ଅଣୁଗଳ୍ପ

ଡଷ୍ଟର

Ranjeeb Biswal's an odia short story Duster

ସେ ତ ସବୁଥର ଶ୍ରେଣୀ ରେ ଫାଷ୍ଟ ହଉଛି, ଆଉ ଏ ବୋର୍ଡ ପରୀକ୍ଷାରେ ବି ହେବ, ହେଲେ ୟେ କୁଳାଙ୍ଗାର ଆମର ଲଭ ଲେଟର ଲେଖି ଲେଖି ଫେଲ୍‌ ହବ ଦେଖିବ-ବୋଉକୁ ଏତକ କହିଦେଇ ବାପା ଭିତର ଘରକୁ ଚାଲିଗଲେ

ଡଷ୍ଟର

ପ୍ରାର୍ଥନା ସାରିବା ପରେ ଉପସ୍ଥାନ ରେଜିଷ୍ଟରଟିକୁ ନେଇ ଶ୍ରେଣୀଗୃହକୁ ଗଲା ବେଳେ, ଶିବୁକୁ ଧରି ତା ବାପା ଆସୁଥାନ୍ତି । ଶିବୁର ବାଁ ହାତକୁ, ତା ବାପା ତାଙ୍କ ଡାହାଣ ହାତରେ ଜାବୁଡି ଧରି ଘୋଷାଡ଼ି ଘୋଷାଡ଼ି ଭାରି ଜୋରରେ ମୋ ଆଡକୁ ଆସୁଥିଲେ ।

ପିଲାଟାର ମୁହଁ ସୁଖି ଯାଇଛି ପୁରା, ଆଖିରୁ ଲୁହ ବୋହିବା ବନ୍ଦ ହୋଇଯାଇଥିଲେ ବି ଲୁହାର ଧାରାର ସେ ଅଠାଳିଆ ଚିହ୍ନ ତା କଅଁଳ ଗାଲ ଉପରୁ ଲିଭି ନାହିଁ ; ଆଉ ତା ସାଙ୍ଗକୁ ଧଳା ସାର୍ଟର ଡାହାଣ ହାତରେ ନାକ ପୋଛି ଦାଗ ଲଗେଇଦେଇଛି । ଲାଗୁଛି ଯେମିତି କଣ ଗୋଟେ ମସ୍ତବଡ ଭୁଲ କରିଛି ଆଉ ଲେଙ୍କା ବାବୁ ଭଲ ରକମ ଉତ୍ତମ ମଧ୍ୟମ କରି ଦେଇଛନ୍ତି ତା ପିଠିରେ ।

“ଆରେ ଲେଙ୍କା ବାବୁ କଣ ହେଇଛି ? କ’ଣ କରିଛି ୟେ ଆଜି?” ଟିକେ ଶିବୁ ବାପାଙ୍କ ଆଡକୁ ଆଗକୁ ବଢିଯାଇ ମୁଁ ଆଗ ପଚାରିଦେଲି ।

“ଦେଖନ୍ତୁ ରାଜବୀର ସାର,ଏ ଟୋକା ଖଣ୍ଡିକ ପୁରା ନଷ୍ଟ ହୋଇଗଲାଣି; ପାଠର ତ ନାଁ ସାଙ୍ଗିଆ ନାହିଁ ହେଲେ ପୁଅ ଲୁଚେଇକି ଚିଠି ଲେଖୁଥିଲା, ଆଜି ଧାରାପଡିଛି”-ଏକ ନିଶ୍ଵାସ ରେ କହିଦେଇ ମୋ ଆଡକୁ ଏକ ଭଙ୍ଗା ହେଇଥିବା କାଗଜଟେ ବଢେଇଦେଲେ ।

ମୁଁ କାଗଜଟିକୁ ଖୋଲି ଦେଖିଲି, କାହାକୁ ଗୋଟେ ସ୍କୁଲ ଛୁଟି ପରେ ଦେଖା କରିବା ପାଇ ଅନୁରୋଧ କରିଛି , କାହାରି ନାଁ ବି ଲେଖା ହେଇନି; ବାକ୍ୟ ବି ପୁରା ହୋଇପାରିନି, ବୋଧେ ଅଧା ଲେଖାରୁ ଧରାପଡିଯାଇଛି ।

-“କାହିଁ ଏଥିରେ ତା କାହା ନାଁ ଲେଖା ହେଇନି, ଆଉ କାଳେ ସେ କେଉଁ ପୁଅ ସାଙ୍ଗକୁ ଏ ଚିଠି ଲେଖି ବି ତ ଥାଇପାରେ”, ଶିବୁକୁ ଟିକେ ବଞ୍ଚେଇବା ପାଇ ମୁଁ ଏ କଥା କହିଦେଲି, ସହଜେ ବହୁତ ମାଡ ଖାଇଲା ପରି ଦେଖା ଯାଉଛି ଆଉ ଅଧିକ ନ ହେବାଟା ଭଲ ।

-ନାଇଁ ଆଜ୍ଞା, ଜମା ସେମିତି ନୁହଁ ; ସେ କାହାକୁ ଲେଖିଛି ଗୋଟେ, ମାନୁ ନାଇ ଜମା ଆଉ, ବାଡେଇ ବାଡେଇ ହାତ ବିନ୍ଧିଗଲା ମୋର ପରା । ଏଥର ଆପଣ ବୁଝନ୍ତୁ”

-“ହଉ ଲେଙ୍କା ବାବୁ ଆପଣ ଏବେ ଆସନ୍ତୁ; କ୍ଲାସ ଟାଇମ ବି ହେଇଗଲାଣି । ମୁଁ ତାକୁ ବୁଝେଇ ଦେବି ଆଜି, ଆଉ ଏମିତି ଆଗକୁ କରିବନି ସେ ଆଉ ହଁ, ଆପଣ ଆଉ କିଛି ସମୟ ଅପେକ୍ଷା କରିଲା ପରେ ଯଦି ଧରି ଥାନ୍ତେ, ତାହେଲେ କାହା ନାମ ପଚାରିବାକୁ ପଡିନଥାନ୍ତା; କାଗଜରେ ଲେଖା ହୋଇଥାନ୍ତା ।” ହସି ହସି ଏତକ କହିଦେଲି ମୁଁ ।

ମୁଁ ଶିବୁକୁ ସାଥିରେ ନେଇ ଶ୍ରେଣୀ ଗୃହ ଚାଲିଗଲି, କିଛି ବୁଝେଇନି ମୁଁ ତାକୁ, ନାଁ କିଛି ପଚାରିଲି, କଣ ବା ପଚାରିବି କଣ ବା ବୁଝେଇବି ! ଏ ବୟସରେ ସବୁ ପିଲା ମାନେ କଣ ଏମିତି କରନ୍ତିନି କି ? ମୁଁ ବି ତ ମୋ ସ୍କୁଲ ବେଳେ ଏ ଭୁଲ କରିଥିଲି । ଏହି ଶିବୁ ସାଙ୍ଗର ହୋଇଥିଲି ବୋଧେ, ଷଷ୍ଠ ପରୀକ୍ଷା ସାରି ସପ୍ତମକୁ ଯିବାକୁ ଅପେକ୍ଷା । ମୋର ସେସବୁ ଆଜି ବି ମନେ ଅଛି;

ପାଖାପାଖି ୧୮ବର୍ଷ ତଳର କଥା । ସେତେବେଳେ ତ ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେଉଥାଏ । ଦୁଇ ମାସର ଖରା ଛୁଟି ଆଖି ବୁଜିଦେଲେ ସରିଯିବ । ଝଅଟ ସେ ରଜ ଆଉ ତାପରେ ସ୍କୁଲ ପୁଣି ଖୋଲି ଯିବ । ତାପରେ ସପ୍ତମ ଶ୍ରେଣୀ; ମାତ୍ର ଗୋଟାଏ ବର୍ଷ, ମୁଁ ଆଉ ସୌମ୍ୟା ଏକାଠି ପଢିବୁ । ତା ମାମୁ କାଳେ କହିଥାନ୍ତି ବୋର୍ଡ ପରୀକ୍ଷା ପରେ ସୌମ୍ୟା କୁ ନେଇ କଲିକତାରେ କୋଉ ବଡ ଇଂରାଜୀ ମିଡିୟମ ହାଇସ୍କୁଲରେ ନାଁ ଲେଖେଇବେ ।

ସେ ଚାଲିଯିବା ପୂର୍ବରୁ , ମୁଁ ମୋର ମନର କଥା ତାକୁ କହିବା ପାଇଁ ସାହିତ୍ୟ ଖାତାର ପଛପଟେ ଗୋଟେ ଚିଠି ଲେଖିଥିଲି । ଭଲପାଇବାର ସଜ୍ଞା ଜାଣିନଥିଲେ ବି , ସୌମ୍ୟା ମୋ ପାଇ ସାଙ୍ଗଠୁ ବି ଢେର ଅଧିକ ବୋଲି ମୁଁ ବୁଝି ସାରିଥିଲି । ପିଲାମାନେ ଯେତେବେଳେ ତା ନାଁ ରେ ମୋତେ ଆଉ ତାକୁ ମୋ ନାଁ ରେ ଚିଡାଉଥିଲେ, କିମ୍ବା କଳାପଟାରେ, ଆମ ଦୁହିଙ୍କ ନାଁ ମଝିରେ ମିଶାଣ ଚିହ୍ନ ଦେଇ ଲେଖିଦେଉଥିଲେ, ଉପରକୁ ରାଗ ଦେଖେଇଲେ ବି ଭିତରେ ମତେ ଭାରି ଭଲ ଲାଗୁଥିଲା । ଆଉ ହଁ ସୌମ୍ୟା ବି କେବେ ମୁହଁ ଖୋଲି ଏହାର ବିରୋଧ କରୁ ନଥିଲା ।

ଶ୍ରେଣୀର ହାରାହାରି ଉଚ୍ଚତା ଠୁ ବି କମ୍‌ ଉଚ୍ଚ ସେ, ତା ସାଙ୍ଗକୁ ପତଳା ଚେହେରା ,ଗୋରା ଆଉ ଗୋଲ ମୁହଁ, ଆଖିରେ ମେଞ୍ଚେ କଜଳ ସାଙ୍ଗକୁ ମଥାରେ କଳାରଙ୍ଗର ଲମ୍ବା ଟିକିଲିଟେ । ଏ ହେଉଛି ସେତେବେଳେ ତାର ନିତିଦିନିଆ ଭେଷ । ସେ ମୁହଁ ଆଜି ବି ମୋ ମନ କଳାପଟାରେ ଆଙ୍କି ହେଇ ଅଛି, ସେଥିରେ କେବେ ଡଷ୍ଟର ବଜେଇନି ।

ତାର ରୂପ , ଗୁଣ ବର୍ଣ୍ଣନାଠୁ ଆରମ୍ଭ କରି, ମୋର ତାକୁ ପସନ୍ଦ କରିବା ପର୍ଯ୍ୟନ୍ତ ସବୁକିଛି ସେ ଖାତା ପଛପଟେ ଲେଖିଦେଇଥିଲି, ଭାବିଥିଲି ଛୁଟି ଭିତରେ ହିଁ ତାକୁ ନେଇ ଦେଇଦେବି । ହେଲେ କେଜାଣି କେମିତି ବୋଉ ଆଖିରେ ସେ ଖାତା ପଡିଯାଇଥିଲା ।

ଓଃ !! କି ମାଡ !! ଗୋଟିଏ ଭଲା ତଳେ ପଡିଥାନ୍ତା, ବୋଉ ବାଡେଇ ସାରିବା ପରେ , ବାପା ବି ତାଙ୍କ ହାତ ମୋ ପିଠିରେ ସଫା କରିଦେଇଥିଲେ ।

“ସେ ଶରତ ବଣିଆ ଝିଅ ଟି ? ସେ ତ ସବୁଥର ଶ୍ରେଣୀରେ ଫାଷ୍ଟ ହଉଛି, ଆଉ ଏ ବୋର୍ଡ ପରୀକ୍ଷା ରେ ବି ହେବ, ହେଲେ ଏ କୁଳାଙ୍ଗାର ଆମର ଲଭ୍‌ ଲେଟର ଲେଖି ଲେଖି ଫେଲ ହବ ଦେଖିବ”-ବୋଉକୁ ଏତକ କହିଦେଇ ବାପା ଭିତର ଘରକୁ ଚାଲିଗଲେ । ବୋଉର ବି ରାଗ ଆଉ ଟିକେ ତେଜି ହୋଇଯାଇଥିଲା ସେ ବି ତାର ସେଦିନର ଶେଷଥର ପାଇଁହାତ ସଫା କରୁ କରୁ କହିଲା, “ଏଡିକି ମେଞ୍ଚଡ ଛୁଆ, ତୁ ପୁଣି ଲଭ କଣ ଜାଣିଲୁଣି !! ଆଉ ଦିନେ ସେ ସିନେମା କାସେଟ ଆଣି ଦେଖ ତ….”

ସେତେବେଳେ ପାଖ କ୍ୟାସେଟ୍‌ ଦୋକାନରୁ ୫ ଟଙ୍କା ଦେଇ ଦିନକ ପାଇ ଭଡାରେ ସିନେମା କ୍ୟାସେଟ ଆଣି ସଦାବେଳେ ଘରେ ଦେଖିବାରୁ ଏମିତି ହୋଇଗଲି ବୋଲି ବୋଉର ବିଶ୍ଵାସ ।

ସେ ଯାହା ବି ହେଉ ମାଡ ଭୟରେ ଆଉ ସୌମ୍ୟା ସହ ଭଲ ରେ କେବେ କଥା ବି ହୋଇପାରି ନଥିଲି । ବୋର୍ଡ ପରୀକ୍ଷା ପରେ ସେ ବି କଲିକତା ଚାଲିଗଲା । ଦେଖା ତ’ ଦୂରର କଥା , କୌଣସି ପ୍ରକାର ସମ୍ପର୍କ ବି ରହି ପାରିଲାନି ତା ସହ । କିଛି ଦିନ ଯାଏ ତା କଥା ବହୁତ ମନେ ପଡୁଥିଲା, ତାପରେ ଧୀରେ ଧୀରେ ସମୟ ସହ ମୁଁ ବି ନିଜ ଭବିଷ୍ୟତ କଥା ଚିନ୍ତା କରି ପାଠପଢା ରେ ନିଜକୁ ହଜେଇ ଦେଲି ।

ଦଶମ ବୋର୍ଡରେ ଭଲ ରେଜଲ୍ଟ, ରେଭେନସା କଲେଜ ରୁ ଗଣିତ(ସମ୍ମାନ)ରେ ସ୍ନାତକ, ଆଉ ତାପରେ ବି ଏଡ ପରେ ଆମ ଗାଁ ପାଖ ସ୍କୁଲରେ ଚାକିରୀ ।

ଶୁଣିଥିଲି ସୌମ୍ୟା ନିଜର ମେଡିକାଲ ଶିକ୍ଷା ସାରିଲା ପରେ କଟକର ବଡ ମେଡିକାଲ ରେ ହାଉସ ସର୍ଜନ ଭାବେ ନିଯୁକ୍ତ । ନିଜର ସିନିୟର ଡାକ୍ତର ଙ୍କ ସହ ୨ ବର୍ଷ ତଳେ ବିବାହ କରିଛନ୍ତି । ହଁ, ‘ତୁ’ ରୁ ‘ତୁମେ’ !!! ଏବେ ତ ଆଉ ସେ ଛୋଟବେଳର ମୋ ସାଙ୍ଗ ସୌମ୍ୟା ହେଇ ନାହାନ୍ତି ନା, ତୁ ବୋଲି ସମ୍ବୋଧନ କେମିତି କରିବି ।

ଗଲା ମାସ , ଗାଁ ପୌଷ ପୁର୍ଣିମା ମେଳ ସମୟ ରେ, ଦୀର୍ଘ ୧୬ ବର୍ଷ ବ୍ୟବଧାନରେ ତାଙ୍କ ସହ ଦେଖା ହୋଇଥିଲା ଠିକ୍‌ ସେଇ ଗୋଲ ମୁହଁ, ଆଖି ପତା କୁ ଟିକେ ସାଇଜ କରିଦେଇଛନ୍ତି, ଆଖିରେ ଆଉ ଆଗ ଭଳି ମେଞ୍ଚେ କଜଳ ନାହିଁ , ହେଲେ ମଥାରେ ଆଜି ବି ସେଇ କଳାରଙ୍ଗର ଲମ୍ବା ଟିକିଲି ।

ପ୍ରଥମ ଥର ପାଇ ସ୍ଵାମୀଙ୍କ ସହ ଗାଁ କୁ ଆସିଥିଲେ ବିବାହ ପରେ । ସେଦିନ ଚାଟ୍‌ ଦୋକାନ ଆଗରେ ଛିଡା ହେଇ ଦୂରରୁ ଚିହ୍ନି ଦେଇଥିଲି ମୁଁ ତାଙ୍କୁ; ହେଲେ କିଛି କହିବାର ସାହସ ଏବେ ବ ନଥିଲା, ନିଜ ସ୍ଵାମୀଙ୍କ ସହ ଆସିଛନ୍ତି, ଏତେ ଦିନ ପରେ କାଳେ ମତେ ଚିହ୍ନି ପାରିବେ କି ନା ବୋଲି ଭାବି ମୁଁ ମୁହଁ ବୁଲେଇ ଦଉ ଦଉ, ସେ କହିଲେ “କଣ ରାଜବୀର ! ଚିହ୍ନ ପାରୁନ ନା କ’ଣ ? ନା ବଡ ଶିକ୍ଷକ ହେଇଗଲ ବୋଲି କଥା ବି ହବନି !”

କିଛି ସମୟ ନୀରବ ରହିଲା ପରେ ହାଲ୍କା ହସି ଦେଇ କହିଲି- “ନାଇଁ, ଦେଖି ନଥିଲି, ଲୋକ ଭିଡ ତ , ଆଉ କଣ ବଡ ଶିକ୍ଷକ , ମାମୁଲି ଶିକ୍ଷକ”

ସାଙ୍ଗରେ ତାଙ୍କ ପତି ଥିଲେ ବି ଅନେକ ଦିନ ପରେ ଦେଖୁଥିବା ଏ ଆଖି ତାଙ୍କ ମୁହଁ ରୁ ହଟିବାକୁ ଚାହୁଁ ନଥିଲା, କାଳେ ସେ ଅସହଯ ମନେ କରିବେ ବୋଲି ମୁଁ ନଜର ମେଳା ରେ ଲାଗିଥିବା ଚକିରି ଦୋଳି ଆଡେ କରି ନେଲି ।

କିଛି ସମୟ ସେମାନଙ୍କ ସହ କଥା ହେଲା ଭିତରେ ପଚ୍ଛରୁ ମୋ ହାତ କୁ ବାଡେଇ ମୋ ପତ୍ନୀ ପଚାରିଲେ – “ଚାଟ୍‌ ପଇସା ଦେଇ ଦେଇଛ ଟି?”

-“ଆରେ ରାଜ ତୁମେ ତୁମ ବିବାହ ବିଷୟରେ ତ ଏବେ ଯାଏ କହୁନଥିଲ, ଭାଉଜଙ୍କୁ ଲୁଚେଇ ରଖିବ ନା କଣ?” ମୋତେ ଗୋଟେ ଆଶ୍ଚର୍ଯ୍ୟ ନଜର ରେ ଚାହିଁ ପଚାରିଲେ ସୌମ୍ୟା ।

-“ହଁ ଏଇ ଗଲା ବର୍ଷ ଜୁନ ମାସ ର ଶେଷ ତିଥିରେ , ଆଉ କିଛି ମାସ ପରେ ଏକ ବର୍ଷ ହୋଇଯିବ” ମୁଁ ମୋ ପତ୍ନୀଙ୍କୁ ସୌମ୍ୟାଙ୍କ ସହ ଚିହ୍ନ କରିବା ପାଇ କହିଲି- “ଏ ଡାଃ ସୌମ୍ୟା , ଶରତ ମଉଶଙ୍କ ଝିଅ , ଆମ ସହ ଗାଁ ସ୍କୁଲ ରେ ପଢୁଥିଲେ ।”

ଖେଳଛୁଟି ସରିବାର ଘଣ୍ଟା ବାଜିବାର ଶବ୍ଦ ମତେ ବର୍ତ୍ତମାନକୁ ଭିଡିଆଣିଲା । ହାତରେ ଚକ ଆଉ ଡଷ୍ଟର ନେଇ ଆଉ ଗୋଟେ ଶ୍ରେଣୀକୁ ନୂଆ ପିରିୟଡ ଆରମ୍ଭ କରିବାକୁ ବାହାରିଗଲି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top