ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଲାବଣ୍ୟବତୀର ସମ ରୂପ ଧରି
ଦେହ ଛୁଇଁ ଯାଏ ଖସି,
କାହା ପରାଣକୁ କେଉଁ ଭାବେ ଛୁଏଁ
ପୁଣି ସାଜି ସିଏ ଛଦ୍ମବେଶୀ ।
ସାଜେ କେବେ ସିଏ ଗରିବ ଚାଷୀର
ମୁଖରୁ ନିସୃତ ହାହାକାର,
ପୁଣି ସାଜେ କେବେ ପ୍ରେମିକ ହୃଦୟ
ଜାଳି ଦେଉଥିବା ଅଗ୍ନି ପାରାବାର ।
କେବେ ଖେଳିଯାଏ କୁନି କୁନି ଓଠେ
ଓଦା ଓଦା ମିଠା ହସ ହୋଇ ,
କେବେ କାନ୍ଦେ ପୁଣି ଗୁମୁରି ଗୁମୁରି
କାମୁଡ଼ି ଅନ୍ୟାୟର ଭୁଇଁ ।
ସାଜେ କାହା ପାଇଁ ଅସନା ମାଟି ସେ
ପୁଣି ଗଢ଼ା ହୁଏ ଅବଶେଷେ ତାର ମୂର୍ତ୍ତି ଯାଇ,
ସାଜେ କାହା ପାଇଁ ଭିଜା ମାଟି ବାସ୍ନା
କାହା ପାଇଁ କ୍ଳେଶ ଦୁଃଖ ନଈ ।
ପ୍ରତି ଜଳ ବିନ୍ଦୁ ଭିନ୍ନ ଭିନ୍ନ ରୂପ
ଧରି ଯାଏ ସୁଖ ଦୁଃଖ ପରଷି,
ପରିଚୟ ତାର କି ଦେବି ଆଉ
ପ୍ରତିଟି ଜୀବନେ ସେ ଯେ ଛଦ୍ମବେଶୀ ।
