ଶହେ ତିରିଶି ଟଙ୍କାର
ମାସିକ ସୁଧର ସୁଖ
ଅଣ୍ଟାରେ ଭିଡ଼ିଧରି
ସ୍ୱପ୍ନମାନଙ୍କ ପଛରେ
ଲହୁଲୁହାଣ ବଳକା ଜୀବନ ।
ପ୍ରୟାସ ଜାରିଅଛି
ଥୋଇ ଦେବା ଲାଗି
ଶୂନ୍ୟତା ଝୁଲିରେ
ଯୋଜନା ଭବିଷ୍ୟତର ।
ଅସହାୟ ବନିସାରିଥିବା
ପ୍ରତ୍ୟାଶା ସବୁ
ବାହାରି ଆସିବା ଆଗରୁ
ସମାଧି ନେଉଛି
ଅସହାୟ ଛାତି ତଳେ ।
ଅନାୟତ୍ତ ଘୋଡ଼ା ସାଜିଥିବା ମନ
ଏଲେଇ ଧରିଛି ନିଜକୁ
ସମୟ ପିଠିରେ
ଆଉ ବଡ଼ପଣର ନିଶା
ଜରାଗ୍ରସ୍ଥ ଦେହ ପରିଧିରେ
ହଜେଇ ସାରିଛି ଠିକଣା ।
