ଚୁଟିରେ ବାନ୍ଧି ଗୋଲାପି ଫିତା,
ମଥାରେ ନାଈଁ ଟିକିଲି,
ବାହାରିଲି ସଫା ଡ୍ରେସ୍ ଟେ ପିନ୍ଧି,
ପାଦରେ ଦେଇ ଜୋତା ଅସଲି ।
ଦେଖ ଦେଖ ମୁଁ ଯାଉଛି ଅଙ୍ଗନବାଡ଼ି,
କାଲି ଶିଖିଥିଲି ‘ ଅ’ ଆଜି ‘ଆ’ ର ପାଳି,
ଲେଖା ଆଉ ପଢ଼ା କରିଦେଲେ ଭଲକରି,
ମାମୁଁ ଆଣିଦେବେ ଖେଳଣା ଭଳିକି ଭଳି ।
ଅଧିକ କିଛି ଜାଣିବା ଆଗରୁ,
ପୁରୁଣା ପାଠକୁ ଦୋହୋରେଇ ଦେବି,
ଚକୁଳି ଚକୁଳି ଖେଳି ଖେଳିକା,
‘ଅ’ କୁ ଆଉ ଥରେ ଲେଖି ପକେଇବି ।
ଫାଳ ଫାଳ ଦୁଇ ଫାଳ ଚକୁଳି ଯୋଡ଼ି,
‘ଅ’ ର ମୁଣ୍ଡକୁ ନିଅ ଦେଲି ସଜାଡି,
ଆଉ ଫାଳେ ମିଶେଇଲି ମୁଣ୍ଡରୁ ଲାଞ୍ଜଟେ କାଢ଼ି
ସେଫାଳ ରେ ଲଗେଇଲି ଅଜାଙ୍କ ବାଡ଼ି ।
ଏଇ ସରିଗଲା ‘ଅ’ ର ଖେଳ ପୁରାପୁରି,
ହେଲେ ଅଜାଙ୍କ ବାଡ଼ି ଏକା ରହୁଛି ମନକୁ ମାରି,
ଆଈଙ୍କ ବାଡ଼ିକୁ ଡାକୁଛି ଆଖିରେ ଠାରି,
ସାଙ୍ଗ ହେଇଗଲେ ଦୁହେଁ ଖଟି ଜମିବ ଭାରି ।
ଭଲକରି ଦେଖ ଟିକେ ‘ଅ’ ର ରୂପ ବଦଳି ଗଲାଣି,
ନାହିଁ ସେ ଆଉ ‘ଅ’ ସେ ତ ‘ଆ’ ହେଇଗଲାଣି,
ପାଦ ଟିଏ ଆଗେଇ ସିଏ ଦେଖାଇଲାଣି ଠାଣି,
ନିଜକୁ ନିଜେ କିଏ ବୋଲି ଚିହ୍ନି ଗଲାଣି ।
ଆସ ଆମେ ‘ଆ’ ରୁ ଗଢ଼ିବା ଗୁଡ଼ାଏ ଶବଦ,
‘ଆ’ ରୁ ଆମ୍ବ , ‘ଆ’ ରୁ ଆତ,
‘ଆ’ ରୁ ଆଈ ଆଇନା ଆଣିଛି,
ଆଖି ଆଗେ ଆରିସାର ଆନନ୍ଦ ଆଗ ।
‘ଆ’ ଟିକୁ ମୁଁ ଏବେ ଭଲରେ ଜାଣିଗଲିଣି,
ଅକ୍ଷରଟି ମତେ ଭାରି ସହଜ ସହଜ ଲାଗିଲାଣି,
ନିଜେ ନିଜେ ମୁଁ ଅନେକ ଶବଦ ଭାବିଲିଣି ,
‘ଆ’ ରୁ ଆକାଶ ଆକାଶରୁ ଆଲୋକ ଆବୋରି ଆଣିଲିଣି ।