ଅଣୁଗଳ୍ପ

ମହାର୍ଘ ପ୍ରେମ

Priyadarshini Panda's an odia short story Mahaargha Prema

ସେ ମମତାଙ୍କ ଖୁବ୍‌ ପାଖକୁ ଚାଲି ଆସିଲେ ଏବଂ ତାଙ୍କ କଟି ଦେଶରେ ଦୁଇବାହୁ ଜଡ଼ାଇ ଦେଲେ । ତାଙ୍କ କାନ ପାଖକୁ ମୁହଁ ନେଇ ଚୁପି, ଚୁପି କହିଲେ, “ ମମତା ଆଇ ଲଭ୍‌ ୟୁ, ଆଇ ଲଭ୍‌ ୟୁ ।

ପୂର୍ବରୁ

ଚୁମ୍ବକ ଲୁହାକୁ ଆକର୍ଷଣ କଲାପରି ମମତା ଆସ୍ତେ ଆସ୍ତେ ବିକ୍ରମଙ୍କ ପ୍ରତି ଆକର୍ଷିତ ହୋଇପଡୁଥିଲେ । ଭୁଲ୍‌ କି ଠିକ୍‌ କ’ଣ କରୁଛନ୍ତି ବୁଝିପାରୁନଥଲେ । ବିକ୍ରମଙ୍କ ଦର୍ଶନରେ, ତାଙ୍କ ହୃଦୟରେ ପୂର୍ଣ୍ଠତା ଅନୁଭବ କରୁଥୁଲେ ଆଉ ତାଙ୍କ ଅଦର୍ଶନରେ ସବୁ ନିସ୍ଵ, ଅସାର ଲାଗୁଥୁଲା । ନିର୍ମଳ ଭଲପାଇବା ପାଖରେ ମନୁଷ୍ୟ ଏତେ ଦୁର୍ବଳ ହୋଇପଡ଼େ କାହିଁକି ? ନିଜକୁ ନିଜେ ପ୍ରଶ୍ନ କରୁଥିଲେ ମମତା । ଆଉ ଯେଉଁ ପୃଥିବୀକୁ ସେ ଦେଖୁଛନ୍ତି ତା କ’ଣ ତାଙ୍କ ସେଇ ପରିଚିତ ପୃଥିବୀ । ଏତେ ସୁନ୍ଦର, ମନମୁଗ୍ଧକର । ଚାରିଆଡ଼ ସୁଶୋଭିତ, ସୁରଭିତ, ବର୍ଣିଳ ଓ ପୁଷ୍ମମୟ । ସବୁ ନୂଆ, ନୂଆ ଲାଗୁଥୁଲା ମମତାଙ୍କୁ । ସବୁଜ ଘାସର ଲନ ଉପରେ ସାଧବ ବୋହୂର ଥିରି ଥିରି ଚାଲି, ବଗିଚା ଚାରିପାଖରେ ଫୁଟିଥୁବା ଅସଂଖ୍ୟ କୃଷ୍ଣଚୁଡ଼ାର ମିଠା ମିଠା ହସ, ଆକାଶରେ ଭସାମେଘର ପଟୁଆର ପୁଣି ଶୁଖିଲା ମାଟିରେ ପ୍ରଥମ ବର୍ଷାର ସ୍ପର୍ଶ, ଭିଜାମାଟିର ଗନ୍ଧ… ସବୁ ଅପୂର୍ବ ଅତି ଅପୂର୍ବ ଥିଲା । ମମତା ଏସବୁ ପ୍ରଥମ କରି ଦେଖୁଥିଲେ । ଅନୁଭବୁ ଥିଲେ । ସତରେ କ’ଣ ପ୍ରେମ ମନୁଷ୍ୟକୁ ଦିବ୍ୟ ଦୃଷ୍ଟି ଦିଏ, ଅନୁଭବର ଏ ମହାନତା ତା ମଧ୍ୟରେ ଭରିଦିଏ ? ଏ ବିଶ୍ଵକୁ କରିଦିଏ ତା ପାଇଁ ମହିମାମୟୀ, ଶୋଭାମୟୀ ଆଃ, ପ୍ରେମରେ କି ମହାନ୍‌ ଅନୁଭବ, କି ଅସରନ୍ତି ପ୍ରାପ୍ତି । ସେଇଥିପାଇଁ ବୋଧହୁଏ କେହିଜଣେ ମହାମାନବ କହିଥଲେ, “ ନିଜକୁ ସୁଖୀ ରଖିବାକୁ ହେଲେ, ଭଲ ଲାଗୁଥିବା କାହାକୁ ଜଣକୁ ପ୍ରେମକର । ସେଇ ଶାଶ୍ୱତ ପ୍ରେମ ହିଁ ତୁମକୁ ସର୍ବାନ୍ତ କରଣରେ ସୁଖୀ କରିଦେବ ।” ଏବେ ମମତା ନିଜକୁ ଖୁବ୍‌ ସୁଖୀ ମଣୁଥିଲେ ବିକ୍ରମଙ୍କ ପ୍ରତି ତାଙ୍କର ଏ ନୀରବ ଭଲପାଇବା ହିଁ ପୂର୍ଣ୍ଣ କରି ଦେଇଥଲା ତାଙ୍କ ମନ, ପ୍ରାଣ ଓ ଆତ୍ମାକୁ । ଶୁଭେନ୍ଦୁଙ୍କ ଅବହେଳା ତାଙ୍କୁ ଆଉ ଦୁଃଖୀ କରିପାରୁ ନ ଥିଲା । କି କଟକ, ଭୁବନେଶ୍ଵରର ଯାତ୍ରା ତାଙ୍କୁ ଆଉ କ୍ଲାନ୍ତିକର ମନେହେଉ ନ ଥଲା । ସବୁରି ମଧ୍ୟରେ କେମିତି ଗୋଟେ ସତେଜତା ଅନୁଭବ କରୁଥିଲେ ସେ ।

ଏ ଭିତରେ ଶ୍ରାବଣରାଣୀ ତା ରିମ୍‌ଝିମ୍‌ ବର୍ଷାର ରାଗିଣୀ ଗାଇ, ଧରାପୁଷ୍ଠକୁ ଅବତରଣ କରିସାରିଥିଲା । ଆକାଶରେ ମେଞ୍ଚା, ମେଞ୍ଚା କଳାମେଘ ଦେଖିଲେ ମମତାଙ୍କ ହୃଦୟ ମୟୂରୀ ନାଚି ଉଠୁଥଲା । ତଥାପି ନିଜକୁ ମୂଦୁଶାସନ କରୁଥିଲେ ସେ, “ପୁଣି କ’ଣ ଚପଳମତି କୈଶୋରକୁ ଫେରିଯିବୁ ନା କ’ଣ ? ନିଜ ସୀମା ଭିତରେ ରହିବା ତୋର ନିହାତି ଦରକାର ।” ହେଲେ ବିକ୍ରମଙ୍କୁ ଦେଖିଲେ ତାଙ୍କ ଅବୁଝା ମନ ସବୁ ସୀମା, ସରହଦ ଭୁଲି ଯାଉଥଲା ।

ଏ ଝରାଶ୍ରାବଣରେ ମମତାଙ୍କୁ ବର୍ଷାତି ପିନ୍ଧି ଯିବାକୁ ପଡ଼ୁଥିଲା । କେବେ କେମିତି ଅଳ୍ପ ବର୍ଷା ହେଉଥିଲେ ସେ ଭିଜି ଭିଜି ଚାଲିଯାଉଥିଲେ । ସେଦିନ ସକାଳ ପହରୁ ଅଳ୍ପ ଅଳ୍ପ ବର୍ଷା ଲାଗି ରହିଥଲା । ଏମିତି ଟିପିଟିପି ବର୍ଷାରେ ଭିଜିବାକୁ ତାଙ୍କୁ ଭାରି ଭଲ ଲାଗେ । ଭୁବନେଶ୍ଵରରେ ପହଞ୍ଚିଲାବେଳକୁ ବର୍ଷା ଛେଚୁଥିଲା । କୌଣସି ପ୍ରକାରେ ରିକ୍ଵାଟିଏ କରି କଲେଜରେ ପହଞ୍ଚିଗଲେ ସେ । ତାଙ୍କୁ ଦେଖି ସିପ୍ରା ଡାକପକାଇଲେ, “ମମତା ଆଜି ରେନି ଡେ ହୋଇଗଲା ଏବେ ତ ଆଉ ଟ୍ରେନ୍‌ ନାହିଁ, ତୁ କ’ଣ ବସ୍‌ରେ ଯିବୁ ?” ମମତାଙ୍କର ଏତେ ଶୀଘ୍ର ଘରକୁ ଫେରିବା ପାଇଁ ଇଚ୍ଛା ନ ଥିଲା । ତା” ଛଡ଼ା ବସ୍‌ରେ ଯିବାପାଇଁ ଜମାରୁ ଆଗ୍ରହ ନ ଥିଲା । ହେଲେ ସେ କିଛି କହିବା ପୂର୍ବରୁ ତାଙ୍କ କୁଣ୍ଠିତ ମୁଖମଣ୍ଡଳକୁ ଚାହିଁ ସିପ୍ରା କହିଲେ, “ ଏବେ ଘରକୁ ଫେରିବା ପାଇଁ ଇଚ୍ଛା ନାହିଁ ନା ତେବେ ମହାରାଜା ଟକିଜ ହେଲାଦିନରୁ ତ ଲଗାଉଥିଲୁ ଗୋଟେ ପିକ୍ଚର ଯିବାପାଇଁ, ଆ, ଆଜି ନୁନ ସୋ ଯିବା ।” ଅତିଶୀଘ୍ର ଦୁଇବାନ୍ଧବୀ ରିକ୍ଵାଟିଏ ଡାକି ବସିପଡ଼ିଲେ ।

ଏତେ ବର୍ଷାରେ ମଧ୍ୟ ମହରାଜା ଟକିଜ୍‌ରେ ଭାରିଭିଡ଼ । ଟିକେଟ କାଉଣ୍ଟର ପାଖରେ “ହାଉସ୍‌ ଫୁଲ” ର ବୋର୍ଡ଼ । ଫେରିବା ପାଇଁ ବୁଲିପଡ଼ିଲା ବେଳକୁ ଆଗେ ଠିଆ ହୋଇଛନ୍ତି ବିକ୍ରମ । ସିପ୍ରା ନମସ୍କାର ହେଲା । ବିକ୍ରମ ଓଠରେ ମଧୁରହସ ଆଉ ଆଖିରେ ଆତ୍ମୀୟତା ଫୁଟାଇ ପଚାରିଲେ, “ କ’ଣ ଟିକେଟ ମିଳିଲାନାହିଁ ? ” ସିପ୍ରା ମୁଣ୍ଡ ହଲାଇ ମନାକଲା । ସେ କହିଲେ, “ ପିକ୍ଚରଟା ଦୁଇଦିନ ହେଲା ପଡ଼ିଛି ତ, ସବୁ ଟିକେଟ୍‌ ଟ୍ଲାକ୍‌ ହୋଇଯାଉଛି । ଆଚ୍ଛା ତୁମେ ଅପେକ୍ଷା କର । ମୁଁ ଟିକେଟ୍‌ ପାଇଁ ଚେଷ୍ଟା କରେ ।” ଏଥର ଆପତ୍ତି ଜଣାଇଲେ ମମତା ।“ ନା, ଥାଉ ବ୍ଲାକ୍‌ରେ ଟିକେଟ୍‌ କାଟି ଫିଲ୍ମ ଦେଖିବାମୋର ପସନ୍ଦ ନୁହେଁ । ଆମେ ବରଂ ଆଉ କେବେ ଆସିବୁ ।”

ରହିଗଲେ ବିକ୍ରମ । ସାମାନ୍ୟ ଚିନ୍ତା କରି କହିଲେ, ଆଚ୍ଛା ଠିକ୍‌ ଅଛି । ମୋ ପାଖରେ ଦୁଇଟି ଟିକେଟ୍‌ ଅଛି । ମୋର ଜଣେ ବନ୍ଧୁ ବମ୍ବେରୁ ଆସିଛି । ତା ଅନୁରୋଧରେ ଅଫିସ୍‌ରୁ ଛୁଟିନେଇ, ଟିକେଟ କାଟି ତାକୁ ଅପେକ୍ଷା କରିଛି । ବାବୁଙ୍କର ଏପର୍ଯ୍ୟନ୍ତ ଦେଖାନାହିଁ । ସୋ ବେଳ ତ ହୋଇଗଲାଣି । ତୁମେ ଏ ଟିକେଟ୍‌ ଦୁଇଟି ନେଇଯାଅ । ଆମେ ମ୍ୟାଟିନ୍‌ ସୋ ଦେଖିନେବୁ ।

“ଆରେ; ନା, ନା… ଆମେ ପରେ କେବେ ଆସି ଦେଖିନେବୁ,” କହୁ, କହୁ, ଫେରିବାକୁ ଆରମ୍ଭ କଲା ସିପ୍ରା । “ତୁ ତ ଭାରି ସ୍ଵାଭିମାନୀ ହୋଇଗଲୁଣି, ରହ ସୁବାସ ସହିତ ଦେଖାହେଲେ ତୋ ବିରୁଦ୍ଧରେ ନାଲିସ୍‌ କରିବାକୁ ପଡ଼ିବ ।”

ସିପ୍ରା ଓ ମମତା ଫେରିଚାହିଁଲେ । ବିକ୍ରମଙ୍କ ଶାନ୍ତ ମୁଖମଣ୍ଡଳରେ ଅଭିମାନର ଛାପ । “ରାଗିଲେ କି ବିକ୍ରମ ଭାଇ, ତେବେ ଶୁଣ, ମୁଁ ଗୋଟେ ସମାଧାନ କରିଦେଉଛି । ଦେଖ, ମୁଁ ରେନ୍‌କୋଟ ଆଣିବାପାଇଁ ଭୁଲିଯାଇଛି । ତେଣୁ ରିକ୍ସା ଓ ବସ୍‌ରେ ଆସିଲେ ମଧ୍ୟ ଅଧା ଓଦା ହୋଇଯାଇଛି । ତାଛଡ଼ା ଥଣ୍ଡା ହେତୁ ମୋର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲାଣି । ଖାଲି ମମତାକୁ ମହାରାଜା ଟକିଜ୍‌ଟା ଦେଖାଇବି ବୋଲି କଥା ଦେଇଥିଲି ତ, ସେଥିପାଇଁ ବାଧ୍ୟ ହୋଇ ଆସିଥିଲି । ତେଣୁ ମୁଁ କଟକ ଚାଲିଯାଉଛି । ତୁମେ ଓ ମମତା ସେ ଟିକେଟ ଦୁଇଟିରେ ଫିଲିମ୍‌ ଦେଖ । ସିପ୍ରାର ଉତ୍ତର ଶୁଣି ମମତା ତା ହାତରୁ ପୁଳାଏ ଚିମୁଟି ଦେଲା । ବିକ୍ରମ କିଛି ଅନୁମାନ କରି ନେଲେ କି କ’ଣ, କହିଲେ, “ ମୋର ତୋ ପ୍ରସ୍ତାବରେ କୌଣସି ଆପତ୍ତି ନାହିଁ, ତେବେ ମମତାଙ୍କର ଯଦି କୌଣସି ଅସୁବିଧା ଥାଏ… । ” ଏଥର ମୃଦୁ ହସି ଚାହିଁଲେ ମମତା ଆଡ଼େ ।

ଅଡ଼ୁଆରେ ପଡ଼ିଗଲେ ମମତା । କୌଣସି ପୁରୁଷବନ୍ଧୁଙ୍କ ସହିତ ସେ କେବେହେଲେ ସିନେମା ହଲ୍‌କୁ ଯାଇନାହାନ୍ତି । କିନ୍ତୁ, ତା ବୋଲି ସେ ଜଣେ ଅଧ୍ୟାପିକା । ସେ କ’ଣ ଲାଜକୁଳୀ ଲତାଟିଏ ପରି ଝାଉଁଳି ଯିବେ ? “ ନା… ମାନେ, ଥଙ୍ଗେଇ ଥଙ୍ଗେଇ ମମତା କହିବାପାଇଁ ଆରମ୍ଭ କରୁ କରୁ ସିପ୍ରା କହି ପକାଇଲା, “ ନାଇଁ, ନାଇଁ ତା’ର କ’ଣ ଅସୁବିଧା ହେବ ? ସେତ ଏତେ ଶୀଘ୍ର ଘରକୁ ଫେରିବା ପାଇଁ ଚାହୁଁନଥିଲା । ତା’ଛଡ଼ା ବସ୍‌ରେ ଯିବାପାଇଁ ତା’ର ଜମାରୁ ଆଗ୍ରହ ନାହିଁ । ଫିଲ୍ମ୍‌ ଦେଖିସାରି ଆରାମରେ ଟ୍ରେନ୍‌ରେ ଯିବ ।” ଆଚ୍ଛା ବିକ୍ରମଭାଇ ମୁଁ ଆସୁଛି । ଏଥର କିଂ କର୍ଭବ୍ୟ ବିମୂଢ଼ା ମମତାଙ୍କ ପାଖକୁ ଟାଣିନେଇ ସିପ୍ରା ଚୁପିଚୁପି କହିଲା, “ ବିକ୍ରମଭାଇ ଅତି ଭଦ୍ର । ତୋର ଭୟ କରିବାର କିଛି ନାହିଁ । ତୋ ରେନ୍‌କୋଟ୍‌ଟା ମୋତେ ଦେଇଥା । ତୁ ଘରକୁ ଫେରିଲାବେଳକୁ – ହୁଏ ବର୍ଷା ଛାଡ଼ି ଯାଇଥିବ ।”

ମମତାଙ୍କ ରେନ୍‌କୋଟ ପିନ୍ଧି, ହାତହଲାଇ ହଲାଇ ଚାଲିଗଲା ସିପ୍ରା, “ ଆସନ୍ତୁ’ ସୋ ଆରମ୍ଭ ହୋଇଯିବ,’ ଡାକିଲେ ବିକ୍ରମ । ତାଙ୍କ ସହିତ ଯାଉ, ଯାଉ ସିପ୍ରାକୁ ମନେ ମନେ ଗାଳିଦେଉଥିଲେ ମମତା । ସବୁଦିନେ ଏମିତି ହୁଣ୍ଡିଟା । କିଛି ବୁଝି ପାରିବ ନାହିଁ । ଆରେ, ତୋ ଭାଇର ସାଙ୍ଗ ବୋଲି କର ସମସ୍ତଙ୍କର ଭାଇ ??

ମମତାଙ୍କୁ ନିର୍ଦ୍ଦିଷ୍ଟ ସିଟ୍‌ରେ ବସାଇଦେଇ ବାହାରକୁ ଚାଲିଗଲେ ବିକ୍ରମ । ହାତରେ ଦୁଇପୁଡ଼ିଆ ଭଜାବାଦାମ୍‌ ନେଇ ଫେରିଲେ । ମମତା ଆଡ଼କୁ ପୁଡ଼ିଆଟିଏ ବଢ଼ାଇ ଦେଇ କହିଲେ, “’ଫିଲିମ୍‌ ଦେଖିବାବେଳେ ବାଦାମ ଖାଇବା ପାଇଁ ମୋତେ ଭାରୀ ଭଲ ଲାଗେ । ଆପଣଙ୍କର ଯଦି ଆପତ୍ତି ନଥାଏ… ।” “ ଆରେ, ନା…ନା… ମୋତେ ମଧ୍ୟ ବାଦାମ୍‌ ଖାଇବା ପାଇଁ ଭଲ ଲାଗେ,” କହୁ, କହୁ ବାଦାମ ଖାଇବାପାଇଁ ଆରମ୍ଭ କରିଦେଲେ ମମତା । ହାଫ୍‌ଟାଇମ୍‌ ପର୍ଯ୍ୟନ୍ତ ବେଶ୍‌ ଭଲରେ କଟିଗଲା । ବିକ୍ରମ ଛୋଟ ପିଲାଟି ପରି କମେଡ଼ିସିନ୍‌ ଦେଖିଲେ ସଶବ୍ଦରେ ହସିପକାଉଥିଲେ । ମମତା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହୁଁଥିଲେ । କେଡ଼େ ସରଳ ଆଉ ଚପଳ । ଶୁଭେନ୍ଦୁଙ୍କ ହାତଧରିଲା ଦିନରୁ ସତେ ଯେମିତି ଗୋଟେ କଠିନତାର ଆବରଣ ତାଙ୍କ ଚାରିପାଖରେ ଘେରିରହିଛି । ନା ସେ ସୁଖରେ ହସି ପାରୁଛନ୍ତି, ନା ସେ ଦୁଃଖରେ କାନ୍ଦି ପାରୁଛନ୍ତି । ଆଜି ବିକ୍ରମଙ୍କ ଏ ପିଲାଳିଆମୀ ଦେଖି ସେ ନିଜକୁ କିଛିଟା ସହଜ କରିନେଲେ ଓ କମେଡ଼ିସିନ୍‌ ଦେଖି ହସିବା ପାଇଁ ଚେଷ୍ଟା କଲେ । ଏ ମଧ୍ୟରେ ମଧ୍ୟାନ୍ତର ହୋଇଗଲା । ବିକ୍ରମ ପୁଣି “ ମୁଁ ଟିକେ ଆସୁଛି ” କହି ବାହାରକୁ ଚାଲିଗଲେ । ଫେରିଲେ ଦୁଇଟି ମିଠାପାନ ଧରି । ହସି ହାସି ପାନପୁଡ଼ିଆଟି ତା’ଆଡ଼କୁ ବଢ଼ାଇ ଦେଇ କହିଲେ, “ ଆପଣ ପରା ମିଠାପାନ ଖାଇବାକୁ ଭଲପାଆନ୍ତି, କିଛି ଯଦି ମନେ ନକରନ୍ତି… । ନା, ଏଥିରେ ମନେ କରିବାର କ’ଣ ଅଛି, କହି ବିକ୍ରମ ହାତରୁ ପାନ ନେଇ ପଚାରିଲେ, “ କେମିତି ଜାଣିଲେ ଆପଣ ମୁଁ ମିଠାପାନ ଭଲ ପାଏ ବୋଲି ?” “କେବେ ଥରେ ଟ୍ରେନ୍‌ରେ ଗଲାବେଳେ ସିପ୍ରା ଆପଣଙ୍କ ପାଇଁ ମିଠାପାନ କିଣିଥିଲା ଆଉ ଏକଥା କହିଥିଲା ।”

ବାସ୍‌, ଏତିକି କଥାରେ କ, ଣ ଗୋଟେ ହୋଇଗଲା ମମତାଙ୍କ ଭିତରେ । ଗୁଞ୍ଜରି ଗଲା କାନରେ ମୋହନଙ୍କ ମୁରଲୀ ସ୍ଵନ । ଭରିଗଲା ଚାରିଆଡ଼େ ଅଗୁରୁ ଚନ୍ଦନର ବାସ୍ନା ମହକିତ, ପୁଲକିତ ଆଉ ରୋମାଞ୍ଚିତ ମମତା । ଏମିତି ପଦଟିଏ ମନ କିଣା, ମନଜିଣା କଥା ଯଦି କେବେ କହିଥାନ୍ତେ ଶୁଭେନ୍ଦୁ । ବସ୍ତୁବାଦୀ ଜୀବନରେ ଟଙ୍କା, କ୍ଷମତା, ବିଳାସ ଓ ଭୋଗକୁ ଭାବିଲେ ସବୁକିଛି । ପଦେ ମିଠାକଥା, ଟିକିଏ ଆତ୍ନୀୟତା, ଟିକେ ମନଛୁଆଁ ଭାବ… । ଏସବୁ ଯେ କୋଟି କୋଟି ଟଙ୍କାର ସମ୍ପଭିଠାରୁ କେତେ ମୂଲ୍ୟବାନ ବୁଝି ପାରିଲେ ନାହିଁ ଶୁଭେନ୍ଦୁ । ଅନ୍ୟମନସ୍କା ହୋଇପଡ଼ିଲେ ମମତା । ତାଙ୍କ ଚଉଦିଗରେ କେବଳ ଗୋଟିଏ ନାଁ, ବିକ୍ରମ ବି…କ୍ର…ମ… ।

ସୋ ଶେଷହେଲା । ବାହାରେ ପ୍ରକୃତି ରାଣୀର ମେଘ ଓଢ଼ଣୀଢ଼ଙ୍କା ଅପୂର୍ବ ରୂପ । ଝରିପଡୁଛି ବିନ୍ଦୁ ବିନ୍ଦୁ ବର୍ଷା । ମୁଗ୍ଧ, ତନ୍ମୟ ମମତା ଆଜି ସମ୍ମୋହିତା । ବିକ୍ରମଙ୍କ ସହିତ ଗୋଟିଏ ରିକ୍ସାରେ ବସି ବାଣୀବିହାର ହଲଟିଂକୁ ଆସିଲେ, ଟ୍ରେନ୍‌ରେ ଚଢ଼ିଲେ, ତଥାପି ପ୍ରକୃତିସ୍ଥ ହେଉ ନାହାନ୍ତି । ସତେଯେମିତି ସେ ଯୁଗଯୁଗ ଧରି ଚାଲିଛନ୍ତି କେଦାର ସହିତ ଗୌରୀ, ରୋମିଓ ସହିତ ଯୁଲିଏଟ୍‌, ହିର ସହିତ ରାଞ୍ଝା ।

ଏ ଭିତରେ କଟକ ଷ୍ଟେସନ ଆସିଗଲା । ବାହାରେ ପ୍ରଚଣ୍ଡ ବର୍ଷାକୁ ନିରିକ୍ଷଣ କରୁ କରୁ ବିକ୍ରମ କହିଲେ, ଏତେ ବର୍ଷାରେ ବିନା ବର୍ଷାତିରେ କେମିତି ଘରକୁ ଯିବେ ? ଏଇ ପାଖରେ ଆମ କ୍ଵାଟର । ମୋ ସହିତ ଆସନ୍ତୁ, ମୋ ମା’ଙ୍କ ବର୍ଷାତିଟା ନେଇଯିବେ । ଏଥର ଦୃଷ୍ଟି ଟେକି ଆକାଶକୁ ଚାହିଁଲେ ମମତା । କଳା ଘୁମର ବର୍ଷୀରାଣୀ ଯେମିତି ଫୁଲିଫୁଲି ଅଭିମାନରେ ଲୁହ ଢାଳି ଚାଲିଛି । ନିଜପ୍ରତି ଦୃଷ୍ଟି ନିକ୍ଷେପ କଲେ । ଶାଢ଼ୀ ଅଧା ଓଦା । ପାଖରେ ଛତା ଖଣ୍ଡେ ମଧ୍ୟ ନାହିଁ । ଅଗତ୍ୟା ବିକ୍ରମଙ୍କ କଥାରେ ରାଜି ହୋଇଗଲେ ଓ ବର୍ଷାରେ ଭିଜିଭିଜି ତାଙ୍କ ଘରକୁ ଚାଲିଲେ ।

ହଠାତ୍‌ ଖୁବ୍‌ ଜୋର୍‌ରେ ବିଜୁଳି ମାରିଲା ଓ ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦରେ ଚଉଦିଗ ପ୍ରକଞ୍ଚିତ ହେଲା । ପିଲାଟି ବେଳରୁ ଘଡ଼ଘଡ଼ିକୁ ଭୟ କରନ୍ତି ମମତା । ସେ ଚିତ୍କାର କରି ବିକ୍ରମଙ୍କୁ ଜାବୁଡ଼ି ଧରିଲେ । ପର ମୁହୂର୍ତରେ ପ୍ରକୃତିସ୍ଥ ହେଲେ ଓ ଲଜିତ ହୋଇ ବିକ୍ରମଙ୍କୁ ଛାଡ଼ିଦେଲେ । ତାଙ୍କର ଏ ପିଲାଳିଆମୀ ଦେଖି ମୂଦୁମୂଦୁ ହସିଥିଲେ ବିକ୍ରମ ।

କ୍ଵାଟରରେ ପହଞ୍ଚ ବିକ୍ରମ ଦେଖିଲେ କବାଟରେ ତାଲା ଝୁଲୁଛି । ତାଙ୍କ ମା” ଡିଉଟିରେ ଯାଇଛନ୍ତି । ତାଙ୍କ ବାବା ଜଣେ ରେଲୱେ ଇଂଜିନିୟର ଥିଲେ । ବିକ୍ରମଙ୍କୁ ଯେତେବେଳେ ପାଞ୍ଚବର୍ଷ ବୟସ ସେତେବେଳେ ଟ୍ରେନ୍‌ ଦୁର୍ଘଟଣାରେ ତାଙ୍କ ବାବା ପ୍ରାଣ ହରାଇଥିଲେ ଆଉ କମ୍ପାସନେଟ୍‌ ଗ୍ରାଉଣ୍ଡରେ ତାଙ୍କ ମା’ଙ୍କୁ ଚାକିରି ମିଳିଥିଲା । ବିକ୍ରମ ପକେଟ୍‌ରୁ ଡୁପ୍ଲିକେଟ୍‌ ଚାବି ବାହାର କରି ତାଲା ଖୋଲିଲେ ଓ ମମତାଙ୍କୁ କହିଲେ, “ପ୍ଲିଜ୍‌ ଭିତରକୁ ଆସନ୍ତୁ ନା ।” ମମତାଙ୍କ ଶାଢ଼ୀରୁ ଥପ୍‌ଥପ୍‌ ହୋଇ ପାଣି ଝରିପଡ଼ୁଥିଲା । ସେ ସଂକୁଚିତ ହୋଇ କହିଲେ, ‘ ନା, ନା, ମୁଁ ତ ପୂରା ଭିଜିଯାଇଛି । ଆପଣଙ୍କ କାରପେଟ୍‌ ଖରାପ ହୋଇଯିବ । ମୋତେ ଗୋଟେ ଛତା ବା ରେନ୍‌କୋଟ୍‌ଦିଅନ୍ତୁ, ମୁଁ ଚାଲିଯିବି ।

ତା’ କେମିତି ହେବ ? ଆପଣ ଏ ଓଦା ଲୁଗାରେ କେମିତି ଯିବେ ?

ଭିତରକୁ ଆସନ୍ତୁ, ମା’ଙ୍କ ଶାଢ଼ୀ ବଦଳାଇ ନେବେ ।

ଏଥର କୁଣ୍ଠିତ ପାଦରେ ଭିତରକୁ ଗଲେ ମମତା । ସୁନ୍ଦର, ସୁସଜିତ ଡ୍ରଇଂ ରୁମ୍‌ରେ ତାଙ୍କୁ ବସିବା ପାଇଁ ଅନୁରୋଧ କରି, ଭିତରକୁ ଗଲେ ବିକ୍ରମ । ହାତରେ ଧଳା ଇସ୍ତ୍ରୀ କରା ଶାଢ଼ୀଟିଏ ଧରି ଫେରିଲେ ଓ କହିଲେ, “ଘରେ ଧଳା ଶାଢ଼ୀ ଛଡ଼ା ଅନ୍ୟ କୌଣସି ଶାଢ଼ୀ ନାହିଁ । ତୁମେ ବାଥ୍‌ରୁମ୍‌ରେ ବଦଳାଇ ଆସ ମୁଁ ଏ ମଧ୍ୟରେ ଗରମ ଗରମ ଚା’ କରି ନେଇଆସୁଛି ।”

ସ୍ଵପ୍ନବିଷ୍ଟା ମମତା, ବିକ୍ରମଙ୍କ ସମ୍ବୋଧନରେ ଆପଣରୁ ଯେ ତୁମେକୁ ଓହ୍ଲାଇ ଆସିଛନ୍ତି, ଏକଥା ଅନୁମାନ କରି ପାରିଲେ ନାହିଁ । ବିକ୍ରମ ମଧ୍ୟ ଆଜି ମୋହଛନ୍କ, ଆବିଷ୍ଟ । ହୃଦୟର ଯେଉଁ ଅନୁଭୂତିକୁ ସେ ସର୍ବଦା ଦବାଇ ଆସିଛନ୍ତି, ଯେଉଁ କଳ୍ପନାର ସମ୍ରାଜ୍ଞୀକୁ ସେ କଳ୍ପନା ମଧ୍ୟରେ ଲୁଚାଇ ରଖିଛନ୍ତି, ସେଇ କଳ୍ପଲୋକର ରାଣୀ ମମତା ଆଜି ତାଙ୍କରି ଘରେ, ତାଙ୍କ ସାମ୍ନାରେ “ ମା’ଙ୍କ ଶୁଭ୍ର ଶାଢ଼ୀ ପରିଧାନ କରି, ଭିଜା କେଶକୁ ମୁକ୍ତ କରି ପାଉଁଜିର ରୁମ୍‌ଝୁମ୍‌ ଶବ୍ଦ ସହିତ ବାଥରୁମ୍‌ରୁ ବାହାରି ଆସିଲେ । ମୁଗ୍ଧ ହୋଇ ଚାହିଁ ରହିଲେ ବିକ୍ରମ । ତାଙ୍କ ମୋହମୁଗ୍ଧ ଦୃଷ୍ଟି ସହିତ ଦୃଷ୍ଟି ମିଶାଇ ଇଷତ୍‌ ହସିଲେ ମମତା ଆଉ କହିଲେ, “ ଆପଣ ବସାନ୍ତୁ, ମୁଁ ଚା ତିଆରି କରି ଦେଉଛି ।”

ଓ.କେ. କହି ବିକ୍ରମ ଗ୍ୟାସ୍‌ ପାଖରୁ ଘୁଞ୍ଚି ଆସିଲେ ଓ ଦୁଇଟି ପ୍ଲେଟ୍‌ ନେଇ କିଛି ସ୍ନାକ୍ସ ଓ ମିକଶ୍ଚର କାଢ଼ିଲେ । ଶ୍ରାବଣର ଏ ବର୍ଷା, ଘରର ଏ ନିରୋଳା ପରିବେଶ ଆଉ “ ପାଖରେ ଶୁଭ୍ର ବସନା, ମୁକ୍ତ କେଶା ସ୍ଵପ୍ନମୟୀ ମମତା । ବିକ୍ରମଙ୍କ ଭିତରେ କ’ଣ ସବୁ ଓଲପାଲଟ ହୋଇଯାଉଥିଲା । ସେ ମମତାଙ୍କ ଖୁବ୍‌ ପାଖକୁ ଚାଲି ଆସିଲେ ଏବଂ ତାଙ୍କ କଟି ଦେଶରେ ଦୁଇବାହୁ ଜଡ଼ାଇ ଦେଲେ । ତାଙ୍କ କାନ ପାଖକୁ ମୁହଁ ନେଇ ଚୁପି, ଚୁପି କହିଲେ, “ ମମତା ଆଇ ଲଭ୍‌ ୟୁ, ଆଇ ଲଭ୍‌ ୟୁ । ସତେ ଯେପରି ଦାରୁଣ ରୁଦ୍ର ତାପରେ ଅର୍ଦ୍ଧ ଦଗ୍ଧ ଚାତକ ଉପରେ ଝରି ପଡ଼ିଲା ବହୁ ଆକାଂକ୍ଷିତ ପ୍ରଥମ ବୃଷ୍ଟିପାତ । ବୁଲିଗଲେ ମମତା ! ବିକ୍ରମଙ୍କ ବିଶାଳ ବକ୍ଷରେ ମୁହଁ ଲୁଚାଇଦେଲେ । ଆଃ, ଏମିତି ଏକ ଉଦାର ବକ୍ଷରେ ନିର୍ଭୟ ଆଶ୍ରୟର ସ୍ଵପ୍ନ ସେ କିଶୋରୀଟିଏ ବେଳୁ ଦେଖୁଥିଲେ । ଭାବୁଥିଲେ, ପୁରୁଷର ସସ୍ପେହ ଉଦାର ବିଶାଳ ବକ୍ଷ ନାରୀର ଏକମାତ୍ର ଆଶ୍ରୟସ୍ଥଳ । ଜୀବନର ଚଲାପଥରେ ଯେତେବେଳେ ସେ କ୍ଲାନ୍ତ ହୋଇ ଯିବେ, ସେ ବକ୍ଷରେ ମୁଣ୍ଡ ଗୁଞ୍ଜା ଦେବେ । ସେତେବେଳେ ଦୁଇଟି ଅଭୟ ହସ୍ତ ତାଙ୍କୁ ଜଡ଼ାଇ ଧରିବ ଆଉ କହିବ, ଥକି ପଡ଼ିଲକି ? ମୁଁ ପରା ତୁମ ସହିତ ଅଛି । ବ୍ୟସ୍ତ ହୁଅନାହିଁ । ଆମେ ସାଥୀ ହୋଇ ଜୀବନ ସଂଗ୍ରାମରେ ଲଢ଼ିବା । ବିକ୍ରମ ସେତେବେଳକୁ ଦୁଇ ହସ୍ତରେ ତାଙ୍କୁ ବକ୍ଷଲଗ୍ନା କରି ଫିସ୍‌ଫିସ୍‌ କରି କହି ଚାଲିଥିଲେ, ମାଇଁ ଡାର୍ଲିଙ୍କ, ମାଇଁ ସୁଇଟ୍‌ ହାର୍ଟ ଇତ୍ୟାଦି, ଇତ୍ୟାଦି । ହଜିଗଲେ ମଜିଗଲେ ମମତା । ନିଜକୁ ଭୁଲିଗଲେ । ଚାରିଆଡ଼େ ଅଗୁରୁଚନ୍ଦନର ବାସ୍ନା ଖେଳାଇ ହୋଇ ପଡ଼ୁଥିଲା । ମୋହନଙ୍କ ମୁରଲୀ ସ୍ଵନ ଗୁଞ୍ଜରି ଉଠୁଥିଲା ।

ହଠାତ୍‌ ଭସ୍‌… ଭସ୍‌… କରି ଚା’ ଗୁଡ଼ାକ ଉତୁରି ଗଲା । ପ୍ରକୃତିସ୍ଥ ହେଲେ ମମତା । ସେ ଏ କ’ଣ କରୁଛନ୍ତି ? ବାସ୍‌ ପରମୁହୂର୍ତରେ ବିକ୍ରମଙ୍କ ବାହୁ ବନ୍ଧନରୁ ନିଜକୁ ମୁକୁଳାଇ ଆଣିଲେ ଆଉ ଦଉଡ଼ିବାକୁ ଆରମ୍ଭ କରିଦେଲେ । ପଛରୁ ବିକ୍ରମଙ୍କ ଡାକ ଶୁଭୁଥିଲା, ମମତା… ମ..ମ..ତା..

କେମିତି ମମତା ଷ୍ଟେସନ ବାହାରକୁ ଆସିଲେ, କେମିତି ରିକ୍ସାରେ ବସିଲେ ଘରେ ପହଞ୍ଚିଲେ, କିଛି ତାଙ୍କର ହୋସ୍‌ ନାହିଁ । ଘରେ ଶୁଭେନ୍ଦୁ ନଥିଲେ । ଟୁର୍‌ରେ ସମ୍ବଲପୁର ଯାଇଥିଲେ । ଆୟା ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ । ସେ ଆସିବା ପରେ ଆୟା ଚାଲିଗଲା । କୌଣସି ପ୍ରକାରେ ଓଦା ଲୁଗା ବଦଳାଇ ଦେଇ, କଳିକାକୁ କୋଳକୁ ନେଲେ ଓ ବିଛଣାରେ ଲୋଟିପଡ଼ି କାନ୍ଦିବା ଆରମ୍ଭ କରିଦେଲେ ମମତା । ବାହାରେ ଶ୍ରାବଣର ବର୍ଷା ଆଉ ଘରେ ଅନୁତାପର ବର୍ଷା ଲୁହ ହୋଇ ଝରି ପଡ଼ୁଥିଲା । ତୁହାକୁ ତୁହା ଝଡ଼ପବନ ଆସି ଝରକା କବାଟରେ ବାଡ଼େଇ ହୋଇ ଯାଉଥିଲା ଆଉ ତୁହାକୁ ତୁହା ଲୁହ ବୋହି ହୃଦୟର ସବୁ ବେଦନାକୁ ଧୋଇ ଦେଉଥିଲା ।

ସକାଳ ପହରକୁ ବର୍ଷା ଛାଡ଼ିଯାଇଥିଲା । ମେଘମୁକ୍ତ ଆକାଶରେ ପୁଣି ଦିବାକର ତାଙ୍କ ସୁନେଲି କିରଣ ବିଛାଡ଼ି ଦେବା ପାଇଁ ଆର୍ବିଭାବ ହେଲେ କିନ୍ତୁ ମମତାଙ୍କ ମନ ଆକାଶ ତଥାପି ଅନ୍ଧକାର । ପ୍ରବଳ ଜ୍ୱରରେ ସେ ଥରୁଥିଲେ । ପ୍ରଳାପ କରୁଥଲେ । କ’ଣ କେତେ କଥା କହି ଦେବାକୁ ଚାହୁଁଥିଲେ, କିଛି ବୁଝି ହେଉନଥିଲା । ଚାକର ପିଲା ଫୋନ କରି ତାଙ୍କ ବାବାଙ୍କୁ ଡକାଇଲା । ବାବା ଓ ମା ଆସିଲେ । ଦେଖିଲେ ଶହେ ଚାରି ଡିଗ୍ରୀ ଜ୍ୱର । ସାଙ୍ଗେ, ସାଙ୍ଗେ ଇଞ୍ଜେକ୍ଵନ୍‌ ଓ ଔଷଧ ଦେଲେ ଏବଂ ମୁଣ୍ଡରେ ପାଣି ପଟି ଦେଲେ । ତାଙ୍କ ମା” ପାଖରେ ଜଗି ରହିଲେ । ସିପ୍ରାକୁ ଫୋନ୍‌ରେ ଡକାଇ ଛୁଟି ଦରଖାସ୍ତ ପଠାଇ ଦେଲେ । ଶୁଭେନ୍ଦୁ ଟୁର୍‌ରେ ଯାଇଥିଲେ । ତାଙ୍କ ପାଖକୁ ମଧ୍ୟ ଟ୍ରଙ୍କକଲ୍‌ କରାଇ ଦେଲେ ।

ଦୁଇଦିନ ପରେ ଜ୍ଵର ଛାଡ଼ିଲା । ଆଖି ଖୋଲି ଚାହିଁଲେ ମମତା । ବାବା, ମା ଓ ଶୁଭେନ୍ଦୁ ଆଶ୍ଵସ୍ତ ହେଲେ । ତାଙ୍କ ମା, କଟକଚଣ୍ଠଙ୍କ ପାଖକୁ ଭୋଗ ପଠାଇଲେ । ହ୍ରଲିକ୍ସ ଟିକେ ପିଇ, ପିଠିରେ ତକିଆଟିଏ ଦେଇ କାନ୍ଧକୁ ଆଉଜି ବସିଲେ ମମତା । ଶୁଭେନ୍ଦୁ ଅଫିସକୁ ଚାଲିଗଲେ । ମମତାଙ୍କ ପାଖରେ ଆସି ବସିଲେ ତାଙ୍କ ବାବା । ତାଙ୍କ ମୁଣରେ ହାତ ବୁଲାଇ ଆଣି କହିଲେ, କେମିତି ଲାଗୁଛିରେ ମା ? ଖୁବ୍‌ ବର୍ଷା ହେଉଥିବା ବେଳେ , ଦିନେ ଦୁଇଦିନ ଛୁଟି ନେଲଗଲେ କ୍ଷତି କା’ଣ ? ବର୍ଷାରେ ଏମିତି ଓଦା ହେବାଟା ଜମା ଉଚିତ ନୁହେଁ ।”

ମମତା ଆଖିରେ ଦୁଇଟୋପା ଲୁହ ଜକେଇ ଆସିଲା । ତାଙ୍କ ଲୁହାଭାରରେ ଆଖିକୁ ଚାହିଁ ମା’ ତାଙ୍କ ପାଖରେ ବସି ପଡିଲେ । ମମତାକୁ କୋଳକୁ ଆଉଜେଇ ନେଇ କହିଲେ, ବ୍ୟସ୍ତ ହ ନା , ତୋ ବାବା କହୁଛଥିଲେ ଚେଷ୍ଟା କରି ତୋର କଟକ ବଦଳି କରାଇଦେବେ । ପ୍ରତିଦିନ ଭୁବନେଶ୍ୱର ଦୌଡ଼ି ଦୌଡ଼ି ତୁ ଭାରି ହଇରାଣ ହୋଇ ଗଲୁଣି । ଏଥର ମମତା ମା’ଙ୍କ କୋଳରେ ମୁହଁ ଲୁଚାଇଲେ । ଆଖିରୁ ଧାର ଧାର ଲୁହ ବୋହିଗଲା । କେମିତି ସେ ବୁଝାଇବେ ତାଙ୍କ ବାବା ଓ ମା’ଙ୍କୁ ଏ ଜ୍ୱର ଥଣ୍ଡା ଜ୍ୱର ନଥିଲା କି ବର୍ଷାରେ ଓଦା ହେବାରୁ ହୋଇ ନ ଥିଲା । ଏ ଥିଲା ତାଙ୍କ ଆତ୍ମ ଦହନର ପ୍ରକୋପ । ନିଜକୁ ନିଜେ ଜାଳି ଦେବାର ଉତ୍ତାପ । କେମିତି କହିବେ ସେ କଟକ, ଭୁବନେଶ୍ୱର ରାସ୍ତାରେ କ’ଣ ପାଇଛନ୍ତି ଆଉ ହରାଇଛନ୍ତି କ’ଣ ?

ଚାକର ପିଲାକୁ ରୋଷେଇ କରିବା ପାଇଁ ନିର୍ଦ୍ଦେଶ ଦେଇ ଏବଂ ଆଉ ଜର ଆସିଲେ ଫୋନ କରିବା ପାଇଁ କହି ମା ଓ ବାବା ଚାଲିଗଲେ । ଗୋଟେ ସଦ୍ୟ ଗୋଲାପ ତୋଡ଼ା ଧରି ଆୟା ଆସି କହିଲା, “ମା ଜଣେ ବାବୁ ଏ ଫୁଲ ତୋଡ଼ା ଧରି ଆସିଛନ୍ତି” । କିଏ… ? ଚମକି ଚାହିଁଲେ ମମତା । ମା’ ତୁମକୁ ଜ୍ୱର ହେବା ଦିନରୁ ସେ ପ୍ରେତ୍ୟେକ ଦିନ ଆସୁଛନ୍ତି । ସିପ୍ରା ଦିଦିଙ୍କ ଭାଇ ହେବେ କି କ’ଣ, ସିପ୍ରାଦିଦି ତ ତାଙ୍କୁ ବିକ୍ରମ ଭାଇ ବୋଲି ଡାକୁଛନ୍ତି ।

ଆଃ , ବିକ୍ରମ ଆସିଛନ୍ତି । ପ୍ରଥମ କରି ତାଙ୍କ ଘରକୁ । ଫୁଲ ତୋଡ଼ାଟି ଆୟା ହାତରୁ ନେଲେ ମମତା । ଟିକେ ଆଘ୍ରାଣ କଲେ । ମନେ ମନେ କିଛି ନିଶ୍ଚୟ କରିନେଲେ ଓ କହିଲେ, ମୋତେ ଖୁବ ଦୁର୍ବଳ ଲାଗୁଛି, ଯା ବାବୁଙ୍କୁ କଫି କରି ଦେଇଦେବୁ ଆଉ କହିବୁ ମୁଁ ଦେଖା କରି ପାରିବି ନାହିଁ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top