ସମୟର ବିବର୍ତ୍ତନବାଦରେ ମୁଁ ବିଶ୍ୱାସ କରେନାହିଁ , କାରଣ କେବେ ମୋ ଜୀବନସୀମା ମଧ୍ୟରେ ସମୟ ସହିତ ତାଳଦେଇ ଚାଲିବାକୁ ମୁଁ ଚେଷ୍ଟା କରିନାହିଁ । ତା’ ନୁହେଁ ଯେ, ସମୟ ମୋତେ ଛାଡ଼ି ଦୂରଦିଗ୍ବଳୟ ଆଡକୁ ମୁହେଁଇଲାଣି । ସମୟ ତା’ ବାଟରେ, ମୁଁ ମୋ ବାଟରେ । ଆମ ମଧ୍ୟରେ ଥିବା ଦୋ ଛକିରେ ଛିଡ଼ାହୋଇ ସୂର୍ଯ୍ୟାସ୍ତ ଦେଖିବାର ଇଚ୍ଛା ମୋ ମନରେ ଯେ ଜାଗ୍ରତ ହୋଇନାହିଁ ତା ନୁହେଁ, ମାତ୍ର ଇଚ୍ଛାକୁ ବଳବତ୍ତର ରଖିବାକୁ ଯାଇ ବୁଢିଆଣିଜାଲରେ ଧନ୍ଦିହେବାକୁ ମୋର ମନ ଓ ଶରୀର ପରସ୍ପରର ବିରୋଧ ହୋଇ ଯାଆନ୍ତି । କୁହାଯାଏ, ମନ ଶରୀରକୁ ଅନୁଧାବନ କରିଥାଏ ଏବଂ ମନ ଓ ବିବେକ ପରସ୍ପରର ଅନୁପୂରକଃ । ଚିନ୍ତାଧାରା ମନ ଓ ବିବେକର ଅନୁମୋଦନ ପାଇଲାପରେ ସ୍ଥୂଳ ଶରୀରକୁ ପ୍ରେରଣ ହୋଇଥାଏ । କାହିଁକି କେଜାଣି ଆଜି ୭ ସେପ୍ଟେମ୍ବର, ମୋ ମନର ସମସ୍ତ ସମୀକରଣ ଗୋଳମାଳ ହୋଇଯାଉଛି । ଅଡୁଆ ସୂତାର ଖିଅଧରି ଟାଣି ଟାଣି ମୁଁ ବିରକ୍ତ ହୋଇ ଗଲିଣି । ମନ ଓ ଶରୀର ପରସ୍ପର ବିରୋଧୀ ହୋଇ ଉଠିଲେଣି । ଅମାବାସ୍ୟା ରାତ୍ରିର ଜୋର ଅନ୍ଧକାର ପରି ମୋର ମନର ଆଲୋକ ଦୂର ଦିଗ୍ବଳୟର କେଉଁ କୋଣରେ ଦିକ୍ ଦିକ୍ କରୁଛି । ମୋର ମନ ଓ ଶରୀର ମଧ୍ୟରେ ତାରତମ୍ୟ ରକ୍ଷା କରିବାକୁ ମୁଁ ଅସମର୍ଥ । ମୁଁ କ୍ଳାନ୍ତ… କିଛି କରିବାର ଆଶାନେଇ ମାତ୍ର କିଛି ନ ପାଇବାର ପ୍ରତ୍ୟାଶା ମଧ୍ୟରେ ମୁଁ ସମାଧାନର ବାଟ ଖୋଜୁ ଖୋଜୁ କେତେବେଳେ ଯେ ପ୍ରଶ୍ନର ପାହାଡ଼ ନିକଟରେ ପହଞ୍ଚିଗଲି ମୁଁ ନିଜେ ମଧ୍ୟ ଜାଣେନା । ଅନ୍ୟ କେଉଁଦିନ ହୋଇଥିଲେ ପ୍ରଶ୍ନର ପାହାଡ଼ ନିକଟରେ ମୁଁ ସମାଧାନର ବାଦଲ ହୋଇ ବର୍ଷି ଉଠିଥାନ୍ତି । ମାତ୍ର ନାଁ ମୁଁ ପାରୁନି । ମୋ ଜୀବନର ସମସ୍ତ କଳ୍ପନା ଜଳ୍ପନା ତୁମକୁ ନେଇ । ଆଉ ତୁମେ ଯେତେବେଳେ ମୋ ନିକଟରେ ପ୍ରଶ୍ନର ପାହାଡ଼ ହୋଇ ଛିଡାହେଲ ସେତେବେଳେ ସିଗାରେଟ୍ ପରେ ସିଗାରେଟ୍ ଟାଣିବା ଛଡ଼ା ମୋ ନିକଟରେ କୌଣସି ଉପାୟ ନ ଥିଲା ।
ସମୟକୁ ବିଶ୍ୱାସ ନ କରିବା ବୋଧେ ମୋର ଭୁଲ । ତୁମେ ହିଁ କହୁଥିଲା ନା ସମୟ ତୁମ ଓ ମୋ ଭିତରେ କେବେ ପାଚେରୀ ହୋଇ ଛିଡା ହୋଇ ପାରିବ ନାହିଁ । ଆମ ଦୁଇଜଣଙ୍କ ସୂକ୍ଷ୍ମମନର ଅବଚେତନାର ଗହ୍ୱରକୁ ସମୟ କେବେ ହେଲେ ପ୍ରତିଫଳିତ କରିପାରିବ ନାହିଁ । ମାତ୍ର କଣ ହେଲା ମୁଁ ଆଦୌ ସମ୍ପୂର୍ଣ୍ଣ ମୁକ । ମୋ ସାମ୍ନାରେ ତୁମେ ଏମିତି ଏକ ପ୍ରଶ୍ନ ହୋଇ ଛିଡା ହୋଇଛ ଯେ ସମାଧାନ ଖୋଜିବାକୁ ଚେଷ୍ଟା କଲେ ମଧ୍ୟ ମୁଁ ପ୍ରଶ୍ନର ପ୍ରବାଳରାଶି ମଧ୍ୟରେ ପୋତି ହୋଇ ଯାଉଛି । ତୁମେ ହଠାତ ଏମିତି ଏକ କାମ କରି ବସିଲା ଯେ, ମୁଁ ତାହାକୁ ନିର୍ବୋଧ ବାଳିକାର ଚପଳମତା ବୋଲି ଭାବିଲା ମାତ୍ରେ ମୋ ଆଗରେ ସମସ୍ତ ରାସ୍ତା କଣ୍ଟକିତ ହୋଇ ଉଠୁଛି ।
କାହିଁକି ? ଏପରି କରିବାକୁ ତୁମର ବିବେକ ତୁମକୁ ଟିକିଏ ମଧ୍ୟ ବାଧା ଦେଲାନାହିଁ । ତୁମେ ତିଳେମାତ୍ର ଚିନ୍ତା କଲା ନାହିଁ ଯେ ତୁମର ଏପରି କାର୍ଯ୍ୟଯୋଗୁଁ ତୁମ ଉପରେ ଏତେ ଭରସା ରଖିବାର ମଣିଷଟିର କଣ ହେବ ? ତୁମେ କ’ଣ ପାଇଲ ନ ପାଇଲ ତାହା ତ ମୁଁ କହିପାରିବି ନାହିଁ, ମାତ୍ର ଏତିକି କହିପାରିବି ତୁମ ବିଷୟରେ ଜାଣିସାରିବା ପରେ କୌଣସି ପୁରୁଷ କୌଣସି ନାରୀ ଉପରେ ଭରସା ରଖିପାରିବ ନାହିଁ । ମାନୁଛି ତୁମେ ଆଭିଜାତ୍ୟ ମଧ୍ୟରେ ବଢ଼ି ଆସିଛ, ହେଲେ ମୁଁ ତ ତୁମ ପାଖକୁ ଯାଇ ନ ଥିଲି । ତୁମେ ମୋ ପାଖକୁ ଆସିଥିଲା ପ୍ରେମର ନିବେଦନ ନେଇ । ସେତେବେଳେ ତୁମେ କହିଥିଲା ନ , ବିନୋଦ… ଜୀବନରେ ଧନସମ୍ପଦ, ଆଭିଜାତ୍ୟ, ପ୍ରତିପତ୍ତି ବଡ଼ କଥା ନୁହେଁ । ଜୀବନଯାତ୍ରାର ସ୍ୱଳ୍ପସମୟକୁ ତୁମେ ଶାନ୍ତିରେ କଟାଇବାକୁ ଚାହଁ । ତୁମେ ସେହି ଶାନ୍ତି ଟିକକ ପାଇବାପାଇଁ ମୋ ସହ ପାଦ ମିଳାଇ ଚାଲିପାରିବ ଦିଗ୍ବଳୟ ଶେଷ ସୀମା ପର୍ଯ୍ୟନ୍ତ । ସେ ଦିନ ତୁମ କଥାଗୁଡ଼ିକ କେତେ ସୁମଧୁର , ମନଲୋଭା ନ ଥିଲା ସତେ । କିନ୍ତୁ ଆଜି ସେହି କଥାଗୁଡ଼ିକ ଭାବିଲା ବେଳକୁ ନିଜପ୍ରତି ମୋର ଘୃଣା ଭାବି ଜାତ ହେଉଛି । ତୁମକଥାରେ ମାତିଉଠି ମୋର ସମସ୍ତ ସ୍ୱପ୍ନକୁ ଧୂଳିସାତକରି, ଦୂର ଅଜଣା ସହରକୁ ଚାଲିଆସିଲି ଶାନ୍ତିର ଅନ୍ୱେଷଣ କରି । କିନ୍ତୁ ଆଜି ମୁଁ ବୁଝିପାରିଛି ଶାନ୍ତି ସହର ପରିବର୍ତ୍ତନ କଲେ ମିଳେ ନାହିଁ , ଶାନ୍ତି ମଣିଷ ନିଜ ଭିତରେ ହିଁ ଖୋଜି ପାଇପାରିବ ମାତ୍ର ସେଥିପାଇଁ ତାର ସୁସ୍ଥ ମାନସିକତା ରହିଥିବା ଦରକାର ।
ବିବାହିତ ଜୀବନ ଅନେକ ମଧୁର ମୁହୂର୍ତ୍ତ ଏକାଠି କଟେଇଲାପରେ ମଧ୍ୟ ତୁମକୁ ମୁଁ କେବେ ଠିକ୍ ଭାବେ ବୁଝିପାରି ନ ଥିଲି । ସେଥିପାଇଁ ବୋଧହୁଏ ସାଧାକାଗଜରେ ମୋ ଠାରୁ ଦସ୍ତଖତ ନେଲାବେଳେ ତୁମକୁ ମୁଁ କୌଣସି ପ୍ରକାର ପ୍ରଶ୍ନ ପଚାରି ପାରି ନ ଥିଲି । ସେଇଥିଲା ମୋର ଦ୍ଵିତୀୟ ଭୂଲ । ପ୍ରଥମ ଭୁଲ ମୁଁ ଅନେକ ଦିନ ଆଗରୁ କରି ସାରିଥିଲି । ଯେଉଁଦିନ ତୁମକୁ ଆପଣେଇବାର ଲାଳସାରେ ମୋର ପିତାମାତା, ପରିବାର, ସ୍ୱପ୍ନକୁ ପରିତ୍ୟାଗ କରିଥିଲି । ସେହିଦିନ ମୁଁ ତୁମକୁ ଠିକ୍ ବୁଝିବାକୁ ଚେଷ୍ଟା କରିଥିଲି, ଯେତେବେଳେ କୋର୍ଟରୁ ବିବାହ ବିଚ୍ଛେଦର ନୋଟିସ ମା ନାଆଁରେ ପାଇଲି । ମୁଁ ଜାଣିବାରେ ତୁମପ୍ରତି କୌଣସି ଅନ୍ୟାୟ କରିନାହିଁ । ତୁମ ସୁଖ ସ୍ୱାଛନ୍ଦ୍ୟରେ କୌଣସିଦିନ ବାଧା ଦେବାକୁ ଚେଷ୍ଟା କରିନାହିଁ । ସେ ଦିନ ସତରେ ତୁମ ଉପରେ ମୁଁ ଅତିଶୟ ରାଗିଯାଇଥିଲି । ତୁମେ ଘରକୁ ଫେରି ମୋର ରାଗ ତମ ତମ ମୁହଁକୁ ଅନେଇ ଦେଇ ଘଟଣା କ’ଣ ବୁଝିବାରେ ଡେରି କରି ନ ଥିଲା । ତୁମେ ମୋ ପାଖରେ ବସି ବୁଝେଇବାକୁ ଚେଷ୍ଟାକରିଥିଲ ଯେ ତୁମେ ଦୁନିଆ ବିଷୟରେ ଅଧିକ ଜାଣିବାକୁ ଇଚ୍ଚୁକ । ଯାଯାବର ପରି ଘୁରିବୁଲିବାକୁ ଚାହଁ ପୃଥିବୀର ଏ ମେରୁରୁ ସେ ମେରୁକୁ । ସେଥିପାଇଁ ତୁମେ କୌଣସି ବାଧା ବନ୍ଧନ ରଖିବାକୁ ଚାହଁ ନାହିଁ । ତୁମର ଏପରି କଥା କହିବା ଶୈଳୀରେ ମୁଁ ସଦା ସର୍ବଦା ଦୁର୍ବଳ ଓ ମୋର ଦୁର୍ବଳତାର ଫାଇଦା ଉଠେଇବାକୁ ତୁମେ କୌଣସିଦିନ ପାଶ୍ଚାତପଦ ହୋଇନାହଁ ।
“ତୁମେ ସଂସାର ପ୍ରତି ଏପରି ବିତସ୍ପୃହ କାହିଁକି ?” ମୋର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତୁମେ ଗୁମ୍ସୁମ୍ ହୋଇ ପଡିଲ । ମୁଁ ବସିବାଯାଗାରୁ ଉଠିଆସି ତୁମକୁ ଧରି ବସେଇଦେଇଥିଲି, ପାଣି ପିଇବାକୁ ଦେଲି । ପାଣି ପିଇସାରି ତୁମେ କାନ୍ଦିବାକୁ ଆରମ୍ଭ କରିଦେଲ ।
“ତୁମ ନିଷ୍ପତ୍ତି ଉପରେ ଆଉଥରେ ବିଚାର କରି ଦେଖ ମିନା । ମୋର ତୁମପ୍ରତି କୌଣସି ଅଭିଯୋଗ ଆଗରୁ ନ ଥିଲା । ଆଜି ମଧ୍ୟ ନାହିଁ । ତୁମେ ଏକାଧାରରେ ଉତ୍ତମ ପତ୍ନୀ, ମା, ଗୃହିଣୀ । ହେଲେ ତୁମର ଏପରି ମତିଭ୍ରମ ହେବାର କାରଣ କଣ ? ତୁମେ ଯଦି ଏପରି ଛାଡ଼ିଦେଇ ଚାଲିଯିବ ତେବେ ଏ ଘରର ଅବସ୍ଥା କଣ ହେବ ? ଆମ ଦୁଇପିଲାଙ୍କର ଭବିଷ୍ୟତ କଣ ହେବ , ମୋର କଣ ହେବ ? ମୋର ଦୁନିଆ ତ ତୁମଠାରୁ ଆରମ୍ଭ ହୋଇ ତୁମଠାରେ ଶେଷ ହୋଇଛି ।” ମୋର ଅଭିଯୋଗ ଶୁଣି ତୁମେ ସାଙ୍ଗେ ସାଙ୍ଗେ କହି ଉଠିଲ “ତୁମ ପାଇଁ ମୋର କୌଣସି ଅଭିଯୋଗ ନାହିଁ ବିନୋଦ । ତୁମେ ଜଣେ ଭଲ ପ୍ରେମିକ ଓ ସ୍ୱାମୀ, ମୋର ଓ ମୋ ପିଲାଙ୍କର ସମସ୍ତ ଅଳିଅର୍ଦ୍ଦଳି ତୁମେ ପୂରଣ କରିଛ । କିନ୍ତୁ ମୁଁ ତୁମର କୌଣସି ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ । ମୁଁ ମୋ ମନକୁ ସ୍ଥିର ରଖି ପାରୁନାହିଁ । ସେଥିପାଇଁ ମୋର ପୁରୁଣାଜୀବନର ସମସ୍ତ ସ୍ମୃତିକୁ ପାଶୋରୀ ଦେଇ ନୂତନ ଭାବରେ ଦୁନିଆକୁ ଦେଖିବାକୁ ଚାହେଁ । ମୋର ଏହି ଶେଷ ଅଳିଟିକୁ ପୂରଣ କରିଦିଅ ବିନୋଦ । ମୁଁ ଆଉ ତୁମକୁ କୌଣସି ଦିନ କିଛି ମାଗିବି ନାହିଁ ।” ତୁମର ଏକଥା ଶୁଣି ମୁଁ ଆଚମ୍ବିତ ହୋଇ ଉଠିଲି ।
ଆଜି ଯେପରି ମୁଁ ମୋ ସାମ୍ନାରେ ଆଉଏକ ମିନତି ରାୟ କୁ ଦେଖୁଛି । ଏ ମିନତି ରାୟକୁ କୌଣସି ଦିନ ମୁଁ ଚିହ୍ନି ନ ଥିଲି । ଏ ଯେପରି ମୋ ପାଖରେ ସମ୍ପୂର୍ଣ୍ଣ ଅପରିଚିତ । ତୁମେ ଯେତେବେଳେ ତୁମର ଦୀର୍ଘ ୨୦ ବର୍ଷର ବିବାହିତ ଜୀବନର ସ୍ମୃତି, ଅନୁଭୂତି କୁ ପଛରେ ପକେଇଦେଇ, ପାଦରେ ଆଡେଇଦେଇ ଚାଲିଯିବାକୁ ବସିଛ, ସେତେବେଳେ ମୁଁ ବା ଛାର । ତୁମକୁ ଅଟକାଇବାକୁ ଚେଷ୍ଟାକରିବା ମଧ୍ୟ ବୃଥା । ତୁମର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଛି । ତୁମେ ଅଲଗା ଦୁନିଆର ବାସିନ୍ଦା ହୋଇ ସାରିଛ । ସ୍ଥୁଳ ଶରୀର ତୁମର ଏଠାରେ ଥିଲେ ମଧ୍ୟ , ତୁମେ ସୂକ୍ଷ୍ମ ଅବଚେତନା ମନରେ ଅଲଗା ଦୁନିଆରେ ପ୍ରବେଶ କରି ସାରିଛ ।
ତୁମେ ସ୍ୱପ୍ନବାଦୀ, ତତ୍ତ୍ୱବାଦୀ ହୋଇ ପଡିଛି । ତୁମେ ବାସ୍ତବଜୀବନ ପ୍ରତି ବୀତସ୍ପୃହ ହୋଇ ପଡ଼ିଛ ।
୧୯ ଅକ୍ଟୋବର ମୋ ଜୀବନର ଏକ କଳାଦିବସ ଭାବରେ ପରିଗଣିତ । ଆଜି କୋର୍ଟରେ ତୁମ ନୂତନଜୀବନ ପାଇଁ ମୂଳଦୁଆ ପକାଇ ତୁମ ସପକ୍ଷରେ ଯୁକ୍ତି ବାଢ଼ିଲାବେଳେ ଯେପରି ମୋ କଲିଜା ଖଣ୍ଡବିଖଣ୍ଡିତ ହୋଇ ଯାଉଥାଏ । ଆଜି ଏକ ପରିପୂର୍ଣ୍ଣ ବିବାହିତ ଜୀବନରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ମୁଁ ଜାଣୁ ଜାଣୁ ତୁମ ଉପରୁ ସମସ୍ତ ଅଧିକାର ପ୍ରତ୍ୟାହାର କରି ଦେଉଛି । ମୁଁ ଉଇଟ୍ନେସ୍ ବକ୍ସ ରୁ ଆସି ମୋ ଜାଗାରେ ବସି ପଡିଲି । ଆଉ ଅଳ୍ପ ସମୟ ପରେ ମାନନୀୟ ଜଜ୍ ତାଙ୍କର ନିଷ୍ପତ୍ତି ଶୁଣାଇବେ । ହେଲେ ମୋ ନିଷ୍ପତ୍ତିଯେ ପୂର୍ବରୁ ନିର୍ଦ୍ଧାରିତ । ଜୀବନର ବାଲିଘର ରୂପେ ଗଢିତୋଳିଥିବା ଛୋଟ ଛୋଟ ସ୍ୱପ୍ନଗୁଡିକ ଭାଙ୍ଗି ଚୁନା ହୋଇଯାଉଥିବ ବେଳେ ମୁଁ ନିରବଦର୍ଶକ । ମୁଁ ସେଦିନ ମଧ୍ୟ କିଛି କରିପାରି ନ ଥିଲି ଏବଂ ଆଜି ମଧ୍ୟ ପାରିବି ନାହିଁ । ଜଜ୍ ତାଙ୍କର ନିଷ୍ପତ୍ତି ଶୁଣାଇଲେ । ଏବେଠାରୁ ତୁମ ଆଉ ମୋ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଆମେ ଏକାଠି ଘରକୁ ଫେରିଲେ ମଧ୍ୟ ତୁମେ ଅଧାବାଟରେ ଓହ୍ଲାଇ ଗଲ, ପାସପୋର୍ଟ ଅଫିସରେ କାମର ବାହାନା ଦେଖାଇ ।
ଆଜି ଘରେ ପହଞ୍ଚି କିପରି ନିଃସଙ୍ଗତା ବୋଧ ହେଉଥାଏ । ଆଗରୁ କେବେ ଯେ ମୋ ଜୀବନରେ ନିଃସଙ୍ଗତା ଆସିନାହିଁ ତା ନୁହେଁ , ମାତ୍ର ଜାଣୁ ଜାଣୁ ଏକାକୀତ୍ୱବୋଧକୁ ଆପଣେଇଦେଉଛି ଯେତେବେଳେ ତାର ଅଭ୍ୟାସରେ ପଡ଼ିବାକୁ ମୁଁ ବାଧ୍ୟ । ଜୀବନଟା ମୂଲ୍ୟହୀନ ଲାଗିବାକୁ ଆରମ୍ଭ କରିଥାଏ । ମାତ୍ର ଜୀବନ୍ତ ଯେ ପାରସ୍ପରିକ ବୁଝାମଣାର ସଫଳ ରୂପାନ୍ତର । ତେଣୁ ପିଲା ଦୁଇଟା ପାଇଁ ମୁଁ ନିଜକୁ ଦୃଢ଼ କରିବାକୁ ପ୍ରୟାସ କରୁଥିଲି । ଏଥିରେ ମୁଁ କେତେଦୂର ସଫଳ ହେବି ଜାଣେ ନାହିଁ , ତଥାପି ମଧ୍ୟ ଆମ ଜୀବନର ଭଙ୍ଗାଗଢ଼ାର ଇତିହାସ ପିଲା ଦୁଇଟା ଜୀବନକୁ ଯେପରି ନଷ୍ଟ କରି ନ ଦିଏ ସେଥିପାଇଁ ମୁଁ ଦୃଢ଼ତର ହୋଇ ଉଠୁଥିଲି ।
ମଣିଷ ଜୀବନଟା ବି ବିଚିତ୍ର । ଯାହା ଚାହେଁ ତାହା ପାଏନା ଓ ଯାହା ପାଏ ତାହା ଚାହେଁନା । ବେଳେବେଳେ ଭାବେ କାହାକୁ କିଛି ନ କହି ଚୁପ୍ଚାପ୍ ଚାଲିଯିବି, କୁଆଡେ ? ଠିକ ଜାଣେନା, ମୋର କୌଣସି ସ୍ୱପ୍ନର ତୃତୀୟ ସହର ନାହିଁ , ଯେଉଁଠି ଶାନ୍ତି ନାମକ ଶୁକପକ୍ଷୀ ବନ୍ଦ ପଞ୍ଜୁରୀରେ ବସି ରାମନାମ ଗାଁ କରୁଛି । ତମେ ନ ଥିଲେ ମୋ ପାଇଁ ସବୁ ସହର ନିଷ୍ପ୍ରଦୀପ । ବସନ୍ତରେ ବାରୂଦର ବାସ୍ନା । ସେହି ବାରୂଦର ବାସ୍ନାରେ ମୋତେ ଏବେ ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ପଡିବ, ଭାବିବା କଷ୍ଟଦାୟକ ହେଲେ ମଧ୍ୟ ଏହା ଏକ ନିରାଟ ସତ୍ୟ ରୂପେ ମୋ ଜୀବନରେ ଠିଆ ହୋଇଛି ।
ବିଛେଦର ବାଟଟି ନିକଟ ହୋଇ ଆସିଲା ବେଳକୁ, ଆମ ପୁରୁଣାଦିନର ସ୍ମୃତି ବେଶି ବେଶି ମନେ ପଡୁଛି । ତୁମର ମନେଅଛି ଯେଉଁଦିନ ଆମର ପ୍ରଥମେ ଦେଖା ହୋଇଥିଲା, ସେ ଦିନ ତୁମ ସାଙ୍ଗମାନଙ୍କ ସହିତ ହସଖୁସିରେ ମାତି ଉଠି ଚାଲିଯାଉଥିଲାବେଳେ ମୁଁ କେବଳ ତୁମକୁ ଅନେଇ ରହିଯାଇଥିଲି । ତୁମକୁ ଦେଖି ସେଦିନ ମନେ ହେଉଥିଲା, ସତେ ଯେମିତି ତୁମେ କେଉଁ ଅଲକାପୁରୀର ରାଜରଜେଶ୍ଵରୀ ଆଉ ମୁଁ ଜଣେ କ୍ଲାନ୍ତ ଯାଯାବର । ତୁମ ସ୍ଥୁଳ ଓଠରେ ଶାଣିତ ଛୁରୀର ଧାର ଭଳି ଚିରୁଡ଼ାଏ ହସ, ଆଉ ମୋ ବିଷର୍ଣ୍ଣ ଆଖିରେ ଅନେକଦିନର କ୍ଳାନ୍ତି ।
ମୋ ଜୀବନରେ ବାକିଥିବା ଅବଶିଷ୍ଟ ସୁଖଟିକକ ସେହି ଦିନ ଶେଷ ହୋଇଗଲା ଯେଉଁଦିନ ମୁଁ ତୁମକୁ , ତୁମର ନୂତନ ଜୀବନ ପାଇଁ ଶୁଭକାମନା ଜଣାଇ ଏୟାରପୋର୍ଟରେ ବିଦାୟ ଜଣାଇ ଆସିଲି । ତୁମ ନୂଆଜୀବନର ଚଲାପଥରେ ଅର୍ଥ ଯେପରି ପ୍ରତିବନ୍ଧକ ହୋଇ ଛିଡା ନ ହୁଏ ତାର ସମସ୍ତ ବ୍ୟବସ୍ଥା ମୁଁ କରିଦେଇଥିଲି । ବିଦାୟ ବେଳାରେ ମୋତେ କୁଣ୍ଢେଇଧରି ତୁମେ ଅନେକ ସମୟ କାନ୍ଦିଥିଲ । ମୋ ଅବସ୍ଥା ସେତେବେଳେ କଳାପାଣିରେ ବନ୍ଦ ଥିବା କଏଦୀ ପରି । ନା ମୁଁ କାନ୍ଦିପାରୁଥିଲି, ନା ତୁମକୁ ଅଟକାଇ ପାରୁଥିଲି । ତୁମେ ପ୍ରଥମରୁ ପିଲାମାନଙ୍କୁ ନ ଆଣିବା ପାଇଁ ମନା କରି ପଡ଼ୋଶୀ ଘରେ ଛାଡି ଆସିଥିଲ । ମୁଁ ତୁମକୁ ଆଶ୍ୱାସନା ଦେବା ଆଳରେ କହିଥିଲି “ତୁମେ ମୋ ପାଖରୁ କେବେ ଦୂରକୁ ଯାଇପାରି ନାହଁ କିମ୍ବା ଆଜିମଧ୍ୟ ଯାଇପାରିବ ନାହିଁ । ତୁମେ ଯେତେବେଳେ ଚାହିଁବ ଫେରି ଆସି ପାରିବ , ତୁମ ପାଇଁ ସେ ଘରର କବାଟ ସବୁଦିନ ସେମିତି ଖୋଲା ରହିଥିବ । ଯାତ୍ରାର ଆରମ୍ଭ ଖୁସିରୁ କରାଯାଏ, ମନଦୁଃଖ କର ନାହିଁ । ତୁମେ ମୋ କଥାଶୁଣି ଚୁପ ହୋଇଗଲ । ଶେଷ ଝୋଷଣା ହୋଇ ସାରିଥାଏ । ଶେଷଥର ପାଇଁ ମୁଁ ମୋର ସ୍ୱପ୍ନର ମାନସୀଙ୍କୁ ଦେଖୁଥିଲି, ଯାହାକୁ ଏତେଦିନ ଏକାଠି ପାଇ ମଧ୍ୟ ଧରିରଖି ପାରିଲି ନାହିଁ । ତୁମେ ଚାଲି ଯାଉ ଯାଉ ଫେରିଆସି ମୋ ହାତ ଧରି କହିଥିଲ “ମୁଁ ଆଉ କୌଣସିଦିନ ତୁମ ଜୀବନର ପରିଧିମଧ୍ୟକୁ ଧୂମକେତୁ ପରି ଧସେଇ ପଶି ଆସିବି ନାହିଁ ବିନୋଦ । ମୋର ସମସ୍ତ ଦୋଷକୁ ନିର୍ବୋଧ ପ୍ରେମିକାର ଭୁଲ ଭାବି କ୍ଷମା କରିଦେବ । ପାରିବ ଯଦି ଆଉଥରେ ବିବାହ କରିନେବ …” ମୋର ଦ୍ଵିତୀୟ ବିବାହର କଥା ତୁମ ମୁହଁରୁ ଶୁଣି ତୁମେ ଫେରିଆସିବାର ଯେଉଁ ସ୍ତଂବିତ ଆଲୋକ ମୋ ମନରେ ଜଳୁଥିଲା ତାହା ଧପ୍କରି ଲିଭିଗଲା । ତୁମେ ଆଉ ପଛକୁ ନ ଚାହିଁ ତୁମ ନୂତନ ଜୀବନ ଆଡକୁ ଆଗେଇ ଚାଲିଗଲ ।
ଅଫିସ୍ କାମରେ ବ୍ୟସ୍ତ ରହି ରାତି ରାତି ଘରକୁ ନ ଫେରିବା, ପିଲାମାନଙ୍କୁ ସମୟ ନ ଦେଇ ପାରିବା ପାଇଁ ସଦାବେଳେ ତମର ଅଭିଯୋଗ ରହିଆସିଲା । ହେଲେ ମୁଁ ତମକୁ ସଦାବେଳେ ବୁଝାଇ ଆସିଛି ଯେ ମୁଁ ପରିଶ୍ରମ ତମରି ମାନଙ୍କ ଭବିଷ୍ୟତ ପାଇଁ କରୁଛି । ହେଲେ ପରିମାଣ ଏବେ ମୋ ସାମ୍ନାରେ, ଆଜି ଅନେକ ଦିନ ପରେ ଅତୀତକୁ ବିଶ୍ଳେଷଣ କରିବାକୁ ଇଚ୍ଛା ହେଉଥିଲା । ମୋ ଜୀବନର ଏହି ଦୁଃଖଦ ସୂର୍ଯ୍ୟାସ୍ତ ପରିଣତି ପାଇଁ ମୁଁ ଏକା ତୁମକୁ ଦାୟି କରିପାରୁ ନ ଥିଲି । ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ ସେହିପରି ଏପରି ପରିସ୍ଥିତି ପାଇଁ ମୁଁ କେଉଁଠି ନା କେଉଁଠି ଦାୟୀ । ଶୂନ୍ୟ ରହିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ଚାରା ନ ଥିଲା । ସୂର୍ଯ୍ୟ ତାର ଦୈନଦିନ କାର୍ଯ୍ୟକ୍ରମ କରି ପଶ୍ଚିମ ଦିଗ୍ବଳୟରେ ଅସ୍ତ ଯାଉଥିଲେ । ପଶ୍ଚିମ ଆକାଶଟା ଆଜି ଯେପରି ମୋତେ ପରିହାସ କରି ଅସମ୍ଭବ ଭାବରେ ଲାଲ ହୋଇ ଉଠୁଥିଲା । ପକ୍ଷୀ ମାନେ ଆନନ୍ଦମନରେ ତାଙ୍କ ନୀଡ଼ ଆଡକୁ ପ୍ରତ୍ୟାବର୍ତ୍ତନ କରୁଥିଲେ କିଛି ସମ୍ଭାବନାର ସମ୍ଭାର ନେଇ । ମାତ୍ର ମୋ ପାଇଁ ସମସ୍ତ ସମ୍ଭାବନାର ପରିସମାପ୍ତି ଘଟି ସାରିଥିଲା । ଅନେକ ରାତିରେ ମୁଁ ଘରକୁ ଫେରିଲି । ଲାଇଟ ଜାଳିବାର ଦେଖି ମାଉସୀ ଉଠି ଆସିଲେ । ମୁଁ ସୋଫା ଉପରେ ମୁହଁ ତଳକୁ କରି ବସିଥିଲି । ମାଉସୀ ମୋ ପିଠିରେ ହାତ ମାରି ମୋତେ ଆଶ୍ୱାସନା ଦେବାକୁ ଲାଗିଲେ ତୁମ ଦୁଃଖ ମୁଁ ବୁଝି ପାରୁଛି ବାବା , ତୁମ ପ୍ରତି ମିନା ଅନ୍ୟାୟ କରିଛି । ହେଲେ ସିଏ ଯେତେବେଳେ ତାର ପରିବାର, ତୁମ ପ୍ରତିଥିବା ସମସ୍ତ କର୍ତ୍ତବ୍ୟକୁ ପାଦରେ ଆଡେଇ ଦେଇ ଚାଲିଗଲା, ସେତେବେଳେ ତୁମ ପରିବାରର ଭାଗ୍ୟଡ଼ୋରୀ ତୁମକୁ ସମ୍ଭାଳିବାକୁ ପଡିବ । ପିଲା ଦୁଇଟାର ଭବିଷ୍ୟତ ପାଇଁ ସମସ୍ତ ଦୁଃଖକୁ ଚାପିଧରି ତୁମକୁ ଦୃଢ ହେବାକୁ ପଡିବ । ତୁମର ଅବଶୋସହଭାରା ଜୀବନର ଛାୟାମଧ୍ୟ ପିଲା ଦୁଇଟାର ମାନସପଟରେ ନ ପଡେ ସେଥିପାଇଁ ତୁମକୁ ଯତ୍ନବାନ ହେବାକୁ ପଡିବ । ” ମୁଁ ମାଉସୀଙ୍କୁ ବଲବଲ ହୋଇ ଅନେଇ ରହିଥିଲି । ମାଉସୀ ଯିବା ପୂର୍ବରୁ ପିଲା ଦୁଇଟା ତାଙ୍କ ମାଆ କୁ ମାନେ ପକାଇ କାନ୍ଦି କାନ୍ଦି ଶୋଇ ପଡିଛନ୍ତି ଓ ମୋ ଖାଇବା ଡାଇନିଂ ଟେବୁଲ ଉପରେ ବାଧା ହୋଇଛି ବୋଲି କହିଗଲେ । ମୋର ଖାଇବା ପାଇଁ କୌଣସି ଆଗ୍ରହ ନ ଥିଲା ଅଗତ୍ୟା ମୁଁ ଚୁପଚାପ ଶୋଇ ପଡିଲି ।
ସକାଳ ହେବାର ଅନେକ ସମୟ ଧରି ମୁଁ ଶୋଇ ରହିଥିଲି । ବିଛଣାରୁ ଉଠି ମୁଁ ବ୍ୟସ୍ତ ହୋଇ ପଡିଲି । ମୋତେ ଏତେ ସମୟ ଧରି ମିନା ଉଠିଲା ନାହିଁ କିପରି, ମୋର ବେଡ଼ ଟି ମଧ୍ୟ ଦେଇ ନାହିଁ । ମାଉସୀଙ୍କ ହାତରେ ଚା ଦେଖି ମୁଁ ପ୍ରକୃତିସ୍ଥ ହୋଇ ଉଠିଲି । କୋଉ ମିନାକୁ ମୁଁ ଖୋଜୁଛି । କାଲି ଯେଉଁ ମିନା ଥିଲା ସେ ଆଜି ଅତୀତ । ତାର ସମସ୍ତ ସ୍ମୃତିକୁ ମୋର ହୃଦୟର ନିଭୃତ କୋଣରେ ସବୁଦିନ ପାଇଁ ବନ୍ଦ କରି ଦେବାକୁ ପ୍ରତିଜ୍ଞାବଧ ହୋଇ ଉଠିଲି । ମୁଁ ଅଫିସରୁ କାଲି ଠାରୁ ୧୦ ଦିନ ପାଇଁ ଛୁଟି ନେଇ ଆସିଥିଲି , ସେଥି ପାଇଁ ଅଫିସ୍ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
ଘରର ପ୍ରତିଟି କୋଣ -ଅନୁକୋଣକୁ , ମୁଁ ନିବିଡ଼ ଭାବରେ ଅନୁଧ୍ୟାନ କରୁଥିଲି । ପ୍ରେତ୍ୟେକ ଜିନିଷ ମୋତେ ଯେପରି ନୂଆ ଲାଗୁଥାଏ, ବୋଧ ହୁଏ ଏଥିପାଇଁ ଯେ ଆଗରୁ କେବେ ଏମାନଙ୍କ ବିଷୟରେ ଚିନ୍ତା କରିବାର ସୁଯୋଗ ପାଇଁ ନ ଥିଲି । ମିନାର ସ୍ମୃତିବାହାନ କରିଥିବା ପ୍ରତିଟି ଜିନିଷ ଗୁଡିକୁ ମୁଁ ଷ୍ଟୋର ରୁମ କୁ ସ୍ଥାନାନ୍ତରିତ କରିଥିଲି କାରଣ ପିଲାମାନଙ୍କର ମନରେ ତାଙ୍କ ମା’ ପ୍ରତି କୌଣସି ଭାବନା ଜାଗ୍ରତ ହେଉ ମୁଁ ଚାହୁଁ ନ ଥିଲି । ମାତ୍ର ପ୍ରକାରାନ୍ତରେ ମୁଁ ନିଜକୁ ନିଜେ ସମ୍ଭାଳିବାକୁ ଚେଷ୍ଟା କରୁଥିଲି ।
ଧୀରେ ଧୀରେ ଜୀବନର ଗତାନୁଗତିକ ଧାରାରେ ମୁଁ ପଡ଼ିଗଲି । ପିଲାମାନଙ୍କୁ ପ୍ରସ୍ତୁତ କରି ସ୍କୁଲ୍ ପଠାଇବା, ଅଫିସ୍ ଆସିବା, ଅଫିସ୍ରୁ ଫେରିବା, ବାଟରେ ପିଲାମାନଙ୍କୁ ସ୍କୁଲ୍ରୁ ପିକ୍ଅପ କରିବା, ଛୁଟି ଦିନଟିଏ ପିଲାଙ୍କ ସହିତ ପିକ୍ନିକ୍ କରିବା, ପାର୍କ ଯିବା … ଇତ୍ୟାଦି ଇତ୍ୟାଦି । ସବୁ ମଧ୍ୟରେ ପ୍ରଥମେ ପ୍ରଥମେ ମୁଁ ତାକୁ ମିସ କରୁଥିଲି ମାତ୍ର କର୍ତ୍ତବ୍ୟର ତାଡ଼ନାରେ ଆସ୍ତେ ଆସ୍ତେ ତାକୁ ମନେପକାଇବାକୁ ଫୁରସତ ପାଉ ନ ଥିଲି । ଆଗରୁ ପ୍ରତି ମାସରେ ମିନା ନିକଟରୁ ଖଣ୍ଡେ ଖଣ୍ଡେ ଚିଠି ପାଉଥିଲି । ଧୀରେ ଧୀରେ ସେ ସବୁ ଆସିବା ମଧ୍ୟ ବନ୍ଦ ହୋଇଗଲା ।
“ଦୀର୍ଘ ୨୫ ବର୍ଷ ଧରି ଏହିପାରି ଭାବରେ ଜୀବନର ଉଠାଣି – ଗଡ଼ାଣି ରାସ୍ତାରେ ଚାଲି ଚାଲି ମୁଁ ଆଜି କ୍ଳାନ୍ତ । ମୋର ପୁଅ ଆଜି ପ୍ରଶାସନିକ ଅଧିକାରୀ ରୂପେ କାର୍ଯ୍ୟରତ, ଉପଯୁକ୍ତ ବାର ପାଇଁ ତାର ପରିବାର । ଏହି ୨୫ ବର୍ଷ ମଧ୍ୟରେ ମୋର ପ୍ରତ୍ୟେକ ଖୁସିର ମୁହୂର୍ତ୍ତରେ ମୁଁ ତାକୁ ମାନେ ପକାଇ ଖୋଜିଛି । ସେ ଆଜି ମୋ ପାଖରେ ଥିଲେ ଦେଖିଥାନ୍ତା, ତା ଅନୁପସ୍ଥିତିରେ ପିଲାମାନଙ୍କର ଓ ପରିବାର ପ୍ରତି କେତେ ସୁଚାରୁରୂପେ ମୁଁ ମୋର କର୍ତ୍ତବ୍ୟ ସମାପନ କରିଛି । ତାର ପିଲାମାନଙ୍କ ସଫଳତାରେ ସେ ଆଜି କେତେ ଖୁସି ହୋଇଥାନ୍ତା ତା ଆପଣ କଳ୍ପନା କରି ପାରିବେ ନାହିଁ ଗୁରୁଜୀ । ମୁଁ ଆଜି ବୃଦ୍ଧ, ଜୀବନ ରଥର ସାରଥୀ ରୂପେ ଅନ୍ତିମ କ୍ଷଣରେ ମୁଁ କେବଳ ତାକୁ ମାନେ ପକାଇ ଆଗେଇଚାଲିବାକୁ ଏହି ଶାନ୍ତିନିଳୟକୁ ଚାଲି ଆସିଛି ।
ମୋ ଜୀବନର ଶେଷ ଯବନିକା ପଡିବା ଆଗରୁ ମୋର ଅବଶୋସହଭାରା କାହାଣୀ ସ୍ୱାମୀଜୀଙ୍କ ଆଗରେ କହିସାରିବା ପରେ ମୋତେ କିଛି ମାତ୍ରାରେ ଆଶ୍ଵସ୍ତି ଲାଗୁଥିଲା । ସ୍ୱାମିଜୀଙ୍କର ମୁଖମଣ୍ଡଳ ଥିଲା ସମ୍ପୂର୍ଣ୍ଣ ନିର୍ଲିପ୍ତ, ଭାବାବେଗରେ କୌଣସି ଆବେଶ, ଉଦ୍ବେଳତା, ସେଠାରେ ନ ଥିଲା । ଶାନ୍ତିନିଲୟରେ ମୋର ଆଗମନକୁ ଯେପରି ଆହୂ ଏକ ଆଶ୍ଚର୍ଯ୍ୟ ଅପେକ୍ଷାକରିଥିଲା ।
“କାଲି ରାତ୍ରିରେ ମିନତୀ ଈଶ୍ୱରଙ୍କୁ ପ୍ରାପ୍ତି ହୋଇଗଲା ବିନୋଦ । ମାତ୍ର ବିଧିର ବିଧାନ ଦେଖ, ତୁମେ ତାରି ଚୀତାକୁ ମୁଖାଗ୍ନି ଦେବାକୁ ଠିକ୍ ସମୟରେ ଆସି ପହଞ୍ଚି ଯାଇଛ । ଦୀର୍ଘ ସାତବର୍ଷ ହେଲା ସେ ଏଠାରେ ଥିଲା । ତୁମ ମାନଙ୍କର ସମସ୍ତ ଖବର ସେ ସଂଗ୍ରହ କରୁଥିଲା । ସେ ଶେଷନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଏହି ଚିଠିଟିକୁ ତୁମ ଠିକଣାରେ ପଠାଇଦେବା ପାଇଁ ମୋତେ ଅନୁରୋଧ କରିଯାଇଛି । ସ୍ୱାମିଜୀଙ୍କର କଥା ଶୁଣି ମୁଁ କିଂକର୍ତ୍ତବ୍ୟବିମୁଢ଼ ହୋଇ ପଡିଥାଏ । ତୁମେ ଏତେଦିନ ଧରି ଏହି ସହରରେ ଥିଲା ଅଥଚ ମୋ ସହିତ ଦିନେ ହେଲେ ସମ୍ପର୍କ କରିବାକୁ ଚେଷ୍ଟା କରିନାହଁ । ସ୍ୱାମିଜୀଙ୍କଠାରୁ ତାର ସ୍ୱଲିଖିତ ଚିଠିଟି ପାଇଁ ମନେ ହେଲା ତୁମେ ଯେପରି ମୋ ପାଖରେ ଛିଡ଼ାହୋଇ ତୁମର ଭୁଲ ପାଇଁ ମୋତେ କ୍ଷମାପ୍ରାର୍ଥନା କରୁଛ ।
ବିନୋଦ ,
ଜୀବନରେ ଶାନ୍ତି ପାଇଁ ପାଇଁ ଆମେ ଦୁହେଁ ଦିନେ ନିଜ ସହର ଓ ପରିବାର ଛାଡି ଚାଲି ଆସିଥିଲେ । ସେହି ଶାନ୍ତି ପାଇଁ ମୁଁ ଦିନେ ତୁମକୁ ତ୍ୟାଗ କରିଥିଲି । ମୁଁ ଭୁଲ୍ ଥିଲି ଓ ତୁମେ ଠିକ୍ ଥିଲ ବିନୋଦ, ଜାଗା ପରିବର୍ତ୍ତନ କିମ୍ବା ଆତ୍ମୀୟଜନଙ୍କୁ ତ୍ୟାଗ କଲେ ଶାନ୍ତି ମିଳେ ନାହିଁ – ତାହା ନିଜ ଭିତରେ ହିଁ ଖୋଜିଲେ ମିଳିଥାଏ । ଏକା ସହରରେ ଥିଲେ ମଧ୍ୟ ସତ ସାହାସର ଅଭାବ ଯୋଗୁଁ ମୁଁ ତୁମକୁ ସାମନା କରିପାରିଲି ନାହିଁ । ତମେ ମୋ ପିଲାମାମାଙ୍କ ଉତ୍ତମ ଭବିଷ୍ୟତ ଦେଇଛ , ସେଥିପାଇଁ ମୁଁ ବହୁତ ଖୁସି , କୃତଜ୍ଞ ମଧ୍ୟ । ତୁମ ଠାରୁ ଦୂରରେ ଥିଲେ ମଧ୍ୟ , ଜୀବନର ସବୁ ମୁହୂର୍ତ୍ତରେ ତୁମକୁ ମୁଁ ପାଖେ ପାଖେ ପାଇଛି । ହେଲେ ମୋର ଏତିକି ମାତ୍ର ଅବଶୋଷ ରହିଗଲା ଯେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତୁମର ତୁମର ସଙ୍ଗୀ ହୋଇ ପାରିଲି ନାହିଁ । ପାରିବ ଯଦି ମୋତେ କ୍ଷମା କରିଦେବ ।
ତୁମର ହାଟଭଗୀନି ମିନା
ଚିଠିଟିକୁ ହାତରେ ଧରି ମୁଁ ବସି ରହିଲି । ଯେଉଁ ସୁଖର ଅନ୍ୱେଷଣରେ ତୁମେ ମୋତେ ଛାଡି ଚାଲିଯାଇଥିଲା , ତାହା ଯେ ତୁମକୁ କେତେ ମାତ୍ରାରେ ଦୁଃଖ ଦେଇଛି ତାହା ମୁଁ ଅନୁଭବ କରି ପାରୁଛି । ପାଗଳୀ, ଏତିକି ବୁଝି ପାରିଲା ନାହିଁ ଯେ ଆମେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ । ସେହି ଭଲ ପାଇବାର ଦ୍ୱାହି ଦେଇ ତୁମେ କ’ଣ ମୋ ପାଖକୁ ଫେରି ଆସି ପାରି ନ ଥାନ୍ତ ! ଅନ୍ତତଃ ଅନ୍ତିମ ଜୀବନ ଟିକକ ଶାନ୍ତିରେ କାଟି ପାରି ଥାନ୍ତ ।