ଅଣୁଗଳ୍ପ

ପଞ୍ଚମବନ୍ଧୁ

Shrimanta Kumar Panda's an odia short story Panchamabandhu

ମାଡ଼ ପ୍ରଭାବି ଏମିତି ଥୀଲା, ଅଧିକାଂଶ ପିଲାଙ୍କ କିଛି ମନେ ପଡିଲା ନାହିଁ, ଯାହାର ମନେ ପଡୁଥିଲା, କହିବାର ସାହସ ହେଲା ନାହିଁ ।

ପଞ୍ଚମବନ୍ଧୁ

ଏକଦା ଜଣେ ରୁଷି-ପୁତ୍ର ସ୍ନାନ କରୁଥିବା ବେଳେ ଦେଖିଲେ, ଏକ ସର୍ପ ଗୋଟିଏ ବେଙ୍ଗକୁ ଧରି ଗିଳିବାକୁ ଚେଷ୍ଟା କରୁଛି । ବେଙ୍ଗକୁ ଉଦ୍ଧାର କରିବାକୁ ରୁଷି-ପୁତ୍ର ଜଣକ ସର୍ପକୁ ଏକ ବାଡ଼ି ଦ୍ୱାରା ପ୍ରହାର କରିବାକୁ ଉଦ୍ୟତ ହେଲେ, କିନ୍ତୁ ସେତିକି ବେଳକୁ ମୁଣ୍ଡକୁ ଜୁଟିଲା, ଯିବ ହତ୍ୟା ମହାପାପ । ତା ଛଡା ସାପ ବେଙ୍ଗ ନଖାଇଲେ ବଞ୍ଚିବ କେମିତି । ସାପ ଘାସ ଖାଇ ବଞ୍ଚି ପାରିବ ନାହିଁ । ଏ ବିକଟ ସମସ୍ୟାର ସମାଧାନ ପାଇଁ ରୁଷି-ପୁତ୍ର ପିତାଙ୍କ ପାଖକୁ ଗଲେ ଓ ପଚାରିଲେ;

–ସେ ପରିସ୍ଥିତିରେ ମୋର ସାପକୁ ମାରି ବେଙ୍ଗକୁ ରକ୍ଷା କରିବା ଉଚିତ ହୋଇଥାନ୍ତା କି ?

ସବୁ ଶୁଣିବା ପରେ ରୁଷି ବା ଗୁରୁଦେବ କହିଲେ ।

— ମଣିଷ ଜୀବନରେ ବେଳେ ବେଳେ ଏମିତି ସମୟ ଆସେ ଯେତେବେଳେ ସଠିକ୍‌ ନିଷ୍ପତି ନେବା ମୁସ୍କିଲ ହେଇଯାଏ, ତାକୁ ସଙ୍କଟ କୁହାଯାଏ । ସେମିତି ସଂକଟମୟ ପରିସ୍ଥିତିରେ ଆବଶ୍ୟକ ହୁଏ ଜଣେ ଜ୍ଞାନୀ ଗୁଣି ମଣିଷ କିମ୍ବା ଜଣେ ଗୁରୁ । କିନ୍ତୁ ଏମିତି ସମୟ ବି ଆସେ ଯେତେବେଳେ, ଜ୍ଞାନ ଓ ଅନୁଭବ ସତ୍ତ୍ୱେ, ଜ୍ଞାନୀ ଗୁଣି ମାନେ ମାର୍ଗଦର୍ଶନ କରିବାରେ ଅସମର୍ଥ ହୁଅନ୍ତି । ମୁଁ ଆଜି ତୁମର ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ । ଜୀବନର ଏ ଭଳିଆ କଠିନ ପରିସ୍ଥିତି କୁ କୁହାଯାଏ ‘ବିଷାଦ’ ……….

ଉପୋରକ୍ତ ଉପାଖ୍ୟାନ ପଢ଼ୁଥିବା, ଜ୍ଞାନୀ ମଣିଷ ରୂପେ ପରିଚିତ ଶିକ୍ଷ୍ୟା ବିଭାଗ ସଚିବଙ୍କୁ ଲାଗିଲା, ଗୁରୁଦେବଙ୍କ ଉକ୍ତି ଧ୍ରୁବ ସତ୍ୟ । ବର୍ତ୍ତମାନ ସେ ଯେଉଁ ପରିସ୍ଥିତିର ସାମ୍ନା କରୁଛନ୍ତି, କୌଣସି ବିଷାଦ ତାହା ଠାରୁ କମ୍‌ ନୁଁହ ।

ବହୁ ସମୟ ଚିନ୍ତା କରିବା ପରେ ସଚିବ ଭାବିଲେ, ଏମିତି ବିଷାଦ ସମୟରେ କେବଳ ଜଣେ ସହାୟତା କରି ପାରିବ, ସଖା, ଯେମିତି ଅର୍ଜୁନଙ୍କ ସହାୟତା ଶ୍ରୀକୃଷ୍ଣ କରିଥିଲେ । ଏମନ୍ତ ବିଚାର କରି ସେ ସଚିବାଳୟରେ ତାଙ୍କର ଏକମାତ୍ର ସହଯୋଗୀ ତଥା ବନ୍ଧୁଙ୍କ ପାଖକୁ ଗଲେ । ତାଙ୍କ ବନ୍ଧୁ ସମାନ ବିଭାଗରେ କର୍ମରତ, ପଦ ଅନୁସାରେ ତାଙ୍କର ଠିକ୍‌ ତଳ ପାହ୍ୟା । ବନ୍ଧୁ ଜଣକ ସଚିବଙ୍କୁ ଦେଖୁ ଦେଖୁ ଆଶ୍ଚର୍ଯ୍ୟ ହେଇ କହିଲେ;

–ଆପଣ କାହିଁକି ମୋ ପାଖକୁ ଆସିଲେ, ନିର୍ଦ୍ଦେଶ ଦେଇଥିଲେ, ମୁଁ ଆପଣଙ୍କ ପାଖକୁ ଆସିଥାନ୍ତି ।

–ମୁଁ ତମ ପାଖକୁ ଅଫିସ୍‌ କାମରେ ଆସିନି, ଜଣେ ବନ୍ଧୁ ହିସାବରେ ଆସିଛି । ଏକ ବିଷମ ପରିସ୍ଥିତିର ସମାଧାନ ପାଇଁ ।

— ଆପଣଙ୍କୁ ଅବା ମୁଁ କି ସହାୟତା କରି ପାରିବି, ତାହାପି କୁହନ୍ତୁ, ଚେଷ୍ଟା କରିବି ।

–ଆଜି ମୋ ପାଖକୁ ଗୋଟେ ଫାଇଲ୍‌ ଆସିଛି । ସେଥିରେ ଜଣେ ଶିକ୍ଷ୍ୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିଶ ହେଇଛି, ମୁଁ ଦସ୍ତଖସ୍ତ କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବ । ପୁରା ଘଟଣାଟି ଏହିପରି;

ଜଣେ ଛାତ୍ର ମୋବାଇଲ ଆଣି ସ୍କୁଲ ଆସିଥିଲା, ଶ୍ରେଣୀରେ ପାଠ ପଢା ଚାଲିଥିବା ସମୟରେ ମୋବାଇଲ୍‌ରେ କିଛି ଦେଖୁଥିଲା । ଶିକ୍ଷ୍ୟକ ଜଣକ ଜାଣିବାପରେ ପରେ ଏମିତି ବାଡେଇଛନ୍ତିଯେ ହାତ ଫାଟି ଯାଇଛି, ଛାତ୍ର ଜଣକ ସ୍କୁଲ ଆସିବାକୁ ରାଜି ହେଉନି । ଛାତ୍ରର ପିତା ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି ଘଟଣା ସତ । ସରକାରୀ ନିୟମ ଅନୁସାରେ ଏମିତି ଦଣ୍ଡ ଅମାନବୀୟ ଓ ଶିକ୍ଷ୍ୟକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବା କଥା ।

— ଏଥିରେ ଅସୁବିଧା କଣ, ଯଦି ସେ କିଛି ଭୁଲ କରିଛନ୍ତି , ଦଣ୍ଡ ପାଇବେ ।

— ତମେ ଯାହା କହୁଛ, ସରକାରରଙ୍କ ପ୍ରଣୀତ ନିୟମ ଅନୁସାରେ ଠିକ୍‌, କିନ୍ତୁ ସବୁ ସମାଜର କିଛି ଅଲିଖିତ ନିୟମ ଅଛି । ଯଦି ତର୍କ ହେବ ସରକାରୀ ନିୟମ ଠିକ୍‌ ପ୍ରମାଣିତ ହେବ, କିନ୍ତୁ ସମାଜର ବୃହତ୍ତର ସ୍ୱାର୍ଥକୁ ବିଚାର କଲେ ସବୁ ପରିସ୍ଥିତିରେ ସରକାରୀ ନିୟମ ତ୍ରୁଟି ଶୂନ୍ୟ ହେଇ ନପରେ । ମୋ କଥା ଟିକେ ଶୁଣ, ଆଜି ତୁମକୁ ମୋ ବ୍ୟତିଗତ ଜୀବନର ଏକ ଗୁରୁତ୍ୱପୂର୍ଣ ଘଟଣା କହୁଛି, ଯେଉଁଥି ପାଇଁ ଆଜି ମୁଁ ଏ ଚୌକିରେ ବସିଛି । ଏ କଥା ମୋର ଛାତ୍ର ସମୟର ।

—- ମୁଁ ଯେତେବେଳେ ଷଷ୍ଠ ଶ୍ରେଣୀ ରେ ପଢ଼ୁଥିଲି , ସ୍କୁଲକୁ ବଦଳି ହେଇ ଆସିଲେ ଜଣେ ନୂଆ ଶିକ୍ଷକ । ତାଙ୍କୁ ସ୍ୱାଗତ କରିବାକୁ ଗୋଟେ ସଭା ହେଲା, ପିଲାମାନେ ଖୁସି କାରଣ ଶେଷ ପିରିଅଡ ପଢା ନହେଇ ସଭା ହେବ । ସଭା ରେ କିଏ କେତେକଥା କହିଲେ, ପିଲାମାନେ ଧ୍ୟାନ ଦେଉ ନଥାନ୍ତି | ଦେବାର କିଛି ଆବଶ୍ୟକତା ନଥିଲା । ସେ ସମୟରେ, ଆମେ ସାଧାରଣତଃ ଶିକ୍ଷଙ୍କୁ ଗୁରୁ ସମ୍ବୋଧନ କରୁଥିଲୁ ।

ପରଦିନ ସେ ଗୁରୁ ଜଣକ ଷଷ୍ଠ ଶ୍ରେଣୀ କୁ ଆସିଲେ । ପିଲାମାନେ ଜାଣିଲେ ଗୁରୁ ଗଣିତ ପଢ଼େଇବେ ।

ଗୁରୁ ସେଇକଥା କହିଲେ, ମୁଁ ଆଜିଠୁ ତମକୁ ଗଣିତ ପଢ଼େଇବି । ଆହୁରି କହିଲେ, ମୋର ଗୋଟେ ପ୍ରଶ୍ନ ଅଛି, କାଲି ଯେଉଁମାନେ ସଭା ରେ ଥିଲ, ଛିଡା ହୁଅ । ସମସ୍ତେ ଛିଡା ହେଇଗଲେ ।

— ଆଚ୍ଛା, ଏଥର କୁହ ମୁଁ କାଲି ସଭାରେ କଣ କହିଲି ?

ସମସ୍ତେ ଚୁପ ରହିଲେ ।

ବାରମ୍ବାର ପଚାରିବାରୁ, ସମସ୍ତେ ଅଲଗା ଅଲଗା ଉତ୍ତର ଦେଲେ । ଅସଲରେ ସଭାରେ କେହି ଧ୍ୟାନର ସହ କିଛି ଶୁଣୁ ନଥିଲେ । ଯିଏ କିଛି ଶୁଣିଥିଲେ, ସେମାନେ ବୁଝି ପାରୁ ନ ଥିଲେ, ଗୁରୁ କଣ ପଚାରୁଛନ୍ତି ।

ଗୁରୁଙ୍କ ଆଦେଶ ହେଲା, ଯା ଗୋଟେ ବାଡ଼ି ଆଣିବୁ । ମୁଁ କିଛି ନ ବୁଝି, ସ୍କୁଲ ପାଖ ଗଛରୁ ଭାଙ୍ଗି ଏକ ବାଡ଼ି ଆଣିଲି । ଗୁରୁ ଆରମ୍ଭ କରିଦେଲେ ପ୍ରବଳ ପ୍ରହାର । ସମସ୍ତଙ୍କୁ ଚାରି ବାଡ଼ି ଲେଖା, କେତେଜଣକୁ ବେଶୀ ମିଳିଲା କିନ୍ତୁ କାହାକୁ କମ୍‌ ନୁଁହ, ଶ୍ରେଣୀର ଝିଅ ମାନେ ମଧ୍ୟ ମାଡ଼ରୁ ବର୍ତ୍ତୀଲେ ନାହିଁ । ମାଡ଼ରେ ପୁରା ସ୍କୁଲ କମ୍ପିଲା ।

ତା ପରେ ଗୁରୁ ପଚାରିଲେ, ମୁଁ ତମ ମାନଙ୍କୁ କଣ ପଚାରିଥିଲି ?

ମାଡ଼ ପ୍ରଭାବି ଏମିତି ଥୀଲା, ଅଧିକାଂଶ ପିଲାଙ୍କ କିଛି ମନେ ପଡିଲା ନାହିଁ, ଯାହାର ମନେ ପଡୁଥିଲା, କହିବାର ସାହସ ହେଲା ନାହିଁ ।

ଏଥର ଗୁରୁଦେବ ନିଜେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଦେଲେ ।

ମୋର ପ୍ରଶ୍ନ ଥିଲା, ଗତକାଲି ସଭାରେ ମୁଁ ତମ ମାନଙ୍କୁ କଣ କହିଥିଲି ? ତମେ ମୂର୍ଖ ଗୁଡାକ ଗୁରୁଙ୍କ କଥା ଧ୍ୟାନ ଦେଉନ, କି ମଣିଷ ହେବ ?

— ‘ମୁଁ କହିଥିଲି, ମୁଁ ଯେଉଁ ସ୍କୁଲ୍‌କୁ ଯାଏ ସେଠି ପିଲା ସ୍କଲାରସିପ ପାଆନ୍ତି’ । ତମେମାନେ ଯଦି ଗୁରୁଙ୍କ କଥା ମନେ ନରଖିବ, ମୋ ମାଡରୁ ବଞ୍ଚି ପାରିବ ନାହିଁ । ସ୍ୱୟଂ ବ୍ରହ୍ମ ଆସିଲେ ମଧ୍ୟ ତମକୁ ରକ୍ଷା କରିପାରିବେ ନାହିଁ । ସପ୍ତାହେ ଭିତରେ ସ୍କୁଲ ପରିବର୍ତ୍ତନ ହେଇଗଲା । ସବୁଆଡେ ଭୟର ପରିବେଶ । ଅନେକ ସମୟରେ ତାଙ୍କ ମାଡ଼ର କିଛି କାରଣ ନଥିଲା । ଆଠଟା ଶ୍ରେଣୀକୁ ଛଅଜଣ ଶିକ୍ଷ୍ୟକ, ତେଣୁ କିଛି କ୍ଲାସ ଖାଲି ପଡୁଥିଲା । ମଝିରେ, ମଝିରେ କିଛି ଶିକ୍ଷକ ଅନୁପସ୍ଥିତ ରହୁଥିଲେ । ସେ ସମୟରେ ଯଦି କେହି କଥାବାର୍ତ୍ତା ହେଲେ କ୍ଲାସ ସାରା ପିଲାଙ୍କୁ ମାଡ଼ । ନଖ ବଢିଲେ ପିଲା କାମୁଡି ଛୋଟ କଲେ କିମ୍ବା ସ୍କୁଲ ଆସିଲେ ନାହିଁ । ସାର୍ଟ ପେଣ୍ଟ ସବୁ ସଫା । ମୁଣ୍ଡ ନ କୁଣ୍ଡେଇଲେ, ବାଳ ଲମ୍ବା ହେଲେ, ସେଦିନ ବାଡ଼ି ଛିଣ୍ଡିବା ନିଶ୍ଚିତ । ସବୁ ଖାତା ବହିରେ ଖୋଳ ଲଗେଇବା ବାଧ୍ୟତା ମୂଳକ । ରଫ୍‌ ଖାତାରେ ବି ଖୋଳ ନ ଲଗେଇଲେ ମାଡ଼ । ଆଗ ଭଳିଆ ପ୍ରାର୍ଥନା ବେଳକୁ, ନିଜେ ନ ଗାଇ କେବଳ ପାଟି ପାକୁ ପାକୁ କଲେ ଚଲିଲା ନାହିଁ । ସ୍କୁଲ୍‌ରେ ସିଧା ନ ବସିଲେ ମାଡ଼, ମେରୁଦଣ୍ଡ ଟିକେ ବଙ୍କା ହେଲେ ପିଠି ଫାଟିଲା ।

ଗୁରୁଙ୍କ ମାଡ଼ ପ୍ରସଙ୍ଗ ଖୁବ ଶୀଘ୍ର ଆଖ ପାଖ ଗାଁ କୁ ବ୍ୟପିଗଲା । ମାଡ଼ର ପ୍ରକୋପ ଏତେ ଅଧିକ ହେଲାଯେ, କିଛି ପିଲା ପାଠ ଛାଡିଦେଲେ । ଷଷ୍ଠ ଶ୍ରେଣୀରେ ପିଲା ସଂଖ୍ୟା ୪୦ କୁ ୨୮ ଖସିଗଲା । ମଝିରେ ଛୁଟିହେଲେ, ଜଣେ ଜଣେ ପିଲା ଆଉ ସ୍କୁଲ ଫେରୁ ନ ଥାନ୍ତି ।

ପାଠ ଛାଡିବା ଭିତରେ ମୁଁ ନିଜେ ଥିଲି । ଆମ ଘର ସ୍କୁଲରୁ ୩ କିଲୋମିଟର, ଥରେ ଛୁଟିରେ ଘରକୁ ଆସିଲି ଆଉ ସ୍କୁଲ ଗଲିନି । ଯେଉଁ ସମୟର କଥା କୁହ ଯାଉଛି, ସେ ସମୟରେ ଅଧାରୁ ପାଠ ଛାଡିବା କିଛି ଅସ୍ୱାଭାବିକ ଘଟଣା ନଥିଲା । ମୁଁ ଘରେ ମିଛରେ କହିଥିଲି, ସ୍କୁଲ ବନ୍ଦ ଅଛି । ଦିନେ ବାପା, ଗୁଡେଇ ତୁଡେଇ ପ୍ରଶ୍ନ କରିବାଉ ସତ କଥା ବାହାରି ପଡିଲା ।

– ମାଡ଼ ଭୟରେ ମୁଁ ସ୍କୁଲ ଯାଉ ନାହିଁ, ନୂଆ ଆସିଥିବା ମାଷ୍ଟ୍ର ଏମିତି ବଡାଉଛନ୍ତିଯେ ଅଧା ପିଲା ପାଠ ଛାଡି ଦେଲେଣି ।

— ଇଏ ଠିକ କଥା ନୁଁହ, ତୁ ପରଦିନ ମୋ ସାଙ୍ଗରେ ଚାଲ, ମାଷ୍ଟ୍ରଙ୍କୁ କହିବା । ବାପା କହିଲେ ।

ମୁଁ ସଂଶୟ ଓ ଡର ମନରେ ବାପାଙ୍କ ସହ ବାହାରିଲି । ବାପା ଗୋଟେ ଭାରୁଆକୁ ଡାକି, ଗୁରୁଙ୍କ ପାଇଁ ଅଧା ବସ୍ତା ଅରୁଆ ଚାଉଳ, କିଛି ମୁଗ, କିଛି ବିରି, ଗୋଟେ ବସ୍ତା ପରିବା ଧରି ସ୍କୁଲ ବାହାରିଲେ । ମୋର ବିଶ୍ୱାସ ହେଲା ଚାଉଳ ଓ ପରିବା ପାଇବା ପରେ ଗୁରୁ ଖୁସି ହେବେ ଓ ଆଉ ବାଡ଼େଇବେ ନାହିଁ । ତେଣୁ ଟିକେ ସାହସ ଆସିଲା । ତଥାପି ସ୍କୁଲ ପାଖ ହେବାରୁ ଡର ବଢିଗଲା । ପଂହଁଚିଲା ବେଳକୁ ସ୍କୁଲ ଆରମ୍ଭ ହେଇ ଯାଇଥିଲା । ବାପା ଗୁରୁଙ୍କୁ ଦଣ୍ଡବତ ହେଇ କହିଲେ;

–ଆଜ୍ଞା , ମୋ ପୁଅ ମାଡ଼ ଡରରେ ସ୍କୁଲ ଆସୁନଥିଲା, ତାକୁ ଛାଡିବାକୁ ଆସିଥିଲି, ଘରେ ଯାହା ଚାଷବାସ ହେଇଥିଲା ଆପଣଙ୍କ ପାଇଁ ଟିକେ ଆଣିଥିଲି, କଉଠି ରହିବ କହିଲେ ଭାରୁଆ ରଖିଦେଇ ଥାନ୍ତା ।

— ତାକୁ ଏଇଠି ରଖିଦିଅ, କିନ୍ତୁ ତମେ କାହିଁକି ଆସିଲ, ପୁଅକୁ ଏକୁଟିଆ ପଠେଇ ଦେଇଥାନ୍ତ ।

–ଆଜ୍ଞା, ଏ ଛୁଆ ମୋତେ ମିଛ କହିଥିଲା, ମାଡ଼କୁ ଡରି ପାଠ ନ ପଢି ମତେ କହିଥିଲା, ସ୍କୁଲ ଛୁଟି ଅଛି । ଆହୁରି କହିଲା ଗୁରୁ ବହୁତ ପିଟୁଛନ୍ତି । ଏମିତି ଛୁଆଙ୍କୁ ଆହୁରି ପିଟିବା ଦରକାର । ଆଜ୍ଞା, ମାଡ଼ ନ ହେଲେ କଉଠି ପାଠ ହେଲାଣି, ତାକୁ ମୋ ସାମ୍ନାରେ ଆହୁରି ବଡାନ୍ତୁ । ବାପାଙ୍କ ଏମିତି କଥା ଶୁଣି ମୋର ଚେତା ହଜିଗଲା ।

ମିଛ କହିଥିବା ଶୁଣି ଗୁରୁ ପ୍ରବଳ ରାଗିଗଲେ, କହିଲେ, ପେଣ୍ଟ ତଳକୁ କର । କିଛି ସମୟ ଏପଟ ସେପଟ ଦେଖିବା ପରେ , ଅନ୍ୟ ଉପାୟ ନପାଇ, ଥରି ଥରି ଗୁରୁଆଜ୍ଞା ପାଳନ କଲି । ଏମିତି ମାଡ଼ ଯେ, ସବୁ ଶ୍ରେଣୀ ପିଲା ଜାଣିଲେ ମୁଁ ମିଛ କହି ସ୍କୁଲ ଆସୁନଥିବାରୁ ମାଡ଼ ଖାଉଛି । ସବୁଠୁ ଲଜ୍ଜ୍ୟା ପୁଅ ଝିଅ ସମସ୍ତଙ୍କ ସାମ୍ନା ରେ ପେଣ୍ଟ ଉତାରି ମାଡ । କିନ୍ତୁ ମାଡ଼ରେ ବାପାଙ୍କ ସମର୍ଥନ ପରେ ଆଉ କାହାକୁ ଅଭିଯୋଗ କରିବାର ଉପାୟ ନ ଥିଲା ।

ଏ ଭିତରେ ସବୁ ପିଲା ନିଜକୁ ପରିବର୍ତ୍ତିତ କରି ଦେଇ ଥାନ୍ତି । ମାଡ କିଏ କେତେବେଳେ ଖାଉଥିଲା ତାର ହିସାବ ନଥିଲା । ଏ ଭିତରେ ବାର୍ଷିକ ପରୀକ୍ଷା ସରି ଫଳ ବାହାରିଲା । ସ୍କୁଲ ଛାଡ଼ିନଥିବା ସବୁ ପିଲା ପାସ୍‌ କଲେ । ସମସ୍ତେ ଖୁସି, ଖରା ଛୁଟି ଦୁଇ ମାସ, ଆଉ ସ୍କୁଲ ଆସିବାକୁ ପଡ଼ିବନି । ମାଡ଼ର ଭୟ ନାହିଁ । ସେଦିନ କିଛି କ୍ଲାସ ହେଲାନାହିଁ । ସପ୍ତମ ଶ୍ରେଣୀକୁ ଯାଇଥିବା, କିଛି ସାଙ୍ଗ ଏକାଠି ସ୍କୁଲ ପାଖ ଦୋକାନରେ ଚନାଚୁର ଖାଉଥିଲୁ, ଖବର ଆସିଲା, ଗୁରୁ ଡାକୁଛନ୍ତି । ଭଲ ମାର୍କ ରଖି ପାସ କରିଥିବାରୁ ଡର ନ ଥିଲା । ପ୍ରଥମ କରି ଗୁରୁଙ୍କ ପାଖକୁ ବିନା ଡରରେ ଗଲି । ସେଠି ମତେ ଛାଡି ଆଉ ଚାରି ଜଣଙ୍କୁ ଡାକ ଯାଇଥିଲା । ଗୁରୁଙ୍କ ପାଖକୁ ପହଞ୍ଚିଲା ପରେ, ସେ କହିଲେ;

–ତମେ ମାନେ ଆହୁରି ଭଲ କରିବା କଥା, ଏତିକି ପାଠରେ ଚଳିବନି, ଏ ବର୍ଷ ବୋର୍ଡ ପରୀକ୍ଷା, ଭଲ ମାର୍କ ରଖିଲେ ସ୍କଲାରସିପ ମିଳିବ, ତେଣୁ ତମେ ପାଞ୍ଚ ଜଣ ଖରା ଛୁଟିରେ ସ୍କୁଲ ଆସିବ । ସବୁଦିନ ମୁଁ ପଢ଼େଇବି । ସକାଳୁ ଖାଇବା ଧରି ଆସିବ, ଦିନସାରା ଏଠି ରହି ୪ଟା ବେଳକୁ ଘରକୁ ଯିବ । ମୁଁ ତମ ପାଇଁ ପାଞ୍ଚ ସେଟ ପୁରୁଣା ବହି ଯୋଗାଡ଼ କରିଛି । ଖରାଛୁଟିରେ ସବୁ ବହି ସରିବ । ଗୁରୁଙ୍କ କଥା ସାରିବା ବେଳକୁ, ଯେମିତି ଗୋଟିଏ ଅଜଣା ଡର ମାଡି ବସିଲା । ମୁଁ ଖରାଛୁଟି ଦୁଇ ମାସ ମାମୁଁ ଘରକୁ ଯାଇ ଗଛ ଚଢବି, ନଈ ପହଁରିବି, ଆମ୍ବ, ଖଜୁରୀ ତୋଳି ଖାଇବି ଇତ୍ୟାଦି ଯୋଜନା ଆଉ ମନେ ପଡିଲା ନାହିଁ । କିଛି ସମୟ ପାଇଁ ଟିକେ ଗୋଡ ହାତ ଥରିଲା, ଛାତି ଧଡ଼ ଧଡ଼ ହେଲା । କିନ୍ତୁ ଗୁରୁଙ୍କ ମୁଁହରୁ ବାହାରୁ ଥିବା ପ୍ରତି ଶବ୍ଦ ଆମପାଇଁ ଥିଲା ନିର୍ଦେଶ । କିଛି ଚିନ୍ତା ନ କରି ଗୁରୁଆଜ୍ଞା ପାଳନ ପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ ହେଲା ।

ପରଦିନଠୁ ପାଠପଢା ଆରମ୍ଭ ହେଲା, ଖାଲି ଗଣିତ ନୁଁହ ସବୁ ବିଷୟ । ଇଂରାଜୀ ବ୍ୟାକରଣ ଓ ଗଣିତ ଉପରେ ବିଶେଷ ଧ୍ୟାନ ଦେଉଥାନ୍ତି । କେତେବେଳେ କେଉଁ ବିଷୟ ପଢା ହେବ ଆଉ କିଏ କେତେବେଳେ ମାଡ ଖାଇବା ତାର ହିସାବ ନ ଥିଲା ।

ସ୍କୁଲ ପାଖରେ ଥିବା ଗୋଟିଏ ଗଛର ଛାଲି ହାତରେ ଘସିଲେ ମାଡ କାଟିବ ନାହିଁ, ସକାଳୁ ନେଉଳ ଦେଖିଲେ ମାଡ ଖାଇବ ନାହିଁ ଇତ୍ୟାଦି ଯେ ଅନ୍ଧବିଶ୍ୱାସ ଆମେ ଜାଣି ପାରିଲୁ । ତେବେ ଧୀରେ ଧୀରେ ଗୁରୁଙ୍କ ପ୍ରତି ଆମର ସମ୍ମାନ ବଢ଼ୁଥିଲା । ତାଙ୍କ ଘରେ ପିଠାପଣା ହେଲେ ଆମ ପାଇଁ ଆସୁଥିଲା । ମଝିରେ ମଝିରେ ଗୋଟେ ଗୋଟେ ସୁନ୍ଦର ଗପ କହୁଥାନ୍ତି ଓ ସାଧାରଣ ଜ୍ଞାନ ଉପରେ ଚର୍ଚ୍ଚା କରୁଥାନ୍ତି । ଆଗଭଳିଆ ଆମେ ଗୁରୁଙ୍କ ପଛରେ ତାଙ୍କ ବିରୁଦ୍ଧରେ ଆଲୋଚନା କରୁନଥିଲୁ । ମାଡ ଯଦିଓ କମିନଥିଲା ଆମ ମନରେ ସ୍କୁଲ ଆସିବାର ଭୟ ଆଉ ନଥିଲା । ଏମିତି ନୁଁହ ଯେ ସବୁବେଳେ ପଢା ହେଉଥିଲା, ଖାଇବା ପରେ ଆମକୁ କିଛି ସମୟ ବିଶ୍ରାମ ମିଳୁଥିଲା । ଏ ଭିତରେ ଆମ ପାଞ୍ଚ ଜଣକ ମଧ୍ୟରେ ବନ୍ଧୁତା ବଢି ଯାଇଥିଲା । ଏଠାରେ ଆଉଜଣେ ସାଙ୍ଗ ବିଷୟରେ ନ କହିଲେ କଥା ଅଧା ରହିଯିବ । ସେ ହେଲା ମୋର ସବୁଠୁ ପ୍ରିୟ ସାଙ୍ଗ । ସେ ଗୁରୁଙ୍କ ଦ୍ୱାରା ଚୟନ କରା ଯାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ନ ଥିଲା । କିନ୍ତୁ ତା ଘର ସ୍କୁଲ ସାମନାରେ । ଗୁରୁଙ୍କ ସବୁ ଛୋଟ ମୋଟ କାମ ସେ ହିଁ କରୁଥିଲା । ଗୁରୁଙ୍କ ପାଇଁ ପାଣି ଆଣିବା, ପରିବା, ମାଛ ଆଣିଦେବା, କ୍ଷୀର ଆଣିଦେବା ଇତ୍ୟାଦି । ମଝିରେ ମଝିରେ ସେ ଆମ ସାଙ୍ଗରେ ବସୁଥିଲା । ଗୁରୁ ପଢେଇବା ବେଳେ ସେ ଗୁରୁଙ୍କ ମୁଁହକୁ ଚାହିଁ ରହୁଥିଲା । ସତ କହିବାକୁ ଗଲେ, ଆମ ଚାରି ଜଣ ଅପେକ୍ଷ୍ୟା ତାର ଗୁରୁଭକ୍ତି ଅଧିକ ଥିଲା । ତାକୁ ଯଦିଓ ଗୁରୁ ଅନେକ ବ୍ୟକ୍ତିଗତ କାମ ଦେଉଥିଲେ, ସେ କିମ୍ବା ତା ବାପା ମା କେବେ ଏ କଥାକୁ ଅସଙ୍ଗତ ଭାବିବା ମୁଁ ଦେଖିନି । ବରଂ ମଝିରେ ମଝିରେ ତା ବାପା କିଛି ପନିପରିବା ନିଜେ ଆସିକି ଦେଇ ଯାଉଥିଲେ । ଗୁରୁ ଗ୍ରହଣ କଲାବେଳେ ତାଙ୍କ ମନରେ ଗୋଟେ ଆତ୍ମ ସନ୍ତୋଷ ଆସୁଥିଲା । ଆହୁରି କହୁଥିଲେ, ଯେତେବେଳେ ଯାହା ଦରକାର ଆମକୁ କହିବେ ।

ଖରା ଛୁଟି ସରିବା ପରେ ନିୟମିତ ସ୍କୁଲ ଆରମ୍ଭ ହେଲା ବେଳକୁ ଆମର ପାଠ ସରି ଯାଇଥିଲା, ତେଣୁ ସ୍କୁଲ୍‌ରେ ସବୁ ପାଠ ସହଜ ଲାଗିଲା । ସପ୍ତମ ଶ୍ରେଣୀର ପଢା ସମୟ ବଢ଼େଇ ଦିଆଗଲା, ଯଦି କେହି ଶିକ୍ଷ୍ୟକ ଅନୁପସ୍ଥିତ ରହିଲେ ଆମ ପାଞ୍ଚ ଜଣକୁ ଦାଇତ୍ତ୍ୟ ଦିଆଗଲା ବାକି ପିଲାଙ୍କୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ।

ଦିନେ ଡାକବାଲା ଆସି ଗୋଟେ ବଡ ପାର୍ସଲ ଆଣି ଗୁରୁଙ୍କୁ ଦେଲା । ସେତବେଳେ ଗୁରୁ ଆମ କ୍ଲାସ୍‌ରେ ଥାଆନ୍ତି । ତା ଭିତରୁ ବାହାରିଲା କିଛି ବଡ ବଡ଼ ବହି । ଗୁରୁ ଆମକୁ କହିଲେ ମୁଁ କିଛି ଟେଷ୍ଟପେପର ମଗେଇଛି । ଏଥର ବୋର୍ଡ ପରୀକ୍ଷା ପାଠ ରିଭିଜନ ହେବ ଓ ଟେଷ୍ଟ ପେପରର ସବୁ ପ୍ରଶ୍ନ ସରିବ । ଏମିତି ପାଠପଢା ଆମେ ଦେଖିନଥିଲୁ କି ଶୁଣିନଥିଲୁ । କେତେବେଳେ କାହାକୁ କେଉଁ ପ୍ରଶ୍ନ ପଚାରିବେ ଠିକଣା ନ ଥିଲା । କହି ନ ପାରିଲେ ମାଡ଼ ତା ଛଡା ବାକି ଯେଉଁମାନେ ତାର ଉତ୍ତର ଜାଣି ନ ଥିବେ ସମସ୍ତ ଙ୍କୁ ମାଡ଼ ।

ଶେଷରେ ପାଖ ସହରରେ ଥିବା ହାଇସ୍କୁଲରେ ଆମେ ବୋର୍ଡ ପରୀକ୍ଷା ଦେଲୁ ।

ରେଜଲ୍ଟ ଆସିଲା, ସମସ୍ତେ ପାସ, ଆମ ସ୍କୁଲ୍‌ରି କେବେ ଏମିତି ରେଜଲ୍ଟ ହେଇନଥିଲା । ପରେ ସ୍କଲାରସିପ ଫଳ ଜଣାପଡିଲା । ଆମ ସ୍କୁଲରୁ ଦୁଇ ଜଣ ସ୍କଲାରସିପ ପାଇଲୁ । ମୁଁ ଓ ସର୍ବଦା ଗୁରୁଙ୍କ ସେବା ରେ ଧ୍ୟାନ ଦେଉଥିବା ମୋର ପଞ୍ଚମ ବନ୍ଧୁ । ସ୍କଲାରସିପ କଥା ସାରା ଅଂଚଳରେ ବ୍ୟାପିଗଲା । ଅଷ୍ଟମ ଶ୍ରେଣୀ ବେଳକୁ ଆମ ସ୍କୁଲ ରେ ପିଲା ସଂଖ୍ୟା ବଢିଗଲା । ଆମରି କ୍ଲାସ ରେ ପିଲା ୨୮ ରୁ ୫୦ ହେଇଗଲେ । ଆଉ କିଛି ସିଟ୍‌ ଅଭାବରୁ ଆଡ଼ମିସନ ନେଇ ପାରିଲେ ନାହିଁ । ଅଷ୍ଟମ ଶ୍ରେଣୀ ରେ ମୋର ପରିଚୟ ଥିଲା ସ୍କଲାରସିପ ପାଇଥିବା ପିଲା । ଦିନେ ଉତ୍କଣ୍ଠା ଦୂର କରିବାକୁ ମୋର ପଞ୍ଚମ ବନ୍ଧୁ କୁ ପଚାରିଲି, ତୁ ଆମ ଭଳିଆ ସ୍କଲାରସିପ ପାଇଁ ପ୍ରସ୍ତୁତ ହେଇନଥିଲୁ, କେମିତି ଏତେ ସହଜରେ ସ୍କଲାରସିପ ପାଇଲୁ ?

— ମୁଁ ଗୁରୁଙ୍କୁ ପ୍ରବଳ ଡରେ, ସେହି କାରଣରୁ, ସେ ଯାହା କହନ୍ତି ମୋର ଏକାଥରେ ମନେ ରହି ଯାଏ, ମୁଁ କେବଳ ସେତିକି ଲେଖିଛି ଯାହା ମୁଁ ଗୁରୁଙ୍କ ଠାରୁ ଶୁଣିଥିଲି । …

ମୁଁ ଜାଣିଲି; ଗୁରୁଭକ୍ତି ରେ ସେ ଆମଠୁ ଯଥେଷ୍ଟ ଉପରେ ଥିଲା, ଏବଂ ଗୁରୁଭକ୍ତିର ପ୍ରଭାବ ଅନନ୍ୟ ।

ଅଷ୍ଟମ ଶ୍ରେଣୀ ପରେ ଆମ ଅନ୍ୟ ସ୍କୁଲକୁ ଗଲୁ । ସେଠି ବହୁ ଜାଗାରୁ ପିଲା ଥିଲେ, ହେଲେ ମୋର ସ୍ୱତନ୍ତ୍ର ପରିଚୟ ରହିଲା ସ୍କଲାରସିପ ପାଇଥିବା ପିଲା । ଆଉ ଗୋଟେ କାରଣ ଥିଲା ଆମ ସ୍କୁଲ ରେ ଶିକ୍ଷ୍ୟା ପାଇଥିବା ଶିଷ୍ଟାଚାର ପାଇଁ ସେଠି ବି ଆମର ଆଦର ରହିଲା ।

ତାପରେ କେତେ ସବୁ ପରୀକ୍ଷା ଦେଇଛି କଉଠି କେବେ ହାରି ଯାଇନି । ସେଦିନ ସ୍କୁଲ ରୁ ଶିଖିଥିବା ମେରୁଦଣ୍ଡ ସିଧା କରି ବସିବା ଅଭ୍ୟାସ ଆଜିବି ରହିଛି । ସେ ଶିକ୍ଷ୍ୟା ମତେ କେଉଁଠି ନଇଁବାକୁ ଦେଇନି । ତେବେ ଏତେ ବଡ ଚାକିରୀ କଲାପରେ ମଧ୍ୟ ସେ ସ୍କୁଲ୍‌ ବାଟ ଦେଇ ଗଲେ ଏବେବି ଭୟ ଲାଗୁଛି ।

ଏତେ ସମୟଧରି ଧର୍ଯ୍ୟର ସହ ସବୁ ଶୁଣୁଥିବା, ଶିକ୍ଷା ସଚିବଙ୍କ ବନ୍ଧୁ ତାଙ୍କୁ ଟିକେ ଅଟକେଇ ପଚାରିଲେ;

— ଆଚ୍ଛା, ଆପଣ ସେ ବାଟରେ ନ ଯାଇ ଅନ୍ୟ ବାଟ ତ ଅଛି, ସେପଟେ କାହିଁକି ଯାଉ ନାହାନ୍ତି ।

— ସତ କହିବାକୁ ଯେତେ ଭୟ ଲାଗିଲେ ବି ମୁଁ ଗାଁକୁ ଗଲେ ସ୍କୁଲ ବାଟ ଦେଇ ଯାଏ କାରଣ ଆଜି ବି ସେଠି ଯାଇ ଆଉଥରେ ମାଡ ଖାଇବାକୁ ଇଚ୍ଛା ହୁଏ ।

ତମକୁ ସବୁକଥା କହିବା ପରେ ମନ ଟିକେ ହାଲୁକା ଲାଗୁଛି । ଏବେ କୁହ ଏ ପରିସ୍ଥିତିରେ ମୁଁ କଣ କରିବା ଠିକ ହେବ ?

— ଆପଣ କାଲିଗୋଟିଏ ଦିନ ଛୁଟି ନିଅନ୍ତୁ, ଟିକେ ପୁରୀ ଯାଇ ବୁଲି ଆସନ୍ତୁ, ଛୁଟି ଫାଇଲ୍‌ରେ ଟିକେ ଲେଖିଦେବେ ଆପଣଙ୍କ ଅନୁପସ୍ଥିତିରେ ଦିନକ ପାଇଁ ମୁଁ କାମଚଳା ସଚିବ ଦାଇତ୍ତ୍ୟ ତୁଲେଇବି ।
ଏଥିରେ ଶିକ୍ଷ୍ୟା ସଚିବ ରାଜି ହେଇଗଲେ, କହିଲେ;

— ଠିକ ଅଛି, ତମ କଥା ମାନି ମୁଁ କାଲି ଟିକେ ଜଗନ୍ନାଥ ଦର୍ଶନ ପାଇଁ ଯାଉଛି, ମୁଁ ବହୁଦିନ ହେଲା ପୁରୀ ଯାଇନାହିଁ ।

ଛୁଟି ପର ଦିନ ଆସିଲା ବେଳକୁ ସଚିବ ଦେଖିଲେ ଟେବୁଲ ରେ ସେ ଫାଇଲ ନାହିଁ ।

ବ୍ୟକ୍ତିଗତ ସହକାରୀଙ୍କୁ ପଚାରିଲେ;

— ଏଠି ଥିବା ଫାଇଲ କୁଆଡେ ଗଲା ?

— ସେ ଫାଇଲ କାଲି ଫେରି ଯାଇଛି, କଣ ଅର୍ଡ଼ର ହେଲା ମୁଁ ଜାଣିନାହିଁ ।

ସଚିବ ସଂଗେ ସଂଗେ ତାଙ୍କ ବନ୍ଧୁ ଙ୍କୁ ଡକେଇ ପଠେଇଲେ, ସେ ଆସିବା ପରେ ପଚାରିଲେ;

–ତମେ କଣ ଫାଇଲ ଫେରେଇଛ ? କଣ ନିର୍ଦ୍ଦେଶ ଦେଇ ଫେରେଇଲ ?

ବନ୍ଧୁ ହସି ହସି କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଠିକ କଥା ଲେଖି ଫେରେଇଛି । ମୁଁ ଲେଖି ଦେଇଛି, ଏ ମାମଲା ଅତ୍ୟନ୍ତ ଗମ୍ଭୀର, ତେଣୁ କେବଳ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ନିଷ୍ପତି ନିଆଯାଇ ପାରିବ ନାହିଁ, ଏକ ପାଞ୍ଚ ଜଣିଆ ଉଚ୍ଚସ୍ତରୀୟ କମିଟି ଏ ଘଟଣାର ଆଉଥରେ ତଦନ୍ତ କରିବ, ତାପରେ ଚୂଡାନ୍ତ ନିଷ୍ପତି ନିଆଯିବ ।

— ଏହା ଦ୍ୱାରା ସମସ୍ୟା ଘୁଞ୍ଚି ଗଲା କିନ୍ତୁ ଦୂର ହେଲା ନାହିଁ ।

— ଆପଣ ଧରି ନିଅନ୍ତୁ ସବୁ ଦିନ ପାଇଁ ସଙ୍କଟ ଟଳିଛି, ଏ ଦେଶରେ କୌଣସି ତଦନ୍ତ ସରେ ନାହିଁ । ତଦନ୍ତ କମିଟରେ ମୁଁ ନିଜେ ଅଛି, ତଦନ୍ତ ହେବ ନା ଫଦନ୍ତ ହେବ । ମୁଁ ଖବର ନେଇଛି ସେ ଶିକ୍ଷକ ଭଲ ପଢ଼ାନ୍ତି, ସେ ଜଣେ ଆଦର୍ଶ ଶିକ୍ଷକ ମୁଁ ତାଙ୍କୁ ଦଣ୍ଡ ଦେଇ କାହିଁକି ପାପଭରା ମୁଣ୍ଡେଇଥାନ୍ତି ? ମୁଁ ଆପଣାକୁ ଭରସା ଦେଉଛି, ସେ ଶିକ୍ଷକଙ୍କ ଚାକିରୀ ସାରିବା ପୂର୍ବରୁ ତଦନ୍ତ ରିପୋର୍ଟ ଆସିବ ନାହିଁ । ତା ଛଡା ଆଉକିଛି ବାଟ ନ ଥିଲା ।

— ତମେ ଆଜି ମତେ ଏକ ସଙ୍କଟମୟ ପରିସ୍ଥିତିରୁ ରକ୍ଷା କଲ ।

— ଆଚ୍ଛା, ମୋ ମନକୁ ଏକ ପ୍ରଶ୍ନ ଆସୁଛି, ଆପଣଙ୍କ ସହ ପଢ଼ୁଥିବା ଅନ୍ୟ ବନ୍ଧୁ ମାନେ ଏବେ କଣ କରୁଛନ୍ତି ?

— ମୋର ଚାରିବନ୍ଧୁ ଉଚ୍ଚଶିକ୍ଷ୍ୟା ଲାଭ କରି ଏବେ ବିଦେଶରେ, ମୋର ସବୁଠୁ ପ୍ରିୟ ପଞ୍ଚମ ବନ୍ଧୁ ଜଣକ ସମ୍ବଳ ଅଭାବରୁ ବେଶୀ ପଢି ପାରିଲେ ନାହିଁ । ସେ ଗାଁ ରେ ଶିକ୍ଷକତା କରୁଛନ୍ତି । ଜୀବନର ଆଉ ଏକ ସତକଥା ତମକୁ କହୁଛି । ପ୍ରକୃତରେ ମୋର ଅନ୍ୟ ବନ୍ଧୁମାନେ ବିଦେଶରେ ରହି ମୋଠୁ ଅଧିକ ପଇସା ଅର୍ଜନ କରିଛନ୍ତି, କିନ୍ତୁ ତାଙ୍କ ପ୍ରତି ମୋର ଅସହିଷ୍ଣୁ ଭାବ ନାହିଁ । କାରଣ ମୁଁ ସରକାରୀ ଚାକରି କରି ତାଙ୍କଠାରୁ ଅଧିକ ସମ୍ମାନ ପାଇଛି । ହୁଏତ ମୁଁ ଅବସର ପୂର୍ବରୁ ମୁଖ୍ୟ ଶାସନ ସଚିବ ହେଇପାରେ । ସେ ପଦ ନ ପାଇଲେ ମଧ୍ୟ ମୋର ଦୁଖଃ ନାହିଁ କାରଣ ଯାହା ପାଇଛି ଯଥେଷ୍ଟ ।

ତେବେ ମୋର ପ୍ରିୟ ପଞ୍ଚମ ବନ୍ଧୁଙ୍କ ପ୍ରତି ମନରେ ଅସହିଷ୍ଣୁ ଭାବ ରହିଛି, ଆଜିବି ଥରେ ଥରେ ଲାଗେ ମୁଁ ସଚିବ ନହେଇ ଗାଁ ସ୍କୁଲରେ ଶିକ୍ଷକତା କରିଥିଲେ ଭଲ ହେଇଥାନ୍ତା । ଆଜିବି ଗାଁ ସ୍କୁଲରେ ‘ଗୁରୁ’ ଟିଏ ନହେଇ ପାରିବାର ଦୁଃଖ ମନରୁ ଯାଇ ପାରିନାହିଁ । ତମେ ଯାହାର ଫାଇଲରେ ଦସ୍ତଖତ କଲ ସେ ହିଁ ମୋର ପଞ୍ଚମ ବନ୍ଧୁ ।

–ଯାହା ପ୍ରତି ଆମେ କୃତଜ୍ଞ ରହିବ କଥା ତାଙ୍କୁ ଦଣ୍ଡ ମିଳିଥିଲେ ମନରେ ଅବଶୋଷ ରହିଥାନ୍ତା, ଯାହାହେଉ ପ୍ରଭୁ ଶ୍ରୀଜଗନ୍ନାଥ ଉଚିତ ନିଷ୍ପତି ନେବାରେ ମାର୍ଗଦର୍ଶନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top