କିଛି ବର୍ଷ ପୂର୍ବେ ଆମର ଛୋଟ ସହରରେ ଗୋଟେ ଚା ପକୁଡି ଦୋକାନ ଥିଲା । ସେଠି ଅନ୍ୟ ମାନଙ୍କ ମଧ୍ୟରେ କିଛି ପୋଲିସ ବାଲା ଆସି ଚା ପିଉଥିଲେ । ଜଣେ ନୂଆ ପୋଲିସ ବାବୁ ଆସିଥାନ୍ତି, ସମସ୍ତେ ତାଙ୍କୁ ଦେହୁରୀ ବାବୁ ଡ଼ାକୁଥାନ୍ତି । ତାଙ୍କୁ ସମସ୍ତେ ଡରୁଥିଲେ, କହୁଥିଲେ ଦେହୁରୀ ବାବୁ କଡା ଲୋକ । ସେ କଥାବାର୍ତ୍ତା କଲାବେଳକୁ ‘ମୁଁ’ ଜାଗାରେ ‘ଦେହୁରୀ’ କହୁଥାନ୍ତି । ଯେମିତି, ମୁଁ ଯାହା କହେ ତାହା କରେ ନକହି କହୁଥାନ୍ତି ଦେହୁରୀ ଯାହା କହିବ ତାହା କରିବ । ତାଙ୍କର କଥା କହିବା ଶୈଳୀ ବ୍ୟଥିତ ଆଉ କିଛି ମଧ୍ୟ ସ୍ୱତନ୍ତ୍ର ଥିଲା । ତାଙ୍କର ଗୋଟିଏ ସବୁବେଳେ ଚିକ ଚିକ କରୁଥିବା ବୁଲେଟ ଗାଡି ଓ ହଳେ ନିଶ ଥିଲା । ସେ ମଝିରେ ମଝିରେ କହୁଥାନ୍ତି ତାଙ୍କ ଗାଡି ଓ ନିଶ ର ଦାମ ସମାନ ଅର୍ଥାତ ଲକ୍ଷେ ଟଙ୍କା । ଅନ୍ୟମାନେ ଯେମିତି ଖବରକାଗଜ଼ ପଢିବା ପାଇଁ ସକାଳେ କିଛି ସମୟ ରଖିଥାନ୍ତି ସେ କୁଆଡେ ସକାଳୁ ବୁଲେଟ ଓ ନିଶର ଯତ୍ନ ପାଇଁ ଅଲଗା ସମୟ ରଖିଥିଲେ । ନିଶ ଦେଖିବାକୁ ଇଂରାଜୀ W ଅକ୍ଷର ଭଳିଆ । ତାଙ୍କ ସହ ସବୁବେଳେ ବୁଲୁଥିବା କନେଷ୍ଟବଳ ଜଣକ କହିବା କଥା ପୋଲିସ ବିଭାଗ କୁଆଡେ ଦେହୁରୀ ବାବୁଙ୍କୁ ନିଶ ଯତ୍ନ ନେବା ପାଇଁ ଭତ୍ତା ଦେଉଛି । ସେ ଥରେ ଚା ପିଉଥାନ୍ତି ଜଣେ ପୁରୁଣା କଂଗ୍ରେସୀଆ ନେତା ଆସି କହିଲେ,
– ଦେହୁରୀ ବାବୁ ଆଜି କାଲି ବହୁତ ସାଇକେଲ ଚୋରି ହେଉଛି ଆପଣ ମାନେ କାହିଁକି କିଛି କରୁ ନାହାନ୍ତି, ଏଭଳି ଘଟଣା ଘଟିଲେ ଆପଣଙ୍କ ନିଶର କଣ ଇଜ୍ଜତ ରହିବ, ପୋଲିସ ଥିଲେ କେତେ ନଥିଲେ କେତେ ?
ଏ କଥା ଆଉ କେହି କହିବାକୁ ସାହସ କରିନଥାନ୍ତେ କେବଳ ଜଣେ କଂଗ୍ରେସିଆ ହେଇଥିବାରୁ କହି ପାରିଲେ ।
– ଏ କଥା ଆଗରୁ ଦେହୁରୀକୁ କେହି କହି ନାହାନ୍ତି, ପୋଲିସ କୁ ଖବର ଆସିଲେ ସିନା ସେ କଣ କରିବ? ତଥାପି କେଉଁଠି ଚୋରି ହେଲା ଏବେ କୁହନ୍ତୁ; ଦେହୁରୀ ବାବୁ କହିଲେ ।
– ଏ ଭିତରେ ୪ଟା ସାଇକେଲ ଚୋରି ହେଲାଣି, ସବୁ ପରିବା ହାଟରେ ହେଉଛି, ଗତ କାଲି ମୋର ଜଣେ ଜଣାଶୁଣା ଲୋକର ସାଇକେଲ ଚୋରି ହୋଇଛି ।
– କିନ୍ତୁ ସେ ବାବୁ କାହିଁକି ଥାନା ରେ F।R ଦେଲେ ନାହିଁ ?
– ସାଇକେଲ ଚୋରା କୁ ପୋଲିସ ଧରି ପାରିବ, ସେ ବିଶ୍ୱାସ ତାଙ୍କର ନାହିଁ ।
– ସେ ବାବୁଙ୍କୁ କହିବେ ଆଜିକାଲି ପୋଲିସ ଓ ଦେହୁରୀ ଭିତରେ ଫରକ ଅଛି, ଆପଣ ଦେହୁରୀର ନିଶ ବିଷୟରେ ଜାଣି ନାହାନ୍ତି, ଗୋଟେ ବାର ଜଣିଆ ଡକାୟତ ଦଳର ସର୍ଦାର ଥରେ ଦେହୁରୀ ହାବୁଡ଼ରେ ପଡିଗଲା, ତାପରେ ସେ ଡକାୟତି ଛାଡ଼ି ଗୋଟେ ତେଜରାତି ଦୋକାନ କରି ଚଳୁଛି । ଆଉ ଗୋଟେ ସିନ୍ଧି ଚୋର ନଅ ଥର ଜେଲ ଯାଇଥିଲା, ଦେହୁରୀର ଗୋଟେ ଗୋଇଠାରେ ଚୋରି ଛାଡ଼ି ସାଇକେଲ ମରାମତି କରି ଚଳୁଛି ।
ଏ କଥା କହି ସେ ସାଙ୍ଗରେ ଥିବା ଆଉ ଜଣେ ପୋଲିସ ବାବୁକୁ ବୁଲେଟ ଚାବି ଦେଇ କାହାକୁ ଗୋଟେ ଡାକି ଆଣିବାକୁ ପଠେଇଲେ ।
କିଛି ସମୟ ପରେ ସେ ଚଣ୍ଡ ନାମକ ଜଣେ ୬ ଫୁଟିଆ ଲୋକକୁ ଡାକି ଆଣିଲା ।
ସେ ଗାଡ଼ିରୁ ଓହ୍ଲେଇବା ପରେ ଦେହୁରୀ ବାବୁ ପଚାରିଲେ;
– ଆରେ ଚଣ୍ଡ ସାଇକେଲ କାହିଁକି ଚୋରି କଲୁ, କେତେବେଳେ ଫେରେଇବୁ ?
ଏ କଥାରେ ଚଣ୍ଡ ଭୀଷଣ ରାଗିଗଲା, କହିଲା;
– ତୁ ଚଣ୍ଡକୁ ଜାଣିନୁ, ତତେ ଉଡେଇଦେବି, ତୁ କେମିତି ସାହସ କଲୁ ମତେ ଚୋର କହିବାକୁ ? ମୁଁ ବହୁତ ଥାନା ହାଜତ ଦେଖିଛି, ମୁଁ ତତେ ଡରୁନି କି ତୋର ନିଶକୁ ଡରୁନି, ତୋର ନିଶ ଛୋଟ କରିବାକୁ ମତେ ଦୁଇ ମିନିଟ ଲାଗିବ ।
ଏଥରକ ଦେହୁରୀ ବାବୁ କହିଲେ,
– ଆରେ ଚଣ୍ଡ ତୁ ଦେହୁରୀକୁ ଜାଣିନୁ, ଦେହୁରୀର ନିଶ ଛୋଟ କରିବି କହି ଗୁରୁ ଚଣ୍ଡାଳ ଦୋଷ କରିଦେଲୁ, ଆଜି ମୋ ହାତରୁ ତତେ ସ୍ୱୟଂ ବ୍ରହ୍ମା ରକ୍ଷା କରି ବାରିବେ ନାହିଁ । ଏହାକହି ଗୋଟେ ଗୋଇଠା ପକେଇଲେ, ଚଣ୍ଡ ତାଳ ଗଛ କାଟିଲା ଭଳିଆ କଚାଡି ହେଇ ପଡିଲା, ସେଇଠି ଚଣ୍ଡକୁ ଗୋଇଠା ପରେ ଗୋଇଠା ମାରି ଚାଳିଲେ । ଚଣ୍ଡର ଟାଣପଣ ଆଉ ରହିଲା ନାହିଁ । କିଛି ଲୋକ ଏମିତି ନ ମାରିବାକୁ ଅନୁରୋଧ କଲେ କହିଲେ ବିଚାର ନିର୍ଦ୍ଦୋଷ ଜଣା ପଡ଼ୁଛି । ଦେହୁରୀ ବାବୁ ଟିକେ ରହି ଯାଇ କହିଲେ , ଆରେ ଚଣ୍ଡ ମୁଁ ତତେ ୫ଟା ଯାଏ ସମୟ ଦେଲି, ସାଇକେଲ ସହ ଏଠି ପହଁଚିବୁ । ଯଦି ତୁ ଚୋରି କରିନୁ ଯିଏ ଚୋରି କରିଛି ତାକୁ ଧରିକି ଆସିବୁ । ବାବୁ ମାନେ କହିବାରୁ ତତେ ଛାଡ଼ୁଛି ।
ଚଣ୍ଡ ନମସ୍କାର ପକେଇ ସେଠୁ ଯଥା ଶୀଘ୍ର ପଳେଇଲା ।
– ସନ୍ଧ୍ୟା ବେଳକୁ ସେଠି ଅଲଗା ଦିନ ଅପେକ୍ଷ୍ୟା ଟିକେ ଅଧିକ ଭିଡ ଥିଲା । ଚଣ୍ଡ କାହା ସାଙ୍ଗରେ ଗୋଟେ ଆସିଲା, ଲାଗିଲା ସେ ଏଥରକ ଦେହୁରୀକୁ ଛାଡିବ ନାହିଁ । ସାଙ୍ଗରେ ଜଣେ ଗୁଣ୍ଡା ଆଣିଛି । ସମସ୍ତେ କହୁଥାନ୍ତି ଦେହୁରୀ ବିନା କାରଣରେ ଚଣ୍ଡକୁ ବାଡେଇବା ଠିକ ହେଇ ନାହିଁ ।
ଏତିକି ବେଳକୁ ଦେହୁରୀ ବାବୁ ତାଙ୍କ ବୁଲେଟ ରେ ଆସି ପହଁଚିଲେ । ପହଞ୍ଚୁ ପହଞ୍ଚୁ ଚଣ୍ଡ ସାଙ୍ଗରେ ଥିବା ଲୋକକୁ ବାଡେଇବା ଆରମ୍ଭ କରିଦେଲେ । କେହି କିଛି ବୁଝି ପାରିଲେ ନାହିଁ । ଚଣ୍ଡ କିଛି କହୁ ନ ଥାଏ । ମାଡ଼ ଖାଉଥିବା ଲୋକ ଖାଲି ବାପା ମା ଡାକୁ ଥାଏ ।
ଦୁଇ ମିନିଟ ରେ ସେ ମାନିଗଲା, ସେ ସାଇକେଲ ଚୋରି କରିଛି, ଏବଂ ସାଇକେଲ ଆଣିକି ଆସିଛି ଫେରେଇବାକୁ ।
ତା ପରେ ବି କିଛି ସମୟ ମାଡ଼ ଜାରି ରହିଲା । ସେଇଠି ଯାହାର ସାଇକେଲ ଚୋରି ହେଇଥିଲା ତାଙ୍କୁ ଡକାଗଲା । ସେ ସାଇକେଲରେ ଲାଗିଥିବା ଅଲଗା ସିଟ କଭର ଦେଖି ପ୍ରଥମେ ଚିହିଁ ପାରିଲେ ନାହିଁ, କିନ୍ତୁ ଟିକେ ଭଲରେ ଦେଖିବା ପରେ ଚିହ୍ନି ପାରିଲେ । ଏଇଟା ତାଙ୍କରି ସାଇକେଲ ।
ଚୋରବି ମାନିଗଲା ସେ ମଦ ପାଇଁ ସାଇକେଲ ଚୋରି କରୁଥିଲା । ସାଇକେଲ ମାଲିକ ନିଜ ସାଇକେଲ ନେଇ ଘରକୁ ଗଲେ । ଅଳ୍ପ ସମୟ ପରେ ଯିଏ ଯୁଆଡେ ପଳେଇଲେ । ଦେହୁରୀ ବାବୁ ଚା ଦୋକାନୀକୁ କହିଲେ ଚଣ୍ଡ ଓ ତା ସାଙ୍ଗକୁ ଚା ପକୁଡି ଦିଅ, ଆଜି ବହୁତ ମାଡ଼ ଖାଇଲେଣି । ଚା ପକୁଡି ଖାଇ ସାରିବା ପରେ ଦେହୁରୀ ବାବୁ ପଚାରିଲେ ?
– କଣ ତମେ ଏବେ ଚୋରି ଛାଡିବ ନା ନାହିଁ ?
ଚଣ୍ଡ ସାଙ୍ଗ କହିଲା;
– ଆପଣ ଯେମିତି ବାଡ଼ଉଛନ୍ତି ଜୀବନ ପଳେଇବ । ପଞ୍ଚଗୁଣା ଦେଇ ସେକିଲେ ଦରଜ ଯିବନି, ଭାବୁଛି ଗୋଟିଏ ଅଣ୍ଡା ଦୋକାନ କରିବି । ଆପଣ ଆସିଲା ପରେ ଆଉ ଏ ଧନ୍ଦା କରି ହେବନି ।
ଚଣ୍ଡ କହିଲା; ଆଜ୍ଞା, ମୋର ଆଗରୁ ଚନାଚୁର ବେପାର ଥିଲା, ତାକୁ ଆଉଥରେ ଆରମ୍ଭ କରିବି ।
କଥାହେଲା ଚଣ୍ଡ ଜଣେ ପେଶାଦାର ଛୋଟ ଚୋର ଥିଲା ଯାହାକୁ ଥାନାବାଲା ଜାଣିଥିଲେ, ସେ ସମାନ ପେଶାରେ ଥିବା ଅନ୍ୟ ଚୋର ଙ୍କୁ ଜାଣିଥିଲା । ମାଡ଼ ଭୟରେ ସେ ତା ସାଙ୍ଗକୁ ସାଇକେଲ ସହିତ ଡାକିଆଣିଲା ।
କିଛିଦିନ ପରେ ଚା ଦୋକାନକୁ ଦେହୁରୀ ବାବୁଙ୍କ ସାଙ୍ଗରେ ଅଧିକାଂଶ ସମୟରେ ବୁଲୁଥିବା ପୋଲିସବାବୁ ଜଣକ କହୁଥିଲେ ଆଜି ସାଇକେଲ ଚୋର ପଚାରୁଥିଲା ବାକି ୩ଟା ସାଇକେଲ କାହାକୁ ଫେରେଇବ ?
ଚା ଦୋକାନୀ କହିଲା; ଦେହୁରୀ ବାବୁ ଯେଉଁ ଗୋଇଠା ଚିକିତ୍ସା କରୁଛନ୍ତି ସେଥିରେ ସତ ଉଗାଳିବାକୁ ଆଉ ନାରକୋ ଟେଷ୍ଟର ଆବଶ୍ୟକତା ନାହିଁ ।