-: ପୂର୍ବରୁ :-
ବୋଧହୁଏ ବିପ୍ରଚରଣ ବାବୁ ସ୍ମରଣ କରିପାରିନଥିଲେ ଯେ ଦ୍ୱାପରରେ ଦ୍ରୌପଦୀ ଦୁଃଶାସନ ଦ୍ୱାରା ବିବସ୍ତ୍ର ହୋଇପାରି ନଥିଲେ । ସ୍ମାର୍ଟ ସିଟିର ସଚେତନ ଦର୍ଶକଙ୍କ ଉପଲକ୍ଷେ ପ୍ରଦର୍ଶିତ ହେଉଥିବା ନାଟକଟି ବିଜ୍ଞ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହା ବିଦେଶ ନୁହେଁ ବରଂ ସଂସ୍କୃତି ସମ୍ପନ୍ନ ଓଡ଼ିଶା ।
ଆଗ୍ରହ ବଢ଼ିଯାଇଥିଲା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କର । ସମ୍ୱାଦ ସରବରାହ ପ୍ରକୋଷ୍ଠକୁ ଯୋଗାଯୋଗ ଦ୍ୱାରା ସିଧାସଳଖ ଉପସ୍ଥାପନ କରୁଥିଲେ ଅଗଣିତ ଦର୍ଶକମାନଙ୍କ ପାଇଁ । ତଥାପି ସେ କହୁଥିଲେ ନଗ୍ନତାକୁ ଅଶ୍ଳୀଳତା କହିବା ଠିକ୍ ନୁହେଁ । କାରଣ, ଯଦି ନଗ୍ନତା ଅଶ୍ଳୀଳତାକୁ ଯାଏ ତେବେ ଏହା ଅଶ୍ଳୀଳ ମଣିଷର ଜନ୍ମ ଏବଂ ମୃତ୍ୟୁ ନଗ୍ନତାରେ ହିଁ ଘଟିଥାଏ ।
ଅଜବ ଯୁକ୍ତିର ଉତ୍ତର ହୁଏତ ସେଠି କାହାରି ପାଖରେ ନ ଥିଲା । ବିସ୍ମୟ ଆହୁରି ବଢ଼ି ଯାଇଥିଲା ଯେ ଏହି ସୋନକା ନାଟକର ନିର୍ଦ୍ଦେଶିକା, କଳାକାର ଏବଂ ନାଟକ ପ୍ରଦର୍ଶନ ନିମିତ୍ତ ଆସିଥିବା ସଂସ୍ଥାର ମୁଖ୍ୟ ହେଉଛନ୍ତି ମହିଳା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ସେନସର୍ ବୋର୍ଡର ଅନୁମତି ଆବଶ୍ୟକ ପଡୁଥିଲାବେଳେ ମଞ୍ଚସ୍ଥ ନାଟକ ପ୍ରତି ସେ ପ୍ରକାର ଯାଞ୍ଚ ଆଭିମୁଖ୍ୟ କାହିଁକି ଗ୍ରହଣ କରାଯାଉନାହିଁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।
ଆସ୍ତେ ଆସ୍ତେ ଗହଳି ଲାଗି ଯାଉଥିଲା । ସମାଗମ ହୋଇ ସାରିଥିଲା ନାରୀ ସୁରକ୍ଷା ମଞ୍ଚର ସଭ୍ୟାମାନଙ୍କର ।
ଅନୁରାଧାଙ୍କ ହାତ ଧରି ରବୀନ୍ଦ୍ର ମଣ୍ଡପରୁ ବାହାରି ଆସି ଏକ ସଂକୀର୍ଣ୍ଣ ରାସ୍ତାକୁ ଦେଖାଇ ବ୍ରଜବନ୍ଧୁ ବାବୁ କହିଲେ- “ଚାଲ ଏଇପଟେ ଆମେ ଡେଇଁ ପଳାଇବା । ପରିସ୍ଥିତି କିଛି ଭଲ ଲାଗୁନାହିଁ ମୋତେ ।”
ହତାଶାବୋଧରେ ଫେରିଆସିଥିବା ବ୍ରଜବନ୍ଧୁ ବାବୁ ଘରେ ବି ଶାନ୍ତିରେ ରହିପାରିଲେ ନାହିଁ । ଅନୁରାଧାଙ୍କ ଯୁକ୍ତିସମ୍ମତି ପ୍ରଶ୍ନରେ ବାରମ୍ୱାର ଘାଇଲା ହୋଇଯାଉଥିଲେ ସେ ।
ଚର୍ଚ୍ଚା ଚାରିଆଡେ଼ ବ୍ୟାପି ଯାଇଥିଲା । ଟି.ଭି. ଚ୍ୟାନେଲ୍ ଗୁଡ଼ିକରେ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ ହୋଇଯାଇଥିଲା । ପୋଲାଣ୍ଡର ଆଲେକଜାଣ୍ଡାର ୱଗିରକୋ ଡ୍ରାମା ଥିଏଟର୍ ତରଫ୍ରୁ ଅଭିନୀତ ହୋଇଥିବା ନାଟକ “ସୋନକ” ବେଶ୍ ନାଁ କମେଇ ସାରିଥିଲା । ମହିଳା କଳାକାର ୱାର୍ଡରୋବ ମାଲ ଫକସନ୍ମାନ ଏବଂ ନିର୍ଦ୍ଦେଶିକା ଆଗନୀ ଏସଜକା କୋରିଟକାୱାସକା ମଜୁର ମଧ୍ୟ ନାଟକ ମଞ୍ଚରେ ବେଶ୍ ପ୍ରଶଂସିତ ହୋଇଥିଲେ । ଅବଶ୍ୟ ଆୟୋଜକ ବନ୍ଧୁମାନେ ସଂକ୍ଷିପ୍ତ ଉତ୍ତରରେ କହିଲେ ଏହି ନଗ୍ନ ଦୃଶ୍ୟ ପ୍ରଦର୍ଶିତ ହୋଇନଥିଲା, ଦୈବାତ୍ ଲୁଗା ଖସି ଯିବାରୁ ଏଭଳି ହୋଇଗଲା । ଏହାକୁ ଅର୍ଥକୁ ତର୍ଜମା କରିବା ସାଧାରଣ ଦର୍ଶକଙ୍କ ପକ୍ଷେ ଅସମ୍ଭବ ଥିଲା ।
ବ୍ରଜବନ୍ଧୁ ବାବୁ ଏବଂ ଅନୁରାଧାଙ୍କ ଆକ୍ଷେପ ପ୍ରତି ଆକ୍ଷେପକୁ ଖୋରାକ ଯୋଗାଇଥିଲା ଟି.ଭି.ର ଆଲୋଚନା । ବ୍ରଜବନ୍ଧୁ ବାବୁ କହିଲେ, “ବୁଝିଲ ଅନୁରାଧା । ଦର୍ଶକ କ’ଣ ଜାଣିଥିଲେ ଏମିତି ହଠାତ୍ ଏ ଅଘଟଣ ଘଟିଯିବ ବୋଲି । ସ୍ତବ୍ଧ ହୋଇଥିବା ଦର୍ଶକ ଶେଷରେ କରତାଳିରେ ପ୍ରକମ୍ପିତ କରିଥିଲେ ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟକୁ ଠିକ୍ ଯେତେବେଳେ ସମ୍ପୃକ୍ତ ଅଭିନେତ୍ରୀଙ୍କୁ ଆୟୋଜକ ପୁରସ୍କାର ଦେଉଥିଲେ । ନାଟ୍ୟସଂସ୍ଥା ଅଧିକ ଉଲ୍ଲସିତ ହୋଇଯାଇ ମଞ୍ଚ ଉପରୁ ଦର୍ଶକଙ୍କୁ ନମସ୍କାର କରିଥିଲେ । ତମ ମହିଳାମାନେ ତ ଏସବୁ କରିଥିଲେ । ଦର୍ଶକ ବି ସାଜିଥିଲେ । ଏଥିରେ ମୁଁ ଅବା କ’ଣ କରିପାରିଥାନ୍ତି ସେଠି ?”
ଅନୁରାଧା କହିଲେ “ତମେ ପ୍ରତିବାଦ କଲନି । ମୋତେ କହୁଣୀ ଠେସା ମାରିବା ବେଳେ ଉଠି ଚାଲି ଆସିଲନି ସେଠୁ ।”
ଦୀର୍ଘ ଦିନରୁ ଛିଡ଼ା ହୋଇଥିବା ଓଡ଼ିଶାର ସଂସ୍କୃତିକୁ ଦୋହଲାଇ ଦେଇଥିବା ଦୃଶ୍ୟ ପରବର୍ତ୍ତୀ ସମୟରେ ଅନେକ ଗ୍ଲାନି ଭରି ଦେଇଥିଲା ବ୍ରଜବନ୍ଧୁ ବାବୁଙ୍କ ମନରେ । ପ୍ରଥମେ ଏହାକୁ ସେ ଅଶ୍ଳୀଳ ବୋଲି ମନେ କରୁନଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ତରର ପ୍ରତିବାଦ ଓ ବିକ୍ଷୋଭ ତାଙ୍କୁ ସଚେତନ କରିଦେଇଥିଲା, ଯଦିଓ ପ୍ରତିବାଦର ଉଚିତ୍ ସମୟ ସେତେବେଳେ ଆଉ ନଥିଲା ।
ବାହାର କଳିକୁ ଘରୁ ବାହାର କରି ଦେବାକୁ ପ୍ରୟାସ ଜାରି ରଖି ବ୍ରଜବନ୍ଧୁ ବାବୁ ଉଦାହରଣଟିଏ ଦେଲେ । ମଣିପୁରର ପ୍ରଖ୍ୟାତ ନାଟ୍ୟକାର କହ୍ନେୟା ଲାଲ ତାଙ୍କ ନାଟକର ମଞ୍ଚ ଦୃଶ୍ୟରେ ମହାଭାରତର ଦ୍ରୌପଦୀଙ୍କୁ ବସ୍ତ୍ରହରା କରିଦେଇଥିଲେ । ଉଚିତ୍ ଦଣ୍ଡ ପାଇଁ ରାଜ୍ୟରୁ ସେ ବିତାଡ଼ିତ ହେଲେ । ଯୁଗେ ଯୁଗେ ଦଣ୍ଡ ଅଛି ।
ଅନୁରାଧା କହିଲେ- “କ’ଣ ହେଲା ସେଠୁ । କିଛିଦିନ ପରେ ତାଙ୍କୁ ଡାକି ନେଇ ସମ୍ୱର୍ଦ୍ଧିତ କରାଗଲା । ତମକୁ ମଣ୍ଡପରେ ନାଟକ ଦେଖିଲା ବେଳେ ଯାହା କହିଥିଲି ମନେ ଅଛି । ଏମାନେ ସବୁ ଜଣେ ଲେଖାଏଁ ଭସ୍ମାସୁର ।”
ବ୍ରଜବନ୍ଧୁ ବାବୁ କହିଲେ ପ୍ରକୃତରେ କିଏ ଏଠି ଭସ୍ମାସୁର । ମହାଯୋଗୀ ଶିବଙ୍କ ଠାରୁ ବରପ୍ରାପ୍ତି ହୋଇ ସୃଷ୍ଟିର ଜୀବଜନ୍ତୁଙ୍କ ମୁଣ୍ଡରେ ହାତରଖି ଭସ୍ମ କରିଦେବାର ପ୍ରୟାସ ଜାରି ରଖିଥିବା ବେଳେ ବୃକାସୁର ଭସ୍ମାସୁରରେ ପରିଣତ ହୋଇଯାଇଥିଲା । ଅବଶ୍ୟ ତ୍ରିପୁରା ସୁନ୍ଦରୀର ସୃଷ୍ଟି ଏବଂ ତାଙ୍କୁ ପତ୍ନୀ ଭାବରେ ପ୍ରାପ୍ତି ଆଶା ନେଇ ବାରମ୍ୱାର ବିମୋହିତ ହୋଇ ପଡ଼ିଥିବା ଭସ୍ମାସୁର ତାଙ୍କ ଠାରୁ ନୃତ୍ୟଶିକ୍ଷା ଗ୍ରହଣ କରିବାବେଳେ ଆନମନା ହୋଇ ନୃତ୍ୟଭଙ୍ଗୀ ଅନୁକରଣ କରି ନିଜ ମସ୍ତକରେ ହାତ ରଖି ଭସ୍ମ ହୋଇଯାଇଥିଲା, ତେବେ ଭସ୍ମାସୁର ଏଠି କିଏ ହୋଇପାରେ ?
ଟି.ଭି.ର ଭଲ୍ୟୁମ୍ ବଢ଼ାଇ ଦେଲେ ଅନୁରାଧା । କହିଲେ ଶୁଣ. . . ଶୁଣ । ସଂସ୍କୃତି ମନ୍ତ୍ରୀ କହିଲେଣି ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରାଗଲାଣି । ଦୁଇଦିନ ପରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟକର ନଗ୍ନ ଦୃଶ୍ୟ ମୁହୂର୍ତ୍ତକୁ ବାଦ୍ ଦିଆଗଲାଣି ।
ପ୍ରକୃତରେ ମର୍ମାହତ ହୋଇପଡ଼ିଥିବା ମନ୍ତ୍ରୀ କହୁଥିଲେ- ଏ ଦୃଶ୍ୟକୁ ସାଙ୍କେତିକ ଦ୍ୱାରା ପ୍ରଦର୍ଶନ କରାଯାଇ ପାରିଥାନ୍ତା । କାରଣ ଓଡ଼ିଶାର ସଂସ୍କୃତି ଅଶ୍ଳୀଳତା ସପକ୍ଷରେ ନୁହଁ ।
ଲମ୍ୱା ନିଃଶ୍ୱାସଟିଏ ପକାଇଲେ ବ୍ରଜବନ୍ଧୁ ବାବୁ ।
ସତରେ ଅନୁରାଧା. . . । ମଞ୍ଚରେ ଆତ୍ମହତ୍ୟା ଦୃଶ୍ୟ ପ୍ରଦର୍ଶନବେଳେ କଳାକାର କ’ଣ ପ୍ରକୃତରେ ଦଉଡ଼ିରେ ଝୁଲିପଡେ଼ ? ଦୁଷ୍କର୍ମ କ’ଣ ପ୍ରକୃତରେ ହୁଏ ? କେବଳ ସାଙ୍କେତିକତା ଦ୍ୱାରା ଦର୍ଶକଙ୍କୁ ବୁଝାଇବାକୁ ପଡ଼ିଥାଏ ।
ଉଭୟେ ଅବଶ୍ୟ ବୁଝି ସାରିଥିଲେ ଯେ ଅପ୍ରତ୍ୟାଶିତ ଭାବେ ଘଟିଯାଇଥିବା ଏହି ଦୃଶ୍ୟ କିଛି ଦର୍ଶକଙ୍କୁ ସାମୟିକ ଆନନ୍ଦ ଦେଇଥିଲେ ବି କିଛି ଦର୍ଶକଙ୍କୁ ଦେଇଥିଲା ଘୋର ଆଘାତ ।
ବ୍ରଜବନ୍ଧୁ ବାବୁ କହିଲେ ଆମକୁ ଛାଡ଼ି ଯେଉଁ ଦର୍ଶକ ବିଦେଶୀ ନାଟକ ଦେଖିବା ପାଇଁ ନିଜର ପିଲାଛୁଆଙ୍କୁ, ନାଟ୍ୟ ଗବେଷକ ତାଙ୍କ ସ୍କଲାରମାନଙ୍କୁ ନେଇ ଯାଇଥିଲେ ସେମାନଙ୍କ ମୁହଁ କିପରି ପୋଡ଼ିଯାଇଥିବ ଭାବୁଛ କି ?
ଅନୁରାଧା କହିଲେ ବାରମ୍ୱାର ତ କହୁଛି ଭସ୍ମାସୁର. . . ଭସ୍ମାସୁର । ବ୍ରଜବନ୍ଧୁ ବାବୁ ଆଉ ଟିକେ ସଫା ବୁଝିବା ପାଇଁ ଅନୁରାଧାଙ୍କ ଉଦ୍ଦେଶ୍ୟରେ କହିଲେ- “ଏ ନାଟକରେ ଭସ୍ମାସୁର କିଏ ?”
ସମ୍ପୃକ୍ତ ମହିଳା କଳାକାର !
– ନା ।
ନାଟକର ନିର୍ଦ୍ଦେଶିକା ?
– ନା ।
ନାଟକର ଆୟୋଜକ ?
– ନା ।
ରବୀନ୍ଦ୍ର ମଣ୍ଡପ ?
– ନା ।
ତେବେ ସବୁ ତ ନା । ତାହେଲେ ହଁ କେଉଁଟା ?
ତଳକୁ ମୁହଁ ପୋତି ରାଗରେ ଜଳୁଥିବା ଅନୁରାଧା ବ୍ରଜବନ୍ଧୁ ବାବୁଙ୍କୁ ଚାହିଁ କହିଲେ – “ତମେ !” ଆଶ୍ଚର୍ଯ୍ୟ ହୋଇ ବ୍ରଜବନ୍ଧୁ ବାବୁ ପଚାରିଲେ- “ମୁଁ ! ଏକଥା କହିପାରୁଛ ।”
ଅନୁରାଧା କହିଲେ “ତମେ ଖାଲି ନୁହଁ, ତମରି ଭଳି ସେଠି ଥିବା ସବୁ ଦୁର୍ବଳ ଦର୍ଶକ ହେଉଛନ୍ତି ଭସ୍ମାସୁର । ଓଡ଼ିଶାର ସୁଦୀର୍ଘ ସଂସ୍କୃତି ଭିତରେ ତ୍ରିପୁରା ସୁନ୍ଦରୀ ଭଳି ପାଶ୍ଚାତ୍ୟ ମହିଳା କଳାକାରଙ୍କ ଅଶ୍ଳୀଳ ନାଟ୍ୟ ପ୍ରଦର୍ଶନରେ ତମେ ସବୁ ଦର୍ଶକ ନିଜ ମୁଣ୍ଡରେ ହାତ ରଖିଦେଲ । ମୋହଗ୍ରସ୍ତପଣ ତମମାନଙ୍କୁ ସେଠି କରିଦେଇଥିଲା ଅସହାୟ ।”
ନିରବି ଯାଇଥିବା ବ୍ରଜବନ୍ଧୁ ବାବୁ ପ୍ରଦର୍ଶିତ ହୋଇଥିବା ଦୃଶ୍ୟକୁ ପୁଣିଥରେ ମନେପକାଇ କହିଲେ- “ଅନୁରାଧା. . . ! ସତ କହିଲ ଏଥର । ତାହା ନାଟ୍ୟମଞ୍ଚ ନଥିଲା ବରଂ ମୋ ଭଳି ଭସ୍ମାସୁରମାନଙ୍କ ମହାମିଳନର ମଞ୍ଚ ଥିଲା ।”
ଆନମନା ଅନୁରାଧା ନିଜ କାନ୍ଧରୁ କେତେବେଳୁ ଖସିପଡ଼ି ଥିବା ଲୁଗା କାନିକୁ ତୋଳି ନେଲାପରେ ବ୍ରଜବନ୍ଧୁ ବାବୁଙ୍କ ଉଦ୍ଦେଶ୍ୟରେ ତାତ୍ସଲ୍ୟ ସ୍ମିତ ହାସ୍ୟ ପ୍ରକଟ କରି ଆରପଟ ଘରକୁ ଚାଲିଗଲେ ।
