ତୁମରି ପାଇଁ ମୁହିଁ ରଖିଛି ଯେତେ ଗୀତ,
ତୁମରି ନାମ ଧରି ଗାଇଛି ଯେ ସଂଗୀତ,
ନ ହେଉ ତାହା ପ୍ରଭୁ କେଉଁଠି କେବେ ଲେଖା
ନ ଜାଣୁ କେହି ତାହା ଥାଉ ସେ ଏକା-ଏକା ।
ଏକାକୀ ଏକ କୋଣେ ଥାଉ ସେ ହୃଦେ ମୋର,
ହୃଦୟ ଗଲେ ପୁରି ଛୋଟିଆ ହୋଇ ଝର,
ଯାଉ ଗୋ ଯାଉ ବହି ନୟନ ପଥ ଦେଇ
ଏ ଆଖି ଲୁହ ହୋଇ ହୃଦୟ ଯାଉ ଧୋଇ ।
ଅଶ୍ରୁ ହୋଇ ଝରି ପଡୁ ସେ ଥିରି ଥିରି,
ତବ ଶ୍ରୀ ଚରଣରେ ରଖ ଗୋ ତାକୁ ଧରି,
ସେ ଆଖି ଲୁହ ଦେଇ ଦେବି ଗୋ ଦେବି ଧୋଇ
ତୁମରି ପଦ୍ମ-ପାଦ ସରାଗ ଭରେ ମୁହିଁ ।
ଦିଅ ଗୋ ଦିଅ ମୋତେ ଏତିକି ଅଧିକାର,
ନ ଦେଲ ଯଦି ଆଉ ଜୀବନେ କିଛି ମୋର,
ଦିଅ ଗୋ ମୋତେ ତୁମେ ଏତିକି ଅଭିମାନ
କ୍ଷୁଦ୍ର ଏ ଜୀବନେ ସେଇ ମୋ ମହାଧନ ।