ସମୟର ଇସାରାରେ
ସବୁ କଳ୍ପନା ଆଉ ସମ୍ଭାବନାର
ସତର୍କ ଘଣ୍ଟି ବଜାଇ
କାଳ ସମୁଦ୍ରର ବକ୍ଷୋପରେ
ବନିଗଲି ମୁଁ, ଦିଗହଜା. . .
ଅମାନିଆ ଏକ ଅଶାନ୍ତ ଘୂର୍ଣ୍ଣିଝଡ଼ ।
ତୁମ ବିଶ୍ୱାସର ବେଳାଭୂଇଁ ଡେଇଁ
କ୍ଷେଦିଗଲି କ୍ଷିପ୍ର ଗତିରେ
ରାସ୍ତାଘାଟ, ବିଲବାଡ଼ି, ସହର ବଜାର
ଆଉ ପଲ୍ଲୀ ବସ୍ତି. . ., ରାଜନଗର,
ଲୁଟିନେଲି ବାବୁ ଭାୟାଙ୍କ
ଅଜସ୍ର ଅହଙ୍କାରର ଧନ ଜୀବନ
ଭାଙ୍ଗିଦେଲି ଦୀନହୀନ ମଣିଷଙ୍କ
ମୁଣ୍ଡ ଗୁଞ୍ଜିବାର ଚୁଲିଚାଳ
ଆଉ ଜୀଇଁବାର ଆଗାମୀ ସକାଳ ।
ପାଣିପାଗର ଅଙ୍କ କଷି କଷି
ଫାଇଲିନ୍ ପରି ଯେତେ ନୂଆ ପରେ
ନୂଆ ନାଁ ଦେଇ ଚାଲିଲେ ବି ତୁମେ,
ପାରିବନି କେବେ ମୋର ପଥରୋଧ କରି ।
ସବୁ ଅଦଉତି ଆଉ ଅନାଚାରର
ଯନ୍ତ୍ରଣାକୁ ଆକଣ୍ଠ ପାନ କରି
ପୁଣି ଆସିବି, ଏମିତି ଆସୁଥିବି
ରଣଚଣ୍ଡୀ ରୂପରେ ମହାସୁନାମି ସାଜି ।
ତୁମ ଯନ୍ତ୍ର, ମନ୍ତ୍ର, ତନ୍ତ୍ରର କୌଶଳରେ
ଯେତେ ମାରଣାସ୍ତ୍ର ଫିଙ୍ଗିଚାଲିଲେ ବି
ପାରିବନି କେବେ ମୋର
ଅପାର ଶକ୍ତିର ଅଭେଦ୍ୟ,
ଦୁର୍ଭେଦ୍ୟ ଶରୀରକୁ ଭେଦକରି ।
ତୁମ ଗତି ପ୍ରଗତିର
ସବୁ ଗଣିତକୁ ଭୁଲ୍ ପ୍ରମାଣିତ କରି
ଅଚିରେ ରଚିଦେବି. . .
ମହାପ୍ରଳୟର ବିଷର୍ଣ୍ଣ ତାଣ୍ଡବ ।
ନିମିଷକ ମଧ୍ୟେ ବୁହାଇ ଦେବି
ରକ୍ତନଦୀରେ. . .
କୁଢ଼ କୁଢ଼ ଶବଙ୍କ ପ୍ରମତ୍ତ ପଟୁଆର,
ବିଷଣ୍ଣ, ବିବର୍ଣ୍ଣ ହୋଇଯିବ
ବାରବାର, ଚିରସୁନ୍ଦର ଶାଦ୍ବଳ
ପ୍ରକୃତିକୁ ବିବସ୍ତ୍ର କରି
ଜୟ କରିବାର ତୁମ ଦୁର୍ବାର
ଯାନ୍ତ୍ରିକ ଶକ୍ତିର ପାରାବାର ।।