ଗଳ୍ପ

ଗୁପ୍ତଧନ

Shrimanta Kumar Panda's odia story Gupta Dhana

ଲୋଭ ଉପରେ ନିୟନ୍ତ୍ରଣ ପାଇବା ମୋ ଭଳିଆ ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ । ଆଉ କିଛି ସମୟ ରହିଲେ ହୁଏତ ମୋର ମନ ପରିବର୍ତ୍ତନ ହେଇ ଯାଇପାରେ ।

ଗୁପ୍ତଧନ

ଏକଦା ପ୍ରାଗ-ଜ୍ୟୋତିଷରେ ରାଜୁତି କରିଥିଲେ ରାଜା ଅଜ । ସେ ରାଜ୍ୟର ରାଜଧାନୀରେ ବସବାସ କରୁଥିଲେ ଜଣେ ଧନୀ ବ୍ୟବସାୟୀ ଚାଣ୍ଡୁକ । ସେ ଥିଲେ ଧର୍ମ ପରାୟଣ ଓ ନୀତିବାନ । ଜୀବନ ଶୈଳୀ ଥିଲା ଅତ୍ୟନ୍ତ ସାଧାରଣ । ତାଙ୍କ ସାଧୁତା ପାଇଁ ହେଇ ପାରିଥିଲେ ରାଜାଙ୍କ ବିଶେଷ ଆସ୍ଥା ଭାଜନ । ବ୍ୟବସାୟ ରେ ଟିକିନିଖି ହିସାବ ତାଙ୍କ କର୍ମଚାରୀ ମାନେ ରଖୁଥାନ୍ତି । ପ୍ରତିମାସ ଶୁକ୍ଳ ପକ୍ଷ୍ୟ ପ୍ରତିପଦା ଦିନ ଲାଭକ୍ଷତି ହିସାବ କରୁଥିଲେ । ଯାହା ଲାଭ ହେଉଥିଲା ତାକୁ ତିନିଭାଗ କରୁଥିଲେ ।

ପ୍ରଥମ ଭାଗ ରାଜକୋଷକୁ ଦାନ କରୁଥିଲେ । ଦ୍ୱିତୀୟ ଭାଗ ସମାଜର ଦୁର୍ବଳ ଲୋକଙ୍କ ହିତ ପାଇଁ ଖର୍ଚ୍ଚ କରୁଥିଲେ ଓ ତୃତୀୟ ଭାଗ ନିଜ ପାଇଁ ରଖୁଥିଲେ ।

ଏପରି କରିବାର ତାଙ୍କର ନିଦ୍ଧିଷ୍ଟ ଯୁକ୍ତି ଥିଲା । ରାଜା ଆଇନ ଶୃଙ୍ଖଳା ରକ୍ଷ୍ୟାକରି ଆମକୁ ସାମାଜିକ ନିରାପତ୍ତା ପ୍ରଦାନ କରୁଛନ୍ତି । ସେଇଥିପାଇଁ ମୁଁ ନିର୍ଭୟରେ ବ୍ୟବସାୟ କରି ପାରୁଛି । ତାହା ନହେଲେ ସମାଜରେ ବିଶୃଙ୍ଖଳା ସୃଷ୍ଟି ହୁଅନ୍ତା , ଚୋରି ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ହୁଅନ୍ତା । ତେଣୁ ରାଜକୋଷକୁ ଅର୍ଥ ପ୍ରଦାନ କରିବାର ଯଥାର୍ଥତା ରହିଛି । ସେହି ଅର୍ଥ ଖର୍ଚ୍ଚ କରି ରାଜା ଆଇନ ଶୃଙ୍ଖଳା ରକ୍ଷ୍ୟା କରୁଛନ୍ତି ତେଣୁ ମୁଁ ଓ ମୋର ପରିବାର ରାତିରେ ଆରାମ ରେ ଶୋଇ ପାରୁଛୁ ।

ଦ୍ୱିତୀୟ ଭାଗ ବିଷୟରେ ତାଙ୍କ ମତ ଥିଲା, ମୋର ବ୍ୟବସାୟ ଗ୍ରାହକ ମାନଙ୍କ ଉପରେ ନିର୍ଭର କରେ । ସେମାନେ ଭଲରେ ରହିଲେ ଯାଇ ମୋର ବ୍ୟବସାୟ ଚାଲିବ, ତେଣୁ ତାଙ୍କ ସ୍ୱଛଲତା ପାଇଁ ମୁଁ କିଛି ଖର୍ଚ୍ଚ କରୁଛି । ଦେଖିବାକୁ ଗଲେ ଏହା ମୋ ପାଇଁ ଖର୍ଚ୍ଚ ନୁହଁ ବରଂ ନିବେଶ ।

ଶେଷ ଭାଗ ମୁଁ ନିଜ ପାଇଁ ଖର୍ଚ୍ଚ କରେ । ଅର୍ଥାତ ମୋର ସୁବିଧା ଅସୁବିଧାରେ ମୋ ପରିବାର ଓ ସହଯୋଗୀ ମତେ ସାହାଯ୍ୟ କରିବେ ତେଣୁ ତାଙ୍କ ସୁଖ ସୁବିଧା ପାଇଁ ମୁଁ ମୋର ଅବଶିଷ୍ଟ ଲାଭ ଅଂଶ ଖର୍ଚ୍ଚ କରେ ।
****
ଦିନେ ବ୍ୟବସାୟୀଙ୍କୁ ଦେଖାକରିବାକୁ ଆସିଲେ ଅତିବୁଦ୍ଧି ନାମକ ଜଣେ ଯୁବକ ।

ଅତିବୁଦ୍ଧି ବ୍ୟବସାୟୀଙ୍କୁ ଜଣେଇଲେ, ଏକଦା ମୁଁ ଥିଲି ଅତ୍ୟନ୍ତ ଗରିବ, ଦୁଇବେଳା ଖାଇବାକୁ ମିଳୁନଥିଲା । ମୋ ପିତା ଜଣେ କାଠୁରିଆ ଅଟନ୍ତି । ମୁଁ ସେ କାମ କରି ଚଲୁଥିଲି । ଦିନେ ଆମ ଗାଁ ମୁଣ୍ଡରେ ବସବାସ କରୁଥିବା ଜଣେ ସାଧୁଙ୍କୁ ଭେଟି ସବୁ କଥା କହିଲି । ମୋ ଦୁଃଖ ଶୁଣି ସେ ମୋତେ ଏକ ଅତ୍ୟନ୍ତ ଗୁପ୍ତ ମନ୍ତ୍ର ପ୍ରଦାନ କଲେ । ଯାହା ଦ୍ୱାରା ମୁଁ ଦଶ ମାଇଲ ଭିତରେ ଥିବା ସମସ୍ତ ମୂଲ୍ୟବାନ ଦ୍ରବ୍ୟର ସନ୍ଧାନ କରି ପାରିବି । ଏପରିକି ମାଟିତଳେ ପୋତା ହେଇଥିବା ସୁନା, ରୁପା ଇତ୍ତ୍ୟାଦି ବହୁମୂଲ୍ୟ ଦ୍ରବ୍ୟ ବିଷୟରେ ଧ୍ୟାନ ଦ୍ୱାରା ଜାଣିପାରିବି । ମୁଁ ଏହି ସାଧନା ର ଲାଭ ପରୀକ୍ଷା କରିସାରିଛି ।

ବ୍ୟବସାୟୀ କହିଲେ ;

– ତୁମେ କାହିଁକି ମୋ ପାଖକୁ ଆସିଛ, ମୋର ଗୁପ୍ତଧନ ବିଷୟରେ କୌଣସି ଆଗ୍ରହ ନାହିଁ ।
–ମୁଁ ଆପଣଙ୍କ ମାଧ୍ୟମରେ ରାଜାଙ୍କୁ ଦେଖା କରିବାକୁ ଚାଁହୁଛି, ସେଥି ପାଇଁ ମୁଁ ଆପଣଙ୍କୁ ଏକ ସହସ୍ର ସ୍ଵର୍ଣ ମୁଦ୍ରା ପ୍ରଦାନ କରିବି, ଏହା କହି ଯୁବକ ଜଣକ ବ୍ୟବସାୟୀ ଙ୍କ ପାଖରେ ଏକ ଟଙ୍କା ଥଳି ରଖିଦେଲେ ।
ଆହୁରି କହିଲେ , ମୁଁ ଏସବୁ ସେହି ଗୁପ୍ତ ବିଦ୍ୟା ଦ୍ୱାରା ଲାଭ କରଛି । ମୁଁ ଆହୁରି ଗୁପ୍ତଧନ ଲାଭ କରି ରାଜାଙ୍କୁ ପ୍ରଦାନ କରିବାକୁ ଚାଁହୁଛି ।

ତେବେ ମୋର ସର୍ତ୍ତ ହେଲା ;

–ରାଜା ମତେ ସମ୍ପୂର୍ଣ ସୁରକ୍ଷ୍ୟା ପ୍ରଦାନ କରିବେ ଓ ମୁଁ ରାଜାଙ୍କୁ ପ୍ରାପ୍ତ ଧନର କେବଳ ଅଧା ପ୍ରଦାନ କରିବି ।
–ରାଜା ଜଣେ ଜିଜ୍ଞାସୁ ତଥା ଜ୍ଞାନୀ ବ୍ୟକ୍ତି, ସେ ତମ କଥାରେ ବିଶ୍ୱାସ କରି ନ ପାରନ୍ତି । ତେଣୁ ତାଙ୍କୁ ବିଶଦ ବିବରଣୀ ଦେବାକୁ ହେବ । ଯଥା ଆପଣଙ୍କୁ ସେହି ସାଧୁ ଏ ମନ୍ତ୍ର ବିଷୟରେ କିଛି ସତର୍କ ବାଣୀ ଶୁଣେଇଥିଲେ କି?
— ହଁ ସାଧୁ କହିଥିଲେ, ଏହି ମନ୍ତ୍ର କେବଳ ତିନିଥର କାମ କରିବ ଓ ଏହାଦ୍ୱାରା ପ୍ରାପ୍ତ ଧନ କାହାର ଅହୀତ ପାଇଁ ଖର୍ଚ୍ଚ କରାଯାଇ ପାରିବ ନାହିଁ । ରାଜାଙ୍କ ବିଶ୍ୱାସ ଭାଜନ ପାଇଁ ମୁଁ ତାଙ୍କ ସାମ୍ନାରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ଅଛି ।

–ତୁମେ କେତେଥର ଏହି ଗୁପ୍ତ ବିଦ୍ୟା ର ପରୀକ୍ଷା କରି ସାରିଲାଣି?
— ମୁଁ ଏହି ବିଦ୍ୟା ବହୁବାର ପରୀକ୍ଷା କରି ସାରିଲିଣି । ପ୍ରଥମେ ତିନିଥର ପରୀକ୍ଷା କରି ଅଳ୍ପ କିଛି ଧନ ଲାଭ କରିଥିଲି । କିଛିଦିନ ପରେ ଉତ୍ସୁକତା ବଶତଃ ମୁଁ ଥରେ ପରୀକ୍ଷା କରି ଦେଖିଲି, ଜାଣିଲି ସାଧୁ ଯାହା କହିଥିଲେ ଭୁଲ, ତିନିଥର ପରେ ମନ୍ତ୍ରର ପ୍ରଭାବ କମ ହେଉନାହିଁ ।

ଏସବୁ ଶୁଣିବା ପରେ ବ୍ୟବସାୟୀ ରାଜି ହେଲେ, କହିଲେ;
— ମୁଁ ରାଜାଙ୍କ ସହ ତୁମ ଓ ତୁମର ସର୍ତ୍ତ ବିଷୟରେ କଥା ହେବି । ତୁମେ ତିନି ଦିନ ପରେ ମୋ ପାଖକୁ ଆସ ।

ତିନି ଦିନ ପରେ ବ୍ୟବସାୟୀ ରାଜାଙ୍କ ନିଷ୍ପତି ଜଣେଇଲେ । ……..ଉଭୟ ରାଜାଙ୍କ ପାଖକୁ ଗଲେ । ସେଠି ପରୀକ୍ଷା ହେଲା, ଯୁବକଙ୍କ କଥା ସତ ହେଲା । ରାଜା ଯୁବକଙ୍କୁ ରହିବା ପାଇଁ ଏକ ସ୍ୱତନ୍ତ୍ର ଘର ଦେଲେ । ଏମିତି କିଛିମାସ ବିତିଗଲା, ଯୁବକ ରାଜଧାନୀ ପାଖରୁ ଅନେକ ଗୁପ୍ତଧନ ବାହାର କଲେ । ରାଜା ମଧ୍ୟ କଥା ଅନୁସାରେ ସେଥିରୁ ଅଧା ସଂପତ୍ତି ଯୁବକଙ୍କୁ ଦେଉଥାନ୍ତି । ଏ ଖବର ରାଜ୍ୟ ସାରା ବ୍ୟାପିଗଲା । ଯେଉଁଠି ଗୁପ୍ତଧନ ପାଇଁ ପୂଜା ହେଉଥିଲା, ସେଠାରେ ପ୍ରବଳ ଭିଡ ହେଲା । ଯୁବକଙ୍କୁ ଆବଶ୍ୟକ ସୁରକ୍ଷ୍ୟା ଯୋଗେଇ ଦିଆଗଲା । ସେ ଅଳ୍ପ ସମୟରେ ରାଜଧାନୀର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ହେଇଗଲେ ।

ଏ ଭିତରେ ଆସିଲା ଏକ ଚମକପ୍ରଦ ଖବର । ଜଣେ ଗୁପ୍ତଚର ଖବର ଦେଲେ, କିଛି ବର୍ଷ ପୂର୍ବେ ରାଜ୍ୟ ସୀମାନ୍ତ ଜଙ୍ଗଲରେ ରହୁଥିଲେ ଏକ ଦସ୍ୟୁ ଦଳ । ଦିନେ ତାଙ୍କ ଭିତରେ ଲାଗିଲା ପ୍ରବଳ ଗଣ୍ଡଗୋଳ । ଗଣ୍ଡଗୋଳରେ ପ୍ରାୟ ସମସ୍ତେ ଆହତ ହେଲେ । ସେଦିନ ରାତିରେ ଦସ୍ୟୁ ସର୍ଦାର ସମସ୍ତଙ୍କୁ ବୁଝେଇବା ପାଇଁ ଏକ ସଭା ଆୟୋଜନ କଲା । କେହି ବୁଝିଲେ ନାହିଁ , ସଭା ଅସମାପ୍ତ ରହିଲା । କିନ୍ତୁ ସଭା ପରେ ଏକ ବଡ ଭୋଜି ଆୟୋଜନ କରା ଯାଇଥିଲା, ଖାଇବା ସାଙ୍ଗକୁ ମଦ୍ୟପାନ ବ୍ୟବସ୍ତା ହେଇଥିଲା । ରାତିରେ ପ୍ରବଳ ମଦ୍ୟପାନ କରି ସମସ୍ତେ ଶୋଇପଡିଲେ । ସକାଳୁ କିନ୍ତୁ ଉଠିଲେ କେବଳ ସର୍ଦାର । କଥାହେଲା , ସର୍ଦାର ଅନୁଭବ କଲେ ଦଳର ସଦସ୍ୟ ମାନେ ତାଙ୍କ ନିୟନ୍ତ୍ରଣ ରେ ରହୁ ନାହାନ୍ତି । ତେଣୁ ବିଷ ପ୍ରୟୋଗ କରି ସମସ୍ତଙ୍କୁ ହତ୍ୟା କଲେ । ତାପରେ ବର୍ଷ ବର୍ଷ ଧରି ଲୁଣ୍ଠନ ହୋଇଥିବା ଧନକୁ ଧରି ଏକ ଗୁମ୍ଫା ଭିତରକୁ ଚାଲିଗଲେ । କିନ୍ତୁ ପୂର୍ବଦିନ ଗଣ୍ଡଗୋଳରେ ସେ ନିଜେ ଆହତ ହେଇଥିଲେ । ତେଣୁ କିଛିଦିନ ପରେ ନିଜେ ମୃତ୍ୟୁ ପ୍ରାପ୍ତ ହେଲେ । ଏ କଥା ଜଣାପଡିଲା ଯେତେବେଳେ ସେ ଇଲାକାରେ ଆଉ ଲୁଣ୍ଠନ ହେଲାନାହିଁ । କିନ୍ତୁ କେଉଁ ନିର୍ଦ୍ଧିଷ୍ଟ ଗୁମ୍ଫାରେ ସେ ସବୁ ଲୁଣ୍ଠିତ ଧନ ରଖିଛନ୍ତି ତାହା ଜଣାନାହିଁ । କୁହା ଯାଉଛି ସେଠି ଗଛିତ ଧନର ପରିମାଣ ରାଜକୋଷର ଅଧାଅଧି ହେବ ।

ଏହାପରେ ଏକ ଉଚ୍ଚ ସ୍ତରୀୟ ସଭା ହେଲା , ସେଥିରେ ଯୁବକକୁ ଡାକି ପଚରାଗଲା , ତୁମେ କଣ ସାଧନା ବଳରେ ନିର୍ଦ୍ଧିଷ୍ଟ ସ୍ଥାନ କହି ପାରିବ । ସେ କହିଲେ , ନିଶ୍ଚୟ ପାରିବି । କିନ୍ତୁ ମହାରାଜ , ପୂର୍ବ ଅପେକ୍ଷା ଏଥରକ ଗୁପ୍ତଧନ ପରିମାଣ ଯଥେଷ୍ଟ ଅଧିକ । ତେଣୁ ମୁଁ ଅନୁରୋଧ କରୁଛି , ମୋ ଭାଗ ବ୍ୟଥିତ ମୋତେ ପାଞ୍ଚଖଣ୍ଡ ଗାଁ ଜମିଦାରୀ ପ୍ରଦାନ କରାଯାଉ । ଟିକେ ଚିନ୍ତା କରି ରାଜା କହିଲେ ‘ ଠିକ ଅଛି ‘ ।
***
ନିର୍ଦିଷ୍ଟ ଦିନ ପ୍ରବଳ ଉତ୍ସାହ ସହ ରାଜ-ପରିଷଦ ଉକ୍ତ ଜଙ୍ଗଲକୁ ଗଲେ । ପୂଜା ଆରମ୍ଭ ହେଲା , ପୂଜା ପରେ ଯୁବକ କେତେକ ରକ୍ଷୀ ସହ ଗୁପ୍ତଧନ ଆଣିବାକୁ ଗଲେ । ବାକି ସମସ୍ତେ ଅପେକ୍ଷ୍ୟା ଓ ଉତ୍କଣ୍ଠାରେ ରହିଲେ, କେତେବେଳେ ଗୁପ୍ତଧନ ସବୁ ଆସିବ । ବହୁ ଅପେକ୍ଷ୍ୟା ପରେ ଆସିଲା ଏକ ଅବିଶ୍ୱାସନୀୟ ଖବର । ଅନେକ ଗୁପ୍ତଧନ ମିଳିଲା, କିନ୍ତୁ ଶେଷଥର ଗୁମ୍ଫା ଭିତରକୁ ଗଲାବେଳକୁ ଉତ୍ତର ପୂର୍ବ ଦିଗରୁ ଆସିଲା ଏକ ଝଡ ସଦୃଶ୍ୟ ପବନ । କାହାକୁ କିଛି ଦେଖା ଗଲା ନାହିଁ, ହଠାତ ପଥର ଖସି ଗୁମ୍ଫା ଦ୍ୱାର ବନ୍ଦ ହୋଇଗଲା । ଦ୍ୱାର ଖୋଲିବା ଚେଷ୍ଟା ବିଫଳ ହେଲା, ଯୁବକ ସବୁଦିନ ପାଇଁ ତା ଭିତରେ ରହିଗଲେ ।
***
ଏ ଭିତରେ ଅନେକ ଦିନ ବିତିଗଲା, କିନ୍ତୁ ବ୍ୟବସାୟୀଙ୍କ ମନରୁ କିଛି ସନ୍ଦେହ ଯାଉ ନ ଥାଏ କିମ୍ବା ମନରେ ଶାନ୍ତି ଆସୁ ନ ଥାଏ । ଦିନେ ସେ କାହାକୁ କିଛି ନ ଜଣାଇ, ଯୁବକଙ୍କ ନିଜ ଗାଁକୁ ଯାତ୍ରା କଲେ । ଉଦ୍ଦେଶ୍ୟ ଥିଲା ଗୁପ୍ତଧନ ମନ୍ତ୍ର ପ୍ରଦାନକାରୀ ସେହି ସାଧୁଙ୍କୁ ଭେଟି ସନ୍ଦେହ ମୋଚନ କରିବା । ବହୁ ପଚରା ପଚାରି ପରେ ସାଧୁଙ୍କ ଭେଟ ହେଲାନାହିଁ । ଫେରି ଆସିବା ବେଳେ ଗାଁ ମୁଣ୍ଡରେ ଜଣକ ଘରେ କିଛି ସମୟ ବିଶ୍ରାମ କଲେ । ଗୃହସ୍ୱାମୀ ଜଣା ପଡୁଥାନ୍ତି, ଅତ୍ୟନ୍ତ ଦୀପ୍ତିମନ୍ତ୍ୟ । ଭାବିଲେ ତାଙ୍କୁ ଥରେ ସାଧୁଙ୍କ ଠିକଣା ପଚାରିବେ ।
ସବୁ ଶୁଣିବା ପରେ ସାଧୁ କହିଲେ । ମୁଁ ହିଁ ହେଉଛି ସେହି ସାଧକ, ଯାହାକୁ ଗୁପ୍ତଧନ ର ମନ୍ତ୍ର ଜଣା । ଆପଣଙ୍କ କଣ ସନ୍ଦେହ ଅଛି କୁହନ୍ତୁ ।

ଏ କଥା ଶୁଣି ବ୍ୟବସାୟୀ ଆଶ୍ଚର୍ଯ୍ୟ ହେଲେ , ଯାହାକୁ ଗୁପ୍ତଧନ ର ରହସ୍ୟ ଜଣା ସେ ପୁଣି ଏପରି ଦୟନୀୟ ଅବସ୍ଥାରେ କାହିଁକି ରହୁଛି । ସେ କହିଲେ , ହେ ମହାତ୍ମା, ବହୁ ଚେଷ୍ଟା ପରେ ମୁଁ ଆପଣ ଙ୍କୁ ପାଇଛି , ମୋର ତିନୋଟି ପ୍ରଶ୍ନ ଅଛି , ଦୟାକରି ତାର ଉତ୍ତର ଦିଅନ୍ତୁ ।

ସାଧୁଙ୍କ ଅନୁମତି ପରେ ବ୍ୟବସାୟୀ ଚାଣ୍ଡୁକ ପଚାରିଲେ ।

ପ୍ରଥମ ପ୍ରଶ୍ନ ହେଲା : ଆପଣଙ୍କୁ ଯଦି ଗୁପ୍ତଧନ ର ମନ୍ତ୍ର ଜଣା , ଆପଣ କେମିତି ଜାଣିପାରିଲେ ନାହିଁ , ଏହା ତିନିଥର ନୁହେଁ ବରଂ ଅନେକ ଥର ପ୍ରୟୋଗ କରା ଯାଇ ପାରିବ ?

ଦ୍ୱିତୀୟ ପ୍ରଶ୍ନ ହେଲା : ଯୁବକର ଏପରି ଅଦୃଶ୍ୟ/ଅପମୃତ୍ୟୁ ର କାରଣ କଣ ?

ତୃତୀୟ ପ୍ରଶ୍ନ ହେଲା: ଆପଣଙ୍କୁ ଯଦି ଗୁପ୍ତଧନ ରହସ୍ୟ ଜଣା ଆପଣ କାହିଁକି ଏ ଦୁଃସ୍ଥ ଅବସ୍ଥାରେ ରହୁଛନ୍ତି ?

ସାଧୁ ଉତ୍ତର ଦେଲେ,
–ମତେ ସେହି ମନ୍ତ୍ର ର ବିଧି ଜଣା ନାହିଁ ତୁମେ ଏ କଥା ଭାବିବା ଭୁଲ । ଯେତେବେଳ ସେ କାଠୁରିଆ ର ପୁତ୍ର ଏଠିକି ଆସିଲା ତାର ଅବସ୍ଥା ଦେଖି ମୋର ଦୟା ହେଲା, ମୁଁ ଚାଁହୁଥିଲି ଖାଇବାକୁ ପାଉ ନଥିବା ଜଣେ ଗରିବ କିଛି ଧନ ସଂପତ୍ତି ଲାଭକରୀ ଆରାମରେ ରହୁ । ମାତ୍ରାଧିକ ଧନ ସଂପତ୍ତି ମଣିଷକୁ ବିପଥଗାମୀ କରେ, ତେଣୁ ମୁଁ ଚାହୁଁ ନଥିଲି ସେ ବାରମ୍ବାର ମନ୍ତ୍ରର ଉପୋଯୋଗ / ଦୂରପଯୋଗ କରୁ । ତେଣୁ ତାକୁ ସତର୍କ କରିବାକୁ କହିଥିଲି ଏହା ମାତ୍ର ତିନିଥର ପ୍ରୟୋଗ କରିବାକୁ । ସେ ଲୋଭରେ ପଡି ମୋ କଥା ମାନିଲା ନାହିଁ, ଫଳ କଣ ହେଲା ତମେ ଦେଖିଲ ।

ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଲା: ସେ ଯୁବକ ଅଦୃଶ୍ୟ ହେଇନାହିଁ କିମ୍ବା ତାର ଅପମୃତ୍ୟୁ ହୋଇନାହିଁ , ହୁଏତ ତାକୁ ହତ୍ୟା କରା ଯାଇଛି । ସେ ମାତ୍ରାଧିକ ଲୋଭି ଥିଲା । ତମେ କହିବା ଅନୁସାରେ ସେ ପାଞ୍ଚ ଖଣ୍ଡ ଗାଁ ର ଜମିଦାରୀ ମାଗିଥିଲା । ଏଥିରୁ ଜଣା ପଡୁଛି ସେ କେବଳ ଧନ ଲୋଭି ନ ଥିଲା, ସେ କ୍ଷମତା ଲୋଭି ବି ଥିଲା । ଏ ଭଳି ଲୋକଙ୍କୁ ଆଜୀବନ କାରାବାସ କିମ୍ବା ମୃତ୍ୟୁଦଣ୍ଡ ଦେବାର ବିଧାନ ରହିଛି । ରାଜା ତାକୁ ଗୁପ୍ତଚର ଦ୍ୱାରା ହତ୍ୟା କରି ଉଚିତ କରିଛନ୍ତି । ଗୋଟିଏ ରାଜ୍ୟରେ ଦୁଇଟି କ୍ଷମତା କେନ୍ଦ୍ର ରହିବା ଅନୁଚିତ । ଏଭଳି ଲୋଭି ପାଖରେ କ୍ଷମତା ରହିଲେ ଅତ୍ୟାଚାରୀ ହେଇଯାନ୍ତି ।

ମୁଁ ଭାବୁଛି ତୁମେ ତୃତୀୟ ପ୍ରଶ୍ନ ର ଉତ୍ତର ପାଇ ସାରିଥିବା , ତଥାପି ବୁଝାଇ ଦେଉଛି । ଲୋଭ ହିଁ ମୃତ୍ୟୁ ର କାରଣ । ମୁଁ ଯଦି ମନ୍ତ୍ର ଦ୍ୱାରା ଥରେ ଧନଲାଭ କରିଥାନ୍ତି । ମୋର ଲୋଭ ବଢି଼ଥାନ୍ତା ଓ ଶେଷରେ ସେ ଯୁବକ ଭଳିଆ ଅବିଳମ୍ବେ ମୃତ୍ୟୁ ଲଭିଥାନ୍ତି । ଏବେ କଷ୍ଟରେ ହେଉ ବରଂ ଭଗବାନଙ୍କ ନାମ ନେଇ ଆରାମ ରେ ଅଛି ।

ସାଧୁ ପୁଣି କହିଲେ , ତୁମେ ମତେ ତିନୋଟି ପ୍ରଶ୍ନ ପଚାରିଲ , ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରୁଛି ତାର ଉତ୍ତର ଦିଅ ।

ପ୍ରଶ୍ନ ହେଲା : ଏବେ ମୁଁ ସେହି ମନ୍ତ୍ର ତୁମକୁ ଦେବାକୁ ଚାଁହୁଛି । ତୁମେ ସେ ସାଧନା କରିବାକୁ ପ୍ରସ୍ତୁତ କି ??

ବ୍ୟବସାୟୀ କହିଲେ, ହେ ମହାଭାଗ, ଆପଣଙ୍କ ଠାରୁ ଜ୍ଞାନ ପ୍ରାପ୍ତି ପରେ ମୋର ଆଉ କିଛି ଦରକାର ନାହିଁ । ଲୋଭ ଉପରେ ନିୟନ୍ତ୍ରଣ ପାଇବା ମୋ ଭଳିଆ ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ । ଆଉ କିଛି ସମୟ ରହିଲେ ହୁଏତ ମୋର ମନ ପରିବର୍ତ୍ତନ ହେଇ ଯାଇପାରେ । ମୁଁ ହୁଏତ ଆପଣଙ୍କ ପ୍ରସ୍ତାବରେ ରାଜି ହେଇ ଗୁପ୍ତଧନ ଲୋଭରେ ପଡି ଯାଇପାରେ । ତେଣୁ ମତେ ତୁରନ୍ତ ଯିବାକୁ ଅନୁମତି ଦିଅନ୍ତୁ ।

ସାଧୁ କହିଲେ ଆପଣ ବିଜ୍ଞ ଜଣା ପଡୁଛନ୍ତି , ଆପଣ ଆସିପାରନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top