ଦିଗନ୍ତବିସ୍ତାରି ଦଶଦିଗଭେଦି ଅସ୍ତିତ୍ୱ ବିସ୍ତାରେ ପୟୋଧି,
ପୟୋଧିର ବିଶାଳତାରେ ମନ୍ତ୍ରମୁଗ୍ଧ ପୟୋଧିପୁତ୍ରୀ ।
ପୟସ୍ଵିନୀମାନଙ୍କୁ ଅପାର ଶ୍ରଦ୍ଧାରେ ଆଲିଙ୍ଗନକରେ ପୟୋଧି,
ପୟୋଧିର ଉଦାରତାରେ ବିସ୍ମିତ ପୟୋଧିପୁତ୍ରୀ ।
ଲକ୍ଷ ଲକ୍ଷ ଜାତିର ପ୍ରାଣୀଙ୍କୁ ଗର୍ଭରେ ପାଳେ ପୟୋଧି,
ପୟୋଧିର ମାତୃତ୍ୱକୁ ନତମସ୍ତକ ପୟୋଧିପୁତ୍ରୀ ।
କେତେ ମଣି-ରତ୍ନ-ମୁକ୍ତାର ଏନ୍ତୁଡିଶାଳ ପୟୋଧି,
ପୟୋଧିର ଯାଦୁଗରୀରେ ପୁଲକିତ ପୟୋଧିପୁତ୍ରୀ ।
ସବୁ ଭୌଗୋଳିକ ପ୍ରକ୍ରିୟାର କାରକ ପୟୋଧି,
ପୟୋଧିର ମହାନତାରେ ପ୍ରଭାବିତ ପୟୋଧିପୁତ୍ରୀ ।
କ୍ଷଣ କ୍ଷଣକେ ଆନ ରଙ୍ଗେ ସୁଶୋଭିତା ପୟୋଧି,
ଶୁଭ୍ର, ନୀଳ, ମେଘ ରଙ୍ଗରେ ରଙ୍ଗିଯାଏ ପୟୋଧିପୁତ୍ରୀ ।
ପ୍ରକୃତି-ତାଣ୍ଡବର ପୃଷ୍ଠଭୂମିସାଜି ଧ୍ୱଂସମୁଖୀହୁଏ ପୟୋଧି,
ପୟୋଧିର କ୍ଷମତା ଜାଣି ସାବଧାନ ପୟୋଧିପୁତ୍ରୀ ।
ନାନା ଆକାରର ଅମାନିଆ ଢେଉରୂପେ ଛୁଇଁଯାଏ ପୟୋଧି,
ଅମାନିଆ ହୋଇ ଗୋଟାପଣେ ଭିଜିଯାଏ ପୟୋଧିପୁତ୍ରୀ ।
ଚକ୍ଷୁଯୁଗଳର ସୋନ୍ଦର୍ଯ୍ୟପିପାସା ଅନ୍ତକରେ ପୟୋଧି,
“ପୟୋଧି” କବିତାର କବୟିତ୍ରୀ ସାଜେ ପୟୋଧିପୁତ୍ରୀ ।