ଟିକି ତୋର ଶରୀରରେ ଅସୁମାରି ବାସ
ଶୁଭ୍ର ସେଇ ରୂପ ମଧ୍ୟେ ଫୁଟେ ସଦା ହାସ ।
ପରମାୟୁ କ୍ଷୀଣ ସିନା କରୁ ମନ ଚୋରି
ସେଥିପାଇଁ ତୋ ପାଇଁକି ସବୁ ଯାନ୍ତି ହାରି ।
ତୋତେ ଦେଖି ଛାତିତଳେ ଉଠେ ମହା ଝଡ଼
କମ୍ପିଯାଏ ସାରା ଦେହ, ହୁଏ ଥରହର ।
ଅଳ୍ପ କେତେ ଘଡ଼ିରେ ତୁ ଆନମନା କରୁ
ମହକ ସାଗରେ ନେଇ ଭାସମାନ କରୁ ।
ତୋର ଭାବନାରେ ବହେ ମଳୟର ବାଆ
ଅତି ମିଠା ଚୁମି ଯାଏଁ ତୋ ଶରୀର ଛୁଆଁ ।
ଅପୂର୍ବ ରାଇଜେ ତୋର ଶାଗୁଆ ଉଆସ
ସେଥିପାଇଁ ତୋ ମୁଖରେ ଅପରୂପ ହସ ।
ଗଙ୍ଗଶିଉଳି ନାମରେ ତୁ ଯେ ପରିଚିତ
ସରଳପଣରେ ତୋର ଇଜତ ମହତ ।
ସନ୍ଧ୍ୟାରେ ତୁ ଫୁଟି କରୁ ବିଶ୍ୱ ମହକିତ
ସକାଳକୁ ଅତି ବାସୁ କିନ୍ତୁ ମୃତ୍ୟୁଗତ ।
ଅଦିନରେ ତୋ ଆୟୁଷ ଯାଏ ପରା ସରି
ସେଇଥି ପାଇଁ ତୋର ନାମ ଝରାଶେଫାଳି ।