ଦିନ ଏଗାରଟା ପାଖାପାଖି । କୁନ୍ତଳା ମାଉସୀ ଦାଣ୍ଡଘରୁ “ରୁନୁ ରୁନୁ” ଡାକ ଛାଡୁଥିଲେ । ରୁନୁ ଦେବୀ ରୋଷେଇଘରୁ ପାଟିଟା ଶୁଣି ଦୌଡ଼ି ଆସିଲେ । ମାଉସୀଙ୍କୁ ଦେଖି ଜୁହାର ହେଲେ । ହାତ ଧରି ଘରକୁ ପାଛୋଟି ନେଲେ । ମାଉସୀ ଚେୟାର ରେ ବସି ପାଣି ଗିଲାସେ ପାଇଁ କହିଲେ । ରୁନୁ ପାଣି ଗିଲାସେ ବଢ଼ାଇ ଦେଉ ଦେଉ କହିଲେ “ଅନେକ ଦିନ ପରେ ଆସିଲେ ଯେ । ଦିହ ପା ଭଲ ଅଛି ଟି ? ସେଦିନ ପୁଅକୁ ପଠାଇଥିଲେ ଘରେ ନ ଥିଲେ କୁଆଡେ ଯାଇଥିଲେ ନା କ’ଣ ?
କୁନ୍ତଳା ଦେବୀ ପାଣି ପିଇ ସାରି କହିଲେ “ନାଇଁ ଲୋ ମା । ଦେହ ଭଲ ନ ଥିଲା । ମୋତେ ଜ୍ୱର । ତୋ ମଉସାଙ୍କୁ ଜ୍ୱର । ସେଦିନ ଡାକ୍ତରଖାନା ଯାଇଥିଲୁ । ”
ଏବେ ମଉସାଙ୍କ ଦେହ କେମିତି ଅଛି ?
ହଁ ହଁ ଭଲ ଅଛି । ଦିହେଁ ଯାକ ଭଲ ଅଛୁ । ଆଜି ପାଞ୍ଚଦିନ ପରେ ମୁଁ ଭାତ ମୁଠେ ଖାଇଲି । ତୋ ମଉସାଙ୍କୁ ଦେଲି ଯେ ତାଙ୍କର ଗୋଟିଏ ଜିଦ୍ । ନଡ଼ିଆ ଦେଇ ଶାଗ ମୁଠେ ହେଲେ ଭାତ ଗଣ୍ଡେ ଖାଇବେ । କିଛି ତ ଖାଉ ନାହାନ୍ତି । ଏମିତିରେ ପାରଲେସ ହବା ଦିନଠୁଁ ଘରେ ବସି ବସି ଚିଡଚିଡ଼ା ହେଇ ଗଲେଣି । ଖାଇବା ପୀଇବା ବି ଠିକ୍ରେ କରୁ ନାହାନ୍ତି । ତା ଉପରେ ଜ୍ୱର । ପାଟି ପୁରା ପିତା । ସବୁ ଖାଇବାକୁ ମନ ବଳାଉଛି । କହୁଛନ୍ତି ଏଇଟା ରାନ୍ଧି ଦେ , ସେଇଟା ରାନ୍ଧି ଦେ । କିନ୍ତୁ ଖାଇଲା ବେଳକୁ କିଛି ଖାଉନାହାନ୍ତି । ‘ଏଇ ସକାଳେ କହିଲେ ଉପମା ଟିକେ କରି ଦେ ‘ । କଲି, ଯେମିତି ରନ୍ଧା ହେଇଥିଲା ସେମିତି ଥୁଆ ହେଇଛି । ଏବେ ପୁଣି କଣ ନା ଶାଗ ହେଲେ ଭାତ ଖାଇବି । ଶାଗ କେଉଁଠୁ ଆଣିବି କହିଲୁ ? ବାଡ଼ିରେ ତ ଶାଗ ଫାଗ ଧନ୍ଦା ଆଉ କରିପାରୁନି । ଆଜି ହାଟ ବି ନାହିଁ ସେଇଥି ପାଇଁ ସେ ଗଉରା ଘରକୁ ଆସିଥିଲି । ତା ବାଡ଼ିରେ ସଜନା ଗଛଟେ ଅଛି । ଶାଗ ଯେ ମୂଳରୁ ଅଗ ଯାଏ ନଦୀ ହେଇଛି । ଗଉରା ତ ଘରେ ନାହିଁ । ବୋହୁ ଟା ଅଛି ଯେ ହେଲେ ମନା କରିଦେଲା ବା । କହିଲା “ନାଇଁ ନାଇଁ ଶାଗ ଭାଙ୍ଗି ହେବ ନାହିଁ । ଛୁଇଁ ଫୁଲ ଧରିଲାଣି । ଏବେ ଶାଗ ଭାଙ୍ଗିଲେ ଫୁଲଗୁଡ଼ା ଝଡିପଡିବନି । ଛୁଇଁ ଟିକେ ବଡ଼ ହେଇଯାଉ ନେଇଯିବେ ।”
ଛୁଇଁ ବଡ଼ ହେଲା ପରେ ମତେ କି ଆଉ ଶାଗ ମିଳିବନି । ବୁଢା ଲୋକଟା କହିଲା ବୋଲି ଏତେ ବାଟ ଆସିଲି । ନ ହେଲେ ମୁଁ କିଆଁ ତା ଦୁଆରେ ଯାଇଥାଆନ୍ତି । ଆଲୋ ଜାଣିଛୁ ରୁନୁ ମୁଁ ଫେରିଆସିଲା ବେଳକୁ ଘର ଭିତରକୁ ଯାଇ ଆହୁରି କହୁଛି “ଗଛଟେ ଲଗାଇଛି ଯେ ସମସ୍ତିଙ୍କର ନଜର ତାରି ଉପରେ । ଯେମିତି ଆଉ କାହା ବାଡ଼ିରେ ଶାଗ ନାହିଁ । ଝରକା ପଟୁ ମୁଁ ବା ଶୁଣିକି ଆସିଲି ।
ମାଉସୀଙ୍କ କଥା ଶୁଣି ରୁନୁ କହିଲେ “ଛାଡ଼ ମାଉସୀ, ପରହାତ କଥା । ନ ଦେଲା ନାଇଁ । କଣ କରିବା ? ମୋର ଛୋଟିଆ ଗଛଟେ ଅଛି । ଏବେ ନୂଆ କରି ପତ୍ର ଧରିଛି । ତମେ ଚାଲ ତାରି ଦେହରୁ ନେଇଯିବ ।”
ଗଛ ପାଖକୁ ଯାଇ ଦେଖନ୍ତି ତ ଅଗ ମୂଳ ହେଇ ମାତ୍ର ଆଠ ଦଶଟି ପାଖୁଡା । ମାଉସୀ କହିଲେ “ଆଲୋ ୟା ଦେହରୁ କଣ ନେବି ? ଏଇଟା ତ କଅଁଳୁଛି ।”
ରୁନୁ କିନ୍ତୁ ସେ ସବୁ ନ ଶୁଣି ଡେମ୍ଫ ଭାଙ୍ଗିବାକୁ ଲାଗିଲେ । ପାଞ୍ଚ ଛଅଟି ବଡ଼ ବଡ଼ ଡେମ୍ଫ ମାଉସୀଙ୍କ ହାତରେ ଧରାଇଦେଇ କହିଲେ ‘ ୟାକୁ ନେଇଯାଅ । ମଉସାଙ୍କୁ ରାନ୍ଧି ଖୁଆଇ ଦେବ । ପତ୍ର ପୁଣି କଅଁଳି ଯିବନି ।
ସେଦିନ ମାଉସୀ ଆତ୍ମସନ୍ତୋଷରେ ଘରକୁ ଫେରିଲେ ।
କିଛି ଦିନ ପରେ ରାତିରେ ପ୍ରବଳ ବର୍ଷା ହବା ସହ ପବନ ବହି ଚାଲିଲା । ସକାଳ ହେଲା ବେଳକୁ ଗଛ ପତ୍ରର ଧୂଳି ମଳି ଧୋଇ ଦେଇ ଚକ୍ଚକ୍ କରୁଥିଲା । ରୁନୁ ହୃଦୟଟା କେମିତି ଆଉଟି ପାଉଟି ହେଉଥିଲା । ସେତିକି ବେଳେ କାହାର ଗୋଟେ ଫୋନ୍ ଆସିଲା । ଫୋନ୍ଟା ରଖିଦେଇ ସାଙ୍ଗେ ସାଙ୍ଗେ ଗ୍ୟାସ୍ଟା ବନ୍ଦ କରିଦେଲେ । ରୋଷେଇ ବନ୍ଦ୍ କରି ପୁଅକୁ ଡାକ ଛାଡିଲେ । ଶୀଘ୍ର ଗାଡ଼ିଟା ବାହାରକର । କୁନ୍ତଳା ମାଉସୀ ଘରକୁ ଯିବା ।
ପୁଅକୁ ନେଇ ଦାଣ୍ଡରେ ପହଁଚିଲା ବେଳକୁ ଗଉରା ସ୍ତ୍ରୀ ଠିଆ ହୋଇ ଥାଏ । ହାତରେ ଥାଏ ସଜନା ଶାଗର ବିଡ଼ା ଯୋଡିଏ । ସେ ରୁନୁ କୁ କହିଲେ “ଭାଉଜ ଏଇ ନିଅ ଶାଗ, କାଲି ପବନରେ ଡାଳ ଗୁଡ଼ା ଭାଙ୍ଗି ଯାଇଛି । ଦିଟା ବିଡା ଆଣିଛି ଗୋଟେ ତମେ ରଖିଦିଅ , ଆଉ ଗୋଟେ ବିଡ଼ା ତମ ପୁଅ ହାତରେ ଟିକେ କୁନ୍ତଳା ଖୁଡି ଘରକୁ ପଠାଇ ଦିଅ । ଏଇ କିଛି ଦିନ ତଳେ ସେ ଶାଗ ପାଇଁ ଆସିଥିଲେ ତ ।”
ରୁନୁ ଶାଗ ବିଡ଼ା ଯୋଡିକୁ ଛଳ ଛଳ ନେତ୍ରେ ଅନାଇ କହିଲେ “ଆଉ କାହା ପାଇଁ ଶାଗ ଆଣିଛ ? ଯିଏ ଖାଇବା ପାଇଁ ଇଚ୍ଛା କରିଥିଲେ ସେ ତ ଆର ପାରିକି ଚାଲିଗଲେ । ଆଉ ପଠେଇ ଲାଭ କଣ ?ଯେତେବେଳେ ଶୋଷ ହୁଏ ସେତେବେଳେ ପାଣି ପିଆଯାଏ । ଶୋଷରେ ଛଟପଟ ହେଇ ମଲାପରେ ସମୁଦ୍ରଟେ ଅଜାଡି ଦେଲେ କ’ଣ ଶାନ୍ତି ମିଳେ ? ମୁଁ ନିଆଁ ଚୁଲି ବନ୍ଦ କରି ସାରିଲିଣି । ଯାଉଛି ତାଙ୍କ ଘରକୁ । ତମ ଶାଗ ତମେ ନେଇଯାଅ ।
ରୁନୁ ଗାଡ଼ିରେ ବସି ଚାଲିଯାଇଥିଲେ । ଗଉରା ବୋହୂଟା କିନ୍ତୁ ସେମିତି ଶାଗ ବିଡ଼ା ଧରି ସେମାନଙ୍କର ଗଲାବାଟକୁ ଚାହିଁ ରହିଥିଲା ।