ଗଳ୍ପ

କାଳି ଝିଅ

Anusuya Jena's odia story Kaali Jhia

ସେ ମୋର “ଡାଏମଣ୍ଡ” । କୋଇଲାରୁ ତ ଡାଏମଣ୍ଡ ବାହାରେ ନା । ଦେଖିବୁ, ସେ ମୋର ନାଁ ରଖିବ ।

କାଳି ଝିଅ

ଆଜି ରବିବାର । ସକାଳ ସାତ ଟା ବାଜିଗଲାଣି । ରାସ୍ତା ବାହାରେ ଗାଡି ମଟର ପେଁ ପାଁ ଶବ୍ଦ, ଚଢେଇଙ୍କର କିଚିରି ମିଚିରି ସବୁ ଆରମ୍ଭ ହେଇଗଲାଣି । ତଥାପି ନିଦ ଏଯାଏ ଭାଙ୍ଗିନି ପ୍ରୀତିର । ଦୁଇ ଦିନ ତଳେ ଶୁଭାଶିଷ ଆମଷ୍ଟରଡାମ ଗଲେ, ତିନି ମାସିଆ ଟ୍ରେନିଂ ପ୍ରୋଗ୍ରାମରେ । ଆଜି ପୁଅର ସ୍କୁଲ ଛୁଟି ଆଉ ତା’ର ବି କ୍ଳାସ ନାହିଁ । ମା’ ପୁଅ ଆରାମରେ ଏ.ସି. ଲଗେଇ ଚାଦର ଘୋଡେଇ ହୋଇ ଶୋଇଛନ୍ତି, ନିଧଡକ ହୋଇ । ଅନ୍ୟ ଦିନ ମାନଙ୍କରେ ତ ପାଞ୍ଚଟାରେ ନ ଉଠିଲେ ଚଳିବ ନାହିଁ, ଦୁନିଆ ଏପଟ ସେପଟ ହେଇଯିବ । ସକାଳୁ ବ୍ରେକ୍‌ଫାଷ୍ଟ ଆଉ ଲଞ୍ଚ ତିଆରି କରି , ପୁଅକୁ ରେଡି କରି ସ୍କୁଲ ପଠାଇ , ଶୁଭାଶିଷ ଆଉ ତା’ ନିଜ ପାଇଁ ଟିଫିନ୍‌ ପ୍ୟାକ୍‌ କରି, ସେଇ ଭିତରେ ଗାଧୁଆ, ପୂଜାପାଠ ସାରି ଦେଇ ୟୁନିଭର୍ସିଟି ପହଞ୍ଚିଲା ବେଳକୁ ଅଣନିଃଶ୍ଵାସୀ ହେଇ ଯାଏ ସେ । ଆଜି କିନ୍ତୁ ସେସବୁ କିଛି ନାହିଁ । ସବୁ ଦିନ ଭଳି ସକାଳ ପାଞ୍ଚଟାରେ ନିଦ ଭାଙ୍ଗିଥିଲେ ବି ଆଉ ଥରେ ଗାଲେଇ ଘୁମେଇବା ଭିତରେ ପୁଣି ଆଖି ଲାଗି ଯାଇଛି । ମୋବାଇଲ ଏଇ ଭିତରେ ଦୁଇ ଥର ବାଜି କଟି ସରିଲାଣି । ପୁଣି ଥରେ ମୋବାଇଲ ର ରିଂ ରେ ନିଦ ଭାଙ୍ଗିଲା ପ୍ରୀତିର । ଆଖି ମଳି ମଳି ମୋବାଇଲ କୁ ଦେଖିଲା କିଏ କଲ୍ କରୁଛି ବୋଲି । ଦେଖିଲା ଭାଇ ର କଲ୍, ଭୁବନେଶ୍ଵରରୁ । ଭାଇ ଏତେ ସକାଳୁ କାହିଁକି କଲ୍ କଲା ? ମୋବାଇଲ କୁ ଟିପି ହାଲୋ କହିଲା ବେଳକୁ ଭାଇ ର ସେପଟୁ ରୁକ୍ଷ ସ୍ଵର ।

– ତତେ ସକାଳୁ ତିନି ଥର ଫୋନ୍‌ କଲିଣି, ତୁ ରିସିଭ କରୁନୁ କାହିଁକି ? ହଉ ଶୁଣ ! ମାମା କାଲି ସକାଳ ନ’ ଟାରେ ହାୱଡାରେ ପହଞ୍ଚିଯିବ । ତୁ ତାକୁ ଷ୍ଟେସନ ରୁ ଆସି ନେଇଯିବୁ ।

– କିନ୍ତୁ…. ଭାଇ……… ମାମା ତ ଏବେ ଦୁଇ ମାସ ହବ ତମ ପାଖକୁ ଯାଇଛି………

– ହଁ…ଯେ… ତୁ ତ ଜାଣିଛୁ…. ତୋ ଭାଉଜ କି ମୋ ପାଖରେ ବିଲକୁଲ ସମୟ ନାହିଁ….. ତା’ ଛଡା ସୁମନର ଏବର୍ଷ ବୋର୍ଡ ଏକ୍ଜାମ … ସେ ଡିଷ୍ଟର୍ବ ହେବା ଠିକ ନୁହେଁ….

– କିନ୍ତୁ…. ଭାଇ……… ଶୁଭାଶିଷ ନାହାନ୍ତି, ବାହାରକୁ ଯାଇଛନ୍ତି । ତ’ ଛଡା ମୋର ସକାଳେ ୯.୩୦ ରେ କ୍ଳାସ ଅଛି, ପୁଣି ପୁଅକୁ ବି ସ୍କୁଲରେ ଛାଡିବାକୁ ପଡିବ । ମୁଁ ଏତେ ଶୀଘ୍ର କେମିତି ପହଞ୍ଚିବି ?

– ମୁଁ ସେ କଥା କିଛି ଜାଣିନି । ତୁ ୯ ଟା ପୂର୍ବରୁ ଷ୍ଟେସନ ପହଞ୍ଚିଯିବୁ । ଠିକ୍‌ ଅଛି ।

ଏତିକି କଥାରେ ଫୋନ୍‌ କାଟିଦେଲେ ଭାଇ – ପ୍ରୀତି ସେମିତି ବିଛଣା ରେ ବସି ଅତୀତ ପୃଷ୍ଠାକୁ ଲେଉଟାଇଲା….

ଭାଇ ବଡ, ତା’ଠାରୁ ଦଶ ବର୍ଷ ସାନ ପ୍ରୀତି…. ଜେଜେ ମା ତା’ର ନାମ ଦେଇଥିଲା ପ୍ରୀତିଲଗ୍ନ। ଆଉ ବାବା ଙ୍କର ଗେଲ୍ହେଇ ଝିଅ “ଡାଏମଣ୍ଡ” । ଭାଇ ମାମା ଭଳି ତକ ତକ ଗୋରା । ବାବା ଗୋରା ନହେଲେ ବି ଗହମ ରଙ୍ଗ । କିନ୍ତୁ ପ୍ରୀତି କଳା କେମିତି ହେଲା , ସେଇଟା ଗୋଟେ ପ୍ରଶ୍ନବାଚୀ । ଭାଇ ଯେତେବେଳେ ମାମୁଁ ପୁଅ ଭାଇ ମାନଙ୍କ ସହିତ ମିଶିଯାଏ, ସମସ୍ତେ ଏକାଠି ହୋଇ ଥଟ୍ଟାରେ ତା’ ନାଁ ର ପ୍ରତିଶବ୍ଦ ସବୁ ଦିଅନ୍ତି : ପେତେରି, କୋତରି, ପେତିନୀ ଇତ୍ୟାଦି । ଭାଇ ପୁଣି ବେଳେ ବେଳେ କହେ : ତୁ ମେଡିକାଲରେ ବଦଳ ହେଇ ଯାଇଛୁ । ମୋର ଗୋଟିଏ ଗୋରୀ ଭଉଣୀ ଜନ୍ମ ହେଇଥିଲା, ନର୍ସ ବଦଳେଇଦେଇଛି । ଭାଇ କଥାରେ ମୁରୁକି ହସି ଦେଇ ମାମା ସମର୍ଥନ କରେ ଯେମିତି । କିନ୍ତୁ ଏତିକି କଥାରେ ଭେଁ ଭେଁ ହେଇ କାନ୍ଦି ଉଠେ ପ୍ରୀତି । ବାବା ରାଗିକି ଚିହିଙ୍କି ଉଠନ୍ତି । କୁହନ୍ତି- ତା’କୁ ଏମିତି କାହିଁକି କହୁଚୁ ? ସେ ମୋର “ଡାଏମଣ୍ଡ” । କୋଇଲାରୁ ତ ଡାଏମଣ୍ଡ ବାହାରେ ନା । ଦେଖିବୁ, ସେ ମୋର ନାଁ ରଖିବ ।

ପ୍ରାୟ ସବୁବେଳେ ତା’ ରଙ୍ଗ କୁ ନେଇ ଟାହି ଟାପରା କରେ ଭାଇ । ଆଉ ମାମୁଁ ଘର ଲୋକ ଯଦି କିଏ ଆସିଲେ , ତା’ହେଲେ ଆଲୋଚନା, ବିଶ୍ଳେଷଣ ଆଉ ତର୍ଜମା ଆହୁରି ବଢିଯାଏ । ବଡ ମାଉସୀ ଗର୍ବରେ କହେ: “ଆମ ଘରେ ସମସ୍ତେ ଆଉଟା ସୁନା ଭଳି ଚକ୍‌ ଚକ୍‌ । କେଜାଣି , ତମ ଏପଟ ବଂଶରେ କିଏ କାଳିଆ ହେଇଥିବ, ପ୍ରୀତି ତା’ରଙ୍ଗ ଆଣିଛି । “ ଏଇ ସବୁ କଥା କଣ୍ଟା ଭଳି ଗଳି ଯାଏ ପ୍ରୀତିର କଁଳିଆ ମନରେ । ହେଲେ , ଜେଜେମା ରାଗି ଯାଇ କଡା କରି ଦି’ପଦ ଶୁଣାଇଦିଏ ମାଉସୀକୁ । ମାଉସୀ ଘରୁ ଗଲାପରେ ଶାଶୁ ବୋହୁଙ୍କର ଗୋଟିଏ ଅଧ୍ୟାୟ ଆରମ୍ଭ ହେଇଯାଏ, ଜେଜେମା ବଡ ପାଟିରେ କହେ : ସେ କିଏ ସେ ମୋ ନାତୁଣୀ କୁ କାଳି କହିବାକୁ, ପ୍ରତ୍ୟୁତ୍ତରରେ ମାମା ତା’ ଭଉଣୀକୁ ସମର୍ଥନ କରି କହେ ଯେ କଣ ହେଲା ? “ଦେଈ” କଣ ଭୁଲ କହିଛି ? ମାମାର କଥାରେ ଆଖି ଛଳ ଛଳ ହେଇଯାଏ ପ୍ରୀତିର । ରାତିରେ ଜେଜେମା ପାଖରେ ଶୋଇଲା ବେଳେ ତାକୁ ପଚାରେ : “ମା” , ମୁଁ କେମିତି କଳା ହେଲି ?” ଜେଜେମା ତାକୁ କୋଳେଇ ନେଇ କାନ୍ଥରେ ଟଙ୍ଗା ହେଇଥିବା ଫୋଟୋ ଦେଖାଇ କହେ : ଦେଖିଲୁ ଜଗା କାଳିଆ କୁ । କେଡେ ତ୍ରିପଣ୍ଡ କାଳିଆ ହେଇଛି, କିନ୍ତୁ ସାରା ଜଗତର ଠାକୁର ତ ସେଇ । ତା’କୁ ତୁ ଭକ୍ତି କର, ସବୁବେଳେ ମୁଣ୍ଡିଆ ମାରେ, ଦେଖିବୁ ତତେ ସିଏ ବହୁତ ଭଲରେ ରଖିବ, ରାମଚନ୍ଦ୍ର ଭଳି ତୋ ଜୋଇଁ ହବ । ତୋର କିଛି ଅସୁବିଧା ହବନି । ଜେଜେମା କଥାରେ ଆଶ୍ଵସ୍ତି ପାଇ ତା’ ଲୁଗା କାନି ରେ ମୁହଁ ଘୋଡାଇ ଶୋଇଯାଏ ପ୍ରୀତି ।

ଘର ବାହାରକୁ ବାହାରିଲେ ପ୍ରୀତି ପାଇଁ କିନ୍ତୁ ଏଇ କଳା ରଙ୍ଗ ଟି କିଛି ବି ମାନେ ରଖେନି । ସାଙ୍ଗ ସାଥି, ସାହି ପଡିଶା, ବନ୍ଧୁ ବାନ୍ଧବ, ସମସ୍ତଙ୍କ ପାଖରେ ସେ ଖୁବ ହସକୁରୀ, ମିଶାଣିଆ ଝିଅ ଟିଏ । ପାଠ ସାଙ୍ଗରେ ଶାଠ ରେ ବି ପାରଙ୍ଗମ ବୋଲି ସମସ୍ତେ ତାକୁ ବହୁତ ଆଦର କରନ୍ତି । ଯେଉଁଦିନ ମେଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଲା, ସେଦିନ ବାବାଙ୍କର ଖୁସି କହିଲେ ନ ସରେ । ବାବା ସବୁ ବନ୍ଧୁବାନ୍ଧବ ମାନଙ୍କୁ ଫୋନ୍‌ କରି ତାଙ୍କ ଖୁସି ଜଣାଇପକାଇଲେ । ଜେଜେ’ମା ଅନେକ ଆଶୀର୍ବାଦ ଦେଲା , ମାମା ଅବଶ୍ୟ ସେ ଦିନ ଟିକିଏ ଖୁସି ଥିଲା ଭଳି ଜଣା ଯାଉଥିଲା, ସେ ନିଜେ ଫୋନ୍‌ କରି ତା’ ବଡ ଭଉଣୀ ଆଉ ଭାଇ ମାନଙ୍କୁ ପ୍ରୀତି ରେଜଲ୍ଟ ବିଷୟରେ ଖବର ଦେଇଥିଲା ।

+୨ ରେ ଭଲ ନମ୍ବର ରଖି ପାସ କରିବା ପରେ ବାବା କହିଥିଲେ ମୋ ଝିଅ ଫିଜିକ୍ସ ଅନର୍ସ ନେଇ ପଢିବ ଆଉ ପି ଜି , ପି ଏଚ ଡି କରି ଆଗକୁ ଯାଇ ମୋ ଭଳି ପ୍ରଫେସର ହବ । ବାବାଙ୍କ କଥାରେ ଖୁବ ଖୁସିହେଇ ଯାଇଥିଲା ପ୍ରୀତି । ମନ ଧ୍ୟାନ ଦେଇ ଲାଗିଥିଲା ବାବା ଙ୍କ ସ୍ଵପ୍ନ ସାକାର କରିବ ବୋଲି । କିନ୍ତୁ ଥାର୍ଡ ଇୟର ଆରମ୍ଭ ହେଲା ବେଳକୁ ମାମା ବାବାଙ୍କ ପାଖରେ ପ୍ରୀତିକୁ ନେଇ ଏକ ପ୍ରକାର ଝଗଡା ଆରମ୍ଭ କରିଦେଇଥିଲା। : ଯେତେ ଶୀଘ୍ର ସମ୍ଭବ ପ୍ରୀତିର ବାହାଘର କରିଦେବା ପାଇଁ । । ତା’ ଚିନ୍ତାଧାରାକୁ ଇନ୍ଧନ ଯୋଗଉଥିଲା ତା’ର ବଡ ଭଉଣୀ । ସେ ମାମାକୁ ଶିଖାଉଥିଲା : କାଳି ଝିଅ ର ବୟସ ଗଡିଗଲେ ଆଉ କିଏ ବାହା ହବ ? ପାଠ କଣ ସ୍ଵର୍ଗ କୁ ନବ ? ସେ ବାହାଘର ପରେ ତା’ ଶାଶୁଘର ଅନୁମତି ନେଇ ପାଠ ପଢିଲେ ଅସୁବିଧା କଣ ? ଆମ ମୁଣ୍ଡ ରୁ ତ ଚିନ୍ତା ଯିବ ନା !!! ବାବା ମାମାର ଏଇ ଯୁକ୍ତି ର କଣ ଉତ୍ତର ଦେବେ ତାହା ଖୋଜି ହଉଥିଲେ ।

ଥାର୍ଡ ଇୟର ପରୀକ୍ଷା ଆରମ୍ଭ ହେଉ ହେଉ ପ୍ରୀତିର ଆଉ ଗୋଟିଏ ପରୀକ୍ଷା ଆରମ୍ଭ ହେଇଗଲା – ଝିଅ ଦେଖା ପରୀକ୍ଷା । ବାବା ଅନେକ ମନା କରିବା ସତ୍ତ୍ୱେ ମଧ୍ୟ ମାମା ତା ଜିଦ୍‌ରେ ଅଟଳ ଥିଲା । ଆଉ ଏବେ ମାମା ସହିତ ଭାଉଜ ମଧ୍ୟ ତାକୁ ପର ଘରକୁ ବିଦା କରିବାରେ ତତ୍ପର ଥିଲେ । ପ୍ରାୟ ରବିବାର ହେଲେ କେହି ନା କେହି ଝିଅ ଦେଖା କୁଣିଆ ଘରେ ଆସି ପହଞ୍ଚି ଯାଉଥିଲେ । ଭାଉଜ ତାଙ୍କର ଫିକା ରଙ୍ଗର ଶାଢୀ ଆଲମାରୀରୁ କାଢି ପ୍ରୀତିକୁ ପିନ୍ଧାଇବାବେଳେ କହୁଥିଲେ : ଦେଖିଲ, ମୋର ପ୍ରାୟ ସବୁ ଡିପ କଲର ଶାଢୀ । ମତେ ସିନା ଡିପ କଲର ସୁଟ କରୁଛି, ହେଲେ ତମକୁ ତ ଲାଇଟ କଲର ଶାଢୀ ଦରକାର ନା । ନହେଲେ ବେଶୀ କାଳି ଦେଖାଯିବ । ମାମାଙ୍କୁ କହି ତମ ପାଇଁ ଆଉ ୨-୪ ଟା ଲାଇଟ କଲର ଶାଢୀ ଆଣିଲେ ହବ । ଭାଉଜଙ୍କର ଖେଣ୍ଟା କଥାରେ ଭିତରୁ ବାହାରି ଆସୁଥିବା କୋହକୁ ଚାପି କୁଣିଆ ମାନଙ୍କ ପାଖକୁ ଆସୁଥିଲା ପ୍ରୀତି । ବଡ ମାଉସୀ କିମ୍ବା ମାଇଁ ନହେଲେ ମାମା ନିଜେ ତା’ର ସୁଗୁଣ ସବୁ ବର୍ଣ୍ଣନା କରୁଥିଲେ: ବହୁତ ଭଲ ପାଠ ପଢୁଛି, ଇଣ୍ଡିଆନ, କଣ୍ଟିନେଣ୍ଟାଲ, ଚାଇନୀଜ ସବୁ ରୋଷେଇ ଜାଣିଛି, ଡ୍ରାଇଭିଙ୍ଗ ଶିଖିଛି, ଭଲ ଲେଖାଲେଖି କରେ ଇତ୍ୟାଦି… ଇତ୍ୟାଦି… ଯେମିତି ଭଲରେ ବିକ୍ରି କରିବା ପାଇଁ ଦୋକାନୀମାନେ ନିଜ ଜିନିଷ ର ପ୍ରଶଂସା କରନ୍ତି ! କୁଣିଆମାନେ ଜଳଖିଆ ଖାଇ , ଗପ କରି ଚାଲି ଯାଉଥିଲେ ଆଉ ପରେ ପ୍ରସ୍ତାବ ଉପରେ ନାସ୍ତି ବାଣୀ ଶୁଣାଇ ଦେଉଥିଲେ । ପ୍ରସ୍ତାବ ନାକଚ ହେଲା ପରେ ମାମା ସେଇ କଳା ରଙ୍ଗ କୁ ନେଇ ବାହୁନୁ ଥିଲା , ଘରର ବାତାବରଣ ସେଦିନ ଗୁମ୍ସୁମ ହେଇଯାଉଥିଲା । ଦିନେ ସାହସ ବାନ୍ଧି ପ୍ରୀତି ବାବାଙ୍କ ପାଖକୁ ଯାଇ କହିଥିଲା : “ବାବା , ପ୍ଳିଜ, ମତେ ଆଉ ଦୁଇ-ତିନି ବର୍ଷ ସମୟ ଦିଅ, ମୁଁ ପି ଜି କମ୍ପ୍ଲିଟ କରି ଗେଟ କ୍ୱାଲିଫାଇ କରିବାକୁ ଚାହୁଁଛି “। ଏତିକି କଥା ମଧ୍ୟରେ ସେ ରୁମକୁ ପଶି ଆସିଲା ମାମା। କହିଲା : ତୁ କଣ ଭାବୁଛୁ ତୋ ବାହାଘର ଏତେ ଶୀଘ୍ର ହେଇଯାଉଛି , ୧୦-୨୦ ପ୍ରପୋଜାଲ ପଡିଲେ କିଏ ଗୋଟିଏ ରାଜି ହେବ ସିନା । ଏବେଠୁ ଦେଖାଦେଖି ନକଲେ କେମିତି ହବ ? ବାବା କିନ୍ତୁ ସେଦିନ ଖୁବ୍‌ ରାଗି ଯାଇଥିଲେ ମାମା ଉପରେ ଆଉ ଚରମ ବାଣୀ ଶୁଣାଇଥିଲେ ଯେ ପି ଜି କମ୍ପ୍ଲିଟ ନକରିବା ଯାଏ ଆଉ ଝିଅ ଦେଖିବା ପାଇଁ କେହି ଯେପରି ଘରକୁ ନ ଆସନ୍ତି ।

ପ୍ରୀତି ର ପି.ଜି. ଫାଇନାଲ୍‌ ପରୀକ୍ଷା ଆଉ ସପ୍ତାହେ ଥିଲା, ହଠାତ ଦିନେ ରାତିରେ ବାବାଙ୍କ ଦେହ ଖରାପ ହେଇଗଲା। ଭାଇ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଗଲା । କାର୍ଡିଆକ ଟେଷ୍ଟ ପରେ ଡକ୍ଟର କହିଲେ ମାଇଲ୍ଡ ଷ୍ଟ୍ରୋକ ଦେଇଛି, ବ୍ୟସ୍ତ ହୁଅନ୍ତୁ ନାହିଁ, କିନ୍ତୁ ସତର୍କ ରୁହନ୍ତୁ । ବାବା ଘରକୁ ଫେରିଲେ । ପ୍ରୀତି ବାବାଙ୍କର ଯଥା ସମ୍ଭବ ଯତ୍ନ ନେଲା । ଦିନେ ବାବା ତା’ ମୁଣ୍ଡରେ ହାତ ବୁଲାଇ ଆଣି କହିଲେ : ମୋର କିଛି ହବନି । ତୁ ବ୍ୟସ୍ତ ହବା ଦରକାର ନାହିଁ । ପାଠପଢାରେ ମନ ଦେ” । ଦୁଇ ଚାରି ଦିନ ପରେ ବାବାଙ୍କର ପିଲା ଦିନ ସାଙ୍ଗ ଶରତ ମଉସା ଖବର ପାଇ ଆସି ପହଞ୍ଚିଲେ । ଦୁଇ ବନ୍ଧୁ ଘଣ୍ଟାଏ କାଳ ସୁଖ ଦୁଃଖ ହେଲେ । ଶରତ ମଉସା କହିଲେ : “ଆରେ ! ରିଟାୟାର୍ଡମେଣ୍ଟ ପରେ ବେଳେ ବେଳେ ଏମିତି ଦେହ ଖରାପ ହବା କିଛି ନୂଆ କଥା ନୁହେଁ । ତୁ ବୋଧେ କିଛି ଅଯଥା କଥା ଚିନ୍ତା କରୁଛୁ । ମୁଁ ଭାବୁଛି , ତୁ ଏବେ ଝିଅ ବାହାଘର ବିଷୟ ରେ ଧ୍ୟାନ ଦେ । ଏଇ ବର୍ଷେ ଭିତରେ ପ୍ରୀତିର ବାହାଘର ସାରିଦେଲେ ଭଲ । ଯଦି ରାଜି ହବୁ ତ ମୋ ପାଖରେ ଗୋଟିଏ ଭଲ ପ୍ରସ୍ତାବ ଅଛି । ତୁ ଅମଙ୍ଗ ହବାର ପ୍ରଶ୍ନ ଉଠୁନି । ପିଲାଟି ଭାରି ଭଲ, ଯାଦବପୁର ୟୁନିଭର୍ସିଟି ରେ ମେକାନିକାଲ ଇଞ୍ଜିନିୟରିଂରେ ଆସିଷ୍ଟାଣ୍ଟ ପ୍ରଫେସର ଅଛି । ସେ ମୋ ବଡ ଶଳାଙ୍କର ସାଙ୍ଗର ପୁଅ । ଘରେ କଥା ହେଇ ମତେ ଜଣାଇବୁ “। ଶରତ ମଉସା ଯିବା ପରେ ବାବା ପ୍ରୀତିକୁ ଡାକିଲେ । ରୁଦ୍ଧ କଣ୍ଠସ୍ଵରରେ କହିଲେ: ମତେ ଭୁଲ ବୁଝିବୁନି ମା ! ତୁ ଅଧିକ ପାଠ ପଢି ଆଗକୁ ଯିବୁ ବୋଲି ସବୁବେଳେ ଚାହୁଁଥିଲି । କିନ୍ତୁ ଏବେ ଭାବୁଛି ମୋ ଥିବା ଅବସ୍ଥାରେ ତତେ ଭଲ ପାତ୍ର ଦେଖି ବାହା କରିଦବା ଠିକ୍‌ ହେବ । ଦେଖ୍‌ ! ଆଗକୁ ଯଦି ତୋ ଭାଗ୍ୟରେ ଥିବ, ତୁ ତୋ ପଢା ଜାରି ରଖିପାରିବୁ “ । ଛଳ ଛଳ ଆଖିରେ ବାବାଙ୍କୁ କୁଣ୍ଢେଇ ପକାଇଲା ପ୍ରୀତି । ସେ ବାବାଙ୍କର ନିଃସହାୟତା ଠିକ ବୁଝିପାରୁଥିଲା । ମାମାର ମୁହଁବଢା ଯୋଗୁଁ ଭାଇ ଓ ଭାଉଜଙ୍କର ଦିନକୁ ଦିନ ବଢୁଥିବା ଔଦ୍ଧତ୍ୟ ମଧ୍ୟ ତା’ ପାଇଁ ଅସହନୀୟ ଥିଲା । କହିଲା : “ବାବା, ମୁଁ ଜାଣିଛି, ତମେ ସବୁବେଳେ ମୋ ପାଇଁ ଠିକ୍‌ ନିଷ୍ପତ୍ତି ନେବ । ମୋର ତମ କଥାରେ କେବେ କୌଣସି ଆପତ୍ତି ନଥିଲା କି ଆଜି ବି ନାହିଁ “। ପ୍ରୀତି ର ସମ୍ମତି ପାଇ ବାବା ଶରତ ମଉସାଙ୍କୁ ଖବର ଦେଲେ ।

ଯେଉଁ ଦିନ ତା’ର ପରୀକ୍ଷା ସରିଗଲା, ତା ପରଦିନ ଶରତ ମଉସା ଙ୍କ ସହିତ ତିନି, ଚାରି ଜଣ ଭଦ୍ରଲୋକ ଆସି ପହଞ୍ଚିଗଲେ । ଅନେକ ଦିନ ପରେ ବାବା ଟିକିଏ ଖୁସି ଜଣା ପଡୁଥିଲେ । ବନ୍ଧୁ ମାନେ ମିଶି ଖୁବ ଗପସପ ଯୋଡିଦେଲେ । ଗପ ଅଧାରେ ଶରତ ମଉସା କହିଲେ: “ ଆରେ ! ପ୍ରୀତି କୁ ଡାକ । ଦୁଇ ଜଣ ପରସ୍ପର ସହିତ କଥା ହୁଅନ୍ତୁ “। ପୂର୍ବ ଭଳି ବଡ ଭାଉଜ ତାଙ୍କର ଆଲମାରୀରୁ ଫିକା ରଙ୍ଗର ଶାଢୀ କାଢି ତାକୁ ପିନ୍ଧାଇଲେ, ଖେଣ୍ଟା କଥା କହିବା ଆରମ୍ଭ କଲେ, କିନ୍ତୁ କାହିଁକି କେଜାଣି ପ୍ରୀତି ମନରେ ପ୍ରତ୍ୟୟ ଆସୁଥିଲା, ବୋଧହୁଏ ଏଇଟା ତା’ର ଶେଷ ଝିଅ ଦେଖା ପର୍ବ, ଆଉ କେବେହେଲେ ତାକୁ ଭାଉଜଙ୍କର ଶାଢୀ ପିନ୍ଧିବାକୁ ପଡିବ ନାହିଁ । ମାମା ତାକୁ ସାଙ୍ଗରେ ନେଇ ଡ୍ରଇଙ୍ଗ ରୁମ କୁ ଆସିଲେ । ସେ ଆସିବା ପରେ ଶରତ ମଉସା କହିଲେ, ସମସ୍ତେ ଉଠ ଏଠୁ , ଚାଲ, ବାଲକୋନୀ ରେ ବସି ଚା’ ପିଇବା । ସେମାନେ କଥାବାର୍ତ୍ତା ହୁଅନ୍ତୁ” ।

ସିଙ୍ଗଲ ସୋଫାରେ ବସିଥିଲେ ଶୁଭାଶିଷ । ପ୍ରୀତି ଠିଆ ହେଇଥିଲା ସେଣ୍ଟର ଟେବୁଲର ଗୋଟିଏ କୋଣରେ, ମୁଣ୍ଡ କୁ ତଳକୁ ପୋତି, ଶାଢୀର କାନିକୁ ଧରି । ଶୁଭାଶିଷ କଥା ଆରମ୍ଭ କଲେ: ଆରେ ! ଠିଆ ହେଇଚ କାହିଁକି, ବସ” । ସାମ୍ନାରେ ପଡିଥିବା ସୋଫା ଉପରେ ଯନ୍ତ୍ରବତ୍ ବସିପଡିଲା ପ୍ରୀତି । ଧୀରେ ଧୀରେ ମୁଣ୍ଡ ଉଠାଇ ସାମ୍ନାରେ ବସିଥିବା ଲୋକଟିକୁ ଅନାଇଲା ପ୍ରୀତି । ଲୋକ ବଦଳରେ ତାକୁ ଲାଗିଲା, ସେଠି ଜେଜେମା କାନ୍ଥରେ ଟଙ୍ଗା ହେଇଥିବା ଜଗନ୍ନାଥଙ୍କ ଫଟୋ ରଖା ହେଇଛି । ସ୍ଵପ୍ନ ନା ସତ ଜାଣିବା ପାଇଁ ନିଜ ଡାହାଣ ହାତ କାଣୀ ଆଙ୍ଗୁଠି କୁ ଜୋରରେ କାମୁଡି ପକାଇଲା ସେ । ଫିକ୍ କିନା ହସି ଦେଲେ ଶୁଭାଶିଷ, ତା’ର ପିଲାଳିଆମୀରେ । ପରିସ୍ଥିତିକୁ ସହଜ କରିବା ପାଇଁ କଥା ଆରମ୍ଭ କଲେ : ମୋ ବିଷୟରେ କିଛି ଜାଣିବାକୁ ଚାହିଁବ ? ମୁଁ ତ ତମର ଫୋଟୋ ଆଉ ବାୟୋଡାଟା ଦେଖି ସାରିଛି । ତମର ଯଦି ମୋ ବିଷୟରେ କିଛି ଜାଣିବାର ଅଛି ମତେ ପଚାର” । ପ୍ରୀତି ଏଥର ଶୁଭାଶିଷଙ୍କୁ ସିଧାସଳଖ ଚାହିଁ ପଚାରିଲା : ମୋ ଫୋଟୋ ତ ଆପଣ ଦେଖିଛନ୍ତି, କଳା ଝିଅକୁ ଆପଣ କଣ ପସନ୍ଦ କରିବେ” ? ଏଥର ଜୋରରେ ହସିଲେ ଶୁଭାଶିଷ । ହସି ହସି କହିଲେ , ମୋର କଳା ଝିଅ ପସନ୍ଦ । “Dusky is more beautiful and attractive” । ଆଉ ଟିକିଏ ସଳଖି ହୋଇ ବସି ପ୍ରୀତି କହିଲା : ମୋର ଗୋଟିଏ ଅନୁରୋଧ ରଖିବେ, ମୁଁ ଆହୁରି ପଢିବାକୁ ଚାହେଁ “। ଉତ୍ତର ରେ ଶୁଭାଶିଷ କହିଲେ : କିଏ ତମ ଭଳି bright student କୁ ମନା କରିପାରିବ । ମୁଁ ତ ସକାଳୁ ସନ୍ଧ୍ୟା ଯାଏ ଡିପାର୍ଟମେଣ୍ଟରେ ରହିବି, ତମେ ଘରେ ବସି କରିବ କଣ ? ତା’ ଛଡା ମତେ ଟିପିକାଲ ହାଉସ ୱାଇଫ ପସନ୍ଦ ନୁହେଁ, ଯିଏ ମୁଁ କଣ କହୁଛି, ବୁଝିପାରିବ ନାହିଁ । ଏଥର ଛୋଟିଆ ହସ ଟିଏ ଖେଳିଗଲା ପ୍ରୀତି ମୁହଁରେ । ଗୋଟିଏ ଆଶ୍ଵସ୍ତି ର ନିଶ୍ଵାସ ମାରିଲା ସେ । ଶୁଭାଶିଷ କହିଲେ : ଆଉ କିଛି ପଚାରିବ ? By the way ତମ ହସ ଟି ଖୁବ ସୁନ୍ଦର । ଏଥର ଲାଜେଇ ଗଲା ପ୍ରୀତି । ସୋଫାରୁ ଉଠି ଠିଆ ହେଇଗଲା ଭିତର ଘର କୁ ଯିବା ପାଇଁ । ଏତିକି ବେଳେ ସେ ରୁମକୁ ପଶି ଆସିଲେ ଶରତ ମଉସା । ହସି ହସି କହିଲେ : ଆରେ ! ତମ ଭିତରେ କଥାବାର୍ତ୍ତା ସରିଲା ତ ! ହଁ, ମଉସା ! ଚାଲନ୍ତୁ, ଆମେ ବାହାରିବା ଏଥର, କହି ଉଠି ଠିଆ ହେଲେ ଶୁଭାଶିଷ ।

ବାହାଘର ପରେ, ବିଦା ସମୟରେ, ପ୍ରୀତି ଖୁବ କାନ୍ଦିଥିଲା ବାବାଙ୍କୁ ଜାବୁଡି ଧରି । ତାକୁ ଲାଗୁଥିଲା ଯେମିତି ସେ ସବୁଦିନ ପାଇଁ ତା’ ବାବାଙ୍କୁ ଛାଡି ଚାଲିଯାଉଛି । ଆଉ କେବେ ବୋଧେ ଦେଖିପାରିବ ନାହିଁ । ଭାଇ ଏକ ପ୍ରକାର ଭିଡ଼ି ନେଇ ବସେଇଥିଲେ ତାକୁ ଗାଡିରେ । ଶାଶୁଘରେ ବନ୍ଦାଣ ଦିନ ଖୁଡୀ ଶାଶୁ ଥଟ୍ଟାରେ କହିଲେ: “ଆମ ଶୁଭ କୁ ଇଏ ହେଲାନି “। ମୋ ମାଉସୀ ପୁଅ ଭାଇର ଝିଅକୁ ବାହା ହେଇଥିଲେ କଣ ଅସୁବିଧା ହେଇଥାନ୍ତା ?” ପଛ ଆଡୁ ଶାଶୁ ବଡ ପାଟିରେ କହିଲେ : “ରୂପ ସୁନ୍ଦର ରୁ କଣ ମିଳିବ, ମୋ ପୁଅର ପାଠୋଇ ଝିଅ ଦରକାର , ସେ ନିଜେ ପସନ୍ଦ କରି ବୋହୁ ଆଣିଛି । ଯାହାକୁ ପସନ୍ଦ ହଉଛି ହଉ, ନହେଲେ ନାହିଁ । “ ଏତିକି କଥାରେ ଟୁପୁରୁଟାପୁରୁ ହଉଥିବା ସବୁ ସ୍ତ୍ରୀ ଲୋକ ଚୁପ ପଡିଯାଇଥିଲେ ।

ବାହାଘରର ପନ୍ଦର ଦିନ ପରେ କଲିକତା ଫେରିଥିଲେ ଶୁଭାଶିଷ, ପ୍ରୀତିକୁ ସାଙ୍ଗରେ ନେଇ । ଏଇ ଭିତରେ ସେ ସ୍ପଷ୍ଟ କରି ଦେଇଥିଲେ ଯେ ଗେଟ ପାଇଁ ପ୍ରିପେୟାରେସନରେ ତା’ର କୌଣସି ଅସୁବିଧା ହବ ନାହିଁ । ସକାଳୁ ବ୍ରେକ୍‌ଫାଷ୍ଟ, ଲଞ୍ଚ ତିଆରି କରିବା ଠାରୁ ବଗିଚାରେ ପାଣି ଦେବା ଆଦି ସବୁ କାମ ସେ ନିଜେ କରିଦେଉଥିଲେ । ଏମିତିକି ସନ୍ଧ୍ୟାରେ ଫେରିଲେ ତଦାରଖ କରୁଥିଲେ, ପ୍ରୀତି ଦିନ ସାରା କଣ ସବୁ ପଢିଛି ଆଉ କଣ ଡାଉଟ ଅଛି । ଯେଉଁ ଦିନ ଗେଟ ରେଜଲ୍ଟ ଆସିଲା, ଶୁଭାଶିଷଙ୍କର ଖୁସି କହିଲେ ନ ସରେ । ସେ ନିଜେ ବାବାଙ୍କୁ ଫୋନ୍‌ କରି କହିଲେ ଯେ ପ୍ରୀତି ଅଲ ଇଣ୍ଡିଆ ଫିଫ୍ଟି ରାଙ୍କ ରେ ଅଛି ବୋଲି । ଆଇ.ଆଇ.ଏସ.ସି., ବାଙ୍ଗାଲୋର ରେ ସ୍କୋପ ମିଳିଲେ ବି ପ୍ରୀତି କହିଲା ସେ ଯାଦବପୁର ୟୁନିଭର୍ସିଟି ରେ ପି ଏଚ ଡି କରିବ, ଚାରି ବର୍ଷ ଶୁଭାଶିଷଙ୍କ ଠାରୁ ଅଲଗା ରହିବା କଥା ସେ ଭାବି ପାରୁନଥିଲା । କିନ୍ତୁ ଶୁଭାଶିଷ ହସି ହସି କହିଲେ: ଚାନ୍ସ ମିସ କରନାହିଁ ପ୍ରୀତି, ଚାରି ବର୍ଷ ଏମିତି ଚାହୁଁ ଚାହୁଁ କଟିଯିବ, ତା’ଛଡା ସବୁ ଛୁଟିରେ ତମେ ଏଠିକି ଆସିବ, ନହେଲେ ମୁଁ ଯିବି ତମ ପାଖକୁ । ଚାଲ, ଏଇ ଚାରି ବର୍ଷ ପ୍ରେମିକ , ପ୍ରେମିକା ହେଇ ବଞ୍ଚିବା । ଆଇ.ଆଇ.ଏସ.ସି., ବାଙ୍ଗାଲୋର ରେ ପି ଏଚ ଡି ପାଇଁ ଆଡ୍ ମିସନ ହେଇଗଲା ପ୍ରୀତିର । ସତରେ ଚାରି ବର୍ଷ ଚାହୁଁ ଚାହୁଁ କଟିଗଲା ଆଉ ତା’ପରେ ସେ ଆସିଷ୍ଟାଣ୍ଟ ପ୍ରଫେସର ହେଇ ଯାଦବପୁର ୟୁନିଭର୍ସିଟି ରେ ଜଏନ କଲା । ସେଇ ବର୍ଷ ପୂଜା ଛୁଟିରେ ବୁଲିବାକୁ ଦୁଇ-ତିନି ଦିନ ପାଇଁ ଘରକୁ ଯାଇଥିଲା ପ୍ରୀତି । ବାବା ତା’ ମୁଣ୍ଡରେ ହାତ ବୁଲାଇ ଆଣିଥିଲେ। ଖୁସିରେ ଉବୁଟୁବୁ ହେଉଥିଲା ତାଙ୍କ ମନ । ଦଶହରା ଦିନ ଘରୁ ଫେଲିଲାବେଳକୁ ବାବାଙ୍କ ଆଖିରେ ପ୍ରଥମ ଥର ପାଇଁ ସେ ଲୁହ ଦେଖିଲା । ବାବା ଯେମିତି ଚାହୁଁଥିଲେ ସେ ଆଉ ଦୁଇ ଦିନ ରହିଯାଉ । କୁମାର ପୂର୍ଣ୍ଣିମା ଦିନ ସକାଳୁ ଖବର ପାଇଲା, ବାବା ବାଥ୍ରୁମରେ ପଡିଯାଇ ଚାଲିଗଲେ । ପ୍ରୀତି ପରେ ଜାଣିବାକୁ ପାଇଲା ଯେ ପୂର୍ବ ଦିନ ରାତିରେ ଭାଇ ସହିତ ପୁରୁଣା ଘର ବିକ୍ରି କରିବାକୁ ନେଇ ଯୁକ୍ତିତର୍କ ହେଇଥିଲା ଆଉ ସବୁ ଥର ଭଳି ମାମା ତା’ ପୁଅର ସପକ୍ଷରେ ଥିଲା ।

ବାବାଙ୍କର ବର୍ଷିକିଆ ସରିବା ପରେ ପରେ ମାମା ଆଉ ଭାଉଜଙ୍କର ନୀତିଦିନିଆ କଥା କଟାକଟି ଆରମ୍ଭ ହେଇଗଲା । ମାମା ନିଜେ ଭାଇ ଭାଉଜଙ୍କର ଏତେ ମୁହଁ ବଢେଇଥିଲା ଯେ ସେମାନେ ଆଉ ତାକୁ ମାନିବାର ସ୍ଥିତିରେ ନଥିଲେ । ପ୍ରତିଦିନ ପାର୍ଟି ଆଟେଣ୍ଡ କରିବା, ସପିଙ୍ଗ କରିବା, ଲଗାତାର ୧୦-୧୫ ଦିନ ମାମାକୁ ଏକୁଟିଆ ଘରେ ଛାଡି ବାହାରକୁ ବୁଲିବାକୁ ଯିବାରେ ସେମାନଙ୍କର ସମୟ ବିତୁଥିଲା । କିଛି ମାସ ପରେ ଦିନେ ଭାଇ ଫୋନ କରି ପ୍ରୀତିକୁ କହିଲା ମାମାକୁ ଆସି ତା’ ପାଖକୁ ନେଇଯିବା ପାଇଁ , କାରଣ ସେମାନେ ଝିଅର ଖରା ଛୁଟି କଟାଇବା ପାଇଁ ୟୁରୋପ ଯିବାକୁ ଟିକେଟ କରିସାରିଥିଲେ । ଖରା ଛୁଟି ସରିବାର ଦୁଇ ମାସ ପରେ ଯେବେ ବି ପ୍ରୀତି ଭାଇକୁ ମାମାକୁ ନେଇଯିବା କଥା କହୁଥିଲା, ଭାଇ ବିଭିନ୍ନ ଆଳ ଦେଖାଇ ସେ କଥାକୁ ଏଡାଇ ଯାଉଥିଲା। ଦିନେ ଶୁଭାଶିଷ ପ୍ରୀତି ଉପରେ ବିରକ୍ତ ହୋଇ କହିଲେ, ତମ ମା’ ଏଠି ରହିଲେ ଅସୁବିଧା କଣ ହଉଛି ? ଆଉ କିଛି ଦିନ ଯାଉ, ସେ ଯେତେବେଳେ ଚାହିଁବେ, ଭାଇ ଆସି ତାଙ୍କୁ ନେଇଯିବେନି, ତମେ ଏତେ ବ୍ୟସ୍ତ ହବାର କାରଣ କଣ ? ବାସ୍ ! ଏହାପରେ ପ୍ରୀତି କେବେବି ଆଉ ଭାଇକୁ ଫୋନ କରି ମାମା କୁ ନେଇଯିବା କଥା ଉଠାଇଲାନି । ଏମିତିରେ ଦୁଇ ବର୍ଷ ବିତିଗଲା ।

ଯେତେବେଳେ ପ୍ରୀତିର ପୁଅ ହେଲା, ତା’ର ଏକୋଇଶିଆ ହେବାର ଦୁଇ ଦିନ ପୂର୍ବରୁ ଶାଶୁ ଆସି ପହଞ୍ଚିଲେ । ବୋଉ ଆସି ପହଞ୍ଚିଥିବାରୁ ଶୁଭାଶିଷଙ୍କ ଖୁସି କହିଲେ ନସରେ । ଆଗରୁ ଯେତେ ଡାକିଲେ ବି ସେ ଜମା ଆସନ୍ତିନି, କିନ୍ତୁ ନାତିର ଡୋରୀ ଯେମିତି ତାଙ୍କୁ ଟାଣି ଆଣିଥିଲା। ପ୍ରୀତି ବି ଖୁବ ଖୁସି ଥିଲା, ସେ ତା’ ଶାଶୁଙ୍କ ସହିତ କିଛି ଦିନ ବିତାଇବା ପାଇଁ ଆଉ ସେବା କରିବା ପାଇଁ ଚାହୁଁଥିଲା । ଶାଶୁଙ୍କ ଆଖିରେ ତାଙ୍କ ନାତି ପାଇଁ ଯେଉଁ ସ୍ନେହ ସେ ଦେଖିପାରୁଥିଲା, ତା’ ଇଚ୍ଛା ହଉଥିଲା ସେ ସବୁ ଦିନ ପାଇଁ ଏଠି ରହି ଯାଆନ୍ତେ କି ! କିନ୍ତୁ ମାମା ଆଖିରେ ସେଭଳି ଖୁସି ସେ କାଣିଚାଏ ବି ଦେଖିପାରୁନଥିଲା । ମାମା ଆଜି ଯାଏ ଯେତେଦିନ ତା’ ପାଖରେ ରହିଛି, କେବଳ ତା’ ପୁଅ, ବୋହୁ ଆଉ ନାତୁଣୀ କଥା କହି ଖୁସି ପାଉଥିଲା । ନାତୁଣୀର ଜନ୍ମଦିନ, ପୁଅ,ବୋହୁଙ୍କର ଆନୀଭରସାରୀ, ଜନ୍ମଦିନ ସବୁ ଗୋଟି ଗୋଟି କରି ସେ ମନେ ରଖିଥାଏ ଏବଂ ଦାମିକିଆ ଗିଫ୍ଟ ପଠାଇବା ପାଇଁ ପ୍ରୀତିକୁ ଏକ ପ୍ରକାର ବାଧ୍ୟ କରେ । କେତେବେଳେ ଇଚ୍ଛା ତ କେତେବେଳେ ଅନିଚ୍ଛା ସତ୍ତ୍ୱେ ପ୍ରୀତି ମାମା କଥାକୁ ମାନେ । ବର୍ତ୍ତମାନ ତା’ ଶାଶୁ ଆସିବା ଦିନଠାରୁ ତାଙ୍କୁ ବଡବଡିଆ କଥା କହିବାରେ ମାମାର ପାଟିରେ ବାଟୁଳି ବାଜୁନଥିଲା। ପ୍ରୀତି ସବୁ ଶୁଣୁଥିଲା, କିନ୍ତୁ ଉତ୍ତର ଦେବାପାଇଁ କିମ୍ବା ବାରଣ କରିବା ପାଇଁ ସେ ଶବ୍ଦ ପାଉନଥିଲା। ଏକୋଇଶିଆ ଦିନ ସକାଳୁ ଭାଇ, ଭାଉଜ ଆସି ପହଞ୍ଚିଗଲେ । ପୁଅ କୁ ଦେଖୁ ଦେଖୁ ଭାଉଜ କହିଲେ: “ଯାହାହେଉ, ପୁଅ ତା’ ବାପା ରଙ୍ଗ ଆଣିଛି” । ପ୍ରୀତିକୁ କିନ୍ତୁ ସେ କଥା ଖରାପ ଲାଗିଲା ନାହିଁ । ଏଇ ଛଅ-ସାତ ବର୍ଷର ବୈବାହିକ ଜୀବନ ଭିତରେ ସେ ଜାଣିଯାଇଥିଲା ଯେ ଶରୀରର ରଙ୍ଗର ଉର୍ଦ୍ଧ୍ଵରେ ଜୀବନ ଖୁବ ବିଶାଳ, ଯେଉଁ ଲୋକମାନଙ୍କ ଗହଣରେ ତା’ର ଜୀବନ ବିତୁଛି, ସେମାନଙ୍କର ମନ ଖୁବ ସୁନ୍ଦର । ଏଠି ରୂପ ନୁହେଁ ବରଂ ଗୁଣର ଆଦର ଅଧିକ ।

ଏକୋଇଶିଆ ପର ଦିନ ଯେତେବେଳେ ଭାଇ, ଭାଉଜ ଭୁବନେଶ୍ଵର ଫେରିବା ପାଇଁ ବାହାରିଲେ, ପ୍ରୀତିର ଇଚ୍ଛା ଥିଲା ମାମାକୁ ସେମାନେ ସାଥିରେ ନେଇଯାଆନ୍ତୁ, ତାହେଲେ ଶାଶୁ ରହିବାରେ କିଛି ଅସୁବିଧା ହେବନାହିଁ । କିନ୍ତୁ, ତା’ ଇଚ୍ଛା ଅପୂରଣୀୟ ରହିଗଲା । ମାମା ଯିବା ପାଇଁ କହିଲାନି କିମ୍ବା ଭାଇ, ଭାଉଜ ତାକୁ ନେବାର ପ୍ରସଙ୍ଗ ଉଠାଇଲେ ନାହିଁ । ବରଂ, ପୁଅ, ବୋହୂଙ୍କୁ କାଳେ ଅସୁବିଧା ହେବ ବୋଲି ତା’ ଶାଶୁ କାମ ର ବାହାନା ଦେଖାଇ ଦୁଇ ଦିନ ପରର ଟିକେଟ କାଟିଦେବା ପାଇଁ ଶୁଭାଶିଷଙ୍କୁ କହିଲେ । ପ୍ରୀତିକୁ ଲାଗୁଥିଲା ଯେପରି ମାମାର କଥାରେ ଅତିଷ୍ଠ ହୋଇ ସେ ଶୀଘ୍ର ଫେରିଯାଉଛନ୍ତି । ଶାଶୁଙ୍କୁ ବିଦାୟ ଦେବାକୁ ମୁଣ୍ଡିଆ ମାରିଲା ବେଳେ ଆଖି କୋଣରେ ଲୁହ ଜକେଇ ଆସିଲା ପ୍ରୀତିର । କେତେ ଦରଦୀ ତା’ର ଶାଶୁ !! ନିଜ ପୁଅ ଠାରୁ ବି ତା’କୁ ଅଧିକ ସ୍ନେହ , ଆଦର ଦେଇଛନ୍ତି, ଦୂରରେ ରହି ମଧ୍ୟ ସବୁବେଳେ ଶୁଭ ମନାସିଛନ୍ତି, ସେ କନସିଭ କରିବା ଦିନ ଠାରୁ ପୁଅ ଜନ୍ମ ହେବା ଯାଏ ପ୍ରତିଦିନ ତା’ ସହିତ ଫୋନ ରେ କଥା ହେଇ ତା’ର ଭଲମନ୍ଦ ବୁଝିଛନ୍ତି, ପିଠା, ବଡି, ଆଚାର ପଠେଇଛନ୍ତି । ଦୁଇ ଧାର ଲୁହ ଗଡି ଆସିଲା ପ୍ରୀତିର । ଶୁଭାଶିଷ ତା’ ପିଠିରେ ହାତ ବାଡେଇ ଟ୍ରେନ୍‌ ସମୟ ହେଇ ଯାଉଛି କହି ଗାଡି ବାହାର କଲେ । ଗାଡି ଗେଟ ଅତିକ୍ରମ କରିବା ପର୍ଯ୍ୟନ୍ତ ପଛକୁ ଅନେଇ ହାତ ହଲାଇ କଲ୍ୟାଣ କରୁଥିଲେ ଶାଶୁ ।

ପୁଅ ଧୀରେ ଧୀରେ ବଡ ହଉଥିଲା । ଗୁରୁଣ୍ଡିବା, ଉଠି ଠିଆ ହେବା, କାନ୍ଥ କୁ ଧରି ଚାଲି ଶିଖିବା , ଏସବୁ ଦେଖି ଖୁବ ଆନନ୍ଦିତ ହଉଥିଲା ପ୍ରୀତି । ଛୋଟ ଛୁଆକୁ କାମବାଲି ପାଖରେ ସାରାଦିନ ଛାଡି କ୍ଳାସ କରିବାକୁ ଯାଉଥିବାରୁ ତା’ର ମା’ ମନ ବେଳେବେଳେ ଅନୁତପ୍ତ ହଉଥିଲା । କିନ୍ତୁ, ଉପାୟ ବି ଆଉ କଣ ଥିଲା । ସମୟ ଗଡି ଚାଲିଥିଲା । ପୂଜା ପର୍ବ ହେଲେ ମାମା ଏହା ଭିତରେ କେବେ କେବେ ଭୁବନେଶ୍ଵର ଯାଇ ସପ୍ତାହେ ଦୁଇ ସପ୍ତାହ ରହି ପୁଣି ଫେରି ଆସୁଥିଲା । ପ୍ରୀତି ଲକ୍ଷ୍ୟ କରୁଥିଲା ଯେ ମାମା ଭୁବନେଶ୍ଵରରୁ ଫେରିବାର ଦୁଇ-ତିନି ଦିନ ଯାଏ ଚୁପ ଚାପ ରହୁଥିଲା । ସେ ତା’ର ସଠିକ କାରଣ କଣ ବୁଝିପାରୁନଥିଲା, କିନ୍ତୁ ପଚାରିବାର ଆବଶ୍ୟକତା ମନେ କରୁନଥିଲା । । ହଠାତ ଦିନେ ମାମାର ଦେହ ଖରାପ ହେଲା । ହସ୍ପିଟାଲ ରେ ଆଡମିଟ ହେଲାପରେ ଜଣାପଡିଲା ଯେ ଗଲ ବ୍ଲାଡ଼ର ରେ ଷ୍ଟୋନ ଅଛି, ଅପରେସନ ହେବ । ପ୍ରୀତି ଭାଇକୁ ଖବର ଦେଲା । କିନ୍ତୁ, ଭାଇ ଟଙ୍କା ପଠାଇବା ତ ଦୂର ର କଥା, ଦେଖିବା ପାଇଁ ମଧ୍ୟ ଆସିଲାନି । ଅପରେସନ ପରେ ଘରକୁ ଫେରିବା ଦିନ ମାମା ଟିକିଏ ଦୁଃଖୀ ଦେଖା ଯାଉଥିଲା । ସେ ବିଶ୍ଵାସ କରିପାରୁ ନଥିଲା ଯେ ଯୋଉ ପୁଅକୁ ସେ ଦୁନିଆରେ ସବୁଠାରୁ ଅଧିକ ଭଲ ପାଏ, ସେ ତାକୁ ଦେଖିବାକୁ ଆସିବ ନାହିଁ । ପନ୍ଦର ଦିନ ପରେ ଭାଇ ଝିଅ ର ଜନ୍ମ ଦିନ ଆସିଲା । ମାମା ଯେତେବେଳେ ପ୍ରୀତିକୁ ଗିଫ୍ଟ ପଠେଇବା କଥା କହିଲା, ପ୍ରଥମ ଥର ପାଇଁ ପ୍ରୀତି ମୁହଁ ଖୋଲି କହିଲା : “ତୋର ପେନ୍‌ସନ୍‌ ପଇସା କଣ କରୁଛୁ କି ? ନାତୁଣୀ ପାଇଁ ଖର୍ଚ୍ଚ କରୁନୁ ?” ବାବା ଚାଲିଯିବାର ଦଶ ବର୍ଷ ପରେ ପ୍ରୀତି ଜାଣିବାକୁ ପାଇଲା ଯେ ପେନସନ ଆକାଉଣ୍ଟ ରେ ମାମା ସହିତ ଭାଇ ନିଜକୁ ଜଏଣ୍ଟ ସିଗନେଟୋରୀ କରିଦେଇଥିଲା ଆଉ ସେ ପେନସନ ପଇସାର ହିସାବ ମାମା ପାଖରେ ନଥିଲା । ଦୁଃଖ ଲାଗିଲା ପ୍ରୀତିକୁ ଏଇ କଥା ଶୁଣି । କେତେ ଅୟସରେ ବାବା ରଖିଥିଲେ ମାମା କୁ ! ଅଥଚ ସାମାନ୍ୟ କେତେଟା ଟଙ୍କା ବି ତା’ ପୁଅ ତାକୁ ଦଉନି, ତାହା ମଧ୍ୟ ସେଇମାନଙ୍କ ଲାଗି ଖର୍ଚ୍ଚ କରିବାପାଇଁ !!

ମାର୍ଗଶିର ମାସ ଆରମ୍ଭରେ, ଦଶ ବର୍ଷ ପରେ, ପ୍ରଥମ ଥର ପାଇଁ ପ୍ରୀତିକୁ ଫୋନ୍‌ କଲେ ଭାଉଜ । ଦୁଇ , ଚାରି ପଦ ମିଠା କଥା କହିବା ପରେ ମାମା କୁ ମାଣବସାରେ ପଠାଇବା ପାଇଁ କହିଲେ । ଭାଇ ନିଜେ ଆସି ମାମାକୁ ନେଇଗଲା । ଆସିଲା ବେଳେ ପୁଅ ପାଇଁ ପ୍ରଥମାଷ୍ଟମୀ ଡ୍ରେସ , ତା’ ପାଇଁ ସମ୍ବଲପୁରୀ ଶାଢୀ ନେଇ ଆସିଥିଲା । ପୁଅ ନିଜେ ତାକୁ ନବାକୁ ଆସିଥିବାରୁ ମାମାର ଖୁସି କହିଲେ ନସରେ । ପ୍ରୀତିକୁ କିନ୍ତୁ କିଛି ଅଡୁଆ ଲାଗୁଥିଲା । ଭାଇ , ଭାଉଜଙ୍କର ହଠାତ୍‌ ଏତେ ପ୍ରେମ ଜାଗି ଉଠିବାରେ ତାକୁ ସନ୍ଦେହ ଆସୁଥିଲା । କିନ୍ତୁ, ସେ ମନେ ମନେ ଚାହୁଁଥିଲା ମାମା କିଛି ଦିନ ଭୁବନେଶ୍ଵର ଯାଉ, ତାହେଲେ କ୍ରିସମାସ ଛୁଟିରେ କୁଆଡେ ଟିକିଏ ବୁଲିବାକୁ ଯିବାର ଯୋଜନା ସେମାନେ କରିପାରିବେ ।

ମାମା ଭାଇ ସହିତ ଭୁବନେଶ୍ଵର ଯିବା ପରେ କ୍ରିସମାସ ଛୁଟିରେ ପୁଅ କୁ ନେଇ ଶୁଭାଶିଷ ଆଉ ସେ ସାଉଥ ଇଣ୍ଡିଆ ବୁଲିବାକୁ ଚାଲିଗଲେ । ଫେରିବା ପରେ ଚିରାଚରିତ ଜୀବନ ଆରମ୍ଭ ହେଇଗଲା। ପୁଅର ସ୍କୁଲ, ଶୁଭାଶିଷ ଆଉ ତା’ର କ୍ଳାସ, ସନ୍ଧ୍ୟା ପାଞ୍ଚଟା ରେ ୟୁନିଭର୍ସିଟି ରୁ ଫେରିବା, ପୁଅ ସହିତ ଖେଳିବା, ହୋମ ୱାର୍କ କରେଇବା, ପର ଦିନ ପାଇଁ ନୋଟ ପ୍ରିପେୟାର କରିବା, କାମବାଲି ସହିତ ମିଶି ଡିନର ତିଆରି କରିବା, ରବିବାର ହେଲେ ମାର୍କେଟ ଯାଇ ଜିନିଷ କିଣିବା … ଇତ୍ୟାଦି ,ଇତ୍ୟାଦି । ଦିନେ ୟୁନିଭର୍ସିଟି ରୁ ଫେରିବା ପରେ ଶୁଭାଶିଷ କହିଲେ ତାଙ୍କର ତିନି ମାସ ପାଇଁ ଟ୍ରେନିଂ ରେ ଯିବାକୁ ଇନଭିଟେସନ ଆସିଛି ଆମଷ୍ଟରଡାମ ୟୁନିଭର୍ସିଟି ରୁ । ପନ୍ଦର ଦିନ ଭିତରେ ଯିବାକୁ ହବ । ଏଇ ସୁଯୋଗ ପାଇଁ ସେ ଦୁଇ ବର୍ଷ ହେଲାଣି ଅପେକ୍ଷା କରିଥିଲେ । ତେଣୁ ଶୀଘ୍ର ଫର୍ମାଲିଟିଜ ସାରିବାକୁ ପଡିବ ।

ଶୁଭାଶିଷଙ୍କୁ ଏୟାରପୋର୍ଟରେ ଛାଡି ଆସିବା ପରେ ଖୁବ ଏକୁଟିଆ ଲାଗିଲା ପ୍ରୀତିକୁ । ଏତେ ବଡ କ୍ଵାର୍ଟର ଖାଲି ଖାଲି ଲାଗିଲା । ମାମା ଯିବାର ଦୁଇ ମାସ ପରେ ହଠାତ ମନେ ପଡିଲା ତା’ର ମାମା କଥା । ଫୋନ୍‌ ଲଗାଇଲା ସେ ମାମା ନମ୍ବର ରେ । ଭାଉଜ ଫୋନ ଉଠାଇ କହିଲେ, ମାମା ଶୋଇଛନ୍ତି । ପରେ କଥା ହେବେ । ଆଉ ଆଜି ଠିକ ଦୁଇ ଦିନ ପରେ ସକାଳୁ ଭାଇ ର ଫୋନ୍‌, ମାମା କୁ ଷ୍ଟେସନରୁ ନେଇଯିବା ପାଇଁ ।

ପରଦିନ ପ୍ରୀତି ଷ୍ଟେସନରେ ପହଞ୍ଚିଲା ବେଳକୁ ଟ୍ରେନ ପ୍ଲାଟଫର୍ମ ରେ ଲାଗୁଥିଲା । ଷ୍ଟେସନର ଗହଳି କୁ ଭାଙ୍ଗି ଟ୍ରେନ ପାଖରେ ପହଞ୍ଚିଲା ପ୍ରୀତି । ଟ୍ରେନରୁ ତଳକୁ ଆସି ମାମା କୁଣ୍ଢେଇପକାଇଲା ତାକୁ। ଥର ଥର ଗଳା ରେ କହିଲା : ଡା-ଏ-ମ-ଣ୍ଡ– । ମାମାର ଏଇ ଡାକ ରେ ଆଶ୍ଚର୍ଯ୍ୟ ହେଇଗଲା ପ୍ରୀତି । ମାମା ପୁଣି କହିଲା : ଡାଏମଣ୍ଡ ! ମତେ କଥା ଦେ ! ଆଉ କେବେ ହେଲେ ମତେ ଭୁବନେଶ୍ଵର ପଠେଇବୁନି । ମୁଁ ମରିଗଲେ ମୋର କ୍ରିୟାକର୍ମ ତୁ ଏଇଠି କରିବୁ । ତୋ ବାବା ସବୁ ସମ୍ପତ୍ତି ମୋ ନାଁ ରେ କରି କେତେ ଭୁଲ କରିଥିଲେ । ଯଦି ନିଜ ନାଁ ରେ ଖଣ୍ଡିଏ କରିଥାନ୍ତେ, ତା’ହେଲେ ତୁ ସେଥିରୁ ଅଧା ଅଂଶ ପାଇଥାନ୍ତୁ । ଯେତେବେଳେ ତାଙ୍କ ପାଖକୁ ଯାଉଥିଲି, କୌଣସି ଗୋଟିଏ ସମ୍ପତ୍ତି ସେ ବିକ୍ରି କରୁଥିଲା । ମୋର ସବୁ ସମ୍ପତ୍ତି ବିକିଦେଲା, ଶେଷରେ ଯୋଉ ଘର ତୋ ବାବା ଏତେ କଷ୍ଟରେ କରିଥିଲେ, ତା’କୁ ବିକ୍ରି କରିବାକୁ ବସିଛି । ମୁଁ ମନା କରିବାରୁ ସ୍ଵାମୀ, ସ୍ତ୍ରୀ ମିଶି ମତେ ଏତେ ଗାଳିଗୁଲଜ କରିଲେ, ମୁଁ ସେ ଭାଷା କହିପାରିବିନି । ଧମକ ଚମକ ଦେଇ ଦୁଇ ଦିନ ତଳେ ରାତିରେ ମୋ ଠାରୁ ଦସ୍ତଖତ ନେଇ ଯାଇଛନ୍ତି, ପାୱାର ଅଫ ଆଟର୍ନି ପାଇଁ । ମୋର ସବୁ ସରିଗଲା । ଯୋଉ ସମ୍ପତ୍ତି ନେଇ ମୁଁ ଆଜି ଯାଏଁ ଗର୍ବ କରିଆସୁଥିଲି, ଆଉ କିଛି ନାହିଁ ମୋ ପାଖରେ ଗର୍ବ କରିବା ପାଇଁ ।

ମାମା ପିଠିରେ ସ୍ନେହରେ ହାତ ବୁଲାଇ ଆଣିଲା ପ୍ରୀତି । ତା’ର ବ୍ୟାଗକୁ ତଳୁ ଉଠାଇ କହିଲା: “ତୋର ଝିଅ ଅଛି ପରା ! କିଛି ଅସୁବିଧା ହବନି । ଚାଲ, ଘରକୁ !! ତତେ ଘରେ ଛାଡିଲେ ପୁଣି କ୍ଳାସ କରିବାକୁ ଯିବି । “

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top