କବିତା

ଆହେ ଜଗନ୍ନାଥ

Liza Panda's odia poem Aahe Jagannatha

ତୁ ପୁଣ୍ୟ ସମୀର
ଜଗତର ବୀର।
ପରମ ଉଦାର
କାଳିଆ ଠାକୁର।।

ଜଗତର ନାଥ ଆହେ ଜଗନ୍ନାଥ।
ଭକତ ଜନର ତୁହି ପ୍ରାଣନାଥ ।।

ତୁ ଦୟା ସାଗର
ତୁ ଭାବ ମନ୍ଦିର।
କୃପା କର ଆହେ
ହେ କରୁଣାକର ।।

ନୀଳାଚଳ ଧାମେ ବିରାଜି ମହନ୍ତ ।
ଜଗତର ଦାତା କାଳିଆ ସାଆନ୍ତ।।
ଜଗତର ନାଥ ଆହେ ଜଗନ୍ନାଥ।
ଭକତ ଜନର ତୁହି ପ୍ରାଣନାଥ ।।

ତୁ ପୁଣ୍ୟ ସମୀର
ଜଗତର ବୀର।
ପରମ ଉଦାର
କାଳିଆ ଠାକୁର।।

ଶରଣବତ୍ସଳ ହେ ରଙ୍କରତାନ ।
ଜଗତ ବାସୀର ତୁ ମନମୋହନ।।
ଜଗତର ନାଥ ଆହେ ଜଗନ୍ନାଥ।
ଭକତ ଜନର ତୁହି ପ୍ରାଣନାଥ।।

ସତ୍ୟରେ ନୃସିଂହ
ତୁ ପୁନଃ ବାମନ।
ସାଜି ପ୍ରାଣାତ୍ରାତା
ହରୁ ଦର୍ପମାନ ।।

ସାକାର ରୂପେ ତୁ ନିରାକାର ବ୍ରହ୍ମ।
ସଜୀବ ଶାଶ୍ଵତ ଚିରନ୍ତନ ବ୍ରହ୍ମ ।।
ଜଗତର ନାଥ ଆହେ ଜଗନ୍ନାଥ।
ଭକତ ଜନର ତୁହି ପ୍ରାଣନାଥ ।।

ତ୍ରେତୟାରେ ରାମ
ତୁ ପୁରୁଷୋତ୍ତମ ।
ପିତୃସତ୍ୟ ପାଳି
ରଖିଲୁ ବଚନ ।।

ଭକତବତ୍ସଳ ହେ ପାପହାରକ ।
ସୃଷ୍ଟିପାଳକ ତୁ ହେ ଭବତାରକ ।।
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ।।

ଦ୍ଵାପର ରେ କୃଷ୍ଣ
ରାଧାର ତୁ ଶ୍ୟାମ
ହେ ମଦନ ଷୋଳ
କଳାର ତୁ ଧାମ।।

ତୁ ନାମ କୀର୍ତ୍ତନ, ବନ୍ଦନ, ସ୍ମରଣ।
ମୁକ୍ତିମିଳେ କଲେ ତୋ ଭକ୍ତି ଶ୍ରବଣ।
ଜଗତର ନାଥ ଆହେ ଜଗନ୍ନାଥ।
ଭକତ ଜନର ତୁହି ପ୍ରାଣନାଥ।।

କଳିରେ କଳକୀ
ହେ ପରମବ୍ରହ୍ମ।
ଅଧର୍ମ କୁ ନାଶି
କଲୁ ସତ୍ୟକର୍ମ ।।

ଦୟାର ସାଗର , କ୍ଷମାର ମନ୍ଦିର ।
ସକଳ ଶକ୍ତିର ତୁ ପୁଣ୍ୟ ଭଣ୍ଡାର ।।
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ।।

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top