ଅଣୁଗଳ୍ପ

ନୂଆବର୍ଷରେ ଭୋଜି

Rukeya Jabeen's odia short story Nooaabarshare Bhoji

ମନେ ମନେ ଏତିକି କହୁଥିଲା “ହେ ଈଶ୍ବର ମୋ ପିଲାଙ୍କୁ ବୁଝେଇ ଦିଅ”

ନୂଆବର୍ଷରେ ଭୋଜି

ଆଜି ଜାନୁୟାରୀ ପହିଲା, ବର୍ଷର ପ୍ରଥମ ଦିନ , ଚାରିଆଡେ ହର୍ଷଉଲ୍ଲାସ ପରିବେଶ । ପିଲାଠୁ ବୁଢା ନୂଆ ବର୍ଷର ଏହି ଦିନଟିକୁ ଆନନ୍ଦମୟ ଢଙ୍ଗରେ ଅତିବାହିତ କରିବାକୁ ଚେଷ୍ଟାରତ । ପ୍ରାୟ ସମସ୍ତେ ନାଚ, ଗୀତ, ଭୋଜି ଭାତରେ ବ୍ୟସ୍ତ । ଗାଁ ସ୍କୁଲ୍‌ ପାଖ ସରିତା ଘରଟା କିନ୍ତୁ ଶୂନ୍‌ଶାନ୍‌ । ସ୍ୱାମୀ ତା’ର ଠିକା କାମରେ ବାହାରକୁ ଯାଇଛନ୍ତି ପନ୍ଦର ଦିନ ପାଇଁ । ଆହୁରି ଦୁଇ ଦିନ ବାକି ଅଛି ଫେରିବାକୁ । ଟଙ୍କା ପଇସା ଯାହା ଦେଇଯାଇଥିଲେ ସବୁ ସରିବା ଉପରେ । ବାକି ଦିନ ଦୁଇଟି କେମିତି କଟିବ ସରିତାର ଚିନ୍ତା ।

ଏମିତି ଭାବନାରେ ମଗ୍ନ ଥିଲାବେଳେ ପୁଅ ବୀର ଦୌଡ଼ି ଆସିଲା । ତା’ ପଛେ ପଛେ ଝିଅ ବନି ଆଉ ମାନି । ବୀର କାନ୍ଦ କାନ୍ଦ ହେଇ କହୁଥିଲା “ବୋଉ ବୋଉ ଆଜି ନୂଆବର୍ଷ , ସାହି ପିଲେ ମିଶି ଭୋଜି କରୁଛନ୍ତି , ଆମେ ବି ମିଶିବା ” ।

ବନି କହିଲା “ବୋଉ ସେମାନେ ଜଣଙ୍କଠୁଁ ତିରିଶ ଟଙ୍କା ଲେଖାଏଁ ନେଉଛନ୍ତି । ଆମ ତିନିଜଣଙ୍କର ନବେ ଟଙ୍କା ହେଲେ ହୋଇଯିବ । ”

ବଡ଼ ଝିଅ ମାନି କିନ୍ତୁ ପଛରେ ଠିଆ ହେଇ ସବୁ ଚୁପ୍‌ଚାପ୍‌ ଦେଖୁଥିଲା । ବୀର ଆଉ ବନି ମା’ର ଦୁଇଟି ହାତକୁ ଦୁଇପଟୁ ଦୁଇ ହାତ ଧରି ଟାଣୁଥିଲେ । ବୋଉ କହୁନୁ , ବୋଉ କହୁନୁ, କହି ଟାଣି ଚାଲିଥିଲେ ।

ସରିତା ପିଲାମାନଙ୍କୁ କ’ଣ କହିବି ବୁଝିପାରୁ ନ ଥିଲା । ତା ହାତରେ ଜମାରୁ ପଚାଶରୁ ଷାଠିଏ ଟଙ୍କା ଥିଲା । ସ୍ୱାମୀ ଆସିବାକୁ ଦି ଦିନ ବାକି ଅଛି । କିଛି ସମୟ ଚୁପ୍‌ ରହି କହିଲା “ତମେ ମାନେ ବ୍ୟସ୍ତ ହୁଅନ୍ତି, ମୁଁ ଘରେ ରାନ୍ଧିଦେବି । ”

ପୁଅ କହିଲା “ଘରେ ଅରୁଆ ଭାତ କଲେ ଖାଇବି ନ ହେଲେ ଭୋଜି ଖାଇବି । ଆଜି ଜମାରୁ ପଖାଳ କି ଉଷୁନା ଖାଇବି ନାହିଁ ।

ସରିତା ପୁଅ ମୁହଁକୁ ଚାହିଁ କହିଲା “ଅରୁଆ କରିଦେବି ଆଉ ସାଥିରେ ଅଣ୍ଡା ତରକାରୀ” ଆଇଁଷ ନାଁ ଶୁଣି ପିଲା ମାନେ ଖୁସି ହେଇଗଲେ ।

ସରିତାର କିନ୍ତୁ ଚିନ୍ତା ବଢ଼ିଲା । ପିଲାଙ୍କୁ ବୁଝେଇ ଦେଇଛି ସିନା ଅରୁଆ ଚାଉଳ ଆଣିବ କେଉଁଠୁ । ଘରେ ତ ଖାଲି ଉଷୁନା । ଅଣ୍ଡା ସିନା କୁକୁଡ଼ା ଦେଉଛି । ପାଖରେ ଯାହା ପଇସା ଅଛି ସେଥିରେ ଚାଉଳ କିଣିଦେଲେ ବାକି ଦିନଗୁଡ଼ା କେମିତି ଚଳିବ ? ମନେ ମନେ ଭାବିଲା କାହାଠୁଁ ଧାର ନେଇ ଆସିବ । ଭାବିଲା “ପ୍ରଭାତୀ” ଭାଉଜ ପାଖରେ ନିଶ୍ଚୟ ମିଳିଯିବ । ସେ ପିଲାମାନଙ୍କୁ କିଛି ନ କହି ସିଧା ଚାଲିଲା ପ୍ରଭାତୀ ଭାଉଜ ଘର ଆଡ଼େ ।

ଅଗଣାରେ ଭାଉଜଙ୍କୁ ଦେଖି ଖୁସି ହୋଇଗଲା ଯାହା ହଉ ଚାଉଳ ମିଳିଯିବ । ପାଖକୁ ଯାଇ କହିଲା “ଭାଉଜ, ଆଜି ନୂଆବର୍ଷ , ପିଲାମାନେ ଅରୁଆ ଭାତ ପାଇଁ ଜିଦ୍‌ କରୁଛନ୍ତି । ମତେ କିଲଟେ ଅରୁଆ ଚାଉଳ ଧାର ଦିଅନ୍ତନି । ବାଣୀ ବାପା ପଅରଦିନ କାମରୁ ଫେରିଲେ ମୁଁ ତମ ଚାଉଳ ଆଣି ଦେଇଯିବି ।

ପ୍ରଭାତୀ ଭାଉଜ ମୁହଁରେ ବିମୁଖତାର ଭାବଟେ ପ୍ରକାଶ କରି କହିଲେ “ନୂଆବର୍ଷ ଟା ଖାଲି କ’ଣ ତମ ପାଇଁ, ଆମ ପାଇଁ ନୁହଁ ? ଆଜି ଦିନଟାରେ ଧାର କେମିତି ଦେବି କହିଲ ? ଆଜି ପହିଲା ଦିନଟାରେ ଧାର ଦେଲେ ବର୍ଷଟା ସାରା ସେମିତି ଧାର ଦିଆ ଲାଗିଥିବ ଯେ , ତମ ପିଲା ଖୁସି ହେଲେ କ’ଣ ହେବ ? ପିଲା ଲୋକ ସେମିତି ହେବେ । ସେମାନଙ୍କୁ ବୁଝେଇବ ନା ! ତମେ ଆଜି ଯାଅ । କାଲି କି ପଅର ଦିନ ଆଡ଼ିକି ଆସିବ । ଆଉ ଆମର ବି ସେ ଦୋକାନ ଚାଉଳ ଖାଇବା ଅଭ୍ୟାସ ନାହିଁ । ତମ ଚାଉଳ ଆମେ କଣ ଖାଇ ପାରିବୁ ? ନେଲେ ଘରୋଇ ଚାଉଳ ଆଣିଦେବ ହେଲେ ଆଜି ଦେଇ ପାରିବି ନାହିଁ ।

ସରିତା ପ୍ରଭାତୀ ଭାଉଜଙ୍କ ମୁହଁକୁ ଅନେଇ ରହିଥିଲା । ଭାଉଜଙ୍କ କଥା ଶୁଣି ନିରାଶାରେ ଘରକୁ ଫେରୁଥିଲା । ମନେ ମନେ ଏତିକି କହୁଥିଲା “ହେ ଈଶ୍ବର ମୋ ପିଲାଙ୍କୁ ବୁଝେଇ ଦିଅ” ।

ଘରେ ପହଞ୍ଚିଲା ବେଳକୁ ତା’ ବଡ଼ ଭାଇ ଆସି ଘରେ ପହଞ୍ଚି ବସିଥାନ୍ତି । ଭାଇ ତାର ସ୍କୁଲ୍‌ରେ ପିଅନ । ଛୁଟି ହେଲେ ପ୍ରାୟ ଆସନ୍ତି । ସେ ସରିତାକୁ ଦେଖି କହିଲେ “ଆରେ କୁଆଡ଼େ ଯାଇଥିଲୁ ? ମୁଁ କେତେବେଳୁ ଆସିଲିଣି ” ।

ଭାଇଙ୍କୁ ଜୁହାର ହେଇ ସରିତା ଚା’ ପାଣିର ବ୍ୟବସ୍ଥା କରିଦେଲା । କିଛି ସମୟ ବସିବା ପରେ ଭାଇ ତାର ଯିବାକୁ ବାହାରିଲା । ସରିତା ଭାଇଙ୍କୁ ଖାଇବା ପାଇଁ ଅଟକାଇବାର ଇଚ୍ଛା ଥାଇ ମଧ୍ୟ ଠିକ୍‌ରେ କହିପାରିଲା ନାହିଁ । ଗଲାବେଳେ ଭାଇ ତା ହାତରେ ଚାରୋଟି ଶହେ ଟଙ୍କିଆ ନୋଟ୍‌ ଧରେଇ ଦେଇ ଗଲେ । କହିଲେ “ଆଜି ନୂଆବର୍ଷ ପରା, ରଖିଥା, ଖର୍ଚ୍ଚ କରିବୁ । ଆସିଲାବେଳେ ତୋ ପିଲାମାନଙ୍କ ପାଇଁ କିଛି ଆଣିପାରି ନଥିଲି । ୟାକୁ ରଖିଥା ପିଲାମାନଙ୍କୁ ଦେବୁ । ଆଉ ମନୁ କାମରୁ ଫେରିଲେ ପିଲାଙ୍କୁ ନେଇ ଘର ଆଡ଼େ ବୁଲିଯିବୁ ।

ସରିତା ମୁଣ୍ଡ ହଲାଇନ ହଁ ଟେ ମାରିଲା । ଭାଇଙ୍କ ବିଦାୟ ପରେ ସରିତା ଗୋଟେ ଶହେ ଟଙ୍କିଆ ନୋଟ୍‌ ପିଲାଙ୍କ ଆଡେ ବଢ଼େଇ ଦେଇ କହିଲା “ଯାଅ ସାହି ଭୋଜିରେ ମିଶିଯିବ ” ।

ବୀର ମା’ ହାତରୁ ନୋଟ୍‌ଟା ଛଡ଼େଇ ନେଇ ସାହିଆଡ଼େ ଦୌଡିବାକୁ ଲାଗିଲା । ପଛେ ପଛେ ବନି ଆଉ ମାନି ଦୌଡୁଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top