ଅଣୁଗଳ୍ପ

ମହାତ୍ମା କପିଳେନ୍ଦ୍ର

Manmath Kumar Dalei's odia short story Mahaatmaa Kapilendra

ତା ପାଇଁ ଆଶ୍ରମ ପାଲଟି ଗଲା ଅଜସ୍ର ପ୍ରେରଣାର ଉତ୍ସ, ଶାନ୍ତିର ତପୋବନ, ଦିବ୍ୟତାର ଦେବାଳୟ ଏବଂ ଭବ୍ୟତାର ଭୂ-ସ୍ୱର୍ଗ ।

ମହାତ୍ମା କପିଳେନ୍ଦ୍ର

ନିରାଶାର ବୈତରଣୀ ବଢିଲା ନଈ ପରି ଦିନକୁ ଦିନ ଫୁଲି ଫୁଲି ଚାଲିଛି । ଦୁଃଖ ପାହାଡର ବୋଝ ଅସହ୍ୟ ହେଲାଣି । କପିଳା କଣ କରିବ କିଛି ଠିକ୍‌ କରି ପାରୁନି । ବାପା ମାଆ ଆରପାରିକୁ ଗଲା ଦିନଠାରୁ ସେ ଅସହାୟ ହୋଇ ପଡିଛି । କର୍ମକୁ ଆଦରି ଭାଇ ଭାଉଜଙ୍କ ପାଖରେ ପଡି ରହିଛି । ଦିନ ତମାମ ଖଟିଲେ ଦୁଇମୁଠା ଖାଇବାକୁ ମିଳୁଛି । ପଞ୍ଚ ତିରିଶଟି ବସନ୍ତ ଅତିକ୍ରାନ୍ତ ହେଲାଣି, ଅଥଚ ତା ଜୀବନ ଉଦ୍ୟାନରେ ଫୁଲଟିଏ ବି ଫୁଟିଲା ନାହିଁ । ବଉଳର ସୁବାଶିତ ମହକ ଏବଂ କୋଇଲିର କୁହୁକୁହୁ ତାନ ତା ପାଇଁ ସାତ ସପନ । ତା ସାଙ୍ଗର ଟୋକାମାନେ ଦୁଇ ଦୁଇଟା ଛୁଆର ବାପା ହେଇ ସୁଖରେ ଘର ସଂସାର କଲେଣି, ଅଥଚ ତାର ନାଗନାଡି ଏ ପର୍ଯ୍ୟନ୍ତ ଖୋଲିପାରିଲା ନାହିଁ ।

ଭାଉଙ୍କର ଜଦିଓ ଇଚ୍ଛା ଥାଏ, କିନ୍ତୁ ଭାଉଜଙ୍କ ଚାପ ଆଗରେ ସେ ନତମସ୍ତକ । ସ୍ୱାର୍ଥର କୃତ୍ରିମ ମାୟା ଜାଲରେ ସେ ଛଟପଟ । ତାକୁ ସାଇପଡିଶା ଏବେ ରହସ୍ୟ କରିବା ଆରମ୍ଭ କରିଦେଲେଣି । ବାବାଜୀ ବୋଦା, ଥୁଣ୍ଟା ବରଗଛ, ଛତୁଫୁଟା କାଠ ଏମିତି କେତେ କଣ ? କଟା ଘାଆରେ ଚୁନ ଦେଲାଭଳି ଯନ୍ତ୍ରଣା ଅନୁଭବ କରେ ସେ, ହେଲେ କିଛି କରି ପାରେନି ।

ମନକୁ ହାଲୁକା କରିବା ପାଇଁ ଚାଷ କଲାବେଳେ କଣ୍ଠ ଫଟେଇ ସେ ଗୀତ ଗାଏ । ଜଙ୍ଗଲରେ ଗାଈଗୋରୁ ଚରାଇଲା ବେଳେ ଗଛର ଡାଳରେ ବସି ବଂଇଶୀ ବଜାଏ । ଏମିତିରେ ମନ ପ୍ରଫୁଲ୍ଲିତ ହୁଏ । ହେଲେ ଘରକୁ ଫେରିଲା ପରେ ଯାହାକୁ ସେୟା । ସ୍ୱାର୍ଥାନ୍ଧ ସଇତାନ ସ୍ୱାର୍ଥର ଚାବୁକରେ ପିଟିପିଟି ତାକୁ ରକ୍ତାକ୍ତ କରିଦିଏ । ସେ ବୁଝି ପାରେନି ତା ପାଇଁ ଦଇବ ଏତେ ନିଷ୍ଠୁର କାହିଁକି ?

ରାତିରେ ଶୋଇଲା ବେଳେ ସବୁଦିନ ମାଆଙ୍କ ସହ ସ୍ୱପ୍ନରେ ଭେଟ ହୁଏ । ସ୍ୱପ୍ନରେ ହେଉ ପଛେ ମାଆଙ୍କ ପଣତ କାନି ତାର ଦୁଃଖ ପୋଛିବାରେ ସହାୟକ ହୁଏ । ଦିନ ଯାକର ସବୁଯାକ କେନ୍ଦ୍ରୀଭୂତ ଆବିଳତା ତାଙ୍କ ପାଖରେ ଖୋଲିଦିଏ । ମନକୁ ବୋଝମୁକ୍ତ କରିବାକୁ ଚେଷ୍ଟା କରେ । ସ୍ୱପ୍ନ ଶେଷରେ ମାଆ ସେଇ ଗୋଟିଏ ଆଶ୍ୱାସନା ଦିଅନ୍ତି ,”ମୋ କପିଳା ଦିନେ ମଣିଷ ପରି ମଣିଷଟିଏ ହେବ, ସାରା ରାଇଜରେ ନାଆଁ କରିବ ।” ସପନ ସରେ, ନିଦ ଭାଙ୍ଗେ ଏବଂ ସକାଳର କିରଣ ଚତୁର୍ଦ୍ଦିଗ ଆଲୋକିତ କରେ, ହେଲେ ତା ଜୀବନର ଅଂନ୍ଧାର ସରେନି, ଦିନକୁ ଦିନ ଆହୁରି ଅନ୍ଧକାରମୟ ହୋଇ ଉଠେ । କିଛି କୂଳ କିନାରା ପାଏନି ବିଚରା କପିଳା ।

ଦିନେ ଜଙ୍ଗଲରେ ଗାଈଗୋରୁ ଚରଉଥିବା ବେଳେ, ନିଜ ହତଭାଗ୍ୟ ଜୀବନ କଥା ଚିନ୍ତାକରି ଅନେକ କାନ୍ଦିଲା । ଜୀଅନ୍ତା ଶବ ହୋଇ ବଞ୍ଚିବା ଅପେକ୍ଷା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେବାର ପାପ ଚିନ୍ତା ତାକୁ ଅଥୟ କଲା । ଶେଷରେ ରଶି ଲଗେଇ ସବୁଦିନ ପାଇଁ ନିଜ ଜୀବନ ସଳିତାକୁ ଲିଭେଇ ଦେବାକୁ ମନସ୍ଥ କଲା । ଏମିତି ଭାବି ଯେତେବେଳେ ଗୋଟିଏ ଗଛର ଡାଳରେ ନିଜ ଗାମୁଛାକୁ ବାନ୍ଧିବାକୁ ଗଲା, ଦେଖିଲା ସେହି ଡାଳରେ ଚଢେଇଟିଏ ବସା ବାନ୍ଧୁଛି । ନିଜ ଥଣ୍ଟରେ ନିଜ ଭବିଷ୍ୟତ ଲେଖୁଛି । ଚଢେଇଟିକୁ ଘଡିଏ ଚାହିଁଲା କପିଳା । ଆଉ ଆଗକୁ ବଢି ପାରିଲାନି ସେ, ହାତ ଥରିଲା … ଗୋଡ କମ୍ପିବାକୁ ଲାଗିଲା ତାର। ଶେଷରେ ଗଛରୁ ତଳକୁ ଓହ୍ଲେଇ ଆସିଲା । ଗଛ ତଳେ କିଛି ମୂହୁର୍ତ୍ତ ଦମ୍ଭ ନେଲା । ତାପରେ ଚାଲିବା ଆରମ୍ଭ କଲା ଆଗକୁ ଆଗକୁ, ଆଉ ପଛକୁ ଚାହିଁଲାନାହିଁ ।

ଏମିତି ପଦଯାତ୍ରା କରି କରି କପିଳା ପହଞ୍ଚିଗଲା ମହାତ୍ମା ଶ୍ରଦ୍ଧାନନ୍ଦଙ୍କ ଆଶ୍ରମରେ । ସେତେବେଳକୁ ସୂର୍ଯ୍ୟ ପୂର୍ବାକାଶରେ ଉଦୟ ହେବାକୁ ବସଲେଣି । ରାତି ସରି ଦିନର ସୁଆଗମନ ହେଉଥାଏ । ଆଶ୍ରମ ଭଜନ କୀର୍ତ୍ତନରେ ଉତ୍ସବ ମୂଖର ହୋଇ ଉଠୁଥାଏ । କୀର୍ତ୍ତନ ସରିବା ପରେ ମହାତ୍ମାଙ୍କୁ ସେ ଶାଷ୍ଟାଙ୍ଗ ପ୍ରଣିପାତ କଲା ଏବଂ ନିଜର ଦୁଃଖ ଜଣେଇ ଆଶ୍ରମରେ ରହିବାର ଅନୁମତି ମାଗିଲା। ମହାତ୍ମା ତାକୁ ସାନ୍ତ୍ୱନା ଦେଇ ଆଶ୍ରମରେ ରହିବାକୁ ପ୍ରତିଶୃତି ଦେଲେ ।

ଆଶ୍ରମ ଜୀବନ ତାକୁ ଆନନ୍ଦ ପ୍ରଦାନ କଲା । ଶୃଙ୍ଖଳିତ ଏବଂ ପବିତ୍ର ଜୀବନ ଶୈଳୀ ଥିଲା ଆଶ୍ରମର ମୂଳ ମନ୍ତ୍ର । ତା ପାଇଁ ଆଶ୍ରମ ପାଲଟି ଗଲା ଅଜସ୍ର ପ୍ରେରଣାର ଉତ୍ସ, ଶାନ୍ତିର ତପୋବନ, ଦିବ୍ୟତାର ଦେବାଳୟ ଏବଂ ଭବ୍ୟତାର ଭୂ-ସ୍ୱର୍ଗ । ବ୍ରାହ୍ମ ମୂହୁର୍ତ୍ତରୁ ସନ୍ଧ୍ୟା ପର୍ଯ୍ୟନ୍ତ ତପ, ଜପ, କୀର୍ତ୍ତନ, ପ୍ରାଣାୟମ, ଅଷ୍ଟାଙ୍ଗ ଯୋଗ, ବାଡି ବଗିଚା, ଗୋସେବା, ପ୍ରବଚନ, ଶାସ୍ତ୍ର ଅଧ୍ୟୟନ ଇତ୍ୟାଦି ଦୈବିକ କ୍ରିୟା କର୍ମରେ ବେଶ ସୁରୁଖୁରୁରେ କଟି ଯାଉଥିଲା ତା ଜୀବନ। ଦିନକୁ ଦିନ ସେ ଶାସ୍ତ୍ର ଅଧ୍ୟୟନରେ ଅଧିକ ଆଗ୍ରହ ପ୍ରକାଶ କଲା । ଏମିତିରେ ଅନେକ ବର୍ଷ ବିତିଗଲା ଏବଂ ସମୟ ଆସିଲା ଦିନେ ସେ ବେଦ, ଉପନିଷଦ, ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ସମସ୍ତ ଶାସ୍ତ୍ରରେ ପାରଦର୍ଶିତା ଲାଭ କଲା । ଶେଷରେ ସେ ମହାତ୍ମା ଶ୍ରଦ୍ଧାନନ୍ଦଙ୍କ ଅନ୍ତେ ଆଶ୍ରମର ଦାୟିତ୍ୱ ନେଲେ । ସେତେବେଳକୁ ସେ ମହାତ୍ମା କପିଳେନ୍ଦ୍ର ନାମରେ ସାରା ରାଇଜରେ ଖ୍ୟାତି ଲାଭ କରି ସାରିଥିଲେ ।

ଗପଟିକୁ ଅତି ରୋଚକ ଶୈଳୀରେ ରାଜା ବିକ୍ରମାଦିତ୍ୟଙ୍କୁ କହିସାରି ବେତାଳ ପଚାରିଲା, ” ହେ ରାଜନ, କପିଳା ଆତ୍ମହତ୍ୟା ନିଷ୍ପତ୍ତିରୁ ହଠାତ୍ ଓହରି ଯିବାର ପ୍ରକୃତ ରହସ୍ୟ କଣ ? ଯେଉଁ କପିଳା ଘର ସଂସାର କରିବା ପାଇଁ ବିବ୍ରତ ଥିଲା ସେ ଜଣେ ସାଧୁ ମହାତ୍ମା ହେବାକୁ କାହିଁକି ଚାହିଁଲା ? ମୋ ପ୍ରଶ୍ନର ସଠିକ ଉତ୍ତର ଯଥାଶୀଘ୍ର ପ୍ରଦାନ କରି ବନ୍ଧନ ମୁକ୍ତ ହୁଅନ୍ତୁ । ଯଦି ଉତ୍ତର ଦେବାକୁ ଅସମର୍ଥ ହୁଅ ତେବେ ତୁମ ଶୀର ହେବ ସ୍କନ୍ଦ୍ୱଚ୍ୟୁତ ।”

ରାଜା ବିକ୍ରମାଦିତ୍ୟ କାଳ ବିଳମ୍ବ ନ କରି ଉତ୍ତର ଦେଲେ, ” ହେ ବେତାଳ, କପିଳା ଚଢେଇଟିଏ ନିଜ ଥଣ୍ଟରେ ବସା ବାନ୍ଧିବାର ଦେଖି ନିଶ୍ଚୟ ହୃଦୟଙ୍ଗମ କଲା ଯେ ସାମାନ୍ୟ ଚଢେଇଟିଏ ଯଦି ନିଜ ଘର ତୋଳି ପାରୁଛି ତେବେ ସେ କାହିଁକି ପାରିବନାହିଁ । ତେଣୁ ସେ ଆତ୍ମହତ୍ୟା ନିଷ୍ପତ୍ତିରୁ ଓହରି ଆସିଲା । ମାଆଙ୍କ ଆଶିର୍ବାଦ କପିଳାକୁ ସାଧୁସଙ୍ଗ ଲାଭ କରିବାର ସୁଯୋଗ ସୃଷ୍ଟି କଲା । ଏ କଥା ସମସ୍ତଙ୍କୁ ଜ୍ଞାତ ଯେ ସତ୍‌ସଙ୍ଗ ମଣିଷକୁ ସତ୍ ମାର୍ଗ ଦେଖାଏ । ସାଧୁସଂଗତି ଲାଭ କରି କପିଳା ଦିବ୍ୟ ଜୀବନ ଜିଇଁବାର ଯେଉଁ ଆତ୍ମ ସନ୍ତୋଷ ଲାଭ କଲା ତାହାହିଁ ତାକୁ ସାଂସାରିକ ବନ୍ଧନରୁ ମୁକ୍ତି ଦେଲା ।”

ସଠିକ ଉତ୍ତର ପାଇ ବେତାଳ ରାଜାଙ୍କ ସ୍କନ୍ଦ ତ୍ୟାଗ କରି ନିକଟସ୍ଥ ବରଗଛ ଓହଳରେ ଝୁଲିବାରେ ଲାଗିଲା । ଝିପିଝିପି ବର୍ଷା ସାଙ୍ଗକୁ ତୁହାକୁ ତୁହା ବିଜୁଳି ଏବଂ ଭୀଷଣ ଘଡଘଡିକୁ ଖାତିର ନ କରି ରାଜା ବିକ୍ରମାଦିତ୍ୟ ନିଜ ରାଜ ପ୍ରାସାଦ ଅଭିମୁଖେ ଅଗ୍ରସର ହେଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top