ଗଳ୍ପ

ଭ୍ରମ

Gaurahari Das's Odia Story BHRAMA

ଜୀବନ ଚାଲିଗଲେ ବି ତୁ କାହାକୁ ଏ କଥା କହିବୁ ନାହିଁ କି ମୁଁ କହିବି ନାହିଁ । ନ ହେଲେ ମୁଁ ସତ କହୁଛି, ଅର୍ଜୁନ ବାଆଜୀ ପୋଖରୀକୁ ଡେଇଁ ଜୀବନ ହାରି ଦେବି

ଭ୍ରମ

ଆଖି ବଡ଼ ବଡ଼ କରି ଲିଟୁ ପଚାରୁଥିଲା, “ଜାଣିଛୁ ସିଧୁ, ଏ ପୃଥିବୀର ସବୁଠୁ ଆଶ୍ଚର୍ଯ୍ୟ ପ୍ରାଣୀ କିଏ ?”

ସିଧୁ ଆମ୍ୱଗଛକୁ ଫୋପଡ଼ ଫିଙ୍ଗୁଥିଲା । ଡାହାଣପଟ ଡାଳରେ ଝୁଲିଥିବା ଆମ୍ୱନେନ୍ଥାଟି ତାକୁ ହଲାପଟା କରି ସାରିଲାଣି । ଗୋଟିଏ ନେନ୍ଥାରେ ଜାକିଜୁକି ହେଇ ଝୁଲୁଛି ତିନିଟି ଆମ୍ୱ । ଯେତେଥର ଫୋପଡ଼ ଫିଙ୍ଗିଲେ ବି ସେଇଟା ଝଡୁ ନାହିଁ । ଲିଟୁର ପ୍ରଶ୍ନ ଶୁଣି ସେ ଟିକିଏ ରହିଗଲା । କପାଳରୁ ଝାଳ ପୋଛି କହିଲା, “ମୁଁ ଜାଣିନି । ତୁ କହ ।”

ଲିଟୁ ଫଟେଇ ହେଲା । ସିଧୁର ପ୍ୟାଣ୍ଟ୍ ପକେଟ୍‌କୁ ଅନେଇ ଅନେଇ କହିଲା, “ତୁ ମୋତେ ଆଗେ ଗୋଟେ ଆମ୍ୱ ଦଉନୁ ।”

ସିଧୁ ବି ଖତେଇ ହେଲା । କହିଲା, “କେଡ଼େ ଡାଆଣା କିରେ ତୁ ? ସବୁବେଳେ ମୋଅରି ଜିନିଷରେ ଲୋଭ । ତୁ ଢେଲା ଫୋପାଡୁନୁ, କିଏ ମନା କରୁଛି ?” ଆମ୍ୱଗଛ ଦେହରେ ବେଢ଼ିଥିବା ମଧୁମାଳତୀ ଲଟାରୁ ପତ୍ରଟେ ଛିଣ୍ଡଉ ଛିଣ୍ଡଉ ସିଧୁ ଭାବୁଥିଲା, କେମିତି ସେଇ ଆମ୍ୱ ନେନ୍ଥାଟି ଝଡେ଼ଇବ ?

ସିଧୁର କଥା ଲିଟୁକୁ ଭଲ ଲାଗିଲା ନାହିଁ । ସେ ମୁହଁ ଆମ୍ୱିଳା କରି କହିଲା, “ହଉ ନ ଦେ’ । ତୋ ଭଳି ସ୍ୱାର୍ଥପର ପିଲା ଆମ ଗାଁରେ କେହି ନାହାନ୍ତି, କୁଳମଣି ସାରେ ସତ କହୁଥିଲେ ।” ସେ ଫେରିଯିବା ଲାଗି ବୁଲିପଡ଼ିଲା ।

ସିଧୁକୁ ଏମିତିକା ଆକ୍ଷେପ ପ୍ରଭାବିତ କରେ ନାହିଁ । ସ୍ୱାର୍ଥପର ଅଭିଯୋଗ ବି ତା’ ପାଇଁ ଦେହର ମଳି । ତେବେ ଲିଟୁକୁ ହାତରେ ରଖିବାକୁ ପଡେ଼ । ନହେଲେ ସେ ତାକୁ ଅଙ୍କ ଖାତା ଦେଖେଇବ ନାହିଁ । ଅଯଥାରେ ସିଏ ସ୍କୁଲ୍‌ରେ ମାଡ଼ ଖାଇବ । ଖାଲି କ’ଣ ସେତିକି କଥା, ସିଏ ଯେ ମଝିରେ ମଝିରେ ମିଛ କହି କୁଳମଣି ସାର୍‌ଙ୍କ ଟିଉସନ୍‌କୁ ଯାଏ ନାହିଁ, ସେ ରହସ୍ୟ ବି ଲିଟୁ ଖୋଲି ଦେବ । କୁଣ୍ଠାର ସହ ବାଁ ପକେଟ୍‌ରେ ହାତ ପୁରେଇ ସିଧୁ ଦିଇଟା ଆମ୍ୱ ବାହାର କଲା । ବଡ଼ଟିକୁ ରଖି ଦେଇ ସାନ ଆମ୍ୱଟିକୁ ଲିଟୁ ଆଡ଼କୁ ବଢ଼େଇ ଦେଇ କହିଲା, “ନେ, ଏତେ ଫଟେଇ ହଅ ନା !”

ଲିଟୁ ଖୁସି ହେଇଗଲା ।

ସିଧୁ ପଚାରିଲା, “କ’ଣ ଆଶ୍ଚର୍ଯ୍ୟ ପ୍ରାଣୀ କଥା କହୁଥିଲୁ ପରା ?”

କଞ୍ଚା ଆମ୍ୱରୁ କଳେ କାମୁଡୁ କାମୁଡୁ ଅଁ ଅଁ ହେଇ ଲିଟୁ କହିଲା, “ଜାଣିଛୁ ନା, ଆଜି ମାୟାଦେଈ ତା’ ବର ସାଙ୍ଗରେ ଆସୁଛି ।”

ସିଧୁର ଆଖି ହଠାତ୍ ଚମକି ଉଠିଲା । ବଡ଼ ପାଟିରେ କହିଲା, “ସତରେ କେତେବେଳେ ? ତୁ ତ ମୋତେ ଆଗରୁ କହିନାହୁଁ ?”

ଲିଟୁ କହିଲା, “ତୁ ତ କାଲି ଟିଉସନ୍ ଯାଇନଥିଲୁ, କହିଥାଆନ୍ତି କେତେବେଳେ ?” ପଅରଦିନ ବାପା ଖବର ପାଇଲେ । ସକାଳୁ କୃଷ୍ଣଭାଇ ଗଦିଛକ ବାହାରିଗଲେଣି । ମାୟାଦେଈ ଆଉ ତା’ ବର ପହିଲିଥର ଆସୁଛନ୍ତି ।

ଏ ଖବର ଶୁଣି ସିଧୁ ପ୍ରଚୁର ଖୁସି ହୋଇଥିଲା । ତେବେ ସେ ତା’ ମନର ସବୁତକ ଖୁସି ଲିଟୁକୁ ଜଣେଇବାକୁ ଚାହୁଁ ନଥିଲା । ମାୟାଦେଈ ଆଉ କିଛି ରାଣ ନିୟମ ଦେଇଥିଲେ ଚିନ୍ତା ନଥିଲା । ଏପରିକି ବାର୍ଷିକ ପରୀକ୍ଷା ରାଣ ଦେଇଥିଲେ ବି ସିଧୁ ଡରି ନଥାନ୍ତା । ମାତ୍ର ମାୟାଦେଈ କହିଥିଲା, “ସିଧୁ, ଏଡେ଼ବଡ଼ ଗାଁରେ ତୁ ହିଁ ଗୋଟେ ପିଲା, ଯିଏ ମୋର ସାଙ୍ଗ । ଯାହା ପାଖରେ ମୁଁ ସବୁକଥା କହିପାରୁଛି । ଜୀବନ ଚାଲିଗଲେ ବି ତୁ କାହାକୁ ଏ କଥା କହିବୁ ନାହିଁ କି ମୁଁ କହିବି ନାହିଁ । ନ ହେଲେ ମୁଁ ସତ କହୁଛି, ଅର୍ଜୁନ ବାଆଜୀ ପୋଖରୀକୁ ଡେଇଁ ଜୀବନ ହାରି ଦେବି ।” ଏକଥା କହିବାବେଳେ ମାୟାଦେଈ କାନ୍ଦ କାନ୍ଦ ହୋଇ ଯାଇଥିଲା । ସିଧୁକୁ ତା’ ଛାତି ଉପରକୁ ଟାଣି ନେଇ ତାକୁ କୁଣ୍ଢେଇ ଧରିଥିଲା । ମାୟାଦେଈର ତକିଆ ପରି ନରମ ଛାତିରେ ଚାପି ହୋଇ ସିଧୁ ଅଣନିଃଶ୍ୱାସୀ ହୋଇପଡ଼ିଥିଲା । ସେତିକିବେଳେ ସେ ମନକୁ ମନ ରାଣ ଦେଇଥିଲା, ଜୀବନ ଚାଲିଗଲେ ବି ସେ ମାୟାଦେଈ ଆଉ ବ୍ରଜ ସାରଙ୍କ ସମ୍ପର୍କ କଥା କାହାକୁ କହିବ ନାହିଁ ।

ସିଏ ତିନିବର୍ଷ ତଳର କଥା । ସେତେବେଳେ ବ୍ରଜ ସାର୍ ତାଙ୍କ ଗାଁ ମାଇନର୍ ସ୍କୁଲ୍‌ରେ ନୂଆ ନୂଆ କରି ଆସି ଯୋଗ ଦେଇଥିଲେ । ପଞ୍ଚମ ଶ୍ରେଣୀରେ ସେ ଇଂରାଜୀ ଓ ସାହିତ୍ୟ ଦିଇଟା ବିଷୟ ପଢ଼ଉଥିଲେ । ତାଙ୍କର ଗୋରା ଓ ଉଚ୍ଚା ଚେହେରାରେ ଅଦ୍ଭୁତ ଆକର୍ଷଣ ଥିଲା । ସାହିତ୍ୟ ପଢ଼େଇବାବେଳେ ସେ ଆଖିବୁଜି ଯେମିତି କହିଯାଆନ୍ତି ସେମିତି ତାଙ୍କ ହେଡ୍‌ମାଷ୍ଟର୍‌ ବି କହିପାରନ୍ତି ନାହିଁ । ମାଇନର୍ ପରେ ସିଧୁ କିନ୍ତୁ ପାଟପୁର ହାଇସ୍କୁଲ୍‌ରେ ପଢ଼ିଲା ନାହିଁ, ସିଏ ପାଟପୁର ଠୁଁ ଦି’କିଲୋମିଟର ଦୂର ହଳଦିଆ ସ୍କୁଲ୍‌ରେ ପଢ଼ିଲା । ପ୍ରତିଦିନ ସକାଳୁ ଲିଟୁ ଓ ସିଧୁ ଦିହେଁ ସ୍କୁଲ୍‌କୁ ବାହାରି ଯାଆନ୍ତି । ଛକ ନୂଆପୋଖରୀ ଆଡ଼ିରେ ଏକାଠି ହୁଅନ୍ତି । ନୂଆପୋଖରୀ ପାଖରୁ ସିଧୁ ବାଟ ଭାଙ୍ଗି ହଳଦିଆ ଯାଏ, ଲିଟୁ ଯାଏ ତା’ ସ୍କୁଲ୍‌କୁ ।

“ଇସ୍ କି ବାସ୍ନା !” – ସିଧୁ କହିଲା । ତା’ ନାକ ପାଖରେ ମାୟାଦେଈ ଦେହର ସେଦିନର ବାସ୍ନା ଆଉ ଥରେ ଆସି ଖେଳି ବୁଲୁଥିଲା । କି ଯେ ଦାମୀ ଅତର ମାୟାଦେଈ ସବୁବେଳେ ତା’ ଦେହରେ ବୋଳି ହୁଏ ।

ଲିଟୁ ପଚାରିଲା, “କେଉଁ ବାସ୍ନା ?”

ସିଧୁ ଚମକି ପଡ଼ିଲା । ତାକୁ ଲାଗିଲା, ସେ ବୋଧହୁଏ ଧରାପଡ଼ିଯିବ । କହିଲା, “ଝିଅପିଲାଗୁଡ଼ାକ କେତେ ବାସ୍ନାତେଲ ଲଗାନ୍ତି କିରେ ? ତମ ଇସ୍କୁଲ୍‌ରେ ପିଲା ବି ଲଗାନ୍ତି ?”

– “ରାମ୍ ବୋଲ । ଆମ ହେଡ୍‌ମାଷ୍ଟ୍ରେ ସାଧୁ ସାର୍ । ସିଏ ପରା ବାବାଜୀ । ଏସବୁ ଅତର, ପାଉଡ଼ର ତାଙ୍କର ବିଲ୍‌କୁଲ୍ ପସନ୍ଦ ନୁହେଁ । କିନ୍ତୁ ତୁ କାହା ଦେହର ବାସ୍ନା ଶୁଙ୍ଘିଲୁ କି ?” – ପ୍ରଶ୍ନଟି ସାରି ଲିଟୁ ଦୁଷ୍ଟାମିର ସହ ଆଖି ମିଟିକା ମାରିଲା ।

ଲିଟୁ ମାୟାଦେଈର ଦାଦାପୁଅ ଭାଇ । ମହା ଛେରୁଆ । ତା’ ସାଙ୍ଗକୁ ତୁରୁତୁରିଆ । ତା’ ପେଟରେ ସୋରିଷଟେ ବି ରହିବ ନାହିଁ । ତାକୁ କିଛି କଥା କହିବା ମାନେ ସେକଥା ପାଟଣମଙ୍ଗଳା ଯାତ୍ରାରେ ଲାଗିଥିବା ଲାଉଡ୍‌ସ୍ପିକର୍‌ରେ ଘୋଷଣା କରିବା । ସିଧୁ ପୁଣି ମହା ହୁସିଆର । ସାଙ୍ଗେ ସାଙ୍ଗେ ସେ କଥା ବାଆଁରେଇ କହିଲା, “ଧେତ୍, ମୁଁ ଏଇ ସୁନ୍ଦରୀ ଆମ୍ୱର ବାସ୍ନା କଥା କହୁଥିଲି ନା ।”

– “ଓଃ, ଆମ୍ୱ ବାସ୍ନା । ହଁ, ହଁ ସୁନ୍ଦରୀ ଆମ୍ୱର ବାସ୍ନା ବଢ଼ିଆ । କିନ୍ତୁ ଭାରି ଖଟା ।” – ଲିଟୁ ଆମ୍ୱଟାକୁ ନାକ ପାଖରେ ଧରି କହିଲା ।

ସିଧୁ ପଚାରିଲା, “ମାୟାଦେଈ ଆସି କେତେବେଳେ ପହଞ୍ଚିବ କହିଲୁ ? ତୋ ପାଇଁ ତ ନିଶ୍ଚେ ନୂଆ ଡ୍ରେସ୍ ଆଣିବ ସେ, ନୁହେଁ ।”

– “କିଏ ଜାଣେ ? ତିନିବର୍ଷ ପରେ ଆସୁଛି । ଆସିଲେ ବଳେ ଜଣାପଡ଼ିବ ।”

ତିନିବର୍ଷ ତଳର ସେଇ କଥା ପାଖକୁ ଫେରିଯିବା ଲାଗି ଚାହୁଁ ନଥିଲା ସିଧୁ । ତାକୁ ଡର ମାଡୁଥିଲା ।

ତା’ ଛାତି ପକେଟ୍‌ରେ ଯୋଡ଼ାଏ ଚକ୍ଲେଟ୍ ଗୁଞ୍ଜି ଦେଇ ହୋଲି ଆଗଦିନ ସଞ୍ଜରେ ମାୟାଦେଈ କହିଥିଲା, “ବହୁତ ଡେରି ହୋଇଗଲାଣି । ମୁଁ ଆଉ ରହିପାରିବି ନାହିଁ ଗାଁରେ । ଆଉ ଅଧିକ ଡେରି ହେଲେ ମୋ ଅବସ୍ଥା ଦେଖି ସମସ୍ତେ ସବୁକଥା ଜାଣି ଦେବେ । ଟୁପୁରଟାପର ହେବେ । ଆମ ଘରର ନାଁ ପଡ଼ିବ ।”

କୋଉ କଥା ବିଷୟରେ ମାୟାଦେଈ ଏତେ ଚିନ୍ତା କରୁଥିଲା, ସେଇଟା ସିଧୁ ସେଦିନ ଜାଣିପାରି ନଥିଲା । ସିଏ କହିଥିଲା, “ସମସ୍ତଙ୍କର ବାହାଘର ତ ଗାଁରେ ହେଉଛି । ତୁମେ ବ୍ରଜ ସାର୍‌ଙ୍କୁ ଏଇଠି ବାହା ହଉନ ?”

– “ଜାତି ! ଆମେ ଶାସନୀ ବ୍ରାହ୍ମଣ, ବ୍ରଜ ସାର୍ ଚଷା । ଏ ବାହାଘରରେ ବାପା ବିଲ୍‌କୁଲ୍ ରାଜି ହେବେ ନାହିଁ । ମୋତେ ପିଟି ପିଟି ଜୀବନରୁ ମାରି ଦେବେ ।”

ଡାଙ୍ଗ ପରି ସିଧୁର ସରୁ ଓ ଛୋଟ ଛୋଟ ଗୋଡ଼ହାତ ସେଦିନ ଉତ୍ତେଜନାରେ କାଠି ହୋଇଯାଇଥିଲା । ସିଏ କହିଲା, “କାହାର ଏତେ ସାହସ, ତୁମ ଦେହରେ ଟିପ ଦେବ ।”

ମାୟାଦେଈ କାନ୍ଦ ବନ୍ଦ କରି ଫେଁ କିନା ହସି ଦେଇଥିଲା । ସେତେବେଳେ ତା’ ମୁହଁଟି ଅର୍ଜୁନ ବାଆଜୀ ପୋଖରୀର ନାଲି କଇଁ ଠାରୁ ଅଧିକ ସୁନ୍ଦର ଦିଶିଥିଲା । ମାୟାଦେଈ କେଡ଼େ ସୁନ୍ଦର । କିନ୍ତୁ ମାୟାଦେଈ ପୁଣି କାନ୍ଦିବାକୁ ଲାଗିଥିଲା । ତା’ ଆଖିର ଲୁହ ଢେର୍ ସମୟ ପର୍ଯ୍ୟନ୍ତ ବନ୍ଦ ହେଇ ନଥିଲା । ସିଧୁ ପକେଟ୍‌ରେ ଚକ୍ଲେଟ୍ ଦିଇଟା ପାଟି ଭିତରକୁ ଯିବା ପାଇଁ ଉଚ୍ଛନ୍ନ ହେଉଥିଲେ । ମାତ୍ର ଏତେ ଦୁଃଖ ପରିସ୍ଥିତିରେ କିଏ କ’ଣ ଚକ୍ଲେଟ୍ ଖାଇପାରିଥାନ୍ତା ? ସିଧୁ ବି ଖାଇପାରି ନଥିଲା । ସିଏ ମୁଣ୍ଡ ତଳକୁ କରି ମାୟାଦେଈର କଥା ଭାବୁଥିଲା । ଆହା, ବିଚାରୀ କେଡ଼େ ଦୁଃଖୀ । ସୁନା ପଞ୍ଜୁରି ଭିତରେ ବନ୍ଦ ସାରୀଟିଏ ପରି ପଡ଼ିରହିଛି । ତା’ର ଚାଲିଚଳଣ ଉପରେ ସମସ୍ତଙ୍କର ନଜର । ତାକୁ ପୋଖରୀ କି ନଈକୂଳକୁ ସୁଦ୍ଧା ଛାଡୁ ନାହାନ୍ତି । ଏଡ଼େ ନୃଶଂସ ତା’ ଘରଲୋକେ ।

କିନ୍ତୁ କୋଉ ବିଷୟରେ ଟୁପୁରୁଟାପର ହେବେ ଗାଁ ଲୋକ ? – ସିଧୁ ବୁଝିପାରୁ ନଥିଲା ।

ତା’ ପକେଟ୍‌ରେ ଖଣ୍ଡେ କୁନି ଚିଠି ଗୁଞ୍ଜି ଦେଇ ମାୟାଦେଈ କହିଥିଲା, “ନେଇ ଯା’, ତାଙ୍କୁ ଦେଇ ଦେବୁ । ତାଙ୍କ ଛଡ଼ା ଆଉ କାହାକୁ ଦେଖାଇବୁ ନାହିଁ । ମୋ ରାଣ । ଜାଣିବୁ, ତୋ ହାତରେ ମୋ ଜୀବନ । ସିଏ ଯଦି କିଛି ନ କରିବେ, ମୁଁ ଏ କଳଙ୍କିନୀ ମୁହଁ ଆଉ କାହାକୁ ଦେଖେଇ ପାରିବି ନାହିଁ । କାଲି ସକାଳେ ଅର୍ଜୁନ ବାଆଜୀ ପୋଖରୀକୁ ଡେଇଁ ପଡ଼ିବି । କିନ୍ତୁ ମୋ ରାଣ, ଏ କଥା ତୋ ମୋ ଛଡ଼ା ଆଉ କେହି ଜାଣିବେ ନାହିଁ ।”

ସିଧୁ ତଥାପି ବୁଝିପାରୁ ନଥିଲା, ମାୟାଦେଈ ନିଜକୁ କଳଙ୍କିନୀ କହୁଥିଲା କାହିଁକି ? ତା’ର ଟିକି ମୁଣ୍ଡରେ ମାୟାଦେଈର ସମସ୍ୟା ପଶୁ ନଥିଲା ।

ମାୟାଦେଈ କହିଲା, “ତୁ ଜାଣ, ମୁଁ ଏଠି କଂସର ବନ୍ଦୀଶାଳାରେ ଅଛି । ମୋତେ ଏଠୁ ମୁକ୍ତି ଦରକାର ।”

ସିଧୁ ଏକା ନଅସରେ ଦଉଡ଼ିଥିଲା । ଡେରି ହେଲେ ମାୟାଦେଈ ପୋଖରୀକୁ ଡେଇଁ ପଡ଼ିବ । ବାଟ ଅବାଟ, କଣ୍ଟାଝଣ୍ଟା ନ ମାନି ସିଏ ସେଇ ମାଈସଞ୍ଜ ଅନ୍ଧାରରେ ଦଉଡ଼ିଥିଲା ସ୍କୁଲ୍ ହଷ୍ଟେଲ୍‌କୁ । ବ୍ରଜ ସାର୍‌ଙ୍କୁ ସେ ମାୟାଦେଈର ଚିଠିଟା ଦେବ । ଦରକାର ହେଲେ ସିଏ କହିବ, “ସାଆରେ, ଆପଣ ମାୟାଦେଈକୁ ଏ କଂସ ବନ୍ଦୀଶାଳାରୁ ନେଇ ଯାଆନ୍ତୁ । ନ ହେଲେ ସିଏ ପୋଖରୀକୁ ଡେଇଁ ପଡ଼ିବ ।”

ସେଇଟା ଥିଲା ତୃତୀୟ ଓ ଶେଷ ଚିଠି । ଆଗରୁ ଦି’ଥର ସେ ମାୟାଦେଈର ଚିଠି ନେଇ ଦେଇଥିଲା ସାର୍‌ଙ୍କୁ । କିନ୍ତୁ ସେଥର ଉତ୍ତେଜନାରେ ତା’ ଦେହହାତ ଭୀଷଣ ଥରୁଥିଲା ।

ପ୍ରଥମଥର ଚିଠି ନେଇ ଯିବାବେଳର କଥା ଏହେ ମନେ ପଡୁଥିଲା ସିଧୁର । ସିଏ ଅନେଇଲା । ଲିଟୁ ଆମ୍ୱଟା ଖାଇସାରି ଟାକୁଆଟାକୁ ଚାଟୁଥିଲା । ସିଧୁ ଲିଟୁକୁ କହିଲା, “ତୁ ଯା’, ମାୟାଦେଈ ଆସିଲାକ୍ଷଣି ମୋତେ ଖବର ଦେବୁ ।” ତା’ପରେ ଟିକିଏ ରହି କହିଲା, “ମାୟାଦେଈ ମୋ ପାଇଁ ବି ବଢ଼ିଆ ବଢ଼ିଆ ଜିନିଷ ଆଣିଥିବ ଯେ !”

ଲିଟୁ ଫେରିଯାଉଥିଲା । ସିଧୁ କଥା ଶୁଣି ଟିକିଏ ରହିଗଲା । ପଚାରିଲା ପଚାରିଲା ଆଖିରେ ଅନେଇଲା ଟିକିଏ । “ତାହାର ଅର୍ଥ, ସିଏ ସିନା ମୋ ଦେଈ ବୋଲି ମୋ ପାଇଁ କ’ଣ ଆଣିବ । ହେଲେ ତୋ ପାଇଁ କାହିଁକି କ’ଣ ଆଣିବ ଯେ ? ମାୟାଦେଈ କ’ଣ ଗାଁ ସାରା ପିଲାଙ୍କ ଲାଗି ଖେଳଣା ପୋଷାକ ଆଣିବ ନା କ’ଣ ?”

ସିଧୁ କିଛି କହିଲା ନାହିଁ । ମନେ ମନେ ଭାବିଲା, ଲିଟୁଟା ବଡ଼ ହେଲେ ନିଶ୍ଚୟ ଗୋଟିଏ ପୁଲିସ୍ ହେବ । ସବୁ କଥାରେ ସନ୍ଦେହ । ଡାଆଣା ହେଉପଛେ, ମୁଣ୍ଡରେ ତା’ର ବୁଦ୍ଧି ଅଛି । ନ ହେଲେ ତା’ ଶ୍ରେଣୀରେ ସେ ସବୁବେଳେ କ’ଣ ପ୍ରଥମ ହେଉଥାନ୍ତା !

ସିଧୁ ଟିକିଏ ନରମିଗଲା । ତା’ର ପାଠ ଭଲ ହେଉ ନଥିବାରୁ ଘରେ ଓ ସ୍କୁଲ୍‌ରେ ସବୁବେଳେ ସେ ଗାଳିମାଡ଼ ଖାଉଥିଲା । ବାପା ତ ଯେତେବେଳେ ଇଚ୍ଛା ସେତେବେଳେ ବିଧା କି ଚାପୁଡ଼ାଏ ଦେଉଥିଲେ । ତାଙ୍କ ପାଖକୁ ଗଲା କ୍ଷଣି ସେ ଚିହିଙ୍କି ଉଠୁଥିଲେ । “ଅକାଳ କୁଷ୍ମାଣ୍ଡ”- ଏଇ ନାଁରେ ତାକୁ ତା’ ବାପା ଡାକୁଥିଲେ । ସେଥିପାଇଁ ସେ ଘରେ ରହୁ ନଥିଲା । ଖାଇବା ସମୟତକ ଛାଡ଼ି ଦେଲେ ସିଧୁ ବରାବର ଆମ୍ୱତୋଟା, ପୋଖରୀଆଡ଼ି କି ନଈକୂଳରେ ବୁଲୁଥିଲା ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top