ରାଜୀବ ସ୍ମୃତିଠାରୁ ଦୁଇ ବର୍ଷ ବଡ଼। ସେ ଚମ୍ପେଶ୍ୱର ମହାବିଦ୍ୟାଳୟରେ +୨ ପାସ କରିସାରି ନରସିଂହପୁର କଲେଜରେ କଳା ବିଷୟରେ ତୃତୀୟ ବର୍ଷରେ ପଢ଼ୁଥିଲା । ଆଉ ସ୍ମୃତି, ଯିଏକି ନରସିଂହପୁର ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ବିଜ୍ଞାନ ନେଇ ପଢ଼ୁଥିଲା । ସ୍ମୃତିର ଘର ଅଲରା ଗାଁରେ, ଏକ ନିମ୍ନ-ମଧ୍ୟବିତ୍ତ ପରିବାରରେ । ରାଜୀବର ପରିବାର ଥିଲା ମଧ୍ୟବିତ୍ତ ।
ଗୋଟିଏ ଦିନର କଥା… ଅଲରା ଗାଁ ମୁଣ୍ଡରେ ଥିବା ପୋଲଟି ପାଖରେ, ଯେଉଁଠି ଗାଁ ହାଇସ୍କୁଲ ଆଗରୁ ବହିଯାଇଥିବା ଛୋଟ ନାଳ ଉପରେ ସେହି ରାସ୍ତା ପୋଲଟି ଅଛି । ଦୁର୍ଭାଗ୍ୟବଶତଃ, ସ୍ମୃତିର ସାଇକେଲର ଚେନ୍ ଖସି ଯାଇଥିଲା ଏବଂ ସେ ବହୁତ ବ୍ୟସ୍ତ ହୋଇଉଠିଥିଲା; ଚେନ ଟିକୁ କେମିତି ଲଗାଇବ, ଜାଣି ନଥିଲା । ଆଉ ସେତିକି ବେଳେ ରାଜୀବର ପ୍ରବେଶ । କାରଣ ତାଙ୍କ ଗାଁ ଦେଇ ତ ସେ କଲେଜ୍ ଯାଏ । ତାକୁ ଦେଖି ରାଜୀବର ମନ କହିଲା, “ଆରେ ବାଃ ! କି ସୁନ୍ଦରୀ ! ଭଗବାନ୍ ପୂରା ଛୁଟି ନେଇ ତାକୁ ଗଢ଼ିଛନ୍ତି।” କିନ୍ତୁ ସେ ଏତେ ବ୍ୟସ୍ତ କାହିଁକି ? ଟିକେ ଭଲ କରି ଦେଖିବାରେ ରାଜୀବ ଜାଣିପାରିଲା ତା’ ସାଇକେଲର ଚେନ୍ ଖସି ଯାଇଛି ।
ରାଜୀବ ନିଜ ସାଇକେଲର ବ୍ରେକ୍ ମାରି ତା’ ପାଖେ ରଖିଲା ଏବଂ ଆଉ ଫେଁ କରି ହସି ଦେଲା । ସ୍ମୃତି ରାଗି ଉଠିଲା, ତାଙ୍କ ଆଡ଼କୁ ଚାଲି ଆସି କହିଲା, “ଏଇଟା କଣ? ହସୁଛ କାହିଁକି?”
ରାଜୀବ କହିଲା,”ନା, କିଛି ନୁହେଁ… । ସ୍ମୃତି ପଚାରିଲା ମୋ ସାଇକେଲ ଆଡ଼କୁ ଚାହିଁ ତୁମେ ହସୁଥିବାର ମୁଁ ଦେଖିଛି।” ରାଜୀବ କହିଲା
“ହଉ, ହେଲା ମୁଁ ହସିଥିଲି, ହେଲେ ତମେ ଏଠି କଣ କରୁଛ, ଠିଆ କାଇଁ ହେଇଛ?” ସ୍ମୃତି କହିଲା, “କଣ ହୋଇଛି କେଜାଣି, ମୋ ସାଇକେଲ ଚେନ୍ ଖସି ଯାଇଛି ଆଉ ମୁଁ ଜାଣିନି କେମିତି ଲଗାଇବି।”
ରାଜୀବ କହିଲା, “ଆଚ୍ଛା, ଏଇ କଥା? ମୁଁ ଲଗାଇ ଦେଉଛି।” ଏକ ହିରୋ ଭଳି ଗୋଡ଼କୁ ଘୁରାଇ ସାଇକେଲରୁ ଓହ୍ଲାଇ ଚେନ ଟିକୁ ଲଗାଇ ଦେଲା । ସ୍ମୃତି କିଛି ନ କହି ସାଇକେଲ ଧରି ଚାଲିଗଲା।
ରାଜୀବ ଭାବିଲା, ଦୁନିଆଟା କେଡ଼େ ବିଚିତ୍ର ! ସାହାଯ୍ୟ କଲି, କିନ୍ତୁ ଗୋଟେ ‘ଧନ୍ୟବାଦ’ ମଧ୍ୟ ନାହିଁ । ହଉ, ଦେଖାଯାକ ଆଉ କେବେ ହେବ ଦେଖା ଆଉ ସେତେବେଳେ ମାଗିନେବି ମୋ ଧନ୍ୟବାଦ୍ କୁ।
ତା’ପରେ ଏମିତି କଲେ ଯିବା ଆସିବା ଚାଲିଥାଏ । ଏମିତି ଦିନେ ରାଜୀବ ଲକ୍ଷ୍ୟ କଲା ଯେ କେହି ଜଣେ ତା’ର ପଛେ ପଛେ ଆସିଲା ଭଳି ଲାଗୁଛି, କିନ୍ତୁ ସ୍ପଷ୍ଟ ଜାଣି ପାରୁନଥିଲା । ଦିନେ ସେ ଜୋରରେ ଚାଲି ଯାଇ ଗୋଟେ ବଡ଼ ବରଗଛ ତଳେ ସାଇକେଲ ରଖି ଲୁଚିଗଲା । ଯାହା ଦେଖିଲା, ତା’ର ମନ କହିଲା: ‘କି ଦେଖିଲା ଆଜି ନେତ୍ର !’ ଆଉ ଲାଗିଲା ବୋଧେ ସେଇ ଲୋକଟି ଥିଲା ସ୍ମୃତି । ସେ ସାଇକେଲ ରଖି ଚାରିଆଡ଼େ ଚାହୁଁଥିଲା । ରାଜୀବ ପଛରୁ ଯାଇ ତାକୁ ଚମକେଇ ଦେଲା । ସ୍ମୃତି ପୁଣି ରାଗିଗଲା ।
ରାଜୀବ ପଚାରିଲା, “କଣ ମାଡ଼ମ, ପୁଣି ଚେନ୍ ଖସିଗଲା କି?”
ସେକହିଲା, “ନା।”
“ତେବେଏଠି କାହିଁକି ରହିଛ?” ରାଜୀବ ପଚାରିଲା।
ସ୍ମୃତିକହିଲା, “ମୋ ଇଚ୍ଛା, ମୁଁ ରୁହୁଛି। ତମର କଣ?”
ରାଜୀବ କହିଲା,”କିଛି ନାହିଁ, କିନ୍ତୁ ମୋତେ ଲାଗୁଥିଲା କେହି ଜଣେ ମୋର ପଛେ ଲାଗିଛି । ହଉ, ଛାଡ଼, ଚାଲ କଲେଜ୍ ଯିବା ।”
ଆଉ ତାପରେ ରାଜୀବ ପଚାରିଲା ସେଦିନ କେତେ ପରିଶ୍ରମ କରି ସାଇକେଲ ଚେନ ଦେଲି ଧନ୍ୟବାଦ୍ ଟିକେ ବି ଦେଲନି । ସେଠୁ ସ୍ମୃତି ସ୍ମିତ ହାସ୍ୟ ଦେଇ ଲାଜରେ ଲାଜେଇ ଲାଜେଇ କହିଲା ଆପଣା ଲୋକକୁ କଣ ଧନ୍ୟବାଦ୍ ଦିଆଯାଏ ? ଆଉ ରାଜୀବର କହିବାକୁ କିଛି ନଥିଲା ଆଉ ସେ ସେତେବେଳେ ଗୋଟେ ବିସ୍ମିତ ଚାହାଁରେ ଯାଇ କଲେଜ୍ ରେ ପହଞ୍ଚିଲା ।
ସେହିଦିନଠାରୁ ଦୁହେଁ ଏକସାଙ୍ଗେ କଲେଜ୍ ଯିବା ଆସିବା କଲେ। ବାଟରେ ଟିକେ ଭୟ ଓ ଆକୁଣ୍ଠାରେ କଥା ହୁଅନ୍ତି । କଥା ହୋଇ ହୋଇ କଲେଜ୍ କେତେବେଳେ ଆସିଯାଏ, ଜଣାପଡେ ନାହିଁ । ଦୁହେଁ ଦୁହିଁଙ୍କୁ ‘ବାଇ’ କହି ସ୍ମୃତି ନିଜ କ୍ଲାସ୍ ରୁମ୍ ଆଡ଼କୁ ଚାଲିଯାଏ ଏବଂ ରାଜୀବ ନିଜ କ୍ଲାସ୍ ରୁମ୍ ଆଡ଼କୁ ।
ତା’ପରେ ଫୋନ୍ ନମ୍ବର ବଦଳ ହେଲା, ପ୍ରେମ ଆରମ୍ଭ ହେଲା । ଆଉ ତା’ପରେ ସମ୍ପର୍କ ଆହୁରି ଗଭୀର ହେଲା । ସେମାନେ ପ୍ରେମରେ ଏତେ ଭିଜି ଗଲେ ଯେ କେତେବେଳେ ସୀମା ଅତିକ୍ରମ କଲେ ଜାଣିପାରିଲେ ନାହିଁ । ଯୌବନର ନିଆଁରେ ଦୁହେଁ ନିଜ ଶରୀର, ମନ ଓ ପ୍ରାଣ କଲେଜ୍ ପାଖରେ ଥିବା ପାହାଡ଼ ଉପରେ ଉତ୍ସର୍ଗ କରିଦେଲେ । ଲଜ୍ଜା ଥିଲା, କିନ୍ତୁ ନିଆଁ ଟାକୁ ରୋକି ପାରିଲେ ନାହିଁ । ସ୍ମୃତିର ଲାଲ୍ ଓଠ ଯେତେବେଳେ ରାଜୀବର ଓଠକୁ ସ୍ପର୍ଶ କଲା, ସେ ଅଣାୟତ୍ତ ହୋଇଗଲା । ସେମାନେ ପ୍ରେମର ସୂତାରେ ବନ୍ଧା ହୋଇ ପ୍ରେମର ସୁଗନ୍ଧ ଚାରିଆଡ଼େ ମହକାଉଛନ୍ତି ଏକଥା ସାରା କଲେଜ୍ ରେ ହୁରୀ ପଡ଼ିଥିଲା ।
କିନ୍ତୁ ଏହି ଖୁସି ବହୁତ ଦିନ ରହିଲା ନାହିଁ । ଦିନକୁ ଦିନ ସ୍ମୃତିର ଘର ଲୋକ ଜାଣିବାକୁ ପାଇଲେ ଏବଂ ତାକୁ ଧମକ ଦେଲେ । ହଠାତ୍ ଗୋଟେ ଦିନ ରାଜୀବର ସାଙ୍ଗ ଭବାନୀ ଫୋନ୍ କରି କହିଲା, “ସାଙ୍ଗ, ମୁଁ ତୋତେ ଭଲ ମଣିଷ ଭାବୁଥିଲି, କିନ୍ତୁ ତୁ ଏତେ ନୀଚ ଓ ଅସଭ୍ୟ, ତାହା ମୁଁ ଜାଣିନଥିଲି।”
ରାଜୀବ ଆଶ୍ଚର୍ଯ୍ୟ ହୋଇ ପଚାରିଲା,”କଣ ହେଲା? ଏମିତି କାହିଁକି କହୁଛୁ?”
ଭବାନୀକହିଲା, “ତୁ ଜାଣିନୁ? ନା, ସବୁ ଜାଣି ନ ଜାଣିବାର ଅଭିନୟ କରୁଛୁ ! କଲେଜ୍ ଫଙ୍କସନ୍ ରେ ତୋର ଭଲ ଅଭିନୟ ଜାଣିଥିଲି, କିନ୍ତୁ ବାସ୍ତବ ଜୀବନରେ ଏତେ ଭଲ ଅଭିନୟ କରିବୁ ବୋଲି ମୁଁ ଜାଣିନଥିଲି।”
ରାଜୀବ କହିଲା,”ଭବାନୀ, ବହୁତ ହୋଇଗଲା, ତୁ କହିବାର ସୀମା ଅତିକ୍ରମ କରୁଛୁ। କଣ ହେଇଛି, ସିଧା ସିଧା କହ।”
ଭବାନୀକହିଲା, “ହଉ, ଶୁଣ, ସିଧା ସିଧା କହୁଛି: ସ୍ମୃତି ଏହି ଦୁନିଆରେ ନାହିଁ। ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି। ଏବଂ ଏହି ଆତ୍ମହତ୍ୟାର କାରଣ ତୁ! ହଁ, ହଁ, ତୁ!” ଏହା କହି ଫୋନ୍ କାଟିଦେଲା।
ଏହି କଥା ଶୁଣି ରାଜୀବର ପାଦତଳୁ ମାଟି ଖସିଗଲା । ସେ ପୂର୍ବରୁ ଚିନ୍ତାରେ ଥିଲା, କାରଣ ସ୍ମୃତିର ଘରଲୋକେ ତାକୁ ମାରଧର କରୁଥିବାର ଜାଣିଥିଲା । ଆଉ ବର୍ତ୍ତମାନ ଏଇ ଖବର ! ‘ହେ ଭଗବାନ୍! ମୋ ଜୀବନରେ କଣ ହେଲା ? ଯାହାକୁ ମୁଁ ଜୀବନଠାରୁ ଅଧିକ ଭଲ ପାଇଥିଲି, ସେ ମୋତେ ଛାଡ଼ି ଚାଲିଗଲା ?’ ସେ ନିର୍ଜୀବ କାଠ ପରି ହୋଇଗଲା । କଣ କରିବ, କାହାକୁ କହିବ, କିଛି ବୁଝି ପାରୁନଥିଲା । ତା’ପରେ ସେ ନିଷ୍ପତି ନେଲା ଯେ ସେ ମଧ୍ୟ ଜୀବନ ହାରିଦେବ।
ସେ ଗାଁ ଜଙ୍ଗଲ ପାଖ ବଡ଼ ବନ୍ଧ ଆଡ଼କୁ ଗଲା, ଯେଉଁଠି ରସି ଲଗାଇ ଆତ୍ମହତ୍ୟା କରିବ, ଯେପରି କେହି ତାକୁ ଦେଖିବେ ନାହିଁ ଏବଂ ସେ ନିଜ ଅଧା ଶରୀର ସ୍ମୃତିର ଅଧା ଶରୀର ସହିତ ମିଶି ଏକ ହୋଇଯିବ। ଯିବା ବେଳେ ଗାଁର ଜଣେ ଲୋକ କଣ୍ଡୁରୁ ଜଙ୍ଗଲରୁ କାଠ ନେଇ ଆସୁଥିଲା ଏବଂ ରାଜୀବକୁ ରସି ଲଗାଉଥିବା ଦେଖି ତାକୁ ଭିଡ଼ି ଆଣିଲା ଏବଂ ବହୁତ ବୁଝାଇଲା । ତା’ର କଥା ମାନି ରାଜୀବ ଘରକୁ ଫେରିଲା ।
କିଛି ଦିନ ପରେ, ଘଟଣାଟିର ତଦନ୍ତ ହେଲା ଏବଂ ରାଜୀବ ଜାଣିବାକୁ ପାରିଲା ଯେ ସ୍ମୃତିର ନିଜ ଗାଁ ପିଲା ସୁମିତ୍, ସ୍ମୃତିକୁ ଏକପାଖିଆ ଭାବରେ ଭଲ ପାଉଥିଲା ଏବଂ ପ୍ରେମ ନିବେଦନ କରିଥିଲା । କିନ୍ତୁ ସ୍ମୃତି ତାକୁ ଅସ୍ୱୀକାର କରିଦେଇଥିଲା । ଏଥିରେ ସୁମିତ ରାଗରେ ଜଳୁଥିଲା ଏବଂ ସ୍ମୃତିକୁ ବଦନାମ କରିବାର ସମୟ ଖୋଜୁଥିଲା । ସେଥିପାଇଁ ସେ ସ୍ମୃତିର ସାଇକେଲ ଚେନ୍ ରେ ଥିବା ଛୋଟ ଚାବି ଖୋଲି ଦେଇଥିଲା, ଯାହା ଫଳରେ ଚେନ୍ ଖସି ପଡ଼ିଥିଲା ଏବଂ ପୋଲ ତଳେ ରାଜୀବ ସହିତ ତା’ର ସାକ୍ଷାତ ହୋଇଥିଲା । ସେମାନେ ଜାଣିନଥିଲେ ଯେ ସୁମିତ ଲୁଚି ଲୁଚି ସେମାନଙ୍କୁ ଦେଖୁଥିଲା। ଆଉ ସେମାନେ ତା’ର ଜାଲରେ ଫସି ଯାଇଥିଲେ ।
ଯେଉଁ ଦିନ ସେମାନେ ଜଙ୍ଗଲରେ ମିଶି ପ୍ରେମର ଅଦ୍ଭୁତ ରସ ପିଉଥିଲେ, ସେହି ଅନ୍ତରଙ୍ଗ ମୁହୂର୍ତ୍ତଗୁଡ଼ିକୁ ସୁମିତ୍ ନିଜ ମୋବାଇଲ୍ ରେ ରେକର୍ଡିଂ କରି ଭାଇରାଲ୍ କରିଦେଲା ଏବଂ ଏହିଭଳି କରି ସେ ରାଜୀବଠାରୁ ସ୍ମୃତିକୁ ଛିନ୍ନ କରିଦେଲା । ଏହି ସତ୍ୟ ଜାଣିବା ପରେ ରାଜୀବ ଅନୁତାପ ଓ ମାନସିକ ଯନ୍ତ୍ରଣାରେ ପଡ଼ିଗଲା, କିନ୍ତୁ କିଛି କରି ପାରିଲା ନାହିଁ । ସେ ଏକ ଶୁଷ୍କ ସମୁଦ୍ରର କୂଳ ପରି ଅସହାୟ ଭାବରେ ବୁଲୁଥିଲା, ତା’ର ପାଦ ସ୍ମୃତିର ସନ୍ଧାନରେ ରହିଥିଲା, ଯେଉଁଠାରେ ସେମାନେ ଦୁହେଁ ଏକତ୍ର ଏକ ଘର ବାନ୍ଧିବେ ।
ଏହାହିଁ ଥିଲା ରାଜୀବର କାହାଣୀ, ଏକ ଅଭିଶାପିତ ପ୍ରେମିକର କାହାଣୀ । ସେମାନେ ଯଦି ସେହି ଦିନ କାମନାର ନିଆଁରେ ଅନ୍ଧ ହୋଇ ସେହି କାର୍ଯ୍ୟ ନ କରିଥାନ୍ତେ, ତା’ହେଲେ ରାଜୀବର ଖୁସି ତା’ର ପାଖରେ ସ୍ମୃତି ରୂପେ ଥାଆନ୍ତା । ଆଉ ସେ ଏକ ପଥଭ୍ରଷ୍ଟ ପଥିକ ପରି ଏବେ ନିଷ୍ପେସିତ କଳଙ୍କିତ ନାୟକ ଭାବରେ ବୁଲୁନଥାନ୍ତା ।
