ଖସିପଡ଼ିଲାଣି ସୂର୍ଯ୍ୟ
ଆକାଶରୁ,
ଢାଳିବାକୁ ବିଶ୍ବାସର
ବସୁନ୍ଧରାପରେ ଉତ୍ତାପର
ତରଳ ଗରଳ …!
ତାତିଲା ତାୱାରେ
ସେକିଲା ପରି ନୁହେଁ ;
ଭାଟିର ଡହ ଡହ ରଡନିଆଁରେ
କଳାହୀରା ଭସ୍ମ ହେଲାପରି
ଭସ୍ମୀଭୂତ ହୋଇ ଯାଉଛି ,
ଜମି ପାଣି ଆଉ ପାନ, ମୀନ
ଉତ୍ତାପର ଉଚ୍ଚ ରକ୍ତଚାପେ
ଭୁକମ୍ପନ ପରି,
ଥରି ଉଠୁଅଛି ପାହାଡ଼ ପର୍ବତର
ନୀରବ ନିଥର ନିଶ୍ଚଳ ଛାତି ।
ପ୍ରଗତିର କୁରୁକ୍ଷେତ୍ରେ
ଘନ ଘର୍ଘର ନାଦରେ,
ବାଜି ଉଠିଲାଣି ଦ୍ରୁତ ଶିଳ୍ପାୟନର
ଅଘୋଷିତ ଯୁଦ୍ଧର ଗୁପ୍ତ ଦୁନ୍ଦୁଭି
ପଙ୍ଗପାଳ ପରି,
ରଥୀ ମହାରଥୀ ସାଜି
ମାଡି ଆସୁଛନ୍ତି ପଲପଲ
ଦଳଦଳ ଦେଶୀ, ବିଦେଶୀ
ଶିଳ୍ପପତି, ପୁଞ୍ଜିବାଦୀ କଳା ବେପାରି
ଗଢ଼ିବାକୁ ବିକାଶର ବଡ଼ଦାଣ୍ଡେ
କଂକ୍ରିଟ ଜଙ୍ଗଲର ଇନ୍ଦ୍ରପୁରୀ ।
ବର୍ଷୀଲାଣି ଆହୁରି ବର୍ଷିବ
ମୁଷଳ ଧାରାରେ …
ସବୁଜ କୋଠରି ବାଷ୍ପ
ଉତ୍ତାପ ଦାନଵ ସାଜି
ଜାଳିଦେବ ପୃଥିବୀର ବକ୍ଷୋପରେ
ଭଷ୍ମତାର ତତଲା ଜୁଇ
ପୋଡ଼ିଦେବ ନୀରିହତାର
ପଣତ ପାତି ଜିଇଁବାର
ଅମ୍ଳଜାନ ବାଣ୍ଟୁଥିବା
ଜଙ୍ଗଲର ଶାନ୍ତି ସ୍ନିଗ୍ଧ ସବୁଜିମା ;
ଶୋଷିଦେବ ଛମଛମ ଛନ୍ଦ ତୋଳି
ବୋହିଯାଉଥିବା ଉତ୍ତାଳ ଝରଣାର ଉଦ୍ଦାମତା ।
ପୁଣି ରକ୍ଷାକବଚର
ଅଭୟ ଢାଲ ଧରି
ଜଗିରହିଥିବା ଓଜନସ୍ତର ଭେଦି
ସୂର୍ଯ୍ୟଠାରୁ କ୍ଷିପ୍ର ବେଗରେ
ଖସି ପଡ଼ିଲାଣି, ଅତି ବାଇଗଣି ରଶ୍ମି
ଆଉ ଶୁଭିଲାଣି ଜଳ,
ସ୍ଥଳ ଆକାଶରେ
ପାରାମାଣୁବୋମାର ମହାବିଭୀଷିକା ।
ଜଣାନାହିଁ କେତେବେଳେ
ଲିଭିଯିବ ସାରାବ୍ରହ୍ମାଣ୍ଡର
ଏକମାତ୍ର ଜୀବନ୍ତ ଗ୍ରହ
ସବୁଜ ସୁନ୍ଦର ଶାଦ୍ବଳ ପୃଥିବୀ ମଥାରୁ
ସଧବାର ସିନ୍ଦୁର ଟୋପା !
ବୈଧବ୍ୟର ଯନ୍ତ୍ରଣାରେ ଛଟପଟ ହୋଇ
ବିଚାରି ବିଧବା ବସୁଧାଟା
ସବୁଦିନ ପାଇଁ ଢାଳି ଚାଲୁଥିବ
ଅସରା ଅସରା ତତଲା ଲୁହର ଧାରା !!