ସକାଳରୁ ସଞ୍ଜଯାଏ ଅନିର୍ଦ୍ଦିଷ୍ଟ
ପଥ ଦେଇ ତାକୁ
ଘୂରିବାକୁ ହୁଏ
ସେଇଥିପାଇଁ ତ କେନ୍ଦ୍ରଟା ତାର
ଏପଟ ସେପଟ ହୋଇ
ତାକୁ, ଦୋହଲାଉଥାଏ ।
ଦିବସ ଭିନ୍ନ ଭିନ୍ନ ପ୍ରହରରେ
ସିଏ ସୃଷ୍ଟି କରିଥାଏ
ନିଜ ପାଇଁ ଭିନ୍ନ ଭିନ୍ନ ପୃଥିବୀ,
ସମୟର ମଧ୍ୟାହ୍ନ ଅବା ସାୟାହ୍ନରେ
ସିଏ ଖୋଜୁଥାଏ ସଦା ତା’ର
ଇପ୍ସିତ କରବୀ ।
ସମୟର ଶାନ୍ତ କୋମଳ ପରଶରେ
କେବେ ପାଦ ଦୃଢ଼ କରୁ କରୁ
କ୍ଳାନ୍ତ ହୋଇ ଛିଡ଼ା ହୁଏ
ଆଉ କେବେ ସମୟର ଘୂର୍ଣ୍ଣିବାତ୍ୟାରେ
ଛିଟିକି ପଡ଼ି ଦୂରରେ
ମନ ମାରି ଚୁପ୍ଚାପ୍ ରହିଯାଏ ।
ପୃଥିବୀର ଲୁକ୍କାୟିତ ଶକ୍ତି ଏକ କିନ୍ତୁ,
ସଦା ତାକୁ କେନ୍ଦ୍ରୀଭୂତ କରୁଥାଏ
ସମୟର ମାନସ ପଟରେ ଲିଖିତ ଯେତେ
ସ୍ମୃତି ଭିତରୁ କେତୋଟି ମୋତିକୁ
ଧରି ସେଇ ପରିଧି ଭିତରେ ସ୍ଥିର ହେବାର
ପ୍ରୟାସ କରୁଥାଏ ।