ମୁଁ ସେତେବେଳେ ନବମ ଶ୍ରେଣୀରେ ପଢୁଥାଏ । ମା’ ଯେତେ କହିଲେ ଟ୍ୟୁସନ୍ ଯିବା କଥା ମୁଁ ମୋଟେ ଶୁଣିଲି ନାହିଁ । ଆଜି ଚିତ୍ରାହାର ଦେଖିବି ମାନେ ଦେଖିବି । ସେତେବେଳେ ଗାଁକୁ ନୂଆ ନୂଆ ଟିଭି ଆସିଥାଏ । ତା ବି ଅଳ୍ପ କିଛି ଲୋକଙ୍କ ଘରେ । ଆମ ଘରେ ଟିଭି ନ ଥାଏ। ଆମ ଘରକୁ ଗୋଟିଏ ଘର ଛାଡ଼ି ତାଙ୍କର ନୂଆ ଟିଭି ଆଣିଥାନ୍ତି । କୋଣାର୍କ୍ ବ୍ଳାକ୍ ଏଣ୍ଡ୍ ହ୍ୱାଇଟ୍ । ପ୍ରତି ଶୁକ୍ରବାର ଚିତ୍ରାହାର ଆସେ। ଠିକ୍ ମୋ ଟ୍ୟୁସନ୍ ସମୟରେ । ସେତେବେଳେ ସେ ଟିଭିରେ ଯାହା ଟିକିଏ ଛବି ହଲଚଲ ହେଉ ଟିଭି ଆଡ଼କୁ ଅନେଇ ରହିବାକୁ ଇଚ୍ଛାହୁଏ । ବିଜ୍ଞାପନ ଆସିଲେ ବି ମନ ଲଗାଇ ଦେଖୁଁ । ଆଶ୍ଚର୍ଯ୍ୟ ଲାଗେ ଛୋଟ ଗୋଟିଏ ବକ୍ସ ଭିତରେ ଏତେ ଲୋକ କେମିତି ଯା ଆସ ହୁଅନ୍ତି । ରିଲେ ସେଣ୍ଚର୍ ଟିକିଏ ଦୂରରେ ଥିବାରୁ ସମସ୍ତେ ଅଠର ଖାଡ଼ିଆ ଆଣ୍ଟେନାକୁ ଟିକିଏ ଉଚ୍ଚା କରି ଲଗାଇବାକୁ ବାଧ୍ୟ ହେଉଥିଲେ । ଯାହାର ଛାତ ଥାଏ, ଛାତ ଉପରେ । ଯାହାର ଛାତ ନାହିଁ, ଚାଳରେ ଖୁଞ୍ଚି ଦେଉଥିଲେ ଲମ୍ବା ଏକ ବାଉଁଶ ସହ ଆଣ୍ଟେନାକୁ । ଆଣ୍ଚେନାରେ ପୁଣି ଗୋଟିଏ ବୁଷ୍ଟର ବି ଲାଗେ, ସିଗ୍ନାଲ୍ ଷ୍ଟ୍ରେନ୍ଥ୍ ବଢ଼ାଇବା ଲାଗି । ତାପରେ ମଧ୍ୟ ଟିକିଏ ପବନ ହେଲେ ଆଣ୍ଟେନା ଘୁରି ଯାଇ ଛବି ଝଲ ଝଲ ହେଇଯାଏ । ପୁଣି ଜଣେ ଛାତ ଉପରେ ଚଢ଼ି ଛବି ସଫା ଆସିବା ପର୍ଯ୍ୟନ୍ତ ଆଣ୍ଟେନାକୁ ଟିକିଏ ଟିକିଏ ଦିଗ ବଦଳାଇ ପାଟି କରୁଥାଏ “ଏବେ ଆସିଲା… ଏବେ… ” ଏପଟୁ ଜଣେ ପାଟି କରୁଥାଏ “ନା… ନା… ହଁ… ହଁ… ଆରେ ଯା ପୁଣି ଝଲ ଝଲ ହେଇଗଲା… ହଁ… ଏଇତ ଆସିଲା… ଆରେ ଆସିଲା, ଓହ୍ଲାଇପଡ଼ ।” ସେଇ ଅଧା ଝଲ ଝଲ ଅଧା ଠିକ୍ରେ ମଧ୍ୟ ଆମର ମନ ଲାଗିଥାଏ ଟିଭିରେ । ସେଦିନ ମୁଁ ଜିଦ୍ କରି ଟ୍ୟୁସନ୍ ନ ଯାଇ ଆମ ପଡ଼ୋଶୀ ଘରେ ବସି ଟିଭି ଦେଖିଲି । ଚିତ୍ରାହାର ଆହୁରି ଆରମ୍ଭ ହୋଇନଥାଏ। ବିଜ୍ଞାପନ ଆରମ୍ଭ ହୋଇସାରିଥାଏ । ମୋ ପରି ଆହୁରି କେତେ ପିଲାବୁଢ଼ା ସେଇଠି ଏକାଠି ହୋଇ ଚିତ୍ରାହାରକୁ ଅପେକ୍ଷା କରି ବସିଥାନ୍ତି । ଅଳ୍ପ ସମୟ ପରେ ଚିତ୍ରାହାର ଆରମ୍ଭ ହେଲା । ଏଣେ ତାଙ୍କର ଅଷ୍ଟମ ପଢ଼ୁଆ ଝିଅ ଟ୍ୟୁସନ୍ ଟାଇମ୍ ହେଲାଣି କହି ଚିତ୍ରାହାର ନ ଦେଖି ବହିବସ୍ତାନୀ ଧରି ରେଡ଼ି ହୋଇ ଘରୁ ବାହାରିଗଲା । ଆମେ ଏକା ଟ୍ୟୁସନ୍ରେ ପଢ଼ୁ। ମୋର ମନ ଆଉ କୋଉ ଚିତ୍ରାହାରରେ ଅଛି। ମୁଁ ବି ଘଣ୍ଚା ଆଡ଼କୁ ଚାହିଁ ଦେଇ “ଆରେ… ଟ୍ୟୁସନ୍ ଟାଇମ୍ ହେଲାଣି… ଯାଏ… ” କହି ତା ପଛେ ପଛେ ବାହାରି ଆସିଲି ତାଙ୍କ ଘରୁ । ଘରକୁ ଆସି ତରତରରେ ବହିପତ୍ର ଧରି ବାହାରୁଛି ବାରଣ୍ଡାରେ ମୋର ସାନଭଉଣୀ ସହ ଭେଟ ହୋଇଗଲା । ଚକ୍ଷୁ ବିସ୍ଫାରିତ କରି ଚାହିଁଥିଲା ମୋ ଆଡ଼େ । ସତେ ଯେମିତି ପଚାରୁଥିଲା “ଟ୍ୟୁସନ୍ ନ ଯିବାକୁ ଏତେ ଜିଦ୍ କଲୁ ଅଥଚ ଏବେ… ।” ମୁଁ ତା ଚାହାଣୀକୁ ତୁଛ କରିଦେଇ ହାତ ଛିଞ୍ଚାଡ଼ିଦେଲି – “ଏଃ… ଯା…।”
ଚିତ୍ରାହାର
ବିଜ୍ଞାପନ ଆସିଲେ ବି ମନ ଲଗାଇ ଦେଖୁଁ । ଆଶ୍ଚର୍ଯ୍ୟ ଲାଗେ ଛୋଟ ଗୋଟିଏ ବକ୍ସ ଭିତରେ ଏତେ ଲୋକ କେମିତି ଯା ଆସ ହୁଅନ୍ତି ।