ଅର୍ଦ୍ଧପୂରାଏ ଏନ୍ତୁଡ଼ିରେ ତୋ ଲାଗି କଲି ଶ୍ରମ ,
ଅଧା ଶୋଇ, ଅଧା ଚେଇଁ ତୋଳିଲି ତୋ ଉଜ୍ଜ୍ୱଳ ଭବିଷ୍ୟର ଧାମ,
ତୁ ଛୁଁଇଁଲୁ ସୁଦୂର ଗଗନେ ସେ ଚିକ୍ମିକ୍ ତାରା ,
ବାନ୍ଧିଲୁ ବସା, ହେଲେ ଦେଲୁନି ଧରା ।
ତୁ ଏବେ ସତେ କୋଉ ପରି ରାଇଜର ରାଜକୁମାର ,
ତୋ ଆଗେ ପଛେ ମୁଣ୍ଡ ନୁଆଁଇବାକୁ କେତେ ଯେ ଚାକର ବାକର,
ବିଦେଶୀ ବସନେ ଝଲସେ ତୋ ବଦନ,
ହାଣ୍ଡିରୁ ବାସ ଛୁଟେ, ଘିଅ , ଖିରି ଫୁଟଣ ।
ମୋ ହାଣ୍ଡିଶାଳେ ଚୂଲି ଅଙ୍ଗାର ଗଣୁଛି,
ଭଙ୍ଗା ଚାଉଳର ଫିମ୍ପିଭରା ସୁବାସ ଓପାସ ବାଣ୍ଟୁଛି,
ଆଜି ବି ମୋ ପେଟ ଅଧା ଭୋକିଲା,
ତଥାପି ଏ ଜନକ ତୋ ଜ୍ୟୋତିର୍ମୟୀ ଆୟୁଷ ମାଗିଲା ।
