ଦେଖେ ମୁଁ ଆକାଶର ନୀଳିମା
ଦେଖେ ପୁଣି ନିଶିଥରେ ବାଦଲରେ ଅଧା ଲୁଚିଥିବା ଚନ୍ଦ୍ରମା
ଚମ୍ପାଫୁଲର ବାସ୍ନାକୁ ବି ମନ ଭରି ଆଘ୍ରାଣ କରେ
ତା ସହିତ ଗଡ଼ିଯାଏ ସମୁଦ୍ରର ବେଳାଭୁଇଁରେ
କାହିଁ କିଛି ତ ଭଲ ଲାଗେନା…!
ଝାଉଁବଣରୁ ସାଇଁ ସାଇଁ ବହି ଆସୁଥିବା ପବନ
ଦୂର ପାହାଡ଼ରେ ଥକି ପଡ଼ି ଡୁବି ଯାଉଥିବା ତପନ
କଳରବରେ ଉଡ଼ିଯାଉଥିବା ପକ୍ଷୀ ହେଉ
ଅଥବା ଘୋ ଘୋ ଗର୍ଜନରେ ଅତିଷ୍ଠ ଢେଉ
କାହିଁ କିଛି ତ ଭଲ ଲାଗେନା…!
ବିମାନରେ ନଭ ମଣ୍ଡଳର ବିହରଣ
ପ୍ରେକ୍ଷାଳୟରେ ସିନେମାର କୌତୁକିଆ ଚରିତ୍ରମାନ
ଉଚ୍ଚ ଉଚ୍ଚ ଅଟ୍ଟାଳିକାରେ ଭରା ରଙ୍ଗୀନ ରୋଷଣୀର ସହର
ବିରାଟକାୟ ସେତୁ ଅବା ନଭଶ୍ଚୁମ୍ବୀ ପ୍ରତିମା ଧାତୁର
ଦେଖି ଦେଖି ବିତି ଯାଇଛି ଜୀବନର ସତେଇଶିଟି ଫଗୁଣ, ହେଲେ ଆଜିବି
କାହିଁ କିଛି ତ ଭଲ ଲାଗେନା…!
କିଏ କହେ ପ୍ରେମ କଲେ କାଳେ ସବୁ ଭଲ ଲାଗେ
ହୃଦୟରୁ ପ୍ରେମର ଝର ଥରେ ଝରିଚାଲିଲେ
ଜୀବ ଜଡ଼ ସବୁ କାଳେ ଝରରେ ଭିଜି ରଙ୍ଗୀନ ହୋଇଉଠନ୍ତି
ହୃଦୟଟା କେଉଁଠି? କାହିଁ କେଉଁଠୁ କିଛି ଝରିଲା ପରି ତ ମନେ ହୁଏନା…
କାହିଁ କିଛି ତ ଭଲ ଲାଗେନା…!
ହସନ୍ତି ବନ୍ଧୁମାନେ, ଆରେ ଯାଃ ପାଗଳଟେ
କିଛି ବି ରସ ନାହିଁ ଆ ଦେହରେ…
ଭାବ ଅନୁଭବର ଘୋର ଅଭାବ
ଘେରି ଯାଆନ୍ତି ଝିଅସାଙ୍ଗମାନେ ମୋତେ ଲାଗି, ଦେହକୁ ଦେହ ଘସି
କାହିଁ କିଛି ତ ଭଲ ଲାଗେନା…!
ବେଳେ ବେଳେ ସନ୍ଦେହ ହୁଏ
ଏ ଶରୀର କେଉଁ ଉପାଦାନରେ ଗଢ଼ା
କେଉଁଥିରେ ମତେ କଷ୍ଟ ହୁଏନା
କି କେଉଁଥିରେ ବି ମୋତେ ଭଲ ଲାଗେନା
ମୁଁ କଣ ତାହେଲେ ସମସ୍ତଙ୍କ ଠାରୁ ଅଲଗା?
ମୁଁ ତ ଯନ୍ତ୍ରଚାଳିତ ମାନବଟିଏ, ଅନ୍ୟମାନେ ତେବେ କଣ???
(ମାନବରୁ ମେସିନ୍ ପାଲଟୁଥିବା ଏକ ମଣିଷର ଭାବାବେଗ)