ପୁରୀ- ତାଳଚେର ଫାଷ୍ଟ ପ୍ୟାସେଞ୍ଜର୍ରେ ଆସନଟିଏ ଦଖଲ କରି ନେଲାପରେ ମୋର ପ୍ରଥମ କାମହେଲା ଘୂରି ଘୂରି ସହଯାତ୍ରୀମାନଙ୍କୁ ଦେଖିବା । ଦୀର୍ଘ ଚାରିଘଣ୍ଟାର ଟ୍ରେନ୍ଯାତ୍ରା ବନ୍ଧୁ ବିନା ଖୁବ୍ କଷ୍ଟକର । ଭୁବନେଶ୍ୱରରୁ ସାଢ଼େ ପାଞ୍ଚାଟାରେ ଟ୍ରେନ୍ ଛାଡ଼ିଲାବେଳକୁ ଗୋଧୁଳିଲଗ୍ନା ଅସ୍ତସୂର୍ଯ୍ୟ ପଶ୍ଚିମ ଆକାଶଟାକୁ ଲାଲ ଓ ହଳଦିଆ ରଙ୍ଗରେ ଫେଣ୍ଟା ଫେଣ୍ଟି କରି ରଙ୍ଗାଇ ଦେଇଥାଆନ୍ତି । ବୃକ୍ଷ, ଲତା, ସ୍ଥାବର ଜଙ୍ଗମ ସବୁରି ଉପରେ ଲୋହିତ ଆଲୋକର ମଧୁର ହଟା ବିଛାଡ଼ି ହୋଇପଡ଼ିଥାଏ । ଏସବୁ ଦୃଶ୍ୟକୁ ଟ୍ରେନ୍ର ଝରକା ଫାଙ୍କରୁ ମୁଁ ବିମୋହିତ ହୋଇ ଚାହିଁ ରହେ । ହେଲେ ଟ୍ରେନ୍ ବାରଙ୍ଗ ଷ୍ଟେସନ୍ ଡେଇଁଥିବ କି ନାହିଁ ଏ ସୁନ୍ଦର ଦୃଶ୍ୟପଟ ଉପରେ କିଏ ଯେମିତି ଢାଙ୍କିଦିଏ ଅନ୍ଧକାରର ପର୍ଦା । ଧୀରେ ଧୀରେ ସବୁ ହୋଇଉଠେ ଅସ୍ପଷ୍ଟ । ଆଉ ନରାଜ ଷ୍ଟେସନ୍ ହେଲାବେଳକୁ ତ ସବୁଆଡ଼ କଳା କିଟିକିଟି ଅନ୍ଧକାର । ସାରା ବିଶ୍ଵ ଯେମିତି କାଳିମାରେ ଡୁବିଯାଇଛି ଏବଂ ତା’ ମଧ୍ୟରେ ଛୁକ୍ ଛୁକ୍ କରି ଆଗେଇ ଚାଲିଛି ଏଇ ବାଷ୍ପୀୟଶକଟଟି ।
ଏଇ ଟ୍ରେନ୍ର ମୁଁ ନିୟମିତ ଯାତ୍ରୀ । ପ୍ରତିଦିନ ସକାଳୁ ଏଇ ଟ୍ରେନ୍ରେ ଆସି ମୁଁ ଭୁବନେଶ୍ଵରରେ ଅଫିସ୍ କରେ ଆଉ ରାତିରେ ପୁଣି ଏଇ ଟ୍ରେନ୍ରେ ଘରକୁ ଫେରେ । । ତେଣୁ ପ୍ରତିଦିନର ଏଇ ଚାରିଘଣ୍ଟାର ବିରକ୍ତିକର ଯାତ୍ରାରୁ ରକ୍ଷାପାଇବା ପାଇଁ. ସାଥଟିଏ ଲୋଡ଼ା । ଯାହା ସହିତ ଗପସପ କରି ସମୟଟା କଟାଇ ଦେଇହେବ । ଥରେ ଥରେ କିଛି ଚିହ୍ନା ସାଥି ଯୁଟି ଯାଆନ୍ତି ଆଉ ଥରେ ଥରେ କିଛି ଅଚିହ୍ନା ବନ୍ଧୁତ୍ୱ କରିବାକୁ ପଡ଼େ । ଏ ଭିତରେ ମୁଁ ଅଚିହ୍ନାଙ୍କ ସହିତ ବନ୍ଧୁତ୍ୱ କରିବାରେ ଧୁରନ୍ଧର ହୋଇଗଲିଣି । ସେଦିନ ସେମିତି ସେ ଭଦ୍ରଲୋକଙ୍କୁ ବନ୍ଧୁ କରିଦେଲି ନା… ।
ମୋ ସାମ୍ନା ସିଟ୍ରେ ବସିଥୁବା ଭଦ୍ରଲୋକ ଗୋରା, ଡେଙ୍ଗା ଆଉ ମଧ୍ୟମ ସ୍ଵାସ୍ଥ୍ୟର । ବୃଦ୍ଧିଦୀପ୍ତ ଆଖିରେ ମୋଟା ଲେନ୍ସର ଚଷମା, ଗୋଟେ ଜ୍ଞାନୀ ଓ ସାହସୀ, ସାହସୀ ଚେହେରା । କେମିତି ଏକ ନିର୍ଲିପ୍ତ ଭଙ୍ଗୀରେ ବସିଥିଲେ । ସତେ ଯେମିତି ସେ ସମସ୍ତଙ୍କୁ ଦେଖୁଛନ୍ତି ପୁଣି କାହାକୁ ଦେଖୁନାହାନ୍ତି । ଏତେ ଗହଳି ଭିତରେ ପୂରା ଏକା, ଏକା । ମୁଁ ତାଙ୍କୁ ଚାହିଁ ଅଳ୍ପ ହସି କଥା ଆରମ୍ଭ କଲି, ” ଆଜ୍ଞା, କିଛି ମନେ କରିବେନି । ଆପଣଙ୍କୁ କୋଉଠି ଦେଖିଥୁଲା ପରି ଲଗୁଛି । ଆପଣଙ୍କ ଘର ଅନୁଗୁଳ ନୁହେଁ ତ ?” ସେ ମ୍ଲାନ ହସି ଉତ୍ତର ଦେଲେ, “ହଁ, ମୋ ଘର ଅନୁଗୁଳ, ” କିନ୍ତୁ କଥାର ଖିଅ ଯୋଡ଼ି ପଚାରିଲେ ନାହିଁ, ” ତୁମ ଘର କେଉଁଠି ?” ମୁଁ ପୁଣି ଉପରେ ପଡ଼ି ମୋ ପରିଚୟ ଦେଲି । “ମୋ ଘର ଆଜ୍ଞା, ତାଳଚେର । ଅନୁଗୁଳ କଲେଜରେ ପଢୁଥୁଲି ତ । ସେଇଠି ହୁଏତ ଆପଣଙ୍କୁ ଦେଖିଥୁବି ।”
“ହଁ ତା’ ବି ହୋଇପାରେ । ମୁଁ ପଞ୍ଚସ୍ତରୀ ମସିହାରେ ଅନୁଗୁଳ କଲେଜରୁ ବି.ଏସ୍ସି ପାସ୍ କରିଥିଲି ।” ତାଙ୍କର ଏ ପଦିଏ କଥାରେ ମୁଁ ଖୁସି ହୋଇ ଆପଣାର ପରି କଥା ଲମ୍ବାଇ ଦେଲି । “ତା’ହେଲେ ତ ଠିକ୍ ଅଛି, ଆଜ୍ଞା । ମୁଁ ପରା ଚଉସ୍ତରୀ ମସିହାରେ ବି.ଏ. ପାସ୍ କରି ସିଭିଲ୍ ସପ୍ଲାଏ ଅଫିସ୍ରେ ଜଏନ୍ କରିଥିଲି । ସାରା ଓଡ଼ିଶା ବୁଲି ବୁଲି ଏଇ ତିନିବର୍ଷ ହେଲା ଭୁବନେଶ୍ଵର ହେଡ଼୍ ଅଫିସ୍କୁ ବଦଳି ହୋଇଛି । ମୋ ବାପା, ମାଆଙ୍କର ବୟସ ଅଧିକ ହୋଇଯାଇଥିବାରୁ ମୋ ପିଲାମାନଙ୍କୁ ତାଙ୍କ ପାଖରେ ଛାଡ଼ିଦେଇଛି ଆଉ ମୁଁ ଏ ଫାଷ୍ଟ ପ୍ୟାସେଞ୍ଜରରେ ପ୍ରତିଦିନ ଯାଂଆସ କରୁଛି । କଂଣ କହିବି, ଆଜ୍ଞା । ମୁଁ ଭାରି ଦୁଃଖୀ । ସକାଳ ଛଅଟାରେ ଘରୁ ବାହାରୁଛି ଯେ ରାତି ନଅଟାରେ ଘରେ ପହଞ୍ଚୁଛି । ମୋ ବାପାଙ୍କୁ ପାରାଲିସିସ୍, ମା’ଙ୍କୁ ଆଜ୍ମା । ପୁଅଟା ଡିପ୍ଲୋମା କରି ଘରେ ବସିଛି । ଚାକିରି ଖଣ୍ଡେ ନାହିଁ, ଆଉ ଝିଅ କଥା କଣ କହିବି । ଦୁଇବର୍ଷ ହେଲା ବି.ଏ. ପାସ୍ କଲାଣି । ବାହାଘର ପାଇଁ ବରପାତ୍ରଟିଏ ଯୋଗାଡ଼ ହୋଇପାରୁନି । ମୋର ତ ତାଳଚେର, ଭୁବନେଶ୍ୱର ହୋଇ ଦିନ ଗଲା । ବଡ଼ ଜୋର୍ରେ ରବିବାର ଗୋଟାଏ ଦିନ । ସ୍ତ୍ରୀର ଅଭିଯୋଗ ଶୁଣୁ ଶୁଣୁ ସରିଯାଏ । ଆଉ କେତେବେଳେ କ’ଣ କରିବି ?” ଭଦ୍ରଲୋକ ଆଉ ମୋତେ କହିବାକୁ ନ ଦେଇ ହୋ… ହୋ… ହୋଇ ହସି ଉଠିଲେ । ମୁଁ କାବା ହୋଇ ଚାହିଁ ରହିଲି । ଆରେ, ଇଏ ଏମିତି ମୋ ଦୁଃଃଖ ଶୁଣି ହସୁଛନ୍ତି କ’ଣ !
ଭଦ୍ରଲୋକ ଏଥର ତାଙ୍କ ହସକୁ ଚାପିରଖି କହିଲେ, ” ଆପଣଙ୍କ ନାଁ ଟା କ”ଣ କହିଲେ ତ… ବିବେକ ଦାସ । ଆଚ୍ଛା ବିବେକବାଦୁ, ଦୁଃଖ ବୋଇଲେ କ’ଣ ଜାଣିଛନ୍ତି ? ଆପଣ ଏଇ ଯେଉଁ ଦୁଃଖଗୁଡ଼ାକ ଆପଣଙ୍କର କହିଲେ, ଏଥୁରେ ଦୁଃଖ କଉଠି ଅଛି ? ଏତ ଜୀବନଚର୍ଯ୍ୟା, ଗତାନୁଗତିକ ଜୀବନର ସମସ୍ୟା । ବାପା, ମା’ ବୁଢ଼ାଚୁଢ଼ୀ ହେଲେ ତାଙ୍କର ତ ରୋଗ, ବେମାରି ହେବ ହିଁ ହେବ । ଏଥ୍ବପାଇଁ ଦୁଃଖ କାହିଁକି ? ଆଉ ପୁଅ ପାଇଁ ଚାକିରି… । ଆଜିକାଲି ଚାକିରି ମିଳୁଛି କଉଠି ? ପୁଣି ଝିଅ ବାହାଘର । ତା’ ତ ସମୟ ଆସିଲେ ଆପେ ଆପେ ହେବ । ଏ ଟ୍ରେନ୍ରେ ଯେତେ ଲୋକ ଯାଉଛନ୍ତି ସମସ୍ତଙ୍କର ଏମିତି ସମସ୍ୟା ପ୍ରାୟତଃ ରହିଛି ଆଉ ତାଂର ସମାଧାନ କେବଳ ସମୟ ହିଁ କରୁଛି । ୟାକୁ କହନ୍ତିନି ଦୁଃଖ । ଦୁଃଖ କ’ଣ ଶୁଣିବେ ?” ମୁଁ ବଡ଼ ଆଗ୍ରହରେ ଡିମା ଡିମା ଆଖିକରି କହିଲି, “ହଁ… ହଁ… ଶୁଣାନ୍ତୁ ।”
” ତେବେ ଶୁଣନ୍ତୁ ! ପଚିଶ ବର୍ଷ ତଳର କଥା କହୁଛି । ମୁଁ ନୂଆ ନୂଆ ଆର୍ମିରେ ଯୋଗଦେଇ ମିରଟରେ ରହୁଥାଏ । ସେତେବେଳେ ଏମିତି ଟେଲିଫୋନ୍ କି ମୋବାଇଲ୍ର ଯୁଗ ଆସିନଥାଏ । ଶୀଘ୍ର ଖବର ପଠାଇବାର ଏକମାତ୍ର ମାଧ୍ୟମ ହେଲା ଟେଲିଗ୍ରାମ୍ । ସେଦିନ ହଠାତ୍ ମୋ ଅଫିସ୍ରେ ଟେଲିଗ୍ରାମ୍ଟିଏ ପହଞ୍ଚୁଲା- କିରଣ ଡାଏଡ଼, କମ୍ ସୁନ୍ ।
ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ଚାରିଆଡ଼ ଅନ୍ଧକାର ଦେଖାଗଲା । ମୁଁ ଚେତାଶୂନ୍ୟ ହୋଇପଡ଼ିଲି । ମୋ ଷ୍ଟାଫ୍ମାନେ ପାଣି ଛାଟି ମୋତେ ଚେତା କରାଇଲେ । ମୁଁ ଟେଲିଗ୍ରାମ୍ଟା ସେମାନଙ୍କୁ ଦେଖାଇଦେଇ ପୁଣି କାନ୍ଦି ଉଠିଲି । ମୋ ଆଖିରୁ ଛୁଟି ଚାଲିଥିଲା ଧାର ଧାର ଲୁହ । କାରଣ ଏ କିରଣ ହେଲେ ମୋ ବଡ଼ ଭାଇ, ଯାହାଙ୍କର ବାହାଘର ଦୁଇ ମାସ ତଳେ ହୋଇଥଲା । ମୁଁ ମାସଟାଏ ଛୁଟି ନେଇ ଏ ବାହାଘର ଖୁବ୍ ଜାକଜମକରେ କରାଇ ଫେରିଥଲି । ଆଉ କିଛି ଖବରଅନ୍ତର ନାହିଁ ହଠାତ୍ ଟେଲିଗ୍ରାମ୍ କ’ଣ ନା ସେ ଚାଲିଗଲେ ! କୁହନ୍ତୁନା ମୋ ଆଖିରୁ ଲୁହ କେମିତି ନ ଝରିବ ?
“ମୁଁ କିଛି ବି ନିଜେ କରିବା ଅବସ୍ଥାରେ ନ ଥିଲି । ମୋ ଷ୍ଟାଫ୍ମାନେ ପନ୍ଦରଦିନ ପାଇଁ ଛୁଟି ମଞ୍ଜୁର କରାଇଦେଇ ଟ୍ରେନ୍ରେ ଟିକେଟ୍ ରିଜର୍ର୍ଭେସନ୍ କରାଇଦେଲେ । ମୋ ଜିନିଷପତ୍ର ସଜାଡ଼ି ମୋତେ ନେଇ ଟ୍ରେନ୍ରେ ବସାଇ ମଧ୍ୟ ଦେଲେ । ଦୁଇଦିନ କାଳ ମୁଁ ଟ୍ରେନ୍ରେ କ’ଣ ଖାଇଛି, କ’ଣ କରିଛି ମୋ ହୋସ୍ ନଥାଏ । କେବଳ ଲୁଚାଇ ଲୁଚାଇ ଲୁହ ପୋଛୁଥାଏ, ଆଉ ଭାବୁଥାଏ ସଜଫୁଲଟିଏ ପରି ସୁନ୍ଦର ଓ ସତେଜ । ମୋ ଭାଉଜଟିର ଅବସ୍ଥା କ”ଣ ହେବ ? ବଞ୍ଚିବାର ସ୍ଵପ୍ନ ଦେଖୁ ଦେଖୁ, ଜୀବନର ରଙ୍ଗ ମାଖୁ ମାଖୁ ସବୁ ପୋଛି ହୋଇଗଲା ! ହେ ଭଗବାନ୍, କେମିତି ବଞ୍ଚବେ ସେ… । ଆଉ ମା ବାପା, ମା’ କ’ଣ କରିବେ ? ବର୍ଷଟାଏ ସାନବଡ଼ ଆମେ ଦୁଇଭାଇ । ଭାଇ କମ୍, ବନ୍ଧୁ ବେଶୀ । ମୁଁ ଆର୍ମିରେ ଜଏନ୍ କଲି ଆଉ ସେ କଣ୍ଟ୍ରାକଟିଂ କଲେ । ମୋତେ କହିଲେ, ‘ତୁ ତ ସବୁବେଳେ ଦୂରରେ ରହିବୁ, ମୁଁ ହେଲେ ବାପା ମା’ଙ୍କ ପାଖେ ପାଖେ ଥାଏ ।’ ଅଥଚ ସେ ଆମକୁ ଛାଡ଼ିଦେଇ କୁଆଡ଼େ ଚାଲିଗଲେ । କିଏ ଆଉ ଵୁଝିବ ବାପା, ମା’ଙ୍କ କଥା । କିରଣ ଭାଇଙ୍କ ବିନା କେମିତି ବଞ୍ଚବୁ ଆମେ ?
” କଟକ ଷ୍ଟେସନରେ ଓହ୍ଲାଇ ଅନ୍ୟମନସ୍କ ଭାବରେ ରିକ୍କା ଷ୍ଟାଣ୍ଣକୁ ଯାଉଛି କିଏ ମୋତେ କୁଣ୍ଢାଇ ଧରି କହିଲେ, “ଆରେ ଅରୁଣ, ତୁ କେମିତି ଆସିଲୁ ?” ମୁଁ ଚମକି ଚାହିଁଲି । ସେ ଥିଲେ ମୋ କିରଣ ଭାଇଙ୍କ ସାଙ୍ଗ ଲାଲ୍ଟୁ ଭାଇ । ତାଙ୍କ ମୁହଁରେ ଦୁଃଖର କୌଣସି ଚିହ୍ନ ବର୍ଣ୍ଣ ନ ଥିଲା । ମୁଁ ଶୁଖିଲା ମୁହଁରେ କହିଲି, ” ଏମିତି ଚାଲିଆସିଲି । ଆଉ ଆପଣଙ୍କର ସବୁ ଭଲ ତ ?”
“ହଁ… ହଁ… ଭଲ… ଭଲ,… ଭଲ ମାନେ ଖୁବ୍ ଭଲ । ଆରେ ତୁ ସୁଖବରଟା ଜାଣିନୁ କି ? ତୋ ଭାଇ କାଲିପରା ଆମମାନଙ୍କୁ ଭୋଜି ଦେଇଛି ।”
“କାଲି… ମାନେ… ?”
” ମାନେ କାଲି ଆମକୁ ଗେଷ୍ଟ୍ ହାଉସ୍ରେ ଭୋଜି ଖୋଇଛି । କୋଟିଏ ଟଙ୍କାର କାମଟା ମିଳିଗଲା ତ ।” ମୁଁ ତାଙ୍କ ହାତକୁ ଚାପି ଧରିଲି । ମୋ ଛାତି ସେତେବେଳକୁ ଖୁବ୍ ଜୋର୍ରେ ଥରୁଥାଏ ।
” ଲାଲ୍ଟୁଭାଇ କ’ଣ କହିଲ… କାଲି ମାନେ… ଗତ କାଲି… ।”
“ଆରେ କ’ଣ ଏମିତି ବାଇଆ ପରି ପଚାରୁଛୁ ? ଗତକାଲି ନୁହେଁ, ଆଉ କ’ଣ ଆସନ୍ତା କାଲି । ଟ୍ରେନ୍ରେ ବସି ବସି ତୋ ମୁଣ୍ଡଟା ବିଗିଡ଼ିଗଲାଣି । ଯା… ଯା… ନୂଆ ଭାଉଜ ହାତରୁ ଚା’ କପେ ପିଇଦେଲେ ତୋ ମୁଣ୍ଡ ଠିକ୍ ହୋଇଯିବ ।”
ଏ .. ହଁ. ହ.. ନା… ମାନେ… ”
“ଆରେ, ତୁ ରାତିସାରା ଶେଇନୁ କି ? ଏ ରିକ୍ବା, ବାବୁଙ୍କୁ ଚାଉଳିଆଗଞ୍ଜ ନେଇଗଲୁ । ” ମୁଁ ରିକ୍ସାରେ ବସି ହିସାବ କଲି । ଆଜିକୁ ପାଞ୍ଚଦିନ ହେବ । ଆଉ ଇଏ ଭାଇଙ୍କ ସାଙ୍ଗରେ କାଲି ଭୋଜି ଖାଇଛନ୍ତି ! ତା’ହେଲେ ଟେଲିଗ୍ରାମ୍ଟା କ’ଣ ମିଛ… ?
ଘରେ ପହଞ୍ଚି ଜାଣିଲି ଯେ ସତରେ ଟେଲିଗ୍ରାମ୍ଟା ମିଛ । ବପା, ମା’ଙ୍କର ମିଠା ମିଠା ହସ, ଭଉଣୀଟିର ଛଳ ଛଳ ଝରଣା ପରି ଖୁସିରେ ଝରିଯିବାର ଆନନ୍ଦ, ଆଉ ମୋ ପ୍ରିୟ ଭାଉଜଟିର ରୁମ୍ଝୁମ୍ ପାଉଁଜିର ମଧୁର ରାଗିଣୀ ସହିତ ଝୁମ୍ଝୁମ୍ ଚୁଡ଼ିର ଅପୂର୍ବ ସିମ୍ପନୀ ମୋତେ ବିଭୋର କରିଦେଲା । ମୁଁ ଲାଜ ଲାଜ ହୋଇ ଆଗେ ଗାଧୁଆ ଘରେ ପଶିଗଲି । ଦାଢ଼ି ଖିଅର ହୋଇ ଥଣ୍ଡାପାଣିରେ ଗାଧୋଇ ସାରିଲା ପରେ ମୋତେ ଟିକେ ଆରାମ ଲାଗିଲା । ଭାଉଜଙ୍କ ହାତରୁ ଚା’ କପ୍ଟେ ନେଇ ବାପାଙ୍କ ପାଖରେ ବସିପଡ଼ିଲା ବେଳକୁ ଦେଖିଲି ସମସ୍ତଙ୍କର ପ୍ରଶ୍ନିଳ ଦୃଷ୍ଟି ମୋ ଉପରେ ଘୁରି ବୁଲୁଛି । ସଂକ୍ଷେପରେ ସବୁକିଛି କହିଲି । ଘରସାରା ସମସ୍ତେ ସତେ ଯେମିତି ପ୍ରଚୁର ହସ ପାଇଁ ଖୋରାକ୍ ପାଇଗଲେ । ହେଲେ ମୋ ମନରେ ତଥାପି ପ୍ରଶ୍ନଟିଏ ଉଙ୍କି ମାରୁଥାଏ । ଏମିତି ଟେଲିଗ୍ରାମ୍ କଲା କିଏ ? ଭାଇ ଆଜି ସକାଳେ ତାଙ୍କ କଣ୍ଟ୍ରାକଟିଙ୍ଗ କାମରେ ଭୁବନେଶ୍ଵର ଯାଇଛନ୍ତି । ଫେରୁ ଫେରୁ ଦୁଇ ତିନିଦିନ ଲାଗିଯିବ । ଯେତେ ଯାହାହେଲେ ବି ମୋ ମନଟା ଜମାରୁ ବୁଝୁନଥାଏ । ଖାଇସାରିଲା ପରେ ମା’ଙ୍କୁ କହିଲି, ” ଭାଇଙ୍କୁ ଥରେ ନ ଦେଖିବା ପର୍ଯ୍ୟନ୍ତ । ମୋ ମନଟା ଜମାରୁ ଦୁଝୁନି । ମୁଁ ଭୁବନେଶ୍ଵର ଯାଉଛି ।”
ଦେଖୁ ଦେଖୁ ଭାଇ ମୋତେ ଖୁସିରେ କୁଣ୍ଢାଇ ପକାଇଲେ, ହେଲେ ଆଶ୍ଚର୍ଯ୍ୟ ହେଲେ ନାହିଁ । ହସି ହସି କହିଲେ, ” ମୁଁ ଜାଣିଥୁଲି ତୁ ନିଶ୍ଚୟ ଆସିବୁ । ଏ ଟେଲିଗ୍ରାମ୍ଟା ମୁଁ ହିଁ କରିଥୁଲି !” ଭା…ଇ… ! ମୁଁ ବିସ୍ମୟରେ ଫାଟିପଡ଼ିଲି । “ଆରେ ଏଥିରେ ଏମିତି ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ତୋ ବାହାଘର ପାଇଁ ଗୋଟେ ଭଲ ପ୍ରସ୍ତାବ ମୋର ଜଣେ ସାଙ୍ଗ ଆଣିଛି । ଜଣେ ମେଜଇର୍ଙ୍କ ଝିଅ । ଝିଅଟି ମଧ୍ୟ ଦେଖିବାକୁ ସୁନ୍ଦରୀ ଓ ଶିକ୍ଷିତା । ସେ ମଧ୍ୟ ଡିଫେନସ୍ରେ ଚାକିରି କରୁଥୁବା ଜ୍ୱାଇଁ କରିବା ପାଇଁ ଆଗ୍ରହୀ । ତାଙ୍କ ହାତରେ ଅନ୍ୟ ଏକ ପ୍ରସ୍ତାବ ମଧ୍ୟ ଅଛି । ସେ ଚହାନ୍ତି ଆମେ ଯଦି ତାଙ୍କ ଝିଅକୁ ବୋହୂ କରିବାକୁ ରାଜିହେବା, ତେବେ ସେ ଅନ୍ୟ ପ୍ରସ୍ତାବଟି ଛାଡ଼ିଦେବେ । ତେଣୁ ଆମ ଡିସିସନ୍ ତାଙ୍କ ପାଇଁ ଅତି ଜରୁରୀ ଏବଂ ଏଥିପାଇଁ ତୋ ଉପସ୍ଥିତି ମଧ୍ୟ ଜରୁରୀ । ମୁଁ ତାଙ୍କୁ କହିଲି ଯେ ମୋ ଭାଇ ଏବେ ଏବେ, ମାସେ ଛୁଟି ନେଇ ଆସିଥୁଲା । ତେଣୁ ଛଅମାସ ପର୍ଯ୍ୟନ୍ତ ଆଉ ଛୁଟି ମିଳିବ ନାହିଁ । ସେ ଭଦ୍ରଲୋକ ଅଳ୍ପ ହସିଲେ ଓ କହିଲେ, “କିଏ ଗୋଟେ ମରିଯାଇଛି ବୋଲି ଟେଲିଗ୍ରାମ୍ କରିଦିଅ । ବଳେ ଛୁଟି ମିଳିଯିବ । ମୁଁ ଟେଲିଗ୍ରାମ୍ କରିବା ପାଇଁ ତ ଗଲି ହେଲେ କିଏ ମରିଯାଇଛି ବୋଲି ଟେଲିଗ୍ରାମ୍ କରିବି ? ବାପା, ମା’, ଭଉଣୀ ଆଉ ତୋ ଭାଉଜ ସମସ୍ତେ ଏତେ ପ୍ରିୟ ଯେ ମିଛରେ ମଧ୍ୟ କାହା ନାଁ ଲେଖିବା ପାଇଁ ହାତ ଚଳିଲା ନାହିଁ, ତେଣୁ ନିଜ ନାଁ ଟା ଲେଖିଦେଲି ।” ଏତିକି କହି ଭାଇ ହୋ… ହୋ… ହସିଉଠିଲେ । ମୋ ମନଟା ହାଲୁକା ହୋଇଗଲା ।
ମୁଁ ମଧ୍ୟ ଭାଇଙ୍କ ହସରେ ଯୋଗଦେଲି ଆଉ କହିଲି, ” ଭାଇ, ମିଛରେ ହେଉ କି ମଜାରେ ହେଉ ତୁମ ଟେଲିଗ୍ରାମ୍ ପାଇଲା ପରେ ମୋ ଉପରେ ଯେ କ’ଣ ବିତି ଯାଇଛି ସେ କଥା ମୁଁ ଜାଣେ । ବାହାଘର ହେଲେ ହେଲା ନ ହେଲେ ନାହିଁ, କିନ୍ତୁ ଏମିତି ଟେଲିଗ୍ରାମ୍ ଆଉ କେବେ କରିବନି ।”
ଭାଇ ହସ ରୋକି କହିଲେ, “ହଉ ହେଲା, ହେଲା । ଏଥିରେ ଏତେ ବ୍ୟସ୍ତ କାହିଁକି ? ଯଦି ସତକୁ ସତ ମୁଁ ମରିଯାଏ, ତା’ହେଲେ ତୁ ପରା ଅଛୁ । ମୋ ଛାୟା ତୁ । ସବୁ ସମ୍ଭାଳି ନେବୁନି କି ।” ଏଥର ମୁଁ ସତକୁ ସତ ରାଗିଗଲି ଓ ଚିତ୍କାର କଲି, ” ଭାଇ, ତା’ହେଲେ ମୁଁ ଯାଉଛି ।”
ଭାଇ ପୁଣି ହସି ହସି କହିଲେ, “ହଉ ହଉ, ଆଉ ଏମିତି କହିବିନି । ଚାଲ ଖାଇବା ।”
ସେ ରାତିଟା ମୁଁ ଭାଇଙ୍କ ସହିତ ଭୁବନେଶ୍ଵରରେ ରହିଲି । ଅନେକ ରାତି ପର୍ଯ୍ୟନ୍ତ ଦୁଇଭାଇ ଖୁବ୍ ଗପସପ କଲୁ । ପିଲାବେଳର ସୃତି ସବୁ ରୋମନ୍ଥନ କରି କେତେ ହସିଲୁ ପୁଣି କାନ୍ଦିଲୁ ।
ସକାଳୁ ଭାଇ କହିଲେ, “ଆରେ ଅରୁଣ, ତୁ କଟକ ଚାଲିଯା । ମୋର କେତେଗୁଡ଼ାଏ କାମ ଅଛି । ସେସବୁ ସାରି ମୁଁ ସନ୍ଧ୍ୟା ପାଞ୍ଚଟା ବେଳକୁ ପହଞ୍ଚିଯିବି । ମୁଁ ମେଜର ପୃଷ୍ଟିଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିବି । ଗଲେ ଦୁଇଭାଇ ତାଙ୍କ ଘରକୁ ଝିଅ ଦେଖିବାକୁ ଯିବା । ପ୍ରସ୍ତବଟା ତ ମୋ ମନକୁ ପାଉଛି । ଯଦି ତୋର ପସନ୍ଦ ହୁଏ ତେବେ ତୋ ବାହାଘରଟା ଏଇଠି ଠିକ୍ କରିଦେବା ।”
ମୁଁ ଖୁସି ମନରେ କଟକ ଫେରିଆସିଲି । ଭାଇ ତ ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ମୋର କିଏ ତାଙ୍କ ବସାରେ ବସି ବସି ବୋର୍ ହେଉଛି । ଘରେ ବାପା, ମା’, ଭଉଣୀ, ଭାଉଜ ସବୁ ଖବର ଶୁଣି ଖୁବ୍ ହସିଲେ ଆଉ ସମସ୍ତେ ଆନନ୍ଦ ମନରେ ସନ୍ଧ୍ୟାବେଳକୁ ଭାଇଙ୍କୁ ଅପେକ୍ଷା କଲୁ ।
ମା’ ଭାଉଜଙ୍କ ସହିତ ମିଶି ଆମ ଦୁଇଭାଇଙ୍କ ପ୍ରିୟ ଦୋସା ତିଆରି କଲେ । ମୋତେ ଡାକି ହସି ହସି କହିଲେ, “କିରଣ ଆସିଲେ ଆଗ ଦୋସା ଖାଇବ, ତା’ପରେ ଝିଅ ଦେଖିବାକୁ ଯିବ ।” ମୁଁ ତାଙ୍କୁ ଟିକେ ଚିଡ଼େଇକରି କହିଲି, “ଘରେ ତ ଦୋସା ଖାଇବୁ ଆଉ ସେଠି କ’ଣ ଖାଇବୁ ?”
ମା” କହିଲେ, ” ମୁଁ ଜାଣିଛି ସେଠି ତୁମେ ସବୁ କ’ଣ ଖାଇବ । ପ୍ଲେଟ୍ ସଜା ହୋଇ ତ ଜଳଖିଆ ମିଠା ଆସିବ, କିନ୍ତୁ ତୁମେମାନେ ସେଥୁରୁ ଗୋଟାଏ ମିଠା ଉଠାଇବ କି ନାହିଁ । ତେଣୁ ଘରେ ଖାଇଦେଇ ଯିବାଟା ଭଲ ।”
ମୁଁ ହସି ହସି କହିଲି, ” ହଉ, ତୁ ସବୁ ରେଡ଼ି କରିଥା । ଭାଇ ଆସିଲେ ଗରମାଗରମ ବନେଇ ଦେବୁ । ଏ ଭିତରେ ମୁଁ ମୋ ନିଜକୁ ମଧ୍ୟ ଟିକେ ପ୍ରସ୍ତୁତ କରି ନେଉଥୁଲି । ଜୀବନରେ ପ୍ରଥମ ଝିଅ ଦେଖା । କ’ଣ ପଚାରିବି, କ’ଣ କହିବି ଭାବି ହେଉଥିଲି । ଘଡ଼ିର ଟିକ୍ ଟିକ୍ ଶବ୍ଦ ସହିତ ଗଡ଼ି ଚାଲିଥୁଲା ସମୟ । ପାଞ୍ଚଟା ସାଢ଼େ ପାଞ୍ଚଟା ଏମିତି ହୋଇ ଛଅଟା ହୋଇଗଲା । ହେଲେ ଭାଇଙ୍କର ଦେଖା ନାହିଁ ।
ମା’ କହିଲେ, “ଆରେ ଡେରି ତ ହେଲାଣି, ତୁ ଦୋସା ଖାଇଦେ ଆଉ ପୋଷାକୁପତ୍ର ପିନ୍ଧି ପକା । ଭାଇ ଆସିଲେ ସାଙ୍ଗେ ସାଙ୍ଗେ ଚାଲିଯିବ । ସେ ଭଦ୍ରଲୋକ ଅପେକ୍ଷା କରିଥୁବେ ନା ।”
ମା’ଙ୍କ କଥା ମାନି ଖାଇବା ସାରିଦେଲି । ଡ୍ରେସ୍ ପିନ୍ଧିଲା ପରେ ଭାଉଜ ଆଣି ମୋ ସାର୍ଟରେ ଭାଇଙ୍କର ସେଣ୍ଟ୍ ଟିକେ ମାରିଦେଲେ, ଆଉ କହିଲେ, ” ଏମିତି ତ ଆଜି ବାସୁଛ… ।”
ମୁଁ ହସି ହସି କହିଲି, ” ଯେତେହେଲେ ଭାଇଙ୍କ ଠାରୁ କମ୍ ନା ।”
ବାପା ଘରବାହାର ହେଉ ହେଉ କହିଲେ, ” ପିଲାଟାର କେବେବି ସମୟ ଜ୍ଞାନ ହେଲା ନାହିଁ । କୋଉ କାମଟା ଠିକ୍ ସମୟରେ କଲାନାହିଁ ।” ମା’ କହିଲେ, ” ବ୍ୟସ୍ତ କାହିଁକି ହେଉଛ ? କୋଉଠି କାମରେ ଅଟକି ଯାଇଥୁବ । ଆଜି ଡେରି ହେଲେ କାଲି ନ ହେଲେ ଯିବେ ।”
ତହିଁ ଆରଦିନ ସକାଳୁ ଭାଇଙ୍କୁ ଅପେକ୍ଷା କରାଗଲା । ନା, ଆସିଲେ ନାହିଁ । ହଉ, ଉପରଓଳିକୁ ହୁଏତ କାମସାରି ଆସିବେ… । ନା, ଆସିଲେ ନାହିଁ । ଆଉ ମୋର ଧୈର୍ଯ୍ୟ ନଥୁଲା । ତହିଁ ଆରଦିନ ସକାଳୁ, ସକାଳୁ ଭାଇଙ୍କ ବସାଘରେ ପହଞ୍ଚି ଗଲି । ନା, ସେଠାରେ ଭାଇ ନ ଥଲେ । ତାଙ୍କ ସାଇଟ୍, ସାଙ୍ଗସାଥୀମାନଙ୍କ ଘର ସବୁ ଖୋଜି ଆସିଲି । କୋଉଠି ବି ଭାଇ ନ ଥଲେ । ତାଙ୍କ ସାଙ୍ଗମାନେ କହିଲେ, ” ଦୁଇଦିନ ତଳୁ ସେ କଟକ ବାହାରିଯାଇଛନ୍ତି ” । କିନ୍ତୁ ଭାଇ ତ କଟକରେ ପହଞ୍ଚି ନଥୁଲେ ! ଭୁବନେଶ୍ଵରରୁ କଟକ ଘଣ୍ଟାକର ବାଟ: ତା’ଭିତରେ ଭାଇ କୋଉଠି ନିରୁଦ୍ଦିଷ୍ଟ ହୋଇଗଲେ, ହଜିଗଲେ, ଶୂନ୍ୟରେ ମିଳାଇଗଲେ ! ଯେତେ ବନ୍ଧୁ, ବାନ୍ଧବ, ଚିହ୍ନା ପରିଚୟ ଘର ଥୁଲା ସବୁ ଜାଗା ଖୋଜା ହେଲା । ଖବରକାଗଜରେ ନିଖୋଜମାନଙ୍କ ପାଇଁରେ ତାଙ୍କ ଫଟୋ ବି ଛପା ହେଲା । ରେଡ଼ିଓରେ ଘୋଷଣା କରାଗଲା ମାତ୍ର କୌଣସି ସୁଫଳ ମିଳିଲାନି ।”
ଏତିକି କହି ଭଦ୍ରଲୋକ ଚୁପ୍ ରହିଲେ । ତାଙ୍କ ଗଳା ମଧ୍ୟ ଭାରି ହୋଇଗଲା । ହେଲେ ତନ୍ମୟ ହୋଇ ଶୁଣୁଥୁବା ମୁଁ ଏବଂ ଆଉ ଦୁଇ ଚାରିଜଣ ଯାତ୍ରୀ ତଥାପି ପ୍ରଶ୍ନବାଚୀ ତୋଳି ତାଙ୍କୁ ଚାହିଁ ରହୁଥୁଲୁ । ସେ ଆଉ କିଛି ନ କହିବାରୁ ମୁଁ ପ୍ରଶ୍ନ କଲି, ” ତା’ପରେ… ”
“ତା’ପରେ ଆଉ କ’ଣ ? ଆଉ କ’ଣ ହୋଇପାରେ ? ଏବେ ବି ଭାଇ ନିରୁଦ୍ଦିଷ୍ଟ । କାନ୍ଦି କାନ୍ଦି ମୋ ମା’ ଅନ୍ଧୁଣୀ ହୋଇଗଲେ । ନ କାନ୍ଦିପାରି ମୋ ବାପା ହାର୍ଟାଆଟାକ୍ରେ ଚାଲିଗଲେ । ଭଉଣୀଟିକୁ ବାହା ଦେଲୁ । ମୁଁ ମଧ୍ୟ ବାହାହେଲି, ହେଲେ ସେ ଘରେ ଆଉ ଖୁସି ଆନନ୍ଦର ଫୁଆରା କେବେ ଝରୁ ନ ଥଲା । ଏମିତି ବଞ୍ଚୁଛୁ ଆମେ ଏବେ ବି ଭାଇଙ୍କ ପ୍ରତୀକ୍ଷାରେ… ।”
” ଆଉ ଆପଣଙ୍କ ଭାଉଜ… ? ”
“ଭାଉଜ ତ ଏ ଘଟଣାରେ ସଚୁଠାରୁ ଦୁଃଖୀ ଚରିତ୍ର । ସତେ ଯେମିତି ସେ ପାଷାଣୀ ଅହଲ୍ୟା ହୋଇଯାଇଥିଲେ । ନା ତାଙ୍କର ଆଖିରୁ ଲୋତକ ଝରୁଥିଲା, ନା ତାଙ୍କ ଅଧରରୁ ବଚନ ସ୍କୂରୁଥୁଲା । ନା ସେ ସଧବାର ସୁହାଗିନୀ ହୋଇପାରୁଥୁଲେ ନା ସେ ବିଧାବାର ବେଶ ହୋଇପାରୁଥଲେ । ଭାଇଙ୍କ ପ୍ରତୀକ୍ଷାରେ ଆମ ଘରେ ଦୁଇବର୍ଷ ଥିଲେ । ତା’ପରେ ତାଙ୍କ ବାପା ତାଙ୍କୁ ଜବରଦସ୍ତ ନେଇଗଲେ । ଅନ୍ୟତ୍ର ବିବାହ କରିଦେବାର ଚେଷ୍ଟା ମଧ୍ୟ କରିଥୁଲେ । ଭାଉଜଙ୍କର ଗୋଟିଏ ଉତ୍ତର, “ଯଦି କିରଣ ଫେରି ଆସିବେ ତାଙ୍କୁ କି ଉତ୍ତର ଦେବି ?”
ବି.ଏ. ପାସ୍ କରିଥିଲେ । ବି.ଇଡ଼ି କରି ଗୋଟେ ସ୍କୁଲରେ ଶିକ୍ଷୟିତ୍ରୀ ହେଲେ । ପଲାମାନଙ୍କ ଗହଣରେ ବିତାଇଦେଲେ ଜୀବନ । ଏବେ ବି ସେମିତି ନିରବ… ନିଥର… ଆଖିରେ ଆଖିଏ ପ୍ରତୀକ୍ଷା… । କୁହନ୍ତୁ ତ, ଏ ଦୁଃଖର ବଜ୍ର ଯାହାଘରେ ପଡ଼ିଛି ସେ କ’ଣ ଆପଣଙ୍କ ଦୈନନ୍ଦିନ ଜଞ୍ଜାଳକୁ ଦୁଃଖ କହିପାରିବ ?
ଏତେବେଳକୁ ଅନୁଗୁଳ ଷ୍ଟେସନ ଆସିଯାଇଥୁଲା । ଭଦ୍ରଲୋକ ନିରବରେ ଓହ୍ଲାଇଗଲେ । ତାଙ୍କ ଶୁଖି ଆସିଥିବା କ୍ଷତକୁ ଯେମିତି ଆଜି ଉଖାରି ଦେଲେ । ମୁହଁରେ ଫୁଟି ଉଠୁଥୁଲା ଦୁଃଖ, ଗଭୀର ଦୁଃଖ । ସେ କିନ୍ତୁ ଓହ୍ଲାଇ ଗଲାପରେ ମୁଁ ଝାଡ଼ିଝୁଡ଼ି ହୋଇ ବସିଲି । ସତରେ ମୋର ଦୁଃଖ କ’ଣ ? ମୋର ତ ବାପା, ମା’, ସ୍ତ୍ରୀ, ପୁଅ, ଝିଅ ସମସ୍ତେ ଅଛନ୍ତି । ଭଲରେ ବି ଅଛନ୍ତି । ଏଥର ମନଟା ତୁଳାପରି ହାଲୁକା ହୋଇଗଲା ।