କବିତା

ପ୍ରତିବିମ୍ବ

Mohan Chandra Bisoyee's odia poem Pratibimba

କାନ୍ଥ ଆଇନାରୁ ସିନା ଲିଭିଗଲା
ସେହି ପ୍ରତିଛବି ଟି ତୁମର,
ହେଲେ ମନ ଆଇନାରେ ଆଜି
ଉଙ୍କି ମାରୁଥିବା ପ୍ରତିବିମ୍ବ ଟି କାହାର?

ପ୍ରତିବିମ୍ବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅସୁମାରୀ ଆଶା ଆଇନାର
ତୁମେ ଥିଲ ପ୍ରତିବିମ୍ବ ମୋର,
ପ୍ରତିଛବି ଆଜି ଉପହାସ କରେ
ତୁମେ ଗଲା ପରେ ବାରମ୍ବାର।

ସତେ ଅବା ତୁମେ ଥିଲ
କୁହୁକ ଦୁନିଆର ଯାଦୁଗର,
ଫୁଲ ଭାବି ମୁହିଁ ଭାବ ବାନ୍ଧିଦେଲି
ଯେସନେ ଏକ ପାଗଳ ଭଆଁର।

ବଞ୍ଚିବାର ରାହା ଦେଖେଇଲ ମୋତେ
ତୋଳିଲ ମନରେ ଘର,
ପ୍ରେମ ପ୍ରତାରଣା କିଛି ଜାଣି ମୁଁ ନଥିଲି
ଯେବେ ଥିଲି ଯାଯାବର।

ମଝି ଆକାଶରେ ଗୁଡ଼ି ଛାଡି
କାଟିଦେଲ ନଟେଇରୁ ସୂତା ତାର,
ଦିଗହରା ଗୁଡ଼ିଟେ ଆଜି ମୁଁ
ଖୋଜି ପାଉ ନାହିଁ ଠିକଣା ମୋର।

ଭାବି ମୁଁ ନଥିଲି ତୁମେ ସାଜୀବ
ଆଉ କାହା ଗଳାରେ ହାର,
ଅଞ୍ଜୁଳି ଚାଉଳ ହାତେ ଧରି
ମୋତେ ଦେବ ପ୍ରତାରଣା ଉପହାର।

ଜାଣିଥାନ୍ତି ଯଦି ତୁମ ପ୍ରେମର ମୂଲ୍ୟ
ଖାଲି ଟୋପାଏ ସିନ୍ଦୂର,
ଫଗୁଣ କୁ ଆଣି ତୁମ ଦାଣ୍ଡ ଦୁଆରେ
କରିଦେଇଥାନ୍ତି ଦାସ ତୁମର।

କାନ୍ଥ ଆଇନାରୁ ସିନା ଲିଭିଗଲା
ସେହି ପ୍ରତିଛବି ଟି ତୁମର,
ହେଲେ ମନ ଆଇନାରେ ଆଜି
ଉଙ୍କି ମାରୁଥିବା ପ୍ରତିବିମ୍ବ ଟି କାହାର?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top