ଆମେରିକାର ସୁଉଚ୍ଚ ଅଟ୍ଟାଳିକା ମାନଙ୍କ ଗହଳି ଭିତରେ ଏକା ଏକା ଅଣ ନିଶ୍ୱାସୀ ଲାଗିବାରୁ ଟିକିଏ ଖୋଲା ପବନର ସନ୍ଧାନରେ ଘରୁ ବାହାରିଗଲେ ଶରତ ବାବୁ । ପାଖ ପାର୍କରେ ଖେଳୁଥିବା ପିଲାମାନଙ୍କୁ ଦେଖି କ୍ଷଣିକ ପାଇଁ ଆମୋଦିତ ହେବାକୁ ।
ପାର୍କର ଗୋଟିଏ ବେଞ୍ଚ ଉପରେ ବସି ଦେଖୁଥାନ୍ତି ସିଏ, କୁନି କୁନି ପିଲା ମାନଙ୍କୁ । ସବୁ ଅପରଚିତ ମୁହଁ ଭିତରେ ଚିହ୍ନା ଚିହ୍ନା ଲାଗୁଥାଏ ଗୋଲାପୀ ଫ୍ରକ ପିନ୍ଧା କଣ୍ଢେଇ ସଦୃଶ ଗୋଟିଏ କୁନି ଝିଅଟିର ସବନା ଚେହେରା । ଭାରତୀୟ ଭଳି ଜଣା ପଡୁଥାଏ ପିଲାଟି ରିଵାଯା ରଙ୍ଗରୁ । ବଲ ଧରି ଏକା ଏକା ଖେଳୁଥାଏ । ଖେଳୁ ଖେଳୁ ପିଲାଟି ପାଖକୁ ଆସିବାରୁ ତା’ମୁହଁରୁ ଶୁଣିବାକୁ ପାଇଲେ ଏକ,ଦୁଇ,ତିନ,ଚାରି । ଝିଅଟି ଯେତେଥର ବଲ ଗଡ଼ାଉଥାଏ ସେତେ ଥର ଗଣୁଥାଏ । ତା’ର ଏକ, ଦୁଇ, ତିନ, ଚାରି ଶୁଣି ଶରତ ବାବୁ ମୁହଁରୁ ଅପୀ ଅପୀ ବାହାରି ଗଲା ପାଞ୍ଚ । ଝିଅଟି ଆଉଥରେ ବଲ ଟି ଗଡ଼ାଇ କହିଲା ଜେଜେ ଛ କହୁ ନାହାନ୍ତି । ଏଥର ଆଶ୍ଚର୍ଯ୍ୟ ହେଇ ଦେଖୁଥିଲେ । ଝିଅଟି ତା ହେଲେ କେବଳ ଭାରତୀୟ ନୁହେଁ ବରଂ ସମ୍ପୂର୍ଣ୍ଣ ଓଡ଼ିଆ । ବୋଧ ହୁଏ ଏଠାକୁ ନୂଆ ନୂଆ ଆସିଛି । ତା’ର ଜେଜେ ଡାକ ଶୁଣି ଶରତ ବାବୁଙ୍କ ଆଖିରୁ ଅଜଣାତର ରେ ଦୁଇଟୋପା ଲୁହ ଗାଡି ଆସିଥିଲା ।
ଦୀର୍ଘ ତେର ମାସ ପରେ ସୁଦୂର ଆମେରିକାରେ ସିଏ ଶୁଣିବାକୁ ପାଇଥିଲେ ନିଜର ମାତୃଭାଷାକୁ । ଅନୁଭବ କରିଥିଲେ ନିଜ ମାଟିର ବାସନାକୁ । ଓଡ଼ିଆ ଯେ କେବଳ ଗୋଟିଏ ଭାଷା ନୁହେଁ, ଏହା ତାଙ୍କର ପ୍ରିୟ ମାତୃଭାଷା । ତାଙ୍କ ମା’ର ଭାଷା, ଛୋଟ ବେଳେ ମା’ ତାଙ୍କର କେତେ ସରମରେ କୋଳରେ ଧରି “ଆ ଜହ୍ନ ମାମୁଁ… ସରଗ ଶଶୀ” ଗୀତ ଗାଇ ଦେଉଥିଲା । ସିଲଟ ଖାଦି ଧରେଇ ଏ, ଆଃ ଶିଖାଉଥିଲା । ଗୁରୁଜନ ମାନଙ୍କୁ ପାଦ ଛୁଇଁ ପ୍ରଣାମ କରାଯାଉଥିଲା । ପର୍ବ ପର୍ବାଣି ହେଲେ ଓଡ଼ିଆରେ ଭଗଂ ଗାଇବାକୁ ପ୍ରେରଣା ଦେଉଥିଲା । ତେଲ ମାଖି ନୂଆ ଜାମା ପିନ୍ଧେଇ ସଜେଇ ଦେଉଥିଲା । ଆରିସା, ଇନ୍ଦୁରିରେ ଘର ମହାକାଉଥିଲା ।
ସତରେ କେତେ ଭଲ ଥିଲା ସେ ସମୟ । ନିଜ ଲୋକ, ନିଜର ଆତ୍ମୀୟମାନଙ୍କର ଗହଣରେ ବସି ଥଟ୍ଟା ମଜ୍ଜାରେ ଭିତରେ କେତେବେଳେ ଯେ ସାଂସାରିକ ଜଞ୍ଜାଳରେ ଭାରାକ୍ରାନ୍ତ ମନ ହାଲୁକା ହେଇ ଯାଉଥିଲା କିଛି ଜଣା ପଡୁ ନ ଥିଲା । କିନ୍ତୁ ଏ ସବୁ ଶରତ ବାବୁଙ୍କ ପାଇଁ ସାତ ସପନ ସାଜିଛି ।
ପୁଅ ବୋହୁ ଦୁହେଁ ଆମେରିକାରେ ଚାକିରୀ କରନ୍ତି । ଶରତ ବାବୁଙ୍କର ସ୍ତ୍ରୀଙ୍କର ଅକାଳ ବିୟୋଗ ପରେ ସେ ମ୍ରିୟମାଣ ହୋଇ ପଡ଼ିଥିଲେ । ଗାଁ ରେ ଏକା ଏକା ରହିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଥିଲା । ନିଜେ ରୋଷେଇ କରିବା, ନିଜର ଯତ୍ନ ନେବା, ଏତେ ସହଜ ନ ଥିଲା । ପୁଣି ଏ ସବୁ ଏତେ ପରିଣତ ବୟସରେ ! ତେଣୁ ପୁଅ ବୋହୁ ଦୁହେଁ ଜିଦ କରି ତାଙ୍କୁ ସାଙ୍ଗରେ ନେଇ ଆସିଥିଲେ ଆମେରିକା । ଦୁହେଁ ତାଙ୍କୁ ବହୁତ ଆଦର କରନ୍ତି । ସମ୍ମାନ ଦିଅନ୍ତି । ଭଲ ମନ୍ଦ ସବୁ ବୁଝନ୍ତି । କିନ୍ତୁ ସେମାନେ ଅଫିସ ଗଲା ପରେ ସେ ପୁରାପୁରି ଏକା ହୋଇ ଯାଆନ୍ତି । ଠିକ ସେତିକି ବେଳେ ତାଙ୍କୁ ମାନେ ପଡେ ଗାଁ କଥା । ତାଙ୍କ ଗାଁ’ର ମାଟି ପାଣି ପବନ କଥା ।
ଏତେ ସବୁ ଭାବନା ଭିତରେ ବୁଡି ରହିଥିଲା ବେଳେ ସାମ୍ନାରେ ଛିଡା ହୋଇଥିବା ଟିକି ଝିଅଟି ତାଙ୍କ ଦେହରେ ହାତ ମାରି କହିଲା, କଣ ଜେଜେ ଚୁପ ହୋଇ ଗଲା ଯେ, ଗଣୁ ନାହାନ୍ତି ? ଶରତ ବାବୁ ପ୍ରକୃତିସ୍ଥ ହେଇ ଝିଅଟିକୁ କୁଣ୍ଢେଇ ନେଲେ । ଭାବି ବିହ୍ଵଳ ହୋଇ ଭୋ ଭୋ କରି କାନ୍ତିବାକୁ ଲାଗିଲେ । ତାଙ୍କୁ ଲାଗୁଥିଲା ସତେ ଯେମିତି ତାଙ୍କ ମା’ ତାଙ୍କ ପାଖକୁ ଆସିଛି । ତାଙ୍କୁ ସୁଦୂର ଆମେରିକାରେ ଭେଟ କରିବାକୁ । ତାଙ୍କ ଭଲ ମନ୍ଦାର ଖବର ବୁଝିବାକୁ ।