ଗଳ୍ପ

ସଦା ଆଉ ଫେରିନି

Prasanta Kumar Behera's odia story Sada Aau Pherini

ସଦାକୁ ପୁଲିସ୍‌ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ ଗାଆଁରେ ବୁଲାଇବା ପରେ ସଂଧ୍ୟାରେ ଛାଡିଦିଆଯିବ ।

ସଦାଶିବ ଦାସ ଓରଫ ସଦା । ସେ ବିଭିନ୍ନ କିସମର ବଦ୍ ଅଭ୍ଯାସ , ବଦ୍ ଆଚରଣ , ଚୋରି , ଚଉହଦି ନିଶାରେ ପାଶ୍ କରିଥିବା ନିଶାଡ଼ି ଥିଲା । ସଦା ଏସବୁ ଖଳ ପ୍ରକୃତି ସହିତ ଦେଖିବାକୁ ଜଣେ ହୃଷ୍ଟ ପୁଷ୍ଟ ସୌମ୍ୟଦର୍ଶୀ ଯୁବକ ଥିଲା । ଏମିତିରେ କହିବାକୁ ଗଲେ ସେ ଖୁବ୍ ଧୂର୍ତ୍ତ ଆଉ ବୁଦ୍ଧିମାନ୍ ବି ଥିଲା । ଗୌରବର୍ଣ୍ଣ ସହିତ ଡଉଲ ଡାଉଲ ହୋଇ ସୁନ୍ଦର ଆକର୍ଷଣୀୟ ଚେହେରାର ଯୁବକ ହେତୁ କିଛି ନାରୀଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଆଡକୁ ଆକୃଷ୍ଟ କରିବାରେ ମଧ୍ୟ ଖୁବ୍ ପାରଙ୍ଗମ ଥିଲା । ଅନ୍ୟ ଅର୍ଥରେ ସେ ଉପରୋକ୍ତ ସମସ୍ତ ଖଳ ପ୍ରକୃତି ସହିତ ଚରିତ୍ରହୀନ ବି ଥିଲା ।

ସଦା ପ୍ରାୟ ପାଞ୍ଚ ଦଶନ୍ଧି ତଳେ ଅର୍ଥାତ୍ ୧୯୭୦ରୁ ୧୯୮୦ ମସିହା ମଧ୍ୟରେ ତା’ର ଏଇସବୁ ଗୁଣଗ୍ରାମକୁ ସାଥିରେ ଧରି ନିଜ ଇଲାକାରେ ବିଚରଣ କରୁଥିଲା । ସେ ଯେହେତୁ ଖୁବ୍ ଧୂର୍ତ୍ତ ଥିଲା ତେଣୁ କୌଣସି ଲୋକ ତା’ର ସେଇସବୁ ବଦ୍ ଅଭ୍ଯାସ ବିଷୟରେ ଅବଗତ ନଥିଲେ । ଫଳତଃ ସଦା ବିନଦାସ୍ ଭାବରେ ପ୍ରାୟ ପାଞ୍ଚ ଛଅଟି ପଞ୍ଚାୟତରେ ତା’ର କାର୍ଯ୍ୟକ୍ରମ ଜାରି ରଖିଥିଲା । ସଦାର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଭିତରୁ ଯାହା ସବୁଠାରୁ ଅଦ୍ଭୁତ ଓ ଶଠତାପୂର୍ଣ ଥିଲା ତାକୁ ଯିଏ ବି ଶୁଣିବ ବା ଜାଣିବ ଆଶ୍ଚର୍ଯ୍ୟ ନହୋଇ ରହିପାରିବନି ।

ସଦାର ସେଇ ଅଦ୍ଭୁତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପୂର୍ବରୁ ସେଇ ସମୟର ପରିବେଶ ଓ ପରିସ୍ଥିତି ବିଷୟରେ ସାମ୍ୟକ୍ ଧାରଣା ଦେବା ନିହାତି ଆବଶ୍ୟକ । ସେତେବେଳେ ଗାଆଁ ଗଣ୍ତା ମାନଙ୍କରେ ବହୁତ ଧନୀକ ଶ୍ରେଣୀରେ ଆସୁଥିବା କିଛି ଲୋକଙ୍କର କାଁଆଁ ଭାଁ ଗୋଟେ ଅଧେ ପକ୍କାଘର ଥିଲା । ସମସ୍ତଙ୍କର ପ୍ରାୟ ସେଇ ଖଞ୍ଜାଥିବା ଚାଳଘର ରହିଥିଲା । ସେଇ ଖଞ୍ଜାମାନଙ୍କ ମଝିରେ ପ୍ରଶସ୍ତ ଦୁଆର ଏବଂ ଖଞ୍ଜାର ସବୁ ରୁମ୍ ଭିତରକୁ ସେଇ ଦୁଆର ଦେଇ ହିଁ ଯିବାକୁ ହୁଏ । ବଡ଼ ବଡ଼ ପର୍ବ ପର୍ବାଣୀ ବା ବାହାଘର ଆଦି ସମୟରେ ଫାଙ୍କା ପଡ଼ୁଥିବା ସେଇସବୁ ଖଞ୍ଜା ପ୍ରାୟ ଲୋକ ଗହଳିରେ ଭର୍‌ପୁର୍ ହୋଇଯାଏ । ସଦା ତା’ର ସେଇ ଅଦ୍ଭୁତ କାର୍ଯ୍ୟକର୍ମର ଖେଳକୁ ସେଇ ଲୋକ ଗହଳି ଭିତରେ ହିଁ କରିଥାଏ ।

ସଦା ମଝିରେ ମଝିରେ ପ୍ରାୟ ମାସେ ଖଣ୍ଡେ କୁଆଡ଼େ ଗାଆଁରୁ ଗାୟବ୍ ହୋଇଯାଏ । ଲୋକମାନେ ଭାବନ୍ତି କେଉଁଠି କ’ଣ ଭଲ ବେପାର ବଣିଜ ମେଲିଛି, ଯାଇ ସେଠୁ ହିସାବ କିତାବ କରି ପଇସା ଧରି ପୁଣି ରାଜକୀୟ ଠାଣିରେ ଜୀବନ ବିତେଇବା ପାଇଁ ଗାଆଁକୁ ଆସୁଛି । ତା’ ଚେହେରା ସହିତ ଖାପ୍ ଖୁଆଇ ଠାଣି ମାଣି ସବୁ ଖୁବ୍ ସମ୍ଭ୍ରାନ୍ତ ସମ୍ଭ୍ରାନ୍ତ ଲାଗେ ଲୋକମାନଙ୍କୁ । ଆଉ ଲୋକମାନଙ୍କର ସେଇ ଧାରଣାକୁ ପାଥେୟକରି ନିଜ ଗାଆଁ ସହିତ ଆଖପାଖ ଗାଆଁର କିଛି ଝିଅ ବୋହୁଙ୍କ ସହିତ ଯୌବନର ଖେଳ ଖେଳୁଥାଏ ସଦା । ସେଇ ଖେଳ ଏତେ ଚମତ୍କାର ଢଙ୍ଗରେ ଖେଳେ ଯେ, କେହି ବି କୌଣସି ଟେର୍ ପାଇପାରନ୍ତି ନାହିଁ ତା’ର ସେଇ ଖେଳ ବିଷୟରେ । ଯେଉଁଠି ଯେତେବେଳେ ସଦା ଖେଳେ, ଏମିତି ଢଙ୍ଗରେ ଖେଳେ ଯେ ସେଇ ଝିଅଟି ଭାବେ ସଦା ବହୁତ ଭଲ । କେବଳ ତାକୁ ହିଁ ସଦା ନିଜ ଜୀବନଠାରୁ ଅଧିକ ଭଲପାଏ । ତା’ ଛଡ଼ା ଅନ୍ୟ କୌଣସି ଝିଅ ଆଡ଼କୁ ସେ ଆଡ଼ ଆଖିରେ ବି ଅନାଏଁ ନାହିଁ ।

ସଦା ମଝିରେ ମଝିରେ ଗାୟବ୍ ହୋଇଗଲେ ମଧ୍ୟ ଠିକ୍ ବିବାହ ତିଥି ଥିବା ସମୟରେ ଗାଆଁରେ ହାଜର୍ ହୋଇଯାଏ ସେଇ ଅଦ୍ଭୁତ ଖେଳ ଖେଳିବାକୁ । ସେଇ ଖେଳରୁ ସେ ପର୍ଯ୍ୟାପ୍ତ ଟଙ୍କା ପାଇବା ସହିତ ତା’ ରସିକ ନାଗର ଗୁଣକୁ ମଧ୍ୟ ଚରିତାର୍ଥ କରିଥାଏ । ସେତେବେଳେ ବିବାହ କହିଲେ ବାପା ମା ମାନେ ଯେଉଁଠି ସ୍ଥିର କରୁଥିଲେ ସେଇଠାରେ ହିଁ ଉଭୟ ପୁଅ ଝିଅ ମାନେ ବିବାହ କରିବାକୁ ନିଜର ସମ୍ମତି ପ୍ରଦାନ କରୁଥିଲେ । ଆଜିକାଲିକା ପରି ଏତେ ପ୍ରେମ ବିବାହ ନଥିଲା କିମ୍ୱା ବାପା ମା ମାନେ ସ୍ଥିର କରିଥିବା ପୁଅ ଝିଅ ପରସ୍ପରକୁ ବିବାହ ପୂର୍ବରୁ ପରସ୍ପରକୁ ଦେଖିବାର ପରମ୍ପରା ମଧ୍ୟ ନଥିଲା । ଅନ୍ୟ ଅର୍ଥରେ ବିବାହ ପୂର୍ବରୁ ପୁଅ ଝିଅ କେହି କାହାକୁ ଦେଖିନଥାନ୍ତି । ବିବାହ ଦିନ ବେଦୀରେ ଓ ବାଟରେ ପୁଅ ସହିତ କାର୍‌ରେ ଆସିବା ସମୟ ସହିତ ବର ଘରେ ପହଞ୍ଚି ଚତୁର୍ଥୀ ପର୍ଯ୍ୟନ୍ତ ଝିଅଟି ମୁଣ୍ତରେ ଓଢଣୀ ଏମିତି ଢଙ୍ଗରେ ଦେଇଥାଏ ଯେ, ଯେତେ ଚାହିଲେ ବି ବର ସେଇ କନ୍ୟଟିର ମୁହଁକୁ ଦେଖିପାରେ ନାହିଁ । ବିବାହ ପରେ ପ୍ରଥା ପରମ୍ପରା ଅନୁଯାଇ ଚତୁର୍ଥୀରେ ହିଁ ସେମାନେ ପରସ୍ପରକୁ ଦେଖିବାକୁ ସୁଯୋଗ ପାଆନ୍ତି । ସଦା ଏଇ ଚତୁର୍ଥୀ ଭେଟାଭେଟି ପୂର୍ବରୁ ହିଁ ତା’ର ଶିକାର କରିବାକୁ ମଇଦାନକୁ ଲମ୍ପ ପ୍ରଦାନ କରିଥାଏ ।

ସେଇ ଖେଳ ଖେଳିବା ପାଇଁ ସଦା ବହୁ ପୂର୍ବରୁ ବିଭିନ୍ନ ଦିଗକୁ ଚିନ୍ତାକରିବା ସହିତ ଖେଳ ଖେଳାଯିବାକୁ ଥିବା ସ୍ଥାନକୁ ବାରମ୍ୱାର ବିଭିନ୍ନ ଆଳରେ ଯାଇ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିନେଇଥାଏ । ବିବାହପରେ ନୂଆ ବୋହୁ ଜଣଙ୍କ କେଉଁ ରୁମ୍‌ରେ ଅବସ୍ଥାନ କରିବ, ତା’ ସହିତ ଚତୁର୍ଥୀ ପର୍ଯ୍ୟନ୍ତ କିଏ କିଏ ରାତିରେ ରହିବେ – ଏ ସମସ୍ତ ତଥ୍ୟ ସଦା ନିର୍ଭୁଲ୍ ଭାବରେ ଯୋଗାଡ କରିନେଇଥାଏ । ଏଥିପାଇଁ ଆବଶ୍ୟକ ଥିବା ବୁଦ୍ଧି ସହିତ ପ୍ରଚରୁ ସାହସ ସଦା ଭିତରେ ସବୁ ସମୟରେ ମହଜୁଦ୍ ଥାଏ ।

ବିବାହ ଦିନ ବରଯାତ୍ରୀ ଦଳରେ ଆଜିକାଲିକା ପରି ବରର ସମ୍ପର୍କୀୟ ଝିଅମାନେ ଯାଉନଥିଲେ । କେବଳ ପୁରୁଷମାନେ ବରଯାତ୍ରୀରେ ଯାଉଥିଲେ ଆଉ ଯେଉଁକିଛି ବଂଧୁବାନ୍ଧବ ଝିଅମାନେ ଆସୁଥିଲେ ସେମାନେ ଘରେରହି ରୋଷେଇବାସ ସହିତ ବିବାହର ଯାବତୀୟ ଘରକାମ ସବୁ କରିବାରେ ବ୍ୟସ୍ତ ରହୁଥିଲେ । କିଛି ବଂଧୁବାନ୍ଧବ ବିବାହ ଦିନ ଆସି ନପାରି ଠିକ୍ ଚତୁର୍ଥୀକର୍ମ ପୂର୍ବରୁ ଆସି ପହଞ୍ଚିଥାଆନ୍ତି । ସବୁ ଦିଗରୁ ଚିନ୍ତାକରି ସଦା ବିବାହର ପରଦିନକୁ ତା’ର ସେଇ ଅଦ୍ଭୁତ କଦର୍ଯ୍ୟ ଖେଳକୁ ଖେଳିଥାଏ । ତା’ର କାରଣ ହେଉଛି , ବରଯାତ୍ରୀ ଦଳରେ ଯାଇଫେରିଥିବା ଘରର ପୁରୁଷ ଲୋକମାନେ ରାତି ଅନିଦ୍ରା ଜନିତ କାରଣ ସହିତ ପ୍ରୋସେସନ୍‌ରେ ଚାଲିଚାଲି ଶରୀର ପିଡା ବାଧାପାଇଁ ବିବାହର ପରବର୍ତ୍ତୀ ରାତିରେ ନିଘୋଡ଼ ନିଦରେ ଶୋଇଥାନ୍ତି । ସଦା ଏଇସବୁ କାରଣପାଇଁ ସେହିଦିନ ହିଁ ନିଜର ଅଭିସାରରେ ବାହାରିଥାଏ ।

ସଦା ତା’ ଅଭିସାରରେ ବାହାରିବା ପୂର୍ବରୁ କିଛି ଆନୁସାଙ୍ଗିକ କାର୍ଯ୍ୟ କରିନେଇଥାଏ । ଚକାଚକ୍ ଧଳା ଧୋତି ସହିତ ଅରଖନୁଆ ଗଞ୍ଜି, ବେକରେ ସୁନା ଚେନା ଓ ଦୁଇ ହାତର ବିଭିନ୍ନ ଆଙ୍ଗୁଠିରେ କିଛି ସୁନା ମୁଦି ପିନ୍ଧିନିଏ । ତା’ପରେ ନିଜ ହାତରେ ନାଲି ଫିତା ସହିତ ଦୁବଘାସ ବାନ୍ଧି ସଦ୍ୟ ବିବାହିତ ପୁରୁଷର ରୂପଧାରଣ କରି ଶିକାର ଉଦ୍ଦେଶ୍ୟରେ ବାହାରିପଡ଼େ । ସେ ସମୟ ଅର୍ଥାତ୍ ଆଜକୁ ୪୦/୫୦ ବର୍ଷତଳେ ଗାଆଁ ଗଣ୍ତାରେ ବିଜୁଳି ଆଲୁଅ ସାତସପନ ଥିଲା । ସଂଧ୍ୟାରୁ ଡିବି ଓ ଲଣ୍ଠନର ଜୁକୁଜୁକୁ ଆଲୁଅ ହିଁ ସବୁକିଛି ଥିଲା । ହଠାତ୍ କାଳେ କିଏ ଚୋର କି ଡକାୟତ୍ ଆସିଯିବେ ବା ସାପ ଆଦି ସରୀସୃପ ଘର ଭିତରକୁ ପଶି ଆସିବେ ସେଥିପାଇଁ ଟର୍ଚ୍ଚଲାଇଟ୍ କିଛି ଲୋକ ବ୍ୟବହାର କରନ୍ତି । ସେଇ ଅନ୍ଧାର ଭିତରେ କେତେବେଳେ ଖଞ୍ଜା ଭିତରକୁ ପଶିବାପାଇଁ ସଦାକୁ ଚାଳଉପରେ ଚଢି ଲୁଚିଛପି ଆସିବାକୁ ହୁଏ ତ ଆଉ କେତେବେଳେ ସୁବିଧାଦେଖି ସେଇ ଖଞ୍ଜାର ଦ୍ୱାର ବନ୍ଦ ହେବା ପୂର୍ବରୁ ପଶିଆଶା ନିର୍ଦ୍ଦିଷ୍ଟ ଗୋଟେ ଯାଗାରେ ଲୁଚି ରହିବାକୁ ହୁଏ । ରାତ୍ରୀ ବଢିବା ସହିତ ଘରେ ସମସ୍ତେ ଶୋଇଯିବା ପରେ ହିଁ ସେ ତା’ ଫାଇନାଲ୍ ମିଶନରେ ଲୁଚିଥିବା ଯାଗାରୁ ବାହାରିପଡ଼ି ନୂଆ କରି ବାହାହୋଇ ସେ ଘରକୁ ବୋହୁ ହୋଇ ଆସିଥିବା ନାରୀଟିର ଶୋଇବା ଘରକୁ ପ୍ରବେଶ କରେ ।

ପ୍ରଥମେ ପରିବେଶ ଓ ପରିସ୍ଥିତିକୁ ସଠିକ୍ ଢଙ୍ଗରେ ଆକଳନ କରେ । ଯଦି ସବୁ ଠିକ୍ ଠାକ୍ ଅଛି ବୋଲି ହୃଦବୋଧ ହୁଏ ତାହେଲେ ପ୍ରଥମେ ନିଜର କାମ ବାସନାକୁ ଚରିତାର୍ଥ କରିବାପାଇଁ ନିଜର ଲମ୍ପଟତ୍ବକୁ ସାମ୍ନାକୁ ଆଣେ । ନାରୀଟିର ସଦ୍ୟ ବିବାହିତା ପତି ସାଜି ସେ କାର୍ଯ୍ୟକ୍ରମ ସମ୍ପାଦନ କରିସାରିବା ପରେ ନିଜର ଆଉ ଏକ ରୂପ ଦେଖାଇ କହେ – ” ହେଇଟି ଶୁଣ ! ବର୍ତ୍ତମାନ ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ଘରକୁ ବହୁ ବଂଧୁବାନ୍ଧବ ଆସିବେ । ସାଇ ପଡିଶାର ବି ଲୋକମାନେ ତମକୁ ଦେଖିବାକୁ ଆସିବେ । ତମ ପାଖରେ ବି ନିଜର ହୋଇ ବସିବେ ! ଆଜିକାଲିକା କଥା ତ ଜାଣୁଥିବ । ତମେ ଏତେ ଗୁଡେ ଗହଣା ପିନ୍ଧିଛ । କେତେବେଳେ ଟିକେ ତମ ଆଖି ଲାଗିଗଲେ ସେଇ ମୌକାରେ କିଏ ତମ ଗହଣାରୁ କିଛି ଖୋଲି ନେଇଯାଇପାରେ । ତେଣୁ ଗୋଟେ କାମ କର ନିଜର ସବୁ ଗହଣା ଦେହରୁ ଓଲ୍ହାଇ ମୋତେ ଦେଇଦିଅ । ଆମ ବେଡରୁମ୍‌ରେ ଥିବା ଆଲମାରିରେ ମୁଁ ସେସବୁ ଗହଣାକୁ ରଖି ଲକ୍ କରିଦେବି । ଚତୁର୍ଥୀପରେ ସବୁ ଲୋକ ଘରୁ ବିଦାୟ ନେବା ପରେପରେ ହିଁ ତମେ ପୁଣି ସବୁ ପିନ୍ଧିବ । ”

ଜଣେ ସଦ୍ୟ ବିବାହିତା ନାରୀର ଶାଶୁଘରେ ସ୍ୱାମୀ ହିଁ ଏକାନ୍ତ ନିଜର ଯାହା ସହିତ ସାରା ଜୀବନ ବିତେଇବାପାଇଁ ସେ ବାପଘରୁ ଗୋଡକାଢି ଚିରକାଳ ପାଇଁ ଆସିଥାଏ । ସେଇ ସ୍ୱାମୀ ବର୍ତ୍ତମାନ ଲୋକଲଜ୍ୟା ପାଇଁ ଲୁଚିଛପି ଆସି ତା’ ସାମ୍ନାରେ ଆବିର୍ଭାବ ହୋଇ ଗହଣାର ସୁରକ୍ଷା କଥା କହୁଛନ୍ତି । ସ୍ୱାଭାବିକ୍ ଭାବରେ ବୋହୁଟି ଖୁସି ହୋଇ ନିଜର ସମସ୍ତ ଗହଣାଗାଣ୍ଠି ଦେହରୁ ଖୋଲି ତା’ର ସ୍ୱାମୀ ହୋଇ ଆସିଥିବା ଧୋକ୍କାବାଜ୍ ସଦାକୁ ବିନା ଦ୍ୱେଧାରେ ଦେଇଦିଏ ।

ସଦାର ଆୟ କହିଲେ ଏଇ ଲୁଟ୍ କରି ଆଣୁଥିବା ଗହଣା ଗଣ୍ଠି ସବୁ । ମଝିରେ ମଝିରେ ଯେଉଁ ଗାଆଁରୁ ସଦା ଗାୟବ୍ ହୋଇଯାଏ ,ତାହାର କାରଣ ହେଉଛି ଦୂର କୌଣସି ସହରକୁ ଯାଇ ସେଇ ଗହଣା ସବୁକୁ ବିକ୍ରିକରି ଟଙ୍କାରେ ରୂପାନ୍ତରିତ କରିବା ପାଇଁ । କିଛିଦିନ ପରେ ପୁଣି ଗାଆଁକୁ ଫେରିଆସି ସେଇ ଟଙ୍କା ସାହାର୍ଯ୍ୟରେ ରାଜକୀୟ ଠାଣିରେ ଜୀବନ ବିତେଇବା ସହିତ ଯୌବନର ମଜା ଲୁଟିବା ତା’ର ଅଭ୍ୟାସରେ ପରିଣତ ହୋଇ ସାରିଥିଲା ।

ଏମିତିରେ ଯେ, ସଦା ସବୁବେଳେ ସଫଳ ହୁଏ ତାହା ମଧ୍ୟ କହିବା ଠିକ୍ ନୁହେଁ । ଖୁବ୍ ଧୂର୍ତ୍ତ ହୋଇଥିବାରୁ ପରିବେଶ ଆଉ ପରିବେଶ ଦେଖିଦେଇ ପୂର୍ବରୁ ଜାଣିପାରେ ଏଠି ତା’ ଲକ୍ଷ୍ୟ ପୂରଣ ହେବ ନା ନାହିଁ । ଟିକେ ଯଦି ମନରେ ସଂଦେହ ଆସିଲା ବା ପରିସ୍ଥିତି ଅନୁକୂଳ ନଲାଗିଲା ତାହେଲେ, ଯେମିତି ଯେଉଁ ବାଟରେ ଲୁଚି ଛପି ଆସିଥିଲା ଠିକ୍ ସେମିତି ଢଙ୍ଗରେ ବିନା ଶିକାରରେ ପ୍ରତ୍ୟାବର୍ତ୍ତନ କରିଥାଏ ।

ସଦା ଯେଉଁସବୁ ଜାଗାରେ ନିଜର କୁତ୍ସିତ ବାସନାକୁ ଚରିତାର୍ଥ କରିବା ସହିତ ଲୁଟ୍ କରିଥାଏ , ପରଦିନ ସେଠି ବିଭିନ୍ନ କଥା ଘଟେ । ଯେତେବେଳେ ନବ ବିବାହିତା ନାରୀଟି ଜାଣେ ଯେ, ଗହଣା ନେଇଥିବା ସେଇ ପୁରୁଷଟି ତା’ ନିଜର ସ୍ୱାମୀ ନୁହେଁ ଆଉ କିଏ, ସେତେବେଳେ ତା’ ପାଦତଳୁ ସବୁମାଟି ଯେପରି ଅପସରି ଯାଏ । ଗହଣା ସହିତ ନିଜର ଆଉ କ’ଣ ସବୁ ହରେଇଦେଇଛି ସେକଥା କାହାକୁ କହିବାକୁ ସେ ସାହସ କରିପାରେ ନାହିଁ । ସେଇ ଧୋକ୍କାବାଜ୍ ଲୋକଟି ପାଇଁ ନିଜର କୌଣସି ଭୁଲ୍ ନଥାଇ ମଧ୍ୟ ନାରୀଟି ସାରା ଜୀବନ ନିଜକୁ ଅଭିଶପ୍ତ ବୋଲି ମନେକରେ । କଥା କେବଳ ସେଇ ଗହଣା ଲୁଟ୍‌ରେ ହିଁ ରହିଯାଏ ଆଉ ସେଥିରେ ଶାଶୁଘର ଲୋକ ବି ସମୟେ ସମୟେ ଝିଅଟି ଗହଣା ଲୁଚାଇକି ବାପଘରକୁ ପଠାଇ ଦେଇଛି ବୋଲି ଧରିନେଇ ପରିବର୍ତ୍ତୀ ସମୟରେ କଳିକଜିଆ ସେଇ ପରିବାରରେ ଲାଗିରୁହେ । ଝିଅଟି ନିଜ ମନ ଭିତରେ ଓ ଶାଶୁଘର ପରିବେଶରେ ନିଜକୁ ଆଦୌ ଖାପ୍ ଖୁଆଇପାରେ ନାହିଁ । ସେଭଳି ପରିସ୍ଥିତିରେ ବିଭିନ୍ନ କିସମର ପାରିବାରିକ ବିଭ୍ରାଟ ଦେଖାଦିଏ ।

ତେବେ କଥାରେ ଅଛି ଚୋରଘର ସବୁବେଳେ ଆଲୁଅ ନୁହେଁ । ଦିନେ ଅନ୍ଧାର ଆସିବ ହିଁ ଆସିବ । ସଦା ଖେଳୁଥିବା କୁତ୍ସିତ ଖେଳକୁ ଭଗବାନ୍ ଆଉ ଅଧିକ ସହିପାରିଲେ ନାହିଁ । ତେଣୁ ସଦା ସହିତ ଫାଇନାଲ୍ ଖେଳ ଖେଳିବା ପାଇଁ ନିଜେ ଭଗବାନ୍ ପ୍ଲଟ୍ ରଚନାକଲେ । ଭଗବାନ୍ ଯେତେବେଳେ ଖେଳ ଖେଳିବାକୁ ଓହ୍ଲାନ୍ତି ସେତେବେଳେ କେବଳ ଚରିତ୍ରହୀନ ସଦା କାହିଁକି , ଯେ କୌଣସି ପାପୀର ସବୁ ଅକଲ୍ ଗୁ଼ଡ଼ୁମ୍ ହେବା ସହିତ ଖେଳ ଖତମ୍ ହେବା ଥୟ ।

ସଦା ଗାଆଁର ପଡ଼ୋଶୀ ଗାଁ ରେ ଗୋଟେ ପୁଅର ବିବାହ ହେବାକୁ ସ୍ଥିର ହୋଇଗଲା । ପୁଅଟି ଇଂଜିନିୟର ହୋଇଥିବାରୁ ବହୁତ ବଡ଼ଘରେ ତା’ର ବିବାହ ସ୍ଥିର ହୋଇଥିଲା । ସେତେବେଳେ ଇଂଜିନିୟର ଥିବା ଗୋଟେ ପୁଅର ବିବାହ ବଜାରରେ ଖୁବ୍ ଡିମାଣ୍ଡ । ଝିଅଟିର ରୂପଗୁଣ ଯେମିତି ବାପଘରୁ ଯୌତୁକ ବି ସେମିତି ଆଣିବ ବୋଲି ଚାରିଆଡେ ହାଲ୍ଲା ହୋଇଗଲା । ସଦା ମନେମନେ ଭାବୁଥାଏ ଏଇଠି ସଫଳ ହେବା ନିହାତି ଆବଶ୍ୟକ । ତେଣୁ ସେ ତା’ ଜାଲ ବିଛେଇବା ଆରମ୍ଭ କରିଦେଲା । ସଦା ଦେଖିଲା ଝିଅ ଘର ପୁଅ ଘରଠାରୁ ୫୦୦ କିଲୋମିଟର ଦୂରରେ । ତେଣୁ ବିବାହପରେ ତା’ ପରଦିନ ପୁଅ ବୋହୁ ଗାଆଁରେ ପହଞ୍ଚିବା ବେଳକୁ ରାତି ହୋଇଥିବ । ତେଣୁ ସ୍ୱାଭାବିକ୍ ଭାବରେ ସଦା ସେଦିନ ରାତିରେ ନଯାଇ ତା’ ପର ରାତିରେ ଯିବା ଉଚିତ୍ ହେବବୋଲି ସ୍ଥିର କରିନେଲା ।

ଏଣେ ଇଂଜିନିୟର୍ ପୁଅଟି ଖୁବ୍ ଆଡ୍ଦଭାନ୍ସ୍ ଥିଲା । ସେ କୌଣସି ମତେ ନିଜ ଭାଉଜକୁ ହାତ କରି ସଦା ଆସିବାକୁ ସ୍ଥିର କରିଥିବା ରାତିର ପୂର୍ବରୁ ସେଇଦିନ ଖରାବେଳେ ଝିଅଟି ସହିତ ଭେଟାଭେଟି ହୋଇଗଲା । ଏ ଭେଟାଭେଟି କଥା କିନ୍ତୁ ସଦା ଜାଣିବାର କୌଣସି ଅବକାଶ ନଥିଲା । ସେଦିନ ରାତିରେ ଖୁବ୍ ଚମତ୍କାର ଢଙ୍ଗରେ ବେଶଭୁଷା ହୋଇ ସଦା ଅଭିସାରରେ ଘରୁ ବାହାରି ଆସିଲା । ପୂର୍ବରୁ ଯେମିତି ଢଙ୍ଗରେ ସାହସର ସହିତ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ କରେ ଏଠି ବି ସେଇ ଏକା ଫର୍ମୁଲ୍ଲା ପକାଇ ସଦ୍ୟ ବିବାହିତା ନାରୀଟିକୁ ନିଦରୁ ଉଠାଇବା ଚକ୍କରରେ ଧିରେଧିରେ ହଲ୍ଲାଇ କହିଲା , —-

” ହେଇଟି ଶୁଣୁଛ ! ମୁଁ , ମୁଁ ପରା ଆସିଛି !! ଉଠ ମ , ଏତେ କ’ଣ ଶୋଉଛ ?? ”

ଏତିକି କହି ସଦା ନିଜର ପରିବର୍ତ୍ତୀ କାର୍ଯ୍ୟକ୍ରମ କରିବାରେ ମଗ୍ନ ହେବାକୁ ଉଦ୍ୟତ ହେଲା । ଝିଅଟିକୁ କାଇଁ ସେଇତିକ କଥାବାର୍ତ୍ତା ଠିକ୍ ଲାଗିଲାନି । ଖରାବେଳେ ତା’ ସ୍ୱାମୀ ଆସି ଯାଇଛନ୍ତି । ପୁଣି ଏବେ କାହିଁକି ବା ଆସିବେ ? ତା’ପରେ ଏ ଅନ୍ଧାରରେ ଥିବା ଲୋକଟିର କଥାବାର୍ତ୍ତା ତା’ ସ୍ୱାମୀର ସ୍ୱର ସହିତ ଆଦୌ ମିଶୁନାହିଁ । ଝିଅଟି କିଏ ଆସିଛି ବୋଲି ଜାଣିବାପାଇଁ ନିଜ ମୁଣ୍ତ ଉପରେ ରଖିଥିବା ଟର୍ଚ୍ଚଲାଇଟ୍ ମାରି ଦେଖି ଯେତେ ଜୋର୍‌ରେ ଚିତ୍କାର କରି ଉଠିଲା —

” ଚୋର …ଚୋର.. ଧର..ଧର.. ”

ଆଖିପିଛଡାକେ ଏମିତି କାଣ୍ତ ଏ ନାରୀ ଘଟେଇଦେବ ଏକଥା ସ୍ୱପ୍ନରେ ବି ସଦା ଭାବି ନଥିଲା । ହଠାତ୍ କଣ କରିବ ତା’ ମୁଣ୍ତରେ କିଛି ପଶିଲାନି । ଗୋଟେ ଷ୍ଟାଚ୍ୟୁପରି ଅଧା ଉଲଗ୍ନ ଅବସ୍ଥାରେ ସେମିତି ଠିଆ ହୋଇଥାଏ । ଘରର ସବୁ ପୁରୁଷଲୋକ ଏକାଠି ହୋଇ ତାକୁ ମାଡିବସି ଘର ସାମ୍ନରେ ଥିବା ଗୋଟେ ନଡିଆ ଗଛରେ ବାନ୍ଧିଦେଲେ । କଥାଟା ବିଜୁଳି ବେଗରେ ଖଣ୍ତମଣ୍ଡଳରେ ଖେଳିଗଲା । ବିଭିନ୍ନ ଗାଆଁରୁ ଲୋକମାନେ ସେଇ ରାତି ଅଧରେ କିଏ ସେହି ଚୋର ତାକୁ ଦେଖିବାକୁ ଦୌଡୁଥାନ୍ତି ।

ପରଦିନ ସକାଳୁ ସାତଖଣ୍ତ ଗାଆଁର ହଜାର ହଜାର ଲୋକଙ୍କ ସମ୍ମୁଖରେ ନିଷ୍ପତି ହେଲା, ସଦାକୁ ପୁଲିସ୍‌ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ ଗାଆଁରେ ବୁଲାଇବା ପରେ ସଂଧ୍ୟାରେ ଛାଡିଦିଆଯିବ । ସେଇଆ ମଧ୍ୟ ହେଲା । କିନ୍ତୁ ସେଇ ଘଟଣା ପରଠାରୁ ସେ ଫେରାର୍ । ସେଇଦିନୁ ଯାଇଛି ଯେ ଯାଇଛି । ସଦା ଆଉ ଫେରିନି ।

ଲୋକପ୍ରିୟ ଲେଖା

To Top