ଗଳ୍ପ

ଠୁରି ଆମ୍ବ

Paramita Mishra's odia story Thuri Aamba

ଆଖିରେ ଲୁହ ର ଢେଉ ବାଡ ଭାଙ୍ଗି ଧସେଇ ପସୁଥିଲା । କହିଲି ହଁ ମା ଆମ୍ବ ବହୁତ ମିଠା ଥିଲା।

ଠୁରି ଆମ୍ବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଖରାଛୁଟିରେ ପ୍ରତି ବର୍ଷ ମୁଁ ଅଜା ଘରକୁ ଯାଏ ମାଁ ସହ କିଛି ଦିନ ଛୁଟି କଟେଇବା ପାଇଁ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୋର ପ୍ରିୟ ଆମ୍ବ ପାଇଁ । ଆମ ପଟେ ବି ମିଳେ କିନ୍ତୁ ମାଳରେ ମୋ ପସନ୍ଦ ର ଆମ୍ବ ମାନେ ଠୁରି ଆମ୍ବ ତାର ରାଇଜ ବିସ୍ତାର କରି ବସିଥାଏ । ଫେରିଲା ବେଳେ ମାଁ ଢେରେ ଭାର ଧରି ଘରକୁ ଫେରେ। ମୁଁ ଆଇ କୁ କହେ “ଆଇ ଆଉ କିଛି ଦିଅ ବା ନଦିଅ, ଠୁରି ଆମ୍ବ ଦେବ ଆଉ ତା ସହ ଆମ୍ବ ସଢା ଆମ୍ବ ଆଚାର ଆହୁରି ଜାହା ଦବାକଥା ଦବ।” ଆଇ ବି ମନ ଜାଣି ଗାଡି ଭରି କରି ଜିନିଷ ଦେଇ ଆମକୁ ବିଦା କରେ । ଘରକୁ ଆସି କେତେ ଦିନ ଯାଏ ମନ ଭରି ଖାଉ ତାକୁ ହେଲେ କଣ ହେବ ମୋ ମନ ଭରେନି ପୁଣି ଚାତକ ପରି ଆର ବରଷ କୁ ଅନେଇ ବସି ଥାଏ ।

ବାହା ହୋଇ ମାତ୍ର କେଇଦିନ ହୋଇଥିଲା। ଆମ ପଟେ ଦ୍ଵିତୀୟ ଥର ମାଁ ଘରକୁ ଗଲେ ଖୁବ୍ ଭାର ନେଇକି ଆସନ୍ତି । ସମୟଟି ଖରାଛୁଟିର । ମୁଁ ଖୁସି ହୋଇଯାଇଥିଲି ବାପ ଘରକୁ ଯିବା ନା ରେ। ମନ ଭରି ବାପ ଘରେ ଆମ୍ବ ଖାଇବି । କିନ୍ତୁ ଯିବାର ଦୁଇ ଦିନ ବି ହୋଇ ନଥିଲା ଶାଶୁ ଘରୁ ଖବର ଆସିଲା ଶାଶୁଙ୍କ ଦେହ ଭୀଷଣ ଖରାପ । ତେଣୁ ଦିନେ ଦୁଇ ଦିନରେ ଫେରିବାକୁ ପଡିବ । ମନ ମୋର ପିତା ହୋଇଗଲା । ରାତି ରାତି ଘରେ ପିଠାପଣା, ହାନିଲାଭ, ଲୁଗାପଟା ସବୁ କରାଗଲା । ମୋ ମାଁ ମୋ ମନ ଜାଣି ରସଗୋଲା, ଛେନାପୋଡ ମୋ ପସନ୍ଦର ସବୁ ପ୍ରକାର ମିଠା ଭରି ଭରି ଦେଲେ । ଆଉ ସବୁଠୁ ବଡ ମୋର ପସନ୍ଦର ଠୁରି ଆମ୍ବ ଖାସ୍ ଅଜା ଘର ମାଳରୁ ବସ୍ତାଏ ମଗେଇ ରଖିଥିଲେ । ତାକୁ ଆଉ ଖୋଲି ଦେଖିବି ନଥିଲୁ । ସବୁ ବସ୍ତା ଆକାରରେ ଦେଇଦେଲେ । ମୁଁ ମାତ୍ର ଯୋଡିଏ ଦିନରେ ଭାରଥୋର ନେଇ ଶାଶୁ ଘରକୁ ଫେରିଲି ଆଖିରେ ଆଖିଏ ଲୁହ ଆଉ ମୋ ସରାଗର ବସ୍ତାଏ ଠୁରି ଆମ୍ବ ନେଇ ।

ଶାଶୁ ଘରେ ପହଞ୍ଚି ଦେଖେ ତ ଶାଶୁ ବୁଲା ଚଲା କରୁଛନ୍ତି। ମୁଁ କିଛି ବୁଝିପାରୁ ନଥିଲି । ମୋ ସହ ମୋ ବାପା ଯାଇଥିଲେ । ବାପା ପଚାରିଲାରୁ ସାନ ନଣନ୍ଦ କହିଲେ ରାତିରେ ହଠାତ୍ କେମିତି ବିପି ହାଇ ହୋଇଗଲା । ସାଙ୍ଗେ ସାଙ୍ଗେ ମେଡିକାଲ ନେଲୁ । କଣ ମେଡିସିନ ଖାଇଲା । ଏବେ ଠିକ୍ ଅଛି । ମତେ ମନେ ମନେ ଭାରି ରାଗ ଲାଗୁଥିଲା ଯଦି ଭଲ ହୋଇଯାଇଥିଲେ ତ ମତେ ଏତେ ହରବରରେ କାହିଁକି ଡାକୁଥିଲେ । କିନ୍ତୁ ଏବେ ଆଉ କଣ କରିପାରିବା । ବାପା ମତେ ଛାଡି ବାହାରୁ ବିଦା ହୋଇଗଲେ । କାର ଟି ଆଖି ଆଗରୁ ଅଦୃଶ୍ୟ ହେବାପାଇଁ ମୁଁ ସେମିତି ଚାହିଁ ରହିଥିଲି । ଏପଟେ ଘରେ ଯେମିତି ଖୁସିର ରେଳ ଛୁଟିଥିଲା । ମୋର ଦୁଇ ନଣନ୍ଦ, ତାଙ୍କ ପିଲାମାନେ ସମସ୍ତେ ଥିଲେ । ତେଣୁ ମୁଁ ବି ମୋର ନିଜ ଘର କଥା ଭୁଲି ସେମାନଙ୍କ ସହ ଖୁସିରେ ସାମିଲ୍ ହୋଇଗଲି ।

ମାଁ ଗୁଡାଏ ଭାର ଦେଇଥିଲେ । ସାହି ସାରା ବଣ୍ଟା ହେବ ତାକୁ । ସମସ୍ତେ ମିଶି ଭାଗ କରୁଥିଲେ ସେସବୁ । ମୁଁ ତ ନୁଆଁ ବୋହୂ ତେଣୁ ଦୂରରେ ଛିଡା ହୋଇ ଦେଖୁଥିଲି । ମୋର ନଜର ମୋ ଆମ୍ବ ବସ୍ତା ଉପରେ ଥିଲା । ଇଚ୍ଛା ତ ହେଉଥିଲା ପୁଳାଏ କାଢି ଆଣି ଖାଇବାକୁ କିନ୍ତୁ ନାଚାର । ବଣ୍ଟା ବଣ୍ଟି ଭିତରେ ଶାଶୁ ସମସ୍ତଙ୍କୁ ଖାଇବାକୁ ଦେଉଥିଲେ ଖାଲି ମତେ ଛାଡି । ଯେମିତି ମତେ ଡାକିଲେ ମୁଁ ଖୁସିରେ ଗଲି ତ ମତେ ପ୍ଲେଟଟି ଧରେଇ କହିଲେ ଏଇଟା ନେ ପୁଅକୁ ଦେ ସେ ଅଫିସ୍ ରୁ ଆସିଛି ଭୋକ ହେବଣି ।

ସବୁ ବଣ୍ଟା ସରିଲା । ନଣନ୍ଦ ମାନେ ନିଜନିଜ ଭାଗ ବାନ୍ଧି ଅଲଗା ରଖିନେଲେ । ମୁଁ ଭାବୁଥିଲି ରାତିଖିଆରେ ଆମ୍ବ ଖୋଲା ହେଲେ ମତେ ନିଶ୍ଚୟ ଦେବେ । ରାତି ଖିଆ ହେଲା ଆମ୍ବ ସବୁ ତଳେ ଢାଳି ଦେଲେ । ଶାଶୁ ସେଥିରୁ ବାଛି ବାଛି ସମସ୍ତଙ୍କୁ ଦେଲେ । ମିଠା ଆମ୍ବ କହି ସମସ୍ତେ ବଡ ଚାଉରେ ଖାଉଥିଲେ । ମୁଁ ବଡ ଖୁସିରେ ଅପେକ୍ଷା କରିଥିଲି ମୋ ଭାଗକୁ । ସ୍ୱାମୀଙ୍କ ପରେ ତାଙ୍କ ଥାଳି ରେ ବସିଲି ଖାଇବାକୁ । ଶାଶୁ ଖାଇବାକୁ ବାଢିଦେଲେ । ହେଲେ ଆମ୍ବ ଦେଲେନି। ନଣନ୍ଦ କହିଲେ ବୋଉ ଭାଉଜ କୁ ଆମ୍ବ ଦେଲୁନି । ତ ଶାଶୁ କହିଲେ ନା’ମ ତାର ତ ବାପ ଘରେ କେତେ ଖାଇଥିବ, ପିଲାଗୁଡାକ ଶ୍ରଦ୍ଧା ହେଉଛନ୍ତି ଖାଇବାକୁ ଥାଉ। ମୁଁ ଆଉ କିଛି କହିପାରିଲିନି। କାନି ମଙ୍ଗରେ ଆଖି ଲୁହକୁ ଝଟ୍ କରି ପୋଛିପକେଇଲି କେହି ଦେଖିବା ଆଗରୁ । ବାସି ଦିନ ନଣନ୍ଦ ମାନେ ସବୁ ଚାଲିଗଲେ। ମୁଁ ଭାବିଲି ସମସ୍ତେ ତ ଚାଲିଗଲେ ଏବେ ତ ମୁଁ ଆମ୍ବ ଖାଇପାରିବି । ନୁଆଁ ବୋହୁ ମୁଁ କେହି ନଦେଲେ କେମିତି ଆଣିକି ଖାଇବି, ହେଲେ ବି କେହି ନଥିଲା ବେଳେ ଦେଖିବାକୁ ଗଲି ଦେଖେତ ଘରେ ଆଉ କିଛି ଆମ୍ବ ନାହିଁ । ଇଚ୍ଛା ତ ହେଉଥିଲା ଜୋର୍ ରେ ପାଟିକରି କାନ୍ଦି ବାକୁ ହେଲେ ଛାର ଆମ୍ବ ଟିକେ ପାଇଁ କାନ୍ଦିବି କେମିତି ।

ମାଁ ଫୋନକରି ଥିଲେ, ପଚାରିଲେ “ଝିଅ ଆମ୍ବ ଖାଇଲୁ ଆଉ ଛେନାପୋଡ ଖାସ୍ ତୋ ପାଇଁ ଦେଇଥିଲି, ତୁ ଖାଇଲୁ ନା? ” ଆଖିରେ ଲୁହ ର ଢେଉ ବାଡ ଭାଙ୍ଗି ଧସେଇ ପସୁଥିଲା । କହିଲି ହଁ ମା ଆମ୍ବ ବହୁତ ମିଠା ଥିଲା। ଆଇକୁ କହିବ ଆର ବରଷକୁ ପୁଣି ପଠେଇବେ। ଆଉ ଛେନାପୋଡ ତ ଏକଦମ୍ ଠିକ୍ ପୋଡିଥିଲା ମୁଁ ବଡ ଖଣ୍ଡଟେ ଖାଇଲି ।

କେଇଦିନର ହେଉ ପଛେ ଏବେ ମୁଁ ଆଉ ଝିଅ ନୁହଁ ବୋହୂ ହୋଇ ସାରିଥିଲି।

4 Comments

4 Comments

  1. ଶ୍ରୀମତୀ ପରମିତା ମିଶ୍ର

    ପରମିତା

    November 18, 2017 at 3:16 pm

    Thank you so much ma’am for your kind consideration. And also a thanks for understand my thoughts. Keep encouraging me.

    Regard
    Paramita mishra

  2. minati

    November 10, 2017 at 6:20 pm

    Dear Mam,
    very beautifully described. Some where and other we all could relate our life to it.Some sacrifice their love for Mango some do sacrifice their love for life itself, their hubbies,their lookout and many more.

    Blessed be.
    Love,
    Minati

  3. ଶ୍ରୀମତୀ ପରମିତା ମିଶ୍ର

    ପରମିତା

    November 9, 2017 at 1:57 pm

    Thank you so much ma’am for your valuable comments.this will definitely inspire me.

  4. Pragnya Mishra

    November 3, 2017 at 3:15 pm

    nice one. really true reflection of our daily life.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top