ଗଳ୍ପ

ପ୍ରେମ କେବେ ପଦ୍ମଫୁଲ ତ କେବେ ନିଆଁଝୁଲ

Dr Mousumi Parida's odia story Prema Kebe Padmaphula Ta Kebe Niaanjhula

ଏ ସଂପର୍କର ସୂକ୍ଷ୍ମ ରଜ୍ଜୁଟି ଛିଣ୍ଡିନଯାଉ କିମ୍ବା ମୋ ମନତଳେ ଆପଣଙ୍କ ପ୍ରତି ଘୃଣା ସୃଷ୍ଟି ନହେଉ ସେଥିପାଇଁ ମୁଁ ମେଳାକୁ ଆଉ ଆସିବିନି ।

ପ୍ରେମ କେବେ ପଦ୍ମଫୁଲ ତ କେବେ ନିଆଁଝୁଲ

ସେ ବର୍ଷକୁ ଥରେ ଆସେ ଏଠିକୁ ମେଳା ସମୟରେ । ତା ହାତ ତିଆରି କଣ୍ଢେଇ, ଟେଡି ବିଅର୍ ସହିତ ବିଭିନ୍ନ ପ୍ରକାରର ପର୍ସ ବିକ୍ରୀ କରେ । ରାଜ୍ୟର ବିଭିନ୍ନ ଯାଗାକୁ ଯାଏ । ପୁଣି କେବେ ଗରାଖଙ୍କ ଭିଡ ସରିଗଲେ ନିଜ ଘର ପାଇଁ ଆବଶ୍ୟକ ଜିନିଷ କିଣେ । ଛୋଟପିଲାଙ୍କ ପରି ଗୁପଚୁପ୍ ଚାଟ୍ ନହେଲେ ଦହିବରା ଆଳୁଦମ୍ ଖାଏ, ଏକା ଏକା ବୁଲେ । କଫି ପିଏ । ଜୀବନକୁ ନିଜ ସର୍ତ୍ତରେ ଓ ନିଜ ବାଗରେ ଜୀଉଁଥିବା ବେଫିକର୍ ଝିଅ ସେ । କେବେ ଜଣାପଡେନି ଅନ୍ୟ ଝିଅମାନଙ୍କ ପରି ଏ ବୟସରେ ସେ ଫୁଲ ଭଲପାଏ ନା ନାହିଁ । ଗୁଡେ ଅବାସ୍ତବ କଳ୍ପନାରେ ଆତ୍ମବିସ୍ମୃତ ହୁଏ ନା ନାହିଁ । ମନକୁ ମନ ହସେ କି ଜହ୍ନ ଦେଖିବାକୁ ବିକଳ ହୁଏ ନା ନାହିଁ । ତା ବିଷୟରେ ବେଶୀ କିଛି ଜାଣେନା ପ୍ରଳୟ । କେବଳ ଜାଣେ ତା ନାଁ ଛନ୍ଦା, ବୟସ ବାଈଶ ତେଈଶ ହେବ । ଘର ବଲାଙ୍ଗିରର କୋଉ ନିପଟ ମଫସଲରେ । ପରିବାର କହିଲେ ବିଧବା ମାଆ ଓ ପାଠ ପଢୁଆ ଭାଇଟିଏ । ଆଗରୁ ସେ ତା ବାପା ସହିତ ଆସୁଥିଲା । ବାପା ଚାଲିଯିବା ପରଠାରୁ ସେ ଏକା ଆସେ ତା ଅଞ୍ଚଳର କିଛି ବ୍ୟବସାୟୀଙ୍କ ସହିତ । ଭଲ ବେପାର ବି କରେ ।

ଏ ବୟସରେ ସେ କେବଳ ତା ସଂସାରର ବୋଝ ଉଠାଏନି ନିଜ ପରିଚୟ ସୃଷ୍ଟି କରିବାକୁ ଦୁନିଆ ସହ ଲଢେ ବୋଲି ଜାଣିଲା ପରେ ପ୍ରଳୟ ମନତଳେ ଦୁର୍ବଳତା ତା ପାଇଁ । ପୁଣି ତା ସହିତ ତିନିବର୍ଷର ଅଳ୍ପଦିନିଆ ସମ୍ପର୍କ ସେ ଦୁର୍ବଳତାକୁ ଆଉଟିକେ ଶକ୍ତ କରିଛି । ଗତବର୍ଷ କୋଉଗୋଟେ ମେଳାରେ ନିଜ ନିଷ୍ଠା ଓ ଅଧ୍ୟବସାୟ ପାଇଁ ପୁରସ୍କୃତ ହୋଇଥିଲା ବୋଲି ଜଣାଇଥିଲା ଫୋନ୍‌ରେ । ତା ହାତ ତିଆରି ଜିନିଷର ଚାହିଦା ବଢିଛି ବାହାର ରାଜ୍ୟରୁ ଅର୍ଡର ଆସିବା ପରେ । ଏ କଣ କମ୍ ସୌଭାଗ୍ୟ ତା ପାଇଁ ! ଜଣେ ମହିଳା ବ୍ୟବସାୟୀ ଭାବେ ସେ ଏବେ ବେଶ୍ ପରିଚିତା । ଏସବୁ ଜାଣିବା ପରେ ପ୍ରଳୟର ମନତଳେ ତାକୁ ନେଇ କେତେ ସ୍ୱପ୍ନ, କଳ୍ପନା । ହେଲେ ଏସବୁ ତାକୁ ଫୋନ୍‌ରେ କହିହୁଏନି କାଳେ କଣ ଭାବିନେବ ସେ । ଅବଶ୍ୟ ତା ସହିତ ଫୋନ୍‌ରେ କେଇଥର କଥା ହୋଇ ଆମୋଦିତ ହୋଇଛି ପ୍ରଳୟ । ତା ସାଧାପଣ ଓ ସରଳତାରେ ମୁଗ୍ଧ ହୋଇଛି । ଏଭଳି ଝିଅ ଆଜିକା ଯୁଗରେ ଅଛନ୍ତି ଜାଣି ଆଶ୍ଚର୍ଯ୍ୟ ବି ହୋଇଛି ।

ଏଥର କହୁଥିଲା ବଡ ଅର୍ଡରଟିଏ ମିଳିଛି ତାକୁ । ମେଳାରୁ ଫେରିଲା ପରେ କାମ ବଢିଯିବ । ପ୍ରଳୟ ଖୁସିରେ ଶୁଭେଚ୍ଛା ଜଣାଇଲା । ଛନ୍ଦା ଆସିବ ବୋଲି ପ୍ରଳୟକୁ ସବୁକିଛି ଅପୂର୍ବ ଲାଗୁଥିଲା । କେଜାଣି କେମିତି ତାକୁ କହିବ ମନକଥା ! ଛନ୍ଦା ତାକୁ ପସନ୍ଦ କରେ କି ନାହିଁ କେମିତି ଠଉରେଇବ ! ଯିଏ ତା ପାଇଁ ଏତେ ବ୍ୟସ୍ତ, ଚଞ୍ଚଳ ଛନ୍ଦା କଣ ତାକୁ ନେଇ କିଛି ସ୍ୱପ୍ନ ଖଞ୍ଜିଥିବ ମନତଳେ ? ପ୍ରଳୟ କଣ ତା ମନକୁ ଏମିତି ଆଚ୍ଛନ୍ନ କରି ରଖିଥିବ ? ତାର ପରିଚୟ କଣ ହୋଇଥିବ ଛନ୍ଦା ପାଖରେ ? ମେଳା ଆୟୋଜକ, ବନ୍ଧୁ ନା ସମର୍ଥକ ? ତା ବେଶପୋଷାକ ଦେଖି ଗୁଣ୍ଡା, ଅସାମାଜିକ କିମ୍ବା ରାଜନୀତିଆ ଲୋକ ବୋଲି ଭାବୁନଥିବ ତ ସେ..ଏମିତି କେତେ ପ୍ରଶ୍ନ ପ୍ରଳୟ ମନରେ ।

ଜୀବନଟା ପ୍ରସ୍ତ ପ୍ରସ୍ତ ପ୍ରଶ୍ନଗୁଚ୍ଛ । ଅନ୍ତହୀନ ଉତ୍କଣ୍ଠା ଆଉ ମୋହଭଙ୍ଗର ନିଟୋଳ ଚିତ୍ର । ସେଥିପାଇଁ ଭୟ ଲାଗେ ସତର ସାମ୍ନାସାମ୍ନି ହେଲେ । ପ୍ରଳୟ ନିଜ ସମ୍ମାନ ଓ ପ୍ରତିଷ୍ଠାକୁ ନେଇ ଖୁବ୍ ସ୍ପର୍ଶକାତର । ଅବଶ୍ୟ ରାଜନୀତି କରିବାକୁ ପଡେ ଆଜିକାଲି କ୍ଷମତା ହାସଲ କରିବା ପାଇଁ । ମିଛ ପ୍ରଶଂସା ଓ ସମ୍ମାନରେ ଗଦ୍ ଗଦ୍ ହୁଏ ସେ । ଏସବୁ ମିଛମାୟାରେ ଆଜିକାଲି ସେ ଏତେ ଅଭ୍ୟସ୍ତ ଯେ ସାମ୍ନାଲୋକର ସାମାନ୍ୟତମ ଉପେକ୍ଷାରେ ସେ ଅତିଷ୍ଠ ହୋଇପଡେ । ବିଭିନ୍ନ କୌଶଳ କରି ତାକୁ ନିଜ ପାଖରେ ପଦାନତ ନକରିବାଯାଏଁ ସେ ଭୋକଶୋଷ ଭୁଲିଯାଏ । ଏଭଳି ମଣିଷଟିଏ ପ୍ରେମ କରେ..ପୁଣି ସୁଦୂର ବଲାଙ୍ଗୀର ଅଞ୍ଚଳର ଝିଅ ଛନ୍ଦାକୁ । ଏ ଦଶଦିନ ଭିତରେ ତାକୁ ସାମାନ୍ୟତମ ଅସୁବିଧାର ସାମ୍ନା କରିବାକୁ ଯେପରି ନପଡେ ସେଥିପ୍ରତି ଯତ୍ନବାନ୍ ହୁଏ । ଖାଲି ସେତିକି ନୁହେଁ ତା ଜିନିଷକୁ ବିକ୍ରୀ କରିବା ପାଇଁ ଅଟୋ ଭଡା କରି ଗାଁ ଗାଁ ବୁଲି ପ୍ରଚାର କରନ୍ତି ତା ଲୋକମାନେ । ଛନ୍ଦା ଭାବେ ପ୍ରଳୟ ଭଗବାନଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ ତା ପାଇଁ । ଖୁବ୍ ସମ୍ମାନ ତା ଆଖିରେ । ସେ ସମ୍ମାନ ଏ ବର୍ଷ ପ୍ରେମରେ ପରିଣତ ହୋଇଥିବ କାଳେ ପ୍ରଳୟ ମନେମନେ ହସିଲା ।

ଏଥରକ ସେ ନିଶ୍ଚୟ ମନକଥା କହିବ । ସମ୍ପର୍କକୁ ବାନ୍ଧି ରଖିବ ଚିରକାଳ ପବିତ୍ର ବନ୍ଧନର ନାଁରେ । ବର୍ଷକୁ ଥରେ ଛନ୍ଦା ସହ ସାକ୍ଷାତ ହେଉଥିବା ସେ ଦଶଦିନକୁ ସେ ଏଥର ମହାର୍ଘ କରିଦେବ । ସେ ରାଜିହେଲେ ଏଇ ମାସରେ ବିବାହ ହେବ । ଛନ୍ଦାର ସ୍ୱପ୍ନ ଓ ଆଶା ଏଥର ତା ଆଖିରେ ସୁନା ମିରିଗ ପରି ଡେଇଁବେ । ସେ ସେମାନଙ୍କୁ ପୋଷା ମନେଇବ ଛନ୍ଦା ପାଇଁ । ତାକୁ ସୁଖୀ କରିବାକୁ ସେ ଆକାଶରୁ ଜହ୍ନ ତୋଳିଦେବ । ସୂର୍ଯ୍ୟର ବିନ୍ଦି ଆଣିଦେବ । ସଂସାର ସ୍ୱପ୍ନମୟ ଲାଗୁଥିଲା ପ୍ରଳୟକୁ । ସେ ସୁଦିନ ଆସି ପହଞ୍ଚିଲା । ଛନ୍ଦା ଆଗ ଅପେକ୍ଷା ବେଶୀ ସୁନ୍ଦରୀ ଦିଶୁଥିଲା । ପ୍ରଳୟ ମନରେ ଇନ୍ଦ୍ରଧନୁ ତୋଳୁଥିଲା ତା ରମଣୀୟତା ।

ମେଳାର ମଧ୍ୟଭାଗରେ ଜାକଜକମରେ ଛିଡାହୋଇଥିଲା ଛନ୍ଦାର ଦୋକାନ । ଲାଇଟ୍‌ରେ ବେଶୀ ଝଲମଲ କରୁଥିଲା ତା ଜିନିଷତକ । କାମସାରି ପ୍ରଳୟ ପହଞ୍ଚେ ମେଳାରେ । ଭଲମନ୍ଦ କଥା ପଚାରେ । ବିଳମ୍ବ ରାତିଯାଏଁ ମେଳାରେ ରହେ । ତା ପାଇଁ ଚା, କଫି ଓ କେବେକେବେ ସେ ବିରିୟାନୀ ଭଲପାଏ ବୋଲି ପାର୍ସଲ ପଠାଏ । ଦୋକାନ ବନ୍ଦ କଲାବେଳକୁ ପ୍ରଳୟ ତାକୁ ଛାଡିଆସେ ହୋଟେଲ୍‌ରେ । ଦୋକାନ ଜଗନ୍ତି ପ୍ରଳୟର ଲୋକ । ଛନ୍ଦାକୁ ଅସୁବିଧା ହୁଏନା ।

ବାଇକ୍‌ରେ ପଛରେ ତାକୁ ଆଣିବାବେଳେ କେମିତି ଗୋଟେ ଶୀହରଣରେ ସେ ଝାଳେଇଯାଏ ଆପାଦମସ୍ତକ । ଛନ୍ଦା ଚୁପ୍ ଥାଏ । ପ୍ରଳୟ ଭାବେ ମନକଥା କହିବ ତାକୁ । ହେଲେ ସବୁଦିନ କିଛି ନା କିଛି ବ୍ୟାଘାତ ସୃଷ୍ଟି ହୁଏ । ଛନ୍ଦା ବି ପ୍ରଳୟ ସହିତ ଯିବାକୁ ଅମଙ୍ଗ ହୁଏ । କହେ – ନାଇଁ ପ୍ରଳୟ ବାବୁ, ଆପଣ ତ ଏତେ କଥା ବୁଝୁଛନ୍ତି, ଆୟୋଜକ ଯେହେତୁ । ମୁଁ ଅଟୋରେ ଫେରିପାରିବି । ରାସ୍ତାରେ ବି ଗହଳି ଥାଏ ରାତିରେ । ବ୍ୟସ୍ତ ହୁଅନ୍ତୁନି, ମୁଁ ଏକା ମ୍ୟାନେଜ୍ କରିପାରିବି । ଅସୁବିଧା ହେଲେ ପଛେ ଆପଣ ସାହାଯ୍ୟ କରିବେ । ଆପଣ ମୋ ପାଇଁ କଷ୍ଟ ପାଆନ୍ତୁ ମୁଁ ମୋଟେ ଚାହେଁନି । ପ୍ରଳୟ କହେ- ଏ କି କଥା କହୁଛ । ବର୍ଷକୁ ମାତ୍ର ଦଶଟା ଦିନ ପାଇଁ ୟାକୁ କଣ ଅସୁବିଧା କହନ୍ତି? ବରଂ ଏଥିରେ ମୋର ଆତ୍ମସନ୍ତୋଷ । ତମେ ଜାଣିଛ, ଏଠି ତମ କାମର କେତେ ପ୍ରଶଂସା ? ମନା କରନି ।

ଛନ୍ଦା ଅନ୍ୟମନସ୍କ ହୁଏ, ହେଲେ ତା ମନରେ ପ୍ରଳୟ ପ୍ରତି ଦୁର୍ବଳତା ବାରିହୁଏନି । ଅବିବାହିତ ପୁଅଝିଅଙ୍କ ଭିତରେ ବି ଅନୁଭବର ଗୋଟେ ସଂପର୍କ ଥାଏ । ସେମାନେ ନୀରବତାରେ ବେଶ୍ କିଛି କହିପାରନ୍ତି । ବଡ ଅଦ୍ଭୂତ ଝିଅ, ହଁ କି ନା କିଛି ବି ତା ମୁହଁରେ ଲେଖାନଥାଏ । ସେ କଣ ପଥର ? ବରଫ ବି ତରଳେ, ନିଆଁ ବି ତ ଜଳେ । ପଥର କ୍ଷୟ ହୁଏ ଅବଶ୍ୟ ଆସ୍ତଆସ୍ତେ । ହେଲେ ଏ ଝିଅର କିଛି ବ୍ୟତିକ୍ରମ ନାହିଁ! ୟେ ଭିନ୍ନ ଧାତୁରେ ଗଢା ।

ସେଦିନ ଫେରିଲାବେଳକୁ ପ୍ରଳୟ ତାକୁ ଜୋର୍ କରି ନେଇଯାଇଥିଲା ମଲ୍କୁ । ତା ପାଇଁ କିଣିଦେଇଥିଲା ଦାମିକା ଶାଢୀ ଓ ସୁନା ମୁଦି । ନାହିଁ ନାହିଁ ହୋଇ ଛନ୍ଦା ବାଧ୍ୟରେ ରଖିଲା ସେତକ । ଦିନ ସରିଆସୁଥିଲା କିନ୍ତୁ ପ୍ରଳୟ ସାହସ ସଂଚୟ କରି ତା ମନକଥାକୁ ବ୍ୟକ୍ତ କରିପାରୁନଥିଲା ଛନ୍ଦା ଆଗରେ । ମେଳା ସରିବାର ତିନିଦିନ ପୂର୍ବରୁ ହୋଟେଲ୍‌ରେ ତାକୁ ଛାଡିବା ବେଳକୁ ବାହାରେ ପ୍ରବଳ ବର୍ଷା । ଛନ୍ଦା ଅଳ୍ପ ତିନ୍ତିଯାଇଥିଲା ବର୍ଷାରେ । ଅଦା ଚା ଆଉ ପିଆଜି ଅର୍ଡର ଦେଇ ବାହାରେ ବସିଲେ ଦୁହେଁ । ଘଂଟା ପରେ ଘଂଟା ବିତୁଥିଲା । ଚିହ୍ନା ଲୋକମାନେ ଭୃକୁଞ୍ଚନ କରି ଚାଲିଯାଉଥିଲେ । ଏତେ ବଡ ସ୍ଥାନୀୟ ଲୋକ ଗୋଟେ ଦୋକାନୀ ଝିଅ ପଛରେ ପଡିଛି ବୋଲି ସହରଟା ଜାଣୁଥିଲା ହେଲେ ଛନ୍ଦା ଜାଣିପାରୁନଥିଲା କେମିତି!

ବର୍ଷା ଥମିଆସୁଥିଲା । ଦୁଇ କପ୍ ଲେଖାଁ ଚା ପିଇସାରିଥିଲେ ବ ପ୍ରଳୟ ମନକଥା କହିପାରୁନଥିଲା । ବର୍ଷା କମିଯିବାର ଦେଖି ଛନ୍ଦା କହିଲା- ଆପଣ ଘରକୁ ଯାଆନ୍ତୁ । ଓଦା ଡ୍ରେସ୍‌ରେ ଥଣ୍ଡା ଧରିଯିବ କାଳେ ! ଇଚ୍ଛା ନଥିଲେ ବି ପ୍ରଳୟ ଉଠିଲା । ଛନ୍ଦା ଭ୍ୟାନିଟିରୁ ବାହାର କଲା ସୁଟ୍ କପଡା ସହିତ ଗୋଟେ କାର୍ଡ । ଥରଥର ହାତରେ ବଢେଇଦେଲାବେଳେ କହିଲା- ଆର ସପ୍ତାହରେ ମୋ ବାହାଘର, ନିଶ୍ଚୟ ଆସିବେ । ଆମେ ଦୁହେଁ ଖୁସି ହେବୁ । ପ୍ରଳୟର ମଥା ଉପରେ ଆକାଶ ଘୂରୁଥିଲା । ସେ କାର୍ଡକୁ ପକେଟରେ ପୂରେଇ ଘରମୁହାଁ ହେଲା କୋଉ ନିଶାରେ ଜଣାନାହିଁ । ଘରକୁ ଆସି ଅଚେତ୍ ହୋଇ ପଡିରହିଲା ବିଛଣାରେ କିଛିଦିନ ଧରି ।

ମେଳା ସରିଗଲା ପରେ ଜିନିଷ ପତ୍ର ବନ୍ଧାବନ୍ଧି କରି ଗାଡିସବୁ ବାହାରିଗଲେ ନିଜନିଜ ସ୍ଥାନକୁ । ଏଥର ପୂର୍ବ ବର୍ଷ ପରି ଭଲ ବିକ୍ରୀ ହେଲାନାହିଁ ଛନ୍ଦାର । ଛନ୍ଦା ଅପେକ୍ଷା କରିଥିଲା ପ୍ରଳୟକୁ । ତାର ଫୋନ୍ ସ୍ୱିଚ୍ ଅଫ୍ ଦେଖାଉଥିଲା । ଏ ଦୁଇଦିନ ଧରି ତାର ଦେଖା ଥିଲା ନା କଥାବାର୍ତ୍ତା । କିନ୍ତୁ ଏଭଳି ପରିବର୍ତ୍ତନ? ପ୍ରଥମ ଥର ପ୍ରଳୟ ତାକୁ ଦେଖା ବି କରିବାକୁ ଆସିନଥିଲା ଫେରିବା ପୂର୍ବରୁ । କି ଭୁଲ୍ ହୋଇଗଲା ତା ଦ୍ୱାରା ? ଚିହ୍ନା ଲୋକଟିଏ କହୁଥିଲା ସେ ଏଇ ସହରରେ ଅଛନ୍ତି । ଆର ସପ୍ତାହରେ ତାଙ୍କର ବି ବାହାଘର । ଛନ୍ଦା ଖୁସିରେ ସବୁଠାରୁ ଦାମିକା ଟେଡି ବିଅର୍ ଓ ଗୋଟେ ସୁନ୍ଦର ପର୍ସ ସହିତ ଦେଇଗଲା ଦଶହଜାର ଟଙ୍କା ଓ ବିବାହର ଶୁଭେଚ୍ଛା ବାର୍ତ୍ତା । ଚିଠିଟିଏ ଥିଲା ପ୍ରଳୟ ନାଁରେ – ଆପଣଙ୍କ ଅନୁପସ୍ଥିତି ଏଥର ବାଧିଲା । ବାହାଘରକୁ ଡାକିଲେନି ସିନା କିନ୍ତୁ ମୋ ଉପହାର ଗ୍ରହଣ କରିବେ, ଅନୁରୋଧ । ଆପଣଙ୍କ ଯୁଗ୍ମ ଜୀବନର ସଫଳତା କାମନା କରୁଛି ।

ବର୍ଷଟେ ବିତିଗଲାଣି ୟା ଭିତରେ । ପ୍ରଳୟ ବିବାହ କରି ସୁଖୀ ଅଛି, ଛନ୍ଦା କିନ୍ତୁ ମହିଳା ବ୍ୟବସାୟୀ ହିସାବରେ ବାରମ୍ବାର ଅସଫଳତା ସାମ୍ନା କରୁଛି । ରାତାରାତି ତାର ସବୁ ଅର୍ଡର କ୍ୟାନସେଲ୍ । ପ୍ରଳୟ ତା ସ୍ଥାନରେ ନବାଗତା ମହିଳା ବ୍ୟବସାୟୀଙ୍କ ନାଁ ଅନୁମୋଦନ କରିଛି । ଯେବେଠାରୁ ଛନ୍ଦା ଅନ୍ୟ ପ୍ରତି ଅନୁବନ୍ଧିତ ବୋଲି ପ୍ରଳୟ ଜାଣିଲା ସେବେଠାରୁ ତାକୁ ତଳକୁ ଖସେଇବାର ସମସ୍ତ ଷଡଯନ୍ତ୍ର ରଚିଲା । ଏଥର ମେଳାର ସବାଶେଷ ଦୋକାନଟି ଛନ୍ଦାର । ତା ସ୍ଥାନରେ ସେ ନବାଗତା ଝିଅର ଦୋକାନ ବସିଛି । ସେ ଦଶଦିନଯାକ ପ୍ରଳୟ ଅନୁପସ୍ଥିତ । ଫୋନ୍ ମିଳାଇ ମିଳାଇ ଥକିପଡିଲା ଛନ୍ଦା । ଅଥଚ ପ୍ରଳୟର ଫୋନ୍ ଲାଗୁନି । କଣ ହେଲା ପ୍ରଳୟର ଛନ୍ଦା ଆଶ୍ଚର୍ଯ୍ୟ ହେଲା ।

ଶେଷଦିନ ଖୁବ୍ ମନଦୁଃଖରେ ଫେରିବାବେଳେ କେହିଜଣେ କହୁଥିଲା ଆରବର୍ଷ ଏଠାରେ ମେଳା ହେଲେ କିଛି ପୁରୁଣା ବ୍ୟବସାୟୀଙ୍କ ସ୍ଥାନରେ ନୂଆ ବ୍ୟବସାୟୀଙ୍କୁ ସାମିଲ୍ କରାଯିବ ବୋଲି କମିଟିରେ ନିଷ୍ପତ୍ତି ନିଆଯାଇଛି । ନିଜେ ପ୍ରଳୟ ବାବୁ ଏକଥା କହିଛନ୍ତି । ଛନ୍ଦା ଖସିପଡିଲା ଆକାଶରୁ । ପ୍ରଳୟ ଏଇଠି ଥାଇ ବି ଜାଣିଶୁଣି ତାକୁ ଅଣଦେଖା କରୁଛନ୍ତି ? ଯେ ତାର ସବୁ ସୁବିଧା ଅସୁବିଧାକୁ ନିଜର ଭାବି ତାକୁ ଏତେ ପ୍ରକାରର ସାହାଯ୍ୟ ଯାଚିଦେଇଥିଲେ ସେସବୁ କଣ ଛଳନା ଥିଲା ? ଦେଣନେଣର ଭିନ୍ନ ଏକ ଯୋଜନା ଥିଲା! ପାଖସୂତ୍ରରୁ ଜାଣିଲା- ପ୍ରଳୟ କୁଆଡେ କରିତ୍କର୍ମା । ଛନ୍ଦାକୁ ବିବାହ କରିବା ଆଶାରେ ଏତେ ସାହାଯ୍ୟ ଯାଚି ଦେଉଥିଲା । ସେ ଆଶାରେ ମରିଯିବା ପରେ ଆଉ ତାକୁ ସାହାଯ୍ୟ କରିବ କଣ ତା ମୁହଁ ବି ଦେଖିବାକୁ ଚାହୁଁନଥିବ । ବିନା ସ୍ୱାର୍ଥରେ ସେ କାହାକୁ ଚା କପେ ବି ଦିଏନା । ଛଳନାକାରୀ ଓ ପ୍ରବଂଚକ ସହିତ ଚରମ ସ୍ୱାର୍ଥପର ମଣିଷଟିଏ ଯେ କିଛି ବି କରିପାରେ । ତା ନାଁ ପରି ପ୍ରଳୟ ରଚିପାରେ ।

ଯୋଜନା ସଫଳ ନହେଲା ବୋଲି ଏତେ ବିରକ୍ତି, ବିକର୍ଷଣ, ଘୃଣା ? ସ୍ନେହ ସଦିଚ୍ଛା ପ୍ରେମ କଣ ଏତେ କଞ୍ଚା ଯେ ସ୍ୱାର୍ଥର ଏତେ ଟିକେ ଆଘାତରେ ଧ୍ୱଂସ ହୋଇଯିବ ! ଛନ୍ଦାର ମାଟିତଳୁ ପୃଥିବୀ ଧସିଯାଉଥିଲା । ସେ ଭାବୁଥିଲା ଆସନ୍ତା ବର୍ଷ ସେ ଆଉ ଆସିବନି.. । ପ୍ରଳୟ ତାଙ୍କ ଇଲାକାରେ ସ୍ୱାଧୀନ ଓ ସୁଖୀ ଥାଆନ୍ତୁ ।

ପ୍ରଳୟ ନିଜ ବାଜିରେ ଜିତାପଟ ହୋଇ ଉପରକୁ ଚାହିଁଲା । ଆକାଶରେ ଜହ୍ନ ସହିତ ଛୋଟଛୋଟ ତାରକା ପୁଂଜ, ଯେଝା ସାମର୍ଥ୍ୟରେ ସୁନ୍ଦର ଓ ମନୋରମ । ଖଣ୍ଡ ଖଣ୍ଡ ବାଦଲ ଚାଲିଯାଉଛନ୍ତି ଜହ୍ନକୁ ଛୁଇଁଦେଇ..ଜହ୍ନ ଆହୁରି ସୁନ୍ଦର ଦିଶୁଛି । କାହିଁକି କେଜାଣି, ଭାରି ଛୋଟ ଲାଗିଲା ନିଜକୁ । ଯାହାକୁ ଏତେ ଭଲପାଉଥିଲା ଦିନେ, ପାଗଳ ପରି ତା ପଛେପଛେ ଘୂରିବୁଲୁଥିଲା, ନିଜ ଅହମିକା ପାଇଁ ତାକୁ ତଳିତଳାନ୍ତ କରିବାକୁ ପଛେଇଲାନି ? ତାକୁ ତଳକୁ ଖସାଇବାର ମସୁଧା ରଚିଲା ! ସ୍ୱାର୍ଥଖେଳରେ ସେ ଆଜିପର୍ଯ୍ୟନ୍ତ ଜିତିଆସିଛି । ହେଲେ ଏ ଛନ୍ଦା ନାମକ ଝିଅଟି ତାକୁ ହରାଇଲା କାହିଁକି ? ଯଦି ହରାଇଲା ସେ ପରିଣାମ ଭୋଗ କରିବା ଉଚିତ୍ ।

ପିଲାଟିଏ ଚିଠି ଆଣି ଦେଇଗଲା । ସେଥିରେ ଲେଖା ଥିଲା – ପ୍ରଳୟ ବାବୁ, ମୋର ଅନ୍ତିମ ପ୍ରଣାମ ଘେନିବେ । ଆପଣଙ୍କ ଘୃଣା ଓ ଶ୍ରଦ୍ଧା ଉଭୟ ଖୁବ୍ ତୀବ୍ର । ସର୍ଜି ଜାଣନ୍ତି ପୁଣି ଧ୍ୱଂସ ବି କରିପାରନ୍ତି । ସବୁକୁ ନେଇଯାଉଛି ସାଙ୍ଗରେ । ସଂସାରରେ ବହୁଲୋକଙ୍କ ସହ ଭେଟ ହୁଏ । କେହି ନିଜର ନହୋଇ ବି ନିଜର ଲାଗନ୍ତି । ବିନା କୌଣସି ସର୍ତ୍ତରେ ଆତ୍ମୀୟଙ୍କ ପରି ସୁଖଦୁଃଖର ସହଭାଗୀ ହୁଅନ୍ତି । ସବୁ ସଂପର୍କର ନାମ ତ ନଥାଏ ନା ! କିନ୍ତୁ ଅନେକ ସଂପର୍କ ଆଜୀବନ ମନେରହେ । ସେଭଳି ଗୋଟେ ସଂପର୍କ ଥିଲା ଆମ ଭିତରେ ଯାହାକୁ ମୁଁ ଭୁଲିବିନି । ଖୁବ୍ ସମ୍ମାନ ଅନ୍ତରରୁ । କିନ୍ତୁ ଏ ଶେଷ ଦେଖା ଆମର । ଏ ସଂପର୍କର ସୂକ୍ଷ୍ମ ରଜ୍ଜୁଟି ଛିଣ୍ଡିନଯାଉ କିମ୍ବା ମୋ ମନତଳେ ଆପଣଙ୍କ ପ୍ରତି ଘୃଣା ସୃଷ୍ଟି ନହେଉ ସେଥିପାଇଁ ମୁଁ ମେଳାକୁ ଆଉ ଆସିବିନି । ଆପଣ ମୁକ୍ତ । ଶୁଭେଚ୍ଛା ସହ କେହିଜଣେ.. ।

ପ୍ରଳୟ ଆଖିରେ ବିନ୍ଦୁ ବିନ୍ଦୁ ଲୁହ । ମୋବାଇଲ୍‌ରେ ଅନେକ ମିସ୍ଡ କଲ୍ । ଛଅଟି ସାରିକା, ନଅଟି ଋଚି, ଏଗାରଟା ପଲ୍ଲବୀ ଓ ତିନିଟା ମେଘାର । ପ୍ରଳୟ ଚିତ୍କାର କରିଉଠିଲା- ଯାହାକୁ ଚାହିଁଲି ସେମାନେ ମୋ ପାଖେ ଶରଣ ପଶିଲେ । ତୁ ଏମିତି କୋଉଥିରେ ଗଢା ଥିଲୁ ଯେ କରଛଡା ଦେଲୁ ? କମ୍ ଜାଲ ବିଛେଇଛି ତତେ ଧରିବା ପାଇଁ ! ତୁ କିନ୍ତୁ ଶେଉଳ ମାଛ ପରି ଖସିଗଲୁ ହାତମୁଠାରୁ । ସେ ଅପମାନର ଫଳ ତତେ ହିଁ ଭୋଗ କରିବାକୁ ହେବ । ତେବେ ବି କାଇଁ ଆଖିଟା ଓଦା ଲାଗୁଥିଲା । ଆଉ ଛନ୍ଦା ଭେଟ ହେବ ନାହିଁ! କ୍ଷମତାଲିପ୍ସୁ ଲୋକମାନେ ପରାଜୟକୁ ଘୃଣା କରନ୍ତି । ଆବଶ୍ୟକ ହେଲେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଜୀବନରେ ନିଆଁ ଲଗାଇବାକୁ ବି ପଛାନ୍ତିନି ।

ବହୁ ସୁନ୍ଦରୀ ଝିଅଙ୍କ ସାନିଧ୍ୟ ପାଇପାରିବ ସେ, ହେଲେ ଅସ୍ୱୀକାର କରିଥିବା ଛନ୍ଦାକୁ ଆଉ ପାଦତଳେ ନୁଆଇଁପାରିବ ନାହିଁ ! ଏ କ୍ଷୋଭ ଚିରକାଳ ମନତଳେ କ୍ଷତ ହୋଇ ଜଳାଉଥିବ । ଅହରହ ଛନ୍ଦା କଥା ମନ ଭିତରକୁ ଆସୁଛି କାହିଁକି ? ସତସତିକା ସେ ତାକୁ ପ୍ରେମ କରିନଥିଲା ତ ! ବୋଧେ ହଁ..ସେଥିପାଇଁ ତା ଆଖିରେ ଲୁହ ଭର୍ତ୍ତି ଆକାଶର ମେଘ ପରି । ସ୍ତ୍ରୀ ଚେତେଇ ଦେଇ କହୁଥିଲା- ମେଘ ପଡିଲାଣି । ଏକାଲୟରେ କୁଆଡକୁ ଚାହିଁଛ ଯେ ! ପ୍ରଳୟ ଦେଖୁଥିଲା ଛନ୍ଦା ଡେଉଁଥିଲା ବର୍ଷା ବିନ୍ଦୁ ପରି ତା ମଥା ଉପରେ..ଭିଜାଉଥିଲା ମନକୁ । ଅଥଚ ବାସ୍ତବରେ ସଂପର୍କ ତୁଟେଇ ସେ ଚାଲିଯାଇଥିଲା ଦୂରକୁ..ବହୁ ଦୂରକୁ । ତା ପରିଧି ବାହାରକୁ ।

ଅହଙ୍କାର ଆଧାରରେ ପ୍ରେମକୁ ପ୍ରତିଷ୍ଠା କରାଯାଏ ନାହିଁ କିମ୍ବା ଛଳନା ରଚି ପ୍ରେମକୁ ସିଦ୍ଧ କରାଯାଏନାହିଁ..ପ୍ରଳୟ ଏତିକି ନିୟମ ଜାଣିଥିଲେ ହୁଏତ ପ୍ରେମକୁ ଗାରିମାମୟ କରିପାରିଥାନ୍ତା । କେବେକେବେ ଅପ୍ରାପ୍ତିରେ ବି ପରମ ପ୍ରାପ୍ତି ଲୁଚିଥାଏ, ମଣିଷ ସ୍ୱାର୍ଥାନ୍ଧ ହୋଇ ନିଜକୁ ଚିହ୍ନିବାରେ ଏତେ ଭୁଲ୍ କରେ ଯେ ସାମ୍ନା ଲୋକ ଓ ସଂପର୍କ ହାତଛଡା ହୋଇଯିବାକୁ କ୍ଷଣଟିଏ ବି ଲାଗେନି.. । କ୍ଷମତା ଦ୍ୱାରା ସତ ପ୍ରେମ ମିଳେନା । ପ୍ରେମ ନୈସର୍ଗିକ ଭାବନା, କୃତ୍ରିମତା ଦ୍ୱାରା ପ୍ରେମ ଗୁରୁତ୍ୱହୀନ । ତ୍ୟାଗରେ ପ୍ରେମ ହୁଏ ମହକିତ । ପ୍ରଳୟ ହାତରେ ସବୁ ଥିଲା, ଅଥଚ ପ୍ରେମ ନଥିଲା । ଛନ୍ଦା ପାଖେ କିଛି ନଥିଲେ ବି ପ୍ରେମ ଥିଲା ସେଥିପାଇଁ ସେ ନିଜ ବ୍ୟବସାୟିକ ପରାଜୟକୁ ସହଜରେ ଗ୍ରହଣ କରିନେଇଥିଲା ।

ଲୋକପ୍ରିୟ ଲେଖା

To Top