ଆକାଶ ତା’ର କୁନି କୁନି ନାରଙ୍ଗୀ ଓ ହଳଦିଆ ରଙ୍ଗର ଆଖି ପତା କେତେଟା ମେଲି ଦେଇ ଅପେକ୍ଷାରତ ଥାଏ ନିଜର ଦିବ୍ୟ ସୁନେଲି କିରଣ ଢାଳୁଥିବା ଡୋଳାରେ ଚାହିଁ ଆମ୍ବ ବଗିଚା ସେପାଖରେ ଥିବା ଚାରି ବଖରିଆ ଚାଳ ଘରଟିକୁ । ଖରା ଦାଉ ସହି ସହି ସତେ କି ଚାହିଁ ରହିଛନ୍ତି ସେମାନେ ଆକାଶ ଦେହରୁ ଟୋପାଏ ପ୍ରେମ ଝରି ଆସିବ ଆଉ ପାଇବେ ତାଙ୍କର ପ୍ରତି ମୁହୁର୍ତ୍ତରେ ଜଳି ଉଠୁଥିବା ଜୀବନରୁ ତ୍ରାହି । ଆଜି ଆକାଶର ବଡ ପ୍ରିୟ ଦିନ । କାର୍ଯ୍ୟ ବ୍ୟସ୍ତତା ଆଉ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଆ ଜାତି ଆଜି ପାଇବ ବର୍ଷା ସହ ଖୁସିର ଶୀତଳ ପରଶ । ଆକାଶ ଆଉ ଟିକେ ପାଖେଇ ଯାଇ ଆଉଜି ପଡିବ ଧରଣୀ ମାଆର ଦୁଃଖ ଦୂର କରିବାକୁ । ଛୋଟରୁ ବଡ ଦେବୀ ମାଆମାନଙ୍କର ରୂପ ଚହଟିବ । ତୃପ୍ତ ହେବ ଆକାଶ । ଶେଷ ହେବ ବର୍ଷକର ତାର ଅପେକ୍ଷା ।
” ଆରେ ଏ ମୀରା । ହେ ପ୍ରଭୁ । ପହିଲି ରଜଟାରେ କାଇଁ ସେ ଗୁଗୁଚିଆ ବଣରେ ପଶିଛୁ ଲୋ ମାଆ ? ନୂଆ ଜାମା ତୋ ବାପା ଏଡ଼େ ସରାଗରେ ଆଣିଛି ଏଇନେ ମଇଳା ହେଇଯିବ। ଆସିଲୁ ଏଠିକି ଆଃ । ମୋ ଗେହ୍ଲି ମାଆଟାର କୁନି କୁନି ପାଦରେ ମୁଁ ରଙ୍ଗ ଭରି ଦେବି । ହାତରେ ତୋର ପ୍ରିୟ ପଦମ ଫୁଲିଆ ମେହେନ୍ଦି ଲଗେଇଦେବି । ତୋ ବାପା ସେପଟେ ଦୋଳି ବାନ୍ଧିକି ଯାଇଛି ତୁ ସଜବାଜ ହେଲେ ଝୁଲିବୁ ବୋଲି । ହେଲେ ତୁ ଯାଇ ସେ ଅନାବନା ବଣରେ । ଏ ଝିଅ କଣ କାହା କଥା ଶୁଣିବ ? ଦିନ ରାତି ଖାଲି ଏ ବାରି ସେ ବାରି। ଓହୋ ବୁଢ଼ୀ ଅଣ୍ଟା ମୋର କେତେ ଭିଡି ମୋଡ଼ି ହେଇ ଦୌଡିବ ଯେ । କେବେ ଭାଙ୍ଗିଗଲେ ଗଲା ଯା ଖୋଜୁଥିବୁ ଏ ବୁଢ଼ୀକୁ । ” ପିଣ୍ଢା ଉପରେ ବାକ୍ସରୁ ପାନ ଖଣ୍ଡେ କାଢୁ କାଢୁ ଗୋଟିଏ ପାନ ଟପ୍ କରି ପାଟିରେ ପକେଇ ଦେଇ କହି ଉଠିଲା ମୀରାର ଜେଜେମା। ହାତରେ ତାର ଗାରାମାରା ହୋଇଥାଏ ମେହେନ୍ଦି ଯାହା ସୂଚାଇ ଦେଉ ଥାଏ ତା’ର ନାତୁଣୀ ପ୍ରେମ । ସେଇ ତ ବୁଢ଼ୀର ଜୀବନ। ନାତୁଣୀ ଆଉ ପୁଅ କେଶବ ଛଡ଼ା ଏ ଦୁନିଆରେ ତା’ର ଜୀବନ କହିଲେ ବୋଧେ ପ୍ରାଣବାୟୁ ଛଡ଼ା ଆଉ କିଛି ନୁହେଁ । ବୋହୂଟା ପିଲା ଜନ୍ମ କରି ଦୁରାରୋଗ୍ୟରେ ଆର ପାରିକୁ ଚାଲିଗଲା । ଯାଉ ଯାଉ ୩ ବର୍ଷର ଝିଅ ମୀରାକୁ ଚମ ଧୁଡ଼ୁଧୁଡୁ ବୟସ ରୂପରେଖାରେ ଅବତୀର୍ଣ୍ଣ ହୋଇ ସାରିଥିବା ଶାଶୁ ଲୋଚନା ହାତରେ ଟେକି ଦେଇଗଲା । ସେଇ ତା’ର ସଂସାର। ” ଆଲୋ ଜେଜେମା ତୋରି କାମରେ ଆସିଛି ପରା । ଫୁଲ କାଳେ ଥିବ କୋଉଠି ଡାଳ ଘୋଷାଡ଼ି ଦେଖୁଥିଲି । ରାତି ନ ପାହୁଣୁ ସବୁ ଖାଲି । ହେଲେ ତୁ କଣ ମୋ କଥା ମାନିବୁ । କାଇଁ ଏମିତି ସବୁବେଳେ ହଉଛୁ କହିଲୁ । ହଉ ନେ ଯାଉଛି ତୋ ପାଖକୁ ଆଉ ପଶିବିନି ବଣରେ । ” ଏତିକି କହି ମାଟି କୁଦ ଉପରେ ଡେଇଁ ଡେଇଁ ଜେଜେମା ଆଗରେ ଆସି ହାମୁଡେଇ ହୋଇ ପଡ଼ିଲା ମୀରା । ଗଲା ନୂଆ ଜାମାରେ ଧୂଳି ଲାଗିଗଲା । ଜେଜେମାର ହାତ ଝଡ଼ାରେ ଧୂଳି ବାହାରି ଆସିବା ଆଗରୁ ବାହାରି ଆସିଲା ମୀରା ଆଖିରୁ ଧାର ଧାର ହୋଇ ଲୁହ । କୋଳକୁ ଟେକି ନେଲା ତାକୁ ଦୁଇ ଦୁର୍ବଳ ହାତ । ବେଳେ ବେଳେ ଶରୀର ଠାରୁ ଅଧିକ ଦମ୍ଭ ହୃଦୟରେ ଥିବା ଭଲ ପାଇବା ଦେଇଥାଏ । ବୁଢ଼ୀ ପାଇଁ କୁନି ମୀରାର ଭଲ ପାଇବା ହିଁ ଦମ୍ଭ । ଆଉଁସି ଦେଉ ଦେଉ ନିଜର ସୂକ୍ଷ୍ମ ଶରୀରକୁ ଜେଜେମା କାନ୍ଧରେ ଢାଳି ଦେଲା ମୀରା । ଆଖିର ପରଦା ବୁଜି ହେଲା।
ଝଟ୍ କରି କେହି ଜଣେ ପରଦାକୁ ଘୋଷାଡ଼ି ପକାଇଲା ବୋଧେ । ଉଭେଇ ଗଲା ସେ ମୁହୂର୍ତ୍ତ । ସବୁଜ ରଙ୍ଗର କାରୁକାର୍ଯ୍ୟ ଯୁକ୍ତ ଶାଢ଼ୀ ଉପରେ ଦୃଷ୍ଟି ପଡେ । କାଇଁ ସେ କୁନି ଶରୀର ଯିଏ ସ୍ନେହର ବର୍ଷାରେ ଭିଜି ଯାଇ ନିଜକୁ ଜେଜେମା ଦେହରେ ଆଉଜେଇ ନେଇଥିଲା । ସେଇ ସ୍ନେହର କେଇ ବୁନ୍ଦା ପାଇ ବୁଢ଼ା ଗଛଟା ଆଉ କିଛି କାଳ ବଞ୍ଚିବାର ଶକ୍ତି ପାଏ । ହେଲେ ସେ ଗଛ ଆଜି ମଲା ମଲା ପ୍ରାୟ । ବାରମ୍ବାର ଅଣ୍ଡାଳି ଦେଖେ । ଥୁଣ୍ଟା ଗଛରେ ଫୁଲ ଗୋଟେଇବାକୁ ଚେଷ୍ଟା କରିଲେ କଣ ମିଳିବ, ଯାହା ଶୁଖିଲା ଡାଳରେ ଭାଗ୍ୟ। ବର୍ଷ ବର୍ଷ ଧରି ଜୀବନର ଦୁଃଖ ସୁଖ ଦେଖି ଦେଖି ଥକି ପଡ଼ିଛି ଲୋଚନାର ବୟସ୍କ ଆଖି ଦୁଇଟା। ଥରେ ଥରେ ଝାଉଁଳି ପଡୁଛି । ଆଖି ଆଗରେ ଖେଳି ଯାଉଛି ତାର ଭ୍ରମ । ପଡ଼ିଶା ଘର କୁନି ପିଲାମାନଙ୍କର କୋଳାହଳ ଶୁଣି ତାକୁ ଯେମିତି ଲାଗୁଛି ତାର ସେ କୁନି ନାତୁଣୀ ଜେଜେମା ଡାକି ଡାକି ପୁଣି ଦୋଉଡି ଆସୁଛି ତା ପାଖକୁ । ସେ ଅଳତା କୁଙ୍କୁମ ଡବା ଖୋଜୁ ଖୋଜୁ ଉଭେଇ ଯାଉଛି ସେ ଡ଼ାକ । ସାମ୍ନାରେ ଥିବା ବଡ ଆମ୍ବ ଗଛରେ ଶକ୍ତ ଦଉଡ଼ି ଗୁଡ଼େଇ ହୋଇ ଅପେକ୍ଷା କରିଛି ମୀରା ସାଙ୍ଗରେ ଝୁଲିବାକୁ । ହେଲେ ପବନରେ ଭରା ଦେଇ ଝୁଲିବା ବୋଧେ ତାର ଭାଗ୍ୟ । ଦେଖୁ ଦେଖୁ ୧୦ ବର୍ଷ ବିତିଗଲାଣି । କୁନି ଚଢ଼େଇକୁ ଯେତେ ଯତ୍ନରେ ଖୁଆଇ ପିଆଇ ପାଳିଲେ ବି ଉଡା ଶିଖିଲେ ଅବା ସେ ପର ନ ଝାଡ଼ି ରହିପାରିବ । ମୀରା କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି । ପାଠ ପଢ଼ାରେ ତାର ଭାରି ସଉକ । ସେଇଥିପାଇଁ ତ ସ୍କୁଲର ସରକାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ପାଠ ପଢ଼ା ରହିବା ଖାଇବା ସବୁ ମାଗଣା । ସରକାରଙ୍କ ମୁଣ୍ଡରେ ସବୁ । ପିଲା ପଢ଼ିଲେ , ବଢ଼ିଲେ ଗଲା । ହେଲେ ସର୍ତ ତ ସେଇ ଗୋଟିଏ ବଡ ଆକାଶରେ ଉଡ଼ିବାକୁ ତାର ପୁରୁଣା ବସାକୁ ଛାଡ଼ିବାକୁ ହେବ । ହେଲେ କେବେ କେବେ ସେ ବାଟ ଭୁଲେ । ବରଷକୁ ଥରେ ଫେରି ଆସେ ଦେଖି ଯିବାକୁ ତାର ପୁରୁଣା ବସାଟି ବିଭିନ୍ନ ଋତୁର ମାଡ ସହି ସହି କେମିତି ଅଛି ।
ବୁଜି ହେଇ ପଡୁଥିବା ଦଦରା ଝରକାକୁ କେହି ଜଣେ ଠେଲି ପକାଇଲା ସବୁ ଶକ୍ତି ଲଗାଇ । ଖୋଲି ଗଲା ଲୋଚନାର ଆଖି ଗୋଟିଏ ସ୍ୱରରେ,” ମାଆ ତୁ ଏଇ ପିଣ୍ଢାଟାରେ ବସି କାହିଁକି ଘୁମାଉଛୁ ଆଁ ? “। ବେଳେ ବେଳେ ଗୋଟିଏ ପ୍ରଶ୍ନ ବି ହୋଇଯାଏ ମନ ଭିତରର ହଜାରେ ପ୍ରଶ୍ନର ଉତ୍ତର । ବୁଢ଼ୀ କାନ ଅମୃତ ପାଇଲା । ” ଇଲୋ ମୋ ଧନ ” ଖୁସିରେ କହି ଉଠିଲା ଲୋଚନା । ପଛ ପଟୁ ଛୁଟି ଆସିଲା ନରମ ନରମ ଦୁଇ ହାତ ଆଉ କୁଣ୍ଢେଇ ଧରିଲା ବୁଢ଼ୀ ମାଆର ହାଲିଆ ପିଠିକୁ । ଦୋଳିର ଆବଶ୍ୟକତା କଣ ଲୋଡା ? ବୁଢ଼ା ବୟସରେ ନାତି ନାତୁଣୀଙ୍କ କୋଳ ହିଁ ସ୍ୱର୍ଗର ଝୁଲଣା । ପଛ ପଟୁ ହାତ ବଢ଼ାଇ ଧରି ଆଗକୁ ଟାଣି ନେଲା ନିଜ ହୃଦୟ ଖଣ୍ଡକୁ ଲୋଚନା । ଆଖିରେ ସୁଅ ଛୁଟିଲା ବଳକା ପଡ଼ିଥିବା ବିରହର । ” ହେଇ ମାଆ ତୁ ପୁଣି କାନ୍ଦିଲୁ ? ତୁ ଯଦି ପୁଣି କାନ୍ଦିଲୁ ତୋ ରାଣ ମୁଁ ସତ କହୁଛି ଆର ବରଷକୁ ଆଉ ତୋ ଘର ମାଟି ଛୁଇଁବିନି । ସେମିତି ଏଇ ଖୁଣ୍ଟରେ ମୁଣ୍ଡ ଥୋଇ ମୋତେ ଝୁରୁ ଥିବୁ । ” ଅଣ୍ଟାରେ ହାତ ଦେଇ କହିବାକୁ ଲାଗିଲା ମୀରା । ହେଲେ ବୁଢ଼ୀକୁ ତ ତାର କଡ଼ା କଥା ପଦେ ବି ନିର୍ମାଲ୍ୟ ବାସେ । ନାତୁଣୀକୁ କୋଳେଇ ନେଲା ଲୋଚନା । ” ତୁ ସେ ସବୁ ଛାଡ଼ିଲୁ । ମୋ ମାଆଟା ଏତେ ଦିନ ପରେ ଆସିଛି । ତୁ କଣ ଖାଇବୁ କହିଲୁ । ଚାଲ୍ ଗୋଡ଼ ହାତ ଧୋଇଦେ । ଜାଣିଛୁ ମୁଁ ତୋ ପାଇଁ କେତେ କଣ କରିଛି ? ଆଳୁ ମଟର ପୁଣି ନଡ଼ିଆ ଛେନା ଦିଆ ମଣ୍ଡା ପିଠା , ତୋ ପ୍ରିୟ ଆରିସା ପିଠା, କ୍ଷୀର ପୋଡ ପିଠା । ତୁ ଏ ସବୁ ଭାରି ଭୁଲ ପାଉ ନା ମୋ ଧନ । ଆର ବର୍ଷ ବି ତୋ ବାଟ ଚାହିଁ ଥିଲି ତୋ ପାଇଁ କରିକି ହେଲେ ତୁ ଆସିଲୁନି । ଏ ବର୍ଷ ତୋତେ ମନ ଭରି ଖୁଆଇବି । ସେ କଣ ଦୁଇଟା ମୋ ଛୁଆକୁ ଖାଇବାକୁ ଦଉଥିବେ କି ନାହିଁ । କାଇଁ ଦି ଖଣ୍ଡ ହାଡ । ” ଆଖିକୁ କାନିରେ ପୋଛି ପକେଇ ଘରକୁ ଯାଉ ଯାଉ କହିଲା ବୁଢ଼ୀ ମାଆ । ବୁଢ଼ୀ ମାଆ ହାତକୁ ଭିଡି ଧରିଲା ବ୍ୟଗ୍ର ହାତ ଦୁଇଟି । ” ମାଆ ତୁ କଣ ଆସୁ ଆସୁ ଏଇଟା ଖା ସେଇଟା ଖା । ମୁଁ କଣ କୁଆଡେ ପଳାଉଛି ଭଲା ? ମୁଁ ଏଥର ବହୁତ୍ ଦିନର ଛୁଟି ଆଣିକି ଆସିଛି । ଆମେ ଦୁହେଁ ମିଶି ବହୁତ୍ ମଜା କରିବା ହେଲା । ଆଚ୍ଛା ମାଆ ଶୁଣେ । ଲୀନା ଆସିକି ମୋତେ ଡାକି ଗଲାଣି ତାଙ୍କ ଘରେ ରଜର ବ୍ୟସ୍ତତା ହୋଇଛି । ବଡ ପାର୍ଟି ହଉଛି । ତୁ ରହିଥା ମୁଁ ଫେରି ଆସେ ତୋ ସହ କେତେ କଣ କଥା ହେବାର ଅଛି । ମୁଁ ଆସୁଛି ହେଲା । ଦେଖେ ବ୍ୟାଗ୍ ଏଇଠି ରହିଲା । ” ତରବର ହୋଇ କହି ପକାଇଲା ମୀରା । ବୁଢ଼ୀ ଓଠ ଶୂନ୍ୟ । ଥର ଥର ଓଠ ହୁଏତ କିଛି ଉତ୍ତର ଦେବାକୁ ଚାହିଁ ଥିଲା । ମରୁଭୂମି ସିନା ବର୍ଷାର ଅପେକ୍ଷା କରେ । ହେଲେ ବର୍ଷା କଣ ମରୁଭୂମି ଖୋଜେ । ସେ କେବେ ଏଠି ଢାଳି ହେବ ତ ପୁଣି କେବେ ସେଠି । ଭାସିଲା ମେଘକୁ ଧରିବ କିଏ ? ତଥାପି ମେଘ ଦେଖିଲେ ଥରେ ତାକୁ ପାପୁଲିରେ ଧରି ଆଣିବାକୁ ସଭିଙ୍କର ଇଚ୍ଛା ହୁଏ । ସେ ଇଚ୍ଛା ଲୋଚନାର ମଧ୍ୟ ହୋଇଛି । ଜାବୁଡ଼ି ଧରିଛି ସେ ଢଳ ଢଳ ଆଖିରେ ଚାହିଁ ନାତୁଣୀ ହାତକୁ । ହେଲେ ତାର ହାତ ଯେ ବାଲି । ଯେତେ ଚେଷ୍ଟା କରିଲେ ବି ମୁଠେଇ ଧରିବା କଷ୍ଟ । ଖସିଗଲା ତାର ହାତକୁ ଆଖି ପିଛୁଳାକେ। ଏବେ ପୁଣି ଭ୍ରମ। ଗୋଟିଏ ମୁହୂର୍ତ୍ତର ଖୁସିରେ କଣ ମଣିଷର ମନ ସନ୍ତୁଷ୍ଟ ହୁଏ। ପହିଲି ରଜର ମଜା ଜମିଲା। ଦୋଳି ଖେଳରେ ନୁହେଁ ଆଧୁନିକତାର ଛଳନା ଖେଳରେ। କୁଙ୍କୁମ ଲଗାଇବାକୁ ଲୋକେ ଓଲ୍ଡ ଫ୍ୟାସନର ଆଖ୍ୟା ଦେଲେଣି। ହାତରେ ଥିବା ଯନ୍ତ୍ରଟା ବଜେଇ ଦେଇ ଆଧୁନିକ ଗୀତରେ ଦୁଇ ଘେରା ନାଚି ଦେଲେ ଢେର୍ । ଓଡ଼ିଆ ଖାଇବାର ସଉତୁଣୀ କମ୍ ନୁହଁନ୍ତି । ଘରେ ତାଙ୍କରି ରାଜୁତି ଚାଲିଥାଏ । ମଉଜରେ ପଡ଼ିଲା ବିଘ୍ନ । ସଙ୍ଗୀତ ପରିବେଷଣ କରୁଥିବା ଯନ୍ତ୍ରଟିର ପାଟି ବନ୍ଦ୍ କରି ପକେଇଲା ଗୋଟିଏ କଲ୍ । ଯନ୍ତ୍ର ମୁଁହ ଉପରେ ଲେଖା ଆସୁଥାଏ ” ବାପା” । ମୀରା ଚିଡି ଚିଡି ହୋଇ ଯାଇ କଲ୍ ଉଠାଇଲା। କିଛି କ୍ଷଣ ମଧ୍ୟରେ ତାର ଚିଡି ଚିଡି ମୁଁହ ପରିବର୍ତ୍ତିତ ହୋଇଗଲା ଅହେତୁକ ପୀଡ଼ାରେ। ଯାହା ଫଳିଯାଏ ମନ ସାରା। ଫୋନ୍ କାଟିବାର ହୋସ ନାହିଁ। ଶରୀରରୁ ଆତ୍ମା ବାହାରି ଯାଇ ଦୋଉଡି ଗଲାଣି ଆଗତୁରା। କାହା ସହ ଆଳାପ କରିବାକୁ ଅବେଳ। ପାଦ ମାନୁନି କଣ୍ଟା ଝଟା । ଦଉଡ଼ି ଚାଲିଛି ଯେ ଦଉଡ଼ି ଚାଲିଛି । ବଣ ପାରି ହେଲା । ଆଗରେ ଶେଷ । ଯାହା ପାଇଁ ପାଦ ଦୁଇ ଧାଇଁ ଆସିଥିଲା ସବୁ ଭାବ ପିରତିର ସଂପର୍କ ଛିଣ୍ଡାଇ ସେ ପାଦ ଆଉ ବଢ଼ୁନି ଆଗକୁ । ଭୟର କେତେଟା ଦୃଢ଼ ଚେର ମାଡ଼ି ବସୁଛି ତାକୁ । ପଛରେ ପାରି କରି ଆସିଥିବା ଶୂନ୍ୟତା ଠାରୁ ସମ୍ମୁଖରେ ଥିବା କୋଳାହଳ ଅଧିକ ଭୟଙ୍କର । ତଥାପି ପାଦ ଉଠିଲା । ଭୟ କରିଲେ କଣ ସତ ଆକାଶରେ କିଏ ପରଦା ଟାଣି ପକାଇବ । ଏତେ ବଡ କପଡ଼ା ହୁଏତ କିଏ ବୁଣି ନ ପାରେ । ପାରିଥିଲେ ନିହାତି ଟାଙ୍ଗୀ ପକାଇଥାନ୍ତା ମୀରା ।
ଆଗରେ ବର୍ତ୍ତମାନ ତାର ବୁଢ଼ୀ ମାଆର କକ୍ଷ । ହେଲେ କାଇଁ ? ତାର ସ୍ଵର ତ ଶୁଭୁ ନାହିଁ । ଯେଉଁ ପାଟି ଦିନେ ସେ ଦୁଇ ପାଦ ଶବ୍ଦରେ କହି କହି ଥକି ଯାଉ ନ ଥିଲା ସେ ଆଜି ନୀରବ । ମୀରାର କାନ ଖୋଜୁଛି ସେଇ ମିଠା ଜଳ ଯୋଉ ନଦୀକୁ ସେ ନିଜେ ଶୁଖେଇ ଦେଇ ଯାଇଥିଲା । ଆଜି ସେ ନଦୀ ମୃତ । ମିଠା ଢାଳି ଢାଳି ନିଜ ଆତ୍ମା ମଧ୍ୟ ଢାଳି ଦେଇଛି ସେ । ଅନୁତାପର ବର୍ଷା କରିଲେ ମଧ୍ୟ ସେ ମୃତ ନଈରେ ଘାସ କେତେଟା ଉଠି ପାରେ ହେଲେ ତାର ଜୀବନ କଣ ଆଉ ଫେରିବ ? ଯାହାକୁ ସେଇଆ । ଶୁଭିଲା ” ରାମ ନାମ” ଶବ୍ଦ। ଆଖିରୁ ପହିଲି ରଜର ବର୍ଷା ପଡ଼ିଲା । ଭିଜି ଗଲା ତାର ଘର ବାରଣ୍ଡାର ମାଟି । ବୁଢ଼ୀ ମାଆର ଶେଷ ବିଶ୍ରାମ ସାଥୀ ସେଇ ଖୁଣ୍ଟଟାକୁ ଆଉଜି ସେମିତି ଚାହିଁ ରହିଥାଏ ମୀରା । ତାର ରଜର ଖୁସି ଚାଲି ଯାଉଛି ତା ଠାରୁ ଦୂରକୁ । ଆହୁରି ଦୂରକୁ । ବର୍ତ୍ତମାନ୍ ଅଦୃଶ୍ୟ । କିଛି ମୁହୂର୍ତ୍ତର ସେ ସାଙ୍ଗ ସାଥୀ ମେଳ ନ ଥିଲା ତାର ଖୁସି ଥିଲା ବରଂ ଭ୍ରମ । ସେ କଚାଡ଼ି ହୋଇ ପଡିଛି ବାସ୍ତବତାର ମାଟିରେ । ଆଣ୍ଠୁ ଗଣ୍ଠି ଛିଣ୍ଡିଛି । ହେଲେ ଆଗ ଭଳି କୋଳେଇ ନେଇ ଧୂଳି ଝାଡ଼ି ଦେବାକୁ ତାର ଜେଜେମା ନାହିଁ । ଆଗରେ ପବନର ଛୁଆଁ ବାଜି ହାଲୁକା ଝୁଲୁଛି ଦୋଳିଟି । ଲାଗିଛି କେତେ ରକମର ଫୁଲ । ହେଲେ ସବୁ ମାଉଳି ଗଲାଣି ମୀରା ଜୀବନ ପରି । ଜୀବନ ସରିନି । ରଜ ମଧ୍ୟ ସରିନି । ହେଲେ ସରିଯାଇଛି ସେ କାରଣ ଯାହା ଥିଲା ପ୍ରକୃତ ପର୍ବ ପର୍ବାଣୀର କାରଣ । ତାର ଜେଜେମା । ଦୁନିଆର ଆଧୁନିକ ଭିଡ଼ ମଧ୍ୟରେ ଦୋଉଡିବାରେ ଓ ସଂସ୍କୃତିକୁ ବଞ୍ଚିଛି ବୋଲି ଅଭିନୟ କରିବା ମଧ୍ୟରେ ମଣିଷ ଭୁଲି ଯାଏ ପରଷ୍ପର ମଧ୍ୟରେ ପ୍ରେମ , ଭାତୃତ୍ଵ, ମମତାର ଭାବ ଗଢିବାକୁ । ଆପଣା ଲୋକମାନଙ୍କୁ ଆପଣାର କରିବା ପାଇଁ ଗଢ଼ା ଏ ସଂସ୍କୃତି । ଯାହା ଆଜି ରହିଯାଇଛି ଗୋଟିଏ ଯନ୍ତ୍ର ବାକ୍ସ ମଧ୍ୟରେ ବନ୍ଦ ହୋଇ। ଯାହାର ଭାବ ସହ , ସଂପର୍କ ସହ ଅଛି ଲକ୍ଷ ଲକ୍ଷ ଆକାଶଗଙ୍ଗାର ଦୂରତା । ଯାହା ଦେହରେ ପାଦ ରଖି ଆଜି ଅନ୍ତରୀକ୍ଷର ଅନ୍ଧକାର ମଧ୍ୟରେ ନିଜକୁ ହଜାଇ ବସିଛି ମୀରା । ଆଖି ତଳକୁ କରି ଚାହେଁ ତ ଗୋଡ ସାରା ତାର ଗୁଗୁଚିଆ ବୋଳା । ପଛକୁ କାନ ଡେରେ । ଶୁଭୁନାହିଁ ଆଉ କାହାର ତାଗିଦ୍ । ସବୁ ଶେଷ । ଦୁନିଆଁ ପାଇଁ ଆସିବ ପୁଣି ଥରେ ରଜ । ପୁଣି ଥରେ ଧରଣୀ ମାଆ ସଜାଇ ହେବେ କେତେ କେତେ ନୂଆ ରଙ୍ଗରେ । ହେଲେ ମୀରା ପାଇଁ ଥିଲା ଏଇଟା ରଜର ଶେଷ ସ୍ପର୍ଶ । ଯାହାର ସ୍ମୃତି ହୁଏତ ମୃତ୍ୟୁ ଲିଭାଇ ପାରିବ ତାର ହୃଦୟରୁ ।
