ଭୋ… ଭୋ… ହୋଇ କାନ୍ଦୁଥୁଲା ଧନୀ । ଦୁଃଖ ସବୁ ଯେମିତି ତା” ଛାତିକୁ ଫଚାଇ, ଗଳାକୁ ଫାଡ଼ି ବାହାରି ଆସୁଥିଲା । ବାରମ୍ବାର “ ମୋର ସବୁ ସରିଗଲା ଲୋ, ମୁଁ ଣ କରିବି” ବୋଲି ଚିତ୍କାର କରି କାନ୍ଥରେ ମଥା ପିଟି ପକାଉଥିଲା । “ ହାଏ… ମୁଁ ଏ ଣ କଲି” ବୋଲି କହି ମୁଣ୍ଡର ବାଳ ସବୁକୁ ଟାଣି ପକାଉଥିଲା । ଆଉ ନିଜ ଛାତିକୁ ଦୁଇ ହାତରେ ପିଟି ପକାଉଥିଲା । ଖୁଡ଼ୀ ଶାଶୁ, ଯା’ମାନେ କିଏ କେମିତି ତାକୁ ସାନ୍ତ୍ଵନା ଦେବାପାଇଁ ଚେଷ୍ଟା କରୁଥିଲେ । ହେଲେ କାହା କଥା ଧନୀ କାନରେ ପଢୁନଥିଲା ।
ସାଇ ପଡ଼ିଶାରର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ସେମାନଙ୍କର ଆଶ୍ଚର୍ଯ୍ୟ ହେବାର କାରଣ ମଧ୍ୟ ଥିଲା । ଦୁଇଦିନ ତଳେ ଧନୀର ଅଶୀବର୍ଷର ବୃଦ୍ଧ ଶ୍ଵଶୁର ଯେତେବେଳେ ଶେଷ ନିଶ୍ଵାସ ତ୍ୟାଗ କଲେ ସେତେବେଳେ କେହିହେଲେ ଧନୀ ଆଖିରେ ଲୁହ ଟୋପାଏ ମଧ୍ୟ ଦେଖି ନ ଥିଲେ । କେବଳ ଧନୀ ମୁହଁଟାକୁ ଅଥାର ପରି କରି କହୁଥିଲା, “ ନିଉଁଛୁଣା ବୁଢ଼ାଟା ଦୁଇ ବର୍ଷ ହେଲା ଘାଣ୍ଟି ହେଉଥିଲା । ମରିଗଲାନି ଯେ, ତରିଗଲା ।” ଆଉ ସେଇ ଶ୍ଵଶୁର ପାଇଁ ଆଜି କାହିଁକି ଏ ତଣ୍ଟିଫଟା କାନ୍ଦଣା… !
ପାଖ ଆଖର ସମସ୍ତେ ପ୍ରାୟ ଦେଖିଛନ୍ତି ଧନୀ ବୁଢ଼ାଟି ଉପରେ ସବୁବେଳେ ଚିଡଚିଡ଼ ହେଉଥିଲା । ଚୁଢ଼ା ବିଛଣା ଉପରେ ପଡ଼ି ପଡ଼ି କିଛି ନା କିଛି ଖାଇବାର ବରାଦ କରୁଥିଲେ । ଧନୀର ସେସବୁତିଆରି କରିଦେବା ପାଇଁ ଆଗ୍ରହ, ଇଚ୍ଛା ବା ଆର୍ଥିକ ପରିସ୍ଥିତି ନ ଥିଲା । ତେଣୁ ସେ କେବଳ ‘ ହଉ ଦେଖିଚା’, “କରିଦେବା” ଇତ୍ୟାଦି କହି ସେଠାରୁ ଝାସି ଯାଉଥିଲା । ପଛଆଡ଼େ ବିଡ଼ବିଡ଼ଉ ଥିଲା – ହୁଁ, ଘରେ ପଛେ ଦୁଇବେଳା ଖାଇବାକୁ ନାହିଁ ଆଉ ୟାଙ୍କର କ୍ଷୀରି, ମାଲପୁଆ ଖାଇବାରେ ମନ ! ସତେ ଯେମିତି ସମ୍ପତ୍ତି ସବୁ ଥାପି ଥୋଇଛନ୍ତି ।
ଧନୀର ବରଯେ କି ଏ ପରିବାରର ଏକମାତ୍ର ପୁଅ, କଲିକତାର କୌଣସି ଏକ ଫ୍ୟାକ୍ଟ୍ରିରେ କାମ କରେ । ତାଂ ନାଁ ରାଜା । ଧନ ନାହିଁ, ସମ୍ପତ୍ତି ନାହିଁ ଏମିତି କି ପିନ୍ଧିବାକୁ ସମ୍ବଳ ନାହିଁ । ନାଁ କ’ଣ ନା ରାଜା ! ଧନୀ ମନେ ମନେ ବିଦ୍ରୁପ କରେ । ସେଇ ରାଜା ଚାରି କି ଛ’ମାସରେ ଥରେ ଗାଁକୁ ଆସେ । ଦୁଇ ଚାରିଦିନ ରହି ଗଲାବେଳକୁ ବାପା ହାତରେ କିଛି ଟଙ୍କା ଗୁଞ୍ଜିଦେଇ ଫେରିଯାଏ । ଧନୀ ଚାରିଟା ପିଲା ଆଉ ବୃଦ୍ଧ ଶାଶୁ, ଶ୍ଵଶୁରଙ୍କୁ ଧରି ଗାଁରେ ପଡ଼ି ରହିଥାଏ । ଜମିବାଡ଼ି ଯେଉଁ ଦୁଇ ଚାରିଖଣ୍ଡ ଅଛି ପାଳକ ହେଲେ ଦୁଃଖେ କଷ୍ଟେ ବର୍ଷ ସାରା ଭାତ ଖାଇବାକୁ ମିଳିଯାଏ । ହେଲେ ପାଳକ ହେଉଛି କେଉଁଠି ? ଚାରି କି ପାଞ୍ଚ ବର୍ଷରେ ଥରେ ପାଳକ ହୁଏ । ତେଣୁ ଅପାଳକ ବେଳାରେ ଭାତ ଗଣ୍ଡେ ଯୋଗାଡ଼ କରିବା କଷ୍ଟକର ହୋଇପଡ଼େ । ସେଇଥିପାଇଁ ରାଜା କଲିକତା ଗଲା କାମ କରି । ତା’ରି ଟଙ୍କାରେ ହିଁ ଯେନ ତେନ ପ୍ରକାରେ ସଂସାର ଚଳିଯାଏ । ପିଲାମାନେ ସ୍କୁଲ ଯାନ୍ତି । ଧନୀ ଆଉ ତା’ର ଶାଶୁ କସ୍ତାଲୁଗା ଦୁଇଖଣ୍ଡ ପିନ୍ଧିବାକୁ ପାଆନ୍ତି । ସବୁବେଳେ ଧନୀ ସ୍ଵପ୍ନ ଦେଖେ, ସେ କଲିକତା ଯାନ୍ତା… ହାବଡ଼ା ପୋଲ ଦେଖନ୍ତା, ଦକ୍ଷିଣେଶ୍ଵରୀଙ୍କୁ ଦର୍ଶନ କରନ୍ତା । ବଙ୍ଗାଳୀମାନଙ୍କ ପରି ରଙ୍ଗବେରଙ୍ଗ ଚିତ୍ରିତ ଶାଢ଼ୀ ପିନ୍ଧନ୍ତା… ଆଉ ପାଦରେ ଚପଲ ମାଡ଼ନ୍ତା… ବଜାର ବୁଲନ୍ତା… କିନ୍ତୁ ଏତେ ସପନକୁ ରାତି ନ ଥିଲା ପରି ତାକୁ ଏ ବୁଢ଼ାବୁଢ଼ୀ ଆଉ ଚାରି ଛୁଆଙ୍କ ଜଞ୍ଜାଳରୁ ନିସ୍ତାର ନ ଥାଏ । ଗରା, ବାଳ୍ଡିରେ ପାଣି ବୋହିବା, ଘର ଲିପିବା, ରନ୍ଧାବଢ଼ା କରିବା, ମୁଢ଼ିଭାଜିବା ଆଦି କାମ କରି କରି ବିତିଯାଏ ସାରାଟା ଜୀବନ… । ତହିଁକି ବୁଢ଼ା, ବୁଢ଼ୀ ବାଧକା ପଡ଼ିବା ଦିନରୁ ତାଙ୍କ ସେବା କରି କରି ସେ ନୟାନ୍ତ । ବାପା, ମା ନା ଦେଇଥିଲେ କ’ଣ ନା ଧନମଣି… ! ଧନମଣିରୁକେବେ ସେ ହୋଇଯାଇଥିଲା ଧନୀ, ହେଲେ ତା ହାତରେ କେବେହେଲେ ଧନ ନ ଥୁଲା । କଲିକତି ବର କେବେହେଲେ ତା” ହାତରେ ଟଙ୍କାଟିଏ
ଦେଇନି । ଆଉ ଶ୍ଵଶୁର… ଖୁବ୍ କଞ୍ଜୁସ୍ ଆଉ ଲୋଭୀ ! ସିନ୍ଦୁର କିଣିବା ପାଇଁ ଆଠଣୀଟିଏ ମାଗିଲେ ସେ କେତେ ଚିନ୍ତା କରି ଦେବେ । କେବେ କେବେ ତ ଆଣଣା ଦେବାପାଇଁ ବି ମନା କରିଦେବେ, “ ପଇସା ନାହିଁ । ରାଜା ଟଙ୍କା ପଠାଉ ଦେବି ।” ଧନୀ ମୁହଁ ମୋଡ଼େ, ନିଉଛୁଣା ବୁଢ଼ା । କଞ୍ଜୁସ୍ ମକ୍ଷୀଚୁସ୍ । ଆଠଣା ଦେବାକୁ କେତେ ନଖରା କାଢୁଛି ।
ଖାଲି ଧନୀ ଏକା ତା’ଶ୍ଵଶୁରକୁ କଞ୍ଜୁସ୍ କହୁନଥଲା । ବୁଢ଼ାଟା ସାରା ଗାଁରେ କଞ୍ଜୁସ୍, ମକ୍ଷୀଚୁସ୍ ଭାବରେ ବେଶ୍ ପରିଚିତ ଥୁଲା । ଗାଁରେ ପୂଜା, ପାର୍ବଣ, ଯାତ୍ରା କି ମେଳା ହେଲାବେଳେ ଦଶଟା ଟଙ୍କା ଚାନ୍ଦା ଦେବାପାଇଁ କେବେହେଲେ ରାଜି ହେବନାହିଁ । ଦୁଇ, ଚାରି ଟଙ୍କାଦେଇ, “ଆଉ ନାହିଁରେ ପିଲେ କଉଠୁ ଆଣିବି । ” ବୋଲି ନେହୁରା ହେଉଥିବ । ପାନ ଦି’ଖଣ୍ଡ ଖାଏ ବୋଲି ପାନ ଦୋକାନୀ ପାଖରେ ଏପଟ ସେପଟ ହେଉଥିବ । ଦୋକାନୀ ପାନର ଡେମ୍ଫ କାଟିଲାବେବଳେ ସେଥିରେ କଟି ଯାଉଥିବା ଛୋଟ ଛୋଟ ପାନ ଖଣ୍ଡଳୁ ଗୋଟାଇ ନେଲ ଖାଲବ । ମାସରେ ଥରେ ଅଧେ ଯଦି କେବେ
ହାଟ କରିବାକୁ ଯିବ ତେବେ ହାଟ ସରିଆସିଲା ବେଳକୁ ଯିବ ଏବଂ ପଚା, ସଢ଼ା, ବଛାବଛି ହୋଇ ବଳିପଡ଼ିଥିବା ପୋକରା ଖଣ୍ଡିଆ ପରିବାକୁ ଶସ୍ତାରେ ନେଇ କରି ଆସିବ । କଦଳୀ ବିକୁଥିବା ଲୋକଟି ଏମିତି ଚାରି, ଛ’ଟି ପଚାକଦଳୀ ତା ବ୍ୟାଗ୍ରେ ପକାଇଦିଏ । ସେଥିପାଇଁ ବୁଢ଼ାଠାରୁ କେବେ ପଇସା ନିଏ ନାହିଁ ।
ଗାଁରେ ସମସ୍ତେ କୁହନ୍ତି, ଲୋଭୀ ବୁଢ଼ା ଖୁବ୍ ଟଙ୍କା ସଞ୍ଚୟ କରି ରଖୁଛି । ଧନୀ କିନ୍ତୁ ସେ ଟଙ୍କାର କିଛି ଟେର୍ ପାଏନି । ବୁଢ଼ା ପୋଖରୀ ପାଣି ଯାଇଥିବା ବେଳେ ଧନୀ ତା’ର ଭଙ୍ଗା ଟ୍ରଙ୍କକୁ ଅଣ୍ଡାଳି ପକାଏ, ତେଲ ଚିକିଟା ଭରା କନ୍ଥା, ଚାଦରକୁ ଆଡ଼େଇ ପକାଏ । କଉଠି ହେଲେ ଟଙ୍କାଟାଏ ପାଏନାହିଁ । ବରଂ ବିଟିକିଟିଆ ଗନ୍ଧ ବାହାରୁଥିବା ତା କନ୍ଥା, ତକିଆ ଟେକିଲା ବେଳକୁ ତା’ର ବାନ୍ତି ବାହାରି ଆସେ । ସେ ପାଟିରେ ଲୁଗା ମାଡ଼ି ଚାଲିଯାଏ । ଅପରିଛନିଆଁ ବୁଢ଼ା । କନ୍ଥା, ଚାଦର ଦୁଇଖଣ୍ଡକୁ କେବେ ସଫା କରିବାକୁ ଦେବେନି । ଧନୀ ସଫା କରିଦେବା ପାଇଁ କହିଲେ ଖିଙ୍କାରି ଉଠି କହିବ, ସବୁବେଳେ ସଫା, ସଫା କ’ଣ ? ସଫା କରିବା ପାଇଁ ସୋଢ଼ା, ସାବୁନ କଉଠୁ ଆସିବ ଆଁ … ।
ଶାଶୁ ବୁଢ଼ୀ ଦୁଇବର୍ଷ ତଳେ ଚାଲିଗଲା ପରେ ବୁଢ଼ାର କ’ଣ ହେଲା କେଜାଣି ଆଉ ବିଛଣାରୁ ଉଠିଲା ନାହିଁ । କତରାଲଗା ହୋଇ ପଡ଼ି ରହିଲା । ଧନୀ ଯେତେପାରେ ତା’ର ସେବା, ଯତ୍ନ କରେ । ଲୁଗାପଟା ସଫା ସୁତୁରା କରେ । ହେଲେ ବୁଢ଼ା କେବେହେଲେ ତାର କନ୍ଥା, ତକିଆକୁ ସଫା କରିବାକୁ ଦିଏ ନାହିଁ କି ଟିକେ ଖରାରେ“ ପକାଇବାକୁ ରାଜି ହୁଏନାହିଁ । ସେମିତି ତେଲିଆ, ତେଲିଆ ଗନ୍ଧ ତା ଚାରି ପାଖେ ଘୂରି ବୁଲୁଥାଏ । ଧନୀର ପୁଅ, ଝିଅମାନେ ମଧ୍ୟ “ଗନ୍ଧରା ବୁଢ଼ା” କହି ଜେଜେଙ୍କ ପାଖକୁ ଯିବାକୁ ଆଗ୍ରହ କରନ୍ତି ନାହିଁ । ଧନୀ ସେମାନଙ୍କ ଉପରେ ବିରକ୍ତ ହୁଏ, “ଯା ହେଲେ ବି
ତୁମମାନଙ୍କ ଜେଜେ ବାପ ପରା । ତା ସେବାକରିବା ତୁମମାନଙ୍କ ଧର୍ମ । କେତେବେଳେ ତାକୁ ଘଷି ଆଉଁସି ଦିଅ । କେତେବେଳେ ପଥିପାଣି ଟିକେ ପିଆଇ ଦିଅ । ତା’ହେଲେ ତା’ ଆଶୀର୍ବାଦ ମିଳିବ । ତୁମମାନଙ୍କର ଉନ୍ନତି ହେବ ।” ଧନୀ କଥାରେ ପିଲାମାନେ ନାକ ଟେକି ଟେକି ଜେଜେ ପାଖକୁ ଯାନ୍ତି ଆଉ ତା ସେବା ମଧ୍ୟ କରନ୍ତି । ଏମିତି ବିତିଗଲାଣି ଦୁଇବର୍ଷ । ମଝିରେ ମଝିରେ ତା’ ପୁଅ କଲିକତାରୁ ଆସେ । ବା’ ପାଇଁ ଔଷଧ ପତ୍ର କିଣିଆଣେ । ବୁଢ଼ା ପୁଅ ମୁଣ୍ଡରେ ହାତ ବୁଲାଇ ଆଣେ । “ଭଗବାନ ତୁମମାନଙ୍କର ମଙ୍ଗଳ କରନ୍ତୁ” ବୋଲି ଆଶୀର୍ବାଦ କରେ । ବୁଢ଼ା ଆଖିରୁ ଦୁଇଟୋପା
ଲୁହଗଡ଼ି ଆସେ ଆଉ ପୁଅ ମଧ୍ୟ ଲୁଚେଇ, ଲୁଚେଇ ଗାମୁଛାରେ ଆଖି ପୋଛୁଥାଏ । ଧନୀକୁ ଅନୁରୋଧ କଲା ପରି କୁହେ- ଦେଖ୍, ବା” ଆଉ ବେଶୀଦିନ ନୁହେଁ । ତା ସେବା ଯତ୍ନରେ ହେଳା କରିବୁନି ।
ଅବଶ୍ୟ ଧନୀ ବୁଢାର କୌଣସି ଅବହେଳା କରେନାହିଁ । କିନ୍ତୁ ବୁଢାର ଗୁହ ମୁତ କରି କରି ଚିଡ଼ିଚିଡା ହୋଇଯାଏ । ସବୁବେଳେ ବିଡ଼ ବିଡ଼ ହୋଇ ନିଜ ଭାଗ୍ୟକୁ ଦୋଷ ଦେଉଥା ନ ହେଲେ ଶ୍ୱଶୁରକୁ ଶୋଧୁଥାଏ ।
ଏଇ ଶେଷ ପନ୍ଦର ଦିନ ହେଲା ଶ୍ୱଶୁରଙ୍କର ପାଟି ପଡିଗଲା । ଖାଇବା, ପିଇବା ମଧ୍ୟ ପ୍ରାୟତଃ ବନ୍ଦ ହୋଇଗଲା । ଧନୀ ବଳେଇ ବଳେଇ କିଛି ଖୁଆଇଦେଲେ ତାଙ୍କ ଆଖିରୁ ବହିଯାଏ ଅସହାୟ ଲୁହଧାରା । କ’ଣ କହିବେ କହିବେ ବୋଲି ଥଙ୍ଗେଇ ହୁଅନ୍ତି । ଧନୀ ବୁଝିଲାପରି କୁହେ, “ବ୍ୟସ୍ତ ହୁଅନି । ତୁମ ପୁଅ ପାଖକୁ ଖବର ପଠାଇ ଦେଇଛି । ଏଇ ଦୁଇ, ତିନିଦିନ ମଧ୍ୟରେ ଆସିଯିବେ।“ ସତକୁ ସତ ପୁଅ କଲିକତାରୁ ଆସି ପହଞ୍ଚିଗଲା । ଶେଷ ଚାରି ପାଞ୍ଚଦିନ ବାପାର ସେ ସବୁ ସେବା କଲା । ଧନୀ ଚକିତ ହୋଇ ଦେଖୁଥାଏ, ଓଃ, ଏ ଦେହ ପିଞ୍ଜରାରୁ ପ୍ରାଣପକ୍ଷୀ ଉଡିଯିବା ଏତେ କଷ୍ଟକର ! ତୁଳସୀ ମୂଳରେ ସଞ୍ଜବତୀ ଥୋଇ ପ୍ରାର୍ଥନା କରେ,” ବୁଢାକୁ ଉଦ୍ଧାର କରିଦିଅ ପ୍ରଭୁ ! ଆଉ ଏତେ କଷ୍ଟ ଦିଅନି” ।
ରାଜା ଆସିଲାପରେ ପ୍ରଥମେ ବାପାର ସେ ଅପରିଷ୍କାର କନ୍ଥା ଓ ତକିଆକୁ କାଢ଼ି ଦେଲା । ବୁଢ଼ା ତ କିଛି କହିପାରୁନଥିଲେ । କେବଳ ଅସହାୟ ଆଖିରେ ପୁଅର ହାତକୁ ଚାପି ଧରିଲେ । ଧନୀ କହିଲା, “ଦେଖୁନ, ତୁମେ ସିନା ମୋତେ ଦୋଷ ଦେଉଛ ହେଲେ ସେ ପରା ସେ କନ୍ଥା ଓ ତକିଆକୁ ଜମାରୁ ଛାଡିବାକୁ ରାଜିନୁହଁ । ଦେଖ ତକିଆଟାକୁ କେମିତି ଭିଡ଼ିଧରୁଛି । ସଫା କରିବାକୁ ମଧ୍ୟ ଦିଏନି।“ ସଫା ବିଛଣାରେ ଶୋଇ କିନ୍ତୁ ବୁଢ଼ାକୁ ଶାନ୍ତିର ନିଦ ନଥିଲା । ଯେତେବେଳେ ଦେଖିଲେ ଜଳ ଜଳ କରି ଚାହୁଁଥିଲା । ପାଖକୁ ଗଲେ ହାତକୁ ଚାପି ଧରୁଥିଲା । କ’ଣ କହିବା ପାଇଁ ଚେଷ୍ଟା କରି କହି ପାରୁନଥିଲା । ଆଉ ଆଖିରୁ ବହିଯାଉଥିଲା ଧାର ଧାର ଲୁହ। ଧନୀ ମନ ଦୁଃଖରେ ଫାଟି ପଡୁଥିଲା ।
ଆହାଃ ବୁଢା ଆଉ କ’ଣ କିଛି ଭଲ ମନ୍ଦ ଖାଇବାକୁ ଚାହୁଁଛି କି ? ଜୀବନ ସାରା ଭଲ ରେ ଗଣ୍ଡେ ଖାଇଲା ନାହିଁ କି ପିନ୍ଧିଲା ନାହିଁ । ଏବେ ମରିଗଲା କ’ଣ ବା ନେଇଯିବା ସାଙ୍ଗରେ । ସେଇ ଛ ଖଣ୍ଡି କାଠରେ ବୁହା ହେଇ ମସାଣି କ ଯିବ । ଧନୀ ତା’ ସାଧ୍ୟ ମତେ ପୁରୀ, ଖିରୀ କରି ବୁଢା କୁ ଖୁଆଏ । ହେଲେ ବୁଢା ମୁହଁ ବିଚିକିଟିଆ କରିଦିଏ । ତେବେ ବୁଢା ର ଆଉ କ’ଣ ଦରକାର ? କାହିଁକି ମୁହଁ ରେ ଏ ଅତୃପ୍ତ ଭାବ ? ଆଉ କଣ ଆମିଷ ଖାଇବାକୁ ଚାହୁଁଛନ୍ତି କି ? ତହିଁ ଆର ଦିନ ରାଜା କୁ କହି ପାଖ ଗାଁ ବଜାର ରୁ ମାଛ ମଗେଇଲା । ଖୁବ ଯତ୍ନ ରେ ରାନ୍ଧି ଓ ତହିଁ ରୁ କଣ୍ଟା ବାଛି ବୁଢା କୁ ଖାଇବାକୁ ଦେଲା । ବୁଢା ଖାଇବା କ’ଣ … ମାଛକୁ ଦେଖି ଧନୀ କୁ କଟ ମଟ କରି ଚାହିଁ ବାକୁ ଲାଗିଲା । ଧନୀ ବୁଝିଗଲା । କାହିଁକି ଏତେ ଟଙ୍କା ଖର୍ଚ୍ଚ କରି ଏ ସବୁ ରନ୍ଧା ହେଉଛି ବୋଲି ବୁଢା ବିରକ୍ତ ହେଉଛି। ଧନୀ ମୁହଁ ମୋଡିଲା, “ହୁଁ ମରିବାକୁ ବସିଲାଣି ପଛେ କଞ୍ଜୁସ୍ ବୁଢା ଲୋଭ ଛାଡୁନି।“
ସେଦିନ ରାତିରେ ବୁଢା ଖୁବ୍ କଷ୍ଟ ପାଇଲା । ଛାଟିପିଟି ହେଲା । ସାରା ରାତି ଧନୀ ଓ ରାଜା ଜଗି ରହିଲେ । କ’ଣ କହିବ କହିବ ବୋଲି ଶେଷ ପର୍ଯ୍ୟନ୍ତ କହିପାରିଲାନି । ପାହାନ୍ତା ପହର ବେଳକୁ ତା ଜୀବନ ନାଟିକାଟି ତା ଦେହ ଛାଡି ଉଡିଗଲା । ତା ପୁଅ ନାତି ଓ ନାତୁଣୀ ଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ଧନୀ କିନ୍ତୁ ଜମା କାନ୍ଦୁ ନ ଥିଲା। ଏ ମୃତ୍ୟୁ ତ ବହୁ ବାଞ୍ଛିତ ଥିଲା । ଏଥିପାଇଁ ଦୁଃଖ କାହିଁକି ? ବରଂ ମରିଗଲାନି ଯେ ବୁଢାଟା ଉଦ୍ଧାର ପାଇଗଲା ।
ବନ୍ଧୁ କୁଟୁମ୍ବ ସମସ୍ତେ ଜମା ହୋଇଗଲେ, ଛ’ ଖଣ୍ଡି କାଠ କୋକେଇ ତିଆରି ହେଲା । ବୁଢାକୁ ତହିଁରେ ଶୁଆଇ ଦେଇ ଧୋବ ଲୁଗା ଖଣ୍ଡେ ଘୋଡାଇ ଦିଆଗଲା । ଗଙ୍ଗା ପାଣି ଛିଞ୍ଚି, ଖଇ କଉଡି ବିଞ୍ଚି ବୁଢାର ପୁଅ ଓ ପୁତୁରା ମାନେ କୋକେଇ କାନ୍ଧେଇ ମଶିଣା ଅଭିମୁଖେ ଚାଲିଗଲେ । “ରାମ୍ ନାମ୍ ସତ୍ୟ ହୈ”…… ଧ୍ଵନି ରେ ମୁଖରିତ ହୋଇଉଠିଲା । ଗାଁ ଦାଣ୍ଡ ପଛରେ ରହିଗଲା ବୁଢାର ଘରଦ୍ୱାର, ଜମିବାଡ଼ି ଯାହାକୁ ବୁଢା ଏତେ ଲୋଭ କରୁଥିଲା । ସାଙ୍ଗରେ ଗଲା ସେଇ ରାମ୍ ନାମ୍ ଯାହା ବୁଢା ଦିନେ ହେଲେ ଉଚ୍ଚାରଣ କରୁନ ଥିଲା ।
ଏଥର ଧନୀ ଘରଦ୍ୱାର ଧୋଇ ପକାଇଲା । ଦାଣ୍ଡ ଅଗଣାରେ ଗୋବର ପାଣି ଛିଞ୍ଚି ଦେଲା । ଆଉ ଜ୍ଞାତି ସ୍ତ୍ରୀ ଲୋକଙ୍କ ସହିତ ଧୀରେ ବୁଡ଼ ପକାଇବା ପାଇଁ ବାହାରିଲା । ହଠାତ୍ ତା’ର ମନେ ପଡିଲା। ବୁଢା ସେଇ ତେଲ ଚିକିଟା କନ୍ଥା ଓ ତକିଆ ଦୁଇଟି ଢିଙ୍କିଶାଳ ଘରେ ଅଣଆଡିଆ ହୋଇ ଥୁଆ ହେଇଛି । ଧନୀ ନାକକୁ ଟେକି ସେ ଦୁଇଟି ଉଠାଇନେଲା ଓ ମଶାଣିରେ ଫିଙ୍ଗିଦେଇ ନଈ ଘାଟକୁ ଗଡିଲା । ସେତେବେଳକୁ ହୁତ୍ ହୁତ୍ ହୋଇ ମଶାଣିରେ ବୁଢାର ଚିତା ଜଳୁଥିଲା । ଜୀବନର ଶେଷ ଷ୍ଟେସନ୍ ରୁ ତାକୁ ଆରପାରିକୁ ଟିକେଟର ମିଳିଯାଇଥିଲା । ଆଉ ଆରପାରିକୁ ସାଥିରେ କିଛି ତ ନେଇ ହେବନି । ଏମିତିକି ନିଜର ଏକ ପ୍ରିୟ ଦେହଟା ମଧ୍ୟ ଏଇଠାରେ ଅଦରକାରୀ ହେଇ ପଡିବରହିବ। କେବଳ ଆତ୍ମା ହିଁ ଯିବ ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱକୁ…….। ଏମିତି କିଛି ଦାର୍ଶନିକ ଚିନ୍ତା କରି ନଈ ବୁଡ଼ ପକାଇଲା ଧନୀ ।
ସବୁ ଠିକ୍ ଠିକ୍ ଚାଲିଥିଲା । ମାଲ ଭାଇମାନେ ଦାହ କାର୍ଯ୍ୟ ସାରି ଗାଧୋଇ ପାଧୋଇ ଜଳଯୋଗ କରି ଯେ ଯାହା ଘରକୁ ଯାଇଥିଲେ । ତହିଁ ଆରଦିନ ରଇ ଶୀତଳାଇ ଅସ୍ଥି ସାଉଁଟି ଆଣିଥିଲା ରାଜା। ଜ୍ଞାତି କୁଟୁମ୍ବ ତିକ୍ତ ଖାଇଥିଲେ । ଘଟଣାଟି ଘଟିଲା ଦୁଇଦିନପରେ। ସେ ଦିନ ରାତିରେ କାଳବୈଶାଖୀ ଅଜାଡ଼ି ହୋଇ ପଡିଥିଲା ତାଙ୍କ ଗାଁରେ। ଝଡ଼, ପବନ ଆଉ ଘୂର୍ଣ୍ଣିବାତ୍ୟାରେ କେତେ ଗଛ ଉପୁଡ଼ି ପଡ଼ିଲା । କେତେ ଚାଳଛପର ଉଡ଼ିଗଲା । ସକାଳୁ, ସକାଳୁ ବର୍ଷା ଥମିଲା । ପରେ କିଏ, କେମିତି ନଈ କୂଳ ଆଡ଼େ ପୋଖରୀ ପାଣି ଯାଇଥିଲେ । ସେଇଠି ହିଁ ସେମାନେ ଦେଖିଥିଲେ ସେଇ ଆଶ୍ଚର୍ଯ୍ୟଜନକ ଘଟଣା । ନଈକୂଳ ମଶାଣି ପଦାରେ ଉଡୁଥିଲା ଟଙ୍କା ମାନେ ନୋଟ୍… ପଚାଶ ଟଙ୍କିଆ, ଶହେ ଟଙ୍କିଆ ନୋଟ୍ ମାନ…। ପ୍ରଥମେ ଯିଏ ଦେଖିଲା ସେ ଥମିକି କରି ଠିଆ ହୋଇଗଲା । ତା’ ଛାତି ଧଡ଼ ଧଡ଼ ହୋଇ ପଡ଼ିଲା ଉଠିଲା । ଏହା କ’ଣ କୌଣସି ଭୌତିକ କାଣ୍ଡ ! କୌଣସି ଅଶରୀରୀ ଅତୄପ୍ତ ଆତ୍ମା ଅଥବା ବ୍ରହ୍ମ ରାକ୍ଷସର ଖେଳ ! ନା କୌଣସି ଯାଦୁଗରର ଯାଦୁ ! ସେ ଲୋକଟି ବ୍ରାହ୍ମଣ ଥିଲା । ନିଜ ପଇତାରେ ହାତ ପକାଇଲା। ବ୍ରହ୍ମଗଣ୍ଠି ତା ହାତରେ ଅଛି । ଡାହାଣୀ, ଚିରିଗୁଣୀ ତା’ର କୌଣସି କ୍ଷତି କରିପାରିବେ ନାହିଁ । କିନ୍ତୁ ମଶାଣୀକୁ ଗଲେ ତା’ ପଇତା ମାରା ହେବ। ପୁଣିଥରେ ଗାଧୋଇ ବଦଳାଇବାକୁ ପଡ଼ିବ। ପଡୁ ପଛେ, ସେ ଟଙ୍କା ମୋହ ତ ଛାଡିପାରିବ ନାହିଁ। ସେ ନିଜେ ପରଖି ଦେଖିବ ସତ ଟଙ୍କା କି ମିଛ। ସେ ମଶାଣି ଆଡ଼କୁ ମାଡ଼ିଗଲା ଏବଂ ଦୁଇ ତିନୋଟି ନୋଟ ଗୋଟାଇ ପକାଇଲା। ହାତରେ ଧରି ଏପଟ ସେପଟ କଲା । ଆରେ ଏ ତ ସତ ସତିକା ଟଙ୍କା… ! ଏତେ ବେଳକୁ ଆଉ ଦୁଇ ଚାରିଜଣ ସେ ଆଡ଼କୁ ଗଡ଼ିଲେଣି । ଟଙ୍କା ଗୋଟେଇବାରେ ଲାଗିଗଲେଣି। ଏ ଭିତରେ ଗାଁରେ ହୁରି ପଡ଼ିଲାଣି । ମଶାଣିରେ ଟଙ୍କା ଉଡୁଛି, ଟଙ୍କା । ସବୁ କାମ ଦାମ ଛାଡ଼ି ଲୋକେ ଦଉଡୁଛନ୍ତି ଟଙ୍କା ପଛରେ । ଏତେ ବେଳକୁ ଆଉ ଧର୍ମ, ଅଧର୍ମର ଡର ନାହିଁକି ଶୌଚ ଅଶୌଚର ପ୍ରଶ୍ନ ନାହିଁ। ଟଙ୍କା ହିଁ ମୂଳମନ୍ତ୍ର । ଟଙ୍କା ପଛରେ ଊର୍ଦ୍ଧ୍ଵ ହାତରେ ଦଉଡୁଛି ମଣିଷ । କଣ୍ଟା, ଝଣ୍ଟା,ପଙ୍କ, କାଦୁଅ କିଛି ମାନୁନାହାନ୍ତି । କିଛି ଟଙ୍କା ନଈ ପାଣିରେ ପଡ଼ି ଭାସିଯାଇଛି ତ କିଛି ଯୁବକ ପାଣିକୁ ଡେଇଁପଡ଼ି ତା’କୁ ଛାଣି ଆଣୁଛନ୍ତି । ଏ ହୋ… ହା… ଭିତରେ ଧନୀର ପୁଅ ମଧ୍ୟ ଯାଇଛି । ସେ ମଧ୍ୟ ପଚାଶ ଟଙ୍କାଟିଏ ଗୋଟାଇଛି । କଣ୍ଟା ବୁଦା ଉପରୁ ଟଙ୍କାଟିକୁ ଗୋଟାଇବାକୁ ଯାଇ ବାହୁ ତା’ର ଦୁଇ ତିନିଜାଗାରୁ ଚିରିଯାଇଛି । ରକ୍ତ ଝରି ପଡୁଛି । ଏମିତି କେତେ କିଏ କେତେ ଟଙ୍କା ଗୋଟାଇ ଅଣ୍ଟିରେ ଗୁଞ୍ଜି ସାରିଲେଣି । ଆସ୍ତେ ଆସ୍ତେ ଟଙ୍କା ଉଡ଼ିବା ବନ୍ଦ ହୋଇଗଲା ପରେ ସମସ୍ତେ ଚାହିଁଲେ ବାହାରି ଆସୁଥିବା ଦିଗ କୁ । ଧନୀ ଫୋପାଡି ଦେଇଥିବା ତା’ ଶ୍ୱଶୁରର ତେଲ ଚିକିଟା, ମଇଳା ତକିଆଟି ଘୂର୍ଣ୍ଣିପବନରେ ଫାଟିଯାଇଛି ଏବଂ ସେଥିରୁ ହିଁ ଟଙ୍କାଗୁଡିକ ବାହାରି ପବନରେ ଉଡୁଛି । ଦୁଇ ଚାରିଜଣ ସେ ତକିଆ ଉପରକୁ କୁଦିପଡିଲେ। ଟିକିଟିକି କରି ସେ ତକିଆକୁ ଚିରିପକାଇ ବିଚିକିଟିଆ ତୁଳା ଭିତରୁ ଆଉ ଦୁଇଖଣ୍ଡ ଶହେ ଟଙ୍କିଆ ନୋଟ ଟାଣି ଆଣିଲେ । ଧନୀର ପୁଅ ‘ମୋ ଜେଜେଙ୍କ ତକିଆ ମୋତେ ଦିଅ… ମୋତେ ଦିଅ’ କହି ସେମାନଙ୍କଠାରୁ ଟଣାଟଣି କଲା । ତା’ ହାତରେ ପଡ଼ିଲା କେବଳ ବିଚିକିଟିଆ ଗନ୍ଧଥିବା ତକିଆର ଖୋଳ ଟି । ଆଉ ତା’ ଭିତରେ ନ ତୁଳା ଥିଲା ନା ଟଙ୍କା ଥିଲା ।
ଧନୀର ପୁଅ ଘରେ ଯାଇ ଏ ଖବର ଦେଲା ପରେ ଧନୀ ଓ ରାଜା ପାଗଳ ପରି ମଶାଣିକୁ ଦଉଡ଼ିଥିଲେ । ମଶାଣିର ହାଡ଼, ପାଉଁଶ, ଖପରା,ଖଣ୍ଡିଆ ଝାଡୁ ଇତ୍ୟାଦି ସବୁ ଅଣ୍ଡାଳି ପକାଇଥିଲେ । ନା, ଆଉ ଗୋଟିଏ ବି ଟଙ୍କା କଉଠି ନ ଥିଲା । କେବଳ ତକିଆ ଖୋଳଟି ଗୋଟେ କଣ୍ଟା ବୁଦାରେ ଲାଗି ପବନରେ ଫରଫର ଉଡୁଥିଲା । ସତେକି କହୁଥିଲା,
“ଥୋଇଲା ଧନ ତୋର ଖଣ୍ଡ ଖାଇବେ, ଥାନେ ତୋହର ଘରକରି ରହିବେ”
ଧନୀ ଓ ରାଜାଙ୍କୁ କିଛି ଶୁଭୁ ନ ଥିଲା। ସେମାନେ ପୁଣି ଗାଁ ଭିତରକୁ ଦଉଡ଼ିଲେ । ପ୍ରତିଟି ଘରର କବାଟ ବାଡ଼େଇ ନେହୁରା ହେଲେ, “ବୁଢ଼ା ରଖିଥିବା ଟଙ୍କା ଆମକୁ ଦେଇଦିଆ । ଆମେ ତା’ର ଉତ୍ତରାଧିକାରୀ । ଆମରି ପେଟରୁ, ଅଣ୍ଟାରୁ ପଇସେ, ପଇସେ କାଟି ବୁଢ଼ା ଏତକ ସଞ୍ଚୟ କରିଥିଲା । ଶେଷ ବେଳ କୁ ପାଟି ପଡ଼ିଯିବାରୁ କିଛି କହି ପାରିଲା ନାହିଁ । ଦୟାକରି ମଶାଣିରୁ ପାଇଥିବା ଆମ ଟଙ୍କା ଆମକୁ ଫେରାଇ ଦିଅ ।”
ଗାଁ ଲୋକ କେହି ବି ମଶାଣି ଆଡ଼େ ଯାଇଥିବା କଥା ମାନିଲେ ନାହିଁ । ଟଙ୍କା ପାଇବାର ପ୍ରଶ୍ନ ହିଁ ନ ଥିଲା। ନିରାଶ ହୋଇ ଫେରିଲେ ରାଜା ଓ ଧନୀ । ରାଜା ତ ଗୁମ୍ ମାରି ବାରଣ୍ଡାରେ ବସିଗଲା ।ହେଲେ ଧନୀ ଛାତିକୁ ବାଡ଼େଇ ବାଡ଼େଇ ଚିତ୍କାର କରି କାନ୍ଦୁଥିଲା । ବୁଢ଼ାର ଆବର୍ତ୍ତମାନରେ ତା’ର ଯେତିକି ଦୁଃଖ ନ ଥିଲା ତା’ ଠାରୁ ଶତଗୁଣରେ ଅଧିକ ଦୁଃଖ ଥିଲା ଟଙ୍କାଟା ହାତଛଡ଼ା ହୋଇଯିବାରେ । ଏ ବସ୍ତୁବାଦୀ ଦୁନିଆଁରେ ଟଙ୍କାଟା ଯେମିତି ତା’ଶ୍ୱଶୁରଠାରୁ ଅଧିକ ମୂଲ୍ୟବାନ ଥିଲା !