ଏପଟେ ସେକ୍ରେଟେରିଏଟ୍, ସେପଟେ ହେଡ଼୍ସ ଅଫ୍ ଦି ଡିପାର୍ଟମେଣ୍ଟସ୍ । ମଝିରେ ପିଚୁଢଳା ରାଜପଥ । ଆକାଶରେ ଅପରାହ୍ନ ଶୀତଳ ସୂର୍ଯ୍ୟ । ଶୀତ ଦିନ । ରାସୟା ମଝିରେ ଠିଆ ହେଲା ‘କ୍ରସ୍ରୋଡ଼’ର ଗାଡ଼ି । ଗାଡ଼ିରୁ ଓହ୍ଲାଇଲେ ‘କ୍ରସ୍ରୋଡ଼’ର ଏକଜିକ୍ୟୁଟିଭ୍ ଅଳକା ଘୋଷ । ଅଂଟାରେ ଖୋସିଥିବା ଛୋଟ ସୁଗନ୍ଧ ରୁମାଲ କାଢ଼ି ମୁହଁ ପୋଛିଲା । ଶୀତଦିନ ବି ତା କପାଳରେ ବିନ୍ଦୁ ବିନ୍ଦୁ ଝାଳ ।
ରାସ୍ତା ପାର ହେବା ଆଗରୁ ସେ ନିଜ ଶାନ୍ତିନିକେତନୀ ଝୁଲା ବ୍ୟାଗ୍ରେ ବହିଟା ଅଛି କି ନାହିଁ ଅଭ୍ୟାସ ବଶବର୍ତ୍ତୀ ହୋଇ ଦେଖିନେଲା ଅଳକା । ‘ଦି ମ୍ୟାମଥ ବୁକ୍ ଅଫ୍ ବେଷ୍ଟ ନିଉ ଇରୋଟିକା’ । ପ୍ରାୟ ପାଞ୍ଚଶହ ପୃଷ୍ଠାର ପର୍ଣ୍ଣୋ ଲଣ୍ଡନ ରବିନ୍ସନ ପ୍ରକାଶିତ ହାର୍ଡ ବାଇଣ୍ଡ ବହି । ଦାମୀ କାଗଜରେ ଛାପା ବହିଟା ବେଶ ହାଲ୍କା । ଏଇ ଚାରିଦିନ ତଳେ କଲିକତା ବ୍ରାଞ୍ଚ୍ରୁ ଭୁବନେଶ୍ୱର ‘କ୍ରସରୋଡ଼୍’ ରେ ପହଞ୍ଚିଛି ।
ଆଜି ସକାଳୁ ମ୍ୟାନେଜିଂ ଡ଼ାଇରେକ୍ଟର ଅମଳିନ ଦାସ ତାକୁ ଏଇ ବହିଟା ଧରେଇ ଦେଇ କହିଲେ – ଆଜି ଅପରାହ୍ନ ଚାରିଟା ପରେ କଲ୍ଚର ସେକ୍ରେଟାରୀ କଲ୍ଲୋଳ ରଥଙ୍କୁ ଏ ବହିଟା ହାତେ ହାତେ ତମକୁ ଦେଇ ଆସିବାକୁ ହେବ ମିସ୍ ଘୋଷ ! ଚାରିଟା ପରେ ସେ ତାଙ୍କ ଚ୍ୟାମ୍ବରରେ ଏକା ଥିବେ । ସେକ୍ରେଟେରିଏଟ୍ ପାସ୍ ଦରକାର ନାହିଁ । ତମେ ପଛ ଗେଟ୍ ବାଟେ ଯିବ – ଆମ ଗାଡ଼ି ଦେଖିଲେ ଗାର୍ଡ଼ ବାଟ ଛାଡ଼ିଦେବ ।
– ବହିର ବିଲ୍ ସାର୍ ।
ଅମଳିନ ସାର ହସିଦେଇ କହିଥିଲେ ଏଇଟା ଆମର ତାଙ୍କୁ ଉପହାର । ବିଲ୍ ଦେଇ ତାଙ୍କୁ ଅପମାନିତ କରିବା କ’ଣ ଦରକାର ? କଲଚର ଡିପାର୍ଟମେଣ୍ଟ୍ ଆମ ଦୋକାନରୁ ଦେଢ଼ ଲକ୍ଷ ଟଙ୍କାର ଇଂଲିଶ ବହି କିଣିଛି । ରଥ ସାହେବ ‘କ୍ରସ୍ରୋଡ଼’ବୁଲି ଦେଖି ଯାଇଛନ୍ତି । ଆଉ ପଚାଶ ହଜାର ଟଙ୍କାର ଅର୍ଡର ମିଳିପାରେ । ସେତେବେଳ ପର୍ଯ୍ୟନ୍ତ ପାଞ୍ଚଶହ ପୃଷ୍ଠାର ସେ ବହିର ଟାଇଟଲ୍ ଦେଖି ନ ଥିଲା ଅଳକା । ଦେଖିନେଇ ଚମକି ଗଲା । ଏଇ ମାସେ ହେଲା ହେ ଅକ୍ସଫୋର୍ଡ ଛାଡି ‘କ୍ରସ୍ରୋଡ଼’ ଆସିଛି । ବେଶି ଟଙ୍କାର ବହିର ଅର୍ଡର ପାଇବା ପାଇଁ ଯେ ଜଣେ ପ୍ରୌଢ଼ ଆଇ.ଏ.ଏସ୍ ଅଫିସରଙ୍କୁ ଗୋଟିଏ ସଦ୍ୟ ପ୍ରକାଶିତ ଇଂଲିଶ ପର୍ଣ୍ଣୋଗ୍ରାଫି ଉପହାର ଦେବାକୁ ହେବ, ସେ କଥା ଚାକିରୀରେ ଯୋଗ ଦେଲାବେଳେ ଚିନ୍ତା କରି ନ ଥିଲା ।
– କାଲି ସକାଳୁ ତାଙ୍କୁ ତାଙ୍କ କ୍ବାଟର୍ସରେ ଯାଇ ଦେଇ ଆସିଲେ ।
– ମିସେସ୍ ରଥ ତମକୁ ଘରେ ପୂରେଇ ଦେବେ ନାହିଁ । ଆଉ ଏ ବହି ରଥ ସାହେବ ମଧ୍ୟ ଘରକୁ ନେବେ ନାହିଁ ।
ଏମ୍.ଡ଼ି ମୃଦୁ ହସି କହିଲେ -ମିସେସ୍ ରଥଙ୍କ ଧାରଣା ପର୍ଣ୍ଣୋଗ୍ରାଫି ପଢିବା ପାପ । ଏ ବହି ଛୁଇଁଲେ ତାଙ୍କୁ ମୁଣ୍ଡ ଧୋଇ ଗାଧୋଇବାକୁ ହେବ । ଥରେ ଡି.ଏଚ୍.ଲରେନ୍ସଙ୍କ ‘ସନ୍ସ ଏଣ୍ଡ ଲଭର୍ସ’ ବହିଟା ପଢ଼ୁଥିବାବେଳେ ଦେଖିଦେଇ ରଥ ସାହେବଙ୍କୁ ତାଙ୍କ ମିସେସ୍ କୁଆଡ଼େ ଡିଭୋର୍ସ କରିବେ ବୋଲି ଧମକ ଦେଇଥିଲେ – ଅଥଚ ସେ ବହିଟା ଆମ ଉତ୍କଳ ୟୁନିଭର୍ସିଟିରେ ପାଠ୍ୟ ପୁସ୍ତକ !
ଡି.ଏଚ୍. ଲରେନ୍ସଙ୍କ ଉପନ୍ୟାସ ତତ୍ତ୍ୱ ଉପରେ ପି.ଏଚ.ଡ଼ି କରିଛି ଅଳକା । ଅମଳିନ ସାର୍ଙ୍କ କଥା ଶୁଣି ସେ ମଧ୍ୟ ହସି ଦେଇଥିଲା । ଗାଡ଼ିରୁ ଓହ୍ଲାଇ ରଥ ସାହେବଙ୍କ ଅଫିସ୍କୁ ଯିବା ପାଇଁ ଲିଫ୍ଟରେ ଉଠିଲାବେଳେ ସେ ଟିକେ ନର୍ଭସ ଫିଲ୍ କରୁଥିଲା । ମନେ ହେଉଥିଲା ଶାନ୍ତିନିକେତନୀ ଝୁଲା ବ୍ୟାଗ୍ରେ ସତେ ସେ ଯେମିତି ଏକ ନିଷିଦ୍ଧ ଚୋରାମାଲ୍ ଲୁଚାଇ କରି ନେଇଯାଉଛି । ଧରାପଡ଼ିଲେ ମିସେସ୍ ରଥ ତାଙ୍କୁ ଫାଶୀ ଦାଣ୍ଡରେ ଦଣ୍ଡିତ କରି ଦେବେ !
ତାର ନର୍ଭସ୍ ହେବାର ଆଉ ଗୋଟିଏ କାରଣ ମଧ୍ୟ ଥିଲା । କଲ୍ଲୋଳ ରଥ ଲୋକଟି କିପରି ସେ ଜାଣେ ନାହିଁ । ଏଭଳି ଯୌନଉଦ୍ଦୀପକ ବହି ଲୁଚେଇ ଲୁଚେଇ ଯେଉଁମାନେ ପଢ଼ନ୍ତି, ସେମାନେ ଖୁବ ଚରିତ୍ରବାନ୍ ଲୋକ ହୋଇ ନ ପାରନ୍ତି । ତା ଭଳି ସତେଇଶ ବର୍ଷର ଜଣେ କୁମାରୀ କନ୍ୟା ହାତରୁ ବହିଟା ନେଲା ବେଳେ ଯଦି ସେ କୌଣସି ଅଶୋଭନୀୟ ଆଚରଣ ଦେଖାନ୍ତି !
ଶୀତ ଦିନେ ସୁଦ୍ଧା ଏଇସବୁ କଥା ଭାବି ଅଳକା ଘୋଷ ଝାଳରେ ଭିଜିବାକୁ ଲାଗିଲା । ସେ ନିଜ ଭିତରେ ଏକ ଅସ୍ବସ୍ତିକର ସ୍ନାୟବିକ ଉତ୍ତେଜନା ଅନୁଭବ କରୁଥିଲା । ହାର୍ଟବିଟ୍ ବଢି ଯାଇଥିଲା । କିନ୍ତୁ ଶୀତତାପ ନିୟନ୍ତ୍ରିତ ରଥ ସାହେବଙ୍କ ସେଇ ପ୍ରକୋଷ୍ଠରେ ପ୍ରବେଶ କରିଗଲା ପରେ ତାର ରକ୍ତ ପ୍ରବାହ ସ୍ୱାଭାବିକ ହୋଇଗଲା ।
କଲ୍ଲୋଳ ରଥ ଖୁବ୍ ଭଦ୍ର ଇନସେଣ୍ଟ, ଇନୋସେଣ୍ଟ ଲାଗୁଥିଲେ । ବିଶେଷ କରି ବହିଟା ତାଙ୍କ ହାତକୁ ବଢ଼ାଇ ଦେଲାବେଳେ ସେ ଯେପରି ଚିଲଭଳି ତାକୁ ଝାମ୍ପି ନେଇ ନିଜ ଟେବୁଲ ଡ୍ରୟରରେ ରଖିଦେଲେ , ତାହା ଲକ୍ଷ୍ୟ କରି ଅଳକା ମୁହଁକୁ ହସ ଚହଲି ଆସୁଥିଲା । ଅସଭ୍ୟତା ହେବ ବୋଲି ସେ ଦାନ୍ତ ଚିପି ସେ ହସକୁ ଚାପି ନେଲା ।
ସେ ବହିଟା ଦେଲାବେଳେ ଯେମିତି ନର୍ଭସ ଫିଲ୍ କରୁଥିଲା, ସେ ତା ହାତରୁ ବହିଟା ନେଲା ବେଳେ ସେହିପରି କଲ୍ଲୋଳ ସଂକୋଚ ଅପ୍ରତିଭ ଜଣା ପଡୁଥିଲେ । ପ୍ରକୋଷ୍ଠରେ ସେ ଦୁଇଜଣଙ୍କ ବ୍ୟତୀତ ଅନ୍ୟ କେହି ନ ଥିଲେ । ତଥାପି ସେ ଏକ ପର୍ଣ୍ଣୋଗ୍ରାଫି ନେଉଥିବା ଦେଖିଲେ କାଳେ ସଚିବାଳୟରେ ହାଟ ବସିଯିବ, ମନ୍ତ୍ରୀଙ୍କ କାନକୁ କଥାଟା ଚାଲିଯିବ ସେମିତି ଭୟଭୀତ ହୋଇ ଚଟ୍କିନା ଡ୍ରୟାର ଭିତରେ ରଖିଦେଲେ ରଥ ସାହେବ ।
ତା ପରେ ଲଜ୍ଜ୍ୟା-ସଂକୁଠ ଭାବରେ କହିଲେ ଅମ୍ଳୀନ ମୋର କଲେଜର ସହପାଠୀ ଥିଲା । ମୋର ପରାମର୍ଶ ମାନି ପ୍ରାଇଭେଟ କଲେଜରୁ ଇଂରାଜୀ ଅଧ୍ୟାପକ ଚାକିରୀ ଛାଡ଼ି କ୍ରସ୍ରୋଡ଼ ଖୋଲିଛି । ଓଡ଼ିଶାରେ ଏକ ରାଜଧାନୀ ସହରରେ ଗୋଟିଏ ଭଲ ଇଂଲିଶ ବହି ଦୋକାନ ନାହିଁ ଯେଉଁଠି ବିଶ୍ବର ସଦ୍ୟ କିଛି ଭଲ ଇଂଲିଶ ବହି ମିଳିଯିବ ! ମୁମ୍ବାଇ, କଲିକତା ପରେ ଆନ୍ତର୍ଜାତିକ ମାନର ଏ ବହି ଦୋକାନ କ୍ରସ୍ରୋଡ ବୋଧହୁଏ ତୃତୀୟ, ଯେଉଁଠି ଜଣେ ପୁସ୍ତକ ପ୍ରେମିକ କିଣୁ ନ କିଣୁ ସବୁ ପ୍ରକାର ବହି ଦେଖି, ଆଘ୍ରାଣ କରି ନିଜର ବୌଦ୍ଧିକ କାମନା ତୃପ୍ତ କରି ପାରିବ ପାରିବ । କିନ୍ତୁ ବହିର ଆଜିକାଲି ଯାହା ଦାମ ହୋଇଛି – ମୁଁ ଅକ୍ସଫୋର୍ଡରେ ଥିଲି କେବଳ ଇଂଲିଶ ବହି ବିକ୍ରି କରି ଏଭଳି ପ୍ରଶସ୍ତ-ଖୋଲାମେଲା – ଶୀତତାପ ନିୟନ୍ତ୍ରିତ ଦୋକାନ ଚଳାଇବା –
କଷ୍ଟ – ଅଳକା ମୁହଁରୁ କଥା ଛଡ଼ାଇ ନେଲେ ରଥ ସାହେବ । ତା ପରେ କଲିଂ ବେଲ ଚିପି ପିଅନକୁ ଦୁଇକପ୍ କଫିର ଅର୍ଡର ଦେଲେ ।
ଅଳକା ଲକ୍ଷ୍ୟକଲା ବୟସ ପଚାଶ-ପଞ୍ଚାବନ ହେଲେ ମଧ୍ୟ ରଥ ସାହେବ ସ୍ଲିମ୍ ସ୍ମାର୍ଟ ଦେଖା ଯାଉଛନ୍ତି । କମିଶନ ରାଙ୍କ୍ ର ଆଇ.ଏ.ଏସ. ହେଲେ ମଧ୍ୟ ଦେହରେ କେଉଁଠି ଅତିରିକ୍ତ ଚର୍ବି ଜମିଥିବା ଭଳି ଦେଖା ଯାଉନାହାନ୍ତି । କିନ୍ତୁ ରଥ ସାହେବଙ୍କ କଥାବାର୍ତା ଭାବଭଙ୍ଗୀରେ ଏକ କିଶୋର ସୁଲ୍ଲଭ ନିରୀହତା ଲକ୍ଷ୍ୟ କରି ଅଳକା ଟିକିଏ ଦୁଃସାହସୀ ହେବା ପାଇଁ ଉଚ୍ଛୁକ ହୋଇ ଉଠିଲା ।
– ସାର ଶୁଣିଲି ଆପଣ ମିସେସ୍ ଲରେନ୍ସଙ୍କ ସନ୍ସ ଏଣ୍ଡ ଲଭର୍ସ ପଢ଼ୁଥିବା ଦେଖି କୁଆଡେ ଆପଣଙ୍କ ସହ ଝଗଡ଼ା କରିଥିଲେ । କିନ୍ତୁ, ମୁଁ ଲରେନ୍ସଙ୍କ ‘ଲେଡି ଚାଟର୍ଳିଜ ଲଭର’ ଡାଡି, ମମିଙ୍କ ସାମ୍ନାରେ ପଢ଼ୁଥିବା ବେଳେ କେହି ଆପତ୍ତି ସୁଦ୍ଧା କରି ନାହାନ୍ତି ।
କଲ୍ଲୋଳ କଫି କପ୍ରେ ଓଠ ଲଗାଇବା ଆଗରୁ ସ୍ମିତ ହସି କହିଲେ – ଡାଡି, ମମି ଆପତ୍ତି କରି ନାହାନ୍ତି – ସ୍ୱାମୀ ଥିଲେ ହୁଏତ ସଂଦେହୀ ଦୃଷ୍ଟିରେ ତମକୁ କଟ୍ମଟ୍ କରି ଅନେଇଥାନ୍ତେ । ବାହାହେଲା ପରେ ତମ ସ୍ୱାମୀ ଯଦି ଘରେ ବ୍ଲୁ ଫିଲ୍ମ ଦେଖନ୍ତି ତୁମେ ସେଥିରୁ ଖୁସି ହୁଅନ୍ତ ?
ମୃଦୁ ଧକ୍କା ଖାଇଲା ଭଳି ଚେୟାରରେ ଦୋହଲି ଗଲା ଅଳକା । ହଠାତ୍ ସେ ଦୃଢ କଣ୍ଠରେ କହିପାରିଲା ନାହିଁ – ସିଓର , ତାଙ୍କ ସହିତ ବସି ମୁଁ ମଧ୍ୟ ସେ ବ୍ଲୁ ଫିଲ୍ମ ଉପଭୋଗ କରନ୍ତି ।
କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ସେ କହିପାରି ନ ଥିଲା । କିଏ ତାର ତଣ୍ଟି ଚିପି ଧରିଲା ଭଳି ସେ ଅନୁଭବ କଲା । ସେ ଥରକୁ ଥର ଢ଼ୋକ ଗିଳି ଅବଶେଷରେ କହିଲା – ହୁଏତ ପାରିବି ନାହିଁ । ସ୍ବୀଚ୍ ଅଫ୍ କରି ଦେଇ ସିନେମା ଦେଖା ବନ୍ଦ କରି ଦେବି କିନ୍ତୁ କାହିଁକି ପାରିବି ନାହିଁ ।
ରଥ ସାହେବଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ନିଜେ ଗୋଟେ ପ୍ରଶ୍ନ କରି ଦେଇଥିବାରୁ ସେ ମନେ ମନେ ନିଜକୁ ଗାଳି ଦେଲା ।
କଲ୍ଲୋଳ କିନ୍ତୁ ଜଣେ ଅଭିଜ୍ଞ ମନୋବିଜ୍ଞାନୀ ଭଳି ତା ପ୍ରଶ୍ନର ଉତ୍ତର ଦେଲେ – ତମେ ସ୍ୱାମୀଙ୍କ ପର୍ଣ୍ଣୋ ଫିଲ୍ମ ଦେଖା ସହ୍ୟ କରିପାରିବ ନାହିଁ । କାରଣ ତମର ସନ୍ଦେହ ହେବ ଯେ ତମେ ତମ ସ୍ୱାମୀକୁ ଯେଉଁ ସୁଖ ଦେଇ ପାରି ନାହଁ ସେ ବ୍ଲୁ ଫିଲ୍ମ ସେ ସୁଖ ତାଙ୍କୁ ଦେଇ ପାରୁଛି । ବ୍ଲୁ ଫିଲ୍ମ ତମର ସାନ ସଉତୁଣୀ ଭଳି ବୋଲି ତମେ ମନେ ମନେ ଭୟ କରିବ । ଆଉ କିଛି ଉପାୟ ନ ପାଇ ସ୍ବୀଚ୍ ଅଫ୍ କରିଦେବ – କିନ୍ତୁ ବାସ୍ତବରେ ପର୍ଣ୍ଣୋ ବହି କିମ୍ବା ବ୍ଲୁ ଫିଲ୍ମ ପାଠକ କିମ୍ବା ଦର୍ଶକକୁ କୌଣସି ଯୌନତୃପ୍ତି ଦେଇ ପାରେ ନାହିଁ ।
ଆପଣଙ୍କ ମିସେସ୍ଙ୍କୁ ତା ଆପଣ ଏ କଥା ବୁଝାଇ ଦେଇ ପାରନ୍ତେ । କାରଣ ପତ୍ନୀଙ୍କୁ ଲୁଚାଇ କିଛି ପଢିବା କିମ୍ବା ଦେଖିବା ଖୁବ୍ ଅନ୍ୟାୟ-ଶୁଣିଛି ଏହା ଦାମ୍ପତ୍ୟ ଜୀବନରେ ଜଟିଳତା ସୃଷ୍ଟି କରେ ।
ଜଣେ ଅବିବାହିତ ମହିଳା ତାଙ୍କୁ ଦାମ୍ପତ୍ୟ ଜୀବନ ସମ୍ପର୍କରେ ପରାମର୍ଶ ଦେଉଛି ବୋଲି ସଂସ୍କୃତି ସଚିବ ରାଗିଯିବା କଥା । ପ୍ରକୃତରେ ତାଙ୍କୁ ରଗାଇବା ପାଇଁ ହିଁ ସତେଇଶି ବର୍ଷୀୟା ଅଳକା ଏତେ କଥା କହୁଥିଲା ।
– ତମ ସ୍ୱାମୀ ଯଦି ଘରେ ପର୍ଣ୍ଣୋ ବା ବ୍ଲୁ ଫିଲ୍ମ ଦେଖନ୍ତି – ତମେ ଇଲେକ୍ଟ୍ରିକ କନେକ୍ସନ କାଟିଦେବ ନାଇଁ ? ପଚାରିଲେ ରଥ ସାହେବ ।
ମୃଦୁ ଧକ୍କା ଖାଇଲା ଭଳି ଚେୟାର ରେ ଈଷତ ଦୋହଲି ଗଲା ଅଳକା । ହଠାତ୍ କହିପାରିଲା ନାହିଁ – ନା, ମୁଁ ସ୍ୱାମୀଙ୍କୁ ବ୍ଲୁ ଫିଲ୍ମ ଦେଖାଇରେ ବାଧା ଦେବି ନାହିଁ । ବରଂ ତାଙ୍କ ପାଖରେ ବସି ଲେଡି ଚାର୍ଲିଜ ଲଭର ପଢିଲା ଭଳି ତାର ଫିଲ୍ମ ମଧ୍ୟ ଦେଖିବି । କହିବାକୁ ଚେଷ୍ଟା କରୁଥିଲା , କିନ୍ତୁ କିଏ ତାର ତଣ୍ଟି ଚିପି ଧରିଲା ଭଳି ସେ ଢ଼ୋକ ଗିଳି ଦେଲା । ସେ ଥରକୁ ଥର ଛେପ ଢ଼ୋକି ଢ଼ୋକି କହିଲା – ହୁଏତ ପାରିବି ନାହିଁ – କିନ୍ତୁ କାହିଁକି ପାରିବି ନାହିଁ ।
କଲ୍ଲୋଳର ଦୁଇ ଆଖି କୋଣରେ ହସର ଝଲକ ଖେଳିଗଲା । ତମେ ପାରନ୍ତ ନାହିଁ । କାରଣ ତମର ଅଭିମାନ ହୁଅନ୍ତା – ସମ୍ଭବତଃ ତମ ସ୍ୱାମୀଙ୍କୁ ତମେ ଯେଉଁ ଶାରୀରିକ ସୁଖ ଦେଇ ପାରି ନାହଁ , ସେ ସୁଖ ତମ ସ୍ୱାମୀ ବ୍ଲୁ ଫିଲ୍ମ ର ଯୌନ ଉତ୍ତେଜକ ଦୃଶ୍ୟ ଦେଖି ଉପଭୋଗ କରୁଛନ୍ତି । ବ୍ଲୁ ଫିଲ୍ମ ତମର ବିକଳ୍ପ ହୋଇ ଯାଉଛି – ଯଦିଓ ଏହା ଆଦୌ ସତ୍ୟ କଥା ନୁହେଁ । ପର୍ଣ୍ଣୋଗ୍ରାଫି କିମ୍ବା ବ୍ଲୁ ଫିଲ୍ମ ସାମୟିକ ଉତ୍ତେଜନା ଆଣି ଦେଇ ପାରେ । ଯୌନ ତୃପ୍ତି ଦେଇପାରେ ନାହିଁ । ଜୀବନର ଜଞ୍ଜାଳ ଓ ବିପର୍ଯ୍ୟୟରୁ ଏଭଳି ବହି, ଫିଲ୍ମ, ବେଳେ ବେଳେ ମନକୁ ହାଲ୍କା କରିବାରେ ସହାୟତା କରେ । ଅଧିକ କିଛି ନୁହେଁ ।
ଆପଣଙ୍କ ମିସେସ୍ଙ୍କୁ ତ ଆପଣ ଏ କଥା ବୁଝାଇ ଦେଇ ପାରନ୍ତେ । ପତ୍ନୀଙ୍କୁ ଲୁଚାଇ କିଛି ପଢ଼ିବା ବା ଦେଖିବା ତ ଖୁବ୍ ଅନ୍ୟାୟ । ସତେଇଶ ବର୍ଷର ଅଳକା ଘୋଷ ଜାଣିଶୁଣି ରଥ ସାହେବଙ୍କ ବ୍ୟକ୍ତିଗତ ଜୀବନ ଭିତରକୁ ଉଙ୍କି ମାରୁଥିଲା । ଏଇ ଅଳ୍ପ ସମୟର କଥାବାର୍ତ୍ତା ଭିତରେ ମିସେସ୍ ରଥଙ୍କ ପ୍ରତି ତା ହୃଦୟରେ ସମବେଦନାର କ୍ଷୀଣ ସ୍ରୋତଟିଏ ସୃଷ୍ଟି ହୋଇଯାଇଥିଲା । ରଥ ସାହେବ ବୋଧହୁଏ ଜଣେ ଯୌନ ବିକାରଗ୍ରସ୍ତ ଲୋକ । କୌଣସି ସ୍ତ୍ରୀ ବିକୃତ ରୁଚିର ସ୍ୱାମୀକୁ ସହ୍ୟ କରିପାରେ ନାହିଁ, ହୁଅନ୍ତୁ ପଛେ ସେ ଜଣେ ସୁଦକ୍ଷ ଆଇ.ଏ.ଏସ୍ ଅଫିସର୍ । କଲ୍ଲୋଳ ତାର ଉପଦେଶ ଶୁଣି ଖୁବ ଗମ୍ଭୀର ହୋଇଗଲେ । କିଛି ପରିମାଣରେ ବିଷଣ୍ଣ ମଧ୍ୟ ।
ବେଲ୍ ବଜାଇ ଶୂନ୍ୟ କଫି କପ୍ ଦୁଇଟା ପିଅନ ହାତରେ ବାହାରକୁ ପଠାଇ ନିଜେ ଗୋଟାଏ ସିଗାରେଟ୍ରେ ନିଆଁ ଧରାଇଲେ । ତା ପରେ କ୍ଷୀଣ କାନ୍ଥରେ କହିଲେ – ଦୁର୍ଗାକୁ ବୁଝାଇବାକୁ ଚେଷ୍ଟା କରିନାହିଁ ସେ କଥା ନୁହେଁ । କିନ୍ତୁ ଏଇ କେତେବର୍ଷ ହେଲା ସେ ଗୋଟାଏ କମ୍ପ୍ଲେକ୍ସ ଭୋଗ କରୁଛି । ତାର କେମିତି ଧାରଣା ହୋଇ ଯାଇଛି ଯେ ମୁଁ ତାକୁ ଭଲ ପାଉ ନାହିଁ । ସେ ଦେଖିବାକୁ ଖୁବ ସୁନ୍ଦରୀ ନୁହେଁ । ମୋଟା ହେବା ଆରମ୍ଭ କରିଛି । ତେଣୁ ମୁଁ ତାକୁ ଡିଭୋର୍ସ କରି ଅନ୍ୟ କେଉଁ ସୁନ୍ଦରୀଙ୍କୁ ବାହା ହୋଇଯାଇପାରେ ବୋଲି ସେ ମୋର ସବୁ କଥାକୁ ସନ୍ଦେହ କରୁଛି । ତା ପରେ ସିଗାରେଟ୍ରେ ଆଉ ଗୋଟାଏ ଟାଣ ଦେଇ ଆଷ୍ଟ୍ରେରେ ମାଡି ଲିଭାଇ ଦେଲେ । ତା ପରେ ହସି ଦେଇ କହିଲେ – ଶୁଣିବ, ଏ ବର୍ଷ ଜଣେ ମଧ୍ୟବୟସ୍କା ଲେଖିକାକୁ ମୁଁ ରାମମୋହନ ଫାଉଣ୍ଡେସନ ବହି ବଛା କମିଟିରେ ମେମ୍ବର କରିଦେଇଥିଲି – ଲେଖିକା ବିଚାରୀ ନିଜର କୃତଜ୍ଞତା ଜଣାଇବା ପାଇଁ ମୋ ଅନୁପସ୍ଥିତିରେ ଆମ କ୍ୱାର୍ଟର୍ସକୁ ଯାଇ ଦୁର୍ଗାକୁ ଭେଟିଲେ ।
ଦୁର୍ଗା ଭଦ୍ରମହିଳାଙ୍କୁ ପଚାରିଲା – ଏ କମିଟି ମେମ୍ବର ହେଲେ ତ କିଛି ଟଙ୍କା ପଇସା ମିଳେ ନାହିଁ । ମାଗଣା ଖଟିବାକୁ ହୁଏ । ଏ ମାଗଣା କାମରେ ନିଯୁକ୍ତି ଦେଇଛନ୍ତି ବୋଲି ରଥ ସାହେବଙ୍କୁ କୃତଜ୍ଞତା ଜଣାଇବାକୁ କାହିଁକି ଆସିଛ ?
ଭଦ୍ରମହିଳା ସରଳ ପ୍ରକୃତିର ଲୋକ, ସେ ଦୁର୍ଗାକୁ କହି ଦେଲେ – ମୁଁ ପନ୍ଦର ବର୍ଷ ହେଲା ପତ୍ର ପତ୍ରିକା ରେ ଲେଖା ଲେଖି କରୁଛି । ମୋର ଖଣ୍ଡେ ହେଲେ ବହି କୌଣସି ପତ୍ର ପ୍ରକାଶକ ଛାପିବାକୁ ରାଜି ହେଉନଥିଲେ । ରଥ ସାର ମୋ ଲେଖାକୁ ଭଲ ପାଆନ୍ତି । ସେ ଅନେକ ବଡ଼ ବଡ଼ ଲେଖକ ଲେଖିକାକୁ ବାଦ୍ ଦେଇ ମତେ ରାମ ମୋହନ ବହି ସିଲେକ୍ସନ କମିଟିର ସଭ୍ୟ କରିଦେଲେ । ତା’ ପରେ ମୋ ବହି ଛାପିବା ପାଇଁ ପ୍ରକାଶକଙ୍କ ଭିଡ଼ ଲାଗିଯାଇଛି । ସମସ୍ତେ ଲଗାଇଛନ୍ତି ଆମର ଚାରି ପାଞ୍ଚଖଣ୍ଡ ବହି ସିଲେକ୍ଟ କରି ଦିଅନ୍ତୁ । ଆମେ ଆପଣଙ୍କ ଗୋଟାଏ ପାଣ୍ଡୁଲିପି ମାସକ ଭିତରେ ଚାପି ବାହାର କରିଦେବୁ । ରଥ ସାହେବ ମତେ କମିଟିର ମେମ୍ବର କରି ନ ଥିଲେ, ପ୍ରକାଶକ ମାନେ ମୋ ମୁହଁ ଚାହିଁ ନ ଥାନ୍ତେ ।
କଲ୍ଲୋଳ ରଥ ଟିକିଏ ଦମ୍ ନେଇ ଅଳକା ଘୋଷ କୁ ଚାହିଁଲେ । ତା ପରେ କଣ ହେଲା ? ହେବ ଆଉ କଣ ? ମୁଁ ଯେ ସେ ଲେଖିକାଙ୍କ ଲେଖାକୁ ଭଲ ପାଏ , ଏ କଥା ଶୁଣିଲା ପରେ ଦୁର୍ଗା ପାଚିଲା ଲୁହା ଭଳି ତାତି କରି ଥିଲା, ମୁଁ ଘରେ ପାଦ ଦେବା ମାତ୍ରେ ଗର୍ଜି ଉଠି ଘର କମ୍ପାଇଲା । ସେ ଟୋକୀ ଲେଖିକା ସହିତ କେତେ ଦିନ ହେଲା ବୋହୁ ବୋହୁକା ଖେଳ ଚାଲିଛି ? ତା’ ଲେଖାକୁ ଭଲ ପାଉଛ ନା ତାକୁ ଲଭ୍ କରୁଛ ? ସତ କୁହ, ତା ନ ହେଲେ ମୂଷା ମରା ଔଷଧ ଖାଇ ମୁଁ ଆଜି ଆତ୍ମ ହତ୍ୟା କରିଦେବି । ସଂସ୍କୃତି ସଚିବଙ୍କ କଥା ଶୁଣି ସ୍ତବ୍ଧ ହୋଇଗଲା ଅଳକା । ସେ ଢ଼ୋକ ଗିଳି ପଚାରିଲା – ଆପଣଙ୍କ ପତ୍ନୀଙ୍କର ଅଯଥା ସନ୍ଦେହ ବ୍ୟାଧି କେବେ ଠାରୁ ଆରମ୍ଭ ହୋଇଛି ? କ୍ଳାନ୍ତ ଉଦାସ ଦୃଷ୍ଟିରେ କାନ୍ଥ ଝୁଲୁଥିବା ଭାରତବର୍ଷର ମାନଚିତ୍ର ଆଡକୁ ଚାହିଁ ସେ ବିମର୍ଷ କଣ୍ଠରେ କହିଲେ – ପ୍ରାୟ ଦୁଇ ବର୍ଷ ହେବ । ତାଙ୍କର ସାନ ଭଉଣୀ ସରସ୍ୱତୀଙ୍କୁ ତାଙ୍କ ସ୍ୱାମୀ ଇଂଜିନିୟର ଛାଡପତ୍ର ଦେଇ ନିଜ ପଞ୍ଜାବୀ ଷ୍ଟେନୋକୁ ବାହା ହେବା ପରଠାରୁ । ସରସ୍ବତୀର ଦୁଇଟି ଝିଅ – ମୋ ସ୍ତ୍ରୀ ଦୁର୍ଗା ଠାରୁ ସେ ଦେଖିବାକୁ ଅଧିକ ସୁନ୍ଦରୀ ଅଥଚ …
କୌତୂହଳୀ କଣ୍ଠରେ ଅଳକା ପ୍ରଶ୍ନ କଲା – ଇଞ୍ଜିନିୟର ଭଦ୍ରଲୋକ ପ୍ରୌଢ଼ ବୟସରେ ଦୁଇଟି କନ୍ୟା ସନ୍ତାନର ଜନନୀ ନିଜ ସରସ୍ବତୀଙ୍କୁ ଛାଡି ଯେଉଁ ଷ୍ଟେନୋ ଭଦ୍ର ମହିଳାଙ୍କୁ ବାହା ହୋଇ ପଡିଲେ । ସେ ଦେଖିବାକୁ କେମିତି ?
ରଥ ସାହେବ ଆଉ ଗୋଟିଏ ସିଗାରେଟ୍ରେ ଅଗ୍ନି ସଂଯୋଗ କରିବା ଆଗରୁ ଉତ୍ତର ଦେଲେ – ସୁନ୍ଦରୀ ନୁହେଁ ଖୁବ୍ ସେକ୍ସି । ପଞ୍ଜାବୀ ଝିଅ, ଏ ପିଓର ପର୍ଣ୍ଣୋଗ୍ରାଫି ।
ସିଗାରେଟ୍ ଗନ୍ଧ ସହି ପାରେ ନାହିଁ ଅଳକା । ତାର ଆଉ ପଚାରି ବୁଝିବାରେ ଆଉ କିଛି ବାକି ନ ଥିଲା । ମିସେସ୍ ରଥ ତାଙ୍କ ସ୍ୱାମୀ ଇଂଲିଶ ପର୍ଣ୍ଣୋଗ୍ରାଫି ପଢ଼ୁଥିବା ଦେଖିଲେ କାହିଁକି ସହ୍ୟ କରିପାରନ୍ତି ନାହିଁ, କାହିଁକି ଅନେକ ପୁରୁଷ ନାରୀର ସୌନ୍ଦର୍ଯ୍ୟ ଅପେକ୍ଷା ତାର ଶରୀର ପ୍ରତି ଅଧିକ ପ୍ରଲୁବ୍ଧ ହୁଅନ୍ତି, ସେ କଥା ଜାଣିଗଲା ପରେ ସେ ଆଉ ଗୋଟିଏ ମୁହୂର୍ତ୍ତ ସେଠାରେ ବସି ରହିବାକୁ ଚାହିଁ ନ ଥିଲା ।
ସେ ସେକ୍ରେଟାରିଏଟ୍ ଭିତରକୁ ବିନା ପାସ୍ରେ ପଛପଟ ଗେଟ୍ ଦେଇ ଆସିଥିଲା କିନ୍ତୁ ପ୍ରସ୍ଥାନ କଲାବେଳେ ସାମ୍ନା ଫାଟକ ଦେଇ ଗଲେ ମଧ୍ୟ କେହି ତାକୁ ବାଧା ଦେବେ ନାହିଁ । ପାସ୍ ଦେଖିବାକୁ ଚାହିଁବେ ନାହିଁ । ଅନେକ ବାରିବାଟେ ପଶି ଦାଣ୍ଡ ବାଟେ ନିରପରାଧ ଲୋକ ଭଳି ବାହାରିଯିବାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଅଳକା ଘୋଷକୁ ଯେଉଁ ବାଟେ ଆସିଥିଲା ସେଇ ପଛ ଫାଟକ ବାଟେ ବାହାରିଯିବାଜୁ ହେଲା ।
ତାର ଗାଡ଼ିଟା ପଛପଟ ରାସ୍ତା କଡରେ ଠିଆ ହୋଇ ରହିଛି ଯେ ।