କବିତା

ବାପୁଜୀ, ତୁମେ ଆଉଥରେ ଜନ୍ମ ନିଅ

Shri Nihar Ranjan Sabat's odia poem Bapuji, Tume Aauthare Janma Nia

ତୁଳସୀର ପରି ଦୁଇପତ୍ରୁ ବାସି
ଥିଲ ତୁମେ ବାଲ୍ୟକାଳେ
ଭଲକାମ କରି ଭଲବାଟେ ଯାଇ
ହେଲ ବଡ଼ ମହୀ ତଳେ

ଭାରତ ମାଆର କୋଳେ ଜନମିଲ
ହୋଇ ତୁମେ ସୁନାପୁଅ
ଖୋଲିଦେଲ ତାର ପରାଧୀନ ବେଡି
ପୋଛିଦେଇ ଆଖି ଲୁହ ।୧।

ଦୁନିଆରେ ରଖି ଏଇ ମାଟି ଟେକ
ଦୁଃଖ ବେଦନାକୁ ହରି
କାଳକାଳ ପାଇଁ ହୋଇଲ ଅମର
କରମ ସାଧନା କରି ।୨।

ଅଠରଶ ଅଣସ୍ତରି ବରଷର
ଅକ୍ଟୋବର ଦିନ ଦୁଇ
ପରିବାର ଲୋକେ ହୋଇଥିଲେ ଖୁସି
ଶିଶୁ ମୋହନଙ୍କୁ ପାଇ ।୩।

ତୁଳସୀର ପରି ଦୁଇପତ୍ରୁ ବାସି
ଥିଲ ତୁମେ ବାଲ୍ୟକାଳେ
ଭଲକାମ କରି ଭଲବାଟେ ଯାଇ
ହେଲ ବଡ଼ ମହୀ ତଳେ ।୪।

ବିଲାତ ଦେଶକୁ ଯାଇ ପଢ଼ିଥିଲ
ଜଟିଳ ଆଇନ ପାଠ
ଓକିଲାତି କରି ଅନେକ ମାମଲା
ପାଇଁ ଦେଖାଇଲ ବାଟ ।୫।

ଦକ୍ଷିଣ ଆଫ୍ରିକା ଦେଶେ ଯାଇ ତୁମେ
କରିଥିଲ ଓକିଲାତି
ମାମଲାରେ ଜିତି ଦେଇଥିଲ ଜାଳି
ବିପ୍ଲବର ଦିବ୍ୟ ଜ୍ୟୋତି ।୬।

କଳାଗୋରା ଭେଦଭାବ ବିରୋଧରେ
କରିଲ ବହୁତ କାମ
ମୁକତିର ପଥ କରି ପ୍ରଦର୍ଶନ
ଅରଜିଲ ସେଠି ନାମ ।୭।

ନୀଳଚାଷୀଙ୍କର ହିତ କରିବାକୁ
ଚମ୍ପାରଣ ବିହାରରେ
ପୁଣି ଦାଣ୍ଡି ଠାରେ କଲ ସତ୍ୟାଗ୍ରହ
ଲୁଣ କର ବିରୋଧରେ ।୮।

ଜନମ ମାଟିରେ ରାମ ରାଇଜର
ସପନ ଯେ ଦେଖିଥିଲ
“କୁଟି ଖାଇ କାଟି ପିନ୍ଧ” ଦେଶ ଭାଇ
ମହାମନ୍ତ୍ର ଦେଇଥିଲ ।୯।

ଫିରିଙ୍ଗି ଜିନିଷ ତ୍ୟାଗ କରିବାକୁ
ଦେଇଥିଲ ତୁମେ ଶିକ୍ଷା
ସ୍ବଦେଶୀ ଜିନିଷ ଉତ୍ପାଦନ କରି
ବ୍ୟବହାର ପାଇଁ ଦୀକ୍ଷା ।୧୦।

ଖଦି ଗ୍ରାମୋଦ୍ୟୋଗ ଶିଳ୍ପର ବିକାଶ
ନିମନ୍ତେ କରି ଉଦ୍ୟମ
ସ୍ଵଛ ପରିଷ୍କାର ଦେଶ ଗଢ଼ିବାକୁ
କରିଗଲ ଭଲ କାମ ।୧୧।

ଦେଶେ ନାରୀଙ୍କର ଦୁଃଖ ଅବହେଳା
ଗରିବୀର ହାହାକାର
କରିଲ ପ୍ରୟାସ ଦୂର କରିବାକୁ
ଅସ୍ପୃଶ୍ୟତା କୁସଂସ୍କାର ।୧୨।

ସୁନ୍ଦର ସମାଜ ପରିବାର ପଥେ
ଶତ୍ରୁ ଅଟେ ନିଶାପାନ
ଶିଖାଇଲ ନିଶା ଛାଡିଦେଇ ବଞ୍ଚ
ସୁସ୍ଥେ ଦେଶବାସୀ ଜନ ।୧୩।

ବିଦେଶୀ ଶାସନ ହଟାଇବା ପାଇଁ
କରିଥିଲ ମନେ ପଣ
ଅହିଂସା ସତ୍ୟର ପଥ ଅନୁସରି
ଲଢ଼ି ସ୍ୱାଧୀନତା ରଣ ।୧୪।

ଭାରତ ଭୂମିକୁ ଛାଡ଼ ହେ ବିଦେଶୀ
ହୁଙ୍କାରକୁ ଦେଶେ ଦେଲ
“କର ଅବା ମର” ଆହ୍ୱାନକୁ ଦେଇ
ବିଲାତିଙ୍କୁ ଥରାଇଲ ।୧୫।

ଭାରତ ମାଆର ଅଖଣ୍ଡ ସ୍ୱାଧୀନ
ରୂପ କଳ୍ପନା କରିଲ
ଦେଖି ଏଇ ଦେଶ ବିଖଣ୍ଡିତ ବେଶ
ମନେ ବେଦନା ପାଇଲ ।୧୬।

ସ୍ୱାଧୀନ ଭାରତେ ଅଳପ ଦିନରେ
ଗଲ ଇହଧାମ ଛାଡି
ଉଜ୍ଜ୍ୱଳ ଆଲୋକ ଲିଭିଯାଇ ଦେଶେ
ଅନ୍ଧାର ଆସିଲା ମାଡି ।୧୭।

ସାରା ଜଗତରେ ଖେଳି ଯାଇଥିଲା
ଦୁଃଖ ନିରାଶା ଓ ଶୋକ
ଅନାଥ ଭାରତ ହେଲା ହେ ବାପୁଜୀ
ହେଉଁ ତୁମ ପରଲୋକ ।୧୮।

ବିଳାସ ସୁଖକୁ ତ୍ୟାଗ କରିଦେଇ
ଜିଇଁଥିଲ ସନ୍ଥ ପରି
ଲଜ୍ଜାପାଇଁ ଆଣ୍ଠୁ ଉପରକୁ ଧୋତି
ପିନ୍ଧି ଭଜୁଥିଲ ହରି ।୧୯।

ଗୁରୁଦେବ ରବି ଠାକୁର ଡାକିଲେ
ତୁମକୁ ମହାତ୍ମା ନାମେ
ମହତ କରମ ମାନବ ଧରମ
ଆଚରିଲ ଧରାଧାମେ ।୨୦।

ଥାଇ ପୁଣ୍ୟଲୋକେ ଚାହିଁଥାଅ ଟିକେ
ତୁମ ଦେଶବାସୀ ଜନେ
ଆଉ ଥରେ ନିଅ ଜନମ ଭାରତେ
କାମନା କରଇ ମନେ ।୨୧।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top