କବିତା

ବାଦାମବାଡ଼ି

Matrudatta Mohanty's odia poem Badambadi

ନିଜ ଠିକଣା ଖୋଜେ ମଟରଗାଡିରେ,
ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ
ଭାବ ବିକୁଥାନ୍ତି ବାଦାମବାଡ଼ିରେ ।

ବାଦାମବାଡ଼ି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସନ୍ଧ୍ୟା ନାଇଁ ଆସିଲେ
ମଥା ନୁଆଁଇ ଦିଏ ବାଦାମବାଡ଼ି,
ଦିନ ତମାମ ଛାତି ଫୁଲେଇ ଛିଡ଼ା ହୁଏ
ମୁଣ୍ଡ ଟେକି କଥା ହୁଏ
ସନ୍ଧ୍ୟାରେ ଥକିଯାଇ ଚିତ୍‌ପଟାଙ୍ଗ ମାରେ
ସୁଇପର କଲୋନୀର ସାରିଆ ପରି ।

ପାଦ ଘୋଷାରି ଘୋଷାରି ଆସେ
ବାରବୁଲା ବସ୍ତିବାଲା
କାନ୍ଧରେ କୋଡ଼ି କୋଦାଳ
ମୁହଁରେ ମାତାଳି ଭାଷା ।

ଟ୍ରାଫିକ୍‌ ଛକ ଆଲୁଅରେ ଜଳକା ହୁଏ
ମାସ, ବର୍ଷ, ଦିନ, ବାରି ବିକୁଥିବା
କ୍ୟାଲେଣ୍ଡରବାଲା
ତଣ୍ଟିଫଟା ଚିତ୍କାରରେ
ଘରବାହୁଡାକୁ ଘଉଡାଏ ବସ୍‌ବାଲା ।

ରୁଟି ପାଇଁ ଛାଡି ସହରର ତାତିରେ
ଦିନମାନ ସିଝିଥିବା ଗାଁ ର ନିରୀହ ମଣିଷ
ନିଜ ଠିକଣା ଖୋଜେ ମଟରଗାଡିରେ,
ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ
ଭାବ ବିକୁଥାନ୍ତି ବାଦାମବାଡ଼ିରେ ।

ଢଳି ଢଳି ଗଡିଯାଏ ସଞ୍ଜ ମଧୁପାଟଣା ଆଡ଼କୁ
ଖାନନଗର ଆଡୁ ମାଡି ଆସେ ରାତି ,
ଥକି ପଡିଥିବା ଯେତେ ସବୁ ପାଦ
ନିଖୋଜ ହୋଇଯାଏ
ରାତି ଅଧାକୁ ଶୁଭେ
ବାଦାମବାଡ଼ି କାନ୍ଦୁଥାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top