(ଏକ )
ବୈଶାଖ ମାସ ଖରା । ଆଜି ଭୁବନେଶ୍ୱର ତାପମାତ୍ରା ପଇଁଚାଳିଶ ଡିଗ୍ରୀ । କଲିଂ ବେଲ ବାଜିଲା । ଏତେ ଖରା ରେ କିଏ ଆସିଲା ବୋଲି ସିଦ୍ଧାର୍ଥ କବାଟ ଖୋଲିଲା । ସତୁରି ଅଶୀ ବୟସର ଜଣେ ବୃଦ୍ଧ ବ୍ୟକ୍ତି । ଝାଳ ନାଳ ହେଇ ଯାଇଛନ୍ତି, ଗୋରା ତକ ତକ ମୁହଁଟି ଖରା ରେ ନାଲି ପଡିଯାଇଛି । ସିଦ୍ଧାର୍ଥର କାଇଁ ମନେ ପଡ଼ିଲାଣି ତାଙ୍କୁ ଚିହ୍ନିଛି ବୋଲି । କାହାକୁ ଖୋଜୁଛନ୍ତି ଆଜ୍ଞା ? ପଚାରିଲା ସେ । ନାଇଁ ବାବା । ଏଇ ପାଖରେ ମୋର ବନ୍ଧୁଙ୍କ ଘର । ବନ୍ଧୁ ମୋର ଶଯ୍ୟାଶାୟୀ , ଆଉ ପାଖରେ କେହି ନାହାନ୍ତି । ପିଲା ମାନେ ସବୁ ବିଦେଶରେ । ନର୍ସ ଆଉ କାମବାଲୀ ଠିକ କରି ଦେଇଛନ୍ତି ଦାୟିତ୍ୱ ନେବାକୁ । ମୁଁ ବି ରାଉରକେଲାରେ ରୁହେ । ପୁଅ ପାଖକୁ ଆସିଥିଲି, ଭାବିଲି ବନ୍ଧୁକୁ ଟିକିଏ ଦେଖି ଆସିବି ବୋଲି । ପୁଅ ପାଖରେ ତ ସମୟ ନାହିଁ, ସେଥିପାଇଁ ଅଟୋ ନେଇ ଆସିଥିଲି । କିନ୍ତୁ ସେ ଅଟୋ ବାଲା ମତେ ଏଇଠି ଛାଡିଗଲା । ଠିକଣା ଟା ଦେଖ । ଏଇ ଆଖପାଖରେ କୋଉଠି ତାଙ୍କ ଘର ହେଇଥିବ ନିଶ୍ଚୟ । ମତେ ଟିକେ ଦୟା କରି ଛାଡ଼ିଦେବ । ସାହାଯ୍ୟ ପାଇଁ ତତ୍ପର ସିଦ୍ଧାର୍ଥ ଏ କଥା ଶୁଣି ସଙ୍ଗେ ସଙ୍ଗେ ଗାଡି ବାହାର କଲା । ବସନ୍ତୁ ମଉସା , ମୁଁ ଛାଡ଼ିଦେବି । ବନ୍ଧୁଙ୍କ ଘର ଖୋଜି ଗେଟ ପାଖରେ ଗାଡି ରଖିଲା ସିଦ୍ଧାର୍ଥ । ବୃଦ୍ଧ ବ୍ୟକ୍ତିଙ୍କ ମୁହଁରେ କୃତଜ୍ଞତା ଭାବ । ଖୁସି ରେ ଗଦଗଦ ହେଇ କହିଲେ, ଧନ୍ୟବାଦ ବାବା । ତମ ଭଳି ପିଲା ଆଜିକାଲି ଖୁବ କମ ଦେଖିବାକୁ ମିଳୁଛନ୍ତି । ତମ ମୋବାଇଲ ନମ୍ୱର ଟା ଦିଅ । ନାଇଁ ମଉସା , ଆମ ସମ୍ପର୍କଟା ଏତିକିରେ ଥାଉ, କହି ଗାଡି ଷ୍ଟାର୍ଟ କଲା ସିଦ୍ଧାର୍ଥ ।
(ଦୁଇ )
ଆଜି ରବିବାର । ମାଛ ଖାଇବାରେ ସିଦ୍ଧାର୍ଥର ଭାରି ସଉକ । ଚାରି ନମ୍ବର ହାଟ ରେ ତାର ଖାସ ମାଛ ବାଲା ବି ଅଛନ୍ତି ଯୋଉ ମାନେ ତା ଲାଗି ଭଲ ଚିଲିକା ମାଛ ବାଛି ଅଲଗା ରଖିଥାନ୍ତି । ହାଟର ମୁଖ୍ୟ ରାସ୍ତାରେ ଗହଳି ହେଇଥିବ ବୋଲି ଚାଉଳ ମାର୍କେଟ ଗଳି ରେ ଗାଡି ରଖିବାକୁ ପଶିଲା ସେ । ମାତ୍ର ଦୁଇ ତିନିଟା ଗାଡି ସେଠି ପାର୍କିଙ୍ଗ ହେଇଚି । ମନେ ମନେ ଖୁସୀ ହେଇଗଲା , ଆଜି ଭଲ ରେ ଗାଡି ଟା ରହିବ ବୋଲି । କିନ୍ତୁ ଗାଡି ବୁଲେଇଲା ବେଳକୁ ଦେଖିଲା ଜାଣି ଶୁଣି କେହି ଚାଉଳ ବେପାରୀ ତା ଟ୍ରଲି କୁ କହି ରାସ୍ତା କୁ ଆବୋରି ରଖିଛି, ଯେମିତିକି ସେଠି କେହି ଗାଡି ରଖିପାରିବେନି ଆଉ ତାରି ମାଲ ଥିବା ଗାଡି ସବୁ ଆସିଲେ ରହିବ । କଣ କରିବ ବୁଝି ପାରିଲାନି ସିଦ୍ଧାର୍ଥ । ଯଦି ଗାଡ଼ିରୁ ବାହାରି କିଛି କହୁଛି କି ଟ୍ରଲି ଠେଲି ଦେଉଛି, ଝଗଡା ହେବ ଟା ଥୟ । ହଠାତ ସେ ଦେଖିଲା ଛୋଟ ଛୋଟ ଚୁଟି ରଖିଥିବା ଜଣେ ଭଦ୍ର ମହିଳା କୋଉଠୁ ଆସିଲେ, ସିଧା ସେ ଟ୍ରଲି କୁ ରାସ୍ତା ରୁ ଠେଲି ତା ପାଇଁ ଜାଗା ତିଆରି କରିଦେଲେ ଗାଡି ରଖିବାକୁ । ଯେଉଁ ସ୍ଥାନ ରେ କିଛି ଭଦ୍ରଲୋକ ତା ଅସୁବିଧା କୁ ଭୃକ୍ଷେପ ନକରି ନିଜ ଭିତରେ ଗପିବାରେ ବ୍ୟସ୍ତ ଥିଲେ, ଜଣେ ମହିଳା ତାକୁ ସାହାଯ୍ୟ କରିଦେଲେ । ସେ ଭଦ୍ର ମହିଳାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଗାଡି ଡୋର ଖୋଲିବା ବେଳକୁ ସେ ଆଉ ସେଠି ନଥିଲେ, ଯୋଉ ଝଡ଼ ଭଳି ସେଠି ପହଁଚି ତା ଅସୁବିଧା ବୁଝି ପାରି ତାକୁ ସାହାଯ୍ୟ କଲେ , ସେଇ ଝଡ଼ ଭଳି ଚାଲିଯାଇଥିଲେ ।