କବିତା

ବେଳାଭୂମିର ସମର୍ପଣ – ଗୋଟେ ମିଳନର କବିତା

Anukampa Naik's odia poem Belaabhoomira Samarpana - Gote Milanara Kabitaa

ଆଜି
ମୁଁ ଏକାନ୍ତ ତମର
ଆଉ ସେ କାହା ପାଦ ଚିହ୍ନର ଧସାରେ ଜାଳୁନି
କି ଉଡିଆସୁଥିବା ହଳଦୀ ବସନ୍ତର ଛବିକୁ
ଚାଟିତଳେ ଚାପି ରଖି ସ୍ୱପ୍ନରେ ମଶ୍‌ଗୁଲ୍‌ ରହୁନି ।

ବେଳାଭୂମିର ସମର୍ପଣ - ଗୋଟେ ମିଳନର କବିତା

ନିଃଶବ୍ଦ ଭିତରେ ତମେ ଯେ ଏକ ଶବ୍ଦ
ଅସଂକ୍ଷ ନିରବତାକୁ ଡେଇଁ
ବାରମ୍ବାର ଗଭୀର ଆଲିଙ୍ଗନ ଦେଇ
ଚାଲିଯାଅ ଦୂରକୁ ଅନେକ ଦୂରକୁ ।
ତମେ ଦେଖିଥିବ ନିଶ୍ଚୟ
ମୋ ଭିତରେ କେତେ ଚିହ୍ନା ଅଚିହ୍ନାର ପାଦ ଚିହ୍ନ
ପ୍ରେମର ନୁହେଁ କି ଘୃଣାର ନୁହେଁ
ତଥାପି ମୁଁ ଖୋଜି ଚାଲେ ସେମାନଙ୍କୁ ସ୍ୱପ୍ନରେ
ସେମାନେ ସେଠି ବି ନିଖୋଜ ହେଇ ଯାଆନ୍ତି ।

ମୁଁ କଷ୍ଟ ପାଏ ଦିନ ତମାମ
କିନ୍ତୁ ତମେ ପୁଣି ଭୀଷଣ ଗର୍ଜନ ନେଇ ଛୁଇଁ ଯାଅ
ମୁଁ ଓଦା ହେଇ ଯାଏ ସିନା ସ୍ୱପ୍ନକୁ ଭୁଲି ପାରେନା ।
ଏ କଣ ଥିଲା ପ୍ରକୃତିର ନିୟମ ??
ଈଶ୍ବରଙ୍କ ଇସାରାରେ ତମେ ପୋଛି ନିଅ
ମୋ ଦେହରୁ ସମସ୍ତ ଚିହ୍ନ କ୍ଷତ ।

ଆଜି
ମୁଁ ଏକାନ୍ତ ତମର
ଆଉ ସେ କାହା ପାଦ ଚିହ୍ନର ଧସାରେ ଜାଳୁନି
କି ଉଡିଆସୁଥିବା ହଳଦୀ ବସନ୍ତର ଛବିକୁ
ଚାଟିତଳେ ଚାପି ରଖି ସ୍ୱପ୍ନରେ ମଶ୍‌ଗୁଲ୍‌ ରହୁନି ।

ଭଲପାଏ ମୁଁ ତମକୁ ନିଶବ୍ଦ ଏ ଅମାରାତି
କେତେ ଅତୀତ କେତେ ଅନ୍ଧକାରକୁ ଏକାଠି କରି
ମୋ ତନ୍ତ୍ରୀରେ ବିଚ୍ଛେଦର ରାଗିଣିକୁ ଯୋଡ଼ିଲେ ବି
ମୁଁ ତମକୁ ଶୁଣି ପାରୁଛି
ତମେ ଆସିବ
ଗଭୀର ଆଲିଙ୍ଗନ ନେଇ ।

ଲୋକପ୍ରିୟ ଲେଖା

To Top