ଅଣୁଗଳ୍ପ

କ୍ଷମାମୟୀ

Liza Panda's odia short story Kshyamaamayee

ଶେଷରେ ନିରାଶ ହୋଇ ନିଜର ସ୍ଥିତି କୁ ଅନାଦି କାଳ ର ରାମାୟଣ ର ସେହି ମାତା ସୀତାଙ୍କ ସହ ତୁଳନା କରେ ।

କଳ୍ପନା ର ସୁଅରେ ଭାସିଯାଇ ମଣିଷ ନିଜ ଜୀବନ ର ବାସ୍ତବ ପୃଷ୍ଠାକୁ ଚିରିଦିଏ । ଅଭିମାନ ର ବାଆରେ ଚତୁର୍ଦ୍ଦିଗ ଉଡ଼ି ବୁଲିବା ପରେ ସମ୍ପର୍କର ମହୁଫେଣା କୁ ପାଇବାର ସ୍ଵପ୍ନ ଦେଖେ, ତାକୁ କି ଜଣା ଥାଏ ଅସୀମ କଟୁକ୍ତିର ପ୍ରଭାବରେ ସେହି ମନ ମହୁମାଛି ଟିଏ ନାନାଦି ପୀଡ଼ା ବେଦନା ର ଶିକାର ସାଜି ଜର୍ଜରିତ, ଜରାଜୀର୍ଣ୍ଣ ଅବସ୍ଥାରେ ଖଣ୍ଡ ବିଖଣ୍ଡିତ ହୋଇ ଗଳିପଡ଼ିଛି ସେହି ବିଶ୍ୱାସର ଡାଳରୁ । ପୁନଃ ଏକତ୍ର ହେବାର ସାମର୍ଥ୍ୟକୁ ହରାଇ ସେ ସ୍ଵତନ୍ତ୍ର ଆହ୍ଲାଦ ତଥା ଚିରମୁକ୍ତିର ଉଦବୋଧନ ରେ ପ୍ରକମ୍ପାୟିତ ହୋଇ ଗୁପ୍ତରୁପେ ବିଚରଣ କରୁଛି ଦକ୍ଷତା ର ସେହି ଏକାନ୍ତ ବଗିଚା ରେ… ନିର୍ଦ୍ଵନ୍ଦ ଓ ନିଃସଂକୋଚରେ…।

ଏକାକିନୀ ପଥର ପଥିକ ସାଜି ସେ ତାର ଦକ୍ଷତା କୁ ପୂର୍ଣ୍ଣ ବିକଶିତ କରୁଛି । ଦୟାଳୁ ସ୍ଵଭାବକୁ ସାଥିରେ ଧରି ସ୍ଵଂୟ ର ପ୍ରବୃତ୍ତି ମଧୁ ସଂଗ୍ରହ ରେ ନିଜ ର କର୍ମ କୁ ଉତ୍ସର୍ଗୀକୃତ କରିଦେଇଛି । ଶେଷରେ ଆକର୍ଷଣୀୟ ମହୁଫେଣା ଟିଏ ନିର୍ମାଣ ପରେ ଉତ୍କଣ୍ଠାର ସହ ଚାହିଁ ରହିଛି ପୁଷ୍ପରସ ସଂଗ୍ରହ କରି ମୋର ଅକ୍ଲାନ୍ତ ପରିଶ୍ରମରେ ପ୍ରସ୍ତୁତ କରିଥିବା ଏ ମହୁଫେଣା ଟିକୁ ଆଜି ମୁଁ ମୋ ସନ୍ତାନ ମାନଙ୍କୁ ଭେଟି ଦେବି, କିନ୍ତୁ ଏ ସ୍ୱାର୍ଥବାଦୀ ମଣିଷ ସମାଜ ତାର ସମ୍ପୁର୍ଣ୍ଣ ଶ୍ରମ କୁ ପାଦରେ ଠେଲି ତାଠୁ ତାହାର ଅତିପ୍ରିୟ ତ୍ୟାଗ କୁ ଛଡେଇନିଏ । କ୍ରୁର ରୂପ ଧାରଣ କରି ମାନବ ସମାଜକୁ ସେ ବିନ୍ଧି ଥାଏ । ପରନ୍ତୁ ସ୍ୱଳ୍ପ ସମୟ ପରେ ସେ ପୁନଃ ଫେରିଆସେ ତାର କୃପାଳୁ, ଦୟାଳୁ, କ୍ଷମାପୂର୍ଣ୍ଣ ସେହି ସ୍ଵଭାବ କୁ, ଚିନ୍ତା କରେ ଏ ମୂର୍ଖ ମାନବ ସମାଜ ମୋ ଠାରୁ ମୋ ମହୁଫେଣା ଟିକୁ ସିନା ଚୋରି କରି ନେଇଗଲା କିନ୍ତୁ ମଧୁ ସଂଗ୍ରହ କରିବାର କୌଶଳ ଓ ଦକ୍ଷତା କୁ ମୋ ଠାରୁ ନେଇ ପାରିଲା ନାହିଁ । କ୍ଷମାଶୀଳ ପ୍ରକୃତି କୁ ନେଇ ଆଜି ମଧ୍ୟ ସେହି ମହୁମାଛି ଟିଏ ସ୍ଵଂୟ ର ଦକ୍ଷତା କୁ ବୃଦ୍ଧି କରାଇବାରେ ଲାଗିଛି । ନାନା ଘାତ ପ୍ରତିଘାତ କୁ ହେୟ ମନକରି କେବଳ ମାତ୍ର ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରାଧାନ୍ୟ ଦେଇଛି ।

ମହୁମାଛି ର ସ୍ଵଭାବ ପରି ଠିକ୍ ସମ ସ୍ଵଭାବ ରେ ପରିପୂର୍ଣ୍ଣ ସେହି ନାରୀ ଟିଏ, ନିଜର ବ୍ୟକ୍ତିତ୍ଵ ସାଙ୍ଗ କୁ ନାମ ମଧ୍ୟ ଖୁବ୍ ମେଳ ଖାଉଛି । ସେ ହଉଛି କ୍ଷମାମୟୀ । ସର୍ବଦା କ୍ଷମଣୀୟତା ଓ କ୍ଷମଶୀଳତା କୁ ଧାରଣ କରିଥାଏ ନିଜ ଜୀବନ ରେ । ଅତି ସ୍ନେହରେ ବାପା , ମାଆ ତାର ନାମ କ୍ଷମାମୟୀ ରଖିଥିଲେ । କାଳେ କ୍ଷମା କରିବା ହେଉଛି ଏ ସଂସାର ର ସର୍ବଶ୍ରେଷ୍ଠ ଗୁଣ । ଆଉ ଆମ ଝିଅ ପାଖରେ ତାର ନାମ ଅନୁଯାୟୀ ଏହି ଗୁଣ ସଦାସର୍ବଦା ବିଦ୍ୟମାନ ହେବ । ମାତ୍ର ସେମାନଙ୍କୁ କଣ ଜଣାଥାଏ ଯିଏ ଅନ୍ୟକୁ ସବୁବେଳେ କ୍ଷମା ପ୍ରଦାନ କରିଥାଏ ସେ ବାସ୍ତବରେ ମହାନ୍ ହୋଇଥାଏ ପରନ୍ତୁ ଅନ୍ତଃମନ ରେ ନାନାଦି ପୀଡ଼ା କୁ ଚାପି ରଖିଥାଏ । ଏକମାତ୍ର ସେହି ଭଗବାନ ଯିଏ କି ସବୁକିଛି ସହି କ୍ଷମା ଦିଅନ୍ତି ହେଲେ କଣ ଏ ମଣିଷ ସମାଜ ତାହା ପାରିବ ?

ଠିକ୍ ସେୟା ହୁଏ କ୍ଷମାମୟୀ ସହିତ । ସ୍ଵପ୍ନିଳ ସେହି ଦୁଇ ଆଖିରୁ ସ୍ନିଗ୍ଧତା ର ଶୀତଳତା ଅନବରତ ଝରିଆସେ, ଆକାଂକ୍ଷା ର ପତା ନିତ୍ୟ ଧପ ଧପ୍ ହେଉଥାଏ ସିନା ପ୍ରାପ୍ତି ର ନିଦ୍ରା କୁ ସେ କେବେ ବି ଘଉଡାଇ ପାରେନି ନିଜ ଆବଦ୍ଧତା ର ବଳୟ ଭିତରେ । ବାପା, ମାଆ ଙ୍କ ର ପ୍ରଥମ ସନ୍ତାନ ବଡ଼ ଝିଅ ରୂପେ ଅତି ଅଲିଅଳି ରେ ସେ ବଡ଼ ହୋଇଥାଏ । ସମୟ ବଢିବା ସଙ୍ଗେ ସଙ୍ଗେ ବାଳିକା ରୁ ସେ କୌଶରି ହୁଏ ପୁଣି ଯୌବନରେ ପଦାର୍ପଣ କରେ । ମାତ୍ର ଶାରୀରିକ ବିକାଶ କ୍ରମକୁ ସେ ଅନ୍ୟ ଝିଅ ମାନଙ୍କ ଭଳି ସୂକ୍ଷ୍ମରୂପତାର ନଜରରେ ନ ପରଖି ସର୍ବଦା ତାହାକୁ ଆଖି ଆଢ଼ୁଆଳରେ ରଖେ । ପିଲାଟି ଦିନୁ ସହନଶୀଳତା, ସମ୍ବେଦଶୀଳତା , କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱବୋଧତା ର ପେଡ଼ି ଭିତରେ ନିଜର ସ୍ଵଭାବକୁ ସାଇତି ରଖେ । କାଳନୁକ୍ରମେ ପାଠ ପଢିବାକୁ ବିଦ୍ୟାଳୟ କୁ ଯାଏ । ଶିକ୍ଷାଗତ ଯୋଗ୍ୟତା ର ସୁପ୍ରଭାବରେ କକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୁଏ । ମାତ୍ର ତାହାର ଏହି ସଫଳତା ଅନ୍ୟ ମାନଙ୍କ ପାଖରେ ଇର୍ଷାପରାୟଣତା କୁ ସୃଷ୍ଟି କରେ। ଧିରେ ଧିରେ ସବୁ ସାଙ୍ଗ, ସହପାଠୀ ତା ଠାରୁ ଦୁରେଇ ଯାଆନ୍ତି । ଏକୁଟିଆପଣ ର ଶିକାର ସେ ବାଳିକା ଅବସ୍ଥାରୁ ହୋଇଥାଏ । ମାତ୍ର କଲେଜ ଜୀବନ ରେ ସେ ନିଜ କୁ ସବଳ କରି ଗଢ଼ିତୋଳେ । ଯୁକ୍ତ ଦୁଇ ରେ ଧନ୍ଦାମୁଳକ ଶିକ୍ଷା କୁ ପ୍ରାଧ୍ୟାନ୍ୟ ଦେଇ ସେ ସଂସ୍କୃତ ବିଭାଗ ରେ ସ୍ନାତକ କରେ । ପୁନଃ ସେହି ସଂସ୍କୃତ ଶିକ୍ଷା କୁ ନିଜର ଭବିଷ୍ୟତ ଭାବେ ବାଛିନେଇ ସେଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକତ୍ତୋର କରେ । ଏବଂ ଶିକ୍ଷାଶାସ୍ତ୍ର ମଧ୍ୟ କରେ । ସମୟାନୁକ୍ରମେ ପାଠ ପଢା ର ଅବଧି ସରିଲା ପରେ ସେ ଘରକୁ ଫେରି ଆସେ ମାତ୍ର ଏଠିକାର ପରିବେଶ ତାକୁ ନୂଆ ଲାଗେ । ଯେଁଉଠୀ ସେ ଦୀର୍ଘ ୨୦ ବର୍ଷ ଧରି ପାଠ ପଢି ଚାଲିଥିଲା ସେ ସ୍ଥାନ ଆଜି ତା ପାଇଁ ସଂପୂର୍ଣ୍ଣ ନୂତନ ପାଲଟିଛି । ଯେବେ ସେ ଶିକ୍ଷାର ସବୁ ମାନପତ୍ର ଧରି ପରିବାର କୁ ଆସେ ସେତେବଳେ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ ଏବଂ ସଂପର୍କୀୟ ମାନଙ୍କର ଟାହି ଟାପରା ରେ ତାର ଛାତି ଫାଟିଯାଏ । ” ଏତେ ପଢି ଲାଭ କଣ ଯଦି ଚାକିରି ନମିଳେ, ଏତେ ପଢି ଲାଭ କଣ ଶାଶୁଘରେ ଚୁଲି କେଞ୍ଚିବାକୁ ପଡ଼େ, ଆଜିକାଲି ଯେତେ ପଢ଼ିଲେ ବି ଚାକିରି କାହିଁ ବା ? ତା ବୟସ ର ପିଲା ବାହା ହୋଇ ପିଲାର ମାଆ ହେଉଛନ୍ତି ମାତ୍ର ଏ ଗୋଟେ ଝିଅ ହୋଇ ଲଗାମଛଡ଼ା ହୋଇ ବାହାରେ ରହି ପାଠ ପଢ଼ୁଛି” ଆଦି ନାନାଦି ପ୍ରକାର ର ଗଞ୍ଜଣା । ଏତେ ସବୁ କଥା ପରେ ମନ ଭିତରେ ଅତିଷ୍ଟ ହୋଇ ଭାଙ୍ଗି ପଦେ କ୍ଷମାମୟୀ ହେଲେ ନିଜର କ୍ଷମାଶିଳ ବ୍ୟକ୍ତିତ୍ଵ ର ବଡପଣ ଦେଖାଇ ଚୁପ୍ ରୁହେ ଓ ସେମାନଙ୍କୁ କ୍ଷମା କରିଦିଏ ଠିକ୍ ସେହି ମହୁମାଛି ପରି । ଭାବେ ମୋ ଶିକ୍ଷା ର ଅପମାନ କଲେ କଣ ହେବ ଏ ମଣିଷ ସମାଜ ମୋ ପାଖରୁ ମୋ ଜ୍ଞାନ ତ ନେଇ ପାରିବନି, ମୋର ବ୍ୟବହାରିକତା ଓ ବୌଦ୍ଧିକତା କୁ ତ ସଠିକ୍ ଭାବେ ପରଖି ପାରିବ ନାହିଁ । ତଥାପି ମନରେ କୋଉଠି ନା କୋଉଠି ନିଜ ଉପରେ ଧିକାର ଭାବ ଥାଏ ମୁଁ ଚାକିରି ଖଣ୍ଡେ ପାଇପରୁନି । ସେଥିଲାଗି କ୍ଷମାମୟୀ ଦିନରାତି ପରିଶ୍ରମ କରେ, ଅନବରତ ପ୍ରଚେଷ୍ଟା କରି ଚାଲେ । ଗୋଟେ ପରେ ଗୋଟେ ପ୍ରବେଶ ପରୀକ୍ଷା ଦେଇଚାଲେ ଓ ଉତ୍ତୀର୍ଣ୍ଣ ହୋଇଚାଲେ । ମାତ୍ର ସରକାରଙ୍କ ଦ୍ଵାରା ନିହିତ ସରକାରୀ ଚାକିରି ପ୍ରାପ୍ତି ନିମନ୍ତେ ଅନ୍ତିମ ପ୍ରବେଶ ପରୀକ୍ଷାକୁ ସେ ଅପେକ୍ଷା କରି ଚାତକ ଭାବେ ଚାହିଁ ରୁହେ । କେବେ ସେ ପରୀକ୍ଷା ର ତାରିଖ ଆସିବ ଆଉ ମୁଁ ଉତ୍ତୀର୍ଣ୍ଣ ହୋଇ ଚାକିରି ଖଣ୍ଡେ ପାଇବି।

ଶେଷରେ ନିରାଶ ହୋଇ ନିଜର ସ୍ଥିତି କୁ ଅନାଦି କାଳ ର ରାମାୟଣ ର ସେହି ମାତା ସୀତାଙ୍କ ସହ ତୁଳନା କରେ । ସତୀତ୍ୱ ର ପରିଚୟ ଦେବା ପାଇଁ କେତେ ଯେ ସେ ଅଗ୍ନିପରୀକ୍ଷା ଦେଲେ , ହେଲେ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ମଧ୍ୟ ସେ ହାର ମନିଗଲେ ପୂର୍ଣ୍ଣ ରୂପେ ସତୀ ଥାଇ ମଧ୍ୟ । ଜ୍ଞାନ ଥାଇ ମଧ୍ୟ ମୋ ସହିତ ସେମିତି ହବନି ତ ? ଅବାକ୍ ହୋଇ ସ୍ତବ୍ଧ ନୟନ ରେ ଅପଲକ ଚାହାଣୀ ରେ ସେ ଗୋଟେ ସ୍ଥଳ କୁ ଚାହିଁ ରୁହେ । ଏବଂ ତାର ମନ ଭିତରୁ ନୀରବ ପ୍ରତିଧ୍ଵନି ଭାବେ ଏହି ଶବ୍ଦପୁଞ୍ଜି ଗୁଡ଼ିକ ଉଙ୍କି ମାରେ ଯେ ; ସମୟ , କର୍ମ , ବ୍ୟବହାର ସର୍ବଦା ପ୍ରତ୍ୟାବର୍ତ୍ତନଶୀଳ ମାତ୍ର ଅପେକ୍ଷା ଥାଏ ସେହି ଯଥୋଚିତ ନ୍ୟାୟର, ଦୂର୍ଦୁକ୍ଷା ଥାଏ ସେହି ପ୍ରହାରକର୍ତ୍ତା କୁ ପୂର୍ଣ୍ଣ ପରିଣାମ ପ୍ରାପ୍ତି ର ସତ୍ୟ କୁ । ମାତ୍ର ସମ୍ଭାବନା ରୂପୀ ଅନ୍ଧକାର କ୍ଷତ ବିକ୍ଷତ କରେ ସେହି ଆଲୋକ ରୂପୀ ସତ୍ୟ କୁ ନିଜର ସୂକ୍ଷ୍ମ ଭେଦୀ ତୀର ରେ ………

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top