକ୍ଷୀ ଗୁଡ଼ା ବସିଛନ୍ତି । ଉଡ଼େଇବାକୁ ଚେଷ୍ଟା କଲା, ଗୋଟେ ବି ଯିବାକୁ ନାରାଜ । ଶେଷ ରେ ସେ ଗଛ ଦୁଇଟା କାଟି ଦେଲା । ସେଇ ଦିନ ଠାରୁ କେହି ମଧ୍ୟ ସେ ଦୋ ତାଲା ଘର ପାଖ ପାଖି ପକ୍ଷୀ ଟାଏ ବି ଆଜି ଯାଏଁ ଦେଖିନାହାନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top