ପ୍ରବନ୍ଧ

ପରିବ୍ରାଜକାଚାର୍ଯ୍ୟ ପରମହଂସ ଶ୍ରୀମତ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ

Shri Nihar Ranjan Sabat's Odia Prose Paribraajakacharjya Paramahansa Shreemata Swami Shree Shree Thakura Nigamaananda Saraswati

ଠାକୁର ସ୍ଵଦେହରେ ଥିଲାବେଳେ ଶିଷ୍ୟ ଭକ୍ତ ମାନଙ୍କୁ ଯେପରି ପରିଚାଳନା କରୁଥିଲେ ଆଜି ବିଦେହୀ ହେଲେ ମଧ୍ୟ ଠିକ ସେହିପରି ସମସ୍ତଙ୍କୁ ପରିଚାଳନା କରୁଛନ୍ତି ।

ପରିବ୍ରାଜକାଚାର୍ଯ୍ୟ ପରମହଂସ ଶ୍ରୀମତ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ

ଆଧୁନିକ ସମୟରେ ମହାନ ସନାତନ ଧର୍ମର ପ୍ରଚାର, ପ୍ରସାର କରିବା ନିମନ୍ତେ ଯେଉଁ ମହାପୁରୁଷ ମାନେ ସାଧନା, ତପସ୍ୟା କରି ଯାଇଛନ୍ତି ସେମାନଙ୍କ ମଧ୍ୟରେ ପରିବ୍ରାଜକାଚାର୍ଯ୍ୟ ପରମହଂସ ଶ୍ରୀମତ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବ ଅଗ୍ରଗଣ୍ୟ । ୧୮୮୦ ମସିହା ଅଗଷ୍ଟ ମାସ ୧୮ ତାରିଖରେ ପବିତ୍ର ଝୁଲଣ ପୂର୍ଣ୍ଣିମା ତିଥିରେ ପିତା ଭୁବନ ମୋହନ ଭଟ୍ଟାଚାର୍ଯ୍ୟ ଓ ମାତା ମାଣିକ୍ୟ ସୁନ୍ଦରୀ ଦେବୀଙ୍କ କୋଳ ମଣ୍ଡନ କରି ସେ ତତ୍କାଳୀନ ଭାରତର ବଙ୍ଗ ପ୍ରଦେଶ ଅନ୍ତର୍ଗତ ନଦିୟା ଜିଲ୍ଲାର କୁତବପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିଲା ଦିନର ନାମ ନଳିନୀକାନ୍ତ । ତେର ବର୍ଷ ବୟସରେ ମାତାଙ୍କ ଆକସ୍ମିକ ବିୟୋଗ ତାଙ୍କୁ କରିଥିଲା ଅବସାଦଗ୍ରସ୍ତ । ସେ ଓଭରସିଅରିଂ ପଢା ଜାରି ରଖିଥିଲେ ସେହି ପ୍ରତିକୂଳ ଅବସ୍ଥା ମଧ୍ୟରେ । ପୁଅର ପରିସ୍ଥିତିରେ ସୁଧାର ଆଶାରେ ପିତା ହାଲି ସହରର କନ୍ୟା ସୁଧାଂଶୁବାଳା ଦେବୀଙ୍କ ସହ ବିବାହ କରାଇଥିଲେ । ଅଧ୍ୟୟନ ସମାପ୍ତ ହେବା ପରେ ସେ କାର୍ଯ୍ୟ ଆରମ୍ଭ କଲେ ଦିନାଜପୁର ଜିଲ୍ଲା କଚେରୀରେ । କିଛିକାଳ ପରେ ନାରାୟଣପୁର କଚେରୀରେ କାର୍ଯ୍ୟରତ ଥିବା ସମୟରେ ଦିନେ ରାତିରେ ପତ୍ନୀ ସୁଧାଂଶୁବାଳାଙ୍କର ଛାୟାମୂର୍ତ୍ତି ଦେଖିଲେ । ଗ୍ରାମକୁ ଯାଇ ଛାୟାମୂର୍ତ୍ତି ଦର୍ଶନର କିଛି କ୍ଷଣ ଆଗରୁ ପତ୍ନୀଙ୍କର ବିୟୋଗ ହୋଇଥିବାର ଜାଣିବାକୁ ପାଇଲେ । ପତ୍ନୀବିୟୋଗ ପର୍ଯ୍ୟନ୍ତ ଠାକୁର ମୃତ୍ଯୁ ହିଁ ଜୀବର ଅନ୍ତିମ ଅବସ୍ଥା ବୋଲି ବିଶ୍ୱାସ କରୁଥିଲେ । କିନ୍ତୁ ସେହି ଛାୟାମୂର୍ତ୍ତି ଦର୍ଶନ ଆତ୍ମା,ପରଲୋକ ବିଷୟରେ ତାଙ୍କ ମନରେ ଜାତ କରାଇଲା ଅନେକ ଅସମାହିତ ପ୍ରଶ୍ନ, ଦ୍ୱନ୍ଦ ।

ମନରେ ସୃଷ୍ଟି ହୋଇଥିବା ପ୍ରଶ୍ନର ସମାଧାନ ନିମନ୍ତେ ସେ ମାନ୍ଦ୍ରାଜର ଥିଓସୋଫିକାଲ ସମାଜରେ ଏକ ମାଧ୍ୟମ ଜରିଆରେ ପରଲୋକଗତ ପତ୍ନୀଙ୍କ ସହ ବାର୍ତ୍ତାଳାପ କରିବାକୁ ହୋଇଥିଲେ ସମର୍ଥ, ମାତ୍ର ତାହା ତାଙ୍କୁ ସନ୍ତୋଷ ପ୍ରଦାନ କରି ପାରିନଥିଲା । ତାପରେ ସେ ଜଣେ ଗୁରୁଙ୍କ ସନ୍ଧାନରେ ରହିଲେ ଯେ କି ତାଙ୍କ ପତ୍ନୀଙ୍କୁ ଭେଟ କରାଇପାରିବେ ଏବଂ ମୃତ୍ୟୁପର ଅବସ୍ଥାର ଦର୍ଶନ ବିଷୟରେ ଜ୍ଞାନ ପ୍ରଦାନ କରି ତାଙ୍କ ମନରେ ଜାତ ପ୍ରଶ୍ନର ସମାଧାନ କରିପାରିବେ । ଏହିପରି ସମୟରେ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ସହ ସାକ୍ଷାତ ହେବା ସମୟରେ ତାଙ୍କୁ ମନର ସମସ୍ତ ପ୍ରଶ୍ନ ଜଣାଇ ଗୁରୁ ଭାବରେ ଗ୍ରହଣ କରିବାକୁ ଇଛା କରିବାରୁ ସେ କହିଲେ ଯେଉଁ ପରଲୋକଗତ ପତ୍ନୀଙ୍କ ବିଷୟରେ ଉତ୍ସାହିତ ହୋଇଅଛ, ସେ ଜଗନ୍ମାତାଙ୍କ ଅଂଶ ଅଟନ୍ତି । ଜଗନ୍ମାତାଙ୍କୁ ପାଇଲେ ପତ୍ନୀଙ୍କୁ ପାଇହେବ । ତୁମର ଗୁରୁ ନିର୍ଦ୍ଦିଷ୍ଟ, ମୁଁ ତୁମ ଗୁରୁ ନୁହେଁ । ସେହି ଗୁରୁଙ୍କ ସନ୍ଧାନ କରି ଜଗନ୍ମାତାଙ୍କ ସାଧନା କର ।

ତାପରେ ଦିନେ ରାତିରେ ନିଦ୍ରିତଥିବା ସମୟରେ ଜଣେ ସାଧୁ ଦର୍ଶନ ଦେଇ ଏକ ମନ୍ତ୍ରଲିଖିତ ବେଲପତ୍ର ପ୍ରଦାନ କରି ଉଭେଇ ଗଲେ । ସେ ମନ୍ତ୍ରର ଅର୍ଥ ଏବଂ ସ୍ବପ୍ନ ରହସ୍ୟ ବିଷୟରେ ଅନେକ ସନ୍ଧାନ କରି ଶେଷରେ ଠାକୁର ସାଧନା ନିମନ୍ତେ ଉପସ୍ଥିତ ହେଲେ ବୀରଭୂମ ଜିଲ୍ଲାର ତାରାପୀଠରେ ଥିବା ପ୍ରସିଦ୍ଧ ତାନ୍ତ୍ରିକ ବାମାକ୍ଷେପାଙ୍କ ନିକଟରେ । ସେଠାରେ ତନ୍ତ୍ର ବିଦ୍ୟା ଲାଭ କରି ସ୍ୱଳ୍ପ ଅବଧିରେ ସିଦ୍ଧ ହୋଇ ମା ତାରାଦେବୀଙ୍କୁ ପତ୍ନୀ ସୁଧାଂଶୁବାଳାଙ୍କ ରୂପରେ ତାଙ୍କ ଶରୀରରୁ ନିର୍ଗତ ହୋଇ ପୁଣି ଶରୀରରେ ପ୍ରବେଶ କରିବାର ଦେଖିଲେ । ଏଥିରେ ଠାକୁର ସନ୍ଦିହାନ ହୋଇ ଗୁରୁ ବାମାକ୍ଷେପାଙ୍କୁ ” ମୁଁ କିଏ ? ” ପ୍ରଶ୍ନ କରିବାରୁ ସେ ଏହି ରହସ୍ୟର ସମାଧାନ ନିମନ୍ତେ ଜ୍ଞାନୀଗୁରୁଙ୍କ ନିକଟରୁ ଅଦ୍ୱୈତ ବେଦାନ୍ତ ଶିକ୍ଷା କରିବାକୁ ଦେଲେ ପରାମର୍ଶ । ଜ୍ଞାନୀଗୁରୁଙ୍କ ସନ୍ଧାନ ନିମନ୍ତେ ନାନାସ୍ଥାନ ଭ୍ରମଣ କରି ପୁଷ୍କର ତୀର୍ଥରେ ଉପସ୍ଥିତ ହୋଇ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଦର୍ଶନ ଲାଭ କରି ସେ ଯେ ସ୍ୱପ୍ନରେ ମନ୍ତ୍ରଲିଖିତ ବେଲପତ୍ର ପ୍ରଦାନ କରିଥିବା ସାଧୁ ତାହା ଅନୁଭବ କଲେ ଏବଂ ସେଠାରେ ସିଦ୍ଧି ଲାଭ କଲେ ଜ୍ଞାନ ସାଧନାରେ । ଲବ୍ଧ ଜ୍ଞାନର ଅନୁଶୀଳନ ନିମନ୍ତେ ଯୋଗ ସାଧନା ଶିକ୍ଷା ଉଦ୍ଦେଶ୍ୟରେ ଠାକୁର ଯୋଗୀଗୁରୁଙ୍କ ସନ୍ଧାନରତ ହୋଇ ସୁମେରୁ ଦାସଜୀଙ୍କ ସାକ୍ଷାତ ଲାଭ କରି ତାଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ ଏବଂ ସ୍ୱଳ୍ପ ସମୟରେ ଯୋଗର ସମସ୍ତ କ୍ଳିଷ୍ଟ ସାଧନାକୁ ଆୟତ୍ତ କରିବାକୁ ହେଲେ ସମର୍ଥ । ଆସାମ ପ୍ରଦେଶର ଗୌହାଟୀସ୍ଥ କାମାକ୍ଷା ପୀଠ ନିକଟରେ ନିର୍ବିକଳ୍ପ ସମାଧି ଲାଭ କରି ” ମୁଁ ସାର୍ବଭୌମ ଗୁରୁ ” ବୋଲି ଅନୁଭୂତି ପ୍ରାପ୍ତ ହେଲେ । କାଶୀ ଭ୍ରମଣ କାଳରେ ମା ଅନ୍ନପୂର୍ଣ୍ଣା ସ୍ବପ୍ନରେ ଦେଖାଦେଇ କହିଲେ ଯେ ତନ୍ତ୍ର, ଜ୍ଞାନ ଏବଂ ଯୋଗ ସାଧନାରେ ସିଦ୍ଧ ହେଲା ପରେ ମଧ୍ୟ ତୁମେ ଅପୂର୍ଣ୍ଣ । ତତ୍ପରେ ସେ ଗୌରୀ ମାଙ୍କ ନିକଟରୁ ପ୍ରେମ ସାଧନା କରିଥିଲେ ଶିକ୍ଷା ।

ସାଧନାର ପରିସମାପ୍ତି ପରେ ଗୁରୁ ସଚ୍ଚିଦାନନ୍ଦ ମହାରାଜ ଆହ୍ଲାବାଦ କୁମ୍ଭମେଳାରେ ଉପସ୍ଥିତ ଥିବାର ଜାଣି ତାଙ୍କ ଦର୍ଶନ ନିମନ୍ତେ ସେଠାରେ ଉପସ୍ଥିତ ହୋଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସାକ୍ଷାତ ଲାଭ କରି ତାଙ୍କ ପ୍ରଶ୍ନର ଯଥୋଚିତ ଉତ୍ତର ପ୍ରଦାନ କରିବାରୁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଠାକୁର ଯେ ସାଧନାରେ ପୂର୍ଣ୍ଣତା,ଶ୍ରେଷ୍ଠତା ଲାଭ କଲେଣି ତାହା ଅନୁଭବ କରି ଉପସ୍ଥିତ ସାଧୁ ମଣ୍ଡଳୀଙ୍କ ଅନୁମୋଦନରେ ପ୍ରଦାନ କରିଥିଲେ ପରମହଂସ ଉପାଧି । ଆସାମ ରାଜ୍ୟର କୋକିଳାମୁଖ ଠାରେ ଠାକୁର ନିର୍ମାଣ କରିଥିଲେ ସାରସ୍ୱତ ମଠ ଏବଂ ସେଠାରେ ପ୍ରତିଷ୍ଠା କରିଥିଲେ ଜଗଦଗୁରୁଙ୍କ ଆସନ । ଆଦି ଶଙ୍କରାଚାର୍ଯ୍ୟଙ୍କ ଜ୍ଞାନମାର୍ଗ ଏବଂ ମହାପ୍ରଭୁ ଗୌରାଙ୍ଗଦେବଙ୍କ ପ୍ରେମମାର୍ଗକୁ ଅନୁସରଣ କରି ଠାକୁର ଅସାମ୍ପ୍ରଦାୟିକ ଭାବରେ ସନାତନ ଧର୍ମର ପ୍ରଚାର , ସତଶିକ୍ଷାର ବିସ୍ତାର କରିବା ନିମନ୍ତେ ଆଦର୍ଶ ଗୃହସ୍ଥ ଜୀବନ ଗଠନ ,ସଙ୍ଘ ଶକ୍ତିର ପ୍ରତିଷ୍ଠା ଓ ଭାବ ବିନିମୟ ଆଦି ତିନିଟି ଉଦ୍ଦେଶ୍ୟ ସାଧନ ନିମନ୍ତେ ମଠ ଆଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ଭକ୍ତ ସମ୍ମିଳନୀର ପ୍ରବର୍ତ୍ତନ କରିଥିଲେ । ଗୁରୁଵାଦ ପରମ୍ପରାକୁ ମହିମାମଣ୍ଡିତ କରିବାପାଇଁ “ଜୟଗୁରୁ” ମହାମନ୍ତ୍ରର ପ୍ରଚାର କରିଥିଲେ । ସେ ଭଗବାନଙ୍କ ଅବତାର ନୁହନ୍ତି ବରଂ ସଦ୍ଗୁରୁ ବୋଲି ଶିଷ୍ୟ ଭକ୍ତ ମାନଙ୍କୁ କହୁଥିଲେ ଏବଂ ବ୍ରହ୍ମଚର୍ଯ୍ୟ ସାଧନ,ଯୋଗୀଗୁରୁ ,ଜ୍ଞାନୀଗୁରୁ,ପ୍ରେମିକଗୁରୁ,ତାନ୍ତ୍ରିକଗୁରୁ ପରି ଆଧ୍ୟାତ୍ମିକ ପୁସ୍ତକ ରଚନାକରି ସନାତନ ଧର୍ମର ପ୍ରଚାର, ପ୍ରସାର କରିବାକୁ ହୋଇଥିଲେ ପ୍ରୟାସୀ । ଜୀବନର ଶେଷ ବାରବର୍ଷ ସେ ଶ୍ରୀକ୍ଷେତ୍ର ପୁରୀ ଠାରେ ଥିବା ନୀଳାଚଳ କୁଟୀରରେ ଅବସ୍ଥାନ କରିଥିଲେ ଏବଂ ଉତ୍କଳୀୟ ଭକ୍ତ ମାନଙ୍କୁ ନେଇ ପ୍ରତିଷ୍ଠା କରିଥଲେ ନୀଳାଚଳ ସାରସ୍ୱତ ସଂଘ । ୧୯୩୫ ମସିହା ନଭେମ୍ବର ମାସ ୨୯ ତାରିଖରେ କଲିକତା ସହରର ବିଡେନ ଷ୍ଟ୍ରିଟ ଠାରେ ଦେହତ୍ୟାଗ କରିଥିଲେ । ଠାକୁର ସ୍ଵଦେହରେ ଥିଲାବେଳେ ଶିଷ୍ୟ ଭକ୍ତ ମାନଙ୍କୁ ଯେପରି ପରିଚାଳନା କରୁଥିଲେ ଆଜି ବିଦେହୀ ହେଲେ ମଧ୍ୟ ଠିକ ସେହିପରି ସମସ୍ତଙ୍କୁ ପରିଚାଳନା କରୁଛନ୍ତି । ସାମ୍ପ୍ରତିକ ସମୟରେ ବିଶ୍ବରେ ଶାନ୍ତି,ସ୍ଥିରତା ଓ ଭାଇଚାରା ବଜାଇ ରଖିବା ନିମନ୍ତେ ଠାକୁର ପ୍ରବର୍ତ୍ତନ କରିଥିବା ଅସାମ୍ପ୍ରଦାୟିକ ଭାବରେ ସନାତନ ଧର୍ମ ମତବାଦର ପ୍ରଚାର ଏକାନ୍ତ ପ୍ରୟୋଜନ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top